ବାଣପୁର: ଧାରୁଆ ଅସ୍ତ୍ରରେ ବନ କର୍ମଚାରୀଙ୍କୁ ଆକ୍ରମଣ, ଥାନାରେ ଏତଲା

Published: Dec 3, 2021, 2:47 pm IST

ସୀତାରାମ ଅଗ୍ରୱାଲ

ବାଣପୁର: କାଠ ମାଫିଆଙ୍କ ଆକ୍ରମଣରେ ଜଙ୍ଗଲ ସୁରକ୍ଷା କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। କର୍ମଚାରୀଙ୍କ ବେକେରେ ଛୁରା ଲଗାଇ କାଠ ମାଫିଆ ଆକ୍ରମଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ବରବରା ସରଂକ୍ଷିତ ଜଙ୍ଗଲ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ମୁତାବକ ଗତକାଲି ରାତିରେ ବରବରା ଜଙ୍ଗଲ ଅନ୍ତର୍ଗତ କଳାମାଟିଆ ଚେକଗେଟରେ ଜଙ୍ଗଲ ସୁରକ୍ଷା କର୍ମଚାରୀ ଲକ୍ଷ୍ମୀଧର ପାଲ ପ୍ରହରା ଦେଉଥିଲେ। ଠିକ ସେତିକିବେଳେ ଦୁଇ ଜଣ ଦୁର୍ବୃତ୍ତ ଲକ୍ଷ୍ମୀଧରଙ୍କୁ ଗାଳିଗୁଲଜ କରିବା ସହ ଚୋରି କାଠ ନେବା ପାଇଁ ଗେଟ ଖୋଲିବାକୁ ବାଧ୍ୟ କରିଥିଲେ। ଲକ୍ଷ୍ମୀ ବିରୋଧ କରିବାରୁ ଉକ୍ତ ଦୁଇ ଦୁର୍ବୁତ୍ତ ଅସବ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଏବଂ ପୂର୍ବରୁ ମଧ୍ୟ ସେମାନଙ୍କ ସହଯୋଗୀ ମଙ୍ଗୁଳୁ ବେହେରାଙ୍କୁ କାଠଚୋରି କରୁଥିବାବେଳେ ପୋଲିସ ହାତରେ ଧରାଇଥିବାରୁ ଲକ୍ଷ୍ମୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ଏହାପରେ ଦୁର୍ବୁତ୍ତମାନେ ଲକ୍ଷ୍ମୀଙ୍କ ବେକ ଏବଂ ବାମ ପାପୁଲିକୁ ଧାରୁଆ ଛୁରାରେ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ବିକଳରେ ଭାଟାପଡା ଚେକଗେଟକୁ ଲକ୍ଷ୍ମୀ ଦୌଡ଼ି ପଳାଇଥିଲେ। ଖବର ପାଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି, ବରବରା ସେକ୍ସନ ବନପାଳ ଅକ୍ଷୟ ନାୟକ ଏବଂ ଅନ୍ୟ କର୍ମଚାରୀମନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଲକ୍ଷ୍ମୀଧରଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିଲେ।

ଆଜି ଆହତ ଜଙ୍ଗଲ ସୁରକ୍ଷା କର୍ମଚାରୀଙ୍କ ପକ୍ଷରୁ ଉଭୟ ଦୁର୍ବୁତ୍ତଙ୍କ ନାମରେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିବାର ବନାଞ୍ଚଳ ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ଅଭିଯୁକ୍ତ ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କୁମାରପାରୀ ଅଞ୍ଚଳର ତାରିଣୀ ନାୟକ ଏବଂ ବାଣପୁର ଥାନା ଅନ୍ତର୍ଗତ କଳାମାଟିଆ ଗ୍ରାମର ନାରାୟଣ ଭୂୟାଁ।

Related posts