Categories
ଆଞ୍ଚଳିକ

ବାଣପୁର ଅଦାଲତରେ ମଧୁ ବାବୁଙ୍କ ଜୟନ୍ତୀ ଓ ଅଧିବକ୍ତା ଦିବସ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ମଧୁବାବୁଙ୍କ ଜୟନ୍ତୀ ଏବଂ ଅଧିବକ୍ତା ଦିବସ ଉପଲକ୍ଷେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟ ପରିସରରେ ବାର ଆସୋସିଏସନ ତରଫରୁ ଉକ୍ତ ଉତ୍ସବ ପାଳିତ ହୋଇଯାଇଛି। ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନଙ୍କ ସଭାପତିତ୍ୱରେ ଉକ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ମୁଖ୍ୟ ଅତିଥି, କନିଷ୍ଠ ବିଚାରପତି ସ୍ନାତକୀ ଦାସ ସମ୍ମାନିତ ଅତିଥିଭାବେ ଯୋଗ ଦେବା ସହ ସମ୍ପାଦକ ସୁଧୀର ପ୍ରଧାନ ଏବଂ ଉପସଭାପତି ପଦ୍ମଜା ପଟ୍ଟନାୟକ ମଞ୍ଚାସିନ ଥିଲେ।

ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ସଭ୍ୟମାନେ ଉକ୍ତ ଜୟନ୍ତୀ ଉତ୍ସବରେ ମଧୁବାବୁଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର ମଧୁବାବୁଙ୍କ ଜୀବନୀ ସହ ଜଡିତ ବହୁ ତଥ୍ୟ ବକ୍ତବ୍ୟରେ ଉପସ୍ଥାପନ କରି କହିଥିଲେ କି ମଧୁସୂଦନ ଦାସ ଓଡ଼ିଶାର ଘରେ ଘରେ ମଧୁ ବାବୁ ବା ମଧୁ ବାରିଷ୍ଟର ଭାବରେ ପରିଚିତ। ସେ ଓକିଲାତି କରୁଥିଲେ ଏବଂ ତାଙ୍କର ବିଚକ୍ଷଣ ବୁଦ୍ଧି ଥିଲା।  ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠନ ନିମନ୍ତେ ସେ ଅକ୍ଲାନ୍ତ ଉଦ୍ୟମ କରିଥିଲେ।

ସେଥିପାଇଁ ସେ ଉତ୍କଳ ସମ୍ମିଳନୀ ନାମରେ ଏକ ଅନୁଷ୍ଠାନ ଗଠନ କରି ଇଂରେଜ ସରକାରଙ୍କ ପାଖରେ ତାଙ୍କର ଦାବି ଉପସ୍ଥାପନ କରିବାକୁ ବିଲାତ ଯାତ୍ରା କରିଥିଲେ। ତାଙ୍କର ଓକିଲାତି ଜୀବନରେ କେବେ ବି ଗରିବ ଲୋକଙ୍କ ଠାରୁ ନିଜର ପ୍ରାପ୍ୟ ଗ୍ରହଣ କରୁନଥିଲେ। ଓକିଲ ବନ୍ଧୁ ମାନଙ୍କୁ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ ଶ୍ରୀ ମିଶ୍ର।

ଅନ୍ୟ ଅତିଥିମାନେ ମଧୁବାବୁଙ୍କ ଜୀବନ ସମ୍ପର୍କିତ ବହୁ ତଥ୍ୟ ଉପସ୍ଥାପନ କରି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ରଞ୍ଜନ ବେଦମତ୍ତା, ଜଗଦୀଶ ପଟ୍ଟନାୟକ ଏବଂ ଅନ୍ୟ ସଭ୍ୟ ମାନେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ରଣପୁର ବାର ଆସୋସିଏସନରେ କର୍ମକର୍ତ୍ତା ନିର୍ବାଚନ

ରଣପୁର; ରଣପୁର ବାର ଆସୋସିଏସନ ତରଫରୁ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ସରିଥିବା ବେଳେ ଏହାର ଫଳାଫଳ ମଧ୍ୟ ଘୋଷଣା ହୋଇଯାଇଛି। ଏହି ନିର୍ବାଚନରେ ସଭାପତି ଭାବେ ବରିଷ୍ଠ ଆଇନଜିବୀ ଗିରିଜାକାନ୍ତ ମହାପାତ୍ର, ଉପ-ସଭାପତି ଭାବେ ସୁକାନ୍ତ କୁମାର ପଟ୍ଟନାୟକ, ସମ୍ପାଦକ ଭାବେ ସତ୍ୟରଞ୍ଜନ ମତା, ସହ-ସମ୍ପାଦକ ଭାବେ ଉମେଶ ରଞ୍ଜନ ସାହୁ, ଲାଇବ୍ରେରିଆନ ଭାବେ ସ୍ୱଦେଶ ରଞ୍ଜନ ସେନାପତି, କୋଷାଧ୍ୟକ୍ଷ ଭାବେ ସୁଶାନ୍ତ କୁମାର ଦାସ ନିର୍ବାଚିତ ହୋଇଥିବା ଜଣାଯାଇଛି।

ଉକ୍ତ ନିର୍ବାଚନକୁ ରଣପୁର କୋର୍ଟର ସରକାରୀ ଓକିଲ ଗିରିଜା ଶଙ୍କର ସାମନ୍ତରାୟ ସୁଚାରୁରୂପେ ପରିଚାଳନା କରିଥିଲେ।