Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ଦୁର୍ଘଟଣାରେ ଚାଲିଗଲା ବିଜେଡି ନେତାଙ୍କ ଜୀବନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ରାତି ନଅ ଘଟିକା ସମୟରେ ବାଣପୁର ଅଂଚଳର ଜଣେ ବିଜେଡି ନେତା ତଥା ଏନଏସି ପାଞ୍ଚ ନମ୍ବର ୱାର୍ଡ କାଉନସିଲର ଅନୁସୟା ପ୍ରଧାନଙ୍କ ସ୍ୱାମୀ ସତ୍ୟନାରାୟଣ ପ୍ରଧାନଙ୍କର ଏକ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାଯାଇଛି।

ପ୍ରକାଶ ଥାଉକି କୌଣସି ଏକ ଜରୁରୀ କାମରେ ବାଣପୁର ସ୍ଥିତ ସାନହନ୍ତୁଆଡ଼ ଗ୍ରାମକୁ ଯାଇ ଫେରୁଥିବା ବେଳେ ଦୁର୍ଘଟଣାରେ ଆହତ ହୋଇଥିଲେ ସତ୍ୟ। ତାଙ୍କୁ ସଙ୍ଗେ ସଙ୍ଗେ ବାଣପୁର ମେଡିକାଲକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେ ଜଣେ ପରୋପକାରୀ ବ୍ୟକ୍ତି ଭାବରେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁରେ ତାଙ୍କ ଗ୍ରାମ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡିକୁ ଧରିବାକୁ ସ୍ଥାନୀୟ ଲୋକ ପ୍ରୟାସ କରୁଥିବା ଜଣାଯାଇଛି।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ର ସ°ଘ ଗଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ୧୯୬୩ ମସିହାରେ ପ୍ରତିଷ୍ଠିତ ଏବଂ ଓଡିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ର ସ°ଘ ରବିବାର ଦିନ ମହାବିଦ୍ୟାଳୟ ପରିସରରେ ଗଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଓ ସ°ଯୋଜକ ଲକ୍ଷ୍ମୀ ପ୍ରସାଦ ମିଶ୍ରଙ୍କ ସ°ଯୋଜନାରେ ପରିଚାଳିତ ଏହି ବୈଠକରେ ଅନେକ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ନିଜନିଜର ଅନୁଭୂତି ବଖାଣିବା ସହ ପୁରାତନ ଛାତ୍ର ସ°ଘ ଜରିଆରେ ମହାବିଦ୍ୟାଳୟର ଉନ୍ନତିକରଣ ପାଇଁ ବିଭିନ୍ନ ମତ ଉପସ୍ଥାପନ କରିଥିଲେ।

ଆହୂତ ବୈଠକରେ ପୁରାତନ ଛାତ୍ର ଓ ପୂର୍ବତନ ମନ୍ତ୍ରୀ ଡ଼ ଦେବେନ୍ଦ୍ର ନାଥ ମାନସିଂହଙ୍କୁ ପୁରାତନ ଛାତ୍ର ସଂଘର ସଭାପତି ଭାବରେ ମନୋନୀତ କରାଯାଇଥିବା ବେଳେଡ ଡ଼ା ନୃସିଂହ ଚରଣ ପ୍ରଧାନ କାର୍ଯ୍ୟକାରୀ ସଭାପତି, ଅମରେନ୍ଦ୍ର ରଣସି°ହ ଓ ମିଟୁ ନାୟକ ଉପସଭାପତି, ଲକ୍ଷ୍ମୀ ପ୍ରସାଦ ମିଶ୍ର ସମ୍ପାଦକ, ଏସ୍ କେ ମୋହିନୁଲ୍ ହକ୍ ଓ ମହେଶ୍ଵର ଜେନା ଯୁଗ୍ମ ସମ୍ପାଦକ, ଜିତେନ୍ଦ୍ର ଭୋଳ କୋଷାଧ୍ୟକ୍ଷ, ସୁନୀଲ କୁମାର ପଣ୍ଡା ସହ କୋଷାଧ୍ୟକ୍ଷ ଓ ସର୍ବଶ୍ରୀ ସର୍ବେଶ୍ଵର ଷଡ଼ଙ୍ଗୀ, ପ୍ରକାଶ ପ୍ରଧାନ, ସୀତାରାମ୍ ଅଗ୍ରୱାଲ, ଅରୁଣ କୁମାର ପଣ୍ଡା ,ଶକ୍ତି ପ୍ରସାଦ ମହାନ୍ତି, ଶକ୍ତି ପ୍ରସାଦ ମହାପାତ୍ର , ଅନନ୍ତ ବାରିକୀ, ସୁନୀଲ ସୁବୁଦ୍ଧି ,ଉମାକାନ୍ତ ଲାଠି,ମନ୍ମଥ ମିଶ୍ର ,ଅଜୟ ଦାଶ,ଦୁର୍ଯୋଧନ ସାହୁ, ବିର°ଚି ନାରାୟଣ କାଣ୍ଡି ପ୍ରମୁଖ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି।

ପ୍ରାଧ୍ୟାପକ ଶୂର ପ୍ରତାପ ନରେନ୍ଦ୍ର ସି°ହ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା ଅପ୍ରେଲ ୨ ତାରିଖ ରବିବାର ଦିନ ଆଲୁମିନି ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହେବାପାଇଁ ସ୍ଥିର କରାଯାଇଛି।

Categories
ଆଞ୍ଚଳିକ

ବାଣପୁର: ବିଦ୍ୟୁତ ଖୁଣ୍ଟରେ ପିଟି ହେଲା କାର, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ
ବାଣପୁର: ରବିବାର ଅପରାହ୍ନରେ ବାଣପୁର ମେଡିକାଲ ଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବରରୁ ଜଣାଯାଇଛି ଓଡି ୦୨ ବିଡି ୧୫୪୪ ନମ୍ବର ବିଶିଷ୍ଟ ଏକ ଟାଟାନିଅମ କାରରେ ଭୁବନେଶ୍ୱରରୁ ଚାଳକ ତାଙ୍କର ମାଙ୍କୁ ନେଇ ବାଣପୁର ଅଂଚଳର ତାଙ୍କ ବନ୍ଧୁଙ୍କ ଘରକୁ ଆସିଥିଲେ।

ଭୁବନେଶ୍ୱର ଫେରୁଥିବା ବେଳେ ଚାଳକଙ୍କ ଅସାବଧାନତା ପାଇଁ ବଜାର ଅଂଚଳରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ କାରଟି ପିଟି ହୋଇଯାଇଥିଲା। ଯାହାଫଳରେ ଦୁର୍ଘଟଣାରେ ଚାଳକ ଏବଂ ତାଙ୍କ ମାଙ୍କର ଗଭୀର ଆଘାତ ହୋଇଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ପ୍ରତ୍ୟେକ୍ଷ ଦର୍ଶୀ କହିଛନ୍ତି। ରିପୋର୍ଟ ଲେଖା ହେଲାବେଳକୁ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁରଗସ୍ତ: ପ୍ରଧାନ ଶିକ୍ଷକଙ୍କ ଉପରେ ନେଲେ କାର୍ଯ୍ୟାନୁଷ୍ଠାନ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ଅଚାନକ ବାଣପୁର ପହଞ୍ଚି ବ୍ଲକ ଏବଂ ଏନଏସି ର ୫-ଟି ରେ ସାମିଲ ହୋଇଥିବା ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।  ସେଠାରେ ୫-ଟି ଅନ୍ତର୍ଗତ ନିର୍ମାଣଧୀନ ଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ।

ଏନଏସି ର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ବ୍ଲକ ର ମାଣିକପୁର ସ୍ଥିତ ଶାଳିଆ ବିଦ୍ୟା ନିକେତନ, ଅଲାଇଡିହ ସ୍ଥିତ ପଦ୍ମଚରଣ ସରକାରୀ ଉଚ୍ଚ ବିଦ୍ୟାଳୟ, ଖଣତ ସ୍ଥିତ ୟୁଜି ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼ସିରେଇପୁର ସ୍ଥିତ ୟୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ବାଙ୍କିଆପଲ୍ଲିସ୍ଥିତ ୟୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ଆଦି ପରିଦର୍ଶନ କରିବା ସହ ୫-ଟି ନିମିତ୍ତ ଆସିଥିବା ଅନୁଦାନରେ ବିଭିନ୍ନ ନିର୍ମାଣଧୀନ ପ୍ରକଳ୍ପ ଗୁଡିକର ତଦାରଖ କରିଥିଲେ। ସମସ୍ତ ପ୍ରକଳ୍ପ ଗୁଡିକୁ ଯଥାଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଭାବେ ଜିଲ୍ଲାପାଳ ବାଣପୁର ଏନଏସି ରେ ଡ୍ରେନେଜ ନିର୍ମାଣ, ବାଇପାସରୁ ନନ୍ଦପୁର ପର୍ଯ୍ୟନ୍ତ ନୂତନ ଷ୍ଟ୍ରିଟ ଲାଇଟ ସ୍ଥାପନ ଏବଂ ପୂର୍ତ୍ତବିଭାଗ ଅଧୀନରେ ଥିବା ରୋଡ ମରାମତି ବିଷୟରେ ଗୁରୁତ୍ୱ ଦେଇଥିଲେ।

ସୂଚନା ମୁତାବକ ଖଣତ ୟୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସମୟରେ ପ୍ରପର ୟୁନିଫର୍ମ ପରିଧାନ କରିନଥୁବାରୁ ଏବଂ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବାର ବିଇଓ ସନାତନ ଜାଲି ସୂଚନା ଦେଇଛନ୍ତି।

ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବିଡ଼ିଓ ବୁଲବୁଲ ବେହେରା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଏବଂ ପ୍ରଧାନ ଶିକ୍ଷକ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର: ସ୍ୱାଧୀନତା ସଂଗ୍ରାମୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁରର ଶେଷ ସ୍ୱାଧୀନତା ସଂଗ୍ରାମୀ ରାଧାକାନ୍ତ ନାୟକଙ୍କ ଦ୍ଵାଦଶ କ୍ରିୟାରେ ଆଜି ସନ୍ଧ୍ୟାରେ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରକାଶ ଥାଉକି ରାଧାକାନ୍ତ ନାୟକ ୧୯୨୧ ମସିହାରେ ଐତିହାସିକ ପାଲଟଣ ପଡିଆ ନିକଟ ସାନହନ୍ତୁଆଡ଼ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଦେଶ ପରାଧୀନ ଥିବାବେଳେ ଯୁବକ ଅବସ୍ଥାରେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ବାଣପୁର ଅଞ୍ଚଳର ତତ୍କାଳୀନ ସମୟରେ ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସାମିଲ କରିଥିବା ପର୍ଶୁରାମ ହରିଚନ୍ଦନ ଓ ପୂର୍ବତନ ବିଧ୍ୟାୟକ ରାମଚନ୍ଦ୍ର ପ୍ରହରାଜଙ୍କ ପ୍ରରୋଚନାରେ ସ୍ୱାଧୀନତା ଆନ୍ଦୋଳନରେ ରାଧାକାନ୍ତ ସାମିଲ ହୋଇଥିଲେ।

ତେବେ ଗତ ଫେବୃଆରୀ ୧୯ ତାରିଖ ରବିବାର ଦିନ ରାଧାକାନ୍ତ ତାଙ୍କ ପରିବାରବର୍ଗଙ୍କୁ ଛାଡି ଇହଲୀଳା ସମ୍ବରଣ କରିଥିଲେ। ଆଜି ତାଙ୍କର ଦ୍ୱାଦଶ କାର୍ଯ୍ୟରେ ଚିଲିକାର ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ଜିଲ୍ଲାପରିଷଦ ଉପସଭାପତି ଗୋପୀନାଥ ମହାରଣା ପ୍ରମୁଖ ଯୋଗ ଦେଇ ରାଧାନାଥଙ୍କ ସ୍ମୃତି ଚାରଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁ ଏନଏସି ରେ ମିଶନଶକ୍ତି ଗୋଷ୍ଠୀ ସହଭାଗୀମାନଙ୍କୁ ସାଇକେଲ ବଣ୍ଟନ

ଚିଲିକା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି। ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ ଏବଂ ସୁପରଭାଇଜର ଆଦି ସାଇକେଲ ପାଇଛନ୍ତି।

ଅନୁରୂପ ଭାବେ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଏନଏସି ରେ ମଧ୍ୟ ହୋଇଯାଇଛି। ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇ ଉଭୟ ଏନଏସି ର ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ ଏବଂ ସୁପରଭାଇଜର ମାନଙ୍କୁ ସାଇକେଲ ପ୍ରଦାନ କରାଯାଇଛି। ବାଣପୁରରେ ୨୦ ଗୋଟି ଏବଂ ବାଲୁଗାଁରେ ୧୮ ଗୋଟି ସାଇକେଲ ପ୍ରଦାନ କରାଯାଇଛି।

ଉଭୟ ସ୍ଥାନରେ ଉଭୟ କାର୍ଯ୍ୟନିର୍ବାହୀ ଅଧିକାରୀ, ନଗରପାଳ, ଉପନଗରପାଳ, ସମସ୍ତ କାଉନସିଲର ଏବଂ ଏନଏସି ର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର: ଆରମ୍ଭ ହେଲା ଦ୍ଵାଦଶ ଶ୍ରେଣୀ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା

ସୀତାରାମ ଅଗ୍ରୱାଲ
ବାଣପୁର: ଆଜିଠାରୁ ଓଡ଼ିଶାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଯାଇଛି। ଅନୁରୂପ ଭାବେ ଆଜି ବିଜ୍ଞାନ ପରୀକ୍ଷା ଥିବାବେଳେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ସମୁଦାୟ ୨୬୯ ଜଣ ଫର୍ମ ଫିଲପ କରିଥିବା ବେଳେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଥିବାରୁ ୨୬୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାର ମହାବିଦ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି।

ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଧେଶ ମୁତାବକ କେତେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକୁ ହବ ସେଣ୍ଟର ଭାବରେ ଘୋଷଣା କରାଯାଇଛି। ତନ୍ମଧ୍ୟରୁ ବାଣପୁର ସ୍ଥିତ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏକ ହବ ସେଣ୍ଟର ଭାବେ ଗ୍ରହଣ କରାଯାଇଛି। ଉକ୍ତ ହବ ସେଣ୍ଟର ଅଧିନରେ ଗୋଦାବରୀଶ ମହାବିଦ୍ୟାଳୟ ସମେତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗମ୍ଭାରୀମୁଣ୍ଡା, ନାଚୁଣୀ, କୁହୁଡି, ବାଲୁଗାଁ ଓ ଆଙ୍କୁଲାଚଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛନ୍ତି।

ଏଠାରେ ଉପରୋକ୍ତ ସମସ୍ତ ପରୀକ୍ଷା ପ୍ରଶ୍ନପତ୍ର ମହଜୁଦ ଥାଇ ଏଠାରୁ ପ୍ରଶ୍ନ ପତ୍ର ପଠାଯିବାର ବ୍ୟବସ୍ଥା କରାଯାଇଛି। ଏହା ଅଧୀନରେ ୧୫୮୧ ଜଣ କଳା, ୫୬୧ ଜଣ ବିଜ୍ଞାନ ୩୬ ଜଣ ବାଣିଜ୍ୟ ଓ ୩୨ଜମଣ ଧନ୍ଦାମୂଳକ ଶିକ୍ଷା ଷ୍ଟ୍ରିମରେ ପରୀକ୍ଷା ଦେଉଛନ୍ତି ବୋଲି ହବ୍ ପରିଚାଳକ ଅଧ୍ୟକ୍ଷ ବିନାୟକ ହୋତା ଓ ପରୀକ୍ଷା ପରିଚାଳକ ଲକ୍ଷ୍ମୀ ପ୍ରସାଦ ମିଶ୍ର ପ୍ରକାଶ କରିବା ସହିତ ଶାନ୍ତିଶୃଙ୍ଖଳା ସହକାରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିବାର କହିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଜାତୀୟ ବିଜ୍ଞାନ ଦିବସ ସ୍ଥାନୀୟ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଓ ମହାବିଦ୍ୟାଳୟର ବିଜ୍ଞାନ ସମାଜ ସହଯୋଗରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ପାଠଚକ୍ରରେ ଅଧକ୍ଷତା କରିଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ବିଜ୍ଞାନର ମହତ୍ୱ ଓ ବିଶେଷତ୍ୱ ଉପରେ ବିଶଦ ଆଲୋଚନା କରିଥିଲେ।

ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡକ୍ଟର ଶୂର ପ୍ରତାପ ନରେନ୍ଦ୍ର ସିଂବର୍ମା ବିଜ୍ଞାନ ଦିବସ ପାଳନର ଉପକାରିତା ଓ ଭବିଷ୍ୟତ ସମାଜରେ ବିଜ୍ଞାନର ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସତ୍ୱlଧିକାରୀ ସଞ୍ଜୟ କୁମାର ଦାସ (ନିଲୁ ଭାଇ ) ଶ୍ରୀଅରବିନ୍ଦ ଦର୍ଶନ ଓ ବିଜ୍ଞାନ ମଧ୍ୟରେ ଥିବା ସାମଞ୍ଜସ୍ୟ ସମ୍ପର୍କରେ ବୁଝାଇବା ସହିତ ବିଜ୍ଞାନ ଓ ଆଧ୍ୟାତ୍ମିକତାକୁ ଆଧର କରି ଭାରତ ପୁଣି ବିଶ୍ୱଗୁରୁ ହେବ ବୋଲି ସେ ଦୃଢ଼ ମତ ରଖିଥିଲେ।

ଏହି ସଭାକୁ ପରିଚାଳନା କରିଥିଲେ ଗଣିତ ବିଭାଗର ଅଧ୍ୟାପକ ସପିନ କୁମାର ପୃଷ୍ଟି ଏବଂ ବେଦପାଠ କରି ଧନ୍ୟବାଦ ଅର୍ପଣ କରିଥିଲେ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ସୁଜାତା ମିଶ୍ର।

ଏହି ଅବସରରେ ମହାବିଦ୍ୟାଳୟରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଆନୁକୂଲ୍ୟରେ ପୁଷ୍ପ ପଦର୍ଶନୀ ଓ ଥ୍ରୀ ଡି ପଦର୍ଶନୀ କରାଯାଇଥିଲା।

Categories
ଆଞ୍ଚଳିକ ସଂସ୍କୃତି

ବାଣପୁର ଐତିହାସିକ ପଞ୍ଚଦୋଳ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରୱାଲ

ବାଣପୁର: ଐତିହାସିକ ବାଣପୁର ପ୍ରସିଦ୍ଧ ପଞ୍ଚଦୋଳ ଯାତ୍ରା ନିମନ୍ତେ ଆଜି ଅପରାହ୍ନରେ ପଲଟନ ପଡିଆସ୍ଥିତ ଛାୟା ମଣ୍ଡପ ପରିସରରେ ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବାଣପୁର ଓ ବାଲୁଗାଁର ବିଭିନ୍ନ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ, ଜନପ୍ରତିନିଧି, ଲାଇନ ଡିପାର୍ଟମେଣ୍ଟ କର୍ମଚାରୀ, ପଞ୍ଚଦୋଳ କମିଟି ସଭ୍ୟ ଏବଂ ସାମ୍ବାଦିକମାନେ ଯୋଗଦେଇଥିଲେ।

ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ପଞ୍ଚଦୋଳ ମେଳଣ ପର୍ବ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା କିପରି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ତାହାକୁ ଗୁରୁତ୍ୱ ଦେଇଥିଲେ ତହସିଲଦାର।  ପଞ୍ଚଦୋଳ ପର୍ବ ପାଳନ ନିମନ୍ତେ ପ୍ରଶାସନ ପକ୍ଷରୁ ପଞ୍ଚଦୋଳ କମିଟିକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦିଆଯିବ ବୋଲି ତହସିଲଦାର ପ୍ରତିଶୃତି ଦେଇଥିଲେ।

ଉକ୍ତ ବୈଠକରେ ପଞ୍ଚଦୋଳ ଯାତ୍ରା ନିମନ୍ତେ ଜନସାଧାରଣଙ୍କ ଆବଶ୍ୟକ ଥିବା ବିଭିନ୍ନ ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଯାତ୍ରା ସମୟରେ ଆଇନ ଶୃଙ୍ଖଳା ରକ୍ଷା, ପରିଷ୍କାର ଓ ପରିଚ୍ଛନ୍ନତା ବଜାୟ ରଖିବା, ସ୍ୱାସ୍ଥ୍ୟସେବା ଯୋଗାଇବା, ବିଦ୍ୟୁତ ସେବା ଯୋଗାଇବା, ଜନସାଧାରଣଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା କରିବା ଆଦି ବିଭିନ୍ନ ବିନ୍ଦୁ ଉପରେ ଚର୍ଚ୍ଚା କରାଯାଇ ତାହାର ବିଧିବଦ୍ଧ ବ୍ୟବସ୍ଥା କରାଯିବ ବୋଲି ସର୍ବସହମତିରେ ପ୍ରକାଶ ପାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ପୈତୃକ ଘର ବାଣପୁର ସମେତ ୭ ଟି ସ୍ଥାନରେ ଭିଜିଲାନ୍ସର ଚଢାଉ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁରରେ ଭିଜିଲାନ୍ସ ଚଢ଼ାଉ। ଆଜି ସକାଳୁ ଭୁବନେଶ୍ୱର ଭିଜିଲାନ୍ସ ଟିମ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବଜାର ସାହିରେ ଚଢ଼ାଉ ଜାରି ରଖିଛନ୍ତି।

ଖବର ମୁତାବକ ବାଲେଶ୍ୱର ଡିଭିଜନ ୨ ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି। ଅଜୟଙ୍କ ମୂଳ ଘର ବାଣପୁର ହୋଇଥିବା ବେଳେ ଏକାକାଳୀନ ଭାବେ ସାତ ଗୋଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।

ଏହି ପରିପ୍ରେକ୍ଷୀରେ ତାଙ୍କ ପୈତୃକ ଘର ବାଣପୁର, ସମ୍ପର୍କୀୟଙ୍କ ଘର ବାଲୁଗାଁ, ଟାଙ୍ଗୀ, ବାଲେଶ୍ଵରର ସରକାରୀ ବାସଭବନ, ପୁରୀସ୍ଥିତ ଅନନ୍ୟା ପାମ ବିଚ୍ ଏବଂ ବାଲେଶ୍ଵର ତାଙ୍କ ଅଫିସରେ ସକାଳୁ ଚଢ଼ାଉ ଜାରି ରହିଛି। ବାଣପୁରରେ ଭିଜିଲାନ୍ସ ଇନ୍ସପେକ୍ଟର ଅଶୋକ କୁମାର ବେଉରାଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରହିଛି।

Categories
ଆଞ୍ଚଳିକ

ବାଣପୁର: ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ଆଜି ବ୍ଲକ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଏକ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଖବର ନେବାରେ ଜଣାଯାଇଛି ପୂର୍ବରୁ ଭତ୍ତା ପାଉଥିବା ହିତାଧିକାରୀ ମାନଙ୍କର ଭିନ୍ନକ୍ଷମ ସାର୍ଟିଫିକେଟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ମାର୍ଚ୍ଚ ମାସ ପରେ ଆଉ ପୁନର୍ବାର କାର୍ଯ୍ୟକ୍ଷମ ହେବନାହିଁ। ତେଣୁ ଗୋଟିଏ ମାସରେ ଦୁଇ ଦୁଇଥର ଶିବିର କରି ଯୁଦ୍ଧ କାଳୀନ ଭିତରେ ପୁରୁଣା ହିତାଧିକାରି ମାନଙ୍କୁ ପରୀକ୍ଷଣ କରାଯାଇ ସ୍ମାର୍ଟକାର୍ଡ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଗୋଷ୍ଠୀ ସାମାଜିକ ଅଧିକାରିଣୀ ଗିରିବାଳା ନାୟକ କହିଛନ୍ତି। କିନ୍ତୁ ଶିବିରକୁ ନୂତନ ଭାବେ ଚିହ୍ନଟ ହେବା ନିମିତ୍ତ ଭିନ୍ନକ୍ଷମମାନେ ଆସିଥିବାରୁ ଗହଳି ପରିଲକ୍ଷିତ ହୋଇଥିଲା।

ଡାକ୍ତରମାନେ କେବଳ ପୁରୁଣା ହିତାଧିକାରୀ ମାନଙ୍କୁ ପରୀକ୍ଷଣ ପାଇଁ ଛାଡିବାକୁ ପରାମର୍ଶ ଦେବାରୁ ଲୋକମାନଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ତେବେ ଉକ୍ତ ଶିବିର ମାଧ୍ୟମରେ ସ୍ମାର୍ଟକାର୍ଡ ହାସଲ କଲା ପରେ ଭିନ୍ନକ୍ଷମ ମାନଙ୍କର ସରକାରୀ ସୁବିଧା ଚାଲୁ ରହିବ ବୋଲି ସୁଶ୍ରୀ ନାୟକ ଜଣାଇଛନ୍ତି। ତେବେ ଭିନ୍ନକ୍ଷମ ମାନେ ଆଗକୁ କିପରି ସରକାରୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ତରଫରୁ ଦିଆଯାଉଥିବା ସୁବିଧା ସୁଯୋଗର ଲାଭ ପାଇପାରିବେ ଏବଂ ନିଜକୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିବେ ସେହି ଲକ୍ଷ ନେଇ ବାଣପୁର ବ୍ଲକ ପ୍ରଶାସନ କାର୍ଯ୍ୟକରିବ ବୋଲି ସୁଶ୍ରୀ ନାୟକ ଜଣାଇଛନ୍ତି।

ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ବିଡିଓ ବୁଲବୁଲ ବେହେରା ଉକ୍ତ ଶିବିରକୁ ମିଳିତ ଭାବେ ଉଦଘାଟିତ କରିଥିବା ବେଳେ ସମସ୍ତ ସରପଞ୍ଚ ମାନଙ୍କ ସହ ମିଶି ଶିବିରକୁ ଆସୁଥିବା ହିତାଧିକାରୀ ମାନଙ୍କୁ ସହଯୋଗ କରୁଥିବା ଦେଖାଯାଇଥିଲା। ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କ ପାଇଁ ଯଥା ଅସ୍ତିଶଲ୍ୟ, ମାନସିକ ଅନଗ୍ରସର, ଶ୍ରବଣ ବାଧିତ, ଦୃଷ୍ଟି ବାଧିତ ହିତାଧିକାରୀ ମାନଙ୍କ ନିମନ୍ତେ ଖୋର୍ଦ୍ଧା ଡ଼ିଏଚଏଚ ରୁ ଆସିଥିବା ଏକାଧିକ ଡାକ୍ତରମାନେ ଭିନ୍ନ ଭିନ୍ନ ପ୍ରକୋଷ୍ଠରେ ପରୀକ୍ଷଣ କରିଥିଲେ।

ସମୁଦାୟ ୨୩୫ ଜଣ ହିତାଧିକାରୀ ପଞ୍ଜିକୃତ କରିଥିବା ବେଳେ ୧୮୪ ଜଣ ହିତାଧିକାରୀଙ୍କର ୟୁଡିଆଇଡି କାର୍ଡ ପୁନଶ୍ଚ ଚାଲୁ ରହିଥିଲା। ୧୪୫ ଜଣ ହିତାଧିକାରୀଙ୍କର ଖୋର୍ଦ୍ଧାକୁ ପୁନଶ୍ଚ ପରୀକ୍ଷା ନିମନ୍ତେ ପ୍ରେରଣ କରାଯାଇଥିବା ବେଳେ 6ଜଣଙ୍କର ରଦ୍ଦ କରାଯାଇଥିଲା। ସମସ୍ତ ହିତାଧିକାରୀ ମାନଙ୍କ ପାଇଁ ବ୍ଲକ ପ୍ରଶାସନ ସୁବିଧାରେ ପରୀକ୍ଷା କରାଇବାର ବନ୍ଦୋବସ୍ତ କରାଇଥିଲେ। ଏ ସମସ୍ତ କାର୍ଯ୍ୟକୁ ବିଡ଼ିଓ ବୁଲବୁଲ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକରିଣୀ ଗିରିବଳା ନାୟକ ଓ ସଂଯୋଜକ ଅମୂଲ୍ୟ କୁମାର ସୁବୁଦ୍ଧି ତଦାରଖ କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ବାଣପୁର: ଐତିହାସିକ ପଞ୍ଚୁଦୋଳ ନିମନ୍ତେ ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରୱାଲ
ବାଣପୁର: ବୁଧବାର ଅପରାହ୍ନରେ ଚଳିତ ବର୍ଷ ହେବାକୁଥିବା ଐତିହାସିକ ପଞ୍ଚାଦୋଳ ନିମନ୍ତେ ପାଲଟନ ପଡିଆର ଛାୟା ମଣ୍ଡପ ଠାରେ ପଞ୍ଚୁଦୋଳ କମିଟି ସମ୍ପାଦକ ମାଧବ ବାରିକଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପସଭାପତି ଅମର କାଣ୍ଡିଙ୍କ ସଭାପତିତ୍ୱରେ ବୈଠକ ହୋଇଥିବା ବେଳେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ବାଣପୁର ଏନଏ ସି ଅଧକ୍ଷ ମିଟୁ ନାୟକ, ଭଗବତୀ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବଳାମୁକୁନ୍ଦ ଦାସ, ସଂଗ୍ରାମ କେଶରୀ ସାହୁ, କୋଷାଧ୍ୟକ୍ଷ ନବ ପ୍ରଧାନ ଓ ଜୟ କୃଷ୍ଣ ପ୍ରଧାନଙ୍କ ସହ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କୋସାଧ୍ୟକ୍ଷ ବିଗତ ବର୍ଷ ମାନଙ୍କର ଆୟବ୍ୟୟର ହିସାବ ପଠନ କରିଥିବା ବେଳେ ଚଳିତବର୍ଷ ଐତିହାସିକ ପଞ୍ଚଦୋଳକୁ ସରସ ସୁନ୍ଦର କରିବାକୁ ସର୍ବ ସମ୍ମତ ଭାବେ ପ୍ରସ୍ତାବ ଗୃହୀତ ହୋଇଥିଲା। ବିଗତ ଦୁଇ ବର୍ଷ ହେଲା କରୋନା କଟକଣା ଥିବାରୁ ସମସ୍ତ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରାଯାଇ କେବଳ ବିଧି ଅନୁଯାୟୀ ବିମାନ ପୂଜା କରାଯାଇଥିବା ବେଳେ ଭକ୍ତଙ୍କୁ ପଲଟନ ପଡିଆ ବାରଣ ଥିଲା। ଫଳରେ ହଜାର ହଜାର ଭକ୍ତ ଐତିହାସିକ ପଞ୍ଚଦୋଳ ଯାତ୍ରା ଦେଖିବାରୁ ବଞ୍ଚିତ ହୋଇଥିଲେ। ଏପରିକି ଆତସବାଜି ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ଥିଲା।

ତେବେ ଚଳିତ ବର୍ଷ ମାର୍ଚ୍ଚ ୧୨ ଓ ୧୩ ତାରିଖରେ ପଞ୍ଚୁଦୋଳ ଅନୁଷ୍ଠିତ ହେବାକୁ ଥିବାବେଳେ ଏହାକୁ ପୁନର୍ବାର ଧୁମଧାମରେ ପାଳନ କରାଯାଇ ଆଜିଠାରୁ ସମସ୍ତ ପ୍ରସ୍ତୁତି କରିବାକୁ ସଭା କମିଟିଙ୍କ ଉପରେ ନ୍ୟସ୍ତ କରିଥିଲା। ପଡିଆରେ ଅବସ୍ଥିତ ବିମାନ ପିଣ୍ଡି ସବୁ ଏନଏସି ପକ୍ଷରୁ ସୌନ୍ଦର୍ଯ୍ୟକରଣ ପାଇଁ ଏନଏସି ତରଫରୁ ୨୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଥିବାର ଅଧ୍ୟକ୍ଷ ମିଟୁ ନାୟକ ସଭାରେ ମତ ପ୍ରକାଶ କରିଥିଲେ।

ଉପସଭାପତି ଗୋପୀନାଥ ମହାରଣା ପଞ୍ଚୁଦୋଳ କମିଟି ମାଧ୍ୟମରେ ଯାହା ଉନ୍ନତିର ଆବଶ୍ୟକତା ଅଛି ତାହା ଯୁଦ୍ଧ କାଳୀନ ଭିତିରେ ସମ୍ପନ୍ନ କରାଯିବାକୁ ଦୃଢୋକ୍ତି ପ୍ରକାଶ କରିଥିଲେ। ଅନୁରୂପ ଭାବେ ବହୁ ଉଠା ଦୋକାନୀ ଗତ ଦୁଇ ବର୍ଷ ହେଲା ବାଣପୁର ପଞ୍ଚଦୋଳରେ ନିଜ ଦୋକାନ ପକାଇବା ପାଇଁ ଚାତକ ପରି ଚାହିଁ ରହିଥିବା ବେଳେ ଚଳିତ ବର୍ଷ ସେମାନଙ୍କୁ ମଧ୍ୟ ଅନୁମତି ମିଳିବ ବୋଲି କମିଟି ତରଫରୁ କୁହାଯାଇଛି।

ଆଗାମୀ ଦିନରେ କମିଟିର କର୍ମକର୍ତ୍ତା ମାନେ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରି ସମସ୍ତ ରୂପରେଖ ପ୍ରସ୍ତୁତ କରିବାକୁ ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

ତେବେ ଚଳିତ ବର୍ଷ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଉକ୍ତ କମିଟିର ସମ୍ମାନ ନିଶ୍ଚିତ ରଖିବା ସହ ଐତିହାସିକ ପଞ୍ଚଦୋଳକୁ ଧୁମଧାମରେ ପାଳନ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇଦେବ ବୋଲି କମିଟି ଓ ବାଣପୁରବାସୀ ଆଶା ରଖିଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଚଳିତ ବର୍ଷ ଧୂମଧାମରେ ପାଳିତ ହେବ ବାଣପୁରର ଐତିହାସିକ ପଞ୍ଚଦୋଳ!: ଆରମ୍ଭ ହେଲାଣି ପ୍ରସ୍ତୁତି

ସୀତାରାମ ଅଗ୍ରୱାଲ

ବାଣପୁର: ଚଳିତ ବର୍ଷ ଜମିବ ବାଣପୁର ଐତିହାସିକ ପଞ୍ଚଦୋଳ। ବିଗତ ଦୁଇ ବର୍ଷ ହେଲା କରୋନା କଟକଣା ଥିବାରୁ ସମସ୍ତ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରାଯାଇ କେବଳ ବିଧି ଅନୁଯାୟୀ ବିମାନ ପୂଜା କରାଯାଇଥିବା ବେଳେ ଭକ୍ତଙ୍କୁ ପଲଟନ ପଡିଆ ବାରଣ ଥିଲା। ଫଳରେ ହଜାର ହଜାର ଭକ୍ତ ଐତିହାସିକ ପଞ୍ଚଦୋଳ ଯାତ୍ରା ଦେଖିବାରୁ ବଞ୍ଚିତ ହୋଇଥିଲେ। ଏପରିକି ଆତସବାଜି ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ଥିଲା।

ତେବେ ଚଳିତ ବର୍ଷ ଏହାକୁ ପୁନର୍ବାର ଧୁମଧାମରେ ପାଳନ କରାଯିବ ବୋଲି ଜଣାପଡିଛି।  ଏଥି ନିମନ୍ତେ ଏବେଠାରୁ ପ୍ରସ୍ତୁତ ହେଉଛି ପଲଟନ ପଡିଆ। ଚଳିତ ମାର୍ଚ୍ଚ ୧୩ ତାରିଖରେ ପଞ୍ଚଦୋଳ ମେଳଣ ଅନୁଷ୍ଠିତ ହେବାକୁ ଥିବା ବେଳେ ୧୨ ତାରିଖ ବିଳମ୍ବିତ ରାତିରେ ସମସ୍ତ ବିମାନ ପଡିଆ ମଧ୍ୟକୁ ଓହ୍ଲାଇବେ। ଇତି ମଧ୍ୟରେ ବାଣପୁର ବ୍ଲକ ଓ ଏନଏସି ରେ ଦୁଇ ନୂତନ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ବେଳେ ଉଭୟ କିପରି ଚଳିତ ବର୍ଷ ପଞ୍ଚଦୋଳ ଧୁମଧାମରେ ପାଳିତ ହେବ ତାହାକୁ ଗୁରୁତ୍ୱ ଦେଉଛନ୍ତି।

ପଡିଆରେ ଅବସ୍ଥିତ ବିମାନ ପିଣ୍ଡି ସବୁ ଏନଏସି ପକ୍ଷରୁ ସୌନ୍ଦର୍ଯ୍ୟକରଣ ହେବ ବୋଲି ଜଣାପଡିଛି। ଅନୁରୂପ ଭାବେ ବହୁ ଉଠା ଦୋକାନୀ ଗତ ଦୁଇ ବର୍ଷ ହେଲା ବାଣପୁର ପଞ୍ଚଦୋଳରେ ନିଜ ଦୋକାନ ପକାଇବା ପାଇଁ ଚାତକ ପରି ଚାହିଁ ରହିଥିବା ବେଳେ ଚଳିତ ବର୍ଷ ସେମାନଙ୍କୁ ମଧ୍ୟ ଅନୁମତି ମିଳିବ ବୋଲି ଜଣାପଡିଛି।

ବିଗତ ଦୁଇ ବର୍ଷ ହେଲା ଜନସାଧାରଣଙ୍କୁ କୋଭିଡ ଦାଉରୁ ବଞ୍ଚାଇବା ପାଇଁ ପ୍ରଶାସନର ନିର୍ଦ୍ଦେଶକୁ ମୁଣ୍ଡପାତି ସହିନେଇ ଅନିଚ୍ଛାସତ୍ତ୍ୱେ ପଞ୍ଚଦୋଳ କମିଟି ବହୁ କଠୋର ପଦକ୍ଷେପ ହାତକୁ ନେଇଥିଲା, ଏପରିକି ଭକ୍ତଙ୍କୁ ପଡିଆ ମଧ୍ୟକୁ ନଆସିବା ପାଇଁ ବାରଣ କରିବାକୁ ବାଧ୍ୟ ହୋଇଥିବା ବେଳେ ଚଳିତ ବର୍ଷ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ଉକ୍ତ କମିଟିର ସମ୍ମାନ ନିଶ୍ଚିତ ରଖିବା ସହ ଐତିହାସିକ ପଞ୍ଚଦୋଳକୁ ଧୁମଧାମରେ ପାଳନ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇଦେବ ବୋଲି ବାଣପୁରବାସୀ ଆଶା ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଇଏନଏସ ଚିଲିକା ପକ୍ଷରୁ ବାର୍ଷିକ ସାମ୍ବାଦିକ ବନ୍ଧୁମିଳନ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଆଇଏନଏସ ଚିଲିକା ପକ୍ଷରୁ ଏକ ବାର୍ଷିକ ସାମ୍ବାଦିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ନାଭାଲ ଅଫିସର ଇନଚାର୍ଜ (ଓଡିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା, ଟାଙ୍ଗୀ, ବାଣପୁର, ବାଲୁଗାଁ ଏବଂ ବ୍ରହ୍ମପୁର ଅଞ୍ଚଳର ବହୁ ସାମ୍ବାଦିକ ଯୋଗ ଦେଇଥିଲେ। ଆଇଏନଏସ ଚିଲିକା ପକ୍ଷରୁ ସମସ୍ତ ସାମ୍ବାଦିକ ମାନଙ୍କୁ ଷ୍ଟେସନ ପରିସରରେ ଭବ୍ୟ ସ୍ୱାଗତ କରାଯିବା ସହ ପରବର୍ତ୍ତୀ ସମୟରେ ନାଭାଲ ଅଧିକାରୀଙ୍କ ସଙ୍ଗେ ସାମ୍ବାଦିକ ମାନେ ମା’ କାଳିଜାଇ ମନ୍ଦିର ଦର୍ଶନକୁ ଯାଇଥିଲେ। ଏହା ପରେ ଆଇଏନଏସ ଚିଲିକାର ଅଫିସର୍ସ ମେସରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ କରିଥିଲେ କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପ।

ଏହି ଅବସରରେ ଦୀର୍ଘ ଏକ ବର୍ଷ ମଧ୍ୟରେ ଆଇଏନଏସ ଚିଲିକା ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ତେବେ ଆଇଏନଏସ ଚିଲିକାର ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ରାଜ୍ୟ ତଥା ଦେଶର ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିବାରୁ ବନ୍ଧୁ ମିଳନରେ ଯୋଗଦେଇଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆଇଏନଏସ ଚିଲିକା ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ଏହା ସହିତ ସ୍ଥାନୀୟ ଗଣମାଧ୍ୟମର ଭୂୟାଁସୀ ପ୍ରଶଂସା କରିଥିଲେ କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପ। ଆଗକୁ ମଧ୍ୟ ଗଣମାଧ୍ୟମ ଓ ଆଇଏନଏସ ଚିଲିକାର ସମ୍ପର୍କ ଏହିପରି ଅତୁଟ ରହିବ ବୋଲି କହିଥିଲେ ଶ୍ରୀ ପ୍ରଦୀପ।

ପରିଶେଷରେ ସମସ୍ତ ସାମ୍ବାଦିକମାନେ କମାଣ୍ଡିଂ ଅଫିସରଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କମାଣ୍ଡର ପରିଚୟ କାଲରା ପରିଚାଳନା କରିଥିବା ବେଳେ କ୍ୟାପଟେନ ବାସୁଦେବନ, କ୍ୟାପଟେନ ସଞ୍ଜୟ ତ୍ରିପାଠୀ, ଡେପୁଟି ପି.ଆର.ଓ ବିନୋଦ ଚନ୍ଦ୍ର ମିଶ୍ର, ଲିଉଟନାଣ୍ଟ କମାଣ୍ଡର ଅକ୍ଷୟ ସାହୁ, ସବ ଲିଉଟନାଣ୍ଟ ଜୁହି ଆଦି ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବ୍ୟାଙ୍କରୁ ଟଙ୍କା ନେଇ ଫେରୁଥିବା ବେଳେ ନବେ ହଜାର ଝାମ୍ପିନେଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ପୂର୍ବାହ୍ନରେ ଜଣେ ବ୍ୟକ୍ତିଙ୍କ ଠାରୁ ଦୁଇଜଣ ଯୁବକ ନବେ ହଜାର ଟଙ୍କା ଝାମ୍ପି ନେଇ ଯାଇଥିବା ବାଣପୁର ଥାନାରେ ଅଭିଯୋଗ କରିଛନ୍ତି। ଖବରରୁ ପ୍ରକାଶ ବାଣପୁର ଥାନା ଅନ୍ତର୍ଗତ ଶଙ୍କର ଦଳାଇ ବୟସ ୪୬ ବର୍ଷ ବାଣପୁର ଷ୍ଟେଟ ବ୍ୟାଙ୍କ ଶାଖାରୁ ତାଙ୍କ ମା’ଙ୍କ ଆକାଉଣ୍ଟରୁ ନବେ ହାଜର ଟଙ୍କା ଉଠାଇ ସାଇକେଲରେ ଘରକୁ ଫେରୁଥିଲେ। ସେହି ସମୟରେ ଗାଲୁଆ ଛକ ନିକଟରେ ଦୁଇଜଣ ଯୁବକ ମଟର ସାଇକେଲରେ ପଛଆଡ଼ୁ ଆସି ପଛରେ ବସିଥିବା ଯୁବକ ଶଙ୍କରଙ୍କ ଠାରୁ ଟଙ୍କା ବ୍ୟାଗଟିକୁ ଝାମ୍ପି ନେଇଯାଇଥିଲେ।

ଥାନାରେ ଶଙ୍କର ଅଭିଯୋଗ କଲା ପରେ ପୋଲିସ ୭୨/୨୦୨୩ ରେ ମକଦମା ରୁଜୁ କରି ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ବାଣପୁର: ରଙ୍କନାଥଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ କଳସ ଶୋଭାଯାତ୍ରା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଆଜି ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। କମିଟିର ସଦସ୍ୟ ଏବଂ ସ୍ଥାନୀୟ ଶ୍ରଦ୍ଧାଳୁମାନେ ପୂର୍ବାହ୍ନରେ ବଜାର ସାହି ସ୍ଥିତ ରଙ୍କନାଥ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ କଳସ ନେଇ ବଜାର ପରିକ୍ରମା କରି ସ୍ଥାନୀୟ ଦକ୍ଷପ୍ରଜାପତି ମନ୍ଦିରଠାରେ ପହଞ୍ଚିଥିଲେ।

ମନ୍ଦିର ପୁଷ୍କରିଣୀରେ ପୂଜାର୍ଚ୍ଚନା କରି ସମସ୍ତ ଶ୍ରଦ୍ଧାଳୁମାନେ କଳସରେ ଜଳ ନେଇ ପୁନଶ୍ଚ ରଙ୍କନାଥ ମନ୍ଦିରରେ ପହଞ୍ଚିଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଜିଠାରୁ ତିନି ଦିନ ଧରି ପ୍ରତ୍ୟେହ ସଂଧ୍ୟାରେ ଶ୍ରୀହରି କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ।

ଉକ୍ତ ପ୍ରବଚନରେ ପ୍ରବକ୍ତା ଭାବେ ଯୋଗଦେବେ ଶ୍ରୀ ଆଶୀର୍ବାଦଜି ମହାରାଜ। ଅନୁରୂପ ଭାବେ ମହାଶିବରାତ୍ରି(ଶନିବାର ) ଦିନ ସଂଧ୍ୟାରେ ୧୦୮ ଥର ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ କମିଟି ପକ୍ଷରୁ ଆୟୋଜନ କରାଯାଇଅଛି।

ଉକ୍ତ କାର୍ଯ୍ୟକ୍ରମଟି ହରିପୁର ମଠ ମହନ୍ତ ରାମମୋହନ ଦାସଜି ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହେବ। ସେହିପରି ଭାବେ ମହାଶିବରାତ୍ରି ପରବର୍ତ୍ତୀ ଦିନ ଅର୍ଥାତ ରବିବାର ଦିନ ସକାଳୁ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କମିଟି ପକ୍ଷରୁ ଆୟୋଜନ କରାଯାଇଥିବା ଜଣାପଡିଛି।

ସୂଚନା ଥାଉକି ବାଣପୁର ବଜାର ସାହି ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଦୀର୍ଘ ୧୭ ବର୍ଷ ହେଲା ଏହି କାର୍ଯ୍ୟକ୍ରମ ଶୃଙ୍ଖଳାର ସହ କରିଆସୁଅଛି।

Categories
ଆଞ୍ଚଳିକ

କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ବାଣପୁର ପଞ୍ଚାୟତ ସମିତିର ଦ୍ଵିତୀୟ ସାଧାରଣ ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ସଭାଗୃହରେ ସମିତିର ଦ୍ଵିତୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଉପାଧ୍ୟକ୍ଷ ରୀନା ଦେଇ, ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ବିଡ଼ିଓ ବୁଲବୁଲ ବେହେରା, ଏବିଡ଼ିଓ ସୀମାଦ୍ରୀ ପାତ୍ର, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ମମତା ମଞ୍ଜରୀ ଚିନ୍ନାରାଙ୍କ ସମେତ ସତର ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଶିକ୍ଷା ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀ, ବିଦ୍ୟୁତ ବିଭାଗ, କୃଷି ବିଭାଗ ଏବଂ ଅନ୍ୟ ସମସ୍ତ ସରକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମିତିର ସମସ୍ତ ସଭ୍ୟ ଓ ସଭ୍ୟାମାନେ ବୈଠକରେ ଉପସ୍ଥିତ ରହି ସକାରାତ୍ମକ ଆଲୋଚନାରେ ଭାଗ ନେଇଥିବା ବେଳେ ବୈଠକ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଥିବାର ଖବର ହସ୍ତଗତ ହୋଇଛି। କୃଷି ବିଭାଗ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ସମିତି ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଫଳରେ ବିଭାଗର ସମସ୍ତ ତଥ୍ୟ ସମିତିର ସଭ୍ୟମାନଙ୍କୁ ଅବଗତ କରାଇବାକୁ ନେଇ ବ୍ଲକ କୃଷି ଅଧିକାରୀଙ୍କୁ ତାଗିଦ କରଯାଇଛି।

ଉନ୍ନୟନ ମୁଳକ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇ ତାହାକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ସର୍ବ ସହମତକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିବାର ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣି ଶ୍ରୀମତୀ ଚିନ୍ନାରା ସୂଚନା ଦେଇଛନ୍ତି। ତେବେ ରାଜନୈତିକ ପାଣିପାଗ ମୁତାବକ ବାଣପୁର ବ୍ଲକ ବେଶ ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ସମିତି ବୈଠକ ନିମନ୍ତେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଏବଂ ଆଇଆଇସି ଜୟପ୍ରକାଶ ପରିଡାଙ୍କ ଉପସ୍ଥିତିକ୍ରମେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ଅନୁରୂପ ଭାବେ ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା ମଧ୍ୟ ସମିତି ବୈଠକ ଚାଲୁଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିଥିଲେ।

Categories
ଆଞ୍ଚଳିକ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଚକ୍ଷୁ ପରୀକ୍ଷା ଏବଂ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ଓ ଗୋଦାବରୀଶ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଓ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହଯୋଗରେ ମହାବିଦ୍ୟାଳୟ ପରିସରରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା। ମୋଟ ୧୩୦ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ସମସ୍ତଙ୍କୁ ଔଷଧ ବଣ୍ଟନ କରାଯିବା ସଂଗେ ସଂଗେ ୬୦ ଜଣଙ୍କୁ ଚଷମା ଦିଆଯାଇଥିଲା। ସେଥିମଧ୍ୟରୁ ୨୫ ଜଣଙ୍କର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇ ୧୨ ଜଣଙ୍କୁ ଭୂବନେଶ୍ବର ରୟାଲ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ଅସ୍ତ୍ରୋପଚାର ନିମନ୍ତେ ପଠାଯାଇଅଛି। ପୁନଃଶ୍ଚ ଆସନ୍ତା କାଲି ଅବଶିଷ୍ଟ ୧୩ ଜଣଙ୍କୁ ପଠାଯିବ। ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅଜୟ କୁମାର ସିଂ ଓ ସହକାରୀ ଚକ୍ଷୁ ଚିକିତ୍ସା ସହାୟକ ତଥା କ୍ଳବର ପ୍ରାକ୍ତନ ସଭାପତି ବିଜୟ କୁମାର ବେହେରା ଚକ୍ଷୁ ପରୀକ୍ଷା କରିଥିଲେ।

ସେହିପରି ଖୋର୍ଦ୍ଧା ବ୍ଳଡ ବ୍ୟାଙ୍କ ଟିମଙ୍କ ଦ୍ବାରା ରକ୍ତ ସଂଗ୍ରହ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟମାନେ ରକ୍ତଦାନ କରିଥିଲେ। ମୋଟ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କ୍ଳବ ସଭାପତି ରବିନାରାୟଣ ପାଲ, ସଂପାଦକ ସୁନୀଲ କୁମାର ପାତ୍ରଙ୍କ ସମେତ ପ୍ରାକ୍ତନ ସଭାପତି ବିଜୟ କୁମାର ନନ୍ଦ, ଓମ ପ୍ରକାଶ ଅଗ୍ରୱାଲ, ସୁରେଶ କୁମାର ବେହେରା, ଧୀରେନ୍ଦ୍ରନାଥ ପାତ୍ର, ପଦ୍ମନାଭ ମାଝି, ରବିନାରାୟଣ ନାୟକ ଓ ଆସନ୍ତା ବର୍ଷର ସଭାପତି ପାଇଁ ମନୋନୀତ ସଦସ୍ୟ ନନ୍ଦକିଶୋର ମିଶ୍ର ଏବଂ ସଦସ୍ୟ ବିପ୍ଳବ କୁମାର ମୁଦୁଲି, ସୂର୍ଯ୍ୟନାରାୟଣ ସେନାପତି, ସଚ୍ଚିଦାନନ୍ଦ ସେଠୀ, ହିମାଂଶୁ କୁମାର ପାତ୍ର, ଶ୍ୟାମ ସୁନ୍ଦର ପୃଷ୍ଟି, ପ୍ରଭୁଦତ୍ତ ସୁବୁଦ୍ଧିଙ୍କ ସମେତ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା, ଉପାଧ୍ୟକ୍ଷ ଏସ ପି ଏନ ଏସ ବର୍ମା, ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମତା, ଲକ୍ଷ୍ମୀ ପ୍ରସାଦ ମିଶ୍ର, ସୂଜାତା ମିଶ୍ର, ସତ୍ୟାନନ୍ଦ ମହାରଣା ଓ ବୈରାଗି ଚରଣ ବଳ ପ୍ରମୂଖ ଶିବିରକୁ ପରିଚାଳନା କରିଥିଲେ।

Categories
ଅପରାଧ ଆଞ୍ଚଳିକ

ବାଣପୁର: କ୍ୟାବିନ ପୋଡ଼ି ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ କ୍ୟାବିନ ପୋଡ଼ି ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଖବର ମୁତାବକ ସୋମବାର ବଡ଼ି ଭୋରରେ ଅଭିଯୁକ୍ତ ଶୁଭେନ୍ଦୁ ମହାପାତ୍ର ଏବଂ ସଚ୍ଚି ମିଶ୍ର କୁମାରାଙ୍ଗ ଛକ ରୋଡ ସାଇଡରେ ଅବସ୍ଥିତ ଏକ କ୍ୟାବିନକୁ କୌଣସି କାରଣବଶତଃ ନିଆଁ ଲଗାଇଦେଇଥିଲେ।

ତେବେ ନିଆଁ ବ୍ୟାପିବା ଭୟରେ ପଡିଶା ମାଟି ଘରେ ବାସ କରୁଥିବା ଗୋବିନ୍ଦ ଚନ୍ଦ୍ର ପାତ୍ର ଏହାକୁ ବିରୋଧ କରିବା ସହ କ୍ୟାବିନ ମାଲିକ ଶିଶିର ମିଶ୍ରଙ୍କୁ ସୂଚନା ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତମାନେ ପୁନର୍ବାର ଅପରାହ୍ନରେ ଗୋବିନ୍ଦ ଏବଂ ତାଙ୍କ ପରିବାରବର୍ଗ ଙ୍କୁ ଆକ୍ରମଣ କରିଥିଲେ।

ଏ ନେଇ ବାଣପୁର ଥାନାରେ ଶିଶିରଙ୍କ ପତ୍ନୀ ସନ୍ଧ୍ୟାରାଣୀ ମିଶ୍ର ଏବଂ ଆହତ ଗୋବିନ୍ଦଙ୍କ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇ ଗୋଟି ଏତଲା ଦିଆଯାଇଥିବା ବେଳେ ପୋଲିସ କେସ ନମ୍ବର ୬୬/୨୩ ରେ ଏକ ମାମଲା ରୁଜୁ କରି ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଏଏସଆଇ ଲକ୍ଷ୍ମୀଧର ପଣ୍ଡା ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି।

Categories
ଆଞ୍ଚଳିକ

ବାଣପୁର: ପତିତପାବନ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉଦଯାପନୀ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ

ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧାଜିଲ୍ଲା ଗମ୍ଭାରୀମୁଣ୍ଡାରେ ଦୁଇଦିନ ଧରି ପତିତପାବନ ଉଚ୍ଚ ବିଦ୍ୟାଳୟର ଚାଲିଥିବା ହୀରକ ଜୟନ୍ତୀ ମହୋତ୍ସବ ଆଜି ସନ୍ଧ୍ୟାରେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲଙ୍କ ଅଭିଭାଷଣରେ ଉଦଯାପନ ହୋଇଯାଇଛି। ଆଜିର ଉଦଯାପନୀ ମହୋତ୍ସବରେ ପ୍ରାକ୍ତନ ଛାତ୍ର ତଥା ଆଲୁମିନ କମିଟିର ସଭାପତି ଡାକ୍ତର ସୁରେନ୍ଦ୍ର ନାଥ ଦାସଙ୍କ ସଭାତିତ୍ୱରେ ଆରମ୍ଭ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଛାତ୍ର ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦୁର୍ଗପ୍ରସାଦ ମହାରଣା ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଚଳା ଗୁରୁ ଯୋଗ ଦେଇଥିଲେ। ରାଜ୍ୟପାଳ ଓ ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ସଭା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଦୁର୍ଗା ପ୍ରସାଦ ମହାରଣା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।

ଉକ୍ତ ଶିକ୍ଷାନୁଷ୍ଠାନରୁ ଉତ୍କର୍ଷ ଲାଭକରି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନାରେ କାର୍ଯରତ ଶ୍ରୀଯୁକ୍ତ ରମେଶ ପ୍ରଧାନ ଏବଂ ସଂଗୀତ ଓ ଭାଷାରେ ପାରଙ୍ଗମ ଥିବା ପ୍ରଶାନ୍ତ କୁମାର ସ୍ୱାଇଁଙ୍କୁ ରାଜ୍ୟପାଳ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ।

ମୁଖ୍ୟ ବକ୍ତା ସୌମ୍ୟ ରଞ୍ଜନ ପଟ୍ଟନାୟକ ତିନୋଟି ବର୍ଗର ଯଥା ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଉପଦେଶ ଦେଇ ଶିକ୍ଷା ଆମକୁ ଏକ କୌଶଳ ଦିଏ ତେଣୁ ପ୍ରଶ୍ନ ପଚାରିବାର କୌଶଳ ଶିକ୍ଷାକରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇ ଆଗାମୀ ଶହେ ବର୍ଷ ପୂର୍ତ୍ତି ବେଳେ ତୁମେମାନେ ଏହାଠାରୁ ବଡ ମହୋତ୍ସବ ପାଳନ କରିବାକୁ ଆହ୍ୱାନ ଦେଇଥିଲେ।

ବାଣପୁର ମାଟିର ପୁଅ ଗୋଦାବରୀଶ ମିଶ୍ରଙ୍କର ଦରିତ୍ରତା ଥିବା ସତ୍ୱେ ସେ ଯଦି ସଫଳ ହୋଇପାରିଲେ ତେବେ ତୁମେ ମାନେ କାହିଁକି ସଫଳତା ଆଡକୁ ଗତି କରି ପାରିବ ନାହିଁ ବୋଲି ପ୍ରଶ୍ନ ପଚାରିଥିଲେ। ବହୁ ଅସୁବିଧା ସମୟରେ ମଧ୍ୟ ସେହିପରି ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଯେତେ ବଡ଼ ବଡ଼ ୟୁନିଭରସିଟି ଅଛି ସେମାନଙ୍କର ଅବଦାନ ଅବର୍ଣ୍ଣନୀୟ। ତେଣୁ ଆଜିର ଛାତ୍ରଛାତ୍ରୀ ଏହି ଦାଇତ୍ୱ ନିଭାଇବାକୁ କହିଥିଲେ। ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ପରାମର୍ଶ ଦେଇ ତୁମକୁ ଦରମା କମ ମିଳିଲା ବୋଲି ତୁମେ ପିଲା ମାନଙ୍କୁ ଉଚିତ ଶିକ୍ଷା ଦେବାକୁ ଆହ୍ୱାନ ଦେଇଥିଲେ।

ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜଗନ୍ନାଥ ହେଉଛନ୍ତି ଶୂନ୍ୟ। ତେଣୁ ଶୂନ୍ୟ ଠାରୁ ଯେ ଅଧିକ ହେବାକୁ ଚେଷ୍ଟା କରେ ସେ ଧୂଳିସାତ ହୋଇଯାଏ। ଜଗନ୍ନାଥ ହେଉଛନ୍ତି ସାରା ପୃଥିବୀର ସ୍ରଷ୍ଟା। ଜଗନ୍ନାଥଙ୍କୁ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ ରାଜ୍ୟପାଳ।  ସଠିକ ଉତ୍ତର ଦେଇଥିବା ସୌଭାଗ୍ୟ ଜେନାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ରାଜ୍ୟପାଳ। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ବିଧାୟକ ସମସ୍ତେ ଜଗନ୍ନାଥଙ୍କ ସନ୍ତାନ ଅଟନ୍ତି ବୋଲି ସଭାକୁ ଅଭିହିତ କରିଥିଲେ ରାଜ୍ୟପାଳ।

ରାଜ୍ୟପାଳଙ୍କ ଓଡ଼ିଆଙ୍କ ପ୍ରତି ଓ ଜଗନ୍ନାଥଙ୍କ ପ୍ରତି ଅହେତୁକ ଭଲପାଇବା ଅଭିଭାଷଣରେ ପ୍ରକାଶ କରିଥିବାରୁ ସ୍ତମ୍ବୀଭୁତ ହୋଇଯାଇଥିଲେ ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ। ପରିଶେଷରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ସମାପ୍ତ ହୋଇଥିଲା ହୀରକ ଜୟନ୍ତୀର ମହୋତ୍ସବ।

Categories
ଆଞ୍ଚଳିକ

ଗମ୍ଭାରୀମୁଣ୍ଡା ପତିତପାବନ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର:ଖୋର୍ଦ୍ଧାଜିଲ୍ଲା ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଥିବା ପତିତପାବନ ଉଚ୍ଚ ବିଦ୍ୟାଳୟ ଷାଠିଏ ବର୍ଷରେ ପଦାର୍ପଣ କରିଥିବାରୁ ରବିବାର ଠାରୁ ଦୁଇଦିନ ଧରି ବିଦ୍ୟାଳୟ ହୀରକ ଜୟନ୍ତୀ ମହୋତ୍ସବ ପାଳନ କରୁଛି। ଆଜିର ଉଦଘାଟନ ଉତ୍ସବରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ଵଭୂଷଣ ହରିଚନ୍ଦନ ଯୋଗ ଦେବାକୁ ଥିଲା। ହେଲେ ଶେଷ ମୁହୂର୍ତ୍ତରେ ତାଙ୍କର ଗସ୍ତ ବାତିଲ ହୋଇଯାଇଥିଲା।

ଆଜିର ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଉତ୍କଳ ସାହିତ୍ୟ ସମାଜର ସଭାପତି ତଥା କିଟ ୟୁନିଭର୍ସିଟିର ସାହିତ୍ୟ ବିଭାଗର ମୁଖ୍ୟ ଡ଼ଃ ବିଜୟା ନନ୍ଦ ସିଂ ଯୋଗ ଦେଇଥିବା ବେଳେ ସାମ୍ମାନ୍ୱିତ ଅତିଥିଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ପ୍ରଫେସର ଡା. ସନ୍ତୋଷ ତ୍ରିପାଠୀ, ଚିଲିକାର ପୂର୍ବତନ ବିଧାୟକ ଡ଼ଃ ବିଭୁତି ଭୂଷଣ ହରିଚନ୍ଦନ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଚଳା ଗୁରୁ ଯୋଗଦେଇଥିଲେ। ଆଲୁମିନ କମିଟି ସଭାପତି ଡ଼ଃ ସୁରେନ୍ଦ୍ର ନାଥ ଦାସ ମଞ୍ଚ ପରିଚାଳନା କରିଥିଲେ।

ଅତିଥିମାନଙ୍କ ଦ୍ୱାରା ପ୍ରତିଷ୍ଠାତା ପର୍ଶୁରାମ ହରିଚନ୍ଦନ ଓ ଭାଗିରଥି ମାଲୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜନ କରାଯାଇଥିବା ବିଜ୍ଞାନ ମେଳାକୁ ଅତିଥିମାନେ ବୁଲି ଦେଖିଥିଲେ। ପରେ ସଭାକାର୍ଯ୍ୟ ଆରମ୍ଭରେ ପ୍ରଧାନ ଶିକ୍ଷୟତ୍ରୀ ସ୍ୱାଗତ ଭାଷଣ ଦେଇଥିଲେ l ମୁଖ୍ୟ ଅତିଥି ଛାତ୍ର ଛାତ୍ରୀ ମାନଙ୍କର ବୌଦ୍ଧିକ ବିକାଶ ଦିଗରେ କାର୍ଯ୍ୟ କରିବାକୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଦ୍ୱାରା ପ୍ରକାଶିତ ବହୁ ପୁରାତନ ପତ୍ରିକା ଶତଘନୀକୁ ଅତିଥିମାନେ ଉନ୍ମୋଚନ କରିଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଞ୍ଚଳ ବାସୀ ବିମୋହିତ ହୋଇଥିଲେ।