Categories
ବିଶେଷ ଖବର ରାଜ୍ୟ ଖବର

ବେଦବ୍ୟାସ ପିଠର ହେବ ନବୀକରଣ, ୫ଟି ସଚିବ ଭି କେ ପାଣ୍ଡିଆନ କଲେ ପରିଦର୍ଶନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଏବଂ ୫ଟି ସଚିବ ଭି କେ ପାଣ୍ଡିଆନ୍ ଆଜି ରାଉରକେଲା ନିକଟସ୍ଥ ବେଦବ୍ୟାସ ପୀଠ ପରିଦର୍ଶନ କରିଥିଲେ। ୫ଟି ଉପକ୍ରମରେ ପୀଠର ବିକାଶ ସମ୍ପର୍କରେ ଟ୍ରଷ୍ଟ ବୋର୍ଡ ର ସଭ୍ୟ, ସେବାୟତ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ଶ୍ରୀ ପାଣ୍ଡିଆନ୍ ଆଲୋଚନା କରିଥିଲେ।

ପନ୍ଦର ଦିନ ମଧ୍ୟରେ ଏ ସମ୍ପର୍କରେ ଏକ ବିସ୍ତ୍ରୁତ ଯୋଜନା ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ପାଣ୍ଡିଆନ୍ କହିଥିଲେ।
ଏହି ଆଲୋଚନାରେ ମୁଖ୍ୟତଃ ସ୍ଵର୍ଗଦ୍ଵାରର ବିକାଶ, ନଦୀ ସମୁଖ ଭାଗର ଉନ୍ନତିକରଣ, ଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ଭିତ୍ତିଭୂମି ସୁବିଧା ର ବିକାଶ, ଯାତ୍ରୀ ନିବାସ ନିର୍ମାଣ ଏବଂ ଆଲୋକ ଓ ଶଦ୍ଦ ବ୍ୟବସ୍ଥା ଉପରେ ଆଲୋକପାତ କରାଯାଇଥିଲା।

ବେଦବ୍ୟାସ ଓଡ଼ିଶାର ଏକ ପ୍ରମୁଖ ତୀର୍ଥ ସ୍ଥାନ। ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଯାତ୍ରୀ ଏ ପୀଠ କୁ ଆସିଥାନ୍ତି। ତେଣୁ ଏ ପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ନିଷ୍ଠାର ସହ ଉଦ୍ୟମ ଜାରି ରଖିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ ପ୍ରକାଶ କରିଥିଲେ। ଏ ପୀଠର ରୂପାନ୍ତର କରି ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସରକାରଙ୍କ ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ।

ଏହି ପରିଦର୍ଶନ ସମୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ଗଭାଲି ରାଉରକେଲା ମ୍ୟୁନିସିପାଲ କମିଶନର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।