Categories
ଆଜିର ଖବର ଆଞ୍ଚଳିକ

ଆଇଏନଏସ ଚିଲିକାର ପ୍ରଶିକ୍ଷାର୍ଥୀଙ୍କ ପାଠ୍ୟକ୍ରମ ସମାପନ ସମାରୋହ,କର୍ତ୍ତବ୍ୟ ପରାୟଣ ହେବାକୁ ଆହ୍ବାନ

ସୀତାରାମ ଅଗ୍ରୱାଲ

ଚିଲିକା, ଆଇଏନଏସ ଚିଲିକାର ପ୍ରଶିକ୍ଷାର୍ଥୀ ମାନଙ୍କ ପାଠ୍ୟକ୍ରମ ସମାପନ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ନୌସେନା ତଟରକ୍ଷୀ ବାହିନୀ ପ୍ରଶିକ୍ଷାାର୍ଥୀମାନଙ୍କ ଏହି ପ୍ରଶିକ୍ଷଣ ସମାରୋହକୁ ଆଇଏନଏସ ଚିଲିକାର ଅଧିକାରୀ କମୋଡର ରୁତୁରାଜ ସାହୁ ନୀରିକ୍ଷକ ଅଧିକାରୀ ଭାବେ ନୀରିକ୍ଷଣ କରି ଯୋଗ୍ୟ ପ୍ରଶିକ୍ଷାର୍ଥୀମାନଙ୍କୁ ମେଡାଲ ଓ ଟ୍ରଫି ପ୍ରଦାନ କରିଥିଲେ। ନିରିକ୍ଷିତ ଅଧିକାରୀ ତାଙ୍କ ଭାଷଣରେ ସ୍ନାତ୍ତକ ପ୍ରଶିକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇ ଭାରତୀୟ ନୌସେନାର ମୂଳ କର୍ତ୍ତବ୍ୟ ବଜାୟ ରଖି ଆଗକୁ ସମ୍ମାନ ଓ ସାହସର ସହିତ କାମ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ସେ କରୋନା କାରଣରୁ ସମାରୋହରେ ଉପସ୍ଥିତ ହୋଇ ପାରିନଥିବା ପ୍ରଶିକ୍ଷାର୍ଥୀମାନଙ୍କର ପିତାମାତାଙ୍କୁ ବି ଅଭିନନ୍ଦନ ଜଣାଇଥିଲେ।

ଅଭିଷେକ ସିଂହ ବରିଷ୍ଠ ସେକେଣ୍ଡାରୀ ରିକୃଟ୍, ଏମ.ଡି.ରାଓ ନାବିକ (ସାଧାରଣ ଡ୍ୟୁଟି) ଭାରତୀୟ ନୌସେନା ଏବଂ ତଟରକ୍ଷୀ ବାହିନୀ ପକ୍ଷରୁ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ପାଠ୍ୟକ୍ରମ ଉତ୍ସବ ଶେଷରେ ସମସ୍ତଙ୍କ ପାଇଁ ଏକ ଚା ଭୋଜିର ଆୟୋଜନ କରାଯାଇଥିଲା। ଏହି ଅବସରରେ ଆଇଏନଏସ ଚିଲିକାର ପତ୍ରିକା ଅଙ୍କୁର ଉନ୍ମୋଚିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଅବକାରୀ ବିଭାଗର ବଡ଼ ସଫଳତା : ପାଞ୍ଚ କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ସହ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ :  ଗତ କିଛିଦିନ ହେବ ବାଲୁଗାଁ-ବାଣପୁର ଅଞ୍ଚଳରେ ଅବକାରୀ ବିଭାଗ ବେଶ୍‌ ସକ୍ରିୟ ରହିଥିବାବେଳେ ଆଜି ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି । ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ୍‌ଆଇ ମନୋଜ କୁମାର ବାରିକ୍‌ ଓ ତାଙ୍କ ଟିମ୍‌ ଆଜି 5 କିଲୋରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛନ୍ତି ।

କୌଣସି ସୂତ୍ରରୁ ପୂର୍ବରୁ ଖବର ପାଇ ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଜାତୀୟ ରାଜପଥଠାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଅବକାରୀ ବିଭାଗ ଛପି ରହିଥିଲେ। ପାଖାପାଖି ସକାଳ 6.30ରେ ଅଭିଯୁକ୍ତ ନବକିଶୋର ପରିଡାଙ୍କୁ ଗଞ୍ଜେଇ ସହ ଧରିବାରେ ସଫଳ ହୋଇଥିଲେ ଅବକାରୀ ବିଭାଗ ।ବାଲୁଗାଁରୁ ତାଙ୍କ ଘର ଟାଙ୍ଗୀ ଅଭିମୁଖେ ଯାଉଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ଅବକାରୀ ବିଭାଗ। ଅଭିଯୁକ୍ତଙ୍କଠାରୁ 5 କିଲୋ 200 ଗ୍ରାମର ଗଞ୍ଜେଇ  ସହ ଓଡି25ଏଚ୍‌2380ନମ୍ବରର ଏକ ଟିଭିଏସ୍‌ ଜୁପିଟର୍‌ ସ୍କୁଟି ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ଅଭିଯୁକ୍ତଙ୍କୁ ଗିରଫ କରି ଏନ୍‌ଡିପିଏସ୍‌ ଆଇନ ଅନୁଯାୟୀ କେସ୍‌ ନଂ  32/20 ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନାଯୋଗ୍ୟ, ବାଲୁଗାଁ –ବାଣପୁର  ଅଞ୍ଚଳରେ ଅବକାରୀ ବିଭାଗ ବେଶ୍‌ କିଛି ଦିନ ହେବ ସକ୍ରିୟ ରହିଛି । ବହୁ ଚୋରା ମଦ ଚାଲାଣକୁ ରୋକିବା ସହ ଆଜି ଗଞ୍ଜେଇ ଜବତ କରିଛନ୍ତି । ଅବକାରୀ ବିଭାଗର ଏତାଦୃଶ କାର୍ଯ୍ୟକୁ ଅଞ୍ଚଳବାସୀ ବେଶ୍‌ ପ୍ରଶଂସା କରିଛନ୍ତି ।

Categories
ଆଞ୍ଚଳିକ

ବାଣପୁର ଓ ଚିଲିକାରେ ଧରାପଡ଼ିଲେ ଅମାନିଆ, ଗଣିଲେ ତଣ୍ଡ, ତହସିଲଦାରଙ୍କ ଦ୍ବାରା କରୋନା ନିୟମର କଡ଼ାକଡ଼ି ଚେକିଂ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲାର ବାଣପୁର ଏବଂ ବାଲୁଗାଁ ଅଞ୍ଚଳରେ କରୋନା ସଂକ୍ରମଣର ଭୟାବହତାକୁ ବେଖାତିର କରି କିଛି ଅମାନିଆ ଆଜି ତଣ୍ଡ ଗଣିଛନ୍ତି। ବାଣପୁର-ବାଲୁଗାଁ ଅଞ୍ଚଳ ବର୍ତ୍ତମାନ ବିପଦ ଜୋନରେ ରହିଥିବାରୁ ପ୍ରଶାସନ ବହୁ ସତର୍କତା ଅବଲମ୍ବନ କରୁଛି।  ସ୍ଥିତି ଖରାପ ହେଉଥିବାରୁ ବାଣପୁର ତହସିଲଦାର ମନ୍ମଥ ବେହେରା ତିନି ଦିନ ହେଲା ତହସିଲର ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଚେକିଂ ଜାରି ରଖିଛନ୍ତି।

ବାରମ୍ବାର ଲୋକଙ୍କୁ କରୋନା ନିୟମ ପାଳନ କରିବାକୁ ଅନୁରୋଧ କଲେ ମଧ୍ୟ ଅନେକ ଅମାନିଆ ସରକାରୀ କଟକଣାକୁ ଭୃକ୍ଷେପ କରୁନାହାନ୍ତି। ଗଞ୍ଜାମ ଜିଲ୍ଲା ବର୍ତ୍ତମାନ କରୋନାର ହଟସ୍ପଟ ପାଲଟିଥିବାରୁ ଜିଲ୍ଲା ପ୍ରଶାସନ ଖୋର୍ଦ୍ଧା-ଗଞ୍ଜାମ ଜିଲ୍ଲା ସୀମା ସିଲ କରିଦେଇଛନ୍ତି। ଯାହାର ଗୋଟିଏ ପାର୍ଶ୍ୱ ବାଣପୁର-ଗଞ୍ଜାମ ଶେଷ ସୀମା କୁମାରୀପାରିରେ ରହିଛି।

ଆଜି ଦିନ ୧୧ଟାରେ ବାଣପୁର ତହସିଲଦାର ସଦଳବଳେ ବାଣପୁର-ବାଲୁଗାଁ ବାଇପାସ ଠାରେ ପାଖାପାଖି ଦୁଇ ଘଣ୍ଟାଧରି ଜୋରଦାର ଚେକିଂ କରିଥିଲେ। ବିଭିନ୍ନ ଦୋକାନରେ ସାମାଜିକ ଦୂରତ୍ୱ ତଦାରଖ କରିବା ସହ ମାସ୍କ ପିନ୍ଧିନଥିବା ୩୭ ଜଣ ଅମାନିଆଙ୍କଠାରୁ ୧୮ ହଜାର ୫00 ଟଙ୍କା ଜରିମାନା ଆଦାୟ କରିଛନ୍ତି।

ସେହିପରି ଆଗକୁ ବାଣପୁର ଅଞ୍ଚଳରେ କରୋନା କଟକଣାକୁ ଆହୁରି କଡ଼ାକଡ଼ି କରାଯିବ ଏବଂ ରାତ୍ରି କର୍ଫ୍ୟୁ କୁ ଶହେ ପ୍ରତିଶତ ପାଳନ କରାଯିବ ବୋଲି ତହସିଲଦାର ଗଣମାଧ୍ୟମକୁ କହିଛନ୍ତି। ଆଗକୁ କରୋନା ପ୍ରକୋପ ବଢିବା ଆଶଙ୍କା ଥିବାରୁ ବାଣପୁରରେ ଦୋକାନ ବଜାର ଖୋଲିବା ସମୟ କମେଇବା ପାଇଁ ତହସିଲଦାର ଶ୍ରୀ ବେହେରା ଜିଲ୍ଲାପାଳଙ୍କୁ ଅନୁରୋଧ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ଆଜିର ଚେକିଂରେ ବାଣପୁର ତହସିଲର ବରିଷ୍ଠ ରାଜସ୍ବ ସହାୟକ ଅଧିକାରୀ ଅବନୀକାନ୍ତ ଦାସ, ସେକ୍ସନ ଅଫିସର ବସନ୍ତ ବେଦମତା ଏବଂ ବାଣପୁର ପୋଲିସ ଏ.ଏସ.ଆଇ ବସନ୍ତ ପଟନାୟକ ସହଯୋଗ କରିଥିଲେ।

ଆଜି ବାଲୁଗାଁରେ ମଧ୍ୟ ଚିଲିକା ତହସିଲଦାର ପୁନମ ମହାପାତ୍ରଙ୍କ ନେତୃତ୍ୱରେ କଡ଼ା ଚେକିଂ କରାଯାଇଥିଲା। ସହରର ବିଭିନ୍ନ ଲୁଗା ଦୋକାନ, ଚିଲିକା ରୋଡ଼ରେ ଥିବା ବିଭିନ୍ନ ଦୋକାନ ବଜାର ଆଦି ସ୍ଥାନରେ ଚଢ଼ାଉ କରାଯାଇ ଆଇନ ଉଲଙ୍ଘନ କାରୀଙ୍କଠାରୁ ପାଖାପାଖି ୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ପ୍ରଶାସନ ତରଫରୁ ଭାରି ଯାନ ପ୍ରବେଶ କଟକଣା ପାଇଁ ଚିଲିକା ରୋଡ଼ ମାଛ ମାର୍କେଟରେ ବ୍ୟାରିକେଡ଼ ଲଗାଯାଇଛି। ଚେକିଂ ବେଳେ ବାଲୁଗାଁ ପୋଲିସ ଏସ.ଆଇ ଦିଲୀପ ସାହୁ ସହଯୋଗ କରିଥିଲେ।

କରୋନା ମହାମାରୀକୁ ପ୍ରତିହିତ କରିବା ପାଇଁ ଆଜିଠାରୁ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲା ସୀମା ସିଲ କରିଦିଆଯାଇଛି। ଏ ସମ୍ପର୍କରେ ଖୋର୍ଦ୍ଧା ଏସ.ପି ଙ୍କ ସୁପାରିସ କ୍ରମେ ଆଜି ଖୋର୍ଦ୍ଧା ଉପ ଜିଲାପାଳ ଏକ ନିର୍ଦେଶନାମା ଜାରି କରିଛନ୍ତି। ଯେଉଁଥିରେ ଆଜିଠାରୁ ଉଭୟ ଜିଲ୍ଲା ସୀମା ସିଲ ନ ଖୋଲିବା ପର୍ଯ୍ୟନ୍ତ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲାର ସୀମା ଅଞ୍ଚଳ ଯଥା କୁମାରିପାରି ଏବଂ ନାଭାଲ ଛକରେ ଆଇନଶୃଙ୍ଖଳା ତଦାରଖ ପାଇଁ ବାଣପୁର ଏବଂ ଚିଲିକା ତହସିଲଦାରଙ୍କୁ ଉପଜିଲ୍ଲାପାଳ ପୋଲିସ ଫୋର୍ସ ଇନଚାର୍ଜର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ମୋରାମୋରି ଗାଁ ଲୋକଙ୍କ ପ୍ରଶଂସନୀୟ କାର୍ଯ୍ୟ, ଧରିଲେ ୧୨୫ ଲିଟର ଦେଶୀ ମଦ, ଅବକାରୀ ବିଭାଗକୁ ଦେଲେ ଖବର

ବାଣପୁର: ନିଶାମୁକ୍ତ ଗାଁ କରିବାକୁ ଗ୍ରାମବାସୀଙ୍କ ସଫଳ ପ୍ରୟାସ। ଚୋରା ଚାଲାଣ ବେଳେ ପାଖାପାଖି ୧୨୫ ଲିଟର ଦେଶୀ ମଦ ଧରିବା ସହ ଏହି କାରବାର ଚଳାଇଥିବା ମଦବେପାରୀଙ୍କୁ କାବୁ କରିଛନ୍ତି ଗ୍ରାମବାସୀ। ଏହି ଘଟଣା ଘଟିଛି ବାଣପୁର ବ୍ଲକ ଅନ୍ତର୍ଗତ ମୋରାମୋରି ପଂଚାୟତର ମୋରାମୋରି ଗାଁରେ।

ଗ୍ରାମବାସୀ ପାଖାପାଖି୧୨୫ ଲିଟର ଦେଶୀ ମଦ ଜବତ କରିଛନ୍ତି। କରୋନା ମହାମାରୀ ବ୍ୟାପିଥିବାରୁ ବିଦେଶୀ ମଦର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶୀ ମଦର ଚାହିଦା ବଢିବା ସହ ଏହାର କଳାବଜାର ଗାଁ ଗହଳିରେ ବଢି ଚାଲିଛି। ଏହାର ସୁଯୋଗ ନେଇ କିଛି ଲୋକ ମଦ ଚୋରା କାରବାର କରି ଆସୁଥିଲେ।

ଏହା ଜାଣି ଗ୍ରାମ କମିଟିର ବୈଠକ ବସି ଦେଶୀ ମଦ କାରବାର ରୋକିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ମୋରମୋରି ଗ୍ରାମ କମିଟିର ସଦସ୍ୟମାନେ ଗାଁ ପାଖରେ ଥିବା ଜଙ୍ଗଲରୁ ୧୨୫ ଲିଟର ଦେଶୀ ମଦ ସହିତ ମଦ କାରବାରରେ ଲାଗୁଥିବା ହଣ୍ଡା, ପ୍ଲାଷ୍ଟିକ ଡ୍ରମ, ଜାରିକିନି ଆଦି ଜବତ କରିଛନ୍ତି। ଏହି ଘଟଣାରେ ଗ୍ରାମବାସୀ ଗାଁର ଦୁଇଜଣଙ୍କୁ ଧରିଛନ୍ତି ଏବଂ ଘଟଣା ସମ୍ପର୍କରେ ଅବକାରୀ ବିଭାଗକୁ ବି ଜଣାଇ ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ଠାରେ ଅଟୋ ଓ ମୋଟରସାଇକେଲ୍‌ ଧକ୍କା: କ୍ଷତିପୂରଣ ପାଇଁ ଥାନାର ଦ୍ବାରସ୍ଥ ହେଲେ ଆହତ ଯୁବକ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର ବ୍ଲକ ସାନହନ୍ତୁଆଡର ଜଣେ ଯୁବକ ଏକ ମୋଟର ସାଇକେଲ୍‌ରେ ମେଘାମ୍ବରୀ ପଛପଟ କେନାଲ ରୋଡରେ ବାଲୁଗାଁ ଆଡକୁ ଯାଉଥିବାବେଳେ ସାମ୍‌ନା ପଟୁ ଏକ ଅଟୋ ଗାଡି ଧକ୍କା ଦେଇଥିଲା। ଅଟୋଟି ଦ୍ରୁତଗତିରେ ଥିବାବେଳେ ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ମୋଟର ଚାଳକଙ୍କ ଗୋଡ ମୁହଁ ଓ ଅନ୍ୟ ଜାଗାରେ ମାଡ ହୋଇ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ କିଛି ଭଦ୍ର ବ୍ୟକ୍ତିମାନେ ଉକ୍ତ ଯୁବକ ଉଦ୍ଧାର କରିବା ସହିତ ଅଟୋ ଗାଡି ଓ ଡ୍ରାଇଭରକୁ ଅଟକାଇଥିଲେ। ଗୁରୁତରଙ୍କୁ ବାଣପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଡ୍ରାଇଭର ଜଣକ ନିଜ ଦୋଷ ସ୍ବୀକାର କରି କ୍ଷତିପୂରଣ ଦେବା ପାଇଁ ରାଜି ହୋଇଥିଲେ। ଏଥିପାଇଁ ଅଟୋ ଡ୍ରାଇଭର ଜଣକ ନିଜ ଗାଡିଟିକୁ ସମ୍ପୃକ୍ତ ଗୁରୁତର ଆହତଙ୍କ ଘରେ ରଖି ଫେରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ଏହି ସମସ୍ୟାର ସମାଧାନ କରିନାହାନ୍ତି। ଏହାପରେ ଗୁରୁତର ଆହତ ହୋଇଥିବା ପରିବାରଙ୍କ ତରଫରୁ ବାଣପୁର ଥାନାରେ ଏନେଇ ମାମଲା ଦାଏର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଗତକାଲି ଦିନ ୧୦ ଘଟିକା ସମୟରେ ସାନହନ୍ତୁଆଡର ସତ୍ୟନାରାୟଣ ପଟ୍ଟନାୟକ ନାମକ ଜଣେ ଯୁବକ ମେଘାମ୍ବରୀ ମନ୍ଦିର ପଛପଟ ଠାରେ ଏକ ଅଟୋ ସହ ଧକ୍କା ହୋଇଥିଲେ। ଅଟୋ ଗାଡିର ନମ୍ବର ହେଉଛି ଓଡି ୦୭-ଏସି ୭୫୩୨। ଅଟୋଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ଅଭିଯୋଗ କରିଛନ୍ତି ଆହତ ଜଣକ। ତେବେ ଏହି ଘଟଣାର ସମାଧାନ କରି ତାଙ୍କ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସେ ବାଣପୁର ଥାନାର ଦ୍ବାରସ୍ତ ହୋଇଛନ୍ତି ଆହତ ଯୁବକଜଣକ।

Categories
ଆଞ୍ଚଳିକ

ବାଣପୁରରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ, ଅରୁଣିମା କ୍ଲବର ସଚେତନତା କାର୍ଯ୍ୟକ୍ରମକୁ ଜନସାଧାରଣରେ ଉଚ୍ଚ ପ୍ରଶଂସା

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ପାଇଁ ବାଣପୁର ବ୍ଲକ ସାନହନ୍ତୁଆଡ଼ ଗାଁର ଅରୁଣିମା କ୍ଲବ୍ ହାତକୁ ନେଇଛି ଏକ ନିଆରା କାର୍ଯ୍ୟକ୍ରମ। ଆଜିଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମର ପ୍ରଥମ ଦିନରେ ତିନିଟି ପଞ୍ଚାୟତ ଗାଲୁଆ, ବିଷ୍ଣୁଡିହ, କୁମାରଙ୍ଗରେ ସରପଞ୍ଚ ଓ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବା ସମାଜସେବୀ ଓ ସମାଜସେବିକା ମାନଙ୍କୁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଗାଲୁଆ ସରପଞ୍ଚ ପ୍ରତିନିଧି ଚିତ୍ତରଂଜନ ସାମନ୍ତରାୟ, ବିଷ୍ଣୁଡିହ ସରପଞ୍ଚ ଶେଷଦେବ ପ୍ରଧାନ, କୁମାରାଙ୍ଗ ସରପଞ୍ଚ ମନୋଜ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା। ଆୟୋଜକ ଅରୁଣିମା କ୍ଲବ ପକ୍ଷରୁ ସଭାପତି ଶେଷଦେବ ବରାଳ, ଉପଦେଷ୍ଟା ମୁକୁନ୍ଦ ମହାନ୍ତି, ମୁଖ୍ୟ ଉପଦେଷ୍ଟା ପର୍ଶୁରାମ ପଟ୍ଟନାୟକ, ସଂଯୋଜକ ଦୀପକ ଜେନା, ବରିଷ୍ଠ ଉପଦେଷ୍ଟା ବସନ୍ତ ବରାଳ, ନିରଞ୍ଜନ ପ୍ରଧାନ, ଗିରିଜା ପ୍ରସାଦ ନାୟକ ବର୍ମା, ସଂପାଦକ ସୁନିଲ ପାଇକରାୟ, ସତ୍ୟନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଆଗକୁ କ୍ଲବ ପକ୍ଷରୁ ବାଣପୁର ବ୍ଲକର ଅନ୍ୟ ସମସ୍ତ ପଞ୍ଚାୟତରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯିବ ବୋଲି କ୍ଲବ ସଭାପତି ଶେଷଦେବ ବରାଳ କହିଛନ୍ତି। ଏପରି କାର୍ଯ୍ୟକ୍ରମକୁ ଜନସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି। ଏହା ପୂର୍ବରୁ କରୋନା ସମୟରେ ରଙ୍ଗର ପର୍ବ ହୋଲିରେ ଅରୁଣିମା କ୍ଲବର ସଦସ୍ୟମାନେ ନିଜେ ରଙ୍ଗ ନ ଖେଳିବା ସହିତ ଗାଁରେ କାହାକୁ ରଙ୍ଗ ଖେଳିବାକୁ ଦେଇନଥିଲେ ଏବଂ ଲୋକଙ୍କ ମଧ୍ୟରେ କରୋନା ସଂପର୍କରେ ସଚେତନତା ସୃଷ୍ଟି କରିଥିଲେ। ଯାହାକି ବାଣପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ବାଣପୁର ବ୍ଲକ ଭେଟେଶ୍ୱର ପଞ୍ଚାୟତ ସରପଞ୍ଚ: ଏହି ସବୁ ଗାଁକୁ କଲେ ସଟ୍ ଡ଼ାଉନ୍

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଭେଟେଶ୍ବର ଗ୍ରାମ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଓ ପେଣ୍ଡୁରାପଲ୍ଲୀ ଗାଁକୁ ସଟ୍ ଡାଉନ ଘୋଷଣା କରାଯାଇଛି। ଆଜି ସନ୍ଧ୍ୟା ୫ଟାରୁ ୯ ତାରିଖ (ଗୁରବାର) ସକାଳ ୫ଟା ଯାଏଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ପଂଚାୟତ ସରପଞ୍ଚ। ଜଗନ୍ନାଥପୁର ଗାଁର ୩୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ସଂକ୍ରମିତ ହେବା ଜଣାପଡ଼ିବା ପରେ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହା ସମେତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ବାରା ଘୋଷଣା କରାଯାଇଥିବା ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ପୂର୍ବପରି ବଳବତ୍ତର ରହିବ।

ସଂକ୍ରମିତ ବ୍ୟକ୍ତି ଜଣଙ୍କ ଗତ ମାସ ୧୧ ତାରିଖରେ ବିଦେଶରୁ ଫେରିଥିଲେ ଏବଂ ଭାପୁରସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ପାଇଁ  କ୍ବାରେଣ୍ଟାଇନରେ ରହିଥିଲେ। ଏହାପରେ ଘରେ ଆଉ ୧୪ ଦିନ ହୋମ କ୍ବାରେଣ୍ଟାଇନରେ ରହିବା ପାଇଁ ସରପଞ୍ଚଙ୍କ ନିର୍ଦ୍ଦେଶ ରହିଥିଲା। କିନ୍ତୁ ଏହି ସମୟ ମଧ୍ୟରେ ସାଙ୍ଗସାଥୀ ଓ ପରିବାରଙ୍କ ସହିତ ଦୁଇଟି ଭୋଜିରେ ଯୋଗ ଦେଇଥିଲେ। ଏହିସବୁ କାର୍ଯ୍ୟକ୍ରମ ଭିତରେ ସଂକ୍ରମିତ ବ୍ୟକ୍ତି ଜଣଙ୍କ ପ୍ରାୟ ୫୦ ରୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ଦେଇଛନ୍ତି ସରପଞ୍ଚ ଜିତେନ୍ଦ୍ର କୁମାର।

ଭେଟେଶ୍ବର ପଂଚାୟତରେ କୋଭିଡ ସଂକ୍ରମିତ ହେବା ଏହା ପ୍ରଥମ ଘଟଣା। ଏବେ ସରପଞ୍ଚ ସଂକ୍ରମିତଙ୍କ କଂଟ୍ରାକ୍ଟ ଟ୍ରେସିଂ କରୁଥିବା ବେଳେ ସଂସ୍ପର୍ଶରେ ଆସିଥିବା ୫୦ ଜଣଙ୍କୁ ହୋମ କ୍ବାରେଣ୍ଚାଇନରେ ରହିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ଶେଷ ସୂଚନା ଅନୁଯାୟୀ ସଂକ୍ରମିତଙ୍କ ପରିବାର ସଦସ୍ୟଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ସ୍ବାବ ନମୁନା ଖୁବଶୀଘ୍ର ସଂଗ୍ରହ କରାଯିବ ବୋଲି ପଂଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଦିନ ଦ୍ବିପ୍ରହରରେ ବାଣପୁରରେ ଗୁଳିମାଡ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର ବ୍ଲକରେ ଦିନ ଦ୍ବିପ୍ରହରରେ ଗୁଳିମାଡ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଆଜି ଦିନ ଦ୍ବିପ୍ରହରରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ ହୋଇଛି। ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କାହ୍ନୁ ପରିଡା। ବୟସ ତାଙ୍କର 37 ବର୍ଷ ବୋଲି ଜଣାପଡିଛି। ଗୁଳିଟି ତାଙ୍କର ନାକରେ ବାଜି ଭିତରେ ରହିଥିବାର ସୂଚନା ରହିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। କିନ୍ତୁ ଅବସ୍ଥା ବେଶ୍‌ ଗୁରୁତର ରହିଥିବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ପାଇ ବାଣପୁର ପୋଲିସ୍‌ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଏହି ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି। ତେବେ ଘରୋଇ ଝଗଡା କାରଣରୁ ଏହି ଗୁଳିକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ବ୍ଲକ ଭବାନୀପୁର ପଞ୍ଚାୟତରେ ଖେଳପଡିଆ ନିର୍ମାଣକୁ ନେଇ ବିବାଦ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ବାଣପୁର ବ୍ଲକ୍‌ ଭବାନୀପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଲେଡ଼ିହ ଗ୍ରାମରେ ସରକାରଙ୍କ ତରଫରୁ ଏକ ଖେଳପଡିଆ ପାଇଁ ପ୍ରକଳ୍ପ ମଂଜୁର ହୋଇଛି  । ବର୍ତ୍ତମାନ ଉକ୍ତ ଖେଳ ପଡିଆ ନିର୍ମାଣ କାର୍ଯ୍ୟ ଗ୍ରାମର ଏକ ଘରୋଇ ବିଦ୍ୟାଳୟର ପରିସର ମଧ୍ୟରେ ଚାଲୁଥିବାର ଅଭିଯୋଗ ହେଉଛି  । ଏହାକୁ ନେଇ ଵାଲେଡ଼ିହ ଗ୍ରାମର କିଛି ଯୁବକ ଓ ଗ୍ରାମବାସୀ ମାନେ ବାଣପୁର ବି.ଡ଼ି.ଓ, ବ୍ଲକ ଅଧ୍ୟକ୍ଷା, ତେର ନମ୍ବର ଜୋନ ଜିଲ୍ଲା ପରିଷଦ, ଭବାନୀପୁର ପଞ୍ଚାୟତ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ  ଦୃଷ୍ଟି ଆକର୍ଷଣ କରିବା ସହ ଏବଂ ଲିଖିତ ଆକାରରେ ଅଭିଯୋଗ ମଧ୍ୟ କରିଛନ୍ତି । ଦୁଇଦିନ ପୂର୍ବରୁ ଏହାକୁ ନେଇ ବିଭିନ୍ନ ବାଦ ବିବାଦ ସୃଷ୍ଟି ହେବାରୁ ବାଧ୍ୟହୋଇ ଗ୍ରାମବାସୀ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ଏବଂ ବେସରକାରୀ ଜମିରେ କିପରି ସରକାରୀ ଖେଳ ପଡିଆ ନିର୍ମାଣ ହେଉଛି ବୋଲି ପ୍ରଶାସନକୁ ପ୍ରଶ୍ନ କରିଥିଲେ ।

ଅଭିଯୋଗ ମୁତାବକ କିଛି ଦିନତଳେ ଉକ୍ତ ଘରୋଇ ବିଦ୍ୟାଳୟ ପରିସରରେ କସରତ କରିବାକୁ ନେଇ ଗ୍ରାମର ଯୁବକମାନଙ୍କ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷ ଉକ୍ତ ଯୁବକ ମାନଙ୍କୁ ବିଦ୍ୟାଳୟ ପରିସରରେ ପ୍ରବେଶ ପାଇଁ ବାରଣ କରିଥିଲେ ।ତେଣୁ ବର୍ତ୍ତମାନ ଯେତେବେଳେ ସରକାରୀ ଖେଳପଡିଆ ନିର୍ମାଣ କାର୍ଯ୍ୟ ବେସରକାରୀ ଜମିରେ ହେଉଛି ଗ୍ରାମବାସୀ ଓ ଯୁବକମାନେ ବ୍ଲକ ପ୍ରଶାସନର ସ୍ୱଚ୍ଛତା ଉପରେ ଅଙ୍ଗୁଳି ଉଠାଇଛନ୍ତି । ଘଟଣାକୁ ଗୁରୁତର ସହ ନେଇ ବାଣପୁର ବି.ଡ଼ି.ଓ ଏହାର ତଦନ୍ତ ପାଇଁ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀଙ୍କୁ ଗତ ଜୁନ୍‌ 30 ତାରିଖ ଦିନ ନିର୍ଦେଶ ଦେଇଥିବା ବେଳେ ଗତକାଲି ବ୍ୟକ୍ତିଗତ ଭାବେ ନିର୍ମାଣ ଚାଲୁଥିବା ସମ୍ପୃକ୍ତ ଅଞ୍ଚଳକୁ ପରିଦର୍ଶନ କରିଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁରେ ପୁଣି ଅବକାରୀ ହାତରେ ଧରା ପଡିଲେ ଚୋରା ଦେଶୀ ମଦ ବେପାରୀ

ସୀତାରାମ ଅଗ୍ରଓ୍ବାଲ

ବାଲୁଗାଁ : ଲକ ଡାଉନ ସମୟରେ ବେଧଡକ ଚାଲୁଛି ଦେଶୀ ମଦ ବେପାର । ଏହା ବେଆଇନ ହୋଇଥିଲେ ମଧ୍ୟ ବାଣପୁର-ବାଲୁଗାଁ ଅଞ୍ଚଳରେ ଏହାକୁ ବେଖାତିର କରି ସକ୍ରିୟ ଭାବେ ଦେଶୀ ମଦକୁ ଚୋରାରେ ବିକ୍ରି କରୁଛନ୍ତି ବେପାରୀ । ବାରମ୍ବାର ପୋଲିସ ଏବଂ ଅବକାରୀ ବିଭାଗ ଦ୍ୱାରା ଧରା ପଡ଼ି ଗିରଫ ହେଲେ ମଧ୍ୟ ଏମାନେ ସୁଧୁରିବାର ନାଁ ନେଉନାହାନ୍ତି । ଲକ ଡ଼ାଉନ ସମୟରେ ବିଦେଶୀ ମଦର ଦାମ ଅହେତୁକ ବୃଦ୍ଧି ପାଇଥିବାସ୍ଥଳେ ଦେଶୀ ମଦକୁ ଏହାର ବିକଳ୍ପ ଭାବେ ବ୍ୟବହାର କରୁଛନ୍ତି ଚୋରା ବେପାରୀ । ଏହି ପରିପ୍ରେକ୍ଷୀରେ ଆଜି ସକାଳ ୮ ଘଟିକା ସମୟରେ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ.ଆଇ ମନୋଜ ବାରିକ ବାଲୁଗାଁ ଥାନା ଅନ୍ତର୍ଗତ ବଡକୁଳ ବଜାର ନିକଟରୁ ୫୧ ଲିଟର ଦେଶୀ ମଦ ସହ ଦୁଇ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିଛନ୍ତି ।

ସେଥିରୁ ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି। ଉକ୍ତ ରେଡ଼ରେ ବାଲୁଗାଁ ଅବକାରୀ ବିଭାଗ ଏ.ଏସ.ଆଇ ରଂଜନୀ ମିଶ୍ର, କନଷ୍ଟେବଳ ରତ୍ନାକର ଜାଲୀ, ପ୍ରିୟବ୍ରତ ପରିଡ଼ା ଏବଂ ପୁରୁଷୋତ୍ତମ ସାମନ୍ତରାୟ ସାମିଲ ଥିଲେ। ସୂଚନା ଥାଉ କି ବାଣପୁର-ବାଲୁଗାଁ ଅଞ୍ଚଳରେ ଚୋରା ଦେଶୀ ମଦ ବେପାରକୁ ନେଇ ଶତାଧିକ ଅଭିଯୋଗ ହୋଇଆସୁଛି କିନ୍ତୁ ସେପରି ଆଖି ଦୃଷ୍ଟିଆ ସଫଳତା ମିଳିପାରୁନାହିଁ ପୋଲିସ ଏବଂ ଅବକାରୀ ବିଭାଗ କୁ । ବର୍ତ୍ତମାନ ଗାଁ ଗାଁ ରେ ଚୋରା ଦେଶୀ ମଦ ବେପାର ଦିନକୁଦିନ କମିବା ବଦଳରେ ବଢୁଛି ଯାହା ପୋଲିସ, ଅବକାରୀ ବିଭାଗ ସହ ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସରକାରଙ୍କ ଦ୍ୱାରା ଉଭୟ ବିଭାଗରେ ଅଧିକ ଅଧିକାରୀ ନିଯୁକ୍ତି ଦେବା ସହ ଗାଁ ଗାଁ ରେ ପାଟ୍ରୋଲିଂ ବଢାଇବାକୁ ସାଧାରଣରେ ଦାବି ହେଉଛି ।

Categories
ଆଜିର ଖବର ରାଜ୍ୟ ଖବର

ଅନଲକ୍‌ 2.0ର ନିୟମାବଳୀକୁ ନେଇ ଦ୍ବନ୍ଦ୍ବରେ ବାଣପୁର ବ୍ୟବସାୟୀ ସଂଘ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଆଜିଠାରୁ ଦେଶରେ ଅନଲକ୍‌ 2.0 ଜାରି ହୋଇଛି ।  ଏହି ନିୟମ ଆଧାରରେ ରାଜ୍ୟରେ କଟକଣାକୁ କିଛି କୋହଳ କରାଯାଇଛି । ତେବେ ଏହି ନୂତନ ନିୟମକୁ ନେଇ ଦ୍ବନ୍ଦ୍ବରେ ପଡିଛନ୍ତି ବାଣପୁର ବ୍ୟବସାୟୀ ସଂଘ।

ପୂର୍ବରୁ ଅନଲକ୍‌ 1ରେ ସରକାର ଘୋଷଣା କରିଥିବା ଗାଇଡଲାଇନ୍‌କୁ ଜିଲ୍ଲାପାଳଙ୍କ ଚିଠି ଜରିଆରେ ଜଣାଇଥିବାବେଳେ ସ୍ଥାନୀୟ ପ୍ରଶାସନ ସୁବିସ୍ତୃତ ଭାବେ ଏହାକୁ ମାଇକ୍‌ ଯୋଗେ ସର୍ବସାଧାରଣଙ୍କୁ ଅବଗତ କରାଇଥିଲେ । କିନ୍ତୁ ବର୍ତ୍ତମାନ ଅନଲକ୍‌ 2ରେ ଯୋଉ ଗାଇଡ ଲାଇନ୍‌ ଆସିଲା ତାକୁ ବାଣପୁର ପ୍ରଶାସନ ତରଫରୁ ସୁବିସ୍ତୃତ ଭାବେ ଘୋଷଣା କରାଯାଇନଥିବାରୁ ବାଣପୁର ବ୍ୟବସାୟୀ ସଂଘ  ଦ୍ବନ୍ଦ୍ବରେ ପଡିଛନ୍ତି ।

ତେବେ ଅନଲକ୍‌ 2.0ର ଗାଇଡଲାଇନ୍‌ ଅନୁସାରେ ଏଣିକି ସବ୍‌ ଡିଭିଜନରେ ସକାଳ 5ଟାରୁ ସନ୍ଧ୍ୟା 7ଟା ଯାଏ ଖୋଲା ରହିବ ଦୋକାନ ବଜାର। ହେଲେ ରାତି 9ଟାରୁ ସକାଳ 5ଟା ଯାଏ ବଳବତ୍ତର ରହିବ କର୍ଫ୍ୟୁ । ପୂର୍ବ ଭଳି ପ୍ରତି ଶନିବାର ଓ ରବିବାର କିନ୍ତୁ ସଟଡାଉନ୍‌ କଟକଣା ବଳବତ୍ତର ରହିବ। ଖୋର୍ଦ୍ଧା ସବ୍‌ ଡିଭିଜନରେ ସଂକ୍ରମିତଙ୍କ ସଂଖ୍ୟାକୁ ଦେଖି ସଟଡାଉନ୍‌ କଟକଣାକୁ ଅଧିକ କଡ଼ାକଡ଼ି ଲାଗୁ କରାଯାଇଥିଲା । ପୂର୍ବରୁ ସକାଳ 7ରୁ ଦିନ 2ଟା ଯାଏଁ ଦୋକାନ, ବଜାର ଖୋଲା ରହୁଥିବା ବେଳେ ଏବେ କିନ୍ତୁ ଏହାକୁ ଟିକେ କୋହଳ କରାଯାଇଛି। ଏଣିକି ସବ୍‌ ଡିଭିଜନରେ ସକାଳ 5ଟାରୁ ସନ୍ଧ୍ୟା 7ଟା ଯାଏ ଖୋଲା ରହିବ ଦୋକାନ ବଜାର। ହେଲେ ରାତି 9ଟାରୁ ସକାଳ 5ଟା ଯାଏ ବଳବତ୍ତର ରହିବ କର୍ଫ୍ୟୁ । ପୂର୍ବ ଭଳି ପ୍ରତି ଶନିବାର ଓ ରବିବାର କିନ୍ତୁ ଶଟଡାଉନ୍‌ କଟକଣା ବଳବତ୍ତର ରହିବ।

ମାସ୍କ ଓ ସାମାଜିକ ଦ୍ବରତ୍ବକୁ ବିଶେଷ ଗୁରୁତ୍ବ ଦିଆଯିବ । ମାସ୍କ ଓ ସାମାଜିକ ଦୂରତ୍ବ ଭଙ୍ଗ କଲେ ଜରିମାନା ଆଦାୟ ହେବ ବୋଲି ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁର ଟିଏମ୍‌ସିରେ କାର୍ଯ୍ୟରତ ଥିବା କରୋନା ଯୋଦ୍ଧାଙ୍କ ଅକାଳ ବିୟୋଗ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ପଞ୍ଚାୟତର ଭେଟିନାଥଦେବ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଟିଏମ୍‌ସିରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଛି।ମିଳିଥିବା ସୂଚନା ଅନୁସାରେ ଭେଟେଶ୍ବର ପଞ୍ଚାୟତରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବନ୍ଧକ ରୂପେ କାର୍ଯ୍ୟ କରୁଥିବା ରମେଶ ଚନ୍ଦ୍ର ଭୋଳଙ୍କର ମୃତ୍ୟୁ ହୋଇଛି। ପ୍ରାଥମିକ ତଦନ୍ତରୁ ହୃଦଘାତ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ଅନୁମାନ କରାଯାଉଥିବାବେଳେ ପୋଷ୍ଟମର୍ଟମ୍‌ ରିପୋର୍ଟ ଆସିଲେ ତାଙ୍କର ମୃତ୍ୟର କାରଣ ସ୍ପଷ୍ଟ ରୂପେ ଜଣାପଡିବ। ତେବେ ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା ବୋଲି ସୂଚନା ରହିଛି।

ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରୂପେ ଅବସ୍ଥାପିତ ଥିବା ଶ୍ରୀ ଭୋଳ କରୋନା ଯୁଦ୍ଧରେ ସାମିଲ୍‌ ହୋଇଥିଲେ। ସ୍ଥାନୀୟ ଟିଏମ୍‌ସିରେ ସେ ପ୍ରବନ୍ଧକ ରୂପେ କାର୍ଯ୍ୟ କରୁଥିଲେ। ମେଳାପୀ ତଥା ପରୋପକାରୀ ଶ୍ରୀ ଭୋଳଙ୍କ ଅଚାନକ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ସୃଷ୍ଟି ହୋଇଛି। ବାଁଳୋଇ ଗ୍ରାମ ନିବାସୀ ଶ୍ରୀଭୋଳଙ୍କ ଦୁଇ ପୁତ୍ର ସନ୍ତାନ ଓ ସ୍ତ୍ରୀ ରହିଛନ୍ତି। ତେବେ ସେ ବାଣପୁରର କରଞ୍ଜ ସାହି ନିକଟରେ ବହୁ ଦିନ ଧରି ଅବସ୍ଥାପନ କରୁଥିଲେ। ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ର ନେତା(ସଭାପତି) ଥିବା ଶ୍ରୀ ଭୋଳ ଶିକ୍ଷକ ରୂପେ ନିଜର କର୍ମମୟ ଜୀବନ ଆରମ୍ଭ କରି ପ୍ରଧାନ ଶିକ୍ଷକ ରୂପେ ଅବସ୍ଥାପିତ ହେବା ସହ  ଆସିଷ୍ଟାଣ୍ଟ ଏନସିସି ଅଫିସର ରୂପେ ମଧ୍ୟ କାର୍ଯ୍ୟ କରୁଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ପଛପଟ ପୋଖରୀରୁ ମୃତଦେହ ଉଦ୍ଧାର

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ନାଚୁଣୀ ବଜାର ଗୋଦାବରୀଶ ହାଇସ୍କୁଲ ପଛପଟେ ଥିବା ଏକ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ଆଜି ସକାଳେ ନାଚୁଣୀ ପଂଚାୟତ ସିଂଗିପୁର ଗ୍ରାମ ଟାଙ୍ଗୀସାହିର ନିବାସୀ ଶରତ ନାୟକ ନାମକ ଜଣେ ବ୍ୟକ୍ତି  ନିଜ ସାଇକେଲ ଯୋଗେ ଗୋଦାବରୀଶ ହାଇ ସ୍କୁଲ ପଛପଟେ ଥିବା ପୋଖରୀ ଦେଇ କୌଣସି କାର୍ଯ୍ୟକୁ ଯାଉଥିଲେ। କିନ୍ତୁ ଅସାବଧାନତା ବଶତଃ ପୋଖରୀରେ ପଡ଼ିଯାଇଥିବା ଅନୁମାନ କରାଯାଉଛି। ମୃତ ବ୍ୟକ୍ତିଙ୍କ ବୟସ ୬୦ ବର୍ଷ ବୋଲି ଜଣାପଡିଛି। ତେବେ ଖବର ପାଇ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଗଙ୍ଗାଧରପୁର ଅଗ୍ନିଶମ ଅଧିକାରୀ ମନୋଜ ସାହୁ ତୁରନ୍ତ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ପୋଖରୀରୁ ଉଦ୍ଧାର କଲା ବେଳକୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା। ଶରତଙ୍କ ମସ୍ତିସ୍କରେ ଗଭୀର ଆଘାତ  ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ଉମାକାନ୍ତ ସାହୁ, ଏଏସ୍‌ଆଇ ହାଡିବନ୍ଧୁ ନାୟକ ଓ ଟିମ ପହଁଚି ତଦନ୍ତ ଜାରି ରଖିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ଆବାସ ଯୋଜନାରେ ଦୁର୍ନୀତି: ପ୍ରଧାନମନ୍ତ୍ରୀ ଆବାସ କରେଇବା ପାଇଁ ଲାଞ୍ଚ ମାଗୁଛନ୍ତି କୁଜିନେତା

ସୀତାରାମ ଅଗ୍ରୱାଲ

ବାଣପୁର: ଗରିବଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଘର ନଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଉଛି। କିନ୍ତୁ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିବା ନେଇ କୁଜି ନେତାମାନେ ଲାଞ୍ଚ ମାଗୁଥିବାର ଅଭିଯୋଗ ହେଉଛି। ଏପରି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରୁ ଆସିଛି।

ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାତର ରତନପୁର ଗ୍ରାମ ନିବାସୀ ସୁକାନ୍ତ ବେହେରା ଜଣେ ଦିନ ମଜୁରିଆ। ମା’ ବାପା ଓ ପିଲାପିଲିଙ୍କୁ ନେଇ ସମୁଦାୟ ୬ ପ୍ରାଣୀ କୁଟୁମ୍ବ ତାଙ୍କର। ଅଭାବ ଅସୁବିଧାରେ ଜୀବନ ବଞ୍ଚୁଥିବାବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ତାଙ୍କ ଘରେ ପକ୍କା ଘରଟେ ନାହିଁ। ବର୍ତ୍ତମାନ ବର୍ଷାଋତୁ ଆସି ଯାଇଥିବା ବେଳେ ଟିକେ ବର୍ଷା ହେଲେ ଭଙ୍ଗା କୁଡ଼ିଆ ଘରେ ପାଣି ଭର୍ତ୍ତି ହୋଇଯାଉଛି। ଘରର ଉପର ଭାଗରେ ପାଲ ପଡ଼ିଥିବା ବେଳେ ଆଉ ଅନ୍ୟ ସ୍ଥାନ ସବୁ ଖୋଲା ଅଛି।

ସୁକାନ୍ତ ଓ ତାଙ୍କ ସ୍ତ୍ରୀ ରୀନା ବେହେରା ଦୀର୍ଘ ୩ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସରପଞ୍ଚଙ୍କ କାର୍ଯ୍ୟାଳୟ ଓ ବାଣପୁର ବ୍ଲକ ଅଫିସ ଧାଉଁଥିବା ବେଳେ କିଛି ସୁଫଳ ମିଳୁନି। ସେ ମଇ ୨୯, ୨0୧୭ ରେ ପ୍ରଥମ ଆବେଦନ କରିଥିବା ବେଳେ ଆଜି ସୁଦ୍ଧା ପାଖାପଖି ଚାରି ଥର ଆବେଦନ କରିସାରିଲେଣି ଏବଂ ବାରମ୍ବାର ସରକାରୀ ଅଧିକାରୀ ଘର ନିରୀକ୍ଷଣ ପାଇଁ ଆସି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିଶ୍ଚିତ ପାଇବ ବୋଲି ଆଶ୍ୱାସନା ଦେଇ ଚାଲି ଯାଉଛନ୍ତି। କିନ୍ତୁ ଗାଁ ର କୁଜିନେତା ମାନେ ସରପଞ୍ଚଙ୍କ ନାମରେ ଆବାସ ଯୋଜନା କରାଇଦେବା ପାଇଁ ୨୦୦୦୦ ଟଙ୍କା ଲାଞ୍ଚ ମାଗୁଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରୀନା। ଦଳୀୟ ଭିତ୍ତିରେ ଆବାସ ଯୋଜନା ବଣ୍ଟା ହେଉଛି ବୋଲି ଅଭିଯୋଗ ଆଣିଛନ୍ତି।

ଇତି ମଧ୍ୟରେ ସେ ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଲକ ଅଧ୍ୟକ୍ଷା ସମସ୍ତଙ୍କୁ ତାଙ୍କ ଦୁଃଖ ଶୁଣେଇଲା ପରେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ପରିବାର ରୋଜଗାର ଶୂନ୍ୟ ଥିବାରୁ ବାଧ୍ୟ ହୋଇ ରିନାଙ୍କ ସ୍ୱାମୀ ସୁକାନ୍ତ କିଛି ମାସ ତଳେ ସୁଦୂର କେରଳ ଯାଇ ଦାଦନ ଖଟୁଥିଲେ ଏବଂ ବର୍ତ୍ତମାନ କରୋନା ମହାମାରୀ ଲାଗି ନିଜ ଗ୍ରାମକୁ ଫେରିଛନ୍ତି। ହେଲେ ୬ ପ୍ରାଣୀ କୁଟୁମ୍ବର ପରିବାର ଚଲେଇବା ତାଙ୍କ ଲାଗି ଏବେ କଷ୍ଟକର ହୋଇପଡିଛି।

ରାଜ୍ୟ ସରକାର ମହିଳାଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିବାର ଡିଣ୍ଡିମ ପିଟୁଥିବାବେଳେ ଜଣେ ମହିଳା ହିସାବରେ ସେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି କିନ୍ତୁ ତାଙ୍କ ଅଭିଯୋଗକୁ ଶୁଣିବା ଦୂରର କଥା ତାଙ୍କୁ ଦଳୀୟ ଭିତ୍ତିରେ  ବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ରୀନା। ସରକାର ଯଥା ଶୀଘ୍ର ଏଭଳି ଏକ ଗରିବ ପରିବାରଙ୍କୁ ବିନା ଲାଞ୍ଚରେ ଇନ୍ଦିରା ଆବାସ ଯୋଜନା କରାଇଦେବା ପାଇଁ ନିବେଦନ କରିଛନ୍ତି ରୀନା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ତହସିଲଦାରଙ୍କ ଚଢାଉ : ଦିନକରେ ରେକର୍ଡ ସଂଖ୍ୟକ ୧୨୦୦୦ ଟଙ୍କା ଫାଇନ୍‌ ଆଦାୟ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : କରୋନା ଲଢେଇ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ କେହି କେହି ଏହି ନିୟମକୁ ଅଣଦେଖା କରୁଛନ୍ତି। ତେବେ ମାସ୍କ ନ ପିନ୍ଧିଲେ ଜରିମାନା ମଧ୍ୟ ଆଦାୟ କରାଯାଉଛି। ଏନେଇ ଚାରିଆଡେ ଧରପଗଡ ଚାଲିଥିବାବେଳେ ବାଣପୁରରେ ଏହାକୁ ବେଶ୍‌ କଡାକଡି କରାଯାଇଛି। ଆଜି ବାଣପୁର ତହସିଲଦାର ମନ୍ମଥ  ବେହେରାଙ୍କ ନେତୃତ୍ବ ତଥା ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁଙ୍କ ତତ୍ତ୍ବାବଧାନରେ ମାସ୍କ ଚେକିଂ ଓ ସାମାଜିକ ଦୂରତ୍ବ ପଦ୍ଧତିକୁ ତଦାରଖ କରାଯାଇଥିଲା। ଆଜି ନାଚୁଣୀ ବଜାର ଓ ସୁନାଖଳା ଅଞ୍ଚଳରେ ମାସ୍କ ଚେକିଂ କରାଯାଇଥିବାବେଳେ  ଆଇନ ଖିଲାପକାରୀଙ୍କ ଠାରୁ ଗୋଟିଏ ଦିନରେ ରେକର୍ଡ ୧୨୦୦୦ ଟଙ୍କା ଫାଇନ ଆଦାୟ ହୋଇଥିବା ତହସିଲଦାର ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ  ବାଣପୁର ତହସିଲ ସେକ୍ସନ ଅଫିସର ବସନ୍ତ କୁମାର ବେଦମତ୍ତl,ବରିଷ୍ଠ ରାଜସ୍ୱ ସହାୟକ ଅବନିକାନ୍ତ ଦାସ, ନାଚୁଣୀ ଫାଣ୍ଡି ଏ.ଏସ.ଆଇ ହାଡିବନ୍ଧୁ ବେହେରା ଆଦି ଉପସ୍ଥିତ ଥିଲେ।

ଅନୁରୂପ ଭାବେ ଆଜି ବାଣପୁର ବଜାରରେ ସବ ଇନ୍ସପେକ୍ଟର ପ୍ରସନ ଜେନାଙ୍କ ନେତୃତ୍ୱରେ ମାସ୍କ  ଓ ସାମାଜିକ ଦୂରତ୍ୱକୁ ନେଇ କଡ଼ା ଚେକିଂ କରାଯାଉଥିବା ଦେଖିବାକୁ ମିଳିଥିଲା। ପୋଲିସ ଦ୍ୱାରା ବାଣପୁର ଅଞ୍ଚଳରେ ବିଗତ ୬ ଦିନରେ ୩୧୫୦୦ ଟଙ୍କା ଫାଇନ ଆଦାୟ ହୋଇଛି ବୋଲି ବାଣପୁର ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅମାନିଆ ଚୋରା ଦେଶୀ ମଦ ବେପାରୀ, ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ ଓ ଗିରଫ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : କଙ୍କଡାକୁ ଗୋଳି ପାଣି ସୁହାଇଲା ପରି ବାଣପୁରରେ ଚୋରା ମଦ ବେପାରୀଙ୍କୁ ସୁହାଉଛି ଲକ ଡାଉନ । ଲକ ଡାଉନ ସମୟରେ ବାଣପୁରରେ ସକ୍ରିୟ ହୋଇ ଉଠିଛନ୍ତି ଚୋରା ଦେଶୀ ମଦ ବେପାରୀ ।  ବାରମ୍ବାର ଅବକାରୀ ବିଭାଗ ତଥା ପୋଲିସ ଦ୍ୱାରା ଚଢ଼ାଉ ଜାରିରହିଥିଲେ ମଧ୍ୟ କେତେଜଣ ଅମାନିଆ ଅଛନ୍ତି ଯାହାଙ୍କୁ  କିଛି ବି ଫରକ ପଡୁନି ଏବଂ ସରକାରୀ ନିୟମ ଓ କଟକଣାକୁ ଫୁ କରି ଉଡାଇଦେଉଛନ୍ତି । କିନ୍ତୁ ଗତ କିଛି ଦିନ ହେଲା ବାଣପୁରରେ ଅବକାରୀ ବିଭାଗ କଡ଼ା ପାଟ୍ରୋଲିଂ କରୁଛି l ଦିନକ ତଳେ ଅବକାରୀ ବିଭାଗ ଦ୍ୱାରା 100 ଲିଟର ଦେଶୀ ମଦ ସହ 7 ଜଣ ବେପାରୀ ଧରା ପଡ଼ିଥିବା ବେଳେ ଆଜି ପୁଣିଥରେ ଅନୁରୂପ ଭାବେ ବାଲୁଗାଁ ଅବକାରୀ ବିଭାଗ ଉପ ନିରୀକ୍ଷକ ମନୋଜ ବାରିକଙ୍କ ନେତୃତ୍ୱରେ ଏକ ଚଢ଼ାଉ ବାଣପୁର ଥାନା ଅନ୍ତର୍ଗତ  ସାନ ସିରେଇପୁର ଫରେଷ୍ଟ ବିଟ ହାଉସ ପାଖରେ ହୋଇଛି l ପୂର୍ବରୁ ଖବର ପାଇ ଗତକାଲି ରାତି 3 ଘଟିକାରେ ଅବକାରୀ ବିଭାଗ ଉକ୍ତ ସ୍ଥାନ ରେ ଛପି ରହିଥିଲା ଏବଂ ପାଖାପାଖି ସକାଳ 5 ଘଟିକା ରେ 128 ଲିଟର ଦେଶୀ ମଦ ସହ 4 ଗୋଟି ବାଇକ କୁ ଜବତ କରିବା ସହ 5 ଜଣ ମଦ ବେପାରୀ ଙ୍କୁ  ଗିରଫ କରିବାରେ ସଫଳ ହୋଇଛି ।  ଏହି ଚୋରା ମଦ ବେପାରୀଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

ସୂଚନାଥାଉ କି ବାଣପୁର ଅଞ୍ଚଳରେ ପ୍ରବଳ ମାତ୍ରାରେ ଚୋରା ମଦ କାରବାର ବୃଦ୍ଧି ପାଉଥିବାବେଳେ ବାରମ୍ବାର  ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ ମଧ୍ୟ ଜାରି ରହିଛି । ଏହା ଦେଖି କେତେ ବେପାରୀ ନିଜ କରବାର ବନ୍ଦ କରିଦେଇଥିବାବେଳେ ଆଉ କେତେଜଣ ଅମାନିଆ ପୋଲିସ ଓ ଅବକାରୀ ବିଭାଗ ହାତରେ ଧରାପଡ଼ି ଗିରଫ ହେଉଛନ୍ତି । ଉକ୍ତ ଚଢ଼ାଉରେ ଅବକାରୀ ବିଭାଗ ଏ.ଏସ.ଆଇ ସନ୍ତୋଷ ନାୟକ, କନଷ୍ଟେବଳ ରତ୍ନାକର ଜାଲୀ, ମୀନକେତନ ମାହାଲିକ, ଉର୍ମିଷ୍ଠା ସାମନ୍ତସିଂହାର  ଓ  ପୁର୍ଣିମା ଦାସ ଆଦି ସାମିଲ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅବକାରୀ ବିଭାଗର ଚଢାଉ: ପଞ୍ଚୋଟି ବାଇକ୍‌ ସମେତ ସାତ ଜଣ ଗିରଫ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ରାଜ୍ୟରେ ଲକ୍‌ ଡାଉନ ଜାରି ରହିଥିବା ସତ୍ତ୍ବେ ଦେଶୀ ମଦ ଚୋରା ଚାଲାଣ ଦେଉଥିବାର ଦେଖିବାକୁ ମିଳିଛି। ଗତକାଲି ଅପରାହ୍ନରେ ବାଣପୁର ଥାନା ଅନ୍ତର୍ଗତ ସାନ ସିରେଇପୁର ଗ୍ରାମ ବିଟ୍‌ ହାଉସ୍‌ ପାଖରେ ଅବକାରୀ ବିଭାଗ ଚଢାଉ କରିଥିଲା।

ଟାଙ୍ଗୀ ଅବକାରୀ ବିଭାଗ ଇନ୍ସପେକ୍ଟର ନିନା ବେଉରା, ବାଲୁଗାଁ ଅବକାରୀ ବିଭାଗ ସବ ଇନ୍ସପେକ୍ଟର ମନୋଜ ବାରିକ ଓ ଟିମ୍‌ ଦ୍ୱାରା ଗତକାଲି ଅପରାହ୍ନରେ ବାଣପୁର ଥାନା ଅନ୍ତର୍ଗତ ସାନ ସିରେଇପୁର ଗ୍ରାମ  ବିଟ ହାଉସ ପାଖରୁ ସାତ ଜଣଙ୍କୁ ଗିରଫ କରିଥିବାବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ୧୦୦ ଲିଟର ଦେଶୀ ମଦ ସହ ୫ ଗୋଟି ବାଇକ ଜବତ କରାଯାଇଅଛି।

ସୂଚନାଯୋଗ୍ୟ, ଲକ ଡାଉନ ସମୟରେ ବାଣପୁର ଅଞ୍ଚଳରେ ଚୋରା ଦେଶୀ ମଦ କରବାର ବୃଦ୍ଧି ପାଉଥିବା ସ୍ଥଳେ ଅବକାରୀ ବିଭାଗ ଓ ପୋଲିସ ସଜାଗ ରହିଛନ୍ତି ଓ ବାରମ୍ବାର ଚଢ଼ାଉ ଜାରି ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଏମସ୍‌ ସ୍ଥାନାନ୍ତର

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସଲପଡିହ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତିରେ ସଲପଡିହ ଗ୍ରାମରେ କବିରାଜ ବେହେରା ଓରଫ୍‌ ଭ୍ରମର ସେହି ଗ୍ରାମର ଦେବରାଜ କରଣ ନାମ୍ନୀ ଜଣେ ବ୍ୟକ୍ତି ଏକ ଚା’ ଦୋକାନରେ ବସି ମୋବାଇଲ୍‌ରେ ନ୍ୟୁଜ୍‌ ଦେଖୁଥିବା ସମୟରେ ଉତ୍‌କ୍ଷିପ୍ତ ହୋଇ ଯୋଜନା ମୁତାବକ ଏକ ଧାରୁଆ କଟୁରୀ ସାହାଯ୍ୟରେ କବିରାଜ ଆକ୍ରମଣ କରିଥିଲେ। ଦେବରାଜଙ୍କ ହାତରେ କଟୁରୀ ବାଜି ହାତ ଦୁଇଖଣ୍ଡ ହୋଇଥିବାବେଳେ ପେଟରେ ମଧ୍ୟ ଗଭୀର ଆଘାତ ହୋଇଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ରକ୍ତଜୁଡୁବୁଡ ଅବସ୍ଥାରେ ଦେବରାଜଙ୍କୁ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଅବସ୍ଥା ଗୁରୁତୁର ହେବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଏମ୍‌ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ୍‌ ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡ କଟୁରୀକୁ ଉଦ୍ଧାର କରିଥିବାବେଳେ ଏହି ଘଟଣାରେ ଅଭିଯୁକ୍ତ କବିରାଜ ବେହେରାକୁ ବାଣପୁର ଥାନାରେ ଅଟକ ରଖିଛି।

ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏହି ଘଟଣାର ତଦନ୍ତ କରୁଥିବାବେଳେ କେସ୍‌ ନମ୍ବର ୧୮୧/୨୦ ରେ ଏହି ମାମଲାଟି ଆଇପିସି ଧାରା ୨୯୪, ୫୦୬, ୩୨୪, ୩୨୬, ୩୦୭ ଆଧାରରେ ଏହି କେସ୍‌ଟି ରୁଜୁ କରାଯାଇଛି।

Categories
ଆଞ୍ଚଳିକ

ବାଣପୁରର ଆଉ ଦୁଇଟି ପଞ୍ଚାୟତକୁ କରାଗଲା ସଟ୍‌ଡାଉନ୍‌

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ମହାମାରୀ କରୋନା ଯୋଗୁଁ ବାଣପୁର ବ୍ଲକର ଆଉ ଦୁଇଟି ପଞ୍ଚାୟତ ସଟ୍‌ଡାଉନ୍‌ କରାଯାଇଛି। ଆଜିଠାରୁ ଆଗାମୀ ୪୮ ଘଣ୍ଟା ପାଇଁ ଦୁଇଟି ପଞ୍ଚାୟତକୁ ସଟ୍‌ଡାଉନ୍‌  ଘୋଷଣା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ନାଚୁଣୀ ଓ ମୋରାମୋରି ପଞ୍ଚାୟତରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ପଞ୍ଚାୟତକୁ ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ମୋରାମୋରି ପଞ୍ଚାୟତରେ ଜଣେ ଗୁଜୁରାଟ ଫେରନ୍ତାଙ୍କ ସ୍ବାବ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସ୍ଥାନୀୟ ସରପଞ୍ଚ ସବିତା ନାୟକ ଉକ୍ତ ପଞ୍ଚାୟତକୁ ଆସନ୍ତା ୨ ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ ଗହୀର ମୋରାମୋରି ଗ୍ରାମକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ସେହିପରି ଗତକାଲି ନାଚୁଣୀ ପଞ୍ଚାୟତର ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଗ୍ରାମର ସରପଞ୍ଚ କାବୁଲ୍‌ ପ୍ରଧାନ ଉକ୍ତ ପଞ୍ଚାୟତକୁ ଆସନ୍ତା ତିନି ତାରିଖ ଯାଏ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଆକ୍ରାନ୍ତମାନେ ଗୁଜୁରାଟ ଓ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି। ନାଚୁଣୀ ପଞ୍ଚାୟତର ଜୀବନଦେଈପୁର, କହ୍ନେଇପୁର, ଗୋରଡାଝରୀ ଗ୍ରାମକୁ ଗତକାଲି ସନ୍ଧ୍ୟା ୬ ଘଟିକାଠାରୁ ଆସନ୍ତା ତିନି ତାରିଖ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅବରୋଧ ଭାବେ ଘୋଷଣା କରାଯାଇଛି। ଏହି ନୋଟିସ୍‌ର ଅବମାନନା କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

ଏହି ସମୟରେ ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିବାବେଳେ ବଜାରକୁ ଆସିବାକୁ ବାରଣ କରାଯାଇଛି। ସେହିପରି ଗମ୍ଭାରୀମୁଣ୍ଡା କ୍ବାରେଣ୍ଟାଇନ୍‌ କେନ୍ଦ୍ରକୁ କଣ୍ଟନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଗମ୍ଭାରୀମୁଣ୍ଡା ସରପଞ୍ଚ ଜେ.କେ ମହାରଥା ମଧ୍ୟ ଗତକାଲି ଗମ୍ଭାରୀମୁଣ୍ଡା ବଜାରର ଦୋକାନ ବଜାର ଖୋଲିବାକୁ ନିଷିଦ୍ଧ କରିଛନ୍ତି। ଏହା ଆସନ୍ତା ତିନି ତାରିଖ  ସକାଳ ୭ଟା ଯାଏ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କର୍ଫ୍ୟୁ ସମୟରେ ବାଣପୁରରୁ ଗାଡି ଚୋରି

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଲକ୍‌ଡାଉନ୍‌ ସମୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଏକ ଗାଡି ଚୋରି ହୋଇଛି। ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିର ସମ୍ମୁଖରୁ ଏକ ଗାଡି ଚୋରି ହୋଇଛି। ଘଟଣାରୁ ପ୍ରକାଶ ଯେ, ଗାଡିର ମାଲିକ ୯ ନମ୍ବର ଓ୍ବାର୍ଡର ରମେଶ ଚନ୍ଦ୍ର ନାୟକ କେନ୍ଦ୍ରାପଡାରୁ ଫେରିବା ପରେ ଦକ୍ଷପ୍ରଜାପତି ମନ୍ଦିର ସାମ୍ନାରେ ଗାଡି ପାର୍କ କରିଥିଲେ। ପିକ୍‌ଅପ୍‌ ଭ୍ୟାନଟିକୁ ରାତି ୧୧ ଟା ସମୟରେ ଶେଷ ଥର ଦେଖିଥିବା ବେଳେ ସକାଳ 8ଟା ବେଳକୁ ଗାଡି ଉକ୍ତ ସ୍ଥାନରେ ନଥିଲା। ଗାଡିର କିଛି ଭଙ୍ଗା କାଚ ରାସ୍ତାରେ ପଡିଥିବା ଦେଖିବାକୁ ମିଳିଥିଲା। ଏହାପରେ ଗାଡି ମାଲିକ ବାଣପୁର ଥାନାରେ ଗାଡି ଚୋରି ନେଇ ଅଭିଯୋଗ କରିଥିଲେ।

ସେହିପରି ଅଲାଇଡିହ ନିକଟସ୍ଥ ସୁଜିତ କୁମାର ପାଢୀଙ୍କ ପିକ୍‌ଅପ୍‌ ଭ୍ୟାନ୍‌କୁ ଚୋରି କରିବାକୁ ଚେଷ୍ଟା କରିଥିଲେ ଦୁର୍ବୃତ୍ତ। ତେବେ ଗାଡିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା କାରଣରୁ ଗାଡିଟିକୁ ବ୍ରାହ୍ମଣୀଦେବୀ ମିଷ୍ଟାନ୍ନ ଭଣ୍ଡାର ସାମ୍ନା ବାଇପାସ୍‌ ରାସ୍ତା କଡରେ ଛାଡି ପଳାଇଥିଲେ ଦୁର୍ବୃତ୍ତ। ଦୁଇଟି ଯାକ ଚୋରି ସମାନ ଦଳ ପକ୍ଷରୁ କରାଯାଉଥିବା ନେଇ ଅନୁମାନ କରାଯାଉଛି। ସୁଜିତ ଏନେଇ ବାଣପୁର ଥାନାରେ ଅଭିଯୋଗ କରିଥିବା ନେଇ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ବାଣପୁର ଭଗବତୀ ସାହିରୁ ଜଣକ ଘରୁ ଚୋରି ହୋଇଥିବା ବେଳେ ବଜାର ସାହିର ଜନୈକ ବ୍ୟକ୍ତିଙ୍କ ଘରେ ଚୋରି ଉଦ୍ୟମ କରାଯାଇଥିଲା। ଲକ୍‌ଡାଉନ୍‌ କାରଣରୁ ବଜାର ଘାଟ ବନ୍ଦରେ ଏପରି ଅସାମାଜିକ ତତ୍ତ୍ବଙ୍କ ବର୍ଦ୍ଧିତ ପ୍ରାଦୁର୍ଭାବ କାରଣରୁ ସ୍ଥାନୀୟ ଅଞ୍ଚଳରେ ପୋଲିସ୍‌ ପ୍ୟାଟ୍ରୋଲିଂ ବଢାଇବା ପାଇଁ ଦାବି କରାଯାଉଛି।

Categories
ଆଞ୍ଚଳିକ

ବାଣପୁର ଗାଲୁଆ ଗ୍ରାମ ପଞ୍ଚାୟତରେ “ତାଲୁକ ଆଇନ ସହାୟତା କମିଟ” ଦ୍ବାରା ଆଇନ ସାକ୍ଷରତା ଏବଂ ସଚେତନତା ଶିବିର ଅନୁଷ୍ଠିତ

ବାଣପୁର: ସାଧରଣ ଜନତାଙ୍କ ଆଇନ ସହାୟତା ପାଇଁ ଆଂଚଳିକ ସମସ୍ତ ନ୍ୟାୟାଳୟରେ ସିନିୟର ଜଜଙ୍କ ତତ୍ତ୍ବାବଧାନରେ ତାଲୁକ ଲିଗାଲ କମିଟି ଗଠନ କରାଯାଇଛି। ସେହି କମିଟିରେ ଆଇନଜୀବି ଓ ପାରା ଲିଗାଲ ଭଲିଣ୍ଟିୟର(PLV)ରେଜିଷ୍ଟ୍ରୀଭୁକ୍ତ ସଭ୍ୟଙ୍କ ସହାୟତାରେ ଜାତୀୟ ସର୍ଭିସ ଅଥୋରିଟ୍ ଆକ୍ଟ୧୮୮୭ର ଧାରା୧୨ ଅନୁସାରେ ବିଭିନ୍ନ ବର୍ଗର ଜନ ସାଧାରଣଙ୍କୁ ବିନା ଖର୍ଚ୍ଚରେ ଆଇନ ସହାୟତା ପ୍ରଦାନ କରାଯାଇଛି। ଏହି ଆଇନ ସେବା ବିଶେଷଭାବେ ଅନୁସୂଚୀତ ଜାତି, ଜନଜାତି, ମହିଳା, ଶିଶୁ, ଭିକ୍ଷୁକ, ଶାରୀରିକ ବିକଳାଙ୍ଗ, ମାନସିକ ରୋଗୀ, ଘରୋଇ ହିଂସା, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି, ଶିଳ୍ପ ଶ୍ରମିକ, ଦୁର୍ଘଟଣା ଗ୍ରସ୍ତ ଶିଳ୍ପ ଶ୍ରମିକ, ଜେଲରେ ଥିବା କଏଦୀ, ଗ୍ରାମ ବିବାଦ, ଫୌଜିଦାର ଓ ଦେଓ୍ବାନୀ ମକଦ୍ଦମା ସମାଧାନ ଓ ନ୍ୟାୟ ଦେବାର ପ୍ରଧାନ୍ୟ ଏହି କେନ୍ଦ୍ର ମାନଙ୍କରେ ସମାଧାନ କରିବାର ସମସ୍ତ  ବନ୍ଦୋବସ୍ତ ସହ ବିନା ଖର୍ଚ୍ଚରେ ଶୃଙ୍ଖଳତାର ସହ ସମାଧାନ କରାଯିବ। ଏହି କାର୍ଯ୍ୟକ୍ରମ ଆଗାମୀ ମାସ ଠାରୁ ଆରମ୍ଭ କରାଯିବ।

ଖୋର୍ଦ୍ଧା ଜିଲ୍ଲା ବାଣପୁର”ତାଲୁକ ଲିଗାଲ ସର୍ଭିସ କମିଟି(TLSC)ର ସଭାପତି ମାନ୍ୟବର ସବଜଜ୍‌ ଓ ଆସିଷ୍ଟାଣ୍ଟ ସେସନ୍ସ ଜଜ ଶ୍ରୀଯୁକ୍ତ ଦିଲ୍ଲିପ କୁମାର ଶତପଥିଙ୍କ ଦ୍ବାରା ଗାଲୁଆ ଗ୍ରାମପଞ୍ଚାୟତ ଅଫିସ ପରିସରରେ ରାଜ୍ୟ ଓ ଜିଲ୍ଲା ଜଜଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ପଞ୍ଚାୟତ ଅଫିସ ଠାରେ ଏକ “ଭିଲେଜ ଲିଗାଲ କେୟାର ଆଣ୍ଡ ସପୋର୍ଟ ସେଣ୍ଟର’ ପୁନଃସ୍ଥାପନ କରାଗଲା।

ଏହି କର୍ଯ୍ୟକ୍ରମରେ ଆସୋସିଏଟ ଆଡଭୋକେଟ ସଚ୍ଚିତ କୁମାର ମିଶ୍ର, ଆଡଭୋକେଟ ସନ୍ତୋଷ କୁମାର ବେହେରା, ଫ୍ରଣ୍ଟ ଲାଇନ ଅଫିସ ରିଟେନର ଆଡଭୋକେଟ ସୁନୀଲ କୁମାର ମହାପାତ୍ର, ତାଲୁକ ଲିଗାଲ ସର୍ଭିସ କମିଟିର”ପାରା ଲିଗାଲ ଭଲୁଣ୍ଟିୟର ବରିଷ୍ଠ ନାଗରିକ ରାଜେନ୍ଦ୍ର ପ୍ରସାଦ ରଥ, ଶ୍ରୀ ଗୋଦାବରୀଶ ମହାପାତ୍ର, ସେକ ମୋହିନୁଲ ହକ, ସନ୍ତୋଷ କୁମାର ଚୌଧୁରୀ, ଶ୍ରୀ ଅମିତାଭ ପଟ୍ଟୋଯୋଶି, ପ୍ରଭାତୀ ମହାପାତ୍ର, ଗାତାମଣୀ ଦେଇ, EPTର ପ୍ରତିନିଧି ଦୀପକ କୁମାର, ପଞ୍ଚାୟତ ସରପଞ୍ଚ ରୋଜାଲିନ୍‌ ସମାନ୍ତରାୟ, ସାଂସଦ ପ୍ରତିନିଧି ସତ୍ୟ ନାରାୟଣ ପ୍ରଧାନ, ସ୍ଵେଚ୍ଛାସେବୀ ଚିତ୍ତରଞ୍ଜନ ସାମନ୍ତରାୟ, ବାଣପୁର ପୋଲିସ୍‌ ପ୍ରଶାସନର ଏସ୍‌ଆଇ ଦିଗ୍‌ବିଜୟ ବିଶ୍ବାଳ ଓ ତାଙ୍କ ସହକର୍ମୀ ଚିନ୍ତାମଣି ଘଡାଇ ସୌମ୍ୟ ରଞ୍ଜନ ସାହୁ, ପ୍ରହ୍ଲାଦ ବେହେରା, ସାମ୍ବାଦିକ ସୁନୀଲ୍‌ କୁମାର ସୁବୁଦ୍ଧି, ସାମ୍ବାଦିକ ସୀତାରାମ ଅଗ୍ରଓ୍ବାଲ, ଦିଗମ୍ବର ଜେନା ପ୍ରମୁଖ ଉପସ୍ଥିତ ରହି ଏହି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ।