Categories
ଅପରାଧ ଆଞ୍ଚଳିକ

ବାଣପୁର: ଦେଶୀ ମଦ ବୋଝେଇ ଅଟୋ ଜବତ, ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ବାଲୁଗାଁ ଅବକାରୀ ବିଭାଗ ବାଣପୁର ଥାନା ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରୁ ଏକ ଦେଶୀ ମଦ ବୋଝେଇ ଯାତ୍ରୀବାହି ଅଟୋ ଜବତ କରିବା ସହ ଅଟୋ ଚାଳକଙ୍କୁ ଗିରଫ କରିଛି। ଏ ନେଇ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେଣ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଆଜି ପୂର୍ବାହ୍ନରେ ବାଲୁଗାଁ ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ସାନସିରେଇପୁର ଫରେଷ୍ଟ ବିଟ ହାଉସ ନିକଟରେ ଏକ ଯାତ୍ରୀବାହି ଅଟୋଟି ଆସୁଥିବା ବେଳେ ସନ୍ଦେହ ହେବାରୁ ଅବକାରୀ ବିଭାଗ ଏହାର ତାଲାସି ନେଇଥିଲା। ତାଲାସି ବେଳେ ଅଟୋରୁ ୨୩୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଅଟୋ ଚାଳକ ରଞ୍ଜନ ସାହୁଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ବିରୋଧରେ ପିଆର ନମ୍ବର ୧୩୫/୨୨-୨୩ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ଦେଇଛନ୍ତି ଅବକାରୀ ଅଧିକାରୀ ଶ୍ରୀ ଦଣ୍ଡସେଣ।

Categories
ଆଞ୍ଚଳିକ

ବାଣପୁର ନଗର ମଣ୍ଡଳ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟ ସମିତି ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ତାର ସଂଗଠନକୁ ମଜଭୁତ କରିବାରେ ଲାଗିଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ବିଗତ କିଛି ଦିନ ହେଲା ବିଜେପି ଏହାର ସାଙ୍ଗଠନିକ ଭିତ୍ତିଭୂମିକୁ ସଜାଡ଼ିବାରେ ଲାଗିଛି ଏବଂ ନିଜକୁ ଶକ୍ତିଶାଳୀ କରିବାକୁ ପ୍ରୟାସ କରୁଛି।

ପୂର୍ବରୁ ବିଭିନ୍ନ ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଥିବାସ୍ଥଳେ ଆଜି ବାଣପୁର ନଗର ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟ ସମିତି ବୈଠକ ସ୍ଥାନୀୟ ଉତ୍ତରାୟଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଆଦି ଯୋଗଦେଇ ସଂଗଠନକୁ କିପରି ଆହୁରି ସୁଦୃଢ କରାଯିବ ସେ ନେଇ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ। ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶର ମନ୍ତ୍ରକୁ ଘରେ ଘରେ ପହଞ୍ଚାଇବା ପାଇଁ ରାଜ୍ୟ ବିଜେପି ସାଧରଣ ସମ୍ପାଦକ ଶ୍ରୀ ହରିଚନ୍ଦନ କର୍ମୀମାନଙ୍କୁ ପରାମର୍ଶ ଦେବା ସହ ଦୀର୍ଘ ବର୍ଷ ଧରି ଦୁର୍ନୀତିରେ ଜଡିତ ଥିବା ବିଜେଡି ସରକାରକୁ ଆଗାମୀ ସାଧରଣ ନିର୍ବାଚନରେ ଚିଲିକାବାସୀ ପ୍ରତ୍ୟାଖ୍ୟାନ କରି ବିଜେପିକୁ ଜିତାଇବେ ବୋଲି ମତ ରଖିଥିଲେ।

ମା’ ଭଗବତୀ ମନ୍ଦିର ଓ ବାଣପୁରର ଉନ୍ନତି ପାଇଁ ପ୍ରସ୍ତୁତ ବ୍ଲୁପ୍ରିଣ୍ଟକୁ ପ୍ରଶାସନ ଜନସଭା ମାଧ୍ୟମରେ କରିବା ପାଇଁ ଆହ୍ୱାନ ଦେଇଥିଲେ ଶ୍ରୀ ହରିଚନ୍ଦନ। ଯଦି ଏଥିରୁ ବିଚ୍ୟୁତି ହୁଏ ତେବେ ବିଜେପି ଆନ୍ଦୋଳନର ପନ୍ଥା ଗ୍ରହଣ କରିବାକୁ ପଚାଇବା ନାହିଁ ବୋଲି କହିଥିଲେ ଶ୍ରୀ ହରିଚନ୍ଦନ।

ସେହିପରି ଭାବେ ସଂଗଠନକୁ ସୁଦୃଢ କରିବା ପାଇଁ କର୍ମୀମାନଙ୍କୁ ୫ ଗୋଟି ମନ୍ତ୍ର ଦେଇଥିଲେ ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ପାତ୍ର। ଉକ୍ତ ସଭାରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ବାଣପୁର ବିଜେପି ନଗର ମଣ୍ଡଳ ସଭାପତି ଭଗବାନ ପ୍ରଧାନ, ପୁରୀ ଲୋକସଭା ବିଜେପି ପ୍ରଭାରୀ ଅମିୟ ଦାସ, ପୁରୀ ଲୋକସଭା ସଂଯୋଜକ ଶଙ୍କର ପରିଡ଼ା, ଚିଲିକା ବିଧାନସଭା ପ୍ରଭାରୀ ରତିକାନ୍ତ ପରିଡ଼ା, ଏନଏସିର ସମସ୍ତ ନିର୍ବାଚିତ ବିଜେପି କାଉନସିଲର ଏବଂ ଶତାଧିକ ପୁରୁଷ ଓ ମହିଳା କର୍ମୀମାନେ ଯୋଗଦେଇ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ବିପୁଳ ଭୋଟରେ ଜିତେଇବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ।

Categories
ଆଞ୍ଚଳିକ

ବାଣପୁର: ବିଲରେ ଧାନ ଚୁରାଉଥିବା ବେଳେ ମେସିନରେ ପସିଲା ଗୋଡ଼, ଯୁବକ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଖୁଣ୍ଟପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଲରେ ଧାନ ଚୁରାଉଥିବା ବେଳେ ମେସିନରେ ଗୋଡ଼ ଫସିଯିବାରୁ ଜଣେ  ଯୁବକ ଗୁରୁତର ଆହତ ହୋଇଛନ୍ତି।

ଖବର ମୁତାବକ ଆଜି ପୂର୍ବାହ୍ନରେ ଖୁଣ୍ଟପଲ୍ଲୀ ଗ୍ରାମର କୈଳାଶ ତରାଇଙ୍କ ପୁଅ ସଞ୍ଜୟ ତରାଇ ବିଲରେ ଧାନ ମେସିନ ସାହାଯ୍ୟରେ ଧାନ ଚୁରାଉଥିବା ବେଳେ ଅସାବଧାନତାବଶତଃ ତାଙ୍କ ଡାହାଣ ଗୋଡ଼ ମେସିନ ମଧ୍ୟକୁ ପଶିଯାଇଥିଲା। ସଞ୍ଜୟ ଚିତ୍କାର କରିବାରୁ ସ୍ଥାନୀୟ ଅଞ୍ଚଳବାସି ତାଙ୍କୁ ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସଞ୍ଜୟଙ୍କ ଅବସ୍ଥା ସଂକଟାପନ ଥିବାରୁ ତାଙ୍କୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବାର ଜଣାପଡିଛି।

Categories
ଆଞ୍ଚଳିକ ଖେଳ

ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ୩୦ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗ୍ରାମୀଣ ମହିଳା ମହାବିଦ୍ୟାଳୟ ଠାରେ ଆଜି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଛି। ଉକ୍ତ କ୍ରୀଡା ଉତ୍ସବକୁ ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଅଧ୍ୟକ୍ଷା ରଶ୍ମିତା ମହାନ୍ତି ଉତ୍ସବରେ ସଭାପତିତ୍ବ କରି ଏଠାରୁ ବହୁ ଛାତ୍ରୀ କ୍ରୀଡ଼ାରେ କୃତିତ୍ୱ ଅର୍ଜନ କରିଥିବା ଜଣାଇଥିଲେ।

କରୋନା ଲାଗି ଦୀର୍ଘ ଦୁଇବର୍ଷ ପ୍ରତିଯୋଗିତା ବନ୍ଦ ଥିବାରୁ ପିଲାମାନଙ୍କ ଅପେକ୍ଷା ଅଧ୍ୟାପକ ଓ ଅଧ୍ୟପିକା ମାନେ ଅଧିକ ଉତ୍ସାହିତ ଅଛନ୍ତି ବୋଲି ସଭାରେ ମତ ପ୍ରକାଶ କରିଥିଲେ। ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଯଥା ୧୦୦ ଓ ୨୦୦ମିଟର ଦୌଡ଼, ସର୍ଟପୁଟ ସହ ଡିସକସର ବିଭିନ୍ନ ବିଭାଗରେ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରୀ ଭାଗ ନେଇଥିଲେ। ସମସ୍ତ ପ୍ରତିଯୋଗୀ ନିଜ ନିଜର ସର୍ବୋତ୍ତମ ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ଚେଷ୍ଟା କରିଥିଲେ।

ତେବେ ଏହି ଖେଳାଳି ମାନଙ୍କ ମଧ୍ୟରୁ ଶ୍ରେଷ୍ଠ କୃତ୍ତିତ୍ଵ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ମାନପତ୍ର ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। କ୍ରୀଡା ସଂସଦ ଉପସଭାପତି ତଥା ଅଧ୍ୟାପକ ସର୍ବେଶ୍ୱର ଷଡ଼ଙ୍ଗୀ ସଭାମଞ୍ଚ ପରିଚାଳନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଶାନ୍ତ କୁମାର ଦାସ, ବାଣପୁର ବିଜ୍ଞାପିତ ଅଂଚଳ ପରିଷଦ ଉପାଧ୍ୟକ୍ଷା ପ୍ରାଚୀପ୍ରଭା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିବାବେଳେ କ୍ରୀଡା ଶିକ୍ଷକ ବିଭୁଧେନ୍ଦୁ ମାନସିଂହ କ୍ରୀଡ଼ା ପ୍ରତିଯୋଗିତା ପରିଚାଳନା କରିଥିଲେ। ଆସନ୍ତା କାଲି ମଧ୍ୟ ଛାତ୍ରୀ ମାନକର ପ୍ରତିଯୋଗିତା ଜାରି ରହିବ ବୋଲି ଅଧକ୍ଷା ଜଣାଇଛନ୍ତି।

Categories
ଆଞ୍ଚଳିକ

ବାଣପୁର ବିଜେପି ନଗର ମଣ୍ଡଳ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜେପି ନଗର ମଣ୍ଡଳ ପକ୍ଷରୁ ଆଜି ସଂନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶ୍ରୀ ଶ୍ରୀ ରଙ୍କନାଥ ଦେବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦ ତାରିଖରେ ବିଜେପି ବାଣପୁର ନଗର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ପରିପ୍ରେକ୍ଷୀରେ ଉକ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ। ଭାଜପା ଏକ ରାଜନୈତିକ ଦଳ ନୁହେଁ ବରଂ ଏହା ଏକ ବିଶାଳ ପରିବାର। ଉକ୍ତ ପରିବାରର ପ୍ରତ୍ୟେକ କାର୍ଯ୍ୟକର୍ତା ଦେଶମାତୃକାର ସେବା ଉପଲକ୍ଷେ ଉତ୍ସଗୀକୁର୍ତ୍ତ। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି କିପରି ଚିଲିକାରେ ପୁନଶ୍ଚ ଜନସାଧାରଣଙ୍କ ସେବା କରିବାର ସୁଯୋଗ ପାଇବ ସେ ନେଇ ସମସ୍ତ କାର୍ଯ୍ୟକର୍ତା ଏକ ମନ ହୋଇ ଆଜିଠାରୁ ସଂଗଠନ ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ ଶ୍ରୀ ହରିଚନ୍ଦନ।

ଚଳିତ ପୌର ନିର୍ବାଚନରେ ବିଜେପି ବିରୋଧୀକୁ କଡ଼ା ଟକ୍କର ଦେବା ସହ ୫ ଗୋଟି କାଉନସିଲର ପଦରେ ବିଜୟ ଲାଭ କରିବାକୁ ସକ୍ଷମ ହୋଇଛି ଏବଂ ଆଗାମୀ ଦିନରେ ବାଣପୁର ଏନଏସିର ଜନସାଧାରଣଙ୍କ ହକ ପାଇଁ ବିଜେପି ଜୋରଦାର ଲଢେଇ କରିବ ବୋଲି ସାଧାରଣରେ ମତପ୍ରକାଶ ପାଇଥିଲା।

ଉକ୍ତ ବୈଠକରେ ଏନଏସି ର ସମସ୍ତ ନିର୍ବାଚିତ ବିଜେପି କାଉନସିଲର, ନିର୍ବାଚନ ଲଢ଼ିଥିବା ସମସ୍ତ ବିଜେପି ପ୍ରାର୍ଥୀ, ବାଣପୁର ବ୍ଲକ ଅଧ୍ୟକ୍ଷ ଏବଂ ବହୁ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ।

Categories
ଅପରାଧ ଆଞ୍ଚଳିକ

ବାଣପୁର: ଠାକୁରାଣୀଙ୍କ ଜାଗାକୁ ଅନଧିକାର କବଜା କରିବାକୁ ବିରୋଧ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅଧିନସ୍ଥ ୨ନମ୍ବର ୱାର୍ଡ ଦାଶରଥିପୁର ଗ୍ରାମର ଠାକୁରାଣୀଙ୍କ ଜାଗାକୁ କିଛି ମୁଷ୍ଟିମେୟ ଲୋକଙ୍କ ଅନଧିକାର ମାଡିବସିବା ଅଭିଯୋଗକୁ ନେଇ ଆଜି ଅପରାହ୍ନରେ ଗ୍ରାମବାସୀଙ୍କ ବାଣପୁର ତହସିଲଦାର ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ମୁତାବକ ଦାସରଥୀପୁର ଗ୍ରାମର ବୁଢ଼ୀ ଠକୁରାଣୀ କେଉଁ ଆବହମାନ କାଳରୁ ପୂଜା ପାଉଥିବା ସ୍ଥଳେ ଉକ୍ତ ଜାଗା ଠାକୁରାଣୀ ଓ ଗ୍ରାମର ମାରଫତଦାରଙ୍କ ନାମରେ ଅଛି। କିନ୍ତୁ କିଛି ବ୍ୟକ୍ତି ଠାକୁରାଣୀଙ୍କ ଜାଗାକୁ ଅନଧିକାର କବଜା କରିବା ପାଇଁ ମସୁଧା କରୁଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

ଗ୍ରାମବାସୀ ମାନେ ଉପରୋକ୍ତ ବ୍ୟକ୍ତିମାନଙ୍କୁ ବିରୋଧ କଲେ ସେମାନେ ଗ୍ରାମବାସୀଙ୍କୁ ବିଭିନ୍ନ ଧମକ ଚମକ ଦେଉଥିବାର ମଧ୍ୟ ଗ୍ରାମବାସୀ ମାନେ ଦାବିପତ୍ରରେ ପ୍ରକାଶ କରିଛନ୍ତି। ତେଣୁ ଆଜି ଅପରାହ୍ଣରେ ଗ୍ରାମର ସମସ୍ତ ମହିଳା ଓ ପୁରୁଷ ଏକତ୍ର ହୋଇ ଠାକୁରାଣୀଙ୍କ ଜାଗାର ସ୍ଥିତାବସ୍ଥା ବଜାୟ ରଖିବାକୁ ବାଣପୁର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଉକ୍ତ ଘଟଣାକୁ ନେଇ ଗତକାଲି ବାଣପୁର ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ଗ୍ରାମବାସୀ। ଆସନ୍ତା କାଲି ରାଜସ୍ୱ ଅଧିକାରୀଙ୍କୁ ଉକ୍ତ ଜାଗାକୁ ପଠାଇ ଘଟଣାର ଅନୁଧ୍ୟାନ କରାଯିବ ବୋଲି ବାଣପୁର ତହସିଲଦାର କୁଞ୍ଜବିହାରି ବଡ଼ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ପତିତପାବନ ହାଇସ୍କୁଲରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡାସ୍ଥିତ ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁବାର ଦିନ ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ଗମ୍ଭାରୀମୁଣ୍ଡା, ନାଚୁଣି ଓଡ଼ଗାଁ ଭୀମପୁର ସମେତ ୧୯ ଗୋଟି ଉଚ୍ଚ ବିଦ୍ୟାଳୟର ସମୁଦାୟ ୩୦୦ ଛାତ୍ରଛାତ୍ରୀ ଭାଗନେଇଥିଲେ।

ବାଣପୁର କ୍ରୀଡା ସଂଗଠନ ସଭାପତି ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବରେ ପତାକା ଦେଖାଇ ଉକ୍ତ ପ୍ରତିଯୋଗିତାର ଉଦଘାଟନ କରିଥିବା ବେଳେ ସମ୍ପାଦକ ତଥା ଗୋଦାବରୀଶ ବିଦ୍ୟାପୀଠର କ୍ରୀଡ଼ାଶିକ୍ଷକ ସୌମ୍ୟକାନ୍ତ ସାହୁ ଏହାକୁ ପରିଚାଳନା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଉପସ୍ଥିତ ରହି ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ କ୍ରୀଡା କ୍ଷେତ୍ରରେ ସହଯୋଗ କରିଥିଲେ।

ବିଭିନ୍ନ ପ୍ରତିଯୋଗିତା ଯଥା କବାଡି, ଭଳିବଲ, ଫୁଟବଲ, ଚେସ ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ କୃତି ପ୍ରତିଯୋଗୀ ମାନେ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଦିନ ବାଣପୁରସ୍ଥିତ ଗୋଦାବରୀଶ ବିଦ୍ୟାପୀଠରେ ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ଉଭୟ ସ୍ଥାନରେ କୃତି ଛାତ୍ରଛାତ୍ରୀ ମାନେ ଜିଲ୍ଲାସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବେ ବୋଲି ଶ୍ରୀ ଜାଲି କହିଛନ୍ତି।

Categories
ଅପରାଧ ଆଞ୍ଚଳିକ ରାଜ୍ୟ ଖବର

ବାଣପୁର: ସାମାନ୍ୟ ବଚସାରୁ ବାପ ପୁଅଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ଜଣେ ଗୁରୁତର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ଗତକାଲି ରାତିରେ ସାମାନ୍ୟ ବଚସାରୁ ଗଣ୍ଡଗୋଳ ଘଟି ଦୁଇଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ମୁତାବକ ମଙ୍ଗରାଜପୁର ଗ୍ରାମର ବସନ୍ତ ପଣ୍ଡାଙ୍କ ପୁଅ ରାହୁଲ ପଣ୍ଡା ନନ୍ଦପୁର ଛକରେ ଏକ ମେଡ଼ିସିନ ଷ୍ଟୋର କରିଥିବା ବେଳେ ଦୋକାନରେ ସେ ଅନୁପସ୍ଥିତ ଥିଲେ। ମଙ୍ଗରାଜପୁର ଗ୍ରାମର କିଛି ଯୁବକ ସେଠାକୁ ଆସି ଦୋକାନରେ ଥିବା ତାଙ୍କ ବାପା ବସନ୍ତ ପଣ୍ଡାଙ୍କ ସାଥିରେ ଯୁକ୍ତି ତର୍କ କରିବା ସହ ଆକ୍ରମଣ କରିଥିଲେ। ପରେ ପୁଅ ରାହୁଲ ଅଭିଯୁକ୍ତମାନଙ୍କୁ ମଙ୍ଗରାଜପୁର ଗ୍ରାମରେ ଦେଖି ମୋର ବାପାଙ୍କୁ କଣ ପାଇଁ ମାରିଲ ବୋଲି ପଚାରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଦୁର୍ବୁତ୍ତମାନେ ଏକ ପନିକିରେ ରାହୁଲଙ୍କର ମୁଣ୍ଡକୁ ହାଣି ଦେଇଥିଲେ ଏବଂ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଯାହାଫଳରେ ତାଙ୍କର ହାତ ଖଞ୍ଜା ଖସିଯିବା ସହ ପୁଣି ପିତା ବସନ୍ତଙ୍କୁ ଆକ୍ରମଣ କରିବାରୁ ଉଭୟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାଣପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବାଣପୁର ଥାନାରେ ଏନେଇ ଏତଲା ଦେଇଥିଲେ।

ରାହୁଲଙ୍କର ଅବସ୍ଥା ସଂକଟାପନ୍ନ ଥିବା ବେଳେ ତାଙ୍କୁ ଭୁବନେଶ୍ୱର ସ୍ଥାନନ୍ତରଣ କରାଯାଇଥିବା ଜଣାପଡ଼ିଛି। ତେବେ ପୋଲିସ କେସ ନଂ ୫୮୪/୨୦୨୨ରେ ଏକ ମାମଲା ରୁଜୁକରି ୩୦୭ ଭଳି ସଙ୍ଗୀନ ଦଫା ଲଗାଇଥିବା ବେଳେ ଏଯାବତ ଅଭିଯୁକ୍ତମାନେ ଗିରଫ ହୋଇନଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁର: ସେଣ୍ଟ ଜାଭିଅରସ ହାଇସ୍କୁଲରେ ଅନୁଷ୍ଠିତ ହେଲା ‘ମାଗଣା ହାଟ’ ନାମକ ନିଆରା କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ସେଣ୍ଟ ଜାଭିଅରସ ହାଇସ୍କୁଲ ପରିସରରେ ଆଜି ‘ମାଗଣା ହାଟ’ ନାମକ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ବହୁ ହିତାଧିକାରୀମାନେ ନିଃଶୁଳ୍କ ଭାବେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉକ୍ତ ହାଟରୁ ଗ୍ରହଣ କରିଥିଲେ। ସ୍କୁଲର ଅଧ୍ୟକ୍ଷ ଡ. ଶକ୍ତି ପ୍ରସାଦ ମହାନ୍ତିଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଏବଂ ପର୍ଯ୍ୟଟନ ଅଧିକାରୀ ଜଗନ୍ନାଥ ବେହରା ମିଳିତ ଭାବେ ଉଦଘାଟନ କରିଥିଲେ।

ସ୍କୁଲ ପକ୍ଷରୁ ପୂର୍ବରୁ ବାଣପୁରବାସୀଙ୍କ ଠାରୁ ସଂଗ୍ରହ କରାଯାଇଥିବା କମ୍ବଳ, ଚାଉଳ, ପୋଷାକ, ପାଠ୍ୟ ଉପକରଣ, ଶିଶୁ ମାନଙ୍କ ପୋଷାକ ଆଦିକୁ ନିଃଶୁଳ୍କ ଭାବେ ହାଟ ମାଧ୍ୟମରେ ହିତାଧିକାରୀଙ୍କୁ ବିତରଣ କରାଯାଇଥିଲା। ତେବେ ଆଶ୍ଚର୍ଯ୍ୟର ବିଷୟ ଉକ୍ତ କାର୍ଯ୍ୟକ୍ରମକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିବାର ଦେଖାଯାଇଛି। ପାଖାପାଖି ତିନି ଶହରୁ ଉର୍ଦ୍ଧ୍ଵ ହିତାଧିକାରୀ ମାନେ ଉକ୍ତ ହାଟକୁ ଆସି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆଗ୍ରହର ସହକାରେ ଗ୍ରହଣ କରିଥିଲେ।

ମାତ୍ର କେଇ ଘଣ୍ଟା ମଧ୍ୟରେ ହାଟ ଖାଲି ହୋଇଯାଇଥିବାର ଦେଖିବାକୁ ମିଳିଥିଲା। ଏପରିକି ବହୁ ବଞ୍ଚିତ ହିତାଧିକାରୀ ମାନେ ଅଗ୍ରିମ ହାଟ ପାଇଁ ଉତ୍କଣ୍ଠାର ସହକାରେ ଚାହିଁ ବସିବା ସହ ସେମାନଙ୍କ ନାମ ମଧ୍ୟ ପଞ୍ଜିକରଣ କରିଛନ୍ତି।

ତେବେ ଏହାକୁ ମିଶାଇ ତୃତୀୟ ଥର ବାଣପୁରରେ ଏପରି କାର୍ଯ୍ୟକ୍ରମ ହୋଇଥିବାବେଳେ ସମଗ୍ର ବାଣପୁରବାସି ସେଣ୍ଟ ଜାଭିଅରସ ହାଇସ୍କୁଲର ଉକ୍ତ ମହତ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

‘ଏକତା ପରିଷଦ ଟ୍ରଷ୍ଟ ‘ ପକ୍ଷରୁ ବାଣପୁରରେ ବିଶ୍ଵ ମାନବାଧିକାର ଦିବସ ପାଳନ

ସୀତାରାମ ଅଗ୍ରୱାଲ

ବାଣପୁର: ‘ଏକତା ପରିଷଦ ଟ୍ରଷ୍ଟ’ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଶାଳିଆ ଡ୍ୟାମ ଠାରେ ବିଶ୍ଵ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଦିବାସୀ ମାଆମାନଙ୍କ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଆଦିବାସୀ ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ହିଂସାରୁ ସୁରକ୍ଷା ପାଇଁ ଆଲୋଚନା କରାଯାଇ ମହିଳା ଅଧିକାର ମାନାବାଧିକାର ଓ ଏହାର ସୁରକ୍ଷାପାଇଁ ସମ୍ବିଧାନକୁ କିପରି ଭାବେ ଘରେ ଘରେ ପହଞ୍ଚିବାର ବ୍ୟବସ୍ଥା କରାଯାଇପାରିବ, ସେ ସମ୍ପର୍କରେ ଚର୍ଚ୍ଚା କରାଯାଇ ଥିଲା।

ଗତ ନଭେମ୍ବର ମାସ ୨୫ ତାରିଖ ବିଶ୍ଵ ମହିଳା ହିଂସା ବିରୋଧୀ ଦିବସରୁ ଆରମ୍ଭ କରାଯାଇଥିବା ‘ମହିଳା ହିଂସା ବିରୋଧୀ ଜାଗରଣ’ ଅଭିଯାନ କୁ ଆଜି ମାନାବାଧିକାର ଦିବସରେ ସମାପନ କରାଗଲା, ଯାହା ମହିଳା ସୁରକ୍ଷା ଓ ମାନାବାଧିକାର ସୁରକ୍ଷା ଦିଗରେ ଆଦିବାସୀ ମାଆମାନଙ୍କ ଶକ୍ତି କୁ ମଜଭୁତ କରିବ।

ଏହି ସମ୍ମିଳନୀରେ ବରବରା ଅଞ୍ଚଳର ମହିଳା ସଭାପତି ସରସ୍ଵତୀ ପ୍ରଧାନ, ମଞ୍ଜୁଳା ପ୍ରଧାନ, ଗୀତମାୟୀ, ଟୁନି ଦାସ ମହିଳା ମାନଙ୍କ ସଂଗଠନ କୁ କିପରି ମଜବୁତ୍ କରିବା ସହ ମାନାବାଧିକାର ସୁରକ୍ଷା ଦିଗରେ ସଂଘର୍ଷ କରିବାକୁ ଆହ୍ବାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ‘ଏକତା ପରିଷଦ ଟ୍ରଷ୍ଟ’ ର ସନ୍ଧ୍ୟା ଦେବୀ ପରିଚାଳନା କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରର ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲା: ଗିରଫ ହେଲେ ଫେରାର ଥିବା ଦ୍ଵିତୀୟ ଅଭିଯୁକ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବହୁ ଚର୍ଚ୍ଚିତ ପଙ୍କାଳ ଗ୍ରାମ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଆଜି ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ବଂଶୀଧର ରାଉତରାୟ। ତାଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଗିରଫ କରାଯାଇଥିବାର ଜଣାପଡିଛି। ଏନେଇ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

ତେବେ ଖୁବ ଶୀଘ୍ର ଉକ୍ତ ହତ୍ୟାକାଣ୍ଡରେ ଫେରାର ଥିବା ତୃତୀୟ ଅଭିଯୁକ୍ତ ମଧ୍ୟ ଗିରଫ ହେବେ ବୋଲି ଶ୍ରୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଅକ୍ଟୋବର ୧୦ ତାରିଖ ଦିନ ପଙ୍କାଳ ଗ୍ରାମର ସୁବାସ ରାଉତରାୟଙ୍କ ତିନି ଭାଇ ସୁବାସ ଏବଂ ତାଙ୍କ ଧର୍ମପତ୍ନୀ ମିନାକ୍ଷୀ ରାଉତରାୟଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ବେଳେ ମିନାକ୍ଷୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେବେଠାରୁ ସମସ୍ତ ଅଭିଯୁକ୍ତ ଫେରାର ଥିବା ବେଳେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓଙ୍କ ତତ୍ୱାବଧାନରେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା ଅଦ୍ୟାବଧି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆଜି ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବାଣପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ତରଫରୁ ଶତାଧିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ବିଇଓ କାର୍ଯ୍ୟାଳୟ ପରିସରରେ ଉକ୍ତ ଦିବସ ପାଳିତ ହୋଇଯାଇଛି।

ଉଦଘାଟନ ଉତ୍ସବରେ ବାଣପୁର ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ସୀମାଦ୍ରୀ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ମୂଲ୍ୟବାନ ଉପଦେଶ ପ୍ରଦାନ କରିବା ସହ ଦିବ୍ୟାଙ୍ଗ ମାନେ ସ୍ୱତନ୍ତ୍ର ଦକ୍ଷତାର ଅଧିକାରୀ, ସେମାନଙ୍କୁ ଦୁର୍ବ୍ୟବହାର ନ ଦେଖାଇ ସେମାନଙ୍କ ଅଧିକାର ପ୍ରାପ୍ତିରେ ସମସ୍ତେ ସହଯୋଗ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଅନୁରୂପ ଭାବେ ଉଦଯାପନୀ ଉତ୍ସବରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ ଯୋଗଦେଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମନୋବଳ ବଢ଼ାଇଥିଲେ।

ଏହି ଅବସରରେ ତହସିଲଦାର ବିଇଓ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରିବା ସହ ଏକ ଶୋଭାଯାତ୍ରାରେ ବାଣପୁର ସହର ପରିକ୍ରମା କରିବା ସହିତ ଦିବ୍ୟଙ୍ଗ ମାନଙ୍କୁ ଭଲ ପାଇବା ପାଇଁ ସଚେତନତା ବାର୍ତ୍ତା ସୃଷ୍ଟି କରିଥିଲେ। ଏହାପରେ ଏକ ବ୍ଲକ ରିଶୋର୍ସ ସେଣ୍ଟର ମଧ୍ୟ ଉଦଘାଟନ କରିଥିଲେ ତହସିଲଦାର ଶ୍ରୀ ବଡ଼ଜେନା। ସଭାଶେଷରେ ଜଣେ ଦିବ୍ୟାଙ୍ଗ ଛାତ୍ର, ଜଣେ ଅଭିଭାବକ ଏବଂ ଜଣେ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା।

ସେହିପରି ଭାବେ ପୁର୍ବରୁ ଅନୁଷ୍ଠିତ ହୋଇଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ ବ୍ଲକର ୩୬ ଜଣ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ବିଇଓ ସନାତନ ଜାଲି ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ବିଇଓ ସନ୍ଧ୍ୟାରାଣୀ ହରିଚନ୍ଦନ ଏବଂ ମନୋଜ କୁମାର ହରିଚନ୍ଦନ ଏହାକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରକୁ ସବଡିଭିଜନ କରିବା ପାଇଁ ନା ଅଛି ରାଜନୈତିକ ଇଚ୍ଛାଶକ୍ତି, ନା ହେଉଛି ଆନ୍ଦୋଳନ

ସୀତାରାମ ଅଗ୍ରୱାଲ

ବାଣପୁର: ବର୍ତ୍ତମାନ ପଦମପୁରକୁ ଜିଲ୍ଲା ଘୋଷଣା ହେବ ବୋଲି ଯୋଜନା ଚାଲିଛି। ଏହି ସମୟରେ ଅନ୍ୟ କେତେକ ଅଞ୍ଚଳକୁ ମଧ୍ୟ ଜିଲ୍ଲା ଘୋଷଣା କରିବା ଦାବୀ ଆରମ୍ଭ ହୋଇଯାଇଛି। ଏପରିକି କେତେ ଅଞ୍ଚଳବାସୀ ସବଡିଭିଜନ ଏବଂ କେତେକ ଏନଏସି ଘୋଷଣା ପାଇଁ ମଧ୍ୟ ଦାବୀ କରିବା ଆରମ୍ଭ କରିଦେଇଛନ୍ତି।

ତେବେ ଏ ସବୁ ଦାବୀ ଭିତରେ ଯଦି ନୂତନ ଉପଖଣ୍ଡ ବା ସବଡିଭିଜନ ମାନ୍ୟତା ତାଲିକା ଦେଖାଯିବ ତେବେ ରାଜ୍ୟରେ ସର୍ବାଗ୍ରେ ରହିବ ଖୋର୍ଦ୍ଧା ଜିଲ୍ଲା ବାଣପୁର ନାମ। କାରଣ ଇତିହାସର ପୃଷ୍ଠା ଯଦି ଓଲଟାଇବା ତେବେ ବାଣପୁରର ସ୍ଥାନ ସ୍ଵତନ୍ତ୍ର। ଏଠାର ମୁଖ୍ୟ ଆକର୍ଷଣ ହେଉଛି ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ବାଣପୁର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ମନ୍ଦିର।

ଏଥିସହିତ ବେତ ତିଆରି କଳା ହସ୍ତଶିଳ୍ପୀ ପାଇଁ ସାର ଦେଶରେ ବାଣପୁରର ଏକ ନିଆରା ପରିଚୟ ସୃଷ୍ଟି କରିଛି। ଶାଳିଆ ଡ୍ୟାମ, ଦକ୍ଷେଶ୍ୱର ମନ୍ଦିର, ଡୁଡୁଆ ଜଳପ୍ରପାତ, ବରବରା ସ୍ଥିତ ଏସିଆର ସର୍ବବୃହତ ଶାଗୁଆନ ଜଙ୍ଗଲ ଆଦି ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ବାଣପୁରର ମାନକୁ ଆହୁରି ବୃଦ୍ଧି କରୁଛି।

ଐତିହାସିକ ଗୁରୁତ୍ୱ ଅନୁଯାୟୀ, ବାଣପୁର ଥିଲା ପାଇକ ବିଦ୍ରୋହର ଏକ କେନ୍ଦ୍ରସ୍ଥଳୀ। ପଲଟନ ପଡିଆ ଏହାର ମୂକସାକ୍ଷୀ। ସ୍ଵାଧୀନତା ପୂର୍ଵରୁ ଓ ପରେ ବହୁ ସୁଯୋଗ୍ୟ ସନ୍ତାନମାନଙ୍କୁ ସୃଷ୍ଟି କରିଛି ଏ ମାଟି। ଏହି ମାଟିରୁ ବହୁ ସ୍ଵାଧୀନତା ସଂଗ୍ରାମୀ, ଲେଖକ, କବି, ସମାଜସେବୀ, ମନ୍ତ୍ରୀ, ରାଜନେତା ସର୍ବଭାରତୀୟ ସ୍ତରରେ ସକ୍ରିୟ ଥିଲେ ଏବଂ ଏବେ ମଧ୍ୟ ରହିଛନ୍ତି।

ବାଣପୁରକୁ ସବଡିଭିଜନ ଦାବୀ କରିବା ଭୌଗଳିକ ଦୃଷ୍ଟି କୋଣରୁ ମଧ୍ୟ ଯଥାର୍ଥତା ରହିଛି। କାରଣ ଛୋଟ ଛୋଟ କାର୍ଯ୍ୟ ପାଇଁ ଜନସାଧାରଣଙ୍କୁ ଦୀର୍ଘ ୭୦ କିଲୋମିଟର ଦୂର ଖୋର୍ଦ୍ଧା ସବଡିଭିଜନକୁ ଯିବାକୁ ପଡୁଛି। ବହୁତ ଉନ୍ନୟନ ମୂଳକ କାର୍ଯ୍ୟର ଅଧିକାରୀଙ୍କ ଦସ୍ତଖତ ଲାଗି ମାସେ ମାସେ ଧରି ପଡ଼ି ରହୁଛି। ଗରିବ, ନିଷ୍ପେସିତ ଲୋକମାନେ ନିଜର ଅଭିଯୋଗ ଲାଗି ଖର୍ଚ୍ଚାନ୍ତ ହୋଇ ଖୋର୍ଦ୍ଧା ଯାଉଛନ୍ତି। ଉପଖଣ୍ଡ ବା ସବଡିଭିଜନ ହେଲେ ଏଠାରେ ବହୁତ ବିକାଶର ଚିତ୍ର ଆଙ୍କି ହୋଇପାରନ୍ତି।

ବର୍ତ୍ତମାନ ବାଣପୁରକୁ ପରିବହନ ଓ ଯୋଗାଯୋଗ ପାଇଁ ବହୁତ ସୁବିଧା ଅଛି। ସମସ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ମଧ୍ୟ ଅଛି। ବାଣପୁର ମେଡିକାଲ ୧୮୬୮ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅନୁରୂପ ଭାବେ ବାଣପୁର ତହସିଲ ତାହାର ବହୁ ପୁର୍ବରୁ କାର୍ଯ୍ୟକ୍ଷମ ହୋଇଥିବାର ଲୋକକଥା ଅଛି। ଏତେ ପୁରୁଣା ବ୍ରିଟିଶ ଅମଳର ତହସିଲରେ ଜନସଂଖ୍ୟା ହୁ ହୁ ବଢୁଛି। କିଂତୁ ସବୁ ବ୍ୟବସ୍ଥା ପରେ ବି ଇଛା ଶକ୍ତି ନଥିବାରୁ ବାଣପୁର ଉପଖଣ୍ଡ ବା ସବଡିଭିଜନ ହୋଇ ପାରୁନାହିଁ।

ଗତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ବାଣପୁରର ଐତିହାସିକ ପଲଟନ ପଡିଆକୁ ପ୍ରଚାରରେ ଆସିଥିବା ବେଳେ ଏହାକୁ ସବଡିଭିଜନ ଘୋଷଣା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ବାଣପୁରବାସୀ ସ୍ଥାନୀୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ବହୁ ମତରେ ବିଜୟ ମଧ୍ୟ କରାଇଲେ। କିନ୍ତୁ ବର୍ତ୍ତମାନ ସରକାର ଗଠନ ହେବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ।

ମୁଖ୍ୟମନ୍ତ୍ରୀଙ୍କ ପୂର୍ଵରୁ ଏହି ସ୍ଥାନକୁ କେନ୍ଦ୍ରମନ୍ତୀ ବି ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ, ସେହି ପ୍ରତିଶୃତି ମଧ୍ୟ ଦେଇଥିଲେ। ଅବଶ୍ୟ ସେମାନେ ଏଠାରୁ ଜନମତ ପାଇ ପାରି ନ ଥିଲେ ସତ କିନ୍ତୁ ପରାଜୟ ପରେ ସେମାନେ ମଧ୍ୟ କେବେ ଏ ବିଷୟରେ ଆଉ ସ୍ବର ଉତ୍ତୋଳନ କଲେ ନାହିଁ। ଅନ୍ୟପକ୍ଷରେ ନିର୍ବାଚନ ପୂର୍ଵରୁ ଯେଉଁ ବୁଦ୍ଧିଜୀବିମାନେ ବାଣପୁର ଉପଖଣ୍ଡ ପାଇଁ ଆନ୍ଦୋଳନ କରୁଥିଲେ ସେମାନେ ସମସ୍ତେ ମଧ୍ୟ ପ୍ରାୟ ନିଷ୍କ୍ରିୟ ହୋଇଗଲା ପରି ମନେହୁଏ।

ତେବେ ଆଗାମୀ ଦିନରେ ପୁଣି ସାଧାରଣ ନିର୍ବାଚନ ଆସୁଥିବା ବେଳେ ପୁନଶ୍ଚ ନେତାମାନେ ଏହି ନିର୍ବାଚନୀ ଧୂଆଁ ବାଣ ଛାଡ଼ିବେ, ଏଥିରେ କୌଣସି ସନ୍ଦେହ ନାଇଁ। କିନ୍ତୁ ଜନତା ଏଥର ଫାଙ୍କା ପ୍ରତିଶୃତିରେ ଆସିବେ ନାହିଁ ବୋଲି କହିଲେଣି। ବେଳ ଥାଉ ଥାଉ ବେଣୀ ବାନ୍ଧିଲା ପରି ଯଦି ନିର୍ବାଚନ ପୂର୍ବରୁ ଏହି ଦାବି ପୁରଣ ନ ହୁଏ ତେବେ ଭୋଟର ବି ତାଙ୍କ ଆକ୍ରୋଶ ଭୋଟରେ ଦେଖାଇବେ ବୋଲି ଚର୍ଚ୍ଚା ଜୋର ଧରିଛି।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ନୂତନ ଭୋଟର ଅନଲାଇନ ପଞ୍ଜିକରଣ କର୍ମଶାଳା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟୟନ କକ୍ଷରେ ନୂତନ ଭୋଟର ଅନଲାଇନ ପଞ୍ଜିକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି।

ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କୁ ଅନଲାଇନ ଭୋଟର ପଞ୍ଜିକରଣର ତାଲିମ ଦିଆଯାଇଥିଲା। ୨୦୦୫ ଅକ୍ଟୋବର ୧ ପୁର୍ବରୁ ଜନ୍ମ ହୋଇଥିବା ଛାତ୍ରଛାତ୍ରୀମାନେ ଉକ୍ତ କର୍ମଶାଳାରେ ଭାଗନେବା ସହ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକାଧିକ ଛାତ୍ରଛାତ୍ରୀ ଭୋଟର ପଞ୍ଜିକରଣ ଅନଲାଇନ ମାଧ୍ୟମରେ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବିଡ଼ିଓ ବୁଲବୁଲ ବେହେରା, ଅତିରିକ୍ତ ତହସିଲଦାର ସାହୀନ ନାଜ, ପ୍ରାଧ୍ୟାପକ ବିନାୟକ ହୋତା ଆଦି ଛାତ୍ରଛାତ୍ରୀଙ୍କୁ ସହଯୋଗ କରିଥିବା ବେଳେ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ା ଏସପିଏନଏସ ବର୍ମା ଏହାକୁ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଣପୁରରେ ବିଶ୍ୱ ଏଡ଼ସ ଦିବସ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କେଏନପି ପ୍ଲସ ଓଡିଶା, ଓଏସଏସିଏସ ଏବଂ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଆଜି ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷ ପାଇଁ ଥିମ ଥିଲା ‘ଇକ୍ୱାଲାଇଜ’ ଅର୍ଥାତ୍ ସମାନତା। ଏଚଆଇଭି ଆକ୍ରାନ୍ତମାନଙ୍କୁ ସମାଜରେ ସମାନତା ର ଅଧିକାର ପ୍ରଦାନ କରିବା ଏହାର ମୂଳ ଲକ୍ଷ୍ୟ।

ଏହି ଅବସରରେ ବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ଵାରା ଏକ ଏଡସ ସଚେତନତା ଶୋଭାଯାତ୍ରା ମା’ ଭଗବତୀଙ୍କ ମନ୍ଦିର ଠାରୁ ବାହାରି ବାଣପୁର ବଜାର, ଐତିହାସିକ ପଲଟନ ପଡିଆ, ଗ୍ରାମୀଣ ଚିକିତ୍ସାଳୟ ଏବଂ ବାଣପୁର ବ୍ଲକ ଅତିକ୍ରମ କରି ପରିଶେଷରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପହଞ୍ଚିଥିଲା। ଏହାକୁ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ଉପଲକ୍ଷେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉପାଧ୍ୟକ୍ଷ ତଥା ଯୁବ ରେଡ୍ କ୍ରସ୍ ଅଧିକାରୀ ସର୍ବେଶ୍ଵର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ମୁଖ୍ୟ ବକ୍ତା ଭାବରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ, ଅନ୍ୟତମ ଅତିଥି ଭାବେ ଓଏସଏସିଏସ ତରଫରୁ ଜିଆଇପିଏ ର ଅତିରିକ୍ତ ନିର୍ଦ୍ଦେଶକ ଅଜୟ କୁମାର ପାତ୍ର, ରାକେଶ କୁମାର ମହାପାତ୍ର, କେଏନପି ପ୍ଲସ ଓଡିଶାର ସଭାନେତ୍ରୀ ପ୍ରଭାସିନୀ ପ୍ରଧାନ, ଭିଆଇଏଚଏଏଏନ ପ୍ରକଳ୍ପ ସଂଯୋଜକ ପୁଷ୍ପାଞ୍ଜଳି ମାର୍ଥା, ବାଣପୁର ଗୋଷ୍ଠୀ କେନ୍ଦ୍ର ଅଧିକାରୀ ଡ଼ାଃ ରମାକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଆଜିର ଦିବସର ଅନୁଚିନ୍ତା ସମ୍ପର୍କରେ ମତାମତ ପ୍ରଦାନ ରଖିଥିଲେ।

ଏହାପରେ କୁଇଜ୍, ଆର୍ଟ ଏବଂ ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇ ଥିଲା।

ସଭାଶେଷରେ ଲିଙ୍କ ୱାର୍କର ସ୍କିମ (ଏଲଡବ୍ଲୁଏସ) ପ୍ରକଳ୍ପ, କେଏନପି ପ୍ଲସ ଓଡିଶାର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଶଶିକାନ୍ତ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ। ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କ୍ରୀଡା ଶିକ୍ଷକ ବିଭୁଧେନ୍ଦୁ ମାନସିଂହ, ଡ଼ିଇଓ ଶିବଶଙ୍କର ପଣ୍ଡା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଅଶୋକ ବେହେରା, ଏଲଡବ୍ଲୁଏସ ପକ୍ଷରୁ ଚନ୍ଦନ କୁମାର ଦାସ, ସୁବ୍ରତ କୁମାର ସ୍ବାଇଁ, ସ୍ଵର୍ଣ୍ଣଲତା ଦାସ ଏବଂ ଅନ୍ୟ ପ୍ରମୁଖ ଅଧିକାରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ରଶ୍ମିତା ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ମହିଳାଙ୍କୁ ଅସଦାଚରଣ ଓ ଚୋରୀ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ ଦୁଇ ଗୋଟି ପୃଥକ ମାମଲା ରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାର ଜଣାପଡିଛି। ପ୍ରଥମ ଘଟଣାରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଚୋରୀ ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ରାତିରେ ନାରଣଦେଇପୁର ଗ୍ରାମର ଜନୈକ ମହିଳାଙ୍କ ଘରେ ପଶି ଅମୁଲ୍ୟ ଜେନା (୩୦) ନାମକ ଜଣେ ଯୁବକ ଅସଦାଚରଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ମହିଳାଙ୍କ ଅଭିଯୋଗକ୍ରମେ ପୋଲିସ ଅମୁଲ୍ୟଙ୍କ ବିରୁଦ୍ଧରେ କେସ ନମ୍ବର ୫୪୪/୨୨ ରେ ଏକ ମାମଲା ରୁଜୁ କରି ଗିରଫ କରିଛି।

ଅନୁରୂପ ଭାବେ ଦୁଇ ଦିନ ତଳେ ନୌଷଦ ମିର୍ଜା (୨୨) ନାମକ ଅଭିଯୁକ୍ତ ଗାଲୁଆ ଗ୍ରାମର ଶଙ୍କର୍ଷଣ ପରିଡ଼ାଙ୍କ ଘରେ ଚୋରି ଉଦ୍ଦେଶ୍ୟରେ ଲୁଚିକି ଥିଲେ।  ତାଙ୍କ ପତ୍ନୀ ରଜନୀ ପରିଡ଼ା କେହି ଜଣେ ଘରେ ଲୁଚିଥିବାର ଦେଖି ଚିତ୍କାର କରିଥିଲେ।  ସଙ୍ଗେସଙ୍ଗେ ସାହି ପଡିଶାର ଲୋକ ମାନେ ରୁଣ୍ଡ ହୋଇ ଅଭିଯୁକ୍ତ ନୌଷଦକୁ କାବୁ କରି ପୋଲିସ ଜିମା ଦେଇଥିଲେ। ପରବର୍ତ୍ତୀ ସମୟରେ ଘରୁ ୫ ହଜାର ଟଙ୍କା ଚୋରି ହୋଇଥିବାର ରଜନୀ ଜାଣିବାକୁ ପାଇଥିଲେ।

ତେବେ ଉକ୍ତ ପଇସା ଅଭିଯୁକ୍ତ ନୌଷଦଙ୍କ ନିକଟରୁ ପୋଲିସ ଜବତ କରି ରଜନୀଙ୍କୁ ଫେରାଇଥିବା ବେଳେ ତାଙ୍କରି ଅଭିଯୋଗ କ୍ରମେ କେସ ନମ୍ବର ୫୪୩/୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ନୌଷଦ ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିବା ବେଳେ ପୁର୍ବରୁ ତାଙ୍କ ନାମରେ ମଧ୍ୟ ଏକାଧିକ ଅପରାଧିକ ମାମଲା ଥିବା ବାଣପୁର ପୋଲିସ କହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ନବ ବିବାହିତାଙ୍କ ସନ୍ଦେହ ଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ବଉଳାବନ୍ଧ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଣେ ନବ ବିବାହିତା ବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି।

ସୂଚନା ମୁତାବକ ଦୁଇ ବର୍ଷ ତଳେ ବାଣପୁର ଥାନା ବଉଳାବନ୍ଧ ଗ୍ରାମର ବାଦଲ ବେହେରା ସେହି ଗ୍ରାମର ପିଙ୍କି ବେହେରାଙ୍କୁ ବୈଦୀକ ରୀତିନିତିରେ ବିବାହ କରିଥିଲେ। ଗତ ଗଣେଷ ପୂଜା ଦିନ ପିଙ୍କିଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମଲାଭ କରିଥିଲା। ପିଙ୍କିଙ୍କର ସ୍ୱାମୀ ବାହାରେ ମୂଲ ମଜୁରୀ କରି ପରିବାର ପ୍ରତି ପୋଷଣ କରନ୍ତି।

ଗତ କାଲି ରାତିରେ ପିଙ୍କି ଖାଇ ପିଇ ନିଜ ପୁତ୍ର ସନ୍ତାନକୁ କୋଳରେ ଧରି ଶୋଇଥିଲେ।  କୌଣସି କାରଣକୁ ନେଇ ହଠାତ୍ ପିଙ୍କି ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ତେବେ ଡାକ୍ତର ପିଙ୍କିକୁ ସେଠାରେ ମୃତ ଘୋଷଣା କରିଥିଲେ। ତେବେ ଆତ୍ମୀୟଙ୍କ କଥାରେ କୌଣସି ତାଳ ମେଳ ରହୁନଥିବାରୁ କାର୍ଯ୍ୟରତ ଡାକ୍ତର ସନ୍ଦେହ ପ୍ରକାଶ କରିଥିଲେ। ଏବଂ ଏ ନେଇ ପୋଲିସ୍ କୁ ସୂଚନା ଦେଇଥିଲେ। ନାଚୁଣୀ ଫାଣ୍ଡି ଅଧିକାରୀ କେଶବ ବେହେରା ଖବର ପାଇ ଟାଙ୍ଗୀ ମେଡିକାଲରେ ପହଞ୍ଚିଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଜଙ୍ଗଲୀ ବାରାହା ମାଂସ ସହ ଶିକାରୀ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ବାଣପୁର ଟମଣା ସରଂକ୍ଷିତ ଜଙ୍ଗଲରୁ ଜଣେ ଜଙ୍ଗଲୀ ବାରାହା ଶିକାରୀକୁ ଗିରଫ କରିଛି ବନବିଭାଗ। ଗିରଫ ଅଭିଯୁକ୍ତ ଜଣକ ହେଲେ ବାଣପୁର ଥାନା ଦୋଳଗୋବିନ୍ଦ ନୂଆ ସାହିର ତ୍ରିନାଥ ପ୍ରଧାନ (୫୦)। ତାଙ୍କ ନିକଟରୁ ୧୦ କେଜି ଜଙ୍ଗଲୀ ବାରାହା ମାଂସ ସମେତ ଏକ ଦେଶୀ ବନ୍ଧୁକ ଜବତ କରିଛି ବନବିଭାଗ।

ସୂଚନା ମୁତାବକ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ଆଜି ପାଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲୀ ବାରାହା ଶିକାର ଖବର ପାଇ ସଙ୍ଗେସଙ୍ଗେ ଚଢ଼ାଉ କରିଥିଲେ ଏବଂ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଏହି ପରିପ୍ରେକ୍ଷୀରେ ବନବିଭାଗ କେସ ନମ୍ବର ୬ବି/୨୨-୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବାର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଧୂଁଆନଳୀ ବନପାଳ ଶିଳ୍ପୀ ସରିତା ମହାକୁଡ଼ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ବ୍ଲକରେ ବଢୁଛି ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା: ଦରମା ବନ୍ଦ କରିବାକୁ ଚେତାବନୀ ଦେଲେ ଡିଇଓ

ସୀତାରାମ ଅଗ୍ରୱାଲ

ବାଣପୁର: ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା ଲାଗୁ କରିଥିଲେ ସୁଦ୍ଧା ପ୍ରତିବର୍ଷ ବହୁ ଛାତ୍ରଛାତ୍ରୀ ଅଧାରୁ ବିଦ୍ୟାଳୟ ଛାଡୁଥିବାର ଦେଖାଯାଉଛି। ତେବେ ସେମାନଙ୍କ ବିଦ୍ୟାଳୟ ଛାଡିବାର କାରଣ ଖୋଜି ତାହାକୁ କିପରି ସମାଧାନ କରାଯାଇ ପୁନଶ୍ଚ ସେମାନଙ୍କୁ ବିଦ୍ୟାଳୟ ମୁହାଁ କରାଯାଇପାରିବ ସେ ଦିଗରେ କାର୍ଯ୍ୟ କରିବାକୁ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ କୁଣ୍ଠାବୋଧ କରୁଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି।

ବିଇଓ ସନାତନ ଜାଲିଙ୍କ ତଥ୍ୟ ଅନୁଯାୟୀ ଗତବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୨୭୧ ଛାତ୍ରଛାତ୍ରୀ ଅଧାରୁ ବିଦ୍ୟାଳୟ ଛାଡିଥିବା ବେଳେ ୩୧ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ଅଧାରୁ ବିଦ୍ୟାଳୟ ଛାଡିଛନ୍ତି। ସେହିପରି ଭାବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୨୧ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି।

ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ଓ କେନ୍ଦ୍ର ସରକାର ପିଲାଙ୍କ ପାଠ ପଢା ପାଇଁ ମାଳ ମାଳ ଯୋଜନା ଓ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ତାହାକୁ ହାଲୁକାରେ ନେଉଛନ୍ତି। ନିୟମ ମୁତାବକ ଯଦି କୌଣସି ଛାତ୍ରଛାତ୍ରୀଙ୍କୁ ୧୪ ବର୍ଷ ହୋଇଥିବ ଏବଂ ସେମାନେ ଚତୁର୍ଥ ଶ୍ରେଣୀ ପାସ କରିଥିବେ ତେବେ ସେମାନେ ସରକାରଙ୍କ ମୁକ୍ତ ବିଦ୍ୟାଳୟରେ ନାମ ଲେଖାଇ ପଢ଼ିପାରିବେ।

ଅନୁରୂପ ଭାବେ ଚତୁର୍ଥ ପାସ କରିନଥିବା ବ୍ୟକ୍ତିଙ୍କୁ ସର୍ବ ଶିକ୍ଷା ଅଭିଯାନ ଅନ୍ତର୍ଗତ ମାଗଣାରେ ଶିକ୍ଷାଦାନ ଦିଆଯିବ। ତେବେ ଏଥିନିମନ୍ତେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସେହି ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ଅଭିଭାବକଙ୍କ ସହ କଥାବାର୍ତ୍ତା କରି ମୁକ୍ତ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ପ୍ରୋତ୍ସାହିତ କରିବା କଥା। କିନ୍ତୁ ବାଣପୁର ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ବିଇଓଙ୍କ କହିବା କଥା ବାଣପୁର ବ୍ଲକରେ ବିଦ୍ୟାଳୟ ଛାଡିଥିବା ଏକାଧିକ ପିଲା ବାହାର ରାଜ୍ୟକୁ କାମ କରିବା ପାଇଁ ପଳାଉଥିବା ବେଳେ ଆଉ କିଛି ପିଲା ପ୍ରାପ୍ତ ବୟସ୍କ ପୁର୍ବରୁ ବିବାହ କରିଦେଉଛନ୍ତି। ତେବେ ଯଦି ବାଣପୁର ବ୍ଲକରେ ଏପରି କିଛି ଘଟୁଛି ତାହାଲେ ବିଇଓ ତୁରନ୍ତ ଏ ନେଇ ଉପରିସ୍ଥ ଅଧିକାରୀ କିମ୍ୱା ସ୍ଥାନୀୟ ପ୍ରଶାସନକୁ ଅବଗତ କରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା କଥା। କାରଣ ବାଲ୍ୟ ବିବାହ ଓ ବାଲ୍ୟ ଶ୍ରମିକ ଉଭୟ ବେଆଇନ।  କିନ୍ତୁ ସେପରି କିଛି ହେଉନାହିଁ। ବିଇଓଙ୍କ କହିବା ଅନୁଯାୟୀ ସେ ବିଦ୍ୟାଳୟ ଡ୍ରପ ଆଉଟ ପିଲାଙ୍କ ପାଖକୁ ଯାଇ ତାଙ୍କ ଅଭିଭାବକଙ୍କ ସହ ଆଲୋଚନା କରିବା ଏବଂ କାଉନସେଲିଙ୍ଗ କରିବା ପାଇଁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କ ଉଦାସୀନତା ମନୋଭାବ ଲାଗି ଏହାର ସୁଫଳ ମିଳୁପାରିନାହିଁ।

ଯଦି ପ୍ରତ୍ୟେକ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଉକ୍ତ ସମସ୍ୟାକୁ ଗୁରୁତର ସହ ନେଇ ଛାତ୍ରଛାତ୍ରୀଙ୍କୁ ପୁଣି ବିଦ୍ୟାଳୟକୁ ଆଣିବାରେ ସଫଳ ହୁଅନ୍ତି, ତେବେ ବ୍ଲକରେ ସ୍ଵାକ୍ଷର ହାର ବଢିବା ସହ କୁନି ବୟସରୁ ଛାତ୍ରଛାତ୍ରୀ ମାନେ ବିପଥଗାମୀ ହେବେ ନାଇଁ। ତେବେ ଗତ ବର୍ଷ ଡ୍ରପ ଆଉଟ ହୋଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୨୭୧ ଛାତ୍ରଛାତ୍ରୀଙ୍କ ଡାଟା ବିଭାଗ ପାଖରେ ନଥିବା ବେଳେ, ଦଶମ ଶ୍ରେଣୀ ଅଧାରୁ ଛାଡିଥିବା ୩୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭ ଜଣ ମୁକ୍ତ ବିଦ୍ୟାଳୟରେ ନାମ ଲେଖାଇଥିବା ସଫେଇ ଦେଇଛନ୍ତି ବିଇଓ ଶ୍ରୀ ଜାଲି।

ତେବେ ପ୍ରତିବର୍ଷ ବାଣପୁର ବ୍ଲକରେ ଡ୍ରପ ଆଉଟଙ୍କ ସଂଖ୍ୟା ପ୍ରାୟତଃ ସମାନ ରହୁଥିବା ବେଳେ ଏହା କିପରି ଶୂନ ହେବ ସେ ଦିଗରେ କାମ କରିବା ଏକାନ୍ତ ଜରୁରୀ ହୋଇପଡିଛି।  ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇଙ୍କୁ ଆମ ପ୍ରତିନିଧି ପଚାରିବାରୁ ସେ ଉକ୍ତ ସମସ୍ୟାକୁ ଗୁରୁତର ସହ ନେଇଥିବା ବେଳେ ଏ ବାବଦରେ ରିପୋର୍ଟ ଦେବା ପାଇଁ ଚିଠି ମଧ୍ୟ କରିସାରିଛନ୍ତି। ଏବଂ ଯେଉଁଠି ଡ୍ରପ ଆଉଟ ସଂଖ୍ୟା ଅଧିକ ହେବ ସେହି ବିଦ୍ୟାଳୟ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦରମା ଓ ଇନ୍କ୍ରିମେଣ୍ଟ ତୁରନ୍ତ ବନ୍ଦ ହେବ ବୋଲି ଶ୍ରୀ ତରେଇ ରୋକଠୋକ କହିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ‘ଏକତା ପରିଷଦ ଟ୍ରଷ୍ଟ’ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ମହିଳା ହିଂସା ବିରୋଧୀ ଦିବସ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ସହିଦ କୃତିବାସ ଭବନ ପରିସରରେ ଆଜି ‘ଏକତା ପରିଷଦ ଟ୍ରଷ୍ଟ’ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ମହିଳା ହିଂସା ବିରୋଧୀ ଦିବସ ପାଳିତ ହୋଇଯାଇଛି।  ଏହାସହ ମହିଳା ହିଂସା ବିରୁଦ୍ଧରେ ୧୬ ଦିନିଆ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଉକ୍ତ ଅଭିଯାନ ଆଗାମୀ ୧୦ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ବାଣପୁର ବ୍ଲକର ବିଭିନ୍ନ ଗ୍ରାମରେ ଜାରି ରହିବ।

ଆଜି ଉକ୍ତ ମହିଳା ହିଂସା ବିରୋଧୀ ଦିବସରେ ବାଣପୁର ବ୍ଲକର ତିନି ଶହରୁ ଉର୍ଦ୍ଧ୍ଵ କିଶୋରୀ ବାଳିକା ଓ ମା’ ମାନେ ତଥା ଗୋଦାବରୀଶ ମହାବିଦ୍ୟାଳୟ, ଗ୍ରାମୀଣ ମହିଳା ମହାବିଦ୍ୟାଳୟ, ଅଙ୍ଗନବାଡ଼ି କର୍ମୀ, ଅନ୍ୟାନ୍ୟ ସାମାଜିକ ସଂଗଠନ, ସାହିତ୍ୟିକ, ସାମ୍ବାଦିକ ତଥା ଅନ୍ୟାନ୍ୟ ସାମାଜିକକର୍ମୀ ମାନେ ଯୋଗଦେଇଥିଲେ।

ବିଶିଷ୍ଟ ମାନବାଧିକାର ଆନ୍ଦୋଳନର ପ୍ରବକ୍ତା ଭାଲ ଚନ୍ଦ୍ର ଷଡଙ୍ଗୀ, ବିଶିଷ୍ଟ ଲେଖିକା ଓ ମହିଳା ଆନ୍ଦୋଳନର ପ୍ରବକ୍ତା ତଥା ବାଣପୁରର ପୂର୍ବତନ ମହିଳା ଓ ଶିଶୁ ସୁରକ୍ଷା ଅଧିକାରୀଣି ବିଦୁପ୍ରଭା ରଥ ଏବଂ ଦାମିଆ ବରବରା ସରପଞ୍ଚ ବୀଣାପାଣି ଷଣ୍ଢ ଆଦି ଯୋଗଦେଇଥିଲେ।

ମହିଳାମାନଙ୍କ ଉପରେ ହେଉଥିବା ଭେଦଭାବ ଓ ହିଂସା ବିରୁଦ୍ଧରେ ବାଣପୁର ବ୍ଲକର ବିଭିନ୍ନ ଗ୍ରାମରେ ଜାଗରଣ କରିବା ସହ ଏଭଳି ହିଂସାର ଶିକାର ହୋଇଥିବା ମା’ ଓ ଶିଶୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ବାଣପୁରରେ ମହିଳା ମାନଙ୍କ ସଂଗଠନଗୁଡ଼ିକ ମଜବୁତ୍ କରିବା ଓ ସେମାନଙ୍କୁ ଆଇନ୍ କାନୁନ୍ ରେ ପ୍ରଶିକ୍ଷିତ କରିବା ପାଇଁ ସ୍ଥିର କରାଯାଇଛି। ଏଥିରେ ହିଂସା ବିରୁଦ୍ଧରେ ବାଣପୁର ବ୍ଲକର ମା’ ମନେ ଲଢ଼ିବା ସହ ବାଣପୁରକୁ ମହିଳା ହିଂସା ମୁକ୍ତ ଅଞ୍ଚଳ କରିବା ପାଇଁ ଶପଥ ନେଇଛନ୍ତି।

ବୈଠକକୁ ପରିଷଦର ମୁଖ୍ୟ ସନ୍ଧ୍ୟା ଦେବୀ ପରିଚାଳନା କରିଥିବା ବେଳେ ସୌଦାମିନୀ ଦେଈ, ଗୀତମୟୀ, ଟୁନିଦାସ, କବିତା ପ୍ରଧାନ, ବିରେନ୍ଦ୍ର ବେହେରା, ତାରା ପ୍ରସାଦ ବାରିକ୍ ଆଦି ସଂଗଠନର ସାଥୀମାନେ ପରିଚାଳନାରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ଗସ୍ତ ପରେ ସରକାରଙ୍କ ତତ୍ପରତା: ମା’ ଭଗବତୀ ମନ୍ଦିର ପରିଦର୍ଶନରେ ଆସିଲା ଓବିସିସି ଟିମ୍

ସୀତାରାମ ଅଗ୍ରୱାଲ

ବାଣପୁର: ନିକଟରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିରକୁ ୫-ଟି ସଚିବ ପରିଦର୍ଶନ କରି ଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ଏହାର ଉନ୍ନତିକୁ ନେଇ ତତ୍ପରତା ପ୍ରକାଶ ପାଇଛି। ପୂର୍ତ୍ତ ବିଭାଗ ଅଧିନସ୍ଥ ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ ଲିମିଟେଡ଼ (ଓବିସିସି) ର ଅଧିକ୍ଷଣ ଯନ୍ତ୍ରୀ ରଶ୍ମିରଞ୍ଜନ ସାହୁ ଏକ ଟିମ ସହ ଆଜି ମନ୍ଦିର ଏବଂ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଫେରିଯାଇଛନ୍ତି।

ପାଣ୍ଡିଆନଙ୍କ ଗସ୍ତ ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ଉନ୍ନତିମୂଳକ ପ୍ରସ୍ତାବର ବ୍ଲୁ ପ୍ରିଣ୍ଟକୁ ପରଖିଛି ଏହି ଟିମ। ଭଗବତୀ ମନ୍ଦିର, ବସ ଷ୍ଟାଣ୍ଡ ପାଇଁ ଅପ୍ରୋଚ ରୋଡ ସ୍ଥାନ ଆଦି ନିରୀକ୍ଷଣ କରିଛନ୍ତି ଏହି ଟିମ।

ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ସାହୁଙ୍କ କହିବା ମୁତାବକ ୫-ଟି ସଚିବଙ୍କ ନିର୍ଦ୍ଦେଶକ୍ରମେ ଖୁବଶୀଘ୍ର ମା’ ଭଗବତୀ ମନ୍ଦିରର ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବ। ସାଧାରଣତଃ ୫-ଟି ଅଧୀନରେ ରୁପାନ୍ତର ହୋଇଥିବା ରାଜ୍ୟର ପ୍ରମୁଖ ମନ୍ଦିର ଗୁଡିକର ଦାଇତ୍ୱ ଓବିସିସି ନେଇଥାଏ। ଏହି ପରିପ୍ରେକ୍ଷୀରେ ମା’ ଭଗବତୀ ମନ୍ଦିର ପାଇଁ ଦିଆଯାଇଥିବା ଉନ୍ନୟନ ପ୍ରକଳ୍ପର ବ୍ଲୁ ପ୍ରିଣ୍ଟ କୁ ପରଖି ୫-ଟି ସଚିବଙ୍କୁ ଓବିସିସି ଏହାର ଏକ ରିପୋର୍ଟ ଦେବ। ଏହା ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାଣପୁର ନାଗରିକଙ୍କ ଏକ ବୈଠକ କରାଯାଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ ଏବଂ ୫-ଟି ସଚିବଙ୍କୁ ହସ୍ତାନ୍ତର କରାଯିବ। ଉଭୟ ରିପୋର୍ଟ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିବା ପରେ ମା’ ଭଗବତୀ ମନ୍ଦିରର ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି।