Categories
ଆଞ୍ଚଳିକ

ବାଣପୁର ବ୍ଲକର ସମସ୍ତ ୧୨୭ ଟି ବିଦ୍ୟାଳୟରେ ଅନୁଷ୍ଠିତ ହେଲା ଅଭିଭାବକ-ଶିକ୍ଷକ ବୈଠକ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସାରା ରାଜ୍ୟରେ ବିଦ୍ୟାଳୟଗୁଡିକରେ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ନିୟମ ଅନୁଯାୟୀ ବାଣପୁର ବ୍ଲକର ସମସ୍ତ ୧୨୭ ଟି ବିଦ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ସ୍କୁଲରେ ୪୧ ପ୍ରତିଶତ ଅଭିଭାବକ ଯୋଗଦେଇଥିବା ଜଣାଯାଇଛି।

ଏହି ପରିପ୍ରେକ୍ଷୀରେ ବାଣପୁର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲିଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ନରସିଂହ ମିଶ୍ରଙ୍କ ସଭାପତିତ୍ୱରେ ଏହି ବୈଠକ ପରିଚାଳିତ ହୋଇଥିଲା। ଏଥିରେ ଶୈକ୍ଷିକ କ୍ୟାଲେଣ୍ଡର, ପୂର୍ଣ୍ଣ ଉପସ୍ଥାନ ଦିବସ, ଶିକ୍ଷା ସଚେତନତା ରଥ, ଗ୍ରୀଷ୍ମ ଅବକାଶ ଗୃହ କାର୍ଯ୍ୟ, ଅଂଶୁଘାତର ସାବଧାନତା କୌଶଳ, ଅନଲାଇନ ସମସ୍ୟା ସୁରକ୍ଷା ସମାଧାନ, ସାଇବର ସଚେତନତା, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା ଆଦି ଉପରେ ଆଲୋଚନା କରାଯାଇଥିଲା।

ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କର ଉତ୍ତର ଖାତା ନିଜ ନିଜର ଅଭିଭାବକଙ୍କୁ ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ଅବକାଶ ଗୃହ କାର୍ଯ୍ୟ ସମ୍ବଦ୍ଧିୟ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ ସମ୍ପୃକ୍ତ ହେଲ୍ପ ଡେସ୍କର ସହାୟତା ନେଇ ପାରିବେ ବୋଲି ଶ୍ରୀଯୁକ୍ତ ଜାଲି ପ୍ରକାଶ କରିଛନ୍ତି। ତାଙ୍କର ସମସ୍ତ ସମସ୍ୟାକୁ ଦକ୍ଷ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସମାଧାନ କରିବେ।

ଉକ୍ତ ବୈଠକରେ ବାଣପୁର ଏନ ଏ ସି ଅଧକ୍ଷ ଶ୍ରୀଯୁକ୍ତ ମିଟୁ ନାୟକ, ଆଲୁମିନ କମିଟି ସଭାପତି ଚିନ୍ତାମଣି ମିଶ୍ର ଓ ସଭ୍ୟ ଆଡ଼ଭୋକେଟ ଦେବବ୍ରତ ବଡ଼ଜେନା ସ୍କୁଲର ପ୍ରଧାନ ଶିକ୍ଷକ ଜଗଦୀଶ ପ୍ରଧାନ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର: ଗୁପ୍ତେଶ୍ୱର ଦେବଙ୍କ ପୀଠରେ ସମାପନ ହେଲା ବିଶ୍ୱାଶାନ୍ତି ମହାଯଂଜ୍ଞ ଓ ଦେବାଦେବୀଙ୍କ ମେଳଣ ପର୍ବ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁରର ଆରାଧ୍ୟ ଠାକୁର ପଶ୍ଚିମାଭିମୁଖୀ ମହାଦେବ ପୀଠ ଶ୍ରୀ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବଙ୍କ ପୀଠରେ ଚାରିଦିନ ବ୍ୟାପି ଚାଲିଥିବା ବିଶ୍ୱାଶାନ୍ତି ମହାଯଂଜ୍ଞ ଆଜି ପୂର୍ଣ୍ଣାହୁତି ଏବଂ ତେଇଶି ଦେବାଦେବୀଙ୍କ ମେଳଣ ପରେ ସମାପନ ହୋଇଯାଇଛି। ଚଳିତ ବର୍ଷ ମଙ୍ଗଳବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିଥିବା ଯଂଜ୍ଞ ଓ ମେଳଣ ପର୍ବ ଚତୁର୍ଦ୍ଧଶ ବର୍ଷରେ ପଦାର୍ପଣ କରିଥିବା ବେଳେ ଗାଲୁଆ ଗ୍ରାମବାସୀଙ୍କର ପ୍ରତ୍ୟେକ୍ଷ ତତ୍ୱାବଧାନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ପୂଜାବିଧି ପୂର୍ବକ ମଙ୍ଗଳବାର ଅଙ୍କୁରା ରୋପଣ, ବୁଧବାର ଜଳଯାତ୍ରା, ସୂର୍ଯ୍ୟପୂଜା ଓ ଆହୁତି ଆରମ୍ଭ କରାଯାଇ ଗୁରୁବାର ପୂଜା ଓ ହୋମାଦି କାର୍ଯ୍ୟକ୍ରମ ପରେ ଶୁକ୍ରବାର ପୂର୍ଣ୍ଣାହୁତି ଓ ଦେବଦେବୀଙ୍କ ମେଳଣ ପର୍ବ ସମାହିତ ହୋଇଥିଲା। ବାବା ଗୁପ୍ତେଶ୍ୱରଙ୍କ ଯଂଜ୍ଞ କମିଟି ସଭାପତି ମନମୋହନ ପ୍ରଧାନ, ସମ୍ପାଦକ ପ୍ରଫୁଲ୍ଲ ହରିଚନ୍ଦନ, ବ୍ରଜକିଶୋର ଭୋପା ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଓ ବାଣପୁର ଆଇଆଇସି ଜୟକୃଷ୍ଣ ପରିଡାଙ୍କ ନିମନ୍ତ୍ରଣ ରକ୍ଷା କରି ବିଭିନ୍ନ ଗ୍ରାମରୁ ବାଇଶି ଦେବାଦେବୀଙ୍କ ଯଂଜ୍ଞ ସ୍ଥଳକୁ ଆଗମନ ଶ୍ରଦ୍ଧାଳୁଙ୍କ ମନରେ ଶିହରଣ ଜାଗ୍ରତ ହୋଇଥିଲା।

ଖଣତ ଗ୍ରାମରୁ ଶ୍ରୀ ଶ୍ରୀ ଶ୍ରୀ ପାଦୁକାଇ ଦେବୀ, ଭୂଇଁୟାଣି ଦେବୀ, ଗୋପୀନାଥ ପୁରର ବାଟମଙ୍ଗଳା, ବିଂଝଳାରୁ ଉତ୍ତରାୟଣୀ ଦେବୀ ଏବଂ କପିଳେଶ୍ୱର ଦେବ, ସୋମନାଥ ଦେବଙ୍କ ସମେତ ଅନ୍ୟ ୧୮ ଶମ୍ଭୁଙ୍କ ପବିତ୍ର ଯଂଜ୍ଞ ସ୍ଥାନକୁ ଆଗମନ ହୋଇଥିଲା।

ସମସ୍ତ ଦେବଦେବୀଙ୍କୁ ନୂତନ ବସ୍ତ୍ର, ନୂତନ ଥାଳି, ଗୁଆ, ଚନ୍ଦନରେ ଆଭୂଷିତ କରାଯାଇ ଯଂଜ୍ଞ ସ୍ଥାନରେ ଉପବିଶନ କରାଯାଇଥିଲା। ଯଂଜ୍ଞ ପୂର୍ଣ୍ଣାହୁତି ପରେ ଗୋଧୂଳି ଲଗ୍ନରେ ସମସ୍ତ ଦେବାଦେବୀ ମେଳଣ ପଡିଆରେ ଏକାଠି ହୋଇଥିଲେ।

ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କର ହରିବୋଲ, ହୁଳହୁଳି, ଘଣ୍ଟ, ଘଣ୍ଟା, ବାଦ୍ୟ ଓ କାହାଳିରେ ପ୍ରଭୁ ଗୁପ୍ତେଶ୍ୱର ପୀଠ ଉଛୁଳି ପଡୁଥିଲା। ଗାଲୁଆ ଗ୍ରାମବାସୀଙ୍କ ତରଫରୁ ଦର୍ଶନ କରିବାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ଚାରିଦିନ ବ୍ୟାପି ପ୍ରସାଦ ସେବନର ବନ୍ଦୋବ୍ୟସ୍ତ କରାଯାଇଥିଲା। ଗ୍ରାମର ଯୁବକ ମାନେ ପ୍ରଭୁଙ୍କ ସେବାରେ ନିୟୋଜିତ କାର୍ଯ୍ୟରେ ସହଯୋଗ କରିଥିବାରୁ ନିଜକୁ ଧନ୍ୟ ମନେ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ସ୍କୁଲ ପରିସରରେ ଅଙ୍ଗନବାଡି ଗୃହ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ସୀତାରାମ ଅଗ୍ରୱାଲ
ବାଣପୁର: ପ୍ରତି ଅଙ୍ଗନବାଡି କେନ୍ଦ୍ରରେ ନୂତନ ଗୃହ ନିର୍ମାଣ ନିମନ୍ତେ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଉଛନ୍ତି। ଏହାର ସୁ ବିନିଯୋଗ ନିମନ୍ତେ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତରେ କାର୍ଯ୍ୟ ସମ୍ପାଦନ ନିମନ୍ତେ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଧେଶ ଅଛି। ଏହି ପରିପ୍ରେକ୍ଷୀରେ ବାଣପୁର ବ୍ଲକ ପ୍ରଶାସନ ଯେଉଁ କେନ୍ଦ୍ର ଅଧୀନରେ ଗୃହ ନିର୍ମାଣ ହୋଇନାହିଁ, ସେଠାରେ କାର୍ଯ୍ୟ କରିବାକୁ ଅଣ୍ଟା ଭିଡିଛି। କିନ୍ତୁ କେନ୍ଦ୍ର ନିର୍ମାଣ ହେବାନେଇ ଜାଗା ନିରୂପଣ ଏବେ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଛି। ବହୁତ କ୍ଷେତ୍ରରେ ସ୍କୁଲ ପରିସରରେ ଅଙ୍ଗନବାଡି କେନ୍ଦ୍ର ନିମନ୍ତେ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ କେତେକ କେନ୍ଦ୍ରରେ ନିର୍ମାଣ ପାଇଁ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି।

ପ୍ରକାଶ ଥାଉକି ବାଣପୁର ବ୍ଲକ ଅଧିନସ୍ଥ ଆୟତପୁର ଗ୍ରାମ ପଞ୍ଚାୟତର ପାଳଧୁଆପଲ୍ଲୀ ଗ୍ରାମର ସ୍କୁଲ ପରିସରରେ ଗୋପୀନାଥ ପ୍ରସାଦ ମୌଜାର ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ହେବାର ନିଷ୍ପତ୍ତିକୁ ପାଳଧୁଆପଲ୍ଲୀ ଗ୍ରାମବାସୀ ବିରୋଧ କରିଛନ୍ତି। ଉକ୍ତ ଅଭିଯୋଗ ପତ୍ର ସେମାନେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ ଓ ତହସିଲଦାର କୁଞ୍ଜବିହାରୀ ବଡ଼ଜେନାଙ୍କୁ ଦେଇଥିବା ବେଳେ ବିଡ଼ିଓ ଏହାକୁ ତନଖି କରି ନିଷ୍ପତ୍ତି ନେବା ନିମିତ୍ତ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଗୋପୀନାଥ ପ୍ରସାଦ ମୌଜାରେ ସରକାରୀ ଜାଗା ଥିବା ସତ୍ତ୍ୱେ ଆମ୍ଭ ଗ୍ରାମର ସ୍କୁଲ ଭିତରେ କେନ୍ଦ୍ର ନିର୍ମାଣ କରିବାକୁ ଉକ୍ତ ଗ୍ରାମବାସୀ ଜୋରଜବରଦସ୍ତ ମସୁଧା ଚଳାଇଛନ୍ତି। ଯାହା ଫଳରେ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଖେଳକୁଦ ନିମନ୍ତେ ଜାଗା ସଂକୀର୍ଣ୍ଣ ହୋଇଯିବ। ୪ ବର୍ଷ ପୂର୍ବରୁ ଏହିଭଳି ନିଷ୍ପତ୍ତିକୁ ଗ୍ରାମବାସୀ ବିରୋଧ କରିବା କାରଣରୁ ତାହା ବନ୍ଦ ହୋଇଥିବା ସ୍ଥଳେ ବର୍ତ୍ତମାନ ପୁଣି ମସୁଧା କରିବା ଦୁଃଖ ଓ ପରିତାପର ବିଷୟ। ତେଣୁ ଗ୍ରାମବାସୀ ସ୍କୁଲ ପରିସରରେ ଅଙ୍ଗନବାଡି ଗୃହ ନିର୍ମାଣକୁ ବନ୍ଦ କରିବାକୁ ଶତାଧିକ ଗ୍ରାମବାସୀ ବିଡ଼ିଓଙ୍କୁ ନିବେଦନ କରିଛନ୍ତି।

Categories
ଆଞ୍ଚଳିକ

ଗ୍ରୀଷ୍ମ ପ୍ରବାହର ମୁକାବିଲା ଓ ପଦକ୍ଷେପ ନେଇ ବାଣପୁର ବ୍ଲକରେ ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରୱାଲ

ବାଣପୁର: ବିଗତ କିଛିଦିନ ଧରି ରାଜ୍ୟରେ ଯେଉଁଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି ତାହାର ମୁକାବିଲା କରିବାକୁ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସଭାଗୃହରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧକ୍ଷତାରେ ଏକ ଅଂଶୁଘାତ ପୂର୍ବ ସତର୍କତା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉକି ରାଜ୍ୟ ସରକାର ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବିଡ଼ିଓ ଶୀତଲ ଅଗ୍ରୱାଲ ଏହି ସମ୍ପର୍କରେ ଏକ ଜରୁରୀ ବୈଠକ ଅନୁଷ୍ଠିତ କରିଥିବା ଜଣାଯାଇଛି।

ଉକ୍ତ ବୈଠକରେ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା,ସ୍ୱାସ୍ଥ୍ୟ ଅଧିକାରୀ, ପିଡବ୍ଲୁଡି ବିଭାଗ, ବିଦ୍ୟୁତ ବିଭାଗ,ଜଳସେଚନ ବିଭାଗ, ଶିଶୁ କଲ୍ୟାଣ ବିଭାଗ, ଜଙ୍ଗଲ ବିଭାଗ ସହ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକମାନେ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହର ସତର୍କତା ସ୍ୱରୂପ ଶ୍ରମିକମାନେ ସକାଳ 7 ଘଟିକା ଠାରୁ 11ଘଟିକା ଏବଂ ଅପରାହ୍ନ 3 ଘଟିକା ପରେ କାର୍ଯ୍ୟ କରିବାର ନିୟମାବଳୀ ଜାରି ହୋଇଛି। ପ୍ରତ୍ୟେକ ଗ୍ରାମରେ କାର୍ଯ୍ୟକ୍ଷମ ହେଉନଥିବା ନଳକୂପ ଗୁଡିକ ଯଥାଶୀଘ୍ର ମରାମତି ପାଇଁ ଆରଡ଼ବ୍ଲୁଏସଏସ ବିଭାଗକୁ ନିର୍ଦେଶ ଦିଆଯାଇଛି।

ବିଶେଷ କାରଣ ନ ଥିଲେ ବିଦ୍ୟୁତ କାଟ ନକରାଯିବାକୁ ବୈଠକରେ ଶୀତଲ ଅଗ୍ରୱାଲ ବିଦ୍ୟୁତ ବିଭାଗକୁ କଡା ତାଗିଦ କରିଥିଲେ। ତତସହିତ ମହାତ୍ମାଗାନ୍ଧୀ ରୋଜଗାର ଯୋଜନାରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଅଙ୍ଗନବାଡି ପିଲାମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପ୍ରଚୁର ଓଆରଏସ ଯୋଗାଣ ସହ ଆମ୍ବୁଲାନ୍ସ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି।

ନିଆଁ ଲାଗିଥିବା ସ୍ଥାନରେ ତ୍ୱରିତସେବା ଯୋଗାଇବାକୁ ଅଗ୍ନିଶମ ବିଭାଗକୁ ନିର୍ଦେଶ ସହ ବରିଷ୍ଠ ନାଗରିକମାନଙ୍କୁ କୌଣସି ଜରୁରୀ କାର୍ଯ୍ୟନଥିଲେ ଖରା ସମୟରେ ଘରୁ ନବାହାରିବାକୁ ବାରଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅଂଶୁଘାତ ଜନିତ କ୍ଷୟକ୍ଷତି ଶୂନ୍ୟ କରିବା ଲକ୍ଷରେ ବାଣପୁର ପ୍ରଶାସନ ସଜାଗ ରହିଥିବା ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି।

Categories
ଆଞ୍ଚଳିକ

ବାଣପୁରକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବି: ଆନ୍ଦୋଳନ ପାଇଁ ସଜବାଜ ଜନତା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲକୁ ସବ ଡିଭିଜନ ମାନ୍ୟତା ପ୍ରଦାନ ଦାବି ଜୋର ଧରିଛି। ଏ ନେଇ ଆଜି ବାଲୁଗାଁ ଶ୍ରୀ ଉମାମହେଶ୍ୱର ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଣପୁର-ବାଲୁଗାଁ-ଚିଲିକା ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକଟି ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ, ବହୁ ଓକିଲ, ସାମ୍ବାଦିକ, ସମାଜସେବୀ ଏବଂ ରାଜନେତା ମାନେ ଉକ୍ତ ବୈଠକରେ ନିଜର ମତ ରଖିଥିଲେ। ସବୁ କ୍ରାଇଟେରିଆ ଥିବା ସତ୍ବେ ବାଣପୁର କୁ ଅଦ୍ୟାବଧି ସରକାର ସବ ଡିଭିଜନ ଘୋଷଣା ନକରିବା ନିନ୍ଦନୀୟ ବିଷୟ ବୋଲି ସମସ୍ତେ କହିଥିଲେ।

ଆଗାମୀ ଦିନରେ ଉକ୍ତ ଆନ୍ଦୋଳନ କୁ ଜୋରଦାର କରାଯିବ ଏବଂ ସରକାର ଯଦି ଏହାକୁ କର୍ଣ୍ଣପାତ ନ କରନ୍ତି ତେବେ ଗାଁ ମେଳି ସହିତ ଆଇନ ଅମାନ୍ୟ ଆନ୍ଦୋଳନ ଜୋରଦାର କରାଯିବାକୁ ସର୍ବସହମତି କ୍ରମେ ପ୍ରକାଶ ପାଇଥିଲା। ପରିଶେଷରେ ଏଥି ନିମନ୍ତେ ପୁର୍ବରୁ ଗଠିତ କମିଟିରେ ବହୁ ବ୍ୟକ୍ତିଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଛୁରା ମାଡ଼ରେ ଯୁବକ ଗୁରୁତର, ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଛୁରାମାଡ଼ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ। ଅଭିଯୋଗ ମୁତାବକ ଶୁକ୍ରବାର ରାତିରେ ବାଣପୁର ଥାନା ଦାଶରଥିପୁର ହରିଜନ ସାହିର ବାବୁଲା ଘଡେଇ (୪୫) ଙ୍କୁ ଘରେ ପଶି ତାଙ୍କରି ସାହିର ଅଭିଯୁକ୍ତ ଦୀପକ ନାୟକ (୩୩) ଛୁରାରେ ଆକ୍ରମଣ କରିଥିଲେ। ବାବୁଲାଙ୍କ ଡାହାଣ ପଟ ପେଟରେ ଛୁରା ମାଡ଼ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ବାଣପୁର ଏବଂ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ବର୍ତ୍ତମାନ ବାବୁଲାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ଅଛି। ଏ ନେଇ ବାବୁଲାଙ୍କ ପତ୍ନୀ ପ୍ରେମୀ ଘଡେଇ ବାଣପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ପୋଲିସ କେସ ନମ୍ବର ୧୪୧/୨୩ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ଏବଂ ଆଜି ଗିରଫ କରି କୋର୍ଟଚାଲାଣ କରିଥିବାର ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି। ତେବେ ଉଭୟଙ୍କ ମଧ୍ୟରେ ପୂର୍ବଶତ୍ରୁତାକୁ ନେଇ ଉକ୍ତ ଛୁରା ମାଡ଼ ହୋଇଥିବାର ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁର: ଜଙ୍ଗଲୀ ହରିଣକୁ ଉଦ୍ଧାର କଲା ବନବିଭାଗ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଖଣତ ଗ୍ରାମରେ ଆଜି ଏକ ଜଙ୍ଗଲୀ ହରିଣକୁ ଉଦ୍ଧାର କରିଛି ବନବିଭାଗ। ବାଲୁଗାଁ ରେଞ୍ଜ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତିଙ୍କ ସୂଚନା ମୁତାବକ ଆଜି ପୂର୍ବାହ୍ନରେ ଏକ ଜଙ୍ଗଲୀ ହରିଣ ପାଣି ପିଇବା ଆଶାରେ ନିକଟସ୍ଥ ସୋଲରି ଜଙ୍ଗଲରୁ ଖଣତ ଗ୍ରାମ ଭିତରେ ପଶିଯାଇଥିଲା। ତେବେ ଜଣେ ଗ୍ରାମବାସୀଙ୍କ ବାରି ରେ ହରିଣଟି ବୁଲୁଥିବା ବେଳେ ଗ୍ରାମର କୁକୁର ମାନେ ତାକୁ ଗୋଡ଼ାଇଥିଲେ। ଏ ନେଇ ଗ୍ରାମବାସୀ ମାନେ ବାଲୁଗାଁ ବନବିଭାଗକୁ ସୂଚନା ଦେବାପରେ ବନ ବିଭାଗ ଟିମ ହରିଣକୁ ଉଦ୍ଧାର କରିଛି। ବର୍ତ୍ତମାନ ହରିଣର ଚିକିତ୍ସା ଜାରି ରହିଥିବା ବେଳେ ହରିଣଟି ସୁସ୍ଥ ଥିବା ଜଣାପଡିଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ବାଣପୁରରେ ଦଣ୍ଡ ମହାମିଳନ ପର୍ବ ଅନୁଷ୍ଠିତ

ବାଣପୁର: ଅସ୍ଥା ଓ ବିଶ୍ୱାସର ପ୍ରତୀକ ଦଣ୍ଡ ଠାକୁର। ବିଶ୍ୱାସରୁ ପରମ୍ପରାର ସୃଷ୍ଟି। ଯେଉଁ ଠାକୁର ଦାଣ୍ଡରେ ବୁଲନ୍ତି, ଦାଣ୍ଡରେ ପୂଜା ପାଆନ୍ତି। ଠାକୁରଙ୍କ ସାଥିରେ ଭକ୍ତ ବି ବୁଲେ, ଦାଣ୍ଡରେ ମୁଣ୍ଡିଆ ମାରେ, ଠାକୁରଙ୍କୁ ପାଇବାକୁ ଦଣ୍ଡ ପାଏ। ଏହିଭଳି ଅନନ୍ୟ ପରମ୍ପରା ଓଡ଼ିଶାରେ ପ୍ରଚଳିତ।

ବାଣପୁର ଅଂଚଳର ପ୍ରତିଷ୍ଠିତ ଶୈବପୀଠ ମାନଙ୍କରୁ ଦଣ୍ଡ ଠାକୁର ଚୈତ୍ର ମାସରେ ଭକ୍ତ ମାନଙ୍କ ଗହଣରେ ବର୍ଷକୁ ଥରେ ପ୍ରକଟିତ ହୁଅନ୍ତି। ବାଣପୁରର ବିଜୟ ବିଶ୍ୱାଳ, ମାଧବ ଚନ୍ଦ୍ର ବାରିକି, ସଂଗ୍ରାମ କେଶରୀ ସାହୁ, ସୁରେଶ ଚନ୍ଦ୍ର ବାରିକି, ଲୋକନାଥ ପ୍ରଧାନ ଭଳି ଉଦୀୟମାନ ବ୍ୟକ୍ତିମାନେ କିଛିବର୍ଷ ପୂର୍ବେ ଐତିହାସିକ ପଲଟଣ ପଡିଆରେ ଏକତ୍ର କରିବାକୁ ପ୍ରୟାସ କରି ଦଣ୍ଡମେଳଣର ପରମ୍ପରା ସୃଷ୍ଟି କରିଥିଲେ। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ମେରୁ ଉତ୍ସବର ପୂର୍ବଦିନ ଠାକୁରଙ୍କ ମେଳଣ ପର୍ବ ଅନୁଷ୍ଠିତ ହେଉଅଛି।

ଚଳିତ ବର୍ଷ ଗୋଧୂଳି ସମୟର ଆଗମନରେ ବାଣପୁର ବଡହନ୍ତୁଆଡ଼ର ଶ୍ରୀଶ୍ରୀଶ୍ରୀ ରାଜା ରାଜେଶ୍ଵରୀଦେବ, ସାନହନ୍ତୁଆଡ଼ ଭକ୍ତ ରାଜେଶ୍ଵରୀଦେବ, ମାଟିଆପୋଖରୀ କପିଳେଶ୍ୱର ଦେବ, ଭେଟେଶ୍ୱର ଭେଟିନାଥ ଦେବ, ଗାଲୁଆ ଗୁପ୍ତେଶ୍ୱର ଦେବ, ବାଲୁଙ୍କେଶ୍ୱର ଦେବ, ବଡସିରେଇପୁର ଗୁପ୍ତେଶ୍ୱର ଦେବ, ବେଣୁଆବାଡି ଗାଦିଶ୍ୱରଦେବ, ଅରାଙ୍ଗ ନୀଳକଣ୍ଠେଶ୍ଵର ଦେବ, ବୋରିଗାଁ ନାଗରାଜ ଦେବ ଏବଂ ଖାରିଆ ପଲ୍ଲୀର ପଞ୍ଚମହାଦେବ ଦଣ୍ଡ ଠାକୁରଙ୍କ ପଞ୍ଚୁଦଳ ପଡିଆରେ ଏକ ମହାମିଳନ ପର୍ବ ଅନୁଷ୍ଠିତ ହୋଇଥିଲା। ସମସ୍ତ ଉଦ୍ୟୋଗୀ ବନ୍ଧୁମାନଙ୍କ ଦ୍ୱାରା ଠାକୁର ମାନଙ୍କୁ ନୂଆ ଥାଳିରେ ଗୁଆ, ଚନ୍ଦନ, ଫୁଲ, ଦୀପ, ଦିଆଯାଇ ଅଭ୍ୟର୍ଥନା କରା ଯାଇଥିଲା।

ଘଣ୍ଟ, ଘଣ୍ଟା, କାହାଳି ଓ ମୃଦଙ୍ଗ ସହିତ ଝୁଣା ଖେଳରେ ଫାଟି ପଡୁଥିଲା ପଲଟଣ ପଡିଆ।  ହଜାର ହଜାର ଭକ୍ତ ମାନଙ୍କର ହରିବୋଲ ହୁଳହୁଳି ଧ୍ଵନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠୁଥିଲା। ଠାକୁର ମାନଙ୍କର ଆଗମନ ଉପଲକ୍ଷେ ଉକ୍ତ ସ୍ଥାନରେ ଯଂଜ୍ଞ, ସଙ୍କୀର୍ତ୍ତନ ଓ ଭଜନ ସମାରୋହ ମାଧ୍ୟମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଠାକୁରଙ୍କ ଆଶୀର୍ବାଦ ନେବାପାଇଁ ପୂର୍ବତନ ବିଧାୟକ ରଘୁନାଥ ସାହୁ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ଉପସ୍ଥିତ ଥିଲେ।

ପରିଶେଷରେ ଭୋଗ ନୈବେଦ୍ୟ ଲାଗି ପରେ ସମସ୍ତ ଠାକୁର ପ୍ରତ୍ୟାବର୍ତନ କରିଥିଲେ।

Categories
ଆଜିର ଖବର

ବାଣପୁର: ଭେଟେଶ୍ୱର ହାଇସ୍କୁଲରେ ଖୋଲିଲା ଯୁକ୍ତ ଦୁଇ, ନାମ ଲେଖାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ
ବାଣପୁର: ରାଜ୍ୟ ସରକାର ବିଗତ ଦିନରେ ରାଜ୍ୟର ବହୁ ହାଇସ୍କୁଲକୁ କଲେଜରେ ରୂପାନ୍ତରଣ କରିଥିବା ବେଳେ ଏହି ପ୍ରକ୍ରିୟାରେ ଖୋର୍ଦ୍ଧାଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ଭେଟେଶ୍ୱର ହାଇସ୍କୁଲ ଉକ୍ତ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା। ଉକ୍ତ ସ୍କୁଲରେ କେବଳ ଦ୍ୱାଦଶ କଳା ବିଭାଗରେ ଚଳିତ ବର୍ଷ ପାଠ ପଢାଇବାକୁ ଆଦେଶ ଥିବାବେଳେ ୧୨୮ ଜଣ ଛାତ୍ରଛାତ୍ରୀ ଏଠାରେ ନାମ ଲେଖାଇ ଅଧ୍ୟୟନ କରିବାର ବ୍ୟବସ୍ଥା ହୋଇଛି।

ସେହି ପରିପ୍ରେକ୍ଷୀରେ ଉକ୍ତ ସ୍କୁଲରେ ବିଇଓ ସନାତନ ଜାଲିଙ୍କ ତତ୍ୱାବଧାନରେ +୨ ନାମଲେଖା ନିମିତ୍ତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭେଟେଶ୍ୱର ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ସ୍କୁଲ ଆଲୁମିନ କମିଟି ସଭାପତି ଶଶିଭୂଷଣ ସୁବୁଦ୍ଧି, ଏସଏମସି ସଭାପତି କାହ୍ନୁ ଚରଣ ପଲାଇ ଏବଂ ବିଆରସିସି ସାନ୍ଧ୍ୟରାଣୀ ହରିଚନ୍ଦନ ଅତିଥି ଭାବେ ଯୋଗ ଦେଇ ଉକ୍ତ ସ୍କୁଲରେ ପ୍ରଥମ କରି ଖୋଲିଥିବା +୨ ରେ ନାମ ଲେଖାଇବାକୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ଗ୍ରାମବାସୀଙ୍କ ସହ ଉକ୍ତ ସ୍କୁଲରେ ଦଶମଶ୍ରେଣୀରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଦଶମଶ୍ରେଣୀରେ ପାସ କରି ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କୁ ଉକ୍ତ ସଚେତନତା କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଇଥିଲା। ଏଠାରେ ସମୁଦାୟ ୧୨୮ ଜଣ ଛାତ୍ରଛାତ୍ରୀ ନାମଲେଖାଇବାର ସୁବିଧା ଥିବାବେଳେ ୬୪ ଜଣ ଆର୍ଥିକ ଅନଗ୍ରସର, ଅଧାରୁ ପାଠ ଛାଡ଼ିଥିବା ପିଲା ମାନଙ୍କୁ ବିଇଓ ଓ କମିଟି ମାଧ୍ୟମରେ ଚୟନ କରାଯିବାର ବନ୍ଦୋବସ୍ତ କରାଯାଇଛି। ଅବଶିଷ୍ଟ ୬୪ ଜଣ ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ନାମଲେଖାଇପାରିବେ ବୋଲି ବିଇଓ ସନାତନ ଜାଲି ପ୍ରକାଶ କରିଛନ୍ତି।

ଉକ୍ତ ସ୍କୁଲରେ +୨ ଖୋଲିବା ଫଳରେ ସ୍କୁଲ ସଂଲଗ୍ନ ନୀଳାଦ୍ରି ଓ ଦାମିଆ ବରବରା ଭଳି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତର ଛାତ୍ରଛାତ୍ରୀ ମାନେ ଏହା ଦ୍ୱାରା ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ଜନସାଧାରଣ ମତ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ହାଇୱା ଧକ୍କାରେ ମହିଳା ମୃତ, ଗ୍ରାମରେ ଉତ୍ତେଜନା ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରିପ୍ରସାଦ ଗ୍ରାମରେ ଆଜି ସକାଳୁ ଅଭାବନୀୟ ଘଟଣା ଘଟିଯାଇଛି। ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଖବର ମୁତାବକ ଆଜି ସକାଳୁ ମହାନଦୀରୁ ବାଲି ନେଇ ଏକ ହାଇୱା ନୀଳାଦ୍ରିପ୍ରସାଦ ମେଡିକାଲ ପରିସରରେ ଖାଲି କରି ଫେରିବା ବେଳକୁ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା। ଫଳରେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ ବୋଲି ସ୍ଥାନୀୟ ଲୋକ କହୁଛନ୍ତି।

ତେବେ ହାଇୱା ଟି ମହିଳାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିବା ବେଳେ ଗାଡି ମାଲିକଙ୍କୁ ଗ୍ରାମବାସୀ ଅଟକ ରଖିଥିବା ଜଣାପଡିଛି। ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ହୃଦଘାତରେ ବାଣପୁର ଉପ ସହକାରୀ କାରାପାଳଙ୍କ ମୃତ୍ୟୁ!

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର କାରାଗାରରେ କାର୍ଯ୍ୟରତ ଉପ ସହକାରୀ କାରାପାଳ ଜି. ଭିକାରି ପ୍ରଧାନ (୫୯)ଙ୍କ ଆକସ୍ମିକ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଗତକାଲି ରାତିରେ କାର୍ଯ୍ୟ ସାରି ନିଜ ସରକାରୀ ବାସଭବନରେ ବିଶ୍ରାମ ନେଉଥିବା ବେଳେ ହଠାତ ଭିକାରି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଜେଲ କର୍ମଚାରୀମାନେ ତାଙ୍କୁ ବାଣପୁର ମେଡିକାଲ କୁ ନେଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସଙ୍ଗେସଙ୍ଗେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ରେଫର କରାଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ତେବେ ଏହା ହୃଦଘାତ ଲାଗି ହୋଇଥାଇପାରେ ବୋଲି ଜେଲ ସୁପରିଟେଣ୍ଡେଣ୍ଟ ଜଗତ ବିହାରୀ ରାଉତରାୟ ଅନୁମାନ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି।

ବାଣପୁର ଥାନାରେ ଏ ନେଇ ୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ଭିକାରିଙ୍କ ମୃତ୍ୟୁରେ ଜେଲ ଏବଂ ଥାନା କର୍ମଚାରୀ ମାନେ ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଗୋଟିଏ ପୁତ୍ର ଥିବାର ଜଣାପଡିଛି।

ସୂଚନା ଥାଉକି ଶ୍ରୀ ପ୍ରଧାନ ପାଖପାଖି ଏକ ବର୍ଷ ତଳେ ବାଣପୁର କାରାଗାରରେ ଉପ ସହକାରୀ କାରାପାଳ ଭାବେ ଯୋଗଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଇଞ୍ଜେକ୍ସନ ଦେବା ପରେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଅଭିଯୋଗ, ହସ୍ପିଟାଲରେ ଚାପା ଉତ୍ତେଜନା

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।  ବାଣପୁର ମେଡିକାଲରେ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ପରେ ତାଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି।

ଖବର ମୁତାବକ କୋଳଥଡିହ ଗ୍ରାମର ପାଣ୍ଡଵ ନାୟକ (୫୫), ଯିଏ କି ବାଣପୁର ଥାନାରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟରତ ଥିଲେ, ଆଜି ସକାଳେ ନିଜ ସାଇକେଲ ଯୋଗେ ବାଣପୁର ମେଡିକାଲକୁ ସାଧାରଣ ଚିକିତ୍ସା ପାଇଁ ଆସିଥିଲେ। ତେବେ ଡାକ୍ତର ତାଙ୍କୁ ଏକ ଇଞ୍ଜେକ୍ସନ ନେବା ପାଇଁ ପ୍ରେସକ୍ରିପସନ ଲେଖିଥଲେ। ସେହି ଆଧାରରେ ତାଙ୍କୁ ମେଡିକାଲ ନର୍ସ ଇଞ୍ଜେକେସନ ଦେବା ପରେ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ତେବେ ପାଣ୍ଡଵଙ୍କ ସ୍ତ୍ରୀ ଙ୍କ ଅଭିଯୋଗ ମୁତାବକ ଇଞ୍ଜେକେସନ ଲାଗି ତାଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ମେଡିକାଲରେ ପୋଲିସ ମୁତୟନ ଅଛନ୍ତି। ତେବେ ଏ ନେଇ ମେଡିକାଲ ଇନଚାର୍ଜ ଡ଼ା ରମାକାନ୍ତ ନାୟକଙ୍କୁ ପଚାରିବାରୁ, ପାଣ୍ଡଵଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଣ୍ଟିବାଓଟିକ ଇଞ୍ଜେକ୍ସନ ଦିଆଯାଇଛି।  ହେଲେ ମୃତ୍ୟୁର କାରଣ ପୋଷ୍ଟ ମର୍ଟମ ରିପୋର୍ଟ ଆସିବାପରେ ଜଣାପଡିବ ବୋଲି କହିଛନ୍ତି।

Categories
ଆଞ୍ଚଳିକ

ଜୋର ଧରିଲା ବାଣପୁରକୁ ସବ ଡିଭିଜନ ମାନ୍ୟତା ଦାବି

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁରକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବିରେ ବାଣପୁର-ବାଲୁଗାଁ-ଚିଲିକା ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆସନ୍ତା ୧୬ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ବାଲୁଗାଁ ସ୍ଥିତ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି କ୍ରିୟାନୁଷ୍ଠାନ କମିଟି ସଭାପତି ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି।

ବାଣପୁର ଅଞ୍ଚଳର ଜନସାଧାରଣ ମାନେ ଦୀର୍ଘ ବର୍ଷ ଧରି ବିଭିନ୍ନ ସମୟରେ ବାଣପୁରକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବି ନେଇ ଆନ୍ଦୋଳନ ଜାରି ରଖିଥିଲେ ସୁଦ୍ଧା ଏଯାବତ ବାଣପୁର ଏହାର ନ୍ୟାର୍ଯ୍ୟ ଦାବିରୁ ବଞ୍ଚିତ ହୋଇଛି। ଏହି ପରିପ୍ରେକ୍ଷୀରେ ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ଜୋର ଧରିଛି। ସବୁ ଭିତ୍ତିଭୂମି ଥାଇ ମଧ୍ୟ ବାଣପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରଦାନ ନକରିବା ଜନସାଧାରଣକୁ ମର୍ମାହତ କରିଛି।

ପ୍ରକାଶ ଥାଉକି ଉକ୍ତ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ କିଛି ବୁଦ୍ଧିଜୀବୀ ବାଣପୁର ସ୍ଥିତ ଶ୍ରୀ ଶ୍ରୀ ରଙ୍କନାଥ ଦେବ ମନ୍ଦିର ପରିସରରେ ଆଜି ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଯୋଗଦେଇ ଉକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର ଓ ନାଚୁଣୀରେ ସାମାଜିକ ସୁରକ୍ଷାକୁ ନେଇ ବ୍ଲକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର

ସୀତାରାମ ଅଗ୍ରୱାଲ

ବାଣପୁର : ଛାତ୍ରଛାତ୍ରୀ ମାନଙ୍କୁ ଉଚିତ ମାର୍ଗଦର୍ଶନ ନିମନ୍ତେ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଛାତ୍ରଛାତ୍ରୀ ମାନେ ପାଠ୍ୟପୁସ୍ତକ ବ୍ୟତୀତ ସାମାଜିକ ଗଠନ ମୁଲକ ତତ୍ତ୍ୱ ବିଷୟରେ ଶିକ୍ଷା ଗ୍ରହଣ କରିବା ନିତାନ୍ତ ଆବଶ୍ୟକ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇଙ୍କ ନିର୍ଦ୍ଦେଶ ମୁତାବକ ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲି ବାଣପୁର ବ୍ଲକର ଗୋଦାବରୀଶ ହାଇସ୍କୁଲ ଏବଂ ନାଚୁଣୀ ହାଇସ୍କୁଲଠାରେ ସାମାଜିକ ବିଜ୍ଞାନ ଏବଂ ଲିଙ୍ଗଗତ ସମାନତା କୁ ନେଇ ଏକ ତିନିଦିନିଆ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି। ଯେଉଁଥିରେ କି 100 ଜଣ ଶିକ୍ଷକ ପ୍ରଶିକ୍ଷିତ ହେବେ।

ଉକ୍ତ ପ୍ରଶିକ୍ଷଣ ଶିବିରରେ ଶିକ୍ଷକ ମାନେ ମୁଖ୍ୟତଃ କିପରି ଛାତ୍ରଛାତ୍ରୀ ମାନେ ସେମାନଙ୍କର ଅଧିକାର, ସୁଯୋଗ ଏବଂ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ପ୍ରତିପାଦନ କରିପାରିବେ ଏହାରି ଉପରେ ପ୍ରଶିକ୍ଷିତ ହେବେ। ଯାହାକି ଆଗାମୀ ଦିନରେ ପିଲାମାନେ ଦେଶ ମାତୃକା ପ୍ରତି କର୍ତ୍ତବ୍ୟ, ସେମାନଙ୍କର ଅଧିକାର ଏବଂ ସରକାରୀ ସୁଯୋଗର ସଠିକ ଉପଯୋଗ କରିବେ।

ତତସହିତ ଲିଙ୍ଗଗତ ସମାନତା ଉପରେ ଛାତ୍ରଛାତ୍ରୀ ମାନଙ୍କର କୌଣସି ଦ୍ଵନ୍ଦ ଦୂର କରିବା ମଧ୍ୟ ଉକ୍ତ ପ୍ରଶିକ୍ଷଣ ଶିବିରର ମୁଖ୍ୟ ଉଦେଶ୍ୟ। ଯାହାକି ଛାତ୍ରଛାତ୍ରୀ ମାନେ ସ୍ତ୍ରୀ ଓ ପୁରୁଷ ମଧ୍ୟରେ ଭବିଷ୍ୟତ ବ୍ୟବସ୍ଥା ପାଇଁ ଉଚିତ ନ୍ୟାୟ, ଲାଭ ଓ କର୍ତ୍ତବ୍ୟକୁ ସମାନ ବଣ୍ଟନର ବ୍ୟବସ୍ଥା କରିପାରିବେ। ଏହା ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆଯିବାର ବ୍ୟବସ୍ଥା କରାଯାଇଛି।

Categories
ଆଞ୍ଚଳିକ

ବାଣପୁର କଲେଜ ପୁରାତନ ଛାତ୍ରସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ରସଂଘ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଉକ୍ତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଛି। ସେଥିପାଇଁ ଅଧ୍ୟକ୍ଷ ବିନାୟକ ହୋତାଙ୍କ ପ୍ରୟାସ ଓ ପୁରାତନ ଛାତ୍ର ସଙ୍ଘର ସଭାପତି ଡା. ଦେବେନ୍ଦ୍ର ନାଥ ମାନସିଂହଙ୍କ ଆବାହକତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକରେ ପୁରାତନ ଛାତ୍ରସଂଘର ସଭାପତିଙ୍କ ସମେତ, ଉପସଭାପତି ତଥା ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମ୍ପାଦକ ପ୍ରାଧ୍ୟାପକ ଲଷ୍ମୀ ପ୍ରସାଦ ମିଶ୍ର, ପୁରାତନ ଛାତ୍ର ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଅବସରପ୍ରାପ୍ତ ଆଇଏଫଏସ ଆଶୁତୋଷ ସାମନ୍ତ ସିଂହାର ଏବଂ ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚାରଣ ପ୍ରଧାନ ଆଦି ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ।

1963 ମସିହାରୁ 2023 ମସିହା ପର୍ଯ୍ୟନ୍ତ ଏଠାରେ ଅଧ୍ୟୟନ କରିଥିବା ବହୁ ଉଚ୍ଚ ପଦ ପଦବୀରେ ପ୍ରତିଷ୍ଠିତ ହୋଇଥିବା ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଅତିଥିମାନେ କଲେଜକୁ ଏକ ଉନ୍ନତ ମାନର କଲେଜରେ ପରିଣତ କରିବାକୁ ହେଲେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଅବଦାନ ରହିବା ଦରକାର ବୋଲି କହିଥିଲେ। ଆଗାମୀ ଦିନରେ ଉକ୍ତ କଲେଜକୁ ନାକ୍ ଟିମ ପରିଦର୍ଶନ, ସରକାରୀ ମାନ୍ୟତା, ଅଟୋନୋମସ ମାନ୍ୟତା ଆଦି ମିଳିବା ଦିଗରେ ପୁରାତନ ଛାତ୍ରସଙ୍ଘ କାର୍ଯ୍ୟ କରିବା ଦିଗରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ।

ବହୁ ପୁରାତନ ଛାତ୍ରଛାତ୍ରୀ ମୋ’ କଲେଜ ଅଭିଯାନରେ ସାମିଲ ହୋଇ ମହାବିଦ୍ୟାଳୟକୁ ଆର୍ଥିକ ଅନୁଦାନ ଦେବାକୁ ସମ୍ମତି ପ୍ରକାଶ କରିଥିଲେ। ତେବେ ଶିକ୍ଷାନୁଷ୍ଠାନ ତାହାର ହୀରକ ଜୟନ୍ତୀ ପାଳନ କରୁଥିବା ଏବଂ ଏଠାରେ ବହୁ ଛାତ୍ର ଅଧ୍ୟୟନ କରି ମନ୍ତ୍ରୀ, ବିଧାୟକ ଓ ସାଂସଦ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କଲେଜକୁ ସରକାରୀ ଓ ଅଟୋନମସ ମାନ୍ୟତା ନ ମିଳିବା ଦ୍ୱାରା ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଅଧିକ ଶୁଳ୍କ ଦେଇ ପାଠ ପଢିବାକୁ ନେଇ ବହୁ ପୁରାତନ ଛାତ୍ର କ୍ଷୋଭ ପ୍ରକାଶ କରିଥିଲେ।

ପରିଶେଷରେ କମିଟି ଯୁଗ୍ମ ସମ୍ପାଦକ ମହେଶ୍ୱର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ଜନ ଶୁଣାଣୀ କଲେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସଭାଗୃହରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟଙ୍କ ସଭାପତିତ୍ବରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଏକ ସାମାଜିକ ସମୀକ୍ଷା ବୈଠକ ଓ ସାଧାରଣ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ବିଗତ ବର୍ଷର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ ଶ୍ରମିକ ପ୍ରାପ୍ଯ ଉପରେ ଆଲୋଚନା କରାଯାଇ ବିଭିନ୍ନ କାର୍ଯ୍ୟରେ ହୋଇଥିବା ଅନିୟମିତତା ବାବଦକୁ ଜିଆରଏସ ଓ କନିଷ୍ଠ ଯନ୍ତ୍ରୀ ମାନଙ୍କ ଠାରୁ ମୋଟ ୧୫୧୦୦ ଟଙ୍କା ଆଦାୟ ପାଇଁ ଶ୍ରୀ ରାଉତରାୟ ନିଦ୍ଦେର୍ଶ ଦେଇଥିଲେ।

ସ୍ବଛ ଭାରତ ମିଶନର କାର୍ଯ୍ୟକ୍ରମ ମନ୍ଥରକୁ ନେଇ ଉପସ୍ଥିତ ସଭ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଉକ୍ତ ଯୋଜନାରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଅମୃତ ସରୋବର କାର୍ଯ୍ୟ ଶିଘ୍ର ଆରମ୍ଭ କରିବାକୁ ମୁଖ୍ୟ ଉନ୍ନୟନ ଅଧିକାରୀ ନିଦ୍ଦେର୍ଶ ଦେଇଥିଲେ। ବାଣପୁର ବ୍ଲକରେ ମୋଟ ୧୯୪୨୮ଟି ଶ୍ରମ କାର୍ଡରୁ ୧୦୮୮୫ ଟି କାର୍ଡ କାର୍ଯ୍ୟକ୍ଷମ ଥିବା ଜଣାଯାଇଛି। ଶ୍ରମିକମାନଙ୍କୁ ଶ୍ରମ ଦିବସ ଯୋଗାଇ ଦେବାରେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ସବୁଠାରୁ ଆଗୁଆ ଥିବାରୁ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କୁ ପ୍ରଂଶଂସା କରାଯାଇଛି।

ସେହିପରି ଦେଓଗାଁ ଓ ଦାମିଆବରବରା ଗ୍ରାମ ପଞ୍ଚାୟତ ସବୁଠାରୁ ପଛୁଆ ଥିବା କାରଣରୁ କାର୍ଯ୍ୟର ଅଗ୍ରଗତି କରିବାକୁ ତାଗିଦ କରିଥିଲେ ଉନ୍ନୟନ ଅଧିକାରୀ। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା,ବିଡିଓ ବୁଲବୁଲ ବେହେରା ,ଜିଲ୍ଲା ସମୀକ୍ଷା ଅଧିକାରୀ ପ୍ରଦୋଷ ମହାରଣାଙ୍କ ସହ ସମସ୍ତ ସରପଞ୍ଚ, ସମିତି ସଭ୍ୟ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସ ମାନେ ଉପସ୍ଥିତ ଥିଲେ ।

Categories
ଆଞ୍ଚଳିକ

ବାଣପୁର ନିକଟରେ ସଡକ ଦୁର୍ଘଟଣା, ୨୦ ଜଣ ଆହତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦାମିଆ ବରବରା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି।

ଖବର ମୁତାବକ ଦାମିଆ ବରବରା ପଞ୍ଚାୟତ ମସକାବାରି ଗ୍ରାମର ପାଖାପାଖି ୨୦ ଜଣ ମହିଳା ଓ ପୁରୁଷ ରାସନ ଚାଉଳ ଆଣିବା ନିମନ୍ତେ ଏକ ଟାଟା ଏସିଇ ଗାଡ଼ିରେ ପଞ୍ଚାୟତ କାର‌୍ୟ୍ୟାଳୟକୁ ଯାଉଥିଲେ। ତେବେ ଦାମିଆ ଶଙ୍ଖ ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ଲେଉଟି ପଡିଥିଲା। ଫଳରେ ସମସ୍ତ ବ୍ୟକ୍ତି ଆହତ ହୋଇଥିଲେ।

ଏହାପରେ ଆହତ ବ୍ୟକ୍ତିମାନେ ବାଣପୁର ମେଡିକାଲକୁ ଚିକିତ୍ସାତ ହେବା ପାଇଁ ଆସିଥିବା ବେଳେ ୧୫ ଜଣ ସାମାନ୍ୟ ଆହତ ଏବଂ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଅନୁରୂପ ଭାବେ ଜଣେ ବ୍ୟକ୍ତିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।

Categories
ଆଞ୍ଚଳିକ

ବାଣପୁରର ବିଭିନ୍ନ ଅଞ୍ଚଳରେ ବେଶ ଧୂମଧାମରେ ପାଳନ ହେଲା ରାମନବମୀ

ସୀତାରାମ ଅଗ୍ରୱାଲ

ବାଣପୁର :- ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କର ଜନ୍ମ ଦିବସ ଗତକାଲି ପାଳିତ ହୋଇଛି। ଓଡିଶାର ପୂରପଲ୍ଲୀରେ ଚୈତ୍ରମାସ ଶୁକ୍ଳ ନବମୀ ଦିନଟିକୁ ରାମନବମୀ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଣପୁରର ଭେଟେଶ୍ୱର, ମଙ୍ଗରାଜପୁର, ପଦନପୁର ସମେତ ବହୁ ସ୍ଥାନରେ ରାମନବମି ପୂଜା ଅନୁଷ୍ଠିତ ହୋଇଯାଇଛି।

ପୁରାଣ କଥା ଅନୁଯାୟୀ ଭଗବାନ ବିଷ୍ଣୁଙ୍କ ଦଶ ଅବତାର ଭିତରେ ତ୍ରେତୟାଯୁଗରେ ପ୍ରଭୁ ରାମଚନ୍ଦ୍ର ସପ୍ତମ ଅବତାର ଗ୍ରହଣ କରିଥିଲେ। ଅତ୍ୟାଚାରୀ ରାବଣକୁ ବଧ କରିବା ସହିତ ବିଭନ୍ନ ଅତ୍ୟାଚାରରୁ ସୃଷ୍ଟିକୁ ରକ୍ଷା କରିବା ଏବଂ ସତ୍ୟ ରକ୍ଷା କରିବା ନିମିତ୍ତ ଏ ଧରାଧାମରେ ପ୍ରଭୁ ରାମଚନ୍ଦ୍ରଙ୍କର ଆବିର୍ଭାବ ହୋଇଥିଲା। ତେଣୁ ପ୍ରତ୍ୟେକ ହିନ୍ଦୁ ସନାତନ ଧର୍ମୀ ଲୋକମାନଙ୍କ ପାଇଁ ଆଜିର ଦିନଟି ହେଉଛି ଏକ ପବିତ୍ର ଦିନ।

ମଙ୍ଗରାଜପୁର ଗ୍ରାମରେ ରାମ ନବମୀ ଠାରୁ ପାଞ୍ଚ ଦିନ ବ୍ୟାପି ଏହି ପୂଜା ମହାଡ଼ମ୍ବରରେ ପାଳନ ହେଉଛି। ଗ୍ରାମର ବହୁ ମହିଳା ଓ ପୁରୁଷ ନିଜ ନିଜର ମାନସିକ କରି ରାମନବାମୀ ଦିନ ସଂକଳ୍ପ କରି କୁମ୍ଭ ଧାରଣ ପୂର୍ବକ ନଗର ପରିକ୍ରମା କରିଥିଲେ। ପ୍ରତ୍ୟେକ ଦିନ ହବିଷ୍ୟlଦି ଗ୍ରହଣ କରି ମାନସିକ ଧାରୀ ମାନେ ରାମାୟଣ ପୁସ୍ତକ ପଠନ ଓ ଶ୍ରବଣ କରି ରାମଙ୍କର ଲୀଳାକୁ ସ୍ମରଣ କରିଥାନ୍ତି।

ପୂଜାର ଶେଷ ଏବଂ ଅନ୍ତିମ ଦିନରେ ପୂର୍ଣ୍ଣାହୁତି କରାଯାଇ ରାମାୟଣ ପୁସ୍ତକ ପଠନ ସମ୍ପୂର୍ଣ୍ଣ କରାଯିବାର ଵିଧି ପ୍ରଚଳିତ ଅଛି। ଗ୍ରାମରେ ଉକ୍ତ ପଞ୍ଚାଦିନ ବ୍ୟାପି ଗ୍ରାମବାସୀ ଆମିଷ ଭକ୍ଷଣ ଠାରୁ ଦୂରରେ ରହି ରାମଚନ୍ଦ୍ରଙ୍କର ଗୁଣ ଗାନ କରିଥାନ୍ତି।

Categories
ଆଞ୍ଚଳିକ

ବାଣପୁର: ଜମି ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଦୁଇ ଆହତ, ଥାନାରେ ଏକାଧିକ ଅଟକ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅନ୍ତର୍ଗତ ଦାଶରଥୀପୁର ଗ୍ରାମ ହରିଜନ ସାହିରେ ଏକ ଜମି ବିବାଦକୁ କେନ୍ଦ୍ରକରି ଆଜି ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡିଛି। ଉକ୍ତ ସଂଘର୍ଷରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି। ଏ ନେଇ ଉଭୟ ପକ୍ଷଙ୍କ ଦ୍ୱାରା ଦୁଇ ଗୋଟି ପୃଥକ ଏତଲା ଦିଆଯାଇଥିବା ବେଳେ ପୋଲିସ ଉଭୟ ପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରି ତନାଘନା ଜାରି ରଖିଛି।

ଥାନାରେ ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ଏକ ସରକାରୀ ଜାଗାକୁ କିଛି ବ୍ୟକ୍ତି ଅକ୍ତିଆର କରି ରଖିଥିବା ବେଳେ ଗ୍ରାମବାସୀ ଉକ୍ତ ଜାଗା ଗ୍ରାମବାସୀଙ୍କର ବୋଲି ଦାବି କରୁଛନ୍ତି। ଆଜି ଉକ୍ତ ଜାଗାରେ କୋଠ ନିର୍ମାଣକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥଲା। ଯାହାଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା।

ତେବେ ଅଦ୍ୟାବଧି ଏକାଧିକ ବ୍ୟକ୍ତି ଉକ୍ତ ଘଟଣାରେ ଅଟକ ଥିବା ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି। ଅପରପକ୍ଷେ ଗ୍ରାମରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ମୁତୟନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସିଲିଙ୍ଗପଡ଼ା ଜଙ୍ଗଲରେ ହାତୀର ମୃତ୍ୟୁ: ଘଟଣାସ୍ଥଳରେ ଭୁବନେଶ୍ୱର ଆରସିସିଏଫ ଓ ଖୋର୍ଦ୍ଧା ଡ଼ିଏଫଓ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ବନଖଣ୍ଡ ବାଲୁଗାଁ ବନାଞ୍ଚଳ ଅନ୍ତର୍ଗତ ଧୂଆଁନଳି ସେକ୍ସନ ସିଲିଙ୍ଗପଡ଼ା ଜଙ୍ଗଲରେ ଆଜି ଏକ ହାତୀର ମୃତ୍ୟୁ ହୋଇଛି। ହାତୀର ବୟସ ୩ ରୁ ୪ ବର୍ଷ ହେବ।

ଖବର ପାଇ ଭୁବନେଶ୍ୱର ଆରସିସିଏଫ, ଖୋର୍ଦ୍ଧା ଡ଼ିଏଫଓ ପୂର୍ଣ୍ଣିମା ପାଣ୍ଡିଆନ, ଏସିଏଫ, ବାଲୁଗାଁ ରେଞ୍ଜର ଆଦି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ତେବେ ହାତୀର ପ୍ରାକୃତିକ ମୃତ୍ୟୁ ହୋଇଥିବାର ଡ଼ିଏଫଓ ସୁଶ୍ରୀ ପାଣ୍ଡିଆନ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଅଧିକ ତଦନ୍ତ ପାଇଁ ଏକ ଡାକ୍ତରୀଦଳ ହାତୀର ଶବ ବ୍ୟବଚ୍ଛେଦ କରିଛନ୍ତି। ଏବଂ ହାତୀର ଶବକୁ ଜଙ୍ଗଲରେ ପୋତିଦିଆଯାଇଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

Categories
ଆଞ୍ଚଳିକ

ବାଣପୁର ମା ଭଗବତୀଙ୍କୁ ଦର୍ଶନ କଲେ ବିଜେପି ନେତା ସମ୍ବିତ ପାତ୍ର, କଲେ ପୂଜାପାଠ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପବିତ୍ର ସପ୍ତମୀ ପରିପ୍ରେକ୍ଷୀରେ ବଡ଼ି ଭୋରରେ ବାଣପୁରସ୍ଥିତ ପ୍ରସିଦ୍ଧ ମା’ ଭଗବତୀ ମନ୍ଦିର ଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର। ଶ୍ରୀ ପାତ୍ର ସକାଳୁ ମା’ ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲୋଡିଛନ୍ତି। ସେ ମନ୍ଦିର ପରିସରରେ କିଛି ସମୟ ଅତିବାହିତ କରିବା ସହ ସେଠାରେ ଜାରି ରହିଥିବା ବାସନ୍ତିକ ନବରାତ୍ରି ବିଶ୍ଵଶାନ୍ତି ମହାଯଜ୍ଞ ସ୍ଥଳ ପରିକ୍ରମା କରିଥିଲେ।

ଆଧ୍ୟାତ୍ମିକ ଚିନ୍ତନରେ ବିଶ୍ୱାସ ରଖୁଥିବା ଶ୍ରୀ ପାତ୍ର ଏହି ନବରାତ୍ରିରେ ନବ ଦିନ ଉପବାସ କରୁଥିବାର ଜଣାପଡିଛି l ଜଣେ ବିଚକ୍ଷଣ ରାଜନେତା ସମେତ ନିଜର ବାକଚତୁରିରେ ବିରୋଧିଙ୍କୁ ଧରାଶାୟୀ କରି ପାରୁଥିବା ଶ୍ରୀ ପାତ୍ର ଆଗାମୀ ପୁରୀ ଲୋକସଭା ନିର୍ବାଚନ ପାଇଁ ସମସ୍ତ ସାତଗୋଟି ନିର୍ବାଚନମଣ୍ଡଳିରେ ନିରନ୍ତର ସଂଗଠନ ଜାରି ରଖିଥିବାର ଦେଖିବାକୁ ମିଳୁଛି।

ଆନୁଷ୍ଠାନିକ ଭାବେ ଘୋଷଣା ନହେଲେ ସୁଦ୍ଧା ଚଳିତ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା କ୍ଷେତ୍ରରୁ ଡ଼ା ସମ୍ବିତ ପାତ୍ର ପୁନଶ୍ଚ ବିଜେପି ପ୍ରାର୍ଥୀ ହେବେ ବୋଲି ଏକ ପ୍ରକାର ନିଶ୍ଚିତ। ତେବେ ଶ୍ରୀ ପାତ୍ର ଗତ ଲୋକସଭା ନିର୍ବାଚନରେ ଖୁବ କମ ଭୋଟରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ଠାରୁ ପରାସ୍ତ ହେବା ପରେ ବିଗତ ଚାରିବର୍ଷ ଧରି ପୁରୀ ସଂସଦୀୟ କ୍ଷେତ୍ରରେ ଅହରହ ସଂଗଠନ କରି ଆସୁଛନ୍ତି।