ବାଣପୁର: ଠାକୁରାଣୀ ଦର୍ଶନ କରି ଫେରୁଥିବା ବେଳେ ଅଟୋ-ବାଇକ ମଧ୍ୟରେ ଧକ୍କା, ୮ ଆହତ

Published: Aug 23, 2022, 7:18 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଠାକୁରାଣୀଙ୍କୁ ଦର୍ଶନ କରି ଫେରିବା ବେଳେ ଲେଉଟିଲା ଅଟୋ। ଏକାଧିକ ଗୁରୁତର। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ ଆଜି ସକାଳେ ବାଲୁଗାଁ ଥାନା ସରଳସିଂହ ଗ୍ରାମର ରବୀନ୍ଦ୍ର ବିଶ୍ୱାଳ, ଶେଷ ବିଶ୍ୱଳ, ନରସିଂହ ବିଶ୍ୱାଳ ଓ ଧୁଶା ବିଶ୍ୱାଳଙ୍କ ପରିବାରବର୍ଗ ଏକ ଅଟୋ ଏବଂ ଏକାଧିକ ବାଇକରେ ବାଣପୁର ମା’ ବିରିଜାଈ ମନ୍ଦିର ମାନସିକ ପାଇଁ ଯାଇଥିଲେ। ତେବେ ପୂଜାର୍ଚ୍ଚନା ସାରି ଅପରାହ୍ନରେ ଫେରିବାବେଳକୁ ନୀଳାଦ୍ରିପ୍ରସାଦ ନିକଟରେ ଅଟୋ ଏବଂ ବାଇକ ମଧ୍ୟରେ ଧକ୍କା ହୋଇ ଅଟୋଟି ଲେଉଟିପଡିଥିଲା।

ଫଳରେ ଅଟୋରେ ଉପସ୍ଥିତ ଥିବା ଚାଳକଙ୍କ ସମେତ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଅହଲ୍ୟା ବିଶ୍ୱାଳ, ରବୀନ୍ଦ୍ର ବିଶ୍ୱାଳ, କାହ୍ନୁ ବିଶ୍ୱାଳ, ଦୀପା ବିଶ୍ୱାଳ, ହୁଲାସ ବିଶ୍ୱାଳ, କୁନି ବିଶ୍ୱାଳ,ଧନେଶ୍ୱର ରଣା (ଅଟୋ ଚାଳକ) ଏବଂ ଜ୍ୟୋତ୍ସ୍ନା ସାହୁ। ଅଟୋରେ ଦୁଇ ଶିଶୁ, ପାଞ୍ଚ ଜଣ ମହିଳା ଏବଂ ଜଣେ ପୁରୁଷ ଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ବାଣପୁର ମେଡିକାଲ ନିଆଯାଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ବର୍ତ୍ତମାନ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ଖବର ମିଳିଛି। ଏହି ଘଟଣାକୁ ନେଇ ବାଣପୁର ମେଡିକାଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Related posts