Categories
ଆଜିର ଖବର ରାଜ୍ୟ ଖବର

ବାଣପୁର: ଏକ ମାସ ପୂର୍ବେ ଶାଳିଆ ନଦୀରେ ଭାସିଯାଇ ନିଖୋଜ ଥିବା ବୃଦ୍ଧଙ୍କ ଗଳିତ ଶବ ଠାବ

ସୀତାରାମ ଅଗ୍ରୱାଲ

ବାଣପୁର: ଗତ ଏକମାସ ତଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ଗ୍ରାମ ନିକଟସ୍ଥ ଶାଳିଆ ନଦୀରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୋରଡ଼ାପଲି ଗ୍ରାମର ବାଉରିଆ ଶବର (୫୫) ଭାସି ନିଖୋଜ ହୋଇଯାଇଥିଲେ। ଏହାପରେ ଦୀର୍ଘ ୪ ଦିନ ଧରି ଅଗ୍ନିଶମ ବାହିନୀ ବାଉରିଆଙ୍କୁ ଖୋଜି ଶେଷରେ ନିରାଶ ହୋଇଥିବାବେଳେ ବାଉରିଆଙ୍କ ପତ୍ତା ମିଳିନଥିଲା।

ସେବେଠାରୁ ତାଙ୍କ ପରିବାର ବର୍ଗ ଦୁଃଖିତ ଥିବାବେଳେ ଶୁକ୍ରବାର ସକାଳେ ମୃତ ବାଉରିଆଙ୍କ ଗଳିତ ଶବ ନିପାଣିଆ ଓ ସାହାଡ଼ାଡିହ ଗ୍ରାମ ମଝିରେ ଯାଇଥିବା ଶାଳିଆ ନଦୀର ଏକ ଗଛରେ ଲାଗି ରହିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ। ଏ ନେଇ ସଙ୍ଗେସଙ୍ଗେ ଗ୍ରାମବାସୀ ମୃତ ବାଉରିଆଙ୍କ ପୁତ୍ର ବିପ୍ର ଶବରଙ୍କୁ ସୂଚନା ଦେବାରୁ ବିପ୍ର ଉକ୍ତ ସ୍ଥାନକୁ ଯାଇ ନିଜ ପିତାଙ୍କ ଶବକୁ ଚି଼ହ୍ନଟ କରିବା ସହ ସଂନ୍ଧ୍ୟାରେ ବାଣପୁର ଥାନାରେ ଏକ ଏତଲା ଦେଇଛନ୍ତି। ତେବେ ଆଜି ପୋଲିସ ଉକ୍ତ ସ୍ଥାନକୁ ଯାଇ ଘଟଣାର ଯାଞ୍ଚ କରିବ ବୋଲି ଆଇଆଇସି ରଶ୍ମିରଞ୍ଜନ ସାହୁ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଗତ ସେପ୍ଟେମ୍ବର ୨୮ ତାରିଖ ଅପରାହ୍ନରେ ବାଉରିଆ ଦାମିଆ ବରବରା ପଞ୍ଚାୟତ ଅନ୍ତର୍ଗତ କୋଷରଡ଼ା ସ୍ଥିତ ନିଜ ସମ୍ପର୍କୀୟଙ୍କ ଘରୁ କାମ ସାରି ନିଜ ଗ୍ରାମ ସୋରଡ଼ାପଲି ଯିବାପାଇଁ ଉଦ୍ୟତ ହେଉଥିବାବେଳେ ନଦୀରେ ପହଁରି ଆର ପାର୍ଶ୍ଵକୁ ଯିବା ସମୟରେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ।