Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କୁ ସାକ୍ଷାତ କଲେ ଭିସୁଟ୍‌ର କୁଳପତି

ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରାଧ୍ୟାପକ ବଂଶୀଧର ମାଝୀ ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କୁ ସାକ୍ଷାତ କରି ନିକଟରେ ବିଶ୍ୱବିଦ୍ୟାଳୟ ପାଇଁ ସରକାର ନେଇଥିବା ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ଉପକ୍ରମରେ ଶ୍ରୀ ତ୍ରିପାଠୀଙ୍କ ସହଯୋଗର ଭୂୟସୀ ପ୍ରଶଂସା କରିଥିଲେ ।

ପୂର୍ବତନ ଛାତ୍ର ଭାବେ ଶ୍ରୀ ବ୍ରହ୍ମାନନ୍ଦ ମିଶ୍ର ଓ ଶ୍ରୀ ବିମଳ କୁମାର ମିଶ୍ର କୁଳପତିଙ୍କ ସହ ଏହି ସାକ୍ଷାତବେଳେ ଉପସ୍ଥିତ ଥିଲେ । ବିଶ୍ୱବିଦ୍ୟାଳୟକୁ ୫-‘ଟି’ ଉପକ୍ରମ ମଧ୍ୟରେ ସାମିଲ କରିଥିବାରୁ ସେମାନେ ୫-‘ଟି’ ସଚିବ ଶ୍ରୀ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ଦଶହରା ଛୁଟି ପରେ ଏକ ଛାତ୍ର ପ୍ରତିନିଧି ମଣ୍ଡଳୀ ସହ ପୁରାତନ ବିଦ୍ୟାର୍ଥୀ ସ୍ୱତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇବେ ବୋଲି କୁଳପତି ପ୍ରାଧ୍ୟାପକ ମାଝୀ କହିଥିଲେ ।

ଆଗାମୀ ୫ ବର୍ଷ ମଧ୍ୟରେ ତିନୋଟି ପର୍ଯ୍ୟାୟରେ ୨ ହଜାର କୋଟି ଅର୍ଥ ବ୍ୟୟ କରି ଏହାକୁ ଏକ ପୂର୍ଣ୍ଣାଙ୍ଗ ଗବେଷଣା ବିଶ୍ୱବିଦ୍ୟାଳୟ ଭାବେ ଗଢ଼ିତୋଳିବା ପାଇଁ ମାଷ୍ଟର ପ୍ଲାନ୍‌ କରାଯାଇଛି, ଯାହାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ସେହିପରି ୨୦୩୦ ସୁଦ୍ଧା ଭିଏସ୍‌ଏସ୍‌ୟୁଟିକୁ ବହୁ ବିଭାଗୀୟ ଇଂଜିନିୟରିଂ ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ ଭାବେ ବିକଶିତ କରାଯିବ । ଏଥି ସହ ବିଶ୍ୱବିଦ୍ୟାଳୟ ଅଧୀନରେ ୧୪ରୁ ଅଧିକ ବିଭାଗ ଖୋଲାଯିବା ସହ ୨୭ରୁ ଊଦ୍ଧ୍ୱର୍ ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ ।

ଏହି ବିଶ୍ୱବିଦ୍ୟାଳୟକୁ ଯୁଗୋପଯୋଗୀ କରାଯାଇ ଅଧିକ ବ୍ୟବହାରିକ ବିଷୟରେ ପାଠ ପଢ଼ିବାର ବ୍ୟବସ୍ଥା କରାଯିବା ପାଇଁ ଯୋଜନା କରାଯାଇଛି । ଆଗାମୀ ୨୦୨୬ ସୁଦ୍ଧା ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ପଢ଼ିପାରିବେ ବୋଲି କୁଳପତି ଶ୍ରୀ ମାଝୀ ଏହି ସାକ୍ଷାତ ସମୟରେ ପ୍ରକାଶ କରିଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବୁର୍ଲା ଭିସୁଟ ବିକାଶ ପାଇଁ ଏକ ହଜ଼ାର କୋଟି ଟଙ୍କାର ବ୍ୟୟ ଅଟକଳ, ମାଷ୍ଟର ପ୍ଲାନ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T)  ଶ୍ରୀ ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଆଜି ସମ୍ବଲପୁର ଗସ୍ତରେ ଯାଇ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଭିସୁଟ, ମା’ ସମଲେଶ୍ୱରୀ ମନ୍ଦିର ଓ ଅନ୍ୟାନ୍ୟ ରୂପାନ୍ତର କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ।

ଭିସୁଟ ରାଜ୍ୟର ଏକ ଅଗ୍ରଣୀ ଇଂଜିନିୟରିଂ କଲେ ଭାବେ ସାରା ଦେଶରେ ସୁଖ୍ୟାତି ରହିଛି।  ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T)  ଶ୍ରୀ ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଭିସୁଟ ଯାଇ ବିଶ୍ୱବିଦ୍ୟାଳୟର ଏକାଡେମୀ ବ୍ଲକରେ  ରେ ଥିବା ଶ୍ରେଣୀ ଗୃହ ଓ ପରୀକ୍ଷାଗାର, ବିଶ୍ୱେଶ୍ୱରାୟା ପ୍ରେକ୍ଷାଳୟ, ପୁଲହ ଓ ବଶିଷ୍ଠ ହଲ ପରିଦର୍ଶନ କରିଥିଲେ। ଏହି ଦଳ ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ସେମାନଙ୍କର ବିଭିନ୍ନ ସମସ୍ୟା, ମିଳୁଥିବା ସୁବିଧା ତଥା ଭବିଷ୍ୟତ ବିକାଶ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।

ଦେଶରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ବୁର୍ଲା ଭିସୁଟର ଗୁରୁତ୍ୱକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ କ୍ରମେ ଏହାକୁ ଇଂଜିନିୟରିଂ ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ ଓ ଏଥିପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ ଏବଂ ଆଗାମୀ ୧୫ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।  ଛାତ୍ର, ଶିକ୍ଷକ, ଶିଳ୍ପ ଜଗତ, ପୁରାତନ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ପ୍ରଶାସନ ସହିତ ବ୍ୟାପକ ଆଲୋଚନା କରାଯାଇ ଏହି ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ। ଏହା ଯେପରି ଦେଶର ଶ୍ରେଷ୍ଠ ଅନୁଷ୍ଠାନ ହେବ ସେହିପରି ଏହି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିଷ୍ପତି କରାଯାଇଛି।

ଏହି ପରିଦର୍ଶନ ଅବସରରେ ଛାତ୍ରଛାତ୍ରୀମାନେ ମଧ୍ୟ ସେମାନେ କରିଥିବା ପ୍ରକଳ୍ପ ସବୁ ଉପସ୍ଥାପନା କରିଥିଲେ। ୫ଟି ସଚିବ ଶ୍ରୀ ପାଣ୍ଡିଆନ ଏଗୁଡିକୁ ଉଚ୍ଚ ପ୍ରଶଂସା କରିବା ସହିତ ଶିଳ୍ପ ଭିତକି ପ୍ରକଳ୍ପ ଉପରେ ଗୁରୁତ୍ୱ ଦେଇଥିଲେ। ପରେ ସେମାନେ ବଇଜାମୁଣ୍ଡାଠାରେ ଚାଲିଥିବା ସମନ୍ୱିତ ଭିତ୍ତିଭୂମି ପ୍ରକଳ୍ପ ପ୍ରଦର୍ଶନ କରି ସେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ଭିକାରୀ ଥଇଥାନ କେନ୍ଦ୍ରର ଅନ୍ତେବାସୀମାନଙ୍କ ସହିତ ଆଲୋଚନା କରିଥିଲେ।

ଏହି ସମନ୍ୱିତ ପ୍ରକଳ୍ପର ଅଗ୍ରଗତିରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ସନ୍ତୋଷ ପ୍ରକାଶ କରିବା ସହିତ ସମସ୍ତ ସେବା ଯେପରି ସୁବିଧାରେ ମିଳିପାରିବ ସେଥିପାଇଁ ସମୟବଦ୍ଧ କାର୍ଯ୍ୟସୂଚୀ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ମହିଳା ଲୁଇସ ବାଳିକା ବିଦ୍ୟାଳୟ  ପରିଦର୍ଶନ କରି ଶିକ୍ଷକ, ଛାତ୍ରୀ ଏବଂ ଆଲମ୍ୟୁନିଙ୍କ ସହିତ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ହଷ୍ଟେଲରେ କରୋନା ବାହାରିବା ପରେ ଭିଏସଏସ ବିଶ୍ବବିଦ୍ୟାଳୟ ବନ୍ଦ, ପାଖଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା

ସମ୍ବଲପୁର, ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳକୁ ଅନିର୍ଦ୍ଧିଷ୍ଠ ସମୟ ପାଇଁ ବନ୍ଦ ଘୋଷଣା କରାଯାଇଛି। ବିଶ୍ବବିଦ୍ୟାଳୟ ହଷ୍ଟେଲରେ 25 ଜଣ କରୋନା ଆକ୍ରାନ୍ତ ବାହାରିବା ପରେ ଏହି ପଦକ୍ଷେପ ନିଆଯାଇଛି। ସେତିକି ନୁହେଁ ଏହାର ପାଖ ଅଞ୍ଚଳକୁ ମଧ୍ୟ ସ୍ଥାନୀୟ ପ୍ରଶାସନ କଣ୍ଟେନେମଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି। ଗୋଟିଏ ସ୍ଥାନରୁ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ବାହାରିବା ନେଇ ପ୍ରଶାସନର ମୁଣ୍ଡ ବିନ୍ଧା ହୋଇଛି। ସେହି ଅଞ୍ଚଳରେ ସମସ୍ତଙ୍କର କରୋନା ପରୀକ୍ଷା କରିବା ପାଇଁ ମଧ୍ୟ ନିଷ୍ପତି କରାଯାଇଛି।