Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିର ମିଶନ ଖୋର୍ଦ୍ଧା ଜିଲ୍ଲା, ଏଥର ଭୁବନେଶ୍ବର ଓ ଜଟଣୀ ଆସନ ଛଡାଇ ଆଣିବାକୁ ଯୋଜନା

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ଗରମ ହେବାରେ ଲାଗିଛି। ସେହି କ୍ରମରେ ବିଜେଡି ତାହାର ରଣନୀତି ଆରମ୍ଭ କରିବାରେ ଲାଗିଛି। ବିଭିନ୍ନ ସଂଗଠନର ନୂଆ କର୍ମକର୍ତ୍ତା ନିଯୁକ୍ତି ପରେ ଏବେ ଜିଲ୍ଲା ସ୍ତରୀୟ ସମୀକ୍ଷା ଆରମ୍ଭ ହୋଇଛି। ଗତକାଲି ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଂଗଠନ ମଜବୁତ ନେଇ ରଣନୀତି ପ୍ରସ୍ତୁତ ହୋଇଥିଲା।

ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳିର ବିଧାୟକ ସୁଶାନ୍ତ ରାଉତଙ୍କ ଅଧକ୍ଷ୍ୟତାରେ ବସିଥିଲା ଏହି ବୈଠକ। ଏଥିରେ ଖୋର୍ଦ୍ଧା ଜିଲ୍ଲା ତଥା ଭୁବନେଶ୍ବରର ସମସ୍ତ ବିଜେଡି ବିଧାୟକ ଏବଂ ନିର୍ବାଚିତ ପ୍ରତିନିଧି ଯୋଗଦେଇ ଆଗାମୀ ଦିନରେ ସଂଗଠନକୁ କିପରି ମଜବୁତ କରାଯିବ ସେ ନେଇ ଆଲୋଚନା ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାରେ ଥିବା ହଜାରେ ବୁଥକୁ ମଜବୁତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା।

ଏଥିରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ନେତାମାନଙ୍କୁ ଆହୁରି ଦୃଢ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେଥିପାଇଁ ଦଳର କର୍ମିମାନେ ଏକାକାର ହୋଇ ସଂଗଠନକୁ ମଜବୁତ କରିବା ଆବଶ୍ୟକ ରହିଛି ବୋଲି ପ୍ରଣବ କହିଥିଲେ।

ତେବେ ଏହି ବୈଠକରେ ଆଗାମୀ ନିର୍ବାଚନରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଧାନସଭା ଆସନ ଏବଂ ଭୁବନେଶ୍ବର ଲୋକସଭା ଆସନ ଯେପରି ବିଜେଡି ଅକ୍ତିଆର କରିବ ସେ ନେଇ ରଣନୀତି କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାର କେବଳ ଜଟଣୀ ବିଧାନସଭା ଆସନ ଏବଂ ଭୁବନେଶ୍ବର ଲୋକସଭା ଆସନ ବ୍ୟତିତ ଅନ୍ୟ ସବୁ ଆସନରେ ବିଜେଡି ଜିତିଛି। ଏଥର ଏହି ଦୁଇ ଆସନକୁ କିପରି ଛଡାଇ ଆଣାଯିବ ସେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତି ହୋଇଛି।

ଏହି ବୈଠକରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଏକାମ୍ର ବିଧାୟକ ଅଶୋକ ପଣ୍ଡା, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବିନ୍ଦ୍ର ଜେନା, ଖୋର୍ଦ୍ଧା ବିଜେଡି ସଭାପତି ବିଭୂତି ବଳବନ୍ତରାୟ, ସାଂସଦ ମାନସ ମଙ୍ଗରାଜ, ସାଂସଦ ମୁନ୍ନା ଖାଁ, ପୂର୍ବତନ ବିଧାୟକ ରଘୁ ସାହୁ ଏବଂ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପତ୍ନୀ ସ୍ବାଗତିକା ଜଗଦ୍ଦେବ ପ୍ରମୁଖ ଯୋଗ ଦେଇଥିଲେ।