Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ର ଅନଲାଇନ୍ ଏଜିଏମ୍‌ରେ ଯୋଡ଼ି ହେଲେ ରେକର୍ଡ ସଂଖ୍ୟକ ଅଂଶଧାରକ

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍‌) ର ଅନ୍‌ଲାଇନ୍ ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ରେକର୍ଡ ୪ ଲକ୍ଷ ୩୦ ହଜାରରୁ ଅଧିକ ଅଂଶଧାରକ (ସେୟାରହୋଲଡର) ଯୋଡ଼ି ହୋଇଥିଲେ। ଏଜିଏମ୍‌ରେ ବହୁ ସଂଖ୍ୟାରେ ଅଂଶଧାରକ ଯୋଡ଼ିହେବା ସହ ପୂର୍ବରୁ ଥିବା ସବୁ ରେକର୍ଡ ଏଥର ଭଙ୍ଗ ହୋଇଛି। ୨୦୨୨ରେ ଅନୁଷ୍ଠିତ ଆର୍ଆଇଏଲ୍ ର ଏଜିଏମ୍‌ରେ ପ୍ରାୟ ୩ ଲକ୍ଷ ୯୦ ହଜାର ଲୋକ ସାମିଲ ହୋଇଥିଲେ। କୋଭିଡ୍ ମହାମାରୀ ସମୟରୁ କମ୍ପାନୀ ଭର୍ଚୁଆଲ୍ ମାଧ୍ୟମରେ ଏଜିଏମ୍ ଆୟୋଜନ କରୁଛି।

ଲକ୍ଷ ଲକ୍ଷ ଅଂଶଧାରକ ଯେଭଳି ସୁବିଧାରେ ଏଜିଏମ୍‌ରେ ଅଂଶଗ୍ରହଣ କରିପାରିବେ ସେଥିପାଇଁ କଂପାନି ପକ୍ଷରୁ ବିଭିନ୍ନ ବୈଷୟିକ ବ୍ୟବସ୍ଥା କରାଯାଇଥିଲା । ଭିଡିଓ କଲିଂ ଆପ୍ “ଜିଓମିଟ୍‌’ରେ ଅନୁଷ୍ଠିତ ହୋଇଥିବା କଂପାନିର ଏଜିଏମ୍ ପାଇଁ ମୁକବଧୀରମାନଙ୍କ ନିମନ୍ତେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥଲା। ଅଂଶଧାରକମାନଙ୍କ ସାମ୍ନାରେ କମ୍ପାନୀ ଯେଉଁ ସବୁ ପ୍ରସ୍ତାବ ରଖିଥିଲା ତାହାକୁ ସାଙ୍କେତିକ ଭାଷାରେ ମଧ୍ୟ ଉପଲବ୍ଧ କରାଯାଇଥିଲା।

ପଞ୍ଜାବର ଲୁଧିଆନା ସହରରୁ ଏଜିଏମ୍‌ରେ ଯୋଡ଼ି ହୋଇଥିବା ଦୃଷ୍ଟିବାଧିତ ଅଂଶଧାରକ ଲାଲ ସିଂହ ଠାକୁର ନିଜ ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରି କହିଛନ୍ତି ଯେ ‘ରିଲାଏନ୍ସ ପକ୍ଷରୁ ଏଜିଏମ୍ ପାଇଁ ମୁକ-ବଧୀର ଓ ଦୃଷ୍ଟିବାଧିତ ମାନଙ୍କ ପାଇଁ ଅତି ସୁନ୍ଦର ବ୍ୟବସ୍ଥା କରାଯାଇଥିଲା । ଅଂଶଧାରକ ଭାବେ ମୁଁ ମୋ କଥା କମ୍ପାନୀ କର୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିପାରିଥିଲି ଏବଂ ଏଥିପାଇଁ କୌଣସି ଅସୁବିଧା ହୋଇନଥିଲା ।’’

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପ୍ରବକ୍ତା କହିଛନ୍ତି ଯେ, “ଅଧିକରୁ ଅଧିକ ଅଂଶଧାରକ ଏଜିଏମ୍‌ରେ ସାମିଲ ହେବା କମ୍ପାନୀ ପ୍ରତି ସେମାନଙ୍କ ରହିଥିବା ବିଶ୍ୱାସକୁ ଦର୍ଶାଉଛି । ଜିଓମିଟ୍‌ରେ ୪ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ଯୋଡ଼ି ହେବା କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏକ ବଡ଼ ଉପଲବ୍ଧି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ଆମ ବୈଷୟିକ ଟିମ୍ ଦିନରାତି କାର୍ଯ୍ୟ କରିଥିଲେ ।’’

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କ୍ରମାଗତ ତୃତୀୟ ବର୍ଷ ପାଇଁ କୌଣସି ଦରମା ନେଇନାହାନ୍ତି ମୁକେଶ ଅମ୍ବାନି

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଆସନ୍ତା ଅଗଷ୍ଟ ୨୮ ତାରିଖରେ ହେବାକୁ ଥିବା ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ପୂର୍ବରୁ କମ୍ପାନୀର ବାର୍ଷିକ ରିପୋର୍ଟ ଜାରି କରାଯାଇଛି।

କମ୍ପାନୀର ବାର୍ଷିକ ରିପୋର୍ଟ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଲଗାତାର ତୃତୀୟ ବର୍ଷ ପାଇଁ କୌଣସି ଦରମା ନେଇନାହାନ୍ତି। ତିନି ବର୍ଷ ଧରି କୌଣସି ବେତନ ନନେଇ ସେ କମ୍ପାନୀ ପାଇଁ କାର୍ଯ୍ୟ କରୁଛନ୍ତି। କୋଭିଡ୍ ମହାମାରୀରେ ବ୍ୟବସାୟ ପ୍ରଭାବିତ ହୋଇଥିବା ସମୟରେ କମ୍ପାନୀର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁକେଶ ସ୍ୱଇଚ୍ଛାରେ ବେତନ ନେବେ ନାହିଁ ବୋଲି ଘୋଷଣା କରିଥିଲେ। ୨୦୨୨-୨୩ ଆର୍ôଥକ ବର୍ଷରେ ମଧ୍ୟ ତାଙ୍କ ବେତନ ଶୂନ ରହିଥିବା କମ୍ପାନୀର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେବଳ ବେତନ ନୁହେଁ, ବିଗତ ତିନି ବର୍ଷରେ ମୁକେଶ ଭତ୍ତା, ଅନ୍ୟାନ୍ୟ ଲାଭ, ସେବାନିବୃତ ଲାଭ, କମିସନ କିମ୍ବା ଷ୍ଟକ ବିକଳ୍ପ ବି ନେଇନାହାନ୍ତି। ସେ ବ୍ୟକ୍ତିଗତ ଉଦାହରଣ ସୃଷ୍ଟି କରି ପୂର୍ବରୁ ନିଜ ବେତନକୁ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ସୀମିତ ରଖି ୨୦୦୮-୦୯ ରୁ ବାର୍ଷିକ ୧୫ କୋଟି ଟଙ୍କାର ବେତନ ନେଉଥିଲେ।

କମ୍ପାନୀର ବାର୍ଷିକ ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ନିଖିଲ ମେସ୍‌ୱାନିଙ୍କ ଦରମା ୨୦୨୨-୨୩ରେ ୧ କୋଟି ଟଙ୍କା ବଢ଼ି ୨୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ବାର୍ଷିକ ୨୫ କୋଟି ଟଙ୍କା ଦରମାରେ ହିତଲ ମେସ୍‌ୱାନି ବି କମ୍ପାନୀରେ କାମ କରୁଛନ୍ତି। ତୈଳ ଓ ଗ୍ୟାସ୍ ବ୍ୟବସାୟ ସହ ଜଡ଼ିତ ପି.ଏମ୍‌. ପ୍ରସାଦଙ୍କ ବେତନ ୨୦୨୧-୨୨ରେ ୧୧.୮୯ କୋଟି ଟଙ୍କା ଥିଲା ଯାହା ୨୦୨୨-୨୩ରେ ୧୩.୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ ଯେ ରିଲାଏନ୍ସ ହେଉଛି ଦେଶର ସର୍ବାଧିକ ଟିକସ ଦେଉଥିବା କମ୍ପାନୀ । ଗତ ତିନି ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସରକାରୀ ରାଜକୋଷରେ ୫ ଲକ୍ଷ ୬୩ କୋଟି ଟଙ୍କା ଜମା କରିଛି। ପ୍ରତ୍ୟକ୍ଷ ଟିକସ, ପରୋକ୍ଷ ଟିକସ ଓ ସ୍ପେକ୍ଟ୍ରମ୍ ଉପଯୋଗ ଶୁଳ୍କ ଓ ଅନ୍ୟାନ୍ୟ ଟିକସ ବାବଦରେ କମ୍ପାନୀ ଏହି ଟଙ୍କା ଜମା କରିଛି। ୨୦୨୨-୨୩ ଆର୍ôଥକ ବର୍ଷରେ କମ୍ପାନୀ ସରକାରୀ ରାଜକୋଷରେ ୧.୭୭ ଲକ୍ଷ କୋଟି ଟଙ୍କା ଜମା କରିଛି। କମ୍ପାନୀର ବାର୍ଷିକ ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି। ବିଗତ ତିନି ବର୍ଷରେ ରିଲାଏନ୍ସ ସରକାରୀ ରାଜକୋଷରେ ଯେତିକି ଟଙ୍କା ଜମା କରିଛି ତାହା ଭାରତ ସରକାରଙ୍କ ମୋଟ ବଜେଟ୍ ବ୍ୟୟର ୫%ରୁ ଅଧିକ।

ନିଯୁକ୍ତି ପ୍ରଦାନ କରିବାରେ ମଧ୍ୟ ରିଲାଏନ୍ସ ଦେଶରେ ଏକ ନମ୍ବର ସ୍ଥାନରେ ରହିଛି। କମ୍ପାନୀର ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୨୨-୨୩ରେ ରିଲାଏନ୍ସ ୯୫,୧୬୭ ନିଯୁକ୍ତି ସୃଷ୍ଟି କରିବା ସହିତ ରିଲାଏନ୍ସର ମୋଟ କର୍ମଚାରୀ ସଂଖ୍ୟା ୩.୮୯ ଲକ୍ଷକୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୨.୪୫ ଲକ୍ଷ ରିଲାଏନ୍ସ ରିଟେଲ୍‌ରେ କାମ କରୁଛନ୍ତି। ରିଲାଏନ୍ସ ରିଟେଲ୍ ଦେଶର ସବୁଠୁ ବଡ଼ ନିଯୁକ୍ତିଦାତା ଭାବେ ଉଭା ହୋଇଛି। ରିଲାଏନ୍ସ ଜିଓରେ ୯୫ ହଜାରରୁ ଅଧିକ ଲୋକ କାମ କରୁଛନ୍ତି। ଲାଗାତାର ତୃତୀୟ ବର୍ଷ ପାଇଁ ରିଲାଏନ୍ସ ହଜାର ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଛି। କୋଭିଡ୍ ମହାମାରୀ ସମୟରେ ମଧ୍ୟ କଂପାନି ୭୫ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ୍‌ରେ ଟିମ୍ ସଂଖ୍ୟା ବୃଦ୍ଧି: ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ହେଲା ନିଷ୍ପତ୍ତି

ଅହମ୍ମଦାବାଦ: ଆଜି ଅହମ୍ମଦାବାଦ ଠାରେ ବିସିସିଆଇର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସନ୍ତା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ୧୦ଟି ଟିମ୍‌ ଖେଳିବା ନେଇ ନିଷ୍ପତ୍ତି ହୋଇଛି। ପୂର୍ବରୁ ଆଇପିଏଲ୍‌ରେ ୮ଟି ଟିମ୍ ଅଂଶ ଗ୍ରହଣ କରୁଥିବା ବେଳେ ଆସନ୍ତା ସଂସ୍କରଣରେ ଟିମ୍ ସଂଖ୍ୟାରେ ୧୦କୁ ବୃଦ୍ଧି ହୋଇଛି।

ଟିମ୍ ସଂଖ୍ୟା ବଢିଥିବାରୁ ଟୁର୍ଣ୍ଣାମେଣ୍ଟର ମ୍ୟାଚ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ତେବେ ମୋଟ୍‌ ୯୪ଟି ମ୍ୟାଚ୍‌ ଖେଳାଯିବାର ସମ୍ଭାବନା ରହିଛି। ସେହି ହିସାବରେ ଆସନ୍ତା ଟୁର୍ଣ୍ଣାମେଣ୍ଟର ସମୟ ସୀମା ବୃଦ୍ଧି ପାଇ ଫାଇନାଲ ମ୍ୟାଚ ବେଳକୁ ପ୍ରାୟ ଅଢ଼େଇ ମାସ ଲାଗିଯିବ। ଏତେ ଲମ୍ବା ସମୟ ଧରି ଖେଳା ଯିବାକୁ ଥିବାରୁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇପାରେ।