Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡ୍‌ରେ ସେପ୍ଟେମ୍ବର ସେସନ ପାଇଁ ନାମଲେଖା

ଭୁବନେଶ୍ୱର: ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ ଫଳରେ ଉଭୟ ଶିଳ୍ପ ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ସାରା ବିଶ୍ୱରେ ଆଜି ବ୍ୟାପକ ପରିବର୍ତ୍ତନ ଆସିଛି। ତେଣୁ ବର୍ତ୍ତମାନର ଚାହିଦା ଅନୁଯାୟୀ ଯୁବପିଢ଼ିଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ଜରୁରୀ ହୋଇପଡ଼ିଛି। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଭୁବନେଶ୍ୱରରେ ଥିବା ୱାର୍ଲ୍ଡ ସ୍କିଲ୍ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ର ଆଣିଛନ୍ତି ବିଭିନ୍ନ ଅତ୍ୟାଧୁନିକ ବିଷୟରେ ବର୍ଷିକିଆ ଆଡଭାନ୍ସଡ୍ ଡିପ୍ଲୋମା ତାଲିମ ପାଠ୍ୟକ୍ରମ।

ଏହି କେନ୍ଦ୍ରରେ ସେପ୍ଟେମ୍ବର ସେସନ ପାଇଁ ଅନଲାଇନ ମାଧ୍ୟମରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଜାରି ରହିଛି। ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଚଳିତ ମାସ ୧୫ ହେଉଛି ଆବେଦନ ଗ୍ରହଣର ଶେଷ ତାରିଖ। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଅନଲାଇନ ମାଧ୍ୟମରେ ଏକ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା କରାଯାଇ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପାଇଁ ଚୟନ କରାଯିବ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ୍ ଅଫ୍ ସର୍ଭିସେସ୍ ଦୁଇଟି ବିଭାଗ ରହିଛି। ଏଠାରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ପ୍ରାର୍ଥୀମାନଙ୍କୁ ତାଲିମ ଦିଆଯାଉଛି। ଏଠାରେ ଦିଆଯାଉଥିବା ବିଭିନ୍ନ ତାଲିମ ପାଠ୍ୟକ୍ରମର ସୁଯୋଗ ନେଇ ଓଡ଼ିଶାର ଯୁବପିଢ଼ି ନିଜର ଭବିଷ୍ୟତ ଗଠନ ଲାଗି ଆଗେଇ ଆସିବାକୁ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି।

ଏହି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ଲାଗି ହଷ୍ଟେଲ ସୁବିଧା, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ସୁବିଧା ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଛି।

ବିଶ୍ୱ ଦକ୍ଷତା କେନ୍ଦ୍ରର ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ମେକାନିକାଲ ଆଣ୍ଡ୍ ଇଲେକ୍ଟ୍ରିକାଲ ସର୍ଭିସେସ, ଏୟାର କଣ୍ଡିସନିଂ ଆଣ୍ଡ୍ ରେଫ୍ରିଜରେସନ ଏବଂ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ଭଳି ୫ଟି ଆଧୁନିକ ବିଷୟ ବା ଟ୍ରେଡ୍ ରହିଛି। ରାଜ୍ୟର ଯେ କୌଣସି ସରକାରୀ ବା ଘରୋଇ ଶିଳ୍ପ ତାଲିମ ଅନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ ବା ୩ ବର୍ଷିଆ ଡିପ୍ଲୋମା ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏଠାରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ।

ସେହିପରି ସ୍କୁଲ ଅଫ୍ ସର୍ଭିସେସ ବିଭାଗ ଅଧୀନରେ “ହେୟାର ଫ୍ୟାସନ ଆଣ୍ଡ ଡିଜାଇନ୍‌” ଏବଂ “ବ୍ୟୁଟି ୱେଲେନେସ୍ ଆଣ୍ଡ ସ୍ପା” ଭଳି ୨ଟି ଆକର୍ଷଣୀୟ ପାଠ୍ୟକ୍ରମ ରହିଛି। ଏହି ତାଲିମ କାର୍ଯ୍ୟକ୍ରମ ପାଇଁ ଶିକ୍ଷାଗତ ଯୋଗ୍ୟତା ରହିଛି ଯୁକ୍ତ ୨ କିମ୍ବା ଯେ କୌଣସି ବିଷୟରେ ଡିପ୍ଲୋମା।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଓ ବିଶ୍ୱସ୍ତରୀୟ ବିଭିନ୍ନ ଯନ୍ତ୍ରପାତି ଓ ତାଲିମ ଉପକରଣ ରହିଛି। ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ପରିଚିତ ସିଙ୍ଗାପୁରର ଆଇଟିଇଇଏସ୍ ସଂସ୍ଥାର ସହଯୋଗକ୍ରମେ ବିଶ୍ୱ ଦକ୍ଷତା କେନ୍ଦ୍ରର ପାଠ୍ୟକ୍ରମ ଓ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି। ଫଳରେ ଏଠାରୁ ଦକ୍ଷ ତଥା ବିଶ୍ୱସ୍ତରୀୟ ଯୁବ ମାନବ ସମ୍ବଳ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି।

ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପ ଦୁନିଆ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ ଏଠାରେ ବିଷୟଭିତ୍ତିକ ବୈଷୟିକ ତାଲିମ ଏବଂ ହ୍ୟାଣ୍ଡସ୍ ଅନ ପ୍ରାକ୍ଟିସ୍ ଛଡ଼ା ପ୍ରୋଜେକ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି। ସେହିପରି ସେମାନଙ୍କ ଦକ୍ଷତାକୁ ବ୍ୟାପକ କରିବା ପାଇଁ “ଜୀବନ କୌଶଳ” କାର୍ଯ୍ୟକ୍ରମ ଅଧୀନରେ ସେମାନଙ୍କୁ ଯୋଗାଯୋଗ ଦକ୍ଷତା, କମ୍ପ୍ୟୁଟର ଓ ଡିଜିଟାଲ ପ୍ରୟୋଗ, ବ୍ୟକ୍ତିତ୍ୱ ବିକାଶ ଏବଂ ଉଦ୍ୟୋଗ ବିକାଶ ଭଳି ବିଷୟରେ ପ୍ରସ୍ତୁତ କରାଯାଉଛି।

ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ବିଦେଶରେ ଯାଇ ବିଶେଷ ଅନୁଭୂତି ହାସଲ କରିବା ପାଇଁ ସୁଯୋଗ ଦିଆଯାଉଛି। ଏହି ପାଠ୍ୟକ୍ରମ ଅଧୀନରେ କେନ୍ଦ୍ରର ୪୦ ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ୧୫ ଦିନ ଲାଗି “ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ” କାର୍ଯ୍ୟକ୍ରମରେ ସିଙ୍ଗାପୁର ପଠାଯାଉଛି। ସେହିପରି ପ୍ରତି ବର୍ଷ ୨୪ ଜଣଙ୍କୁ ବାଛି ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ପେଡ୍‌-ଇଣ୍ଟର୍ଣ୍ଣସିପ୍ କରିବାର ସୁଯୋଗ ଦିଆଯାଉଛି।

ରାଜ୍ୟର ବିଭିନ୍ନ ଶିଳ୍ପ ତାଲିମ ଅନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଆସି ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମ ଲେଖାଉଛନ୍ତି। ଫିନିସିଂ ସ୍କୁଲ ଢାଞ୍ଚାରେ ପରିଚାଳିତ ଏହି ଅନ୍ତର୍ଜାତୀୟ ସ୍ତରର ଦକ୍ଷତା ବିକାଶ କେନ୍ଦ୍ରରେ ସେମାନଙ୍କ ଦକ୍ଷତାକୁ ଅଧିକ ଶାଣିତ ଓ ଶିଳ୍ପ-ଉପଯୋଗୀ କରାଯାଉଛି । ଏହା ସହିତ କେନ୍ଦ୍ରରୁ ଉତ୍ତୀର୍ଣ୍ଣ ହେଉଥିବା ପ୍ରାର୍ଥୀମାନେ କିପରି ଦେଶ ବିଦେଶରେ ବିଭିନ୍ନ ପ୍ରମୁଖ ସଂସ୍ଥାରେ ନିଯୁକ୍ତି ପାଇପାରିବେ ସେଥିପାଇଁ ସେମାନଙ୍କ “ପ୍ଲେସମେଣ୍ଟ” ଉପରେ ମଧ୍ୟ ଗୁରୁତ୍ୱ ଦେଉଛି ବିଶ୍ୱ ଦକ୍ଷତା କେନ୍ଦ୍ର।

ରାଜ୍ୟ ସରକାରଙ୍କ “ସ୍କିଲ୍ଡ ଇନ ଓଡ଼ିଶା” କାର୍ଯ୍ୟକ୍ରମ ତଥା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳଠାରେ ସ୍ଥାପନ କରାଯାଇଛି ଏହି ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର।

ନାମଲେଖା ପ୍ରକ୍ରିୟା ସମ୍ପର୍କରେ ଅଧିକ ଜାଣିବା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ୧୮୦୦ ୨୬୬ ୬୦୦୨ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ। ତା’ଛଡ଼ା ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟ www.worldskillcenter.org ମାଧ୍ୟମରେ ସିଧାସଳଖ ନାମଲେଖା ପାଇଁ ଆବେଦନ କରିପାରିବେ ବୋଲି ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସିଙ୍ଗାପୁରରୁ ୬ ମାସିଆ ‘ପେଡ୍‌-ଇଣ୍ଟର୍ଣ୍ଣସିପ୍‌’ କରି ଓଡ଼ିଶା ଫେରିଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ

ଭୁବନେଶ୍ୱର: ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ସଫଳତାର ସହ ୬ ମାସିଆ ‘ପେଡ୍‌ ଇଣ୍ଟର୍ଣ୍ଣସିପ୍‌’ ଶେଷକରି ଓଡ଼ିଶା ଫେରିଛନ୍ତି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ। ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସ୍ୱାଗତ କରାଯାଇଥିଲା।

ଏହି ଛାତ୍ରଛାତ୍ରୀମାନେ ମଙ୍ଗଳବାର ଦିନ ସିଙ୍ଗାପୁର-ଭୁବନେଶ୍ୱର ସିଧାସଳଖ ବିମାନ ଯୋଗେ ଆସି ପହଞ୍ଚିଥିଲେ। ସେମାନଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରାଯିବା ସହ ସ୍ୱତନ୍ତ୍ର ବସ୍‌ରେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ପାରମ୍ପରିକ ଢାଞ୍ଚାରେ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା।

ଶିଳ୍ପ ତାଲିମ କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱ ଦକ୍ଷତା କେନ୍ଦ୍ର ବା ୱାର୍ଲ୍ଡ ସ୍କିଲ ସେଣ୍ଟରର ପ୍ରଥମ ବ୍ୟାଚର ଏହି ମେଧାବୀ ଛାତ୍ରଛାତ୍ରୀମାନେ ୬ ମାସ ବିଦେଶରେ ରହି ନିଜ ଜନ୍ମ ମାଟିକୁ ଫେରିଛନ୍ତି। ତେଣୁ ସେମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଳକା ମିଶ୍ର ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେଠାରେ ଛାତ୍ରଛାତ୍ରୀମାନେ ସିଙ୍ଗାପୁର ଇଣ୍ଟର୍ଣ୍ଣସିପ୍‌ ସମୟର ଅନୁଭୂତି ଓ ସେଠିକାର ପରିବେଶ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ କାମ କରି ଶିଖିବାର ଏଭଳି ସୁଯୋଗ ମିଳିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ନେଉଥିବା ବର୍ତ୍ତମାନର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ସେମାନେ ସିନିୟରମାନଙ୍କଠାରୁ ସିଙ୍ଗାପୁର ଇଣ୍ଟର୍ଣ୍ଣସିପ୍‌ ସମୟର ଅନୁଭୂତି ଶୁଣି ପ୍ରେରଣା ପାଇଥିଲେ।

‘‘ସିଙ୍ଗାପୁର ଯାଇ ସେଠାରେ ଏକ ବଡ଼ କମ୍ପାନିରେ ମୁଁ ଇଣ୍ଟର୍ଣ୍ଣସିପ୍‌ କରିବି ବୋଲି କେବେ ଭାବି ନଥିଲି। ୱାର୍ଲ୍ଡ ସ୍କିଲ ସେଣ୍ଟର ମତେ ଏହି ସୁଯୋଗ ଦେଇଛି। ତେଣୁ ଏଭଳି ଏକ ଅନୁଷ୍ଠାନରେ ତାଲିମ ନେଇ ମୁଁ ଗର୍ବିତ। ସେଠାରେ ଇଣ୍ଟର୍ଣ୍ଣସିପ୍‌ ବେଳେ ଯାହା ମୁଁ ଶିଖିପାରିଛି ତାହା ମୋ’ ଭବିଷ୍ୟତର କ୍ୟାରିୟରକୁ ଏକ  ନୂଆ ରାସ୍ତା ଦେଖାଇବାରେ ସାହାଯ୍ୟ କରିବ’’, କହନ୍ତି ମାନସ କୁମାର ଦାସ।

‘‘ସ୍କୁଲରେ ପାଠ ପଢ଼ିବା ବେଳୁ ମୁଁ ପ୍ରୋଜେକ୍ଟ ଇଞ୍ଜିନିୟର ହେବା ଲାଗି ସ୍ୱପ୍ନ ଦେଖିଥିଲି। ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ମୋର ଏହି ସ୍ୱପ୍ନକୁ ପୂରଣ କରିଛି। ବିଶେଷକରି ଇଞ୍ଜିନିୟରିଂ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସାରୋ ପୃଥିବୀରେ ପରଚିତ ସିଙ୍ଗପୁର ଭଳି ଏକ ବଡ଼ ସହରରେ ଇଣ୍ଟର୍ଣ୍ଣସିପ୍‌ କରିବା ଫଳରେ ମୋ’ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଅରଜି ପୃଥିବୀରେ ଯେକୌଣସି ସ୍ଥାନରେ ଯାଇ କାମ କରିବାକୁ ସାହସ କରିପାରିବି’’, କହନ୍ତି ଭାଗ୍ୟଶ୍ରୀ ରାଉତ।

ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ, ନିର୍ଦ୍ଦେଶକ (ପ୍ରଶାସନ) କେରୱିନ ହିଙ୍ଗ ପ୍ରମୁଖ ଯୋଗ ଦେଇଥିଲେ।

‘ସ୍କିଲ୍‌ଡ ଇନ୍‌ ଓଡ଼ିଶା’ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯାଇଛି। ଏଠାରେ ଅନ୍ତର୍ଜାତୀୟ ମାନର ବିଭିନ୍ନ ଅତ୍ୟାଧୁନିକ ଦକ୍ଷତା ବିକାଶ ପାଠ୍ୟକ୍ରମ ରହିଛି।

ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶା ସରକାରଙ୍କ ବୁଝାମଣା ଅନୁଯାୟୀ ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଅଧୀନରେ ୱାର୍ଲ୍ଡ ସ୍କିଲ ସେଣ୍ଟରର ୪୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରତି ବର୍ଷ ଦୁଇ ସପ୍ତାହ ଲାଗି ସିଙ୍ଗାପୁର ପଠାଯାଉଛି। ସେହିପରି ପ୍ରତି ବର୍ଷ କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀଙ୍କୁ ବାଛି ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ୬ ମାସିଆ ‘ପେଡ୍‌-ଇଣ୍ଟର୍ଣ୍ଣସିପ୍‌’ର ସୁଯୋଗ ଦିଆଯାଉଛି।

 

 

 

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଅପ୍ରେଲ ୨୦ ତାରିଖରୁ କଳିଙ୍ଗ ଷ୍ଟାଡିୟମ ହେବ ଜାତୀୟ ‘ସ୍କିଲ୍ଡ ଇନ୍‌ ଓଡିଶା କନକ୍ଲେଭ’

ଭୁବନେଶ୍ବର: ପ୍ରଥମ ଥର ପାଇଁ ‘ସ୍କିଲ୍ଡ ଇନ୍‌ ଓଡିଶା କନକ୍ଲେଭ-୨୦୨୩’ ଆୟୋଜନ ହେବ। ସେଥିପାଇଁ ଚାଲିଛି ଏକ ବଡ ପ୍ରସ୍ତୁତି। ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ରାଜ୍ୟର ସମସ୍ତ ପ୍ରମୁଖ ସଚିବ ଏବଂ ସଚିବମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।  ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଶ୍ରୀମତୀ ଅଳକା ମିଶ୍ର ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ବିଶ୍ୱ ଦକ୍ଷତା କେନ୍ଦ୍ରର ଉଦ୍ଦେଶ୍ୟ ଏବଂ ପରିକଳ୍ପନା ସଂପର୍କରେ ଅତିଥିମାନଙ୍କୁ ଅବଗତ କରାଇଥିଲେ ।

ପରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ପିପିଟି ମାଧ୍ୟମରେ ଆସନ୍ତା ଅପ୍ରେଲ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବାକୁ ଥିବା ସ୍କିଲ୍ଡ ଇନ୍‌ ଓଡିଶା କନକ୍ଲେଭ ଉପରେ ଏକ ପ୍ରାକ୍‌-ଉପସ୍ଥାପନା ପ୍ରଦାନ କରିଥିଲେ। ଏହା ପରେ ସେ ସମସ୍ତ ବିଭାଗର ପ୍ରମୁଖ ସଚିବ / ସଚିବମାନଙ୍କୁ ଜାତୀୟସ୍ତରର ଅନନ୍ୟ ଏହି ସ୍କିଲ୍‌ କନକ୍ଲେଭ୍‌ର ଅଂଶବିଶେଷ ହେବା ପାଇଁ ଅନୁରୋଧ କରିଥିଲେ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଶ୍ରୀ ସୁବ୍ରତୋ ବାଗ୍‌ଚି ସ୍କିଲ୍ଡ ଇନ୍‌ ଓଡିଶାର ମିଶନ୍‌, ଭିଜନ୍‌ ଏବଂ ଉଦ୍ଦେଶ୍ୟ ଉପରେ ନିଜର ବକ୍ତବ୍ୟ ରଖି ସ୍କିଲ ଇକୋସିଷ୍ଟମର ପ୍ରତ୍ୟେକଟି ମୁଖ୍ୟ ଦିଗ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ସ୍ତରରେ ଛାତ୍ରମାନଙ୍କ ପାଇଁ କ୍ୟାରିୟର ପରାମର୍ଶ, ସରକାରୀ ତଥା ପଲିଟେକ୍ନିକରେ ଶିକ୍ଷାର ଗୁଣବତ୍ତା ପରିବର୍ତ୍ତନ, ବିଶ୍ୱସ୍ତରରେ ଉତ୍କର୍ଷ ହାସଲ କରିଥିବା ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରମାନଙ୍କ ସଫଳତାର କାହାଣୀ ଉପରେ ଆଲୋକପାତ କରି ସେମାନଙ୍କୁ ରୋଲ୍‌ ମଡେଲ୍‌ ରୂପେ ପ୍ରସ୍ତୁତ କରିବା, କୃଷି କ୍ଷେତ୍ରରେ ଦକ୍ଷତା ବିକାଶ (ୱାର୍ଲ୍ଡ ଏଗ୍ରି-ଟେକ୍‌ ସେଣ୍ଟର), ମିଶନ୍‌ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଦକ୍ଷ କରିବା ଏବଂ ସେମାନଙ୍କୁ ଉଦ୍ୟୋଗୀ ଦକ୍ଷତାରେ ସଶକ୍ତ କରିବା, ଓଡିଶା ସ୍କିଲ କନ୍‌କ୍ଲେଭ୍‌କୁ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ଗଢ଼ିତୋଳିବାକୁୁ ଶ୍ରୀ ବାଗ୍‌ଚୀ ଆହ୍ୱାନ ଦେଇଥିଲେ।

ରାଜ୍ୟର ୬ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ସରକାରଙ୍କ ଉଦ୍ଦେଶ୍ୟ। ସେମାନଙ୍କୁ ବିଶ୍ୱସ୍ତରୀୟ ଦକ୍ଷତା ପ୍ରଦାନ କରି ପ୍ରତିଯୋଗିତାରେ ଭାଗନେବା ପାଇଁ ସକ୍ଷମ କରିବା, ସମସ୍ତ କ୍ଷେତ୍ର ଏବଂ ସ୍ରୋତ ମଧ୍ୟରେ ସ୍ୱଳ୍ପମିଆଦି ପାଠ୍ୟକ୍ରମର ପ୍ରଚଳନ, ଉଚ୍ଚମାନର ନିଯୁକ୍ତିଦାତାଙ୍କ ସହ ସହଯୋଗ କରିବା ଏବଂ ପାରମ୍ପରିକ ଦକ୍ଷତାକୁ ଅତିକ୍ରମ କରିବା ଆଦି କାର୍ଯ୍ୟକ୍ରମଗୁଡ଼ିକୁ ସଫଳ କରିବା ଦିଗରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଦୃଢ଼ ଆଶାବାଦୀ।

ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଏହି ବୈଠକରେ ଅଧ୍ୟକ୍ଷତା କରିବା ସହ କହିଲେ ଯେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ସମ୍ବଳର ଅଭାବ ନାହିଁ। ସ୍କିଲ୍‌ ଇନ୍‌ ଓଡ଼ିଶା ମିଶନକୁ ଦେଶର ଅନ୍ୟତମ ଶ୍ରେଷ୍ଠ ମିଶନ ଭାବେ ବିକଶିତ କରିବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଉଦ୍ୟମ ବେଶ୍‌ ପ୍ରଶଂସନୀୟ। ଏକ ବିଶାଳ ଓଡିଶା ସ୍କିଲ୍ଡ କନ୍‌କ୍ଲେଭ ଇଭେଣ୍ଟ ଆୟୋଜନରେ ସମସ୍ତ ବିଭାଗକୁ ସହଯୋଗ କରିବା ପାଇଁ ଶ୍ରୀ ଜେନା ଅନୁରୋଧ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତାମିଲନାଡ଼ୁ ଯୁବକଲ୍ୟାଣ ଓ କ୍ରୀଡ଼ା ଉନ୍ନୟନ ମନ୍ତ୍ରୀଙ୍କ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ

ଭୁବନେଶ୍ୱର: ଆଜି ଅପରାହ୍ନରେ ତାମିଲନାଡ଼ୁ ସରକାରଙ୍କ ଯୁବକଲ୍ୟାଣ ଓ କ୍ରୀଡ଼ା ଉନ୍ନୟନ ମନ୍ତ୍ରୀ ଥିରୁ ଉଦୟନିଧି ଷ୍ଟାଲିନ୍‌ଙ୍କ ସମେତ ତାମିଲନାଡ଼ୁ ସରକାରଙ୍କ ବରିଷ୍ଠ ପଦାଧିକାରୀବୃନ୍ଦ ଓଡ଼ିଶା ଗସ୍ତରେ ଆସି ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦକ୍ଷତା ତାଲିମ ପ୍ରତି ଥିବା ଦୂରଦୃଷ୍ଟିକୁ ତାମିଲନାଡ଼ୁର ମନ୍ତ୍ରୀ ଶ୍ରୀ ଷ୍ଟାଲିନ୍‌ ଉଚ୍ଚ ପ୍ରଶଂସା କରିଛନ୍ତି । ପ୍ରକାଶ ଥାଉ କି ଗତ ୧୩ ତାରିଖରୁ ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରୁ ଉତ୍ତୀର୍ଣ୍ଣ ୨୪ ଜଣ ପ୍ରଶିକ୍ଷାର୍ଥୀ ସିଙ୍ଗାପୁରକୁ ତାଲିମ ପାଇଁ ଯାଇଛନ୍ତି । ସିଙ୍ଗାପୁର ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେଠାରେ ବିଶ୍ୱସ୍ତରୀୟ ସରଞ୍ଜାମ ଓ ଜ୍ଞାନକୌଶଳର ତାଲିମ ପ୍ରଦାନ କରାଯାଉଛି ।

ପ୍ରାରମ୍ଭରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ବିଶ୍ୱ ଦକ୍ଷତା କେନ୍ଦ୍ରରେ ତାଲିମ ପ୍ରଦାନ ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ବୈଷୟିକ ତାଲିମ ପଦକ୍ଷେପ ସଂପର୍କରେ ମନ୍ତ୍ରୀ ଶ୍ରୀ ଷ୍ଟାଲିନ୍‌ଙ୍କୁ ଅବଗତ କରାଇଥିଲେ ।

ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ଦକ୍ଷତା ବିକାଶ କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଅଳକା ମିଶ୍ର, କେନ୍ଦ୍ରର ଅଧ୍ୟକ୍ଷ ସଂଗ୍ରରଣ ଗୋପାଳଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

ମନ୍ତ୍ରୀ ଶ୍ରୀ ଷ୍ଟାଲିନ୍‌ଙ୍କ ସହିତ ତାମିଲନାଡ଼ୁର ବରିଷ୍ଠ ପଦାଧିକାରୀବୃନ୍ଦ ଏୟାର କଣ୍ଡିସନିଙ୍ଗ୍‌ ଏବଂ ରେଫି୍ରଜେରେସନ୍‌ ଲାବ୍‌ ଏବଂ ରୋବୋଟିକ୍‌ ଲାବ୍‌ର ବିଭିନ୍ନ ମେସିନ୍‌ ବୁଲି ଦେଖିଥିଲେ ।