Categories
ଆଜିର ଖବର ଜାତୀୟ ଖବର

କୁନୋ ଜାତୀୟ ଉଦ୍ୟାନରେ ଚିତା ଛାଡିବାକୁ ନେଇ ବିବାଦ, ବିଷ୍ନୋଇ ସମାଜର ବିରୋଧ ପ୍ରଦର୍ଶନ

ଫତେହାବାଦ (ହରିୟାଣା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମଦିନରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଆସିଥିବା ଚିତାକୁ ଛାଡିବା ନେଇ ବିବାଦ ଦେଖାଦେଇଛି। ପଶୁମାନଙ୍କ ସୁରକ୍ଷା ପାଇଁ ସର୍ବଦା ଆଗରେ ରହିଥିବା ବିଷ୍ନୋଇ ସମାଜ ଏହି ଚିତାଙ୍କ ଖାଦ୍ୟ ପାଇଁ କୁନୋ ଜାତୀୟ ଉଦ୍ୟାନରେ ହରିଣଙ୍କୁ ଛଡାଯାଇଛି ବୋଲି ଆପତ୍ତି କରିଛନ୍ତି। ଏହି ପଦକ୍ଷେପ ବିରୋଧରେ ବିଷ୍ନୋଇ ସମାଜରେ କ୍ରୋଧ ରହିଛି। ଏହି ପ୍ରସଙ୍ଗରେ ବିଷ୍ନୋଇ ସମାଜର ଲୋକମାନେ ହରିୟାଣାର ଫତେହାବାଦସ୍ଥିତ ଜିଲ୍ଲାପାଳ ଅଫିସ ବାହାରେ ଏକ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି।

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବିଆରୁ ଆଣିଥିବା ୮ ଟି ଚିତାଙ୍କ ଭୋକ ମେଣ୍ଟାଇବା ପାଇଁ ରାଜସ୍ଥାନ ଜଙ୍ଗଲରୁ ଶୋପୁରକୁ ୧୮୧ ଟି ହରିଣ ପଠାଯାଇଛି ବୋଲି ଅସନ୍ତୋଷ ପ୍ରକାଶ କରି ଅଲ ଇଣ୍ଡିଆ ବିଷ୍ନୋଇ ମହାସଭାର ସଭାପତି ଦେବେନ୍ଦ୍ର ବୁଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି।

ଦେବେନ୍ଦ୍ର ବୁଡିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠିରେ ଲେଖିଛନ୍ତି ଯେ, ବିଲୁପ୍ତ ପ୍ରଜାତିର ପୁନରୁଦ୍ଧାର ପାଇଁ ଭାରତ ସରକାର ନାମିବିଆରୁ ୮ ଟି ଚିତା ଆଣିଛନ୍ତି, କିନ୍ତୁ ସେମାନଙ୍କର ଖାଦ୍ୟ ମୁଖ୍ୟତଃ ହରିଣ, ମୃଗ ଇତ୍ୟାଦି ଅଟନ୍ତି। ସେହି ଜଙ୍ଗଲରେ ହରିଣ ଇତ୍ୟାଦିଙ୍କୁ ଛାଡିଥିବାରୁ ବିଷ୍ନୋଇ ସମାଜକୁ ଗଭୀର ଆଘାତ ଲାଗିଛି।

ଉଲ୍ଲେଖ ଯୋଗ୍ୟ ଯେ, ୭୦ ବର୍ଷ ପରେ ଦେଶକୁ ଚିତା ଫେରି ଆସିଛି। ଏହାପୂର୍ବରୁ ୧୯୫୨ ମସିହାରେ ଦେଶରୁ ଚିତା ପ୍ରଜାତିର ବିଲୁପ୍ତ ହେବାର ଖବର ନିଶ୍ଚିତ ହୋଇଥିଲା।