Categories
ଆଞ୍ଚଳିକ

ରାଜ୍ୟ ମହିଳା ଓ ଶିଶୁ ବିକାଶ ସଚିବଙ୍କ ବାଣପୁର ଓ ଚିଲିକା ବ୍ଲକ ଗସ୍ତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୂର୍ବାହ୍ନରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ତଥା ଖୋର୍ଦ୍ଧା ଜିଲ୍ଲା ନୋଡାଲ ଅଧିକାରିଣୀ ଶୁଭା ଶର୍ମା (ଆଇଏଏସ) ବାଣପୁର ଓ ଚିଲିକା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ। ସଚିବଙ୍କ ସହ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ବାଣପୁର ବିଡ଼ିଓ ବୁଲବୁଲ ବେହେରା, ଚିଲିକା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ଚିଲିକା ସିଡ଼ିପିଓ ଅନୁସୂୟା ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ମତ୍ସ୍ୟ ବିଭାଗ ଉପ ନିର୍ଦ୍ଦେଶକ ଆଦି ଉପସ୍ଥିତ ଥିଲେ।

ସଚିବ ପ୍ରଥମେ ବାଣପୁର ଅନ୍ତର୍ଗତ ବ୍ଲକ ନାଚୁଣି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ ଏବଂ ଏହାପରେ ତୋରସିଂ ଗ୍ରାମ ପଞ୍ଚାୟତର ମହାରଥା ହାଚେରୀ (ମତ୍ସ୍ୟ ପାଳନ କେନ୍ଦ୍ର ) କୁ ଯାଇ କିପରି ମାଛ ଉତ୍ପାଦନ ହେଉଛି ଏବଂ ଏହାଦ୍ୱାରା କିପରି ମହିଳା ମାନେ ସ୍ୱାବଲମ୍ବି ହେଇପାରୁଛନ୍ତି ତାହା ତଦାରଖ କରିଥିଲେ।

ଏହାପରେ ଶ୍ରୀମତୀ ଶର୍ମା ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ୫ଟି ବିଦ୍ୟାଳୟକୁ ଯାଇଥିଲେ ଏବଂ ସେଠାରେ ଉପଲବ୍ଧ ଥିବା ବିଭିନ୍ନ ଆଧୁନିକ ବ୍ୟବସ୍ଥା ପରଖିବା ସହ ମଧ୍ୟାହ୍ନ ଭୋଜନର ମାନ ପରଖିଥିଲେ।

ପରିଶେଷରେ ନୂଆଗଡ଼ ସ୍ଥିତ ଏକ ବାୟୋଫ୍ଲକ ପରିଦର୍ଶନ କରି ଟାଙ୍ଗୀ ବ୍ଲକ ଅଭିମୁଖେ ଗସ୍ତ କରିଥିଲେ ଶ୍ରୀମତୀ ଶର୍ମା।

ସୂଚନା ଥାଉକି ବାଣପୁର ବ୍ଲକରେ ଦୀର୍ଘ ମାସ ହେଲା ସିଡ଼ିପିଓ ପଦବୀ ଖାଲି ପଡ଼ିଥିବା ହେତୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ମନ୍ଥର ଗତିରେ ହେଉଥିବାର ଅଭିଯୋଗ ହେଉଛି। ବିଡ଼ିଓ ଅସ୍ଥାୟୀ ସିଡ଼ିପିଓ ଦାଇତ୍ୱରେ ଥିବା ବେଳେ ମୂଳ ଦାଇତ୍ୱ କାର୍ଯ୍ୟାଭାର ବୃଦ୍ଧି ଲାଗି ବହୁ ଉନ୍ନୟନ ମୂଳକ କାର୍ଯ୍ୟ ବିଳମ୍ବରେ ହେଉଥିବାର ଅଭିଯୋଗ ହେଉଛି।

ଖୋର୍ଦ୍ଧା ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେଇ ଯଥାଶୀଘ୍ର ବାଣପୁର ବ୍ଲକରେ ନୂତନ ସିଡ଼ିପିଓଙ୍କୁ ନିଯୁକ୍ତି ଦିଅନ୍ତୁ ବୋଲି ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁରରେ ବିଜେପିର ବିଶାଳ କର୍ମୀ ସମ୍ମିଳନୀ: ଲଢେଇ ଜୋରଦାର ହେବ ବୋଲି କହିଲେ ପୃଥ୍ଵୀରାଜ

ସୀତାରାମ ଅଗ୍ରୱାଲ

ବାଣପୁର: ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଚିଲିକା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଦଳର ସେତେ ଚିନ୍ତା ବଢ଼ି ବଢ଼ି ଯାଉଛି। ବିରୋଧୀ ବିଜେପି ଗତଥର ପରାଜୟ ବରଣ କରିଥିବା ବେଳେ ଆଗାମୀ ନିର୍ବାଚନରେ କିପରି ବିଜୟର ସ୍ୱାଦ ଚାଖିବ, ସେଥିଲାଗି ସଂଗଠନ ଜାରି ରଖିଛି। ଗୋଟାଏ ପଟେ ଚିଲିକା ବିଜେଡିରେ ‘ଢୋଲ ଭିତରେ ମୂଷା’ ର ଅଭିଯୋଗ ହେଉଥିବା ବେଳେ ଏପଟେ ବିଜେପି ଏହାର ଫାଇଦା ନେବ ବୋଲି କୁହାଯାଉଛି।

ପଞ୍ଚାୟତ ନିର୍ବାଚନରେ ଦଳ ଉଭୟ ବାଣପୁର ଓ ଚିଲିକା ବ୍ଲକ ଦଖଲ କରିଥିବା ବେଳେ ସାଧାରଣ ନିର୍ବାଚନରେ ବିଜେପି ନେତା ପୃଥ୍ଵୀରାଜ ହରିଚନ୍ଦନ ଚିଲିକା ବିଧାୟକ ହେବା ନେଇ ଆଶା ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ବ୍ଲକ ମୋରାମୋରି ପଞ୍ଚାୟତ ବିଜେପିର ବିଶାଳ କର୍ମୀ ସମ୍ମିଳନୀ ସରପଞ୍ଚ ବସନ୍ତ ମାଳିଙ୍କ ସଭାପତିତ୍ୱରେ ଆମ୍ବଝର ଠାରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ଚିଲିକା ପୂର୍ବତନ ବିଧାୟକ ଡ଼ା ବିଭୁତି ଭୂଷଣ ହରିଚନ୍ଦନ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ, ପୁରୀ ଲୋକସଭା ବିଜେପି ପ୍ରଭାରୀ ଅମିୟ ଦାସ, ପୁରୀ ଲୋକସଭା ସଂଯୋଜକ ଶଙ୍କର ପରିଡ଼ା, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଆଦି ଯୋଗଦେଇଥିଲେ। ତେବେ ଉକ୍ତ କର୍ମୀ ସମ୍ମିଳନୀରେ ରେକର୍ଡ ସଂଖ୍ୟକ ପୁରୁଷ ଓ ମହିଳା କର୍ମୀମାନେ ଯୋଗଦେଇ ଶାସକ ବିଜେଡି ବିରୋଧରେ ରଣ ହୁଙ୍କାର ଦେଇଥିବା ବିଜେପି ନେତାମାନେ କହିଛନ୍ତି।

ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ କର୍ମୀମାନଙ୍କୁ ଏକମନ ଏକ ପ୍ରାଣ ହୋଇ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ ଜାରି ରଖିବା ନେଇ କହିଥିଲେ। ଭ୍ରଷ୍ଟାଚାରୀ ବିଜେଡି ସରକାରକୁ କିପରି ମୁଳୋତ୍ପାଟନ କରାଯିବ ସେ ନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ।

ଅନୁରୂପ ଭାବେ ଚିଲିକାର ଜନସାଧାରଣ ମାନେ ଯାହାକୁ ବହୁମୂଲ୍ୟ ଭୋଟ ଦେଇ ଗାଦିରେ ବସାଇଥିଲେ ତାଙ୍କ ଲାଗି ଆଜି ସାଧରଣ ନିରୀହ ଭୋଟର ହନ୍ତସନ୍ତ ହେଉଛନ୍ତି। ଚିଲିକାବାସୀ ୨୦୨୪ରେ ସେଇ ଭୁଲ ଆଉ ପୁନଶ୍ଚ କରିବେ ନାହିଁ ବୋଲି ମନସ୍ତ କରିସାରିଥିବା କହିଥିଲେ ହରିଚନ୍ଦନ। ଚିଲିକାରେ ବିଜେଡି ବିରୁଦ୍ଧରେ ଲଢେଇ ଆହୁରି ତୀବ୍ର ହେବ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

ସେହିପରି ଭାବେ ସରପଞ୍ଚ ବସନ୍ତ ମାଳି ଏଥିନିମନ୍ତେ ପଞ୍ଚାୟତ ବାସୀଙ୍କ ନିକଟରେ ନତମସ୍ତକ ହୋଇ ଉଭୟ ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ଏବଂ ସାଂସଦ ପ୍ରାର୍ଥୀ ଡ଼ା ସମ୍ବିତ ପାତ୍ରଙ୍କୁ ଜିତାଇବା ପାଇଁ ଅନୁରୋଧ କରିଥିଲେ।

ସେହିଭଳି ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ କର୍ମୀଙ୍କୁ ମନୋବଳ ଆହୁରି ଦୃଢ଼ କରିବା ଲାଗି ପରାମର୍ଶ ଦେଇଥିଲେ। ୨୦୧୯ ରେ ଛୋଟିଆ ଭୁଲ ଲାଗି ବିଜେପିର ଉଭୟ ଯୋଗ୍ୟ ପ୍ରାର୍ଥୀ ବିଧାନସଭା ଓ ସଂସଦ ଯାଇପାରିଲେନାହିଁ ବୋଲି କହିବା ସହ ଦୁଃଖ ପ୍ରକାଶ କରିଥିଲେ।  କିନ୍ତୁ ଚଳିତ ସାଧରଣ ନିର୍ବାଚନରେ ଚିଲିକା ହିଁ ପୁରୀ ଲୋକସଭା ଓ ଓଡ଼ିଶା ବିଧାନସଭାର ପ୍ରବେଶ ପଥ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଶ୍ରୀ ରଣସିଂହ।

ତେବେ ଚିଲିକା ବିଜେପିର ଭବିଷ୍ୟତ କ’ଣ ହେ,ବ ତାହା ଆଗାମୀ ସାଧାରଣ ନିର୍ବାଚନ ହିଁ ଜଣାପଡ଼ିବ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ବାଣପୁର ଓ ଖଲ୍ଲିକୋଟ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଚାଲିଚାଲି ଶ୍ରୀକ୍ଷେତ୍ର ଯାତ୍ରା, ସଂସାରର ମଙ୍ଗଳକାମନା ଲକ୍ଷ୍ୟ

ସୀତାରାମ ଅଗ୍ରୱାଲ

ବାଣପୁର: ମହାପ୍ରଭୁ ଜଗନ୍ନାଥ ଖାଲି ଓଡ଼ିଶାର ଠାକୁର ନୁହନ୍ତି। ସେ ସାରା ପୃଥିବୀର ଠାକୁର। ତାଙ୍କର ଅପାର କରୁଣା ଲାଭ କରି ଭକ୍ତ ସମୁଦ୍ର ବି ଲଙ୍ଘିପାରେ। ଜଗନ୍ନାଥଙ୍କ ଭକ୍ତ ସଂସାରର ମଙ୍ଗଳ ପାଇଁ ସବୁକିଛି କରିପାରେ ତାହା ପ୍ରମାଣ କରି ଦେଖାଇଛନ୍ତି ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ବୟସ୍କ ମହିଳା ଓ ପୁରୁଷ।

ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳ ଓ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରୁ ଏକ ୫୦ ଜଣିଆ ଭକ୍ତ ରବିବାର ଅପରାହ୍ନରୁ ଶ୍ରୀକ୍ଷେତ୍ର ଧାମ ପୁରୀ ଅଭିମୁଖେ ଚାଲି ଚାଲି ବାହାରିଛନ୍ତି। ଭକ୍ତ ମାନଙ୍କ ମଧ୍ୟରେ ବହୁ ବୟସ୍କ ମହିଳା ଓ ପୁରୁଷ ସାମିଲ ହୋଇଥିବାର ଦେଖାଯାଇଥିଲା। ଏବଂ ସମସ୍ତ ଭକ୍ତ ଖାଲିପାଦରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବାହାରିଛନ୍ତି।

ଦୀର୍ଘ ୧୪୦କିଲୋମିଟର ରାସ୍ତା ଚାଲିଚାଲି ଯାଇ ଠାକୁରଙ୍କୁ ଦର୍ଶନ କରିବାର ଅଭିପ୍ରାୟ ପଚାରିବାରେ ଭକ୍ତମାନେ ନିଜର ଦୁଃଖ ଦୂର ହେବା ସହ ସଂସାରର ଦୁଃଖ ଦୂର କରିବା ପାଇଁ ଠାକୁରଙ୍କୁ ଗୁହାରୀ କରିବା ଉଦ୍ଧେଶ୍ୟରେ ଆମର ଏ ଯାତ୍ରା ବୋଲି କହିଥିଲେ। ତେଣୁ ରାଜ୍ୟ ଓ ଦେଶର ହିତ ପାଇଁ ଗତ ୫ବର୍ଷ ଧରି ଆମ ପ୍ରଭୁଙ୍କ ପାଖକୁ ମାନସିକ କରି ଖାଲିପାଦରେ ଚାଲି ଚାଲି ଯାଉ ବୋଲି ସମସ୍ତ ଭକ୍ତମାନେ ମତ ପ୍ରକାଶ କରିଥିଲେ।

ଆଜିଠାରୁ ପ୍ରାୟ ତିନିଦିନ ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ପ୍ରଭୁଙ୍କ ନିକଟରେ ପହଂଚିବାର ଲକ୍ଷ୍ୟ ରଖି ବାହାରିବା ପରେ ରାତ୍ରିଯାପନ ନିମନ୍ତେ କୌଣସି ମନ୍ଦିର ପ୍ରାଙ୍ଗଣରେ ବିଶ୍ରାମ ନେବାର ଲକ୍ଷ୍ୟ ରଖିଛନ୍ତି ଭକ୍ତମାନେ। ରୋଷେଇ ନିମନ୍ତେ ସାଥିରେ ଆଣିଥିବା ସମଗ୍ରୀରୁ କେବଳ ରାତ୍ରି କାଳରେ ଗୋଟିଏ ବ୍ୟକ୍ତ ଭୋଜନ କରି ପୁଣି ଶ୍ରୀକ୍ଷେତ୍ର ଅଭିମୁଖେ ବହାରିବୁ ବୋଲି ଭକ୍ତ ମାନେ ଆମ ପ୍ରତିନିଧିଙ୍କୁ ଜଣାଇଥିଲେ। କିଛି ଭକ୍ତ ସରକାରୀ ସାହାଯ୍ୟ ପାଇଁ ମଧ୍ୟ ନିବେଦନ କରୁଥିବା ଦେଖାଯାଇଥିଲା।

Categories
Hockey Worldcup23 ଆଜିର ଖବର ଖେଳ ରାଜ୍ୟ ଖବର

ବାଣପୁରରେ ହକି ବିଶ୍ଵକପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ଅଣଦେଖା: ରୁଦ୍ଧଦ୍ଵାରରେ ଚାଲିଛି ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତା ୧୧ତାରିଖରେ କଟକ ବାରବାଟୀ ଷ୍ଟାଡିଅମ ଠାରେ ମୁଖ୍ୟମନ୍ତ୍ରୀ ହକି ବିଶ୍ୱକପ ୨୦୨୩ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାକୁ ଥିବାବେଳେ ୧୩ ତାରିଖରୁ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିଅମରେ ଉକ୍ତ ବିଶ୍ୱକପ ଆରମ୍ଭ ହେବ। ଓଡ଼ିଶା ଉକ୍ତ ବିଶ୍ୱକପକୁ ଆୟୋଜିତ କରୁଥିବାରୁ ଏହାର ପ୍ରଚାର ପ୍ରସାରକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି।

ଏହି ପରିପ୍ରେକ୍ଷୀରେ ରାଜ୍ୟ କ୍ରୀଡା ବିଭାଗ ନିର୍ଦ୍ଦେଶକ୍ରମେ ପ୍ରତି ପଂଚାୟତରେ ଓ ପୌରାଞ୍ଚଳରେ ସରପଞ୍ଚ ଏବଂ କାଉନସିଲର ଓ ପୌରାଧ୍ୟକ୍ଷମାନଙ୍କ ମାଧ୍ୟମରେ ଜନସାଧାରଣ ଉକ୍ତ ଉଦ୍ଘାଟନୀ ଉତ୍ସବ କିପରି ଉପଭୋଗ କରିପାରିବେ ତାହାର ବ୍ୟବସ୍ଥା କରାଯିବ। ଏଲଇଡି ମାଧ୍ୟମରେ ସାଧାରଣ ଲୋକ ଯେପରି ଷ୍ଟାଡିଅମର ହକିଖେଳ ଦେଖିପାରିବେ ଏବଂ ହକି ଖେଳ ପ୍ରତି ଆଗ୍ରହ ପ୍ରକାଶ କରିବେ, ସେଥିନିମନ୍ତେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବା ପାଇଁ ସରକାର ଯୋଜନା କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଖୋଦ ଜିଲ୍ଲାପାଳ ଆସନ୍ତା ୮ ତାରିଖରେ ହକି ବିଶ୍ୱକପ ପାଇଁ ଏକ ମାରାଥନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତେଣୁ ହକି ବିଶ୍ୱକପର ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିମନ୍ତ୍ରିତ କରାଯାଇଥିବା ବେଳେ ସେପଟେ ବାଣପୁର ଓ ଚିଲିକା ବ୍ଲକରେ ଏହାର ବ୍ୟତିକ୍ରମ ଘଟିଛି। ସରକାରଙ୍କ ଉକ୍ତ ସଫଳ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବାରୁ ଗଣମାଧ୍ୟମକୁ ଦୁରେଇ ରଖାଯାଇଛି।

ସୂଚନା ମୁତାବକ ଇତି ମଧ୍ୟରେ ବାଣପୁର ବ୍ଲକ ଏବଂ ଏନଏସି ରେ ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ନେଇ ସ୍ଥାନୀୟ ପ୍ରଶାସନ ଦୁଇ ଦୁଇ ଥର ପ୍ରସ୍ତୁତି ବୈଠକ କରିସାରିଥିବା ବେଳେ ଗଣମାଧ୍ୟମକୁ ଏଥିରୁ ଦୁରେଇ ରଖିଛି। କୌଣସି ଗଣମାଧ୍ୟମକୁ ଉକ୍ତ ପ୍ରସ୍ତୁତି ବୈଠକ ସମ୍ପର୍କରେ ନା ମିଳିଛି ନିମନ୍ତ୍ରଣ ନା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ପ୍ରେସ ରିଲିଜ।

ତେବେ ଆଶ୍ଚର୍ଯ୍ୟର କଥା ଏତେ ବଡ଼ କାର୍ଯ୍ୟକ୍ରମ ଯାହାପାଇଁ ଆଜି ସାରା ବିଶ୍ୱରେ ଓଡ଼ିଶାର ଟେକ ବଢୁଛି ଏବଂ ରାଜ୍ୟ ସରକାର ଅହରହ ଏହାର ପ୍ରଚାର ଜାରି ରଖିଛନ୍ତି, କିନ୍ତୁ ସ୍ଥାନୀୟ ପ୍ରଶାସନର ଆନ୍ତରିକତା ଅଭାବରୁ ବାଣପୁର-ବାଲୁଗାଁ ଓ ଚିଲିକାରେ ଉକ୍ତ କାର୍ଯ୍ୟକ୍ରମ ଏଠାକାର ଜନସାଧାରଣଙ୍କ ଉପରେ କି ପ୍ରଭାବ ପକାଇବା ତାହା ସ୍ପଷ୍ଟ ବାରି ହେଉଛି।

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କରାଯାଉଥିବା ଏତେ ବଡ କାର୍ଯ୍ୟକ୍ରମ ପାଇଁ ଆଜି ସମଗ୍ର ଓଡିଶା ବିଶ୍ଵର ସବୁ ସ୍ଥାନରେ ଲୋକପ୍ରିୟ ହେଇପାରିଛି। ସେଥିପାଇଁ ରାଜ୍ୟର ନାଁକୁ ଆହୁରି ପ୍ରସାରିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଶକ୍ତି ଥିବା ସତ୍ତ୍ୱେ ବାଣପୁର ପ୍ରଶାସନ ପ୍ରସ୍ତୁତି ବୈଠକକୁ ରୁଦ୍ଧଦ୍ୱାରରେ କରିବା ଏବଂ ଗଣ ମାଧ୍ୟମକୁ ସୂଚନା ନ ଦେବା ଉକ୍ତ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଦିଗରେ ବାଧା ଉପୁଜୁଛି। ପ୍ରସ୍ତୁତି ବୈଠକରେ କ୍ରୀଡ଼ାବିତ, ସ୍ଵେଚ୍ଛାସେବୀ ସଂଗଠନ, ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମ ଆଦିଙ୍କୁ ସୂଚନା ନ ଦେବା ପ୍ରଶାସନର ଅଭିମୁଖ୍ୟ ପ୍ରତି ସନ୍ଦେହ ସୃଷ୍ଟି କରୁଛି।

ଖୋର୍ଦ୍ଧା ଜିଲ୍ଲାପାଳ ଏ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ସନ୍ଦେହଜନକ ଅବସ୍ଥାରେ ବ୍ୟକ୍ତିଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡପଦର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ମୃତକ ଜଣକ ବଡପଦର ଗ୍ରାମର କୈଳାଶ ନାୟକ (୬୦) ବୋଲି ଜଣାପଡିଛି।

ସୂଚନା ମୁତାବକ କୈଳାଶ ଆଜି ମଧ୍ୟାହ୍ନରେ ଘରୁ ବାହାରି ରୋଡକୁ ଯାଉଥିବା ବେଳେ ହଠାତ ତଳେ ପଡିଯାଇଥଲେ। ପରିବାରବର୍ଗ କୈଳାଶଙ୍କୁ ଟାଙ୍ଗୀ ମେଡିକାଲ ନେଇଥିଲେ ସୁଦ୍ଧା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୋଲିସକୁ ସୂଚନା ଦେଇଥିଲେ।

ସୂଚନା ପାଇ ବାଣପୁର ପୋଲିସ ଶବ ଜବତ କରି କେସ ନମ୍ବର ୧/୨୩ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ଏ ନେଇ ମୃତ କୈଳାଶଙ୍କ ପୁତ୍ର ଭାଗିରଥି ନାୟକ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।

Categories
ଅପରାଧ ଆଞ୍ଚଳିକ

ବାଣପୁର: ୫-ଟି ବିଦ୍ୟାଳୟରୁ କଳାକନା ବୁଲାଇଲେ ଦୁର୍ବୁତ୍ତ, ହଜାର ହଜାର ଟଙ୍କାର ଖେଳ ସାମଗ୍ରୀ ଲୁଟ୍

ସୀତାରାମ ଅଗ୍ରୱାଲ

ବାଣପୁର: ଶୀତକାଳୀନ ଛୁଟି ଚାଲିଥିବା ବେଳେ ୫-ଟି ବିଦ୍ୟାଳୟରୁ ଦୁର୍ବୁତ୍ତମାନେ କଳାକନା ବୁଲାଇଛନ୍ତି। ଦୁର୍ବୃତ୍ତମାନେ ହଜାର ହଜାର ଟଙ୍କାର ଖେଳ ସାମଗ୍ରୀ ଲୁଟି ନେଇଯାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ଘଟଣା ଘଟିଛି।

ନିକଟରେ ଉକ୍ତ ବିଦ୍ୟାଳୟ ୫-ଟି ରେ ସାମିଲ ହୋଇଥିବା ବେଳେ ଏହାର ଉନ୍ନତି ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ତେବେ ଗତ ସପ୍ତାହରେ ଏକ୍ସ ମାସ ଛୁଟି ଚାଲିଥିବା ବେଳେ ଆଜି ବିଦ୍ୟାଳୟ ଖୋଲିଥିଲା। ବିଦ୍ୟାଳୟ ଖୋଲିବା ମାତ୍ରେ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ ଯେ, କେହି ଦୁର୍ବୁତ୍ତ ବିଦ୍ୟାଳୟର କ୍ରୀଡା ସାମଗ୍ରୀ ରଖାଯାଇଥିବା ଘରର ଝରକା ଭାଙ୍ଗି ବହୁ କ୍ରୀଡା ସାମଗ୍ରୀ ଚୋରି କରି ନେଇଯାଇଛି।

ତେବେ ୫-ଟି ବିଦ୍ୟାଳୟରୁ ଚୋରି ହେବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ଏ ନେଇ ଆଜି ଅପରାହ୍ନରେ ବିଦ୍ୟାଳୟ ପକ୍ଷରୁ ବାଣପୁର ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି।

ସୂଚନା ଥାଉକି ପୂର୍ବରୁ ମଧ୍ୟ ଉକ୍ତ ବିଦ୍ୟାଳୟରୁ ସମାନ ଢଙ୍ଗରେ ଏକ ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା, ଯେତେବେଳେ ୫-ଟି ଉନ୍ନୟନ କାର୍ଯ୍ୟ ଜାରି ରହିଥିଲା।

ତେବେ ୫-ଟି ବିଦ୍ୟାଳୟରୁ ସିସିଟିଭି ଓ ଜଗୁଆଳି ଥାଇ ମଧ୍ୟ କିପରି ଚୋରି ହେଉଛି ଏବଂ କର୍ତ୍ତୃପକ୍ଷ ଜାଣିପାରୁନାହାନ୍ତି, ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାଇତ୍ୱହୀନତା ଲାଗି ସରକାରଙ୍କ ୫-ଟି ବିଦ୍ୟାଳୟରୁ ବାରମ୍ବାର ଚୋରି ହେଉଥିବାର ସାଧାରଣରେ ଅଭିଯୋଗ ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବନ୍ଦ ଘର ଭିତରୁ ଗଳିତ ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବନ୍ଧ ମୁଣ୍ଡାଇ ଗ୍ରାମରୁ ଗୁରୁବାର ପୂର୍ବାହ୍ନରେ ବନ୍ଦ ଘର ଭିତରୁ ଏକ ଗଳିତ ଶବ ବାଣପୁର ପୋଲିସ ଦ୍ୱାରା ଜବତ କରାଯାଇଛି। ଅଭିଯୋଗ ଅନୁଯାୟୀ ହର ସାହୁ ପିତା ସ୍ଵର୍ଗତ ନାଥ ସାହୁ ବୟସ ୬୫ ନାମକ ଜଣେ ବ୍ୟକ୍ତି ସରଳା ପଦରରୁ ଆସି ଉକ୍ତ ବନ୍ଧ ମୁଣ୍ଡାଇ ଗ୍ରାମରେ ବହୁ ବର୍ଷ ଧରି ଘର କରି ରହୁଥିଲେ। ପ୍ରଥମ ସ୍ତ୍ରୀ ମରିଯିବା ପରେ ସେ ଦ୍ୱିତୀୟ ବିବାହ କରିଥିବା ଜଣାଯାଏ। ଦ୍ୱିତୀୟ ବିବାହ ପରେ ପ୍ରଥମ ସ୍ତ୍ରୀଙ୍କର ପୁଅ ଝିଅଙ୍କ ସାଥିରେ ତାଙ୍କର କୌଣସି ସମ୍ପର୍କ ନଥିଲା। ହର ସାହୁଙ୍କ ଦ୍ୱିତୀୟ ସ୍ତ୍ରୀ ମଧ୍ୟ ତାଙ୍କୁ ଛାଡି କେଉଁଠାରେ ଅଛନ୍ତି ପାଖ ପଡିଶା କିମ୍ବା ଅନ୍ୟ କୌଣସି ଲୋକ ଜାଣିନଥିବା କହିଛନ୍ତି।

ଆଜି ଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରୁ ଖବର ପାଇ ହରସାହୁଙ୍କ ଝିଅ ମାନିନୀ ପ୍ରଧାନ ଥାନାର ଦ୍ୱାରସ୍ତ ହୋଇଥିଲେ। ଏହାପରେ ପୋଲିସ ଆସି ଘର ଖୋଲିଥିଲା। ଏବଂ ଘର ଭିତରେ ତାଙ୍କର ମୃତ ଶରୀର ଦୀର୍ଘ ଦିନ ଧରି ପଡିରହିଥିବା ଦେଖିବାକୁ ମିଳିଥିଲା। ଯାହାକି ସମ୍ପୂର୍ଣ୍ଣ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଯାହା ପ୍ରାୟ ଏକମାସରୁ ଉର୍ଦ୍ଧ୍ୱ ସମୟରୁ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି।

ପ୍ରକାଶ ଥାଉକି ଗ୍ରାମର କିଛି ମହିଳାଙ୍କ କହିବା ଅନୁଯାୟୀ ମୃତକ ହର ସାହୁ ବନ୍ଧମୁଣ୍ଡାଇ ଗ୍ରାମରେ ରହି ମିସ୍ତ୍ରୀ କାମ କରି ଚଳୁଥିଲେ। ତାଙ୍କ ସାଥିରେ ଜଣେ ଯୁବକ ରହୁଥିବା ବେଳେ ଦୀର୍ଘ ଦିନ ହେଲା ଉକ୍ତ ଯୁବକ ସହ ହର ବ୍ୟବହାର କରୁଥିବା ଏକ ଲୁନା ଗାଡି ମଧ୍ୟ ଦେଖିବାକୁ ମିଳୁନଥିଲା।

ପୋଲିସ ଗଳିତ ଶବଟିକୁ ଜବତ କରି ତଦନ୍ତ ଚାଲୁ ରଖିଥିବା ଜଣାଯାଇଛି। ହେଲେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ରାଷ୍ଟ୍ରୀୟ ସଭାପତି ନଡ୍ଡାଙ୍କ ଦିନିକିଆ ଓଡିଶା ଗସ୍ତ, ରାଜ୍ୟ ସରକାରଙ୍କୁ ମାରିଲେ ତୀର

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ପାର୍ଟୀର ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ଅନ୍ତର୍ଗତ କନ୍ଧମାଳ ଲୋକସଭାର ତୁମୁଡିବନ୍ଧ ଓ ପୁରୀ ଲୋକସଭାର ବାଣପୁରଠାରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ।

ଜୟ ଜଗନ୍ନାଥ, ଜୟ ମାଁ ଭଗବତୀ, ଜୟ ମାଁ କାଳୀ ବୋଲି କହି ଜନସଭାକୁ ଶ୍ରୀ ନଡ୍ଡା ସମ୍ବୋଧନ କରିଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ବିଜେଡି ସରକାର କାହିଁକି ସୁରକ୍ଷିତ ରଖୁନାହାନ୍ତି ? ରତ୍ନଭଣ୍ଡାରର ଅସଲି ଚାବି କେଉଁଠି ଓ କେମିତି ହଜିଲା ? ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନକଲି ଚାବି ଧରି ବୁଲୁଛନ୍ତି । ନିଜେ ରାଜ୍ୟ ସରକାର ଅସଲି କି ନକଲି ଜଣା ପଡୁନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଜବାବ୍ ରଖିବା ଉଚିତ୍ ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

ଓଡିଶାରେ ଏକ ନୂତନ ଓଡିଆ ବିଶ୍ୱବିଦ୍ୟାଳୟ ଖୋଲିବାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମହୋଦୟ । ଘୋଷଣାକୁ ୪ ବର୍ଷ ପୁରଣ ହୋଇ ୫ ବର୍ଷ ଅତିକ୍ରମ କରିଥିଲେ ସୁଦ୍ଧା ଏହା ସମ୍ଭବ ହୋଇପାରିଲା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି କୁଆଡେ ଗଲା ? ଗୋଟିଏ ପଟେ ନବୀନ ପଟ୍ଟନାୟକ ନିଜ ପ୍ରତିଶୃତିକୁ ପୂରଣ କରିବାରେ ବିଫଳ ହୋଇଥିବାବେଳେ ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ଆଇଆଇଏମ, ଆଇଜର ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ଏମ୍ସ ମେଡିକାଲ ପ୍ରତିଷ୍ଠା କରାଇଛନ୍ତି ।

ନୟାଗଡସ୍ଥିତ ଚିନିକଳକୁ ପୁନଃ କାର୍ଯ୍ୟକ୍ରମ କରିବାର ଘୋଷଣା କରିଥିଲେ ସୁଦ୍ଧା ବର୍ତମାନ ମଧ୍ୟ ଏହା ସମ୍ଭବ ହୋଇପାରିଲା ନାହିଁ । ଏପରିକି ସେଠାକାର କର୍ମଚାରୀମାନଙ୍କୁ ଦରମା ଦିଆଗଲା ନାହିଁ କି ଆଖୁ ଚାଷୀଙ୍କୁ ତାଙ୍କ ବକେୟା ଟଙ୍କା ଦିଆଗଲା ନାହିଁ । ଓଡିଶା ସରକାରଙ୍କୁ କିଏ ପରିଚାଳିତ କରୁଛି, ତାହା ଜଣା ପଡୁନାହିଁ । ଏହା କିପରି ସରକାର ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ମତ ରଖି ଶ୍ରୀ ନଡ୍ଡା କହିଛନ୍ତି ଯେ, ଓଡିଶାରେ ରାଜନୀତିରେ ଅପରାଧୀକରଣ ଚରମ ସୀମାରେ ପହଂଚିଛି । ଓଡିଶାରେ ଆଜି ମହିଳା ଉତ୍ପୀଡନ ସମସ୍ତ ସୀମା ଅତିକ୍ରମ କରିଛି । ମହିଳା ବିରୋଧୀ ହିଂସା ଦ୍ୱିଗୁଣିତ ହୋଇଛି । ମହିଳା ଓ ଶିଶୁ ଅପହରଣ ଏବଂ ଚାଲାଣରେ ଓଡିଶା ଆଜି ସର୍ବାଗ୍ରେ ରହିଛି । ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଚାଲିଛି ।

ଓଡିଶା ପୋଲିସ ଉପରେ ଅପରାଧୀମାନଙ୍କ ପ୍ରଭାବ ଓ ଆକ୍ରମଣ ବୃଦ୍ଧି ପାଉଛି । ଓଡିଶା ପୋଲିସ ନିଜକୁ ସୁରକ୍ଷିତ ରଖିବାରେ ଅସମର୍ଥ ଥିବାବେଳେ ରାଜ୍ୟବାସୀ କେମିତି ସୁରକ୍ଷିତ ରହିବେ ? ଏମିତି ଅପାରଗ ରାଜ୍ୟ ସରକାରଙ୍କ ଶାସନ କ୍ଷମତାରେ ରହିବାର କୈାଣସି ଅଧିକାର ନାହିଁ । ରାଜ୍ୟର ସଠିକ୍ ବିକାଶ ପାଇଁ ଓଡିଶାରେ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାରକୁ ଲୋକସଭାଠାରୁ ଆରମ୍ଭ କରି ବିଧାନସଭାରେ ପଦ୍ମ ଫୁଲରେ ଚିହ୍ନରେ ମୋହର ମାରୀ ବିଜେପିକୁ ଶାସନ କ୍ଷମତା ପ୍ରଦାନ କରିବାକୁ ଶ୍ରୀ ନଡ୍ଡା ଆହ୍ୱାନ କରିଛନ୍ତି ।

ବିଜେଡି ସରକାରକୁ ଘେରିବାକୁ ଯାଇ ଶ୍ରୀ ନଡ୍ଡା କହିଛନ୍ତି ଯେ, ମୋଦି ସରକାର ଆୟୁଷ୍ମାନ ଭାରତ ଯୋଜନାରେ ୫୫ କୋଟି ଦେଶବାସୀଙ୍କୁ ମାଗଣା ସ୍ୱସ୍ଥ୍ୟ ସେବା ଯୋଗାଇ ଦେଉଥିବାବେଳେ, ଓଡିଶାବାସୀଙ୍କ ପାଇଁ ବାଧକ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଓଡିଶାର ଗରୀବ ଜନସାଧାରଣଙ୍କ କଣ ଦୋଷ ରହିଯାଇଛି ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି ।

ଓଡିଶାର ସାମଗ୍ରିକ ବିକାଶ ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ ଏବଂ ଏଥି ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ବିକାଶକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବାର କାର୍ଯ୍ୟ କରୁଛନ୍ତି ମୋଦି ସରକାର । ପକ୍କା ଘର, ଶୈାଚାଳୟ, ପାଇପ ଯୋଗେ ପାନୀୟ ଜଳ, ମାଗଣା ରୋଷେଇ ଗ୍ୟାସ ସଂଯୋଗୀକରଣ, କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ, ସଏଲ ହେଲ୍‌ଥ କାର୍ଡ, ପିଏମ ଫସଲ ବୀମା ଯୋଜନା, ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ୮୭ଟି ଏକଲବ୍ୟ ବିଦ୍ୟାଳୟର ସ୍ଥାପନା ଭଳି ଅନେକ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରାଇଛନ୍ତି । ରାଷ୍ଟ୍ରୀୟ ରାଜପଥ ଓ ରେଳପଥର ବିକାଶ ତ୍ୱରାନ୍ୱିତ ହୋଇଛି ।

ପୁରୀ, ଭୁବନେଶ୍ୱର ସମେତ ରାଜ୍ୟର ଅନେକ ରେଳ ଷ୍ଟେସନର ଉନ୍ନତିକରଣ ହୋଇଛି । ପୁରୀଠାରେ ନୂତନ ଜଗନ୍ନାଥ ଷ୍ଟାଡିୟମ ଏବଂ ଜଗନ୍ନାଥ ମେଡିକାଲ କଲେଜର ନିର୍ମାଣ କରାଯାଉଛି । ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟର ସ୍ଥାପନା କରାଯାଉଛି । ପ୍ରାୟ ୮୦୦୦ କୋଟି ବ୍ୟୟରେ କୋଷ୍ଟାଲ ରାଜପଥ ନିର୍ମାଣ ହେଉଛି । ଅନ୍ୟ ପଟେ ରାଜ୍ୟରେ ବିଜେଡି ସରକାର ଚଂଚକତା କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘରର ଆଖ୍ୟା ଦେଇଛନ୍ତି । ଏହା କେଉଁ ଭଳି ରାଜନୀତି ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି ।

ରୋଜଗାର ମେଳ ଜରିଆରେ ପ୍ରଧାନମନ୍ତ୍ରୀ ପ୍ରାୟ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି । ନୂତନ ଶିକ୍ଷା ନୀତି ଜରିଆରେ ଗରୀବ ଛାତ୍ରଛାତ୍ରୀମାନେ ନିଜ ନିଜ ମାତୃଭାଷାରେ ମେଡିକାଲ ଓ ଇଂଜିନିୟରିଂ ଶିକ୍ଷା ଲାଭ କରିପାରିବେ । ଦେଶରେ ପ୍ରାୟ ୭୦୦୦୦ ନୂତନ ଷ୍ଟାର୍ଟ ଅଫ୍ ଆରମ୍ଭ ହୋଇଥିବାବେଳେ ଏଥି ମଧ୍ୟରୁ ୧୦୦ରୁ ଉର୍ଦ୍ଧ୍ୱ କେବଳ ୟୁନିକର୍ଣ୍ଣ ରହିଛି । କେମିକାଲ ରପ୍ତାନୀରେ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଷ୍ଟିଲ ଉତ୍ପାଦନ ଏବଂ ମୋବାଇଲ ନିର୍ମାଣରେ ମଧ୍ୟ ଦ୍ୱିତୀୟ ସ୍ଥାନ ହାସଲ କରିବାରେ ସଫଳ ହୋଇଛି । ଅଟୋମୋବାଇଲ ଶିଳ୍ପ କ୍ଷେତ୍ରରେ ୪ର୍ଥ ଏବଂ ଫାର୍ମାସିଉଟିକାଲ୍ସ କ୍ଷେତ୍ରରେ ଉତ୍କୃଷ୍ଟ ସ୍ଥାନ ହାସଲ କରିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଠ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ସୁକେଶୀ ଓରାମ, ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ସ୍ୱାଗତ ଜଣାଇଥିଲେ ।

ଶ୍ରୀ ନଡ୍ଡା ସିଧା କନ୍ଧମାଳର ତୁମୁଡିବନ୍ଧ ଅଭିମୁଖେ ଗସ୍ତ କରି ସାଧାରଣ ସଭାରେ ଯୋଗ ଦେବା ସହିତ ଜଳେଶପଟ୍ଟା ଆଶ୍ରମରେ ନବନିର୍ମିତ କନ୍ୟାଶ୍ରମର ଉଦ୍‌ଘାଟନ କରିଥିଲେ । ଏହା ପରେ ପୁରୀ ଲୋକସଭାର ବାଣପୁରଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେବା ସହିତ ମାଁ ଭଗବତୀଙ୍କୁ ଦର୍ଶନ କରିଥିଲେ । ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀର ନାଚୁଣୀଠାରେ ଅନୁଷ୍ଠିତ କାର୍ଯ୍ୟକର୍ତା ବୈଠକରେ ଶ୍ରୀ ନଡ୍ଡା ଯୋଗ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ଆୟୁଷ୍ମାନ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଜେପି ନଡ୍ଡା

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଓଡିଶାଗସ୍ତରେ ଆସିଛନ୍ତି। ଜେପି ନଡ୍ଡାଙ୍କ ଏହି ଗସ୍ତରେ ପୁରୀ ସଂସଦୀୟ କ୍ଷେତ୍ର ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁରରେ ବିଶାଳ ଜନସମାବେଶରେ ଯୋଗ ଦେଇଛନ୍ତି।

ଏହି ଅବସରରେ ଶ୍ରୀ ନଡ୍ଡା ରାଜ୍ୟ ସରାକାରଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଶ୍ରୀ ନଡ୍ଡା ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଲୋକଙ୍କୁ ଘର ମିଳୁଥିବା ବେଳେ ରାଜ୍ୟ ସରକାର ତାହାର ନାମକୁ ବଦଳାଇ ବିଜୁ ପକ୍କା ଘର କରିଦେଉଛନ୍ତି।

ସେହିଭଳି କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଜେପି ନଡ୍ଡା ସମାଲୋଚନା କରିଛନ୍ତି। ରାଜ୍ୟରେ ଦାଦନ ଖଟିବାକୁ ଲକ୍ଷାଧିକ ଲୋକ ବାହାର ରାଜ୍ୟକୁ ଯାଉଥିବା ବେଳେ ସେଠାରେ ଯଦି କୌଣସି ଲୋକ ରୋଗାକ୍ରାନ୍ତ ହୋଇଯାଏ, ତେବେ ସେହି ଲୋକ କେମିତି ଚିକିତ୍ସିତ ହୋଇପାରିବ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଲାଗୁ ନକରିବାର କାରଣ କ’ଣ ବୋଲି ସେ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଓଡିଶାର ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଚାହୁଁଥିଲେ ସୁଦ୍ଧା ରାଜ୍ୟ ସରକାର ଏହି ଯୋଜନା ଲାଗୁ କରୁନାହାନ୍ତି। ରାଜ୍ୟ ସରକାର କାହିଁକି ୬୦ ଲକ୍ଷ ଲୋକଙ୍କୁ ଏଥିରୁ ବଞ୍ଚିତ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ରତ୍ନ ଭଣ୍ଡାରର ଚାବି ମିଳୁନଥିବାରୁ ଶ୍ରୀ ନଡ୍ଡା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କୁ କିଏ ଚଲାଉଛି ବୋଲି ଶ୍ରୀ ନଡ୍ଡା ପ୍ରଶ୍ନ କରିଛନ୍ତି। ତେଣୁ ଏହି ଅବସରରେ ସଭାରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ବିଜେପିକୁ ଭୋଟ ଦେଇ ସମ୍ବିତ ପାତ୍ରଙ୍କୁ ବିପୁଳ ସଂଖ୍ୟାରେ ଜିତାଇବା ପାଇଁ ନିବେଦନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ନଡ୍ଡା, ନବୀନଙ୍କ ଶହେ ବର୍ଷ ଜନସେବା ଘୋଷଣାକୁ କରିବେ ତ ମୁକାବିଲା?

ଭୁବନେଶ୍ବର: ଓଡିଶାରେ ସାଧାରଣ ଓ ବିଧାନସଭା ନିର୍ବାଚନ ହେବାକୁ ଆହୁରି ବର୍ଷେ ପାଖାପାଖି ବାକି ରହିଛି। ହେଲେ ଆଶ୍ଚର୍ଯ୍ୟର କଥା ବର୍ତ୍ତମାନ ଓଡିଶାରେ ନିର୍ବାଚନ ପ୍ରଚାର ମାହୋଲ ତିଆରି ହୋଇ ସାରିଲାଣି। ପୁରୀରେ ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ଶଙ୍ଖ ଫୁଙ୍କି ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଥିବା ବେଳେ। ଏବେ ନଡ୍ଡାଙ୍କ ଆଗମନରୁ ସ୍ପଷ୍ଟ ହୋଇଛି ଯେ, ସେ ମଧ୍ୟ ଓଡିଶାରେ ନିର୍ବାଚନ ବିଗୁଲ ବଜାଇବେ।

ନଡ୍ଡାଙ୍କ ଏହି ଆଗମନକୁ ନେଇ ରାଜ୍ୟ ବିଜେପି ବେଶ୍ ଚଳଚଞ୍ଚଳ ହୋଇ ଉଠିଛି। ସମସ୍ତେ ବେଶ ଉତ୍ସାହିତ ହୋଇପଡିଛନ୍ତି। ଭାବି ନେଇଛନ୍ତି ଯେ ଏଥର ବିଜେଡିକୁ ମାତ ମାରି ବିଜେପି ଓଡିଶା ଦଖଲ କରିବ। କିଏ କଣ ସ୍ବପ୍ନ ଦେଖିବ ତାହା ଭିନ୍ନ କଥା। ହେଲେ, ପୁରୀରେ ନବୀନ କହିଥିବା ଆଉ ଶହେ ବର୍ଷ ବିଜେଡି ଓଡିଶାରେ ଜନସେବା ବା ସିଧା କହିଲେ କ୍ଷମତାରେ ରହିବ, ତାହାକୁ ନେଇ ନଡ୍ଡା କଣ କହିବେ।

ନବୀନଙ୍କ ଏହି ଭବିଷ୍ୟବାଣୀ ଓଡିଶା ରାଜନୀତିକୁ ବେଶ ସରଗରମ କରିଦେଇଛି। ପୁରୀ ପ୍ରତିଷ୍ଠା ଦିବସରେ ସେ କହିଥିଲେ ଯେ ବର୍ତ୍ତମାନ ବିଜେଡିକୁ ୨୫ ବର୍ଷ ପୁରିଲା, ଏହାପରେ ବିଜେଡି ପୁଣି ୫୦ ବର୍ଷ ପାଳନ କରିବ। ଯଦି ଓଡିଶାର ମା’ମାନେ ଆର୍ଶିବାଦ କରିବେ ତେବେ ବିଜେଡି ଓଡିଶାରେ ଆହୁରି ୧୦୦ ବର୍ଷ ଜନସେବା କରିବ। ସିଧା ଭାଷାରେ କହିଲେ ଓଡିଶାରେ ବିଜେଡି ଆଉ ୧୦୦ ବର୍ଷ ଶାସନ କରିବ।

ଏପରି ଭବିଷ୍ୟବାଣୀ ନେଇ ବିଜେପି ଶିବିରରେ ମଧ୍ୟ ବେଶ ଚର୍ଚ୍ଚା ହେବାରେ ଲାଗିଛି। ସମସ୍ତେ ଆଶା କରିଛନ୍ତି ନଡ୍ଡା ନିଶ୍ଚିତ ନବୀନଙ୍କ ଏହି ୧୦୦ ବର୍ଷର ଶାସନ କରିବାର ଘୋଷଣାକୁ ନିଶ୍ଚିତ ପ୍ରତିକ୍ରିୟା ରଖିବେ। ନଡ୍ଡା ନ କହିଲେ ମଧ୍ୟ ତାଙ୍କ ପାଖେପାଖେ ଘୁରି ବୁଲୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହାର ଉତ୍ତର ଦେବେ ବୋଲି କର୍ମିମାନେ ଆଶା ବାନ୍ଧି ବସିଛନ୍ତି।

ନଡ୍ଡାଙ୍କ ଉତ୍ତର ଅପେକ୍ଷାରେ ଓଡିଶାବାସୀ ଥିବା ବେଳେ ସେ ପୁଣି ବହୁବାର ଓଡିଶା ଆସିବେ ବୋଲି ଦିଲ୍ଲୀ ସୁତ୍ରରୁ ଜଣାପଡିଛି। ମୁଖ୍ୟତଃ ତାଙ୍କର ଫୋକସରେ ବିଧାନସଭା ନୁହେଁ, ରହିଛି ଲୋକସଭା ଆସନ। ଯେଉଁ ଯେଉଁ ଲୋକସଭା ଆସନରେ ବିଜେପି ହାରିଛି ସେହି ନିର୍ବାଚନ ମଣ୍ଡଳୀରେ ନଡ୍ଡା ସମାବେଶ କରିବେ ବୋଲି ଜଣାପଡିଛି। ସେଥିପାଇଁ ପ୍ରଥମ ପର୍ଯ୍ୟାରେ ସେ କନ୍ଧମାଳ ଏବଂ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ରଖିଛନ୍ତି। ଏହାର ଦୁଇମାସ ପରେ ପୁଣି ଓଡିଶାରେ ବିଜେପି ହାରିଥିବା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ।

Categories
ଆଞ୍ଚଳିକ

ବାଣପୁର: ‘ଶାଳିଆ ପ୍ରେସ କ୍ଲବ’ର ବାର୍ଷିକ ଆଲୋଚନା ଚକ୍ର ଅନୁଷ୍ଠିତ

ବାଣପୁର: ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ବାଲୁଗାଁସ୍ଥିତ ‘ଶାଳିଆ ପ୍ରେସ କ୍ଲବ’ ର ବାର୍ଷିକ ଆଲୋଚନା ଚକ୍ର ଆଜି ବାଣପୁରସ୍ଥିତ ମା’ ବିରଜାଈ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅଜିତ କୁମାର ସାହୁଙ୍କ ସଭାପତିତ୍ୱରେ ସମ୍ପାଦକ ସୁଧୀର କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂଘ ଦ୍ୱାରା ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ବାଣପୁର, ବାଲୁଗାଁ ଓ ଚିଲିକା ଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥ ଏବଂ ଅଞ୍ଚଳର ଉନ୍ନତି ପାଇଁ ‘ଶାଳିଆ ପ୍ରେସ କ୍ଲବ’ ସର୍ବଦା ବଦ୍ଧପରିକର ବୋଲି ସଂଘ ସଭାପତି ଶ୍ରୀ ସାହୁ ମତ ରଖିଥିଲେ। ତତସହିତ ଅବହେଳିତ, ନିଷ୍ପେସିତ ଏବଂ ପ୍ରଶାସନିକ ଅବହେଳାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ କିପରି ନ୍ୟାୟ ପ୍ରଦାନ କରାଯାଇପାରିବ ସେ ଦିଗରେ ସଂଘ ଅହରହ ଚେଷ୍ଟିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା।

ପରିଶେଷରେ ଆଗାମୀ ବର୍ଷରେ କ୍ଲବ ପକ୍ଷରୁ ବାଣପୁର-ବାଲୁଗାଁରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା। ଅନୁଷ୍ଠିତ ସଭାକୁ ଉପସଭାପତି ସିତାରାମ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ସଂଘର ସମସ୍ତ କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୮ ରେ ବାଣପୁର ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା: ଚଳଚଞ୍ଚଳ ଚିଲିକା ବିଜେପି

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତା ୨୮ ତାରିଖ ଦିନ ଦିନିକିଆ ଓଡିଶା ଗସ୍ତରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା ଆସୁଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ନଡ୍ଡା କନ୍ଧମାଳ ଓ ପୁରୀ ଲୋକସଭା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଏହି ପ୍ରରିପ୍ରେକ୍ଷୀରେ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ବିଧାନସଭାର ବାଣପୁର ପଲଟନ ପଡିଆ ଠାରେ ତାଙ୍କର ଏକ କାର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି। ସେହି ଦିନ ବାଣପୁର ପଲଟନ ପଡିଆ ଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏ ନେଇ ଚିଲିକା ବିଜେପି ଚଳାଚଞ୍ଚଳ ହୋଇଉଠିଛି।

ଆଜି ମଧ୍ୟାହ୍ନରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା ପଲଟନ ପଡିଆ ବୁଲି ଦେଖିବା ସହ ସଭା ମଞ୍ଚ, ହେଲିପ୍ୟାଡ଼, ବ୍ୟାରିକେଡ଼ ଆଦି ବିଭିନ୍ନ ବ୍ୟବସ୍ଥା ପରଖିଥିଲେ।  ଏହାପରେ ଆଜି ଅପରାହ୍ନରେ ନାଚୁଣୀରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ନଡ୍ଡାଙ୍କ ଗସ୍ତକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଡିସେମ୍ବର ୨୮ ତାରିଖ ଅପରାହ୍ନରେ ଶ୍ରୀ ନଡ୍ଡା ପଲଟନ ପଡିଆ ପହଞ୍ଚିବାର କାର୍ଯ୍ୟକ୍ରମ ଥିବା ବେଳେ ସେଠାରେ ସେ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ପୁରୀ ଲୋକସଭାର ବିଶିଷ୍ଟ ବିଜେପି ନେତାମାନଙ୍କ ସହ ଭେଟି ସାଂଗଠନିକ ବିଷୟ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିବାର ଜଣାପଡିଛି। ଶ୍ରୀ ନଡ୍ଡାଙ୍କ ବାଣପୁର ଗସ୍ତ ବିଜେପି ଲୋକସଭା ପ୍ରବାସ ଯୋଜନାର ପ୍ରଥମ ଗସ୍ତ ବୋଲି ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁରରେ ଚାରଣ ପ୍ରବ୍ରଜ୍ୟା ୩୧ତମ ଲୋକ ସଂଗ୍ରହ କାର୍ଯ୍ୟକ୍ରମ ଉଦଘାଟିତ

ସୀତାରାମ ଅଗ୍ରୱାଲ

ବାଣପୁର: ଶ୍ରୀ ଜଗନ୍ନାଥ ଚେତନାର ବାହକ ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀ, ପୁରୀଙ୍କ ଆନୁକୂଲ୍ୟରେ ବାଣପୁରର ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପ୍ରାଙ୍ଗଣରେ ଆଜି ଚାରଣ ପ୍ରବ୍ରଜ୍ୟା -୨୦୨୨ ୩୧ତମ ଲୋକ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥଙ୍କ ଚାରଣ ଚେତନାର ବାର୍ତ୍ତା ପ୍ରତି ଜନପଦର ଦ୍ୱାରେ ଦ୍ୱାରେ ଖାଲିପାଦରେ ପ୍ରଚାର ପ୍ରସାର ପାଇଁ ପ୍ରଭୁଙ୍କ ସହ ପ୍ରବ୍ରଜ୍ୟା କରନ୍ତି। ଉକ୍ତ ପ୍ରବ୍ରଜ୍ୟା ୧୯୯୦ ମସିହା ଠାରୁ ଆରମ୍ଭ ହୋଇ ଆସୁଅଛି।

ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଡ଼ିସେମ୍ବର ୨୪ ତାରିଖରୁ ଜାନୁୟାରୀ ୧ତାରିଖ ପର୍ଯ୍ୟନ୍ତ ନବଦିନ ବ୍ରତ ନିଷ୍ଠାର ସହକାରେ କରାଯିବ। ଆଜି ପ୍ରଥମ ଦିନରେ ପ୍ରାତଃ କାଳରେ ଶ୍ରୀ ବିଷ୍ଣୁ ସହସ୍ର ନାମ ଓ ହନୁମାନ ଚାଲିଶା, କଳସ ଯାତ୍ରା, ଜଳଯୋଗ ସହ ପୂର୍ବାହ୍ନ ରେ ଭାଗବତ ସଭା ଓ ଶ୍ରୀ ବିଷ୍ଣୁ ଗାୟତ୍ରୀ ଯଜ୍ଞର ଆୟୋଜନ କରାଯାଇଥିଲା। ଅପରାହ୍ନ ୩ଘଟିକା ସମୟରେ ବାଣପୁର ଭଗବତୀ ସାହି ଦାସରଥୀପୁର ,ତଳସାହି,ରଘୁନାଥ ସାହି ଓ ଦକ୍ଷ ପ୍ରଜାପତି ସାହିରେ ନଗର କୀର୍ତ୍ତନର ଆୟୋଜନ କରାଯାଇଥିଲା। ସନ୍ଧ୍ୟା ୭ଘଟିକା ସମୟରେ ଏକ ଭାଗବତ ସଭାର ଆୟୋଜନ କରାଯାଇଥିଲା।

ଉକ୍ତ ଭାଗବତ ସଭାକୁ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବେ ଶ୍ରୀ ରଙ୍କନାଥଙ୍କ ସ୍ଥାୟୀ ସଭାପତି ଓ ପ୍ରଥମ ସେବକ ରାଜକୁମାର ରାଜସାହେବ ସନ୍ତୋଷ ମୋହନଦେଵ ମାନସିଂ ହରିଚନ୍ଦନ ମର୍ଦ୍ଦରାଜ ଭ୍ରମରବର ରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସଂମାନିତ ଅତିଥି ଭାବେ ଏନ ଏ ସି ଅଧକ୍ଷ ମିଟୁ ନାୟକ, ଶ୍ରୀଗୁଣ୍ଡିଚା ପତ୍ରିକାର ମୁଖ୍ୟ ସମ୍ପାଦକ ମଦନ ମୋହନ ମହାପାତ୍ର ଯୋଗ ଦେଇଥିଲେ। ଉକ୍ତ ଭାଗବତ ସଭାକୁ ପ୍ରାଧ୍ୟାପକ ଡଃ ଗୋପାଳ ଚନ୍ଦ୍ର ରଥ ଉପ ଦଳପତି ଡଃ ଶରତ ଚନ୍ଦ୍ର ପାତ୍ର, ସାଧାରଣ ସମ୍ପାଦକ ହରିଶ୍ଚନ୍ଦ୍ର ସାହୁ ସୁଚାରୁ ରୁପେ ପରିଚାଳନା କରିଥିଲେ। ପରେ ଚାରଣ ପ୍ରବକ୍ତାଗଣଙ୍କ ଦ୍ୱାରା ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତେବେ ନବ ଦିନ ବ୍ୟାପି ସମସ୍ତ କାର୍ଯ୍ୟକ୍ରମକୁ ବାଣପୁରର ଅଗ୍ରଣୀ ଧର୍ମାନୁଷ୍ଠାନ ଶ୍ରୀ ଶ୍ରୀ ରଙ୍କନାଥ ଦେବ 108 ହନୁମାନ ଚାଳିଶା ଯଜ୍ଞ କମିଟି ପରିଚାଳନା କରୁଅଛି l

Categories
ଆଞ୍ଚଳିକ

ବାଣପୁରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଘୋଷ ଅଭ୍ୟାସବର୍ଗ ଉଦଯାପିତ

ସୀତାରାମ ଅଗ୍ରୱାଲ

ବାଣପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର, ଚିଲିକା, ରଣପୁର ଓ ଟାଙ୍ଗୀ ଖଣ୍ଡର ଦୁଇ ଦିନ ବ୍ୟାପି ଘୋଷ ଅଭ୍ୟାସବର୍ଗ ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ଶତାଧିକ ସ୍ୱୟଂସେବକଙ୍କ ଦ୍ୱାରା ଏକ ପଥ ସଂଚଳନ ସ୍ଥାନୀୟ ଶିଶୁମନ୍ଦିର ଠାରୁ ବାହାରି ପଲଟନ ପଡିଆଠାରେ ସମାପ୍ତ ହୋଇଥିଲା। ଏହାପରେ ପଲଟନ ପଡିଆର ଛାୟା ମଣ୍ଡପରେ ଏକ ଉଦବୋଧନୀ ସଭା ଅନୁଷ୍ଠିତ ହୋଇଥିଲା।

ବାଣପୁର ଖଣ୍ଡ ସଂଘଚାଳକ ସତ୍ୟନାରାୟଣ ଷଡ଼ଙ୍ଗୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ମହାଲେଖାଗାର ଅବସରପ୍ରାପ୍ତ ବରିଷ୍ଠ ନିରୀକ୍ଷକ ପ୍ରଶାନ୍ତ ମହାପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପୁରୀ ବିଭାଗ ପର୍ଯ୍ୟାବରଣ ସଂଯୋଜକ ନିରଞ୍ଜନ ସାହୁ ଯୋଗଦେଇଥିଲେ। ପଥ ସଂଚଳନ ସମୟରେ ବାଣପୁର ପୋଲିସ ଏବଂ ମେଡିକାଲ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ମିଳିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ଚାଷୀ ମୂଲିଆ ସଂଘର ବିରାଟ ଜନ ସମାବେଶ, ଲାଲ ପତାକା ଧରି ଚାଲିଲେ ୫କିଲୋମିଟର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ନୀଳାଦ୍ରି ପ୍ରସାଦ ଗ୍ରାମ ପଞ୍ଚାୟତ ପଡିଆ ଠାରେ ଆଜି ଅପରାହ୍ନରେ ଚାଷୀ ମୂଲିଆ ସଂଘ ତରଫରୁ ଏକ ବିରାଟ ଜନ ସମାବେଶର ଆୟୋଜନ କରାଯାଇଥିଲା। ମାଆ ବିରଜାଇ ଠକୁରାଣୀଙ୍କ ମନ୍ଦିର ଠାରୁ ଶହ ଶହ ଆଦିବାସୀ ପୁରୁଷ ଓ ମହିଳାଙ୍କର ଏକ ବିଶାଳ ଶୋଭାଯାତ୍ରା ବାହାରି ପ୍ରାୟ ୫ କିଲୋମିଟର ଆସି ସଭାସ୍ଥଳରେ ପହଞ୍ଚିଥିଲେ। ପଦଯାତ୍ରାରେ ଆଦିବାସୀମାନେ ଲାଲ ପତାକା ପ୍ରଦର୍ଶନ କରି ବିଭିନ୍ନ ପ୍ରକାର ଧ୍ଵନି ଦେଇ ପହଁଚିଲା ପରେ ସଭା ସ୍ଥଳରେ ପାରମ୍ପରିକ ନାଚ ଗୀତରେ କେନ୍ଦ୍ର ସରକାରଙ୍କୁ ତାତ୍ସଲ୍ୟ କରିଥିଲେ। ଉକ୍ତ ସମାବେଶରେ ମୁଖ୍ୟତଃ ଜଳ, ଜମି, ଜଙ୍ଗଲ ସୁରକ୍ଷା ଓ ଅଧିକାର ତଥା ବନବିଭାଗର କାଠ ମାଫିଆମାନଙ୍କ ସଲସୁତୁରାରେ ଜଙ୍ଗଲ ଲୁଟ କରି ନିରୀହ ଆଦିବାସୀ ମାନଙ୍କ ନାମରେ ମିଥ୍ୟା କାଠ ଚୋରି ଅପରାଧରେ ଗିରଫ କରିବାକୁ ବିରୋଧ କରାଯାଇଥିଲା।

ଉକ୍ତ ସମାବେଶକୁ ବାଣପୁର ବ୍ଲକର ଆବାହକ ରମେଶ ଶବର, ଦେବରାଜ ଶବର, ସୁରେନ୍ଦ୍ର ଶବର ତଥା ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଡଭୋକେଟ ଅବନୀ ଗୟା, ରାଜ୍ୟ ସଭାପତି ଗଗନ ମଲ୍ଲିକ ଓ ରାଜ୍ୟ କମିଟି ସଭ୍ୟ ନିରାକାର ନାୟକ, ମୋହନ ନାଇଡୁ, ବାସୁଦେବ ଦାସଙ୍କ ଉପସ୍ଥିତିରେ ଆଦିବାସୀ ମାନେ ସେମାନଙ୍କ ଅଧିକାର ପାଇବା ପାଇଁ ଦାବି କରିଥିଲେ।

ଉପସ୍ଥିତ ରାଜ୍ୟ ଓ ଜିଲ୍ଲା ସ୍ଥରୀୟ କର୍ମକର୍ତ୍ତା ନିଜ ଅଭିଭାଷଣରେ ବ୍ରିଟିଶ ଶାସନ ସମୟରେ ଯେଉଁଭଳି ଭାବେ ଆଦିବାସୀ ମାନେ ନିର୍ଯ୍ୟାତିତ ହେଉଥିଲେ ଆଜି ମଧ୍ୟ ସେହିଭଳି ଭାବରେ ନିର୍ଯ୍ୟାତିତ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ଵାରା ୨୦୦୬ ମସିହାରେ ଜଙ୍ଗଲ ସୁରକ୍ଷା ଆଇନ ଲାଗୁ ହେଲାପରେ ମଧ୍ୟ ଆଜିକା ଦିନରେ ସେମାନଙ୍କର ଅଧିକାର ପାଇ ପାରୁନାହାନ୍ତି।

ସରକାର ଚଂଚକତା କରି ମୁଷ୍ଟିମେୟ ଆଦିବାସୀଙ୍କୁ ହାତବାରିସୀ କରିଥିବା ବେଳେ ମୂଳ ଆଦିବାସୀ ମାନେ ସେଥିରୁ ବଞ୍ଚିତ ହେଇଛନ୍ତି। ଆଦିବାସୀ ମାନେ ବିଭିନ୍ନ ନାଚ ଗୀତ ମାଧ୍ୟମରେ କେନ୍ଦ୍ର ସରକାର ଏହାର ତୁରନ୍ତ ପଦକ୍ଷେପ ନେବାକୁ ଦର୍ଶାଇଛନ୍ତି। ସରକାର ପୁଞ୍ଜିପତି ମାନଙ୍କୁ ଜମି ବିକ୍ରୀ କରି ନିଜର ରାଜକୋଷ ବଢ଼ାଉଥିବାର ଅଭିଯୋଗ କରି କେନ୍ଦ୍ର ସରକାରଙ୍କୁ ସତର୍କ କରାଇଛନ୍ତି କି ଯଦି ଆଦିବାସୀ ମାନଙ୍କ ନାର୍ଯ୍ଯ ଅଧିକାର ଓ ଦାବି ପୂରଣ ନହୁଏ ଆଗାମୀ ଦିନରେ ଆଦିବାସୀ ମାନେ ଲାଲ ପତାକା ଧରି ରାଜରାସ୍ତାକୁ ଓହ୍ଲାଇବା ସହ ରାସ୍ତାରୋକ ଓ ସମସ୍ତ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚାଷୀ ମୂଲିଆ ସଂଘର କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁର: ଆଜି ପୁଣି ଦେଶୀ ମଦ ଜବତ କଲା ଅବକାରୀ ବିଭାଗ, ସ୍କୁଟି ଜବତ, ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ମଦ କାରବାର ବଢ଼ିବାରେ ଲାଗିଛି। ବାରମ୍ବାର ପୋଲିସ ଓ ଅବକାରୀ ଚଢ଼ାଉ କରିବା ସତ୍ତ୍ୱେ ମଦ ବେପାରି ନଛୋଡବନ୍ଧା। ଗତକାଲି ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରୁ ଅବକାରୀ ବିଭାଗ ଏକ ଦେଶୀ ମଦ ବୋଝେଇ ଅଟୋ ଜବତ କରିଥିବା ବେଳେ ଆଜି ପୁଣି ଉକ୍ତ ଅଞ୍ଚଳରୁ ଦେଶୀ ମଦ ଜବତ କରିଛି।

ଖବର ମୁତାବକ ଆଜି ସକାଳେ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା ପାଟ୍ରୋଲିଂ କରୁଥିବା ବେଳେ ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରୁ ଏକ ସ୍କୁଟି ଜବତ କରିବା ସହ ତନ୍ମଧ୍ୟରୁ ୯୦ ଲିଟର ଦେଶୀ ମଦ ଜବତ କରିଛନ୍ତି। ସ୍କୁଟି ଚାଳକ ସୁମନ୍ତ ବରାଳ (୩୪) ଗିରଫ ହୋଇଥିବା ବେଳେ ତାଙ୍କ ବିରୁଦ୍ଧରେ ଅବକାରୀ ବିଭାଗ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

Categories
ଆଞ୍ଚଳିକ

ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି ୯ ଘଣ୍ଟା ପାଇଁ ବନ୍ଦ ରହିବ ବିଦ୍ୟୁତ ସରବରାହ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ନଅ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ୧୩୨/୩୩ ନାଭାଲ ଗ୍ରୀଡ଼ର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୮ ଘଟିକାରୁ ଅପରାହ୍ନ ୫ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ଶ୍ରୀ ଦଳେଇ ନିବେଦନ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଚିଲିକା ବ୍ଲକ୍‌ର ସୋରଣ, ଜରିପଡ଼ା ଏବଂ କଳକଳେଶ୍ଵର ପଞ୍ଚାୟତକୁ ‌ ବାଦ୍‌ ଦେଇ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି।

Categories
ଆଞ୍ଚଳିକ

ବାଣପୁର: ଦେଢଶୁରର କଟୁରୀ ଚୋଟରେ ଭାଇବୋହୁ ଗୁରୁତର, ବ୍ରହ୍ମପୁର ସ୍ଥାନାନ୍ତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗ୍ରାମରେ ଭାଇବୋହୁଙ୍କୁ ଦେଢଶୁର କଟୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଭାଇବୋହୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ବାଣପୁର ଥାନାରେ ଅଭିଯୋଗ ମୁତାବକ ବୁଧବାର ସକାଳେ ଉକ୍ତ ଗ୍ରାମର ଶ୍ରୀମତୀ ସାମନ୍ତରାୟ ଓ ତାଙ୍କ ବଡ ଯାଆଙ୍କ ମଧ୍ୟରେ ପାରିବାରିକ ଗଣ୍ଡଗୋଳ ଲାଗିଥିଲା। ସେତେବେଳେ ଦେଢ଼ଶୁର ପ୍ରମୋଦ ସାମନ୍ତରାୟ ହଠାତ ଉତକ୍ଷିପ୍ତ ହୋଇ ଏକ କଟୁରୀରେ ଶ୍ରୀମତୀ ସାମନ୍ତରାୟଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ଶ୍ରୀମତୀଙ୍କର ମୁଣ୍ଡରୁ ରକ୍ତସ୍ରାବ ହେବାରୁ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ।

ଉକ୍ତ ଘଟଣାକୁ ନେଇ ଥାନାରେ ଶ୍ରୀମତୀ ଲିଖିତ ଏତଲା ଦେଲା ପରେ ପୋଲିସ ମାମଲା ରୁଜୁକରି ତଦନ୍ତ ଚାଲୁ ରଖିଛି।

Categories
ଆଞ୍ଚଳିକ ଖେଳ

ବାଣପୁର ସେଣ୍ଟ ଜାଭିଅର ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସେଣ୍ଟ ଜାଭିଅର ହାଇସ୍କୁଲ ପରିସରରେ ଦୁଇ ଦିବସୀୟ ତୃତୀୟ ରାତ୍ରିକାଳିନ ଜିଲ୍ଲାସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ସେଣ୍ଟ ଜାଭିଅର ହାଇସ୍କୁଲ ଏବଂ ଅଲେଖ ମହାନ୍ତି ମେମୋରିଆଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଦାବରୀଶ ମହାବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡା ପ୍ରଶିକ୍ଷକ ବୈରାଗୀ ଚରଣ ବଳ ଯୋଗଦେଇଥିଲେ।

ଉକ୍ତ ଟୁର୍ଣ୍ଣାମେଣ୍ଟରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୨ ଗୋଟି ଟିମ ଭାଗ ନେଇଛନ୍ତି।  ଆଜି ପ୍ରଥମ ଦିନରେ ଲିଗ ମ୍ୟାଚ ଜାରି ରହିଥିବା ବେଳେ ଆସନ୍ତାକାଲି ଏହା ଉଦଯାପିତ ହେବ। ଉକ୍ତ କାର୍ଯ୍ୟକ୍ରମକୁ ସେଣ୍ଟ ଜାଭିଅର ହାଇସ୍କୁଲ ନିର୍ଦ୍ଦେଶକ ଡ଼ା ଶକ୍ତି ପ୍ରସାଦ ମହାନ୍ତି ପରିଚାଳନା କରିଥିବା ବେଳେ ସ୍କୁଲ ଏକାଡେମୀକ ଇନଚାର୍ଜ ସତ୍ୟନାରାୟଣ ପ୍ରଧାନ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।

Categories
ଅପରାଧ ଆଞ୍ଚଳିକ

ବାଣପୁର: ରାତିରେ ଘରୁ କଳାକନା ବୁଲାଇଲେ ଦୁର୍ବୁତ୍ତ, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବିଂଝଳା ଗ୍ରାମରେ ଗତକଲି ରାତିରେ ଏକ ଚୋରି ହୋଇଥିବାର ଖବର ହସ୍ତଗତ ହୋଇଛି। ପୋଲିସ ସୂଚନା ମୁତାବକ ଉକ୍ତ ଗ୍ରାମର ସୁଶାନ୍ତ ସ୍ୱାଇଁ ଏବଂ ତାଙ୍କ ପତ୍ନୀ ସୌନ୍ଦର୍ଯ୍ୟା ଲକ୍ଷ୍ମୀ ସ୍ୱାଇଁ ଗତକାଲି କୌଣସି ବ୍ୟକ୍ତିଗତ କାର୍ଯ୍ୟରେ ଘର ତାଲା ପକାଇ କଟକ ଯାଇଥିବା ବେଳେ ଆଜି ସକାଳେ ଗ୍ରାମକୁ ଫେରିଥିଲେ।

ତେବେ ଘର ଖୋଲିବା ପାଇଁ ଉଦ୍ୟତ ହେଲା ବେଳକୁ ଘର ତାଲା ଭାଙ୍ଗିଥିବାର ଦେଖିବାକୁ ପାଇଥିଲେ ଦମ୍ପତି। ଭିତରକୁ ଯାଇ ଦେଖିଲା ବେଳକୁ ଦୁର୍ବୁତ୍ତ ମାନେ ଘରୁ ବହୁ ମୂଲ୍ୟବାନ ଜିନିଷ ଚୋରି କରିଦେଇଥିବାର ଦେଖିବାକୁ ପାଇଥିଲେ।

ଅଭିଯୋଗ ମୁତାବକ ସୁଶାନ୍ତଙ୍କ ଘରୁ କିଛି ସ୍ଵର୍ଣ୍ଣ ଅଳଙ୍କାର ଏବଂ ୫୦ ହଜାର ନକଦ ଟଙ୍କା ଲୁଟ ହୋଇଛି। ଏ ନେଇ ବାଣପୁର ଥାନାରେ ସୌନ୍ଦର୍ଯ୍ୟା ଅଭିଯୋଗ କଲାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛି।

Categories
ଅପରାଧ ଆଞ୍ଚଳିକ

ବାଣପୁର: ବିଷ ପିଇ ଆତ୍ମହତ୍ୟା କଲେ ବୃଦ୍ଧା, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବିଂଝଳା ଗ୍ରାମରେ ଜଣେ ବୃଦ୍ଧା ବିଷ ପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ପୋଲିସର ସୂଚନା ମୁତାବକ ଉକ୍ତ ଗ୍ରାମର ଗୋଲି ଭାରିମଲ୍ଲ (୭୦) ନାମ୍ନୀ ଜଣେ ବୃଦ୍ଧା ଆଜି ମଧ୍ୟାହ୍ନରେ କୌଣସି କାରଣ ବଶତଃ ଘରେ ବିଷ ପିଇ ଦେଇଥିଲେ। ପରିବାରବର୍ଗ ଏହ ଜାଣିଲା ପରେ ସଙ୍ଗେସଙ୍ଗେ ଗୋଲିଙ୍କୁ ଟାଙ୍ଗୀ ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ଗମ୍ଭାରୀମୁଣ୍ଡା ବିଟ ହାଉସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବାଣପୁର ଥାନାରେ କେସ ନମ୍ବର ୩୬/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛନ୍ତି।