Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଦେଶରେ ଓଡିଆ ଶ୍ରମିକଙ୍କୁ ନିର୍ଯ୍ୟାତନା ଅଭିଯୋଗ: ବାଲୁଗାଁ ଶ୍ରମ ଅଧିକାରୀଙ୍କ ଦ୍ଵାରସ୍ଥ ହେଲେ ପରିବାର

ସୀତାରାମ ଅଗ୍ରୱାଲ

ବାଣପୁର: ପୁଣି ବିଦେଶରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଶ୍ରମିକଙ୍କୁ କମ୍ପାନୀ ଶ୍ରମ କରାଉଥିଲେ ମଧ୍ୟ ମାସ ମାସ ଧରି ଦରମା ଦେଉନଥିବା ଅଭିଯୋଗ ହୋଇଛି। ମସ୍କଟର ଓମାନ ସହରରୁ ଏଭଳି ଅଭିଯୋଗ ଆସିଛି।

ଅଭିଯୋଗ ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆୟତପୁର ଗ୍ରାମର ପ୍ରଫୁଲ୍ଲ ବେହେରା ଓ ପଞ୍ଚେଇ ବେହେରାଙ୍କ ବଡ ପୁଅ ଚନ୍ଦନ ବେହେରା (୨୬) ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ଚାରି ବର୍ଷ ପୂର୍ବେ ମସ୍କଟର ଓମାନ ସହରରେ ଥିବା ‘ଡ଼ଲଫିନ ଟ୍ରେଡିଙ୍ଗ ଆଣ୍ଡ ଇନଭେଷ୍ଟମେଣ୍ଟ ‘ ନାମକ ଏକ ଘରୋଇ କମ୍ପାନୀରେ ହେଲ୍ପର ଭାବେ କାମ କରିବାକୁ ଯାଇଥିଲେ।

ତେବେ ଦୀର୍ଘ ଦଶ ମାସ ହେବ ଉକ୍ତ କମ୍ପାନୀ ଚନ୍ଦନଙ୍କୁ ପାରିଶ୍ରମିକ ଦେଉନାହିଁ ଏବଂ ଖାଇବାକୁ ଖାଦ୍ୟ ମଧ୍ୟ ଠିକରେ ଦେଉନଥିବାର ଚନ୍ଦନଙ୍କ ମାତା ପଞ୍ଚେଇ ଅଭିଯୋଗ କରିଛନ୍ତି। ଏପରିକି ଉକ୍ତ କମ୍ପାନୀ ତାଙ୍କୁ ନାନାଦିପ୍ରକାର ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ କରିଛନ୍ତି ପଞ୍ଚେଇ।

ଏହି ପରିପ୍ରେକ୍ଷୀରେ ସେ ନିକଟରେ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ଦେବା ସହ ଯଥାଶୀଘ୍ର ତାଙ୍କ ପୁତ୍ର ଚନ୍ଦନଙ୍କୁ ସ୍ବଦେଶ ଫେରାଇ ଆଣିବାର ବ୍ୟବସ୍ଥା କରିବାପାଇଁ ନିବେଦନ କରିଛନ୍ତି।

ଅନୁରୂପ ଭାବେ ଏ ନେଇ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀ ଚନ୍ଦନ ମାଝୀଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ଅଭିଯୋଗ ପାଇଥିବାର ସ୍ୱୀକାର କରିଛନ୍ତି। ଚନ୍ଦନଙ୍କ ସହିତ ବାଣପୁର ବ୍ଲକ, ଚିଲିକା ବ୍ଲକ ଏବଂ ଗଞ୍ଜାମ ଜିଲ୍ଲାର ଆଉ ୭ ଜଣ ଶ୍ରମିକ ମଧ୍ୟ ଉକ୍ତ କମ୍ପାନୀରେ କାର୍ଯ୍ୟ କରୁଥିବାର ପ୍ରକାଶ କରିଛନ୍ତି ସହକାରୀ ଶ୍ରମ ଅଧିକାରୀ। ତେବେ ତଦନ୍ତରୁ ଜଣାପଡିଛି ଯେ ସମସ୍ତ ୮ ଜଣ ଶ୍ରମିକମାନଙ୍କ ରେସିଡେନ୍ସ ଭିଜାର ଅବଧି ଗତବର୍ଷରୁ ସମାପ୍ତ ହୋଇଯାଇଛି ଏବଂ ପୁନଃ କାର୍ଯ୍ୟକ୍ଷମ ହୋଇନାହିଁ। ଏବଂ ସେଥିନିମନ୍ତେ ସେମାନଙ୍କୁ ଉକ୍ତ କମ୍ପାନୀ ଗତବର୍ଷରୁ କାମ ଦେଉନାହିଁ କି ପାରିଶ୍ରମିକ ଦେଉନାହିଁ। ତଥାପି ପଞ୍ଚେଇ ଦେଇଥିବା ଅଭିଯୋଗ ଆଧାରରେ ଶ୍ରମ ଅଧିକାରୀ ଏ ନେଇ ଶ୍ରମ କମିଶନର ଏବଂ ରାଜ୍ୟ ସରକାରଙ୍କୁ ଅବଗତ କରାଇସାରିଛନ୍ତି ଏବଂ ଯଥାଶୀଘ୍ର ସମସ୍ତ ୮ ଜଣ ଶ୍ରମିକଙ୍କୁ ସ୍ବଦେଶୀ ଆଣିବା ପାଇଁ ପ୍ରଚେଷ୍ଟା ଜାରିରହିଥିବାର ସୂଚନା ଦେଇଛନ୍ତି ଶ୍ରୀ ମାଝୀ।