Categories
ବିଶେଷ ଖବର

ରାହୁଲ ଗାନ୍ଧୀଙ୍କ ସମର୍ଥନରେ ପଦଯାତ୍ରା କଲେ ବିରୋଧୀ ଦଳର ସାଂସଦ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ବିରୋଧୀ ଦଳର ସାଂସଦମାନେ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଏକ ବିରୋଧ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲେ। ସାଂସଦମାନେ ବିଜୟ ଚୌକ୍ ନିକଟରୁ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। ତେବେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଆଗକୁ ଯିବାକୁ ଦେଇ ନଥିଲେ। ରାଷ୍ଟ୍ରପତି ଭବନରେ ପହଞ୍ଚିବା ପୂର୍ବରୁ ସାଂସଦଙ୍କ ପଦଯାତ୍ରା ବନ୍ଦ କରିବାକୁ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ନିୟୋଜିତ ହୋଇଥିଲେ।

ବିରୋଧୀ ଦଳର ସାଂସଦମାନେ “ଗଣତନ୍ତ୍ର ବିପଦରେ” ସ୍ଲୋଗାନ ଦେଇ ନିଜର ପଦଯାତ୍ରା ଆରମ୍ଭ କରିଥିଲେ। ବିଜୟ ଚୌକ୍ ନିକଟରେ ପୋଲିସ ତାଙ୍କୁ ହେପାଜତକୁ ନେଇଥିଲା। ସାଂସଦମାନଙ୍କୁ ଗିରଫ କରିବା ପରେ ପୋଲିସ ଏକ ବିବୃତ୍ତି ମଧ୍ୟ ଦେଇଛି। ଯେଉଁଥିରେ କୁହାଯାଇଛି ଯେ, ସାଂସଦମାନେ ରାଷ୍ଟ୍ରାପତି ଭବନ ଅଭିମୁଖେ ଯାତ୍ରା କରିବାକୁ ଅନୁମତି ପାଇ ନାହାଁନ୍ତି।

ପ୍ରକାଶ ଯେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟତା ହରାଇଛନ୍ତି। ‘ମୋଦୀ ଉପନାମ’ ମାମଲାରେ ମନ୍ତବ୍ୟ ଦେଇ ସୁରଟ କୋର୍ଟ ତାଙ୍କୁ ଦୁଇ ବର୍ଷ ଦଣ୍ଡିତ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଧାରା ୧୦୨ (୧) (ଇ) ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି। ରାହୁଲ ଗାନ୍ଧୀଙ୍କ ସଦସ୍ୟତା ମାର୍ଚ୍ଚ ୨୩ ତାରିଖ ସୁରଟ କୋର୍ଟର ନିଷ୍ପତ୍ତି ଦିନଠାରୁ ଚାଲିଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ମୋଦୀ ଉପନାମ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁରୁବାର ଦିନ ସୁରଟ କୋର୍ଟ ଦ୍ଵାରା ବର୍ଷ ଦଣ୍ଡିତ କରାଯାଇଛି। ତେବେ କୋର୍ଟ ତାଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ ୩୦ ଦିନ ସମୟ ଦେବା ସହିତ ତାଙ୍କ ଦଣ୍ଡ ସ୍ଥଗିତ ରଖାଯାଇଥିଲା।

ବାସ୍ତବରେ, ଲୋକ ପ୍ରତିନିଧୀ ଅଧିନିୟମ ୧୯୫୧ ର ଧାରା ୮ (୩) ଅନୁଯାୟୀ, ସଂସଦର ଜଣେ ସଦସ୍ୟ ଯେକୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହେବା ସହ ସର୍ବନିମ୍ନ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବା ପରେ ସଂସଦର ସଦସ୍ୟତା ପାଇଁ ଅଯୋଗ୍ୟ ହୋଇଥାନ୍ତି।