Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଓ ଚିଲିକାରେ ତିନି ଦଫା ଦାବି ନେଇ ଗର୍ଜିଲା ପ୍ରାଥମିକ ଶିକ୍ଷକ ସଂଘ

ସୀତାରାମ ଅଗ୍ରୱାଲ

ଚିଲିକା: ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆଜି ଓଡ଼ିଶାର ସମସ୍ତ ବ୍ଲକରେ ୩ ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଉଥିବା ବେଳେ ଅନୁରୂପ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସଭାପତି ବିଭୁତି ଭୂଷଣ ସ୍ବାଇଁଙ୍କ ନେତୃତ୍ୱରେ ତିନି ଦଫା ଦାବି ନେଇ ବାଣପୁର ସହରରେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ବିରାଟ ରାଲି ମା’ ଭଗବତୀ ମନ୍ଦିରରୁ ବାହାରି ସହର ପରିକ୍ରମା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା। ସଂଘର ସଭାପତି ବିଭୁତି ଭୂଷଣ ସ୍ୱାଇଁ, ସମ୍ପାଦକ ପ୍ରଦୀପ୍ତ କିଶୋର ମହାପାତ୍ର, ସଭ୍ୟ କୈଳାଶ ଚନ୍ଦ୍ର ହୋତା, ବିମଳ ନାୟକ, ନରେଶ ପଣ୍ଡା, ସମୀର ସେଠୀ ଏବଂ ପ୍ରାୟ ତିନିଶହରୁ ଅଧିକ ପ୍ରାଥମିକ ଶିକ୍ଷକ ୬ବର୍ଷର ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ କରି ୬ବର୍ଷର ବର୍ଦ୍ଧିତ ଦରମା ପ୍ରଦାନ କରିବା, କେନ୍ଦ୍ରୀୟ ଅନୁଦାନରେ ସମସ୍ତ ଶିକ୍ଷକଙ୍କୁ ସାମିଲ କରିବା ଓ ନୂତନ ପେନସନ ଉଚ୍ଛେଦ କରି ପୁରାତନ ପେନସନ ଯୋଜନା ଲାଗୁ କରିବା ଭଳି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅନୁପସ୍ଥିତରେ ବିଆରସିସି ସନ୍ଧ୍ୟାରାଣୀ ହରିଚନ୍ଦନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ଉକ୍ତ ଦାବିକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରି ପଦକ୍ଷେପ ନ ନିଅନ୍ତି ତେବେ ଆସନ୍ତା ୨୭ତାରିଖରେ ଶିକ୍ଷକ ମାନଙ୍କର ଏକ ବିରାଟ ଆନ୍ଦୋଳନ ସାରା ଓଡିଶା ଦେଖିବ ବୋଲି ସଭାପତି ବିଭୁତି ଭୂଷଣ ସ୍ୱାଇଁ ତାଙ୍କ ପ୍ରତିକ୍ରିୟାରେ କହିବା ସହ ଶିକ୍ଷକ ମାନେ ସରକାରଙ୍କର ପ୍ରକୃତ ବିଦ୍ରୋହୀ ଭାବେ ଛିଡା ହେବେ ବୋଲି ଚେତାବନୀ ଦେଇଥିଲେ।

ଅନୁରୂପ ଭାବେ ଚିଲିକା ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟ ସିଙ୍ଗିପୁର ଶନି ମନ୍ଦିର ନିକଟରୁ ଏକ ବିରାଟ ରାଲି କରି ଗଙ୍ଗାଧରପୁର ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉଭୟ ସ୍ଥାନରେ ରାଲି ସମୟରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ବନମାଳୀ ବେହେରାଙ୍କ ବଦଳି

ସୀତାରାମ ଅଗ୍ରୱାଲ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ବନମାଳୀ ବେହେରାଙ୍କ ବଦଳି ହୋଇଛି। ଏ ନେଇ ଗତକାଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଦଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଉକ୍ତ ନିର୍ଦ୍ଦେଶନାମାରେ ସାରା ରାଜ୍ୟର ବିଭିନ୍ନ ଅଣ ସରକାରୀ ସାହାଯ୍ୟପ୍ରାପ୍ତ କଲେଜର ସମୁଦାୟ ୯୪ ଜଣ ଅଧ୍ୟାପକ/ଅଧ୍ୟାପିକା ଙ୍କ ବଦଳି ହୋଇଥିବା ବେଳେ ତନ୍ମଧ୍ୟରୁ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବନମାଳି ବେହେରା ଅନ୍ୟତମ।

ତାଙ୍କର ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗକୁ ବଦଳି ହୋଇଛି। ସେହିପରି ଭାବେ ଗୋଦାବରୀଶ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପିକା ଜୟଶ୍ରୀ ସାହୁଙ୍କ ଅନୁଗୁଳ ମହିଳା ମହାବିଦ୍ୟାଳୟକୁ ବଦଳି ହୋଇଛି। ତେବେ ଶ୍ରୀ ବେହେରା ଚଳିତ ବର୍ଷ ଫେବୃଆରୀ ୧ ତାରିଖରୁ ଗୋଦାବରୀଶ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ ନେଇଥିବା ବେଳେ ବର୍ତ୍ତମାନ ତାଙ୍କ ବଦଳି ପରେ କିଏ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ହେବ ତାହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ସଡ଼କ ଦୁର୍ଘଟଣାରେ ଯୁବକଙ୍କ ପ୍ରାଣହାନୀ, ଗାଡ଼ି ଚାଳକ ଫେରାର

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ ଆଜି ପୂର୍ବାହ୍ନରେ ସାନ ହନ୍ତୁଆଡ଼ ଗ୍ରାମର ହେମନ୍ତ ସ୍ୱାଇଁ (୨୮) ଓଡଗାଁରୁ କାମ ସାରି ନିଜ ବାଇକରେ ଗଣେଶ ପାଇକରାୟଙ୍କ ସହ ଘରକୁ ଫେରୁଥିବା ବେଳେ ଓଡଗାଁ-କୋଳଥଡିହ ମଝି ରାସ୍ତାରେ ଏକ ବୋଲେରୋ ପିକ ଅପ ଗାଡ଼ି ହେମନ୍ତଙ୍କ ବାଇକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକରୁ ଛିଟିକି ତଳେ ପଡିଯାଇଥିବା ବେଳେ ହେମନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତ ଗଣେଶଙ୍କୁ ସ୍ଥାନୀୟ ବ୍ୟକ୍ତି ଉଦ୍ଧାର କରି ବାଣପୁର ମେଡିକାଲ ପଠାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।

ମୃତ ହେମନ୍ତଙ୍କ ପିତା ରବୀନ୍ଦ୍ର ସ୍ୱାଇଁଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନମ୍ବର ୪୯୦/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ପ୍ରଥମାଷ୍ଟମୀରେ ପରୁଆଁ ହେଲେ ମା’ ଭଗବତୀ

ସୀତାରାମ ଅଗ୍ରୱାଲ

ବାଣପୁର: ପ୍ରଥମାଷ୍ଟମୀରେ ସାଧାରଣତଃ ଘରର ପ୍ରଥମ ସନ୍ତାନଙ୍କୁ ପୂଜା କରାଯାଇଥାଏ।ଘରର ବଡ଼ ପୁଅ ବା ବଡ଼ ଝିଅ ମାମୁଁ ଘରୁ ଆସିଥିବା ନବବସ୍ତ୍ର ପରିଧାନ କରି ବନ୍ଦାପନା ହୋଇ ବିଭିନ୍ନ ସ୍ଵାଦିଷ୍ଟ ପିଠାପଣା ଖାଇବା ପରମ୍ପରା ଓଡ଼ିଶାର ଏକ ପ୍ରଧାନ ପରମ୍ପରା। ସେହିପରି ମା’ ଭଗବତୀ ମଧ୍ୟ ଏହି ଦିନ ପଢୁଆଁ ହୋଇଥାନ୍ତି। ମା’ ଭଗବତୀଙ୍କ ରିତିନୀତିରେ ଏହି ପ୍ରଥମାଷ୍ଟମୀ ଏକ ମହତ ରଖେ। ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତି ପ୍ରଥମାଷ୍ଟମୀରେ ପଢୁଆଁ ହେଲା ପରି ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀ ମଧ୍ୟ ପ୍ରଥମାଷ୍ଟମୀ ଦିନ ପଢୁଆଁ ହୋଇଥାନ୍ତି।

ମା’ଙ୍କ ପିତ୍ରାଳୟରୁ ଆସିଥିବା ନବବସ୍ତ୍ର ପରିଧାନ କରି ନୂଆ ଚାଉଳ, ନୂଆ ବିରି, ନଡ଼ିଆ, ଗୁଡ଼ରେ ପ୍ରସ୍ତୁତ ଏଣ୍ଡୁରି ପିଠା ସହ ନାନାଦି ନୈବେଦ୍ୟ ଗ୍ରହଣ କରିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ଦେବୀଙ୍କର ମାନବୀୟ ଲୀଳାର ଆଜିର ଏହି ପରମ୍ପରା ଦେବୀ ଭଗବତୀ ପୀଠରେ ଅନନ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆଜି ପ୍ରତ୍ୟୁଷରୁ ମା’ଙ୍କ ଦ୍ଵାର ପିଠା, ଅଙ୍ଗରାଗ, ମାଜଣା, ମହାପ୍ରସାଦ ଅର୍ପଣ, ମଙ୍ଗଳ ଆଳତୀ ବଲ୍ଲଭ ପରେ ମାଙ୍କୁ ପିତା ଦକ୍ଷ ପ୍ରଜାପତିଙ୍କ ଘରୁ ଆସିଥିବା ନବପାଟବସ୍ତ୍ରରେ ବେଶ କରାଯାଇ ସାଧାରଣ ଦର୍ଶନ କରାଯାଇଥିଲା। ପରେ ଖେଚେଡି, ଡାଲି, ଏଣ୍ଡୁରି ରେ ଧୁପ କରାଯାଇ ଆରତି ବଢିଥିଲା।

ଆଜି ମା’ଙ୍କ ନିମନ୍ତେ ଅଷ୍ଟମୀ ଭାର ସହିତ ନୂତନ ବସ୍ତ୍ର ମା’ଙ୍କ ଛତିଶାସେବକ ଦଣ୍ଡ ସେଣା ଦକ୍ଷପ୍ରଜାପତି ମନ୍ଦିରରୁ ଏଣ୍ଡାଓମେଣ୍ଟ ଦ୍ୱାରା ପ୍ରସ୍ତୁତ ଭାର ନେଇ ମନ୍ଦିରରେ ପହଞ୍ଚାଇଥିଲେ। କାରଣ ମା’ ଭଗବତୀ ଦକ୍ଷପ୍ରଜାପତିଙ୍କ କନ୍ୟା ଭାବରେ ପୁରାଣରେ ବର୍ଣ୍ଣିତ ଅଛି। ଅନୁରୂପ ଭାବେ ବାଣପୁରର ଆରାଧ୍ୟ ଦେବତା ଶ୍ରୀ ରଙ୍କନାଥ ଦେବ ଏବଂ ଚରଣ ଚକାଦେବଙ୍କ ପିଠରେ ମଧ୍ୟ ପ୍ରଥମାଷ୍ଟମୀ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି।

Categories
ଆଞ୍ଚଳିକ

ବାଣପୁରର ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲା: ଗିରଫ ହେଲେ ଫେରାର ଅଭିଯୁକ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବହୁ ଚର୍ଚ୍ଚିତ ପଙ୍କାଳ ଗ୍ରାମ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଆଜି ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଲକ୍ଷ୍ମୀଧର ରାଉତରାୟ। ତାଙ୍କୁ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଗିରଫ କରାଯାଇଥିବାର ଜଣାପଡିଛି। ଏନେଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

ତେବେ ଖୁବ ଶୀଘ୍ର ଉକ୍ତ ହତ୍ୟାକାଣ୍ଡରେ ଫେରାର ଥିବା ଲକ୍ଷ୍ମୀଧରଙ୍କ ଅନ୍ୟ ଦୁଇ ଭାଇ ମଧ୍ୟ ଗିରଫ ହେବେ ବୋଲି ଏସଡିପିଓ ଶ୍ରୀ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଅକ୍ଟୋବର ୧୦ ତାରିଖ ଦିନ ପଙ୍କାଳ ଗ୍ରାମର ସୁବାସ ରାଉତରାୟଙ୍କ ତିନି ଭାଇ ସୁବାସ ଏବଂ ତାଙ୍କ ଧର୍ମପତ୍ନୀ ମିନାକ୍ଷୀ ରାଉତରାୟଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ବେଳେ ମିନାକ୍ଷୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେବେଠାରୁ ସମସ୍ତ ଅଭିଯୁକ୍ତ ଫେରାର ଥିବା ବେଳେ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓଙ୍କୁ ତତ୍ୱାବଧାନରେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା ଅଭିଯୁକ୍ତମାନଙ୍କ ତଲାସ ଜାରି ରଖିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ମହାଙ୍ଗା ପଡ଼ିଲା କମେଣ୍ଟ ମରା, ପୋକସୋ ଆକ୍ଟରେ ବନ୍ଧା ହେଲେ ରୋଡ ରୋମିଓ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦିନକୁ ଦିନ ସ୍କୁଲ ଓ କଲେଜ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ବଢୁଥିବା ବେଳେ ଏହା ଉପରେ କଠୋର ପନ୍ଥା ଆପଣେଇଛି ପୋଲିସ। ରୋଡରୋମିଓ ମାନେ ଆଇନକୁ ଖାତିର ନକରି ବାରମ୍ବାର ରାସ୍ତାଘାଟ ରେ ନିରୀହ ଛାତ୍ରୀ ତଥା ଯୁବତୀ ମାନଙ୍କୁ ହଇରାଣ ହରକତ କରୁଛନ୍ତି । ତେବେ ବାଣପୁରରେ ଜଣେ ନାବାଳିକାଙ୍କୁ କମେଣ୍ଟ ମାରିବା ତଥା ଅସଦାଚରଣ ଅଭିଯୋଗରେ ଜଣେ ଯୁବକ ପୋକସୋ ଆକ୍ଟରେ ପୋଲିସ ଦ୍ୱାରା ବନ୍ଧା ହୋଇଛନ୍ତି।

ସୂଚନା ମୁତାବକ ଗତକାଲି କୁମାରାଙ୍ଗ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦେବରାଜ ନାୟକ(୩୦) ନାମକ ଯୁବକ କମେଣ୍ଟ ମାରିବା ସହ ଅସଦାଚରଣ କରିଥିଲେ। ଏ ନେଇ ପରବର୍ତ୍ତୀ ସମୟରେ ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ଦିଆଯିବା ପରେ ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ନିର୍ଦେଶକ୍ରମେ ତୁରନ୍ତ ଏକ ଟିମ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

ଉକ୍ତ ଯୁବକଙ୍କ ବିରୁଦ୍ଧରେ ୧୨ ପୋକସୋ ଆକ୍ଟରେ କେସ ନମ୍ବର ୪୭୧/୨୨ ରେ ମାମଲା ରୁଜୁହେବା ସହ ଆଇପିସିର ଏକାଧିକ ସଙ୍ଗୀନ ଦଫା ମଧ୍ୟ ଲାଗିଥିବାର ଜଣାପଡିଛି । ଆଇଆଇସି ଶ୍ରୀ ପରିଡାଙ୍କ କହିବା ମୁତାବକ ନାବାଳିକା ତଥା ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ଆସିଲେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ତେବେ ପୋଲିସର ଉକ୍ତ ପଦକ୍ଷେପ ଦ୍ୱାରା ରୋଡରୋମିଓ ମାନେ ସାବାଡ଼ ହେବେ ବୋଲି ବୁଦ୍ଧିଜୀବୀ ମାନେ ଆଶା ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର : ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ପରିଚାଳନା ଓ ପ୍ରଶିକ୍ଷଣ ଶିବିର ଉଦଘାଟିତ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ଗ୍ରାମ ପଂଚାୟତର ବୃନ୍ଦାବନପୁର (ଭାପୁର )ଗ୍ରାମର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଆଜି ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ବାତ୍ୟା ଆଶ୍ରୟ ସ୍ଥଳୀର ପରିଚାଳନା କମିଟିକୁ ଏକ ୭ଦିନିଆ ପ୍ରଶିକ୍ଷଣ ଶିବିର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଉକ୍ତ ଉଦଘାଟନୀ ଉତ୍ସବରେ ଭେଟେଶ୍ୱର ପଞ୍ଚାୟତ ସରପଞ୍ଚ ସାବିତ୍ରୀ ଭୋଳ, ବାଣପୁର ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ଅତିରକ୍ତ ବ୍ଲକ ଉନ୍ନୟନ ଅଧିକାରୀ ସୀମାଦ୍ରି ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ପ୍ରକାଶ ଥାଉକି ବାତ୍ୟା ଆଶ୍ରୟ ସ୍ଥଳୀର ପରିଚାଳନା ଏବଂ କୌଣସି ବିପର୍ଯ୍ୟୟ ସମୟରେ ଅନୁସନ୍ଧାନ ଓ ଉଦ୍ଧାର ନିମନ୍ତେ ଏଠାରେ ଆଜିଠାରୁ ୭ଦିନିଆ କୌଶଳ ପ୍ରଦାନ ଦିଆଯିବ।ଉକ୍ତ କୌଶଳ ଶିକ୍ଷା କେନ୍ଦ୍ରରେ ପଞ୍ଚାୟତର ପ୍ରାୟ ୨୫ଜଣଆ କମିଟି ଙ୍କ ସହ ୫୦ ଜଣ ଯୁବ ସ୍ୱେଚ୍ଛାସେବୀ ଶିକ୍ଷା ଗ୍ରହଣ କରିବେ। ଉକ୍ତ କମିଟିର ସଭାନେତ୍ରୀ ତଥା ଭେଟେଶ୍ୱର ସରପଞ୍ଚ ସାବିତ୍ରୀ ଭୋଳ,ଉପସଭାପତି ପଂଚାୟତ ନିର୍ବାହୀ ଅଧିକାରୀ, ସମ୍ପାଦକ ଅଶୋକ ବାରିକଙ୍କ ସହ ଅନ୍ୟ ୨୫ଜଣ ସଦସ୍ୟ ୫ଦିନ ଧରି ଅନୁସନ୍ଧାନ ଓ ଉଦ୍ଧାର ପାଇଁ ନୋଡାଲ ଏନ ଜି ଓ ନେହେରୁ ସେବାସଙ୍ଘର ପ୍ରଶିକ୍ଷକ ଗୋବିନ୍ଦ ବେହେରା ଏବଂ ପ୍ରଦୀପ କୁମାର ଦାସଙ୍କ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବେ।

ଅନ୍ୟ ୨୫ ଜଣ ଯୁବକ ଯୁବତୀ ୨ଦିନ ଧରି ପ୍ରାଥମିକ ଚିକିତ୍ସା କୌଶଳ ଭୁବନେଶ୍ୱରରୁ ଆସିଥିବା ସିଭିଲ ଡିଫେନ୍ସ ର ପ୍ରଶିକ୍ଷକଙ୍କ ଦ୍ଵାରା ଶିକ୍ଷା ନେବାକୁ ସ୍ଥିର କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଭେଟେଶ୍ୱର ପଞ୍ଚାୟତର ସମାଜସେବୀ ଜିତେନ୍ଦ୍ର ଭୋଳଙ୍କ ପରିଚାଳନା କରିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ଭଗବତୀଙ୍କ ପୀଠରେ ଚନ୍ଦ୍ରଗ୍ରହଣ ନୀତିକାନ୍ତି

ବାଣପୁର: ଚଳିତ ମହାକାର୍ତ୍ତିକ ରାସ ପୂର୍ଣ୍ଣିମା ତିଥି ତା-୮.୧୧.୨୨ ରିଖ ମଙ୍ଗଳବାର ଦିନ ଅପରାହ୍ନରେ କେତୁ ଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ଏବଂ ଏହା ଓଡ଼ିଶାକୁ ଦୃଶ୍ୟମାନ ହେଉଥିବାରୁ ଶ୍ରୀମନ୍ଦିର ପରି ମା’ଭାଗବତୀଙ୍କ ପୀଠରେ ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ପାଳିତ ହେବ। ମନ୍ଦିର ପ୍ରଶାସନ, ମନ୍ଦିର ଖଡ଼ିରତ୍ନ, ପରିଛା ସାମନ୍ତ, ଛତିଶା ନିଯୋଗଙ୍କ ମିଳିତ ବୈଠକର ନିଷ୍ପତିକ୍ରମେ ତା’ ୭.୧୧.୨୨ ରିଖ ସୋମବାର ସଂଧ୍ୟାରୁ ରାତ୍ର ୧୦ଟା ୩୦ରେ ମା’ଙ୍କ ବଡ଼ସିଂହାର ହୋଇ ପହଡ଼ ପଡ଼ିବ।

ସେହି ଦିନ ରାତ୍ର ୧୨ଘଟିକା ପରେ ମା’ଙ୍କ ମଙ୍ଗଳବାର ନୀତିକାନ୍ତି ଆରମ୍ଭ ହୋଇ ଦ୍ଵାର ଫିଟା, ଅବକାଶ, ଅଙ୍ଗରାଗ ମାଜଣା, ବେଶ, ମହାପ୍ରସାଦ ଅର୍ପଣ, ବଲ୍ଲଭ ଆଳତୀ ପରେ ଖେଚଡ଼ି ଡାଲି ଧୂପ ବଢି ଶଙ୍କୁଡ଼ି ପୂଜା ହୋଇ ମଙ୍ଗଳବାର ଭୋର ୫ଟାରୁ ମାଠ ପୁଳି ଧୂପ ଶେଷ ପରେ ଦେବନୀତି ବନ୍ଦ ରହିବ।

ମଙ୍ଗଳବାର ଦିନ ଗ୍ରହଣ ଲାଗୁଥିବାରୁ ଦିନ ସାରା ମନ୍ଦିର ଖୋଲା ରହିବ ଏବଂ ସର୍ବ ସାଧାରଣ ମଣ୍ଡପ ଉପରେ ରହି ଦୂରରୁ କେବଳ ମା’ଙ୍କୁଦର୍ଶନ କରିବେ। ସ୍ପର୍ଶ କରିବେ ନାହିଁ। ଗ୍ରହଣସ୍ପର୍ଶ ଅପରାହ୍ନ ୨ଟା ୩୯ମିରୁ ଆରମ୍ଭ ହେଉଥିବାରୁ ଗ୍ରହଣ ମଧ୍ୟ ସମୟ ୪ଟା ୨୯ମିରେ ଗ୍ରହଣ ଭୋଗ ହୋଇ ପୋତା ହେବ। ଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୨୯ମି ପରେ ପୁଣି ମଙ୍ଗଳବାର ରାତ୍ର ନୀତିକାନ୍ତି ଆରମ୍ଭ ହେବ। ସେହି ଦିନ ମା’କାଠି ଠାକୁରାଣି ସଂଧ୍ୟା ୮ ଘଟିକାରେ ଦକ୍ଷେଶ୍ଵର ମନ୍ଦିରରୁ ବିଜେ କରିବେ ଏବଂ ବଡ଼ସିଂହାର ପରେ ମଙ୍ଗଳବାର ରାତ୍ର ୧୧ ଘଟିକାରେ ପିତ୍ରାଳୟକୁ ଫେରିବା ପରେ ପହୁଡ଼ ହେବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରୁ ଚୋରା କୋଇଲା ବୋଝେଇ ଟ୍ରଲର ଜବତ, ଜଣେ ଅଟକ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଏକ ଚୋରା କୋଇଲା ବୋଝେଇ ଟ୍ରଲର ଜବତ ହୋଇଥିବାର ଖବର ହସ୍ତଗତ ହୋଇଛି। ସୂଚନା ମୁତାବକ ଗତକାଲି ରାତିରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ପାଟ୍ରୋଲିଂ କରୁଥିବା ବେଳେ କନ୍ଧ ପୁଞ୍ଜିଆମା ଇଟା ଭାଟି ନିକଟରେ ଏକ ଟ୍ରଲରରୁ କୋଇଲା ଖାଲି କରିବା ପାଇଁ ଉଦ୍ୟତ ହେଉଥିବାର ଦେଖିବାକୁ ପାଇଥିଲେ।

ତେବେ ବାଣପୁରରେ ଏତେ ପରିମାଣର କୋଇଲା ଖାଲି ହେବା ଘଟଣା ସନ୍ଦେହଜନକ ହୋଇଥିବାରୁ ତହସିଲଦାର ଗାଡ଼ି ଚାଳକଙ୍କ ଠାରୁ କାଗଜପତ୍ର ମାଗିଥିଲେ। କାଗଜରେ ଗାଡିଟି ତାଳଚେରରୁ ଲୋଡ଼ ହୋଇ ସୋନପୁର ଅଭିମୁଖେ ଖାଲି କରିବାପାଇଁ ନିର୍ଦ୍ଦେଶ ଥିବାର ତହସିଲଦାର ଜାଣିବାକୁ ପାଇଥିଲେ। ଉକ୍ତ ଗାଡ଼ିରେ ୪୨ ଟନ କୋଇଲା ଥିବା ବେଳେ ଗାଡ଼ି ଚାଳକ ଲୋଭର ବଶବର୍ତ୍ତୀ ହୋଇ କୌଣସି ଅସାଧୁ ବ୍ୟକ୍ତିଙ୍କୁ କୋଇଲା ବିକିବା ଉଦ୍ଦେଶ୍ୟରେ ବାଣପୁର ଆସିଥିବାର ତହସିଲଦାର ଜାଣିବାକୁ ପାଇଥିଲେ।

ଏ ନେଇ ତହସିଲଦାର ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳକୁ ଯାଇ ଗାଡିକୁ ଜବତ କରିବା ସହ ଏକ ମାମଲା ରୁଜୁକରି ଗାଡ଼ି ଚାଳକଙ୍କୁ ଅଟକ ରଖି ତଦନ୍ତ ଜାରିରଖିଛି। ତେବେ ଚୋରା କୋଇଲା କିଣିବାକୁ ଡ଼ିଲ କରିଥିବା ସେଇ ବାଣପୁରର ବେପାରି ଜଣକ କିଏ, ତାହାର ପର୍ଦ୍ଦାଫାଶ କରିବା ସହ ତାଙ୍କୁ ମଧ୍ୟ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପରିସରରୁ ଏକ ସଚେତନତା ପଦଯାତ୍ରା ବାହାରି ସମଗ୍ର ବାଣପୁର ସହର ପରିକ୍ରମା କରିଥିଲା।

ଉକ୍ତ ପଦଯାତ୍ରାକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବନମାଳି ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଡ଼ା ଏସପିଏନଏସ ବର୍ମା ଏବଂ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ମାନେ ପରିଚାଳନା କରିଥିଲେ।

ସୂଚନା ଥାଉକି ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମହାବିଦ୍ୟାଳୟ ପରିସର ମଧ୍ୟରେ ଗତକାଲି ଏକାଧିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତାକାଲି ଏକ ଆଲୋଚନା ଚକ୍ର ମଧ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି।

Categories
ଆଞ୍ଚଳିକ

ବାଣପୁରରେ ବଢିଚାଲିଛି ଜଙ୍ଗଲୀ ହାତୀଙ୍କ ଉପଦ୍ରଵ: ଚିନ୍ତାରେ ଚାଷୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବିଭିନ୍ନ ଅଞ୍ଚଳରେ ହାତୀମାନେ ଏବେ ଗାଁ ମୁହାଁ ହେଉଥିବାରୁ ଅନେକ ଧନ ଜୀବନ ନଷ୍ଟ ହେବା ସହିତ ଫସଲ ମଧ୍ୟ ନଷ୍ଟ ହେଉଥିବାର ନଜିର ରହିଛି।  ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସୁଛି। ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ଓ ଦାମିଆ ବରବରା ଦୁଇଟି ପଞ୍ଚାୟତ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏହା ହାତୀମାନଙ୍କ ରହଣି ସ୍ଥଳ ପାଲଟି ଯାଇଛି। ଫଳରେ ହାତୀମାନଙ୍କ ଉପଦ୍ରବ ଏଠାରେ ଅସହ୍ୟ ହେବାକୁ ଲାଗିଲାଣି।

ଉକ୍ତ ଦୁଇ ପଞ୍ଚାୟତର ବହୁ ଲୋକ ଚାଷୀ ଓ ଦିନ ମଜୁରିଆ ହୋଇଥିବାରୁ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି। ହାତୀ ମାନେ ବାରମ୍ବାର ଏମାନଙ୍କର ଶହଶହ ଏକରର ଧାନ ଫସଲ ନଷ୍ଟ କରିଦେଉଥିବାରୁ ବର୍ଷସାରା କିପରି ନିଜ ପରିବାର ପ୍ରତିପୋଷଣ କରିବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ବହୁ ଗ୍ରାମବାସୀ ମିଶି ପାଳି କରି ରାତିତମାମ ଜଙ୍ଗଲୀ ହାତୀଙ୍କୁ ଜଗୁ ଥିଲେ ସୁଦ୍ଧା ହାତୀଙ୍କ ଦାଉରୁ ଫସଲ ବଞ୍ଚେଇବା କଷ୍ଟ କର ହୋଇଯାଉଛି। ଯାହା ଫଳରେ ଚାଷୀ ମାନେ ଫସଲ ଅମଳ କରିବା ଆଶା ଏକ ପ୍ରକାର ଛାଡିଦେଲେଣି।

ତେବେ ଏନେଇ ଜଙ୍ଗଲ ବିଭାଗକୁ ଜଣେଇଲେ ମଧ୍ୟ ସେମାନେ ନିରୁପାୟ। ବାଲୁଗାଁ ବନାଞ୍ଚଳ ରେଞ୍ଜ ଅଧିକାରୀ ପ୍ରତାପ ମହାନ୍ତିଙ୍କୁ ଏ ନେଇ ଯୋଗାଯୋଗ କରିବାରୁ ବନବିଭାଗ ଜଙ୍ଗଲୀ ହାତୀଙ୍କୁ ଘଉଡ଼ାଇବା ପାଇଁ ସଦାସର୍ବଦା ଚେଷ୍ଟା କରିଆସୁଥିବାର କହିଛନ୍ତି। ବାଣପୁର, ରଣପୁର, ନୟାଗଡ଼ ଏବଂ ଟାଙ୍ଗୀର କିଛି ଜଙ୍ଗଲ ଅଞ୍ଚଳ ହାତୀମାନଙ୍କ ଚଲାପଥ ହୋଇଥିବାରୁ ସେମାନେ ବର୍ଷତମାମ ଉକ୍ତ ରାସ୍ତା ଦେଇ ଯା ଆସ କରିଥାନ୍ତି। ତେବେ ବନ ବିଭାଗ ଅଦ୍ୟାବଧି ୭୭ ଜଣ ହିତାଧିକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରିଥିବାର ଶ୍ରୀ ମହାନ୍ତି କହିଛନ୍ତି।  ଏବଂ ଯେଉଁ ଚାଷୀଙ୍କ ଫସଲ ହାତୀମାନଙ୍କ ଦ୍ୱାରା ନଷ୍ଟ ହେଉଛି, ସେମାନଙ୍କୁ ତୁରନ୍ତ ସରକାରୀ କ୍ଷତିପୂରଣ ଦିଆଯିବାର ବ୍ୟବସ୍ଥା ହୋଇଥିବାର ରେଞ୍ଜ ଅଧିକାରୀ ଶ୍ରୀ ମହାନ୍ତି କହିଛନ୍ତି।

ତେବେ ବେଳ ଥାଉ ଥାଉ ଯଦି ବେଣୀ ବନ୍ଧାନଯାଏ, ଭବିଷ୍ୟତରେ ଉକ୍ତ ସମସ୍ୟା ଉଗ୍ରରୂପ ନେବ ବୋଲି ଚାଷୀମାନେ ମତ ରଖିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବେଆଇନ ବାଘ ଛାଲ ଜବତ ଘଟଣାରେ ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କଲା ଏସଟିଏଫ

ସୀତାରାମ ଅଗ୍ରୱାଲ

ବାଣପୁର: ଗତବର୍ଷ ବେଆଇନ ବାଘ ଛାଲ ଜବତ ଅଭିଯୋଗରେ ଭୁବନେଶ୍ୱର ଏସଟିଏଫ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପଦ୍ମପୁର ଗ୍ରାମର ରତ୍ନାକର ସାହୁଙ୍କୁ ଗିରଫ କରିଥିବା ବେଳେ ଉକ୍ତ ଘଟଣାରେ ଆଉ ତିନି ଅଭିଯୁକ୍ତ ଫେରାର ଥିଲେ। ତେବେ ଏ ସଂକ୍ରାନ୍ତରେ ଏସଟିଏଫ କେସ ନମ୍ବର ୩୮/୨୧ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଉକ୍ତ ଘଟଣାରେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି।

ଗିରଫ ଅଭିଯୁକ୍ତ ଜଣକ ଘାସେଡ଼ିହ ଗ୍ରାମ ବାଉରୀ ସାହିର ଶେଖ ସାହାଜାନ ବୋଲି ଜଣାପଡିଛି। ତେବେ ଗିରଫ ଅଭିଯୁକ୍ତଙ୍କୁ ବାଣପୁର ଜେଏମଏଫସି କୋର୍ଟରେ ଏସଟିଏଫ ହାଜର କରିଥିବାବେଳେ ବିଚାରପତି ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ବାଣପୁର ଜେଲକୁ ପଠାଇଦିଆଯାଇଥିବାର ସୂଚନା ମିଳିଛି।

Categories
ଆଞ୍ଚଳିକ

ବାଣପୁରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ସୁରଭି’ ଆଜି ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠି ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ସୁରଭି’ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଏବଂ ବିଆରସିସି ସନ୍ଧ୍ୟାରାଣୀ ହରିଚନ୍ଦନ ଯୋଗଦେଇଥିଲେ।

ସେହିପରି ଭାବେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ବୁଲବୁଲ ବେହେରା ଯୋଗଦେଇଥିଲେ।

ଏହି ଅବସରରେ ବାଣପୁର ବ୍ଲକର ୧୭ ଟି ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ମାନେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀ ମାନେ ଯୋଗଦେଇ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇଥିଲେ।

ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ବ୍ଲକ ସ୍ତରୀୟ ପ୍ରତିଯୋଗୀତାରେ ପ୍ରଥମସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ‘ସୁରଭୀ ‘କାର୍ଯ୍ୟକ୍ରମରେ ଭାଗନେବେ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅକ୍ଟୋବର ୨ ତାରିଖ ଠାରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ଦିବସ ଥିଲା। ଏହି ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ୱରେ ବାଣପୁର ବ୍ଲକର ବିଜୁଜନତା ଦଳର ମହିଳା ଏବଂ ପୁରୁଷ କର୍ମୀ ଏକ ବିଶାଳ ପଦଯାତ୍ରା କରିଥିଲେ। ପଦଯାତ୍ରାଟି ବାଣପୁରର ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ପୀଠରୁ ଆରମ୍ଭ ହୋଇ ଐତିହାସିକ ପଲଟଣ ପଡିଆ ଠାରେ ସମାପ୍ତ ହୋଇଥିଲା।

ଉକ୍ତ ପଦଯାତ୍ରାରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ଧର୍ମପତ୍ନୀ ତଥା ଖୋର୍ଦ୍ଧା ଜିଲ୍ଲାର ସୁସଂଗଠିକା ସ୍ଵାଗତିକା ଜଗଦ୍ଦେବ, ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ଗୀତାଞ୍ଜଳି ପାଟ୍ଟଶାଣୀ, ଯୁବ ଛାତ୍ର ଜନତା ଦଳର ସଭାପତି ବିଶ୍ୱଦୀପ ପ୍ରଧାନ, ଯୁବ ସଂଗଠକ ମନୋଜ ପ୍ରଧାନ, ମାନସ ପ୍ରଧାନ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଆଦି ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଖବର ପ୍ରସାରଣ ପରେ ସଜାଗ ହେଲା ପ୍ରଶାସନ: ଆରମ୍ଭ ହେଲା ବାଣପୁର କେନାଲ ରୋଡ ମରାମତି କାର୍ଯ୍ୟ

ବାଣପୁର: ଖବର ପ୍ରସାରଣ ପରେ ପ୍ରଶାସନ ଆକ୍ସନ ମୋଡରେ ଆସିଛି। ବାଣପୁର ଅନ୍ତରକିଆରି କେନାଲ ରୋଡ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି।

ପ୍ରକାଶ ଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଅନ୍ତରକିଆରୀ କେନାଲ ରୋଡର ସ୍ଥିତିକୁ ନେଇ ସମୀକ୍ଷା ନିୟୁଜରେ ଗତ ୧୭ ତାରିଖ ଦିନ ଖବର ପ୍ରସାରଣ ହୋଇଥିଲା। ସାମାନ୍ୟ ବର୍ଷା ହେଲେ ଉକ୍ତ ରୋଡ ଦେଇ ପାଣି କେନାଲକୁ ପ୍ରବାହିତ ହେଉଥିବା ଯୋଗୁଁ ରୋଡରୁ ପିଚୁ ଉଠିଯିବା ସହ ବଡ଼ ବଡ଼ ଗତ୍ର ହୋଇଯାଇଥିଲା।

ଯାହାଫଳରେ ଉକ୍ତ ରୋଡରେ ଗତ ଏକ ବର୍ଷ ମଧ୍ୟରେ ଦଶରୁ ଉର୍ଦ୍ଧ୍ଵ ବଡ଼ ଦୁର୍ଘଟଣା ଏବଂ ପ୍ରତ୍ୟେକ ଦିନ ଏକାଧିକ ଛୋଟ ମୋଟ ଦୁର୍ଘଟଣାମାନ ଘଟୁଥିବା ଅଭିଯୋଗ ହେଉଥିଲେ  ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିଲେ।

ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ଟାଙ୍ଗୀ ଏସଡ଼ିଓ ସୁଧାକର ନାୟକଙ୍କୁ ଏ ବାବଦରେ ପଚାରିଯାଇଥିଲା। ସେ ଖୁବଶୀଘ୍ର ଉକ୍ତ ରୋଡ ପରିଦର୍ଶନ କରି ତଦନୁଯାୟୀ ପଦକ୍ଷେପ ନେବେ ବୋଲି କହିଥିଲେ। ତେବେ ନୂଆ ରୋଡ ନିର୍ମାଣ ସମୟ ସାପେକ୍ଷ ହୋଇଥିବା ବେଳେ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ରାସ୍ତାର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ବାଣପୁରବାସୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

ତେବେ ଏହାକୁ ଗୁରୁତର ସହ ନେଇ ଆଜି ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ବିଭାଗୀୟ ଅଧିକାରୀ ତ୍ରିଲୋଚନ ପାତ୍ରଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ଏହି ରାସ୍ତା ଦେଇ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଏହାର ସ୍ଥାୟୀ ସମାଧାନ କରିବା ଜରୁରୀ ବୋଲି ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ନଚେତ୍ ରୋଡଟି ପୁନର୍ବାର ସେହି ପୁରୁଣା ସ୍ଥିତିକୁ ଆସିଯିବ ବୋଲି ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ମରଣଯନ୍ତା ପାଲଟିଛି ଅନ୍ତରକିଆରୀ କେନାଲ ରୋଡ, ମରାମତି ପାଇଁ ବିଭାଗ ପାଖରେ ନାହିଁ ଅର୍ଥ!

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଅନ୍ତରକିଆରୀ କେନାଲ ରୋଡ ମରଣଯନ୍ତା ପାଲଟିଛି। ସାମାନ୍ୟ ବର୍ଷା ହେଲେ ଉକ୍ତ ରୋଡଟିରେ ପାଣିର ସୁଅ ଛୁଟୁଛି। ଫଳରେ ବର୍ଷା ଜଳ ଉକ୍ତ ରୋଡ ଦେଇ କେନାଲକୁ ପ୍ରବାହିତ ହେଉଥିବା ଲାଗି ପିଚୁ ରୋଡରୁ ପିଚୁ ଉଠିଯିବା ସହ ବଡ଼ ବଡ଼ ଗତ୍ର ହୋଇଯାଇଛି। ଶାଳିଆ ଡ୍ୟାମ ଜଳ ବିଲ ମଧ୍ୟକୁ ପ୍ରବେଶ କରି ଉକ୍ତ ରୋଡ ଦେଇ କେନାଲକୁ ଯାଇଥାଏ। ଯାହାଫଳରେ ବାରମ୍ବାର ରୋଡଟି ନଷ୍ଟ ହେଉଛି।

ତେବେ ନିମ୍ନମାନର ମରାମତି କାର୍ଯ୍ୟ ଲାଗି ରୋଡରୁ ବାରମ୍ବାର ପିଚୁ ଉଠିବା ସହ ଗତ୍ର ହେଉଥିବାର ଅଭିଯୋଗ ହେଉଛି। ଉକ୍ତ ରୋଡରେ ଗତ ଏକ ବର୍ଷ ମଧ୍ୟରେ ଦଶରୁ ଉର୍ଦ୍ଧ୍ଵ ବଡ଼ ଦୁର୍ଘଟଣା ଏବଂ ପ୍ରତ୍ୟେକ ଦିନ ଏକାଧିକ ଛୋଟ ମୋଟ ଦୁର୍ଘଟଣାମାନ ଘଟୁଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି।

ଏହି ରୋଡଟି ଗ୍ରାମ୍ୟ ଉନୟନ ବିଭାଗ ଅଧୀନରେ ଆସୁଥିବା ବେଳେ ଏହାର ରକ୍ଷଣାବେକ୍ଷଣ କରିବାରେ ବିଭାଗ କୁଣ୍ଠାବୋଧ କରୁଛି। ବାରମ୍ବାର ରୋଡରେ ପକ୍କା କାମ ନକରି ଅଳ୍ପ ବାଲି ଓ ପିଚୁ ପକାଇ ଦିଆଯାଉଛି ଯାହାଫଳରେ ଅଳ୍ପ ଦିନ ମଧ୍ୟରେ ରୋଡ ପୁଣି ପୂର୍ବବସ୍ଥାକୁ ଫେରିଆସୁଛି।

ତେବେ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗକୁ କୋଟି କୋଟି ତାଙ୍କ ରାସ୍ତା ନିର୍ମାଣ ଓ ମରାମତି ପାଇଁ ପ୍ରଦାନ କରୁଥିବା ବେଳେ ବାଣପୁରରେ ତାହା ବିଫଳ ସଦୃଶ ହେଉଛି। ତେବେ ଏ ନେଇ ବାଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଜେଇ ତ୍ରିଲୋଚନ ପାତ୍ରଙ୍କୁ ପଚାରିବାରୁ ସେଠାରେ ଏକ ଓସାରିଆ ପକ୍କା ରୋଡ ହେବା ପାଇଁ ସର୍ଭେ ସରିଛି ବୋଲି କହିଥିବା ବେଳେ ଆମ ପ୍ରତିନିଧି ନଷ୍ଟ ହୋଇଯାଇଥିବା ରାସ୍ତାକୁ ତୁରନ୍ତ ମରାମତି କରାଯାଉ ବୋଲି ଦାବି ରଖିଥିବା ବେଳେ ତାହା ପାଇଁ ବିଭାଗୀୟ ଅର୍ଥ ନଥିବା କହିଛନ୍ତି।

ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ଟାଙ୍ଗୀ ଏସଡ଼ିଓ ସୁଧାକର ନାୟକଙ୍କୁ ଏ ନେଇ ପଚାରିବାରୁ ସେ ଖୁବଶୀଘ୍ର ଉକ୍ତ ରୋଡ ପରିଦର୍ଶନ କରି ତଦନୁଯାୟୀ ପଦକ୍ଷେପ ନେବେ ବୋଲି କହିଛନ୍ତି। ତେବେ ନୂଆ ରୋଡ ନିର୍ମାଣ ସମୟ ସାପେକ୍ଷ ହୋଇଥିବା ବେଳେ ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ରାସ୍ତାର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ବାଣପୁରବାସି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର: ଭିକ୍ଷୁକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଅଜଣା ଭିକ୍ଷୁକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବାର ଦେଖିବାକୁ ମିଳିଛି। ଭିକ୍ଷୁକ ଜଣକ କିଛି ଦିନ ହେବ ମା’ ଭଗବତୀ ମନ୍ଦିର ସମ୍ମୁଖରେ ଭିକ୍ଷାବୃତ୍ତି କରି ଚଳୁଥିବା ବେଳେ ଆଜି ହଠାତ ମନ୍ଦିର ପାର୍ଶ୍ୱରେ ଥିବା ରାସ୍ତା ପାର୍ଶ୍ୱରେ ମରି ପଡିଥିବାର ଦେଖିବାକୁ ମିଳିଛି। ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଏବଂ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆଇନ ଅନୁଯାୟୀ ୭୨ ଘଣ୍ଟା ମୃତଦେହକୁ ସରଂକ୍ଷିତ ରଖିବ। ତତସହିତ ଯଦି କୌଣସି ବ୍ୟକ୍ତି ମୃତ ଭିକ୍ଷୁକଙ୍କ ପରିଚୟ ପାଇବେ ତେବେ ପୋଲିସକୁ ଜଣାଇବାକୁ ଅନୁରୋଧ କରିଛନ୍ତି ବାଣପୁର ଆଇଆଇସି ଜୟ ପ୍ରକାଶ ପରିଡ଼ା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ଦୁଇ ଦୁଇ ଗୋଟି ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିବା ବେଳେ ପୁଣି ଆଉ ଏକ ଅପମୃତ୍ୟୁ ମାମଲା ସମସ୍ତଙ୍କୁ ବିଚଳିତ କରିଛି। ବାଲେଡିହ ଗ୍ରାମର ଜଣେ ଯୁବକ ବିଷପିଇ ଆତ୍ମହତ୍ୟା କରିଥବାର ଜଣାପଡିଛି।

ପୋଲିସର ସୂଚନା ମୁତାବକ ଆଜି ଅପରାହ୍ନରେ ବାଲେଡ଼ିହ ଗ୍ରାମର ବୈଦ୍ୟନାଥ ପଲାଇଙ୍କ ଜ୍ୟେଷ୍ଠ ପୁତ୍ର ମନୋରଞ୍ଜନ ପଲାଇ (୩୬) କୌଣସି କାରଣବଶତଃ ବିଷ ପିଇଦେଇଥିଲେ।  ସଙ୍ଗେସଙ୍ଗେ ପରିବାର ବର୍ଗ ମନୋରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ବାଣପୁର ପୋଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ପ୍ରାଥମିକ ତଦନ୍ତରେ ଏହା ପାରିବାରିକ କଳହ ଲାଗି ହୋଇଥିବାର ଅନୁମାନ କରାଯାଉଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ପୋଲିସ କହିଛି। ମୃତକଙ୍କ ଗୋଟିଏ ଝିଅ ଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପାରିବାରିକ ଝଗଡାକୁ ନେଇ ବାଣପୁରରେ ହତ୍ୟାକାଣ୍ଡ, ମହିଳା ମୃତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମରେ ଏକ ହତ୍ୟାକାଣ୍ଡ ହୋଇଥିବାର ସୂଚନା ମିଳିଛି। ତେବେ ଉକ୍ତ ହତ୍ୟାକାଣ୍ଡ ପାରିବାରିକ କଳହ ଲାଗି ହୋଇଥିବାର ଜଣାପଡିଛି।

ପୋଲିସ ସୂଚନା ମୁତାବକ ପଙ୍କାଳ ଗ୍ରାମର ସୁବାସ ରାଉତରାୟ ଓ ତାଙ୍କର ତିନି ଭାଇ ଏକାଠି ଘରେ ରହୁଥିବା ବେଳେ କୌଣସି କାରଣରୁ ଆଜି ସକାଳେ ସୁବାସଙ୍କ ସହ ଅନ୍ୟ ତିନି ଭାଇଙ୍କ ଝଗଡା ହୋଇଥିଲା। ଏହାପରେ ସୁବାସଙ୍କୁ ଏବଂ ତାଙ୍କ ଧର୍ମପତ୍ନୀ ମନାକ୍ଷୀ ରାଉତରାୟଙ୍କୁ ତିନି ଭାଇ ମରଣାସ୍ତ୍ରରେ ଆକ୍ରମଣ କରିଥିବା ବେଳେ ମିନାକ୍ଷୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏବଂ ସୁବାସ ଗୁରୁତର ଆହତ ହୋଇଛନ୍ତି।

ବର୍ତ୍ତମାନ ମିନାକ୍ଷୀଙ୍କ ମୃତଦେହ ଘରେ ପଡ଼ିରହିଥିବା ବେଳେ ଖବର ପାଇ ବାଣପୁର ଆଇଆଇସି ଜୟପ୍ରକାଶ ପରିଡା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ସୁବାସଙ୍କ ତିନି ଭାଇ ଫେରାର ହୋଇଯାଇଥିବା ଜଣାପଡିଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଆଜି କୁମାରପୂର୍ଣ୍ଣିମା, ମା’ ଭଗବତୀଙ୍କ ପୀଠରେ କଉଡ଼ି ଖେଳ

ବାଣପୁର: ଆଜି ପବିତ୍ର କୁମାରପୂର୍ଣ୍ଣିମା, ଗଜଲକ୍ଷ୍ମୀ ବେଶରେ ଦର୍ଶନ ଦେବେ ମା’ଭଗବତୀ। ଚଳିତ ଶାରଦୀୟ ପର୍ବର ଶେଷ ଉତ୍ସବ। ଭଉଣୀ କନକ ଦୁର୍ଗାଙ୍କୁ ପାଖରେ ରଖି ବଳି ସେବକ ବଳି ଜେନା ସହିତ ରାତିରେ କଉଡି ଖେଳ ଖେଳିବେ ମା’। ବଳିଜେନା ଖେଳରେ ହାରି ଆଗମୀ ବର୍ଷ ଶାରଦୀୟ ପର୍ବରେ ପୁଣି ନରବଳୀ ପ୍ରତୀକ ସେବା ନୀତିରେ ସହଯୋଗ କରିବାକୁ ସଂକଳ୍ପ କରି ମା’ଙ୍କ ବଡସିଂହାର ପ୍ରସାଦ ସେବନ ସାରି ନିଶାର୍ଦ୍ଧରେ ସ୍ଵଗୃହକୁ ଫେରିବା ପରେ ଭଉଣୀ କନକ ଦୁର୍ଗାଙ୍କୁ ମେଲାଣୀ ଦେବେ ମା’।

ମା’ କନକଦୁର୍ଗା ଭଉଣୀ ଭଗବତୀଙ୍କ ସହିତ ଦୀର୍ଘ ୨୩ ଦିନର ଶାରଦୀୟ ପର୍ବ ପୂଜା ଶେଷ କରି ନିଶାର୍ଦ୍ଧରେ ଦକ୍ଷେଶ୍ଵର ମନ୍ଦିରକୁ ବିଜେ କରିବାପରେ ପାର୍ବଣଉତ୍ସବ ଉଦ୍ ଯାପିତ ହେବ।

ଏହି ଶେଷ ପର୍ବରେ ମା’ଙ୍କ ଦୁର୍ଲଭ କଉଡି ଖେଳ ଦର୍ଶନ କରି ମାତୃ କୃପାଲାଭ କରିବାକୁ ନିବେଦନ ସହିତ ମନ୍ଦିର ପ୍ରଶାସନ ସମସ୍ତଙ୍କର ମଂଗଳ କାମନା କରୁଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଅଙ୍ଗନବାଡି କର୍ମୀଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଗ୍ରାମବାସୀ

ସୀତାରାମ ଅଗ୍ରୱାଲ

ବାଣପୁର: ଶିଶୁଙ୍କ ଖାଦ୍ୟପାଇଁ ଆସୁଥିବା ସରକାରୀ ଅର୍ଥକୁ ଅଙ୍ଗନବାଡି କର୍ମୀ ବାଟମାରଣା କରିଥିବା ଅଭିଯୋଗ ନେଇ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ବିଷ୍ଣୁଡ଼ିହ ପଞ୍ଚାୟତ ଅନ୍ତର୍ଗତ କୋତରି ଗ୍ରାମର ଏକାଧିକ ଗ୍ରାମବାସୀ ବାଣପୁର ବିଡ଼ିଓ ଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ହେଲାକି ତାଙ୍କ ଗ୍ରାମର ଅଙ୍ଗନବାଡି କର୍ମୀ ଶିଶୁମାନଙ୍କ ଖାଦ୍ୟ ପାଇଁ ଆସୁଥିବା ସରକାରୀ ଅଟକଳ ବ୍ୟୟର ହିସାବ ଗ୍ରାମର ଖାଦ୍ୟ ଯାଞ୍ଚ କମିଟିକୁ ସଠିକ ଭାବେ ପ୍ରଦାନ କରିପାରୁନାହାନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ସେମାନଙ୍କ ଆକଳନ ଓ ଅଙ୍ଗନବାଡି କର୍ମୀଙ୍କ ହିସାବରେ ପାଖାପାଖି ଏକ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଫରକ ହେଉଛି। ତତସହିତ ଗତ ପାଞ୍ଚ ମାସ ହେଲା ଗ୍ରାମର ଶିଶୁମାନେ ଠିକ ଭାବେ ଖାଦ୍ୟ ପାଇନଥିବା ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ।  ସଠିକ ହିସାବ ନଦେବାରୁ ଗ୍ରାମବାସୀମାନେ ନୂତନ ଖାଦ୍ୟ ଯାଞ୍ଚ କମିଟି ମଧ୍ୟ ଗଠନ କରିପାରୁନାହାନ୍ତି।

ତେଣୁ ଉକ୍ତ ଦୁର୍ନୀତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଡ଼ିଓ ଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ। ତେବେ ଏ ନେଇ ବାଣପୁର ବିଡ଼ିଓ ବୁଲବୁଲ ବେହେରାଙ୍କୁ ପଚାରିବାରୁ ସେ ଗ୍ରାମବାସୀଙ୍କ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି, ଏବଂ ଉକ୍ତ ଅଭିଯୋଗର ତଦନ୍ତ ସମସ୍ତ ନିୟମାବଳୀ ଆଧାରରେ କରାଯିବ ବୋଲି କହିଛନ୍ତି।