Categories
ଆଜିର ଖବର ଜାତୀୟ ଖବର

ବିଧାନସଭା ନିର୍ବାଚନା ଫଳାଫଳ ଅପଡେଟ: ଛତିଶଗଡରେ କଡା ଟକ୍କର, ତେଲଙ୍ଗନାରେ କଂଗ୍ରେସ ଆଗୁଆ

ଭୁବନେଶ୍ଵର: ଆଜି ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଗଣତିରେ ମିଜୋରମର ଫଳାଫଳ ଆସିନଥିବା ବେଳେ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗନାର ସଂଖ୍ୟା ସାମ୍ନାକୁ ଆସିଛି। ଭୋଟ ଗଣତି ସମୟରେ ବାରମ୍ବାର ସଂଖ୍ୟା ବଦଳିବାରେ ଲାଗିଛି। ରାଜସ୍ଥାନ ଆଉ ମଧ୍ୟପ୍ରଦେଶ ପ୍ରଥମରୁ ବିଜେପି ଆଗରେ ଚାଲିଥିବା ବେଳେ ଛତିଶଗଡରେ କଂଗ୍ରେସ ବହୁତ ଆଗରେ ରହିଥିଲା। କିନ୍ତୁ ବର୍ତ୍ତମାନ ସଂଖ୍ୟା ଆଗ ପଛ ହେଉଛି। ସେହିଭଳି ତେଲେଙ୍ଗନାରେ ଶାସକ ଦଳ ବିଆରଏସକୁ କଂଗ୍ରେସ ଝଟକା ଦେଲା ଭଳି ଦେଖାଯାଉଛି। ତେବେ ଆସନ୍ତୁ ଜାଣିବା ପ୍ରାରମ୍ଭିକ ଗଣତିରେ କେଉଁ ଦଳ କେତେ ଆସନରେ ଆଗୁ ରହିଛି….

ଛତିଶଗଡର ପ୍ରାରମ୍ଭିକ ଗଣତିରେ ସମସ୍ତ ୯୦ ଟି ଆସନରେ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଠାରେ କଂଗ୍ରେସ ୩୯ ଟି ଆସନରେ ଏବଂ ୪୯ ଟି ଆସନରେ ବିଜେପି ଆଗୁଆ ରହିଛି।

ମଧ୍ୟପ୍ରଦେଶର ସମସ୍ତ ୨୩୦ ଟି ଆସନରେ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଠାରେ ବିଜେପି ୧୪୨ ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୮୫ ଟି ଆସନରେ ଆଗୁଆ ଥିବାବେଳେ ଅନ୍ୟମାନେ ୩ ଟି ଆସନରେ ଆଗୁଆ ଥିବା ଜଣାପଡିଛି।

ରାଜସ୍ଥାନର ସମସ୍ତ ୧୯୯ ଟି ଆସନରେ ଟ୍ରେଣ୍ଡ ଦେଖାଦେଇଛି। ଏଠାରେ ବିଜେପି ୧୧୭ ଟି ଆସନରେ ଏବଂ କଂଗ୍ରେସ ୬୬ ଟି ଆସନରେ ଆଗୁଆ ରହିଛି। ଏଥିସହିତ ଅନ୍ୟମାନେ ୧୬ ଟି ଆସନରେ ଆଗୁଆ ଥିବା ଜଣାପଡିଛି।

ତେଲାଙ୍ଗାନାରେ ୧୧୯ ଟି ଆସନ ପାଇଁ ଟ୍ରେଣ୍ଡ ଦେଖାଦେଇଛି। ଏଠାରେ କଂଗ୍ରେସ ୬୬ ଟି ଆସନରେ ଆଗୁଆ ରହିଛି। ଶାସକ ବିଆରଏସ ୪୫ ଟି ଆସନରେ ଆଗୁଆ ଥିବା ବେଳେ ଅନ୍ୟ ଦଳ ୫ ଟି ସିଟରେ ଅଗ୍ରଣୀ ହାସଲ କରିଛି। ଏଥିସହ ବିଜେପି ୩ ଟି ଆସନରେ ଆଗୁଆ ରହିଛି।