Categories
ଆଜିର ଖବର ରାଜ୍ୟ ଖବର

ସିଲିଙ୍ଗପଡ଼ା ଜଙ୍ଗଲରେ ହାତୀର ମୃତ୍ୟୁ: ଘଟଣାସ୍ଥଳରେ ଭୁବନେଶ୍ୱର ଆରସିସିଏଫ ଓ ଖୋର୍ଦ୍ଧା ଡ଼ିଏଫଓ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ବନଖଣ୍ଡ ବାଲୁଗାଁ ବନାଞ୍ଚଳ ଅନ୍ତର୍ଗତ ଧୂଆଁନଳି ସେକ୍ସନ ସିଲିଙ୍ଗପଡ଼ା ଜଙ୍ଗଲରେ ଆଜି ଏକ ହାତୀର ମୃତ୍ୟୁ ହୋଇଛି। ହାତୀର ବୟସ ୩ ରୁ ୪ ବର୍ଷ ହେବ।

ଖବର ପାଇ ଭୁବନେଶ୍ୱର ଆରସିସିଏଫ, ଖୋର୍ଦ୍ଧା ଡ଼ିଏଫଓ ପୂର୍ଣ୍ଣିମା ପାଣ୍ଡିଆନ, ଏସିଏଫ, ବାଲୁଗାଁ ରେଞ୍ଜର ଆଦି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ତେବେ ହାତୀର ପ୍ରାକୃତିକ ମୃତ୍ୟୁ ହୋଇଥିବାର ଡ଼ିଏଫଓ ସୁଶ୍ରୀ ପାଣ୍ଡିଆନ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ଅଧିକ ତଦନ୍ତ ପାଇଁ ଏକ ଡାକ୍ତରୀଦଳ ହାତୀର ଶବ ବ୍ୟବଚ୍ଛେଦ କରିଛନ୍ତି। ଏବଂ ହାତୀର ଶବକୁ ଜଙ୍ଗଲରେ ପୋତିଦିଆଯାଇଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

Categories
ଆଞ୍ଚଳିକ

ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଆଦିବାସୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଅପରାହ୍ନରୁ ଧାରଣାରତ ଅଛନ୍ତି ଦାମିଆ ବରବରା ଅଞ୍ଚଳର କିଛି ଆଦିବାସୀ ଗ୍ରାମବାସୀ। ସେମାନଙ୍କ ଅଭିଯୋଗ ହେଲା ଯେ, ବନବିଭାଗର କର୍ମଚାରୀ ମାନେ ଦାମିଆ ବରବରା ଅଞ୍ଚଳର ଦେବରାଜ ଶବର ନାମକ ବ୍ୟକ୍ତିଙ୍କୁ ଗତକାଲି ଠାରୁ ଅଟକ ରଖିଛନ୍ତି। ଉକ୍ତ ଅଟକ ବେଆଇନ ଏବଂ କଣ ପାଇଁ ତାଙ୍କୁ ଅଟକ ରଖାଯାଇଛି ବୋଲି ଦେବରାଜଙ୍କ ପତ୍ନୀ ସୁମତି ଶବର ବନବିଭାଗକୁ ପ୍ରଶ୍ନ କରିବା ସହ ତାଙ୍କ ସ୍ୱାମୀଙ୍କୁ ଯଥାଶୀଘ୍ର ଅଟକମୁକ୍ତ କରାଯାଉ ବୋଲି ଦାବି କରିଛନ୍ତି।

ତେବେ ଏ ନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତିଙ୍କୁ ଯୋଗାଯୋଗ କରାଯିବାରୁ ଦେବରାଜ ଚୁଲିଝିଙ୍କା ସରଂକ୍ଷିତ ଜଙ୍ଗଲ ଅଞ୍ଚଳରୁ ବେଆଇନ ଭାବେ କାଠ କାଟିବା ସହ ସରକାରୀ ଜଙ୍ଗଲ ଅବରୋଧ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି ଏବଂ ବର୍ତ୍ତମାନ ଉକ୍ତ ପ୍ରକ୍ରିୟା ଜାରି ରହିଥିବାର କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଜଙ୍ଗଲୀ ବାରାହା ମାଂସ ସହ ଶିକାରୀ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ବାଣପୁର ଟମଣା ସରଂକ୍ଷିତ ଜଙ୍ଗଲରୁ ଜଣେ ଜଙ୍ଗଲୀ ବାରାହା ଶିକାରୀକୁ ଗିରଫ କରିଛି ବନବିଭାଗ। ଗିରଫ ଅଭିଯୁକ୍ତ ଜଣକ ହେଲେ ବାଣପୁର ଥାନା ଦୋଳଗୋବିନ୍ଦ ନୂଆ ସାହିର ତ୍ରିନାଥ ପ୍ରଧାନ (୫୦)। ତାଙ୍କ ନିକଟରୁ ୧୦ କେଜି ଜଙ୍ଗଲୀ ବାରାହା ମାଂସ ସମେତ ଏକ ଦେଶୀ ବନ୍ଧୁକ ଜବତ କରିଛି ବନବିଭାଗ।

ସୂଚନା ମୁତାବକ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ଆଜି ପାଟ୍ରୋଲିଂ କରୁଥିବା ବେଳେ ଜଙ୍ଗଲୀ ବାରାହା ଶିକାର ଖବର ପାଇ ସଙ୍ଗେସଙ୍ଗେ ଚଢ଼ାଉ କରିଥିଲେ ଏବଂ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଏହି ପରିପ୍ରେକ୍ଷୀରେ ବନବିଭାଗ କେସ ନମ୍ବର ୬ବି/୨୨-୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବାର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଧୂଁଆନଳୀ ବନପାଳ ଶିଳ୍ପୀ ସରିତା ମହାକୁଡ଼ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଶତାଧିକ ଆଦିବାସୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ମଧ୍ୟାହ୍ନରେ ଅଖିଳ ଭାରତ କ୍ଷେତ ମଜଦୁର କିସାନ ସଭା (ଅ.ଆଇ.କେ.ଏମ.କେ.ଏସ) ଦାମିଆ ବରବରା ଓ ନୀଳାଦ୍ରି ପ୍ରସାଦ ପଂଚାୟତର ଆଞ୍ଚଳିକ କମିଟି ପକ୍ଷରୁ ଶତାଧିକ ପୁରୁଷ ଓ ମହିଳା ମାନେ ପଦଯାତ୍ରା କରି ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ। ସେମାନଙ୍କ ଅଭିଯୋଗ ହେଲା କି, ଗତ କିଛି ମାସ ହେଲା ଉକ୍ତ ଦୁଇ ପଞ୍ଚାୟତର ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ଉପରେ ବରବରା ଫରେଷ୍ଟ ବିଟର ବନ କର୍ମଚାରୀମାନେ ଜୋର ଜୁଲମ ଅତ୍ୟାଚାର କରୁଛନ୍ତି ଏବଂ ସେମାନଙ୍କ ଲଙ୍ଗଳ, ଜୁଆଳି, କାତି, କୁରାଢ଼ୀ ଏବଂ ମୋବାଇଲ ଆଦି ଛଡାଇ ନେଇଯାଉଛନ୍ତି ଏବଂ ଏହାର ପ୍ରତିବାଦ କଲେ ବନ କର୍ମଚାରୀମାନେ ଗିରଫର ଭୟ ଦେଖାଇ ମୋଟା ଅଙ୍କର ଟଙ୍କା ନେଉଛନ୍ତି।

ଏହି ପରିପ୍ରେକ୍ଷୀରେ ପଞ୍ଚାୟତବାସି ବାଲୁଗାଁ ବନାଞ୍ଚଳ ଅଧିକାରୀଙ୍କୁ ଏକ ଚାରି ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିଗୁଡ଼ିକ ହେଲା ବନ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଗ୍ରାମ ସଭା ଜରିଆରେ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା, ପୁର୍ବରୁ ଜଙ୍ଗଲ ଜମି ପଟ୍ଟା ପାଇଁ ଆବେଦନକାରୀଙ୍କୁ ଜଙ୍ଗଲ ପଟ୍ଟା ପ୍ରଦାନ କରିବା ଏବଂ ପଡ଼ା ଗ୍ରାମ ଗୁଡିକୁ ଅବିଳମ୍ବେ ରାଜସ୍ୱ ଗ୍ରାମ ଘୋଷଣା କରିବା।

ତେବେ ଏ ନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କୁ ପଚାରିବାରୁ ବନ କର୍ମଚାରୀଙ୍କ ନାମରେ ହୋଇଥିବା ଅଭିଯୋଗର ତଦନ୍ତ କରାଯିବ ଏବଂ ଯଦି ତାହା ପ୍ରମାଣିତ ହୁଏ ତେବେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନୁରୂପ ଭାବେ ଜଙ୍ଗଲ ଅଧିକାର ଅଧିନିୟମ ୨୦୦୬ ମୁତାବକ ଯୋଗ୍ୟ ହିତାଧିକାରୀଙ୍କୁ କେବଳ ଜଙ୍ଗଲ ପଟ୍ଟା ପ୍ରଦାନ କରାଯାଇପାରିବ ବୋଲି କହିଛନ୍ତି ଶ୍ରୀ ମହାନ୍ତି।

Categories
ଆଞ୍ଚଳିକ

ବାଣପୁରରେ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ବନଖଣ୍ଡ ବାଲୁଗାଁ ବନାଞ୍ଚଳ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଓ ଧୂଆଁନଳି ସେକ୍ସନ ଅଞ୍ଚଳରେ ବୁଧବାର ଦିନ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧୂଁଆନଳି ସେକ୍ସନର କିଆଗୋରଡ଼ା ଗ୍ରାମ ଏବଂ ଗମ୍ଭାରୀମୁଣ୍ଡା ସେକ୍ସନର ଖିଲାମୁଣ୍ଡା ମନ୍ଦିର ପରିସରରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉଭୟ କାର୍ଯ୍ୟକ୍ରମରେ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମବାସୀ ଙ୍କୁ ଜଙ୍ଗଲ ନିଆଁ ନିବାରଣ ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। ତତସହିତ ଯଦି କୌଣସି ଦୁର୍ବୁତ୍ତ ଜଙ୍ଗଲରେ ନିଆଁ ଲଗାଉଥୁବାର ଗ୍ରାମବାସୀ ମାନେ ଦେଖନ୍ତି ତେବେ ତୁରନ୍ତ ଜଙ୍ଗଲ କର୍ମଚାରୀଙ୍କୁ ଜଣାଇବା ପାଇଁ ଅନୁରୋଧ କରିଥିଲେ ଶ୍ରୀ ମହାନ୍ତି। ଉଭୟ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ବନପାଳ ଚିତ୍ରସେନ ଜେନା, ପ୍ରଦୀପ୍ତ ମହାନ୍ତି, ଦୁଃଶାସନ ନାୟକ, ଶିଳ୍ପୀସରିତା ମହାକୁଡ଼ ଯୋଗଦେଇଥିବା ବେଳେ କିଆଗୋରଡା, ପଙ୍କାଳ, ମହତପଲା ଏବଂ ଗୋପୀନାଥପୁର ଗ୍ରାମବାସୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଧାରୁଆ ଅସ୍ତ୍ରରେ ବନ କର୍ମଚାରୀଙ୍କୁ ଆକ୍ରମଣ, ଥାନାରେ ଏତଲା

ସୀତାରାମ ଅଗ୍ରୱାଲ

ବାଣପୁର: କାଠ ମାଫିଆଙ୍କ ଆକ୍ରମଣରେ ଜଙ୍ଗଲ ସୁରକ୍ଷା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। କର୍ମଚାରୀଙ୍କ ବେକେରେ ଛୁରା ଲଗାଇ କାଠ ମାଫିଆ ଆକ୍ରମଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ବରବରା ସରଂକ୍ଷିତ ଜଙ୍ଗଲ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ମୁତାବକ ଗତକାଲି ରାତିରେ ବରବରା ଜଙ୍ଗଲ ଅନ୍ତର୍ଗତ କଳାମାଟିଆ ଚେକଗେଟରେ ଜଙ୍ଗଲ ସୁରକ୍ଷା କର୍ମଚାରୀ ଲକ୍ଷ୍ମୀଧର ପାଲ ପ୍ରହରା ଦେଉଥିଲେ। ଠିକ ସେତିକିବେଳେ ଦୁଇ ଜଣ ଦୁର୍ବୃତ୍ତ ଲକ୍ଷ୍ମୀଧରଙ୍କୁ ଗାଳିଗୁଲଜ କରିବା ସହ ଚୋରି କାଠ ନେବା ପାଇଁ ଗେଟ ଖୋଲିବାକୁ ବାଧ୍ୟ କରିଥିଲେ। ଲକ୍ଷ୍ମୀ ବିରୋଧ କରିବାରୁ ଉକ୍ତ ଦୁଇ ଦୁର୍ବୁତ୍ତ ଅସବ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଏବଂ ପୂର୍ବରୁ ମଧ୍ୟ ସେମାନଙ୍କ ସହଯୋଗୀ ମଙ୍ଗୁଳୁ ବେହେରାଙ୍କୁ କାଠଚୋରି କରୁଥିବାବେଳେ ପୋଲିସ ହାତରେ ଧରାଇଥିବାରୁ ଲକ୍ଷ୍ମୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ଏହାପରେ ଦୁର୍ବୁତ୍ତମାନେ ଲକ୍ଷ୍ମୀଙ୍କ ବେକ ଏବଂ ବାମ ପାପୁଲିକୁ ଧାରୁଆ ଛୁରାରେ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ବିକଳରେ ଭାଟାପଡା ଚେକଗେଟକୁ ଲକ୍ଷ୍ମୀ ଦୌଡ଼ି ପଳାଇଥିଲେ। ଖବର ପାଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି, ବରବରା ସେକ୍ସନ ବନପାଳ ଅକ୍ଷୟ ନାୟକ ଏବଂ ଅନ୍ୟ କର୍ମଚାରୀମନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଲକ୍ଷ୍ମୀଧରଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିଲେ।

ଆଜି ଆହତ ଜଙ୍ଗଲ ସୁରକ୍ଷା କର୍ମଚାରୀଙ୍କ ପକ୍ଷରୁ ଉଭୟ ଦୁର୍ବୁତ୍ତଙ୍କ ନାମରେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିବାର ବନାଞ୍ଚଳ ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଅଭିଯୁକ୍ତ ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କୁମାରପାରୀ ଅଞ୍ଚଳର ତାରିଣୀ ନାୟକ ଏବଂ ବାଣପୁର ଥାନା ଅନ୍ତର୍ଗତ କଳାମାଟିଆ ଗ୍ରାମର ନାରାୟଣ ଭୂୟାଁ।

Categories
ଅପରାଧ ଆଜିର ଖବର ସ୍ବାସ୍ଥ୍ୟ

ବାଣପୁର: ବାରହା ଶିକାର କରି ଗିରଫ ହେଲେ ଦୁଇ ଶିକାରୀ, ମୃତ ବାରହା ଜବତ

ସୀତାରାମ ଅଗ୍ରୱାଲ

ବାଣପୁର: ବାରହା ଶିକାର କରି ଦୁଇ ଶିକାରୀ ଗିରଫ ହୋଇଛନ୍ତି। ସୂଚନା ମୁତାବକ ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ପଦ୍ମପୁର ସେକ୍ସନ ଅନ୍ତର୍ଗତ ଷଣ୍ଢା ଡ଼ିପିଏଫ ରୁ କିଛି ଦୁର୍ବୁତ୍ତ ଏକ ବରହାକୁ ଶିକାର କରି ନେଉଥିବାର ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ଖବର ପାଇଥିଲେ। କାଳ ବିଳମ୍ବ ନ କରି ଶ୍ରୀ ମହାନ୍ତି ତୁରନ୍ତ ଏକ ଟିମ ଧରି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ। ତେବେ ଚଢ଼ାଉ ସମୟରେ ମୃତ ବାରହାକୁ ଜବତ କରିବା ସହ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଥିଲେ।

ଗିରଫ ଦ୍ବୟ ଅଭିଯୁକ୍ତମାନେ ହେଲେ ବାଣପୁର ଥାନା ଅଞ୍ଚଳର ରଞ୍ଜନ ନାୟକ ଏବଂ ପ୍ରକାଶ ନାୟକ। କିନ୍ତୁ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଏ ସଂକ୍ରାନ୍ତରେ ବନବିଭାଗ ବନ୍ୟପ୍ରାଣୀ ଅପରାଧ ଅଧିନିୟମ ଅନୁଯାୟୀ କେସ ନମ୍ବର ୫/୨୧-୨୨ ରେ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ବନପାଳ ଚିତ୍ରସେନ ଜେନା, ରାଜକିଶୋର ବେହେରା, ପ୍ରଦୀପ ମହାନ୍ତି, ବନରକ୍ଷୀ ସସ୍ମିତା ଦାସ ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।