Categories
ଆଜିର ଖବର ରାଜ୍ୟ ଖବର

ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ, ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହା ଫଳରେ ଗଞ୍ଜାମ ଜିଲ୍ଲାରେ ସରକାରୀ ଆଇଟିଆଇ ସଂଖ୍ୟା ୬ରେ ପହଞ୍ଚିଲା।

ପୂର୍ବରୁ ଛତ୍ରପୁର, ପୁରୁଷୋତ୍ତମପୁର, ବ୍ରହ୍ମପୁର, ଶେରଗଡ ଓ ହିଞ୍ଜିଳିକାଟୁରେ ଗୋଟିଏ ଲେଖାଏ ସରକାରୀ ଆଇଟିଆଇ କାର୍ଯ୍ୟ କରୁଛି। ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ଦ୍ବାରା ସେ ଅଞ୍ଚଳର ଜନସାଧାରଣ ବହୁ ଦିନର ଦାବୀ ପୂରଣ ହୋଇପାରିଛି।

Categories
ଆଜିର ଖବର ଜାତୀୟ ଖବର

ବ୍ରହ୍ମପୁର ଓ ନନ୍ଦେଡ ମଧ୍ୟରେ ଚାଲିବ ଏକ ସ୍ୱତନ୍ତ୍ର ଟ୍ରେନ, ଜାଣନ୍ତୁ ଏହାର ସମୟ

ଭୁବନେଶ୍ବର: ଟ୍ରେନ ଯାତ୍ରୀ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଅନ୍ୟ ନିୟମିତ ଟ୍ରେନରେ ଯାତ୍ରୀଙ୍କ ଅତିରିକ୍ତ ଭିଡକୁ ଏଡ଼ାଇବା ପାଇଁ ବ୍ରହ୍ମପୁର ଏବଂ ନନ୍ଦେଡ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି।

୦୭୪୩୧ ନନ୍ଦେଡ-ବ୍ରହ୍ମପୁର ସ୍ପେଶାଲ ଏକ୍ସପ୍ରେସ ମଇ ମାସ ୭ ରୁ ୨୮ ତାରିଖ ମଧ୍ୟରେ ନନ୍ଦେଡରୁ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ ୩ଘ.୨୫ମି.ରେ ଛାଡି ବ୍ରହ୍ମପୁର ଠାରେ ତା’ପରଦିନ ଅପରାହ୍ନ ୨ଘ.୩୦ମି.ରେ ପହଞ୍ଚିବ।

ଫେରିବା ମାର୍ଗରେ, ୦୭୪୩୨ ବ୍ରହ୍ମପୁର-ନନ୍ଦେଡ୍ ସ୍ପେଶାଲ୍ ଟ୍ରେନ ମଇ ମାସ ୮ ରୁ ୨୯ ତାରିଖ ମଧ୍ୟରେ ବ୍ରହ୍ମପୁରରୁ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୪ଘ.୩୦ମି.ରେ ଛାଡି ତା’ପରଦିନ ଅପରାହ୍ନ ୩ଘ.୪୫ମି.ରେ ନନ୍ଦେଡରେ ପହଞ୍ଚିବ।

ଏହି ଟ୍ରେନ୍ ରେ ଗୋଟିଏ ଏସି ପ୍ରଥମ ଶ୍ରେଣୀ, ଦୁଇଟି ଏସି-୨ ଟାୟାର୍, ଛଅଟି ଏସି -୩ ଟାୟାର୍, ଚାରିଟି ସ୍ଲିପର୍ କ୍ଲାସ୍, ତିନିଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ଗାର୍ଡ ତଥା ଜେନେରେଟର କାର୍ ଏବଂ ଗୋଟିଏ ଗାର୍ଡ ତଥା ଦିବ୍ୟାଙ୍ଗଜନ କୋଚ ଉପଲବ୍ଧ ଥିବାବେଳେ ବ୍ରହ୍ମପୁର ଓ ନନ୍ଦେଡ୍ ମଧ୍ୟରେ ଏହା ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

Categories
ଆଜିର ଖବର ରାଜ୍ୟ ଖବର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ: ୫ଟି ସ୍ଥାନରେ ଚଢାଉ ଜାରି

ଭୁବନେଶ୍ବର: ବ୍ରହ୍ମପୁର ରୁରାଲ ୱାର୍କ୍ସ ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି। ଜଣେ ଡିଏସପିଙ୍କ ନେତୃତ୍ଵରେ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଛାନଭିନ୍ କରାଯାଉଛି।

ଚଢାଉ ବେଳେ ଭିଜିଲାନ୍ସ ବିଭାଗକୁ ଜଗନ୍ନାଥ ଏବଂ ତାଙ୍କ ପୁଅ ଆସହଯୋଗ କରିଥିବା ସୂଚନା ରହିଛି। କିନ୍ତୁ ଘର କବାଟ ଭାଙ୍ଗି ଭିଜିଲାନ୍ସ ବିଭାଗ ଛାନଭିନ୍ କରିଥିବା ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଜଗନ୍ନାଥ ସେଠିଙ୍କ ଘରୁ ପ୍ରାୟ ୧୬ ଲକ୍ଷ ୭୦ ହଜାର ଟଙ୍କା ମିଳିଥିବା ସୂଚନା ରହିଛି।

Categories
ବିଶେଷ ଖବର

୩ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି, ଜାଣନ୍ତୁ ଭୁବନେଶ୍ଵରରୁ ଲଢିବେ କିଏ

ଭୁବନେଶ୍ଵର: ଆଜି ବିଜୁ ଜନତା ଦଳ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି। ୩ ମହାନଗର ଯଥା ଭୁବନେଶ୍ଵର, କଟକ ଏବଂ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। ଭୁବନେଶ୍ଵର ମହାନଗର ପାଇଁ ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ କରାଯାଇଥିବା ବେଳେ କଟକ ମହାନଗର ପାଇଁ ସାଂସଦ ସୁବାସ ସିଂହ ଏବଂ ବ୍ରହ୍ମପୁର ମହାନଗର ପାଇଁ ସଙ୍ଘମିତ୍ରା ଦଳାଇଙ୍କୁ ମେୟର ପ୍ରାର୍ଥୀ କରାଯାଇଛି।

ତେବେ ଏହା ପୂର୍ବରୁ ଭୁବନେଶ୍ଵର ମହାନଗର ପାଇଁ କଂଗ୍ରେସ ପକ୍ଷରୁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। ମଧୁସ୍ମିତା ଆଚାର୍ଯ୍ୟଙ୍କୁ କଂଗ୍ରେସ ପକ୍ଷରୁ ଭୁବନେଶ୍ଵର ମହାନଗରର ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ପକ୍ଷରୁ କୌଣସି ପ୍ରାର୍ଥୀ ଘୋଷଣା କରାଯାଇନାହିଁ।

Categories
ଅପରାଧ ଆଜିର ଖବର

ବ୍ରହ୍ମପୁର: ୪୦ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଛତ୍ରପୁର ଷ୍ଟେସନ ନିକଟରୁ ୪୦ କେଜି ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜେ ଏହି ଚଢାଉରେ ସାମିଲ ଥିଲେ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଗତକାଲି ପ୍ରାୟ ରାତି ୧୦ ଟା ସମୟରେ ଛତ୍ରପୁର ରେଳଷ୍ଟେସନରୁ ପୁରୀ -ତିରୁପତି ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ଏହାପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶରେ ଛତ୍ରପୁର ଷ୍ଟେସନରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ଜଣେ ଯୁବକ ପ୍ରାୟ ୪୦ କେଜିରୁ ଅଧିକ ଗଞ୍ଜେଇ ଚାଲାଣ କରୁଥିଲା। ଯୁବକ ଜଣଙ୍କ ଠାରୁ ଗଞ୍ଜେଇ ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଛି।

ଗିରଫ ହୋଇଥିବା ଯୁବକ ବ୍ରହ୍ମପୁର ସହରର ଶୁଭମ୍ ପଟ୍ଟନାୟକ ବୋଲି ସୂଚନା ରହିଛି। ଚଢାଉ ସମୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ତାଙ୍କ ପିଏସଓ, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଏବଂ ଡ୍ରାଇଭର ଓ ଅବକାରୀ ବିଭାଗର କର୍ମଚାରୀ ମାନେ ସାମିଲ ଥିଲେ। ଜବତ ଗଞ୍ଜେଇ ସୁରଟକୁ ଚାଲାଣ ହେଉଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ଉପଖଣ୍ଡ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର: ଆଜି ଅପରାହ୍ନରେ ଉପଖଣ୍ଡ ସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଉପ-ଜିଲ୍ଲାପାଳ ଭି. କିର୍ତ୍ତୀ ୱାସନଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କରୋନାର ସ୍ଥିତି ଯୋଗୁଁ ଚଳିତ ବର୍ଷର କାର୍ଯ୍ୟକ୍ରମଗୁଡିକୁ ସରକାରଙ୍କ ପ୍ରଚଳିତ ନୀତି ଓ ନିର୍ଦ୍ଦେଶ ପ୍ରକାରେ ପାଳନ କରିବାକୁ ଉପ-ଜିଲ୍ଲାପାଳ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ଚଳିତ ବର୍ଷର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ କୋଭିଡ ନିୟମ ମାନି ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର କରି ଶୃଙ୍ଖଳାଗତ ଭାବେ ପାଳନ କରିବା ପାଇଁ ସ୍ଥିର କରାଗଲା।

ଏହି ସମାରୋହ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ପାଳନ କରାଯିବ।  କେବଳ ପୋଲିସ ବାହିନୀ ପ୍ୟାରେଡ଼ରେ ଅଂଶଗ୍ରହଣ କରିବେ। ଚଳିତ ବର୍ଷ ଅନ୍ୟ କୌଣସି ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ପ୍ୟାରେଡ଼ରେ ଯୋଗଦେବାକୁ ଅନୁମତି ଦିଆଯିବ ନାହିଁ। ଏହା ଛଡ଼ା କୌଣସି ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବନାହିଁ। ଏହି କାର୍ଯ୍ୟକ୍ରମରେ ସାଧାରଣ ଜନତା ଅଂଶଗ୍ରହଣ କରିପାରିବେ ନାହିଁ। ମହାମାରୀ କୋଭିଡ ସମୟରେ ଜନସାଧାରଣଙ୍କୁ ଉତ୍ତୋମ ସେବା ଯୋଗାଇଥିବା କରୋନା ଯୋଦ୍ଧା ଭାବେ ପରିଚିତ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଓ ସଫେଇ କର୍ମଚାରୀଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ।

ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରାତଃ ୪.୩୦ମି. ସମୟରେ ବ୍ରହ୍ମପୁର ସହରରେ ରାମଧୂନ ପରିବେଷଣ କରାଯିବ। ସକାଳ ୭.୦୦ ଘଣ୍ଟା ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାଙ୍କରେ ଜାତୀୟ ପତାକା ଉତ୍ତୋଳନ କରିବେ। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ସକାଳ ୮.୩୦ମି. ସମୟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯିବ ଏବଂ କରୋନା ଯୋଦ୍ଧାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯିବ।

ସେହିପରି ବିଦ୍ୟାଳୟ ସ୍ତରରେ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଅନଲାଇନ ମାଧ୍ୟମରେ ଚିତ୍ରାଙ୍କନ, ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହେବ ଓ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ।  ସହରର ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କୁ ଇ-ନିମନ୍ତ୍ରଣ ଦ୍ୱାରା ଆମନ୍ତ୍ରିତ କରାଯିବ।  ଅତିଥି ମାନଙ୍କ ପ୍ରବେଶ ପଥରେ ସାନିଟାଇଜର ରଖାଯିବ ବୋଲି ଉପ-ଜିଲ୍ଲାପାଳ କହିଥିଲେ।

ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ ଆର୍.ଆଇ. ଅଫ୍ ପୋଲିସ ଦିଲୀପ କୁମାର ବେହେରା, ସିଟି ହେଲଥ ଅଫିସର ଡ଼ା.ମାନସ ରଞ୍ଜନ ପଣ୍ଡା, ଡ଼ଃ.ଯତୀନ ବିଷଇ,ଏନ.ସି.ସି ଅଫିସର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ପ୍ରଦୀପ କୁମାର ପଟନାୟକ, ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଏହି ପ୍ରସ୍ତୁତି ବୈଠକ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଲୋକନାଥ ଶତପଥୀ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୩ ମହାନଗର ନିଗମର ମେୟର ପଦବୀ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ସହିତ ରାଜ୍ୟରେ ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସେଥିପାଇଁ ରାଜ୍ୟରେ ମହାନଗର ନିଗମର ମେୟର ପଦବୀ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ କଟକ ମହାନଗର ନିଗମର ମେୟର ପଦବୀକୁ ଅଣସଂରକ୍ଷିତ ଓ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ତେବେ ଆଜି ଏନେଇ ଗେଜେଟ୍ ବିଜ୍ଞପ୍ତି ଜାରି ହେବା ସହ ଏହା ଉପରେ ଆପତ୍ତି-ଅଭିଯୋଗ ଥିଲେ ୧୫ଦିନ ମଧ୍ୟରେ ପୌର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

କାଠରେ ଶ୍ରୀମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ବ୍ରହ୍ମପୁର ବାଳକ ଦିଲ୍ଲୀପ ମହାରଣା, ଯେ ଦେଖୁଛି ହେଉଛି ଆଶ୍ଚର୍ଯ୍ୟ

ବ୍ରହ୍ମପୁର, ବର୍ତ୍ତମାନ କରୋନା ପରିସ୍ଥିତିରେ କେହି ଶ୍ରୀମନ୍ଦିର ଯିବା ସମ୍ଭବ ହୋଇପାରୁ ନାହିଁ। ହେଲେ ଘରେ ବସି କିମ୍ବା ପାଖ ମନ୍ଦିରକୁ ଯାଇ ଭକ୍ତମାନେ ନିଜର ଅଭିଳାଷାକୁ ପରିପୂରଣ କରୁଛନ୍ତି। ତେବେ ଏସବୁଥିରୁ ଯେଉଁମାନେ ବଞ୍ଚିତ ସେମାନେ ଘରେ ବସି ଧ୍ୟାନ କରୁଛନ୍ତି। ଏସବୁ ଘଡିଷନ୍ଧି ମୂହୁର୍ତ୍ତରେ ଘରେ ବସି ଅନେକ ଲୋକ ନିଜନିଜ ମାଧ୍ୟମରେ ଭକ୍ତି ଅର୍ଘ ଦେଉଛନ୍ତି।

ସେମିତି ଜଣେ ବାଳକ ହେଉଛନ୍ତି ବ୍ରହ୍ମପୁର ସହରର ସାନ ରେଡ୍ଡିକା ସାହିର ଦିଲୀପ ମହାରଣା। ଯାହାର ବୟସ ୧୮ ବର୍ଷ। ପିତା ଭଗବାନ ମହାରଣା ଏବଂ ମାତା ଝୁନୁ ମହାରଣା ସେ ବର୍ତ୍ତମାନ ଖଲ୍ଲିକୋଟ କଲେଜରେ ଯୁକ୍ତତିନି ବାଣିଜ୍ୟର ପ୍ରଥମ ବର୍ଷର ଛାତ୍ର। ଦିଲୀପ ଚଳିତ ରଥଯାତ୍ରା ଅବସରରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ଏକ କାଠରେ ତିଆରି ୪ ଇଞ୍ଚି ମୂଳ ପୀଠ ସହ ୫.୬ ଇଞ୍ଚର, ଏକ ଜଗନ୍ନାଥଙ୍କର ଶ୍ରୀମନ୍ଦିର ନିର୍ମାଣ କରିଛନ୍ତି।

ଏହି ମନ୍ଦିରଟିକୁ ଯେ କେହି ଦେଖିଛୁ ସେ ଆଶ୍ଚର୍ଯ୍ୟ ହେଉଛି। କାରଣ ଦୂରରୁ ଯେ କେହି ଦେଖିବ ଅବିକଳ  ଶ୍ରୀମନ୍ଦିରର ଭ୍ରମ ସୃଷ୍ଟି କରୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ମନ୍ଦିର ଭିତରେ ଛୋଟଛୋଟ ମନ୍ଦିର ମଧ୍ୟ ସେ କାଠରେ ନିର୍ମାଣ କରିଛନ୍ତି। ଶ୍ରୀ ମନ୍ଦିରର ଭିତରେ ମେଘନାଦ ପାଚେରୀ ମୁଖ୍ୟ ମନ୍ଦିର ଜଗମୋହନ ଭୋଗ ମଣ୍ଡପ ତା ସହ ନୀଳଚକ୍ର ଏବଂ ପତିତ ପାବନ ବାନା।

ମନ୍ଦିର ବେଢା ଭିତରେ ଭିତର ବେଢା ଛୋଟ ବଡ଼ ୧୦ ରୁ ଅଧିକ ମନ୍ଦିର ଚାରି ଦ୍ୱାର ସିଂହ ଅଶ୍ୱ ବ୍ୟାଘ୍ର ଏବଂ ହସ୍ତୀ ଦ୍ୱାର ତା ସହ ଅରୁଣ ସ୍ତମ୍ବ ଏବଂ ଏକ ଇଞ୍ଚର ପତିତ ପାବନ ବିଗ୍ରହ ବି ଖୋଦିତ ହେଇଚି। ଏହି ମନ୍ଦିର ତିଆରି କରିବା ପାଇଁ ଦିଲୀପକୁ ପ୍ରାୟ ଏକ ମାସରୁ ଉର୍ଦ୍ଧ ସମୟ ଲାଗିଥିଲା।

ଆଗରୁ ସେ ଏକ ଇଞ୍ଚର ଦୁର୍ଗାଙ୍କର ମୂର୍ତ୍ତି ରାମ ମନ୍ଦିର କରି ଇଣ୍ଡିଆ ଏବଂ ଏସିଆ ବୁକ ଅଫ ରେକର୍ଡ୍ସରେ ନିଜକୁ ଗ୍ରାଣ୍ଡ ମାଷ୍ଟର ଭାବରେ ସ୍ଥାନୀୟ କରିଛନ୍ତି। ଆଜି ଶ୍ରୀମନ୍ଦିର ତିଆରି ପଛରେ ତାଙ୍କୁ ତାଙ୍କ ମାମୁଁ ବାସ୍ତୁବିତ ସାନ୍ୟାସୀ ମହାରଣା ପ୍ରେରଣା ଦେଇଥିବା ସହ ତାଙ୍କ ବାପା ଭଗବାନ ମହାରଣା ଏବଂ ଭାଇ ମନୋଜ ମହରାଣ ସହଯୋଗ କରିଥିଲେ।

କରୋନା ମହାମାରୀ ଭିତରେ ଲୋକ ମାନେ ମହାପ୍ରଭୁଙ୍କୁ ଦେଖିବା ପାଇଁ ସୁଯୋଗ ନ ପାଉଥିବା ବେଳେ। ତାଙ୍କ ହାତରେ ତିଆରି ଏହି କୀର୍ତିରାଜିକୁ ସେ ଆମ ରାଜ୍ୟ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବ୍ରହ୍ମପୁର ସ୍ଥିତ ଏମକେସିଜିରେ ଅକ୍ସିଜେନ ପ୍ଳାଣ୍ଟକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ବ୍ରହ୍ମପୁର: ଆଜି ବ୍ରହ୍ମପୁର ସ୍ଥିତ ଏମକେସିଜିରେ ଅକ୍ସିଜେନ ପ୍ଳାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅକ୍ସିଜେନ ପ୍ଳାଣ୍ଟକୁ ଲୋକାର୍ପଣ କରିଛନ୍ତି। ମୋଟ ୨ କୋଟି ଟଙ୍କାରେ ଏହି ପ୍ଳାଣ୍ଟ ନିର୍ମାଣ ହୋଇଛି। ଏଥିରୁ ୨୦ ହଜାର ଲିଟର ଅମ୍ଳଜାନ ଉତ୍ପାଦନ ହେବ। ଏହାଦ୍ବାରା ଦକ୍ଷିଣ ଓଡିଶା ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଫଟୋ ଖବର

କୋଭିଡ କଟକଣା ଭିତରେ ଶେଷ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା

କୋଭିଡ କଟକଣା ଭିତରେ ଶେଷ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ପାଇଁ ନୂଆ ନିୟମ ଜାରି କଲେ ଜିଲ୍ଲାପାଳ: ଏହି ସବୁ ଦିନରେ ଲାଗିବ କଟକଣା

ବ୍ରହ୍ମପୁର: କୋରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ନୂଆ କଟକଣା ଜାରି କରାଯାଇଛି। ନୂଆ କଟକଣା ଅନୁଯାୟୀ, ଗୋପାଳପୁର ଓ ସୋନପୁର ବେଳାଭୂମି ଶନିବାର ଓ ରବିବାର ଦିନ ବନ୍ଦ ରହିବ। ସେହିପରି ପ୍ରତି ସୋମବାର ଦିନ ରାମଲିଙ୍ଗମ ପାର୍କ ଓ ତାମ୍ପରା ହ୍ରଦ ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତି ବୁଧବାର ବନ୍ଦ ରହିବ। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଟ୍ବିଟ କରି ସୂଚନା ଦେଇଛନ୍ତି। ତେବେ ଜନସାଧାରଣଙ୍କୁ ସହଯୋଗ କରିବାପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଥାନା ପାଖରେ ଥିବା ଦୋକାନରୁ ଲୁଟ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ଥାନାଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଦୋକାନକୁ ଲୁଟେରା କରିଛନ୍ତି ଟାର୍ଗେଟ୍। ରାତ୍ରି ସମୟରେ ସଟର ଭାଙ୍ଗି ଲୁଟି ନେଇଛନ୍ତି ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ। କୋର୍ଟପେଟା ଛକ ରୋହିଣୀ ଡ଼ାଇଗ୍ନୋଷ୍ଟିକ୍ ଓ ଆର୍ଯ୍ୟଭଟ୍ଟ ଶିକ୍ଷାନୁଷ୍ଠାନ ପାଖରେ ଥିବା ଦୋକାନରୁ ଗତକାଲି ରାତିରେ କିଛି ଦୁବୃର୍ତ୍ତ ସଟର ତାଲା ଭାଙ୍ଗି ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଏତେ ଉଚ୍ଚ ସୁରକ୍ଷା ସଂପନ୍ନ ଅଂଚଳରେ ମଧ୍ୟ ଚୋରମାନେ ନିର୍ଭୟରେ କିଭଳି ଏହି ଦୋକାନର ସଟର ଭାଙ୍ଗି ଲୁଟ୍ କଲେ ତାହା ଆଶ୍ଚର୍ଯ୍ୟ ଲାଗୁଛି। ଯଦି ପୋଲିସର ନାକନିଶ ତଳେ ଏଭଳି ଲୁଟ୍ ହେବ ତେବେ ସାହି ସାହି ମଧ୍ୟର ଅବସ୍ଥା କ’ଣ ହେବ ଲୋକେ ଭୟଭୀତ ହେଉଛନ୍ତି।

ସୂଚନାଯୋଗ୍ୟ ଏହି ଦୋକାନକୁ ଲାଗି ରାଜାରାଣୀ କମ୍ପେ୍ଲକ୍ସ ଓ ଆଇସିଆଇସିଆଇ ବ୍ୟାଙ୍କ ରହିଛି। ଏହି ଦୁଇ ଅନୁଷ୍ଠାନରେ ରାତ୍ରୀକାଳୀନ ସିକ୍ୟୁରିଟି ଗାର୍ଡ଼ ମଧ୍ୟ ଜଗି ରହୁଛନ୍ତି। ଏସବୁ ସତ୍ତ୍ୱେ ଚୋରମାନେ ନିର୍ଭୟରେ ତାହା ସାହସିକତାର ପରିଚୟ ଦେଇଛନ୍ତି। ଏହାକୁ ଦେଖିଲେ ପୋଲିସ୍‌ର କାର୍ଯ୍ୟଦକ୍ଷତା ଏବଂ ପେଟ୍ରୋଲିଂ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତକିଛି ଦିନ ହେଲା ଏହି ଥାନା ଅଂଚଳରେ ଚୋରି ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇଥିବା ଯୋଗୁଁ ପୋଲିସ୍‌ର ନିଦ ହଜାଇ ଦେଇଛି। ବୈଦ୍ୟନାଥପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିବାବେଳେ ଦୋକାନ ମଧ୍ୟରୁ ୫ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କବାଟ ଭାଙ୍ଗି ସୁନା ଓ ଟଙ୍କା ଲୁଟ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସଦରଥାନା ଅଂଚଳ ବର୍ତ୍ତମାନ ଅସାମାଜିକ ତତ୍ତ୍ୱଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି। ପ୍ରତିଦିନ ଏଠାରେ କୌଣସି ନାଁ କୌଣସି ଅଘଟଣର ସୂଚନା ମିଳୁଥିବାବେଳେ ଗତ ସପ୍ତାହ ମଧ୍ୟରେ ଏହା ଚରମ ସୀମାରେ ପହଞ୍ଚିଛି।

ସପ୍ତାହ ମଧ୍ୟରେ ଦୁଇଦୁଇଟି ହତ୍ୟା, ଡ଼ାକ୍ତରଙ୍କ ଆକ୍ରମଣ, ଆଇନଶୃଙ୍ଖଳା ଠିକ୍ ନଥିବାରୁ ରାସ୍ତାରୋକ ଆଦି ଘଟଣା ଘଟିବାରେ ଲାଗିଛି। ସଦ୍ୟ ଘଟଣାକ୍ରମେ ଏହି ଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମରୁ ଗତରାତିରେ କବାଟ ଭାଙ୍ଗି ଜନୈକ ବ୍ୟକ୍ତିଙ୍କ ଘରେ ଚୋରମାନେ କଳାକନା ବୁଲାଇ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ମଧ୍ୟରାତ୍ର ସମୟରେ ସଦରଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମର ରଘୁନାଥ ମଠସାହିରେ ରହୁଥିବା ସୀମାଞ୍ଚଳ ସାମଲଙ୍କ ଘରର ପଛପଟ କବାଟ ଭାଙ୍ଗି ପଶିଥିଲେ । ଘର ମଧ୍ୟରେ ଥିବା ତିନି ତିନିଟା ଆଲମିରା ଭାଙ୍ଗି ପ୍ରାୟ ଦୁଇଲକ୍ଷ ଟଙ୍କାର ସୁନା ଅଳଙ୍କାର, ୫୦ହଜାର ନଗଦ ଟଙ୍କା ଏବଂ ରୂପା ସାମଗ୍ରୀ ଚୋରି କରି ନେଇଯାଇଥିଲେ। ପରେ ଏନେଇ ସଦରଥାନାରେ ଅଭିଯୋଗ ହେବା ପରେ ଥାନା କେସ ନଂ ୬୩/୨୧ରେ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

ତେବେ ଗତକାଲି ଘରର ମୂରବି ସୀମାଞ୍ଚଳ ଘରେ ନଥିବା ବେଳେ ଘରେ କେବଳ ତାଙ୍କର ବୋହୂ ରହୁଥିଲା। ଏହାର ସୁରାକ୍ ପାଇ ଚୋରମାନେ ଘରେ କଳାକନା ବୁଲାଇଥିବା ଆଶଙ୍କା କରାଯାଉଛି। ତେବେ ସଦରଥାନା ଅଂଚଳରେ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ନହେବାରୁ ଦିନକୁ ଦିନ ଏଭଳି ଘଟଣାମାନ ଘଟିବାରେ ଲାଗିଛି।

Categories
ଆଞ୍ଚଳିକ

ଏ.ବି.ଭି.ପି ରାଜ୍ୟ ସହ ସଂଯୋଜକ ହେଲେ ବାଲିକୁଦାର ଭବରଞ୍ଜନ

ରମେଶ ମହାନ୍ତି
ଜଗତସିଂହପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୪୫ତମ ରାଜ୍ୟ ଅଧିବେଶନ ମାର୍ଚ୍ଚ ୬, ୭ ଦୁଇଦିନ ଧରି ବ୍ରହ୍ମପୁରରେ ହୋଇଥିଲା। ଏହି ଅବସରରେ ୨୦୨୧-୨୦୨୨ ର ନୂଆ କାର୍ଯ୍ୟକାରିଣୀ ଘୋଷଣା କରାଯାଇଥିଲା। ରାଜ୍ୟ ସଭାନେତ୍ରୀ ଭାବେ ଅଧ୍ୟାପିକା ଗାର୍ଗୀ ବାନାର୍ଜୀ, ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି, ଭବରଞ୍ଜନ ବେହେରା (ଆକାଶ) ଙ୍କୁ ରାଜ୍ୟ ସହ ସଂଯୋଜକ ଭାବେ ରାଜ୍ୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ପାଇଁ ନିର୍ବାଚିତ ହୋଇଛନ୍ତି।

ଭବରଞ୍ଜନଙ୍କ ଘର ବାଲିକୁଦା ବ୍ଲକ ରାହଣ ପଞ୍ଚାୟତରେ। ସେ ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ରେ ରାଜନୀତି ବିଭାଗ ସମ୍ନାନରେ ପଢିଲା ବେଳେ ବିଦ୍ୟାର୍ଥୀ ପରିଷଦ ପାଇଁ କାର୍ଯ୍ୟ କରି ଆସୁଥିଲେ। ସେ ୨୦୧୮ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପାର୍ଥି ଭାବେ ନିର୍ବାଚନ ଲଢ଼ିଥିଲେ। ବର୍ତ୍ତମାନ ସେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଲୋକପ୍ରଶାସନରେ ସ୍ନାତକ କରୁଛନ୍ତି।

ବର୍ତ୍ତମାନ ସେ ବାଣୀବିହାରର କ୍ୟାମ୍ପସ ୟୁନିଟ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ବିଶ୍ୱର ସର୍ଵବୃହତମ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡିଶାର ରାଜ୍ୟ ସହ ସଂଯୋଜକ ଭାବେ ନିର୍ବାଚିତ କରାଯାଇଥିବାରୁ ଜିଲ୍ଲାର ଛାତ୍ର ଛାତ୍ରୀ ସମେତ ବାଣୀବିହାରର ଛାତ୍ର ଛାତ୍ରୀଙ୍କ ତରଫରୁ ଅନେକ ଶୁଭେଚ୍ଛା ଦିଆଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦିନ ଦ୍ୱିପ୍ରହରରେ ଡ଼ାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସଦରଥାନାରେ ବଢ଼ିଚାଲିଛି ଅରାଜକତା। ଦିନକୁ ଦିନ ଚୋରି ଡ଼କାୟତି ବଢ଼ୁଥିବା ସ୍ଥଳେ ପୋଲିସ୍‌ର ପେଟ୍ରୋଲିଂ ଅଭାବ ଯୋଗୁଁ ଏହିଭଳି ଘଟଣା ଘଟୁଛି ବୋଲି ଅଂଚଳରେ ଥିବା ବୁଦ୍ଧିଜୀବୀ ତଥା ସାଧାରଣରେ ଚର୍ଚ୍ଚା ହେଉଛି। ଆଜି ଏକ ଅଭାବନୀୟ ଘଟଣା ଯାହାକି ଅତି ନିନ୍ଦନୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ।

ସହରର ଜଣେ ଜଣାଶୁଣା ଆୟୁର୍ବେଦ ଡ଼ାକ୍ତର ସାଗର ରଂଜନ ତ୍ରିପାଠୀ ନିଜ ଗାଡ଼ି ସହ ଘରକୁ ଫେରୁଥିବାବେଳେ ରାସ୍ତାରେ ଦୁଇଜଣ ଦୁବୃର୍ତ୍ତଙ୍କ ସହିତ ସାମାନ୍ୟ ବଚସା ହୋଇଥିଲା। ଯାହାକି ଦୁଇଟି ପିଲା ବିନା ହେଲ୍‌ମେଟ୍‌ରେ ଅତି ଦ୍ରୁତଗତିରେ ଗାଡ଼ି ଚଳାଇ ଡ଼ାକ୍ତରଙ୍କ ସମ୍ମୁଖକୁ ଆସିଯାଇଥିଲେ। ଡ଼ାକ୍ତର ଭୟଭୀତ ହୋଇ ଗାଡ଼ି ଅଟକାଇ ସେମାନଙ୍କୁ ଆକଟ କଲେ ଯେ ବିନା ହେଲ୍‌ମେଟ୍‌ରେ ଏତେ ଦ୍ରୁତଗତିରେ ଗାଡ଼ି ଚଳାଇବା ଠିକ୍ ନୁହେଁ। ଏହା ହିଁ ଥିଲା ତାଙ୍କର ଭୁଲ୍।

ଦୁଇ ଯୁବକ ଲୋଚପଡ଼ା ବିଶ୍ୱକର୍ମା ସାହିର ଅରୁଣ ମହାଙ୍କୁଡ଼ ଏବଂ ସହଦେବ ବେହେରା ବୋଲି ଜଣାପଡ଼ିଛି। ଏହି ଦୁଇଜଣ ସାଗରଙ୍କ ଗାଡ଼ିକୁ ପିଛା କରି ଗାଳିଗୁଲଜ କରି ତାଙ୍କ ଘର ପାଖକୁ ଯାଇଥିଲେ। ସେଠାରେ ତାଙ୍କ ଘର କାଳୁଆ ନଗର ସମ୍ମୁଖରେ ଗାଡ଼ିକୁ ଅଟକାଇ ଡ଼ାକ୍ତରଙ୍କ ଉପରେ ଆକ୍ରମଣ କରିଥିଲେ। ଯାହାକି ତାଙ୍କ ସ୍ତ୍ରୀ ଦେଖିବା ମାତ୍ରେ ସଂଗେ ସଂଗେ ଆସି ଛଡ଼ାଇବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଅରୁଣ ଏବଂ ସହଦେବ ବିଭିନ୍ନ ଅଶ୍ଳିଳ ଭାଷାରେ ଉଭୟ ସ୍ୱାମୀ, ସ୍ତ୍ରୀଙ୍କୁ ଗାଳି କରିବା ସହ ଡ଼ାକ୍ତରଙ୍କୁ ମାଡ଼ ମାରିଥିଲେ।

ଏହି ସମୟରେ ଡ଼ାକ୍ତରଙ୍କ ଝିଅ ଦୁଇ ଦୁବୃର୍ତ୍ତଙ୍କ ଫଟୋ ଉତ୍ତୋଳନ କରୁଥିବା ଯୋଗୁଁ ଅତି ସହଜରେ ଚିହ୍ନଟ ହୋଇପାରିଲା। ଉକ୍ତ ଘଟଣାକୁ ନେଇ ଡ଼ାକ୍ତର ସାଗର ତ୍ରିପାଠୀ ଏବଂ ତାଙ୍କ ସ୍ତ୍ରୀ ରତ୍ନମଂଜରୀ ତ୍ରିପାଠୀ ଉଭୟେ ସଦରଥାନା ଅଂଚଳରେ ଥିବା ନିମଖଣ୍ଡି ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଥାନାକୁ ଡ଼କାଇଥିବା ସୂଚନା ମିଳିଛି।

ଏଠାରେ ସୂଚନାଥାଉକି ଗୋଟିଏ ଭଦ୍ର, ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପ୍ରତି ଦିନ ଦ୍ୱିପ୍ରହରରେ ଏହିଭଳି ଯଦି ମରଣାନ୍ତକ ଆକ୍ରମଣକୁ ସହରର ବୁଦ୍ଧିଜୀବୀ ଏବଂ ଅଂଚଳବାସୀ ତୀବ୍ର ନିନ୍ଦା କରିଛନ୍ତି। ଅଭିଯୁକ୍ତଙ୍କୁ କୋଠରରୁ କଠୋର ଦଣ୍ଡ ଦେବା ସହ ଅଂଚଳରେ ପେଟ୍ରୋଲିଂ ଜାରି ରଖିବା ପାଇଁ ପୋଲିସ୍ ପାଖରେ ଅଂଚଳବାସୀ ଦାବି ଜଣାଇଛନ୍ତି।

ଉକ୍ତ ଦୁଇ ଯୁବକ ଦ୍ୱୟ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଏବଂ ଜେଲ୍ ଫେରନ୍ତା। ଡ଼ାକ୍ତର ଜଣକ ନିଜ ପରିବାର ସହ ରହୁଥିବାବେଳେ ସେ ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି। ତେଣୁ ପୋଲିସ୍ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସେ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଇଭେଣ୍ଟ ସଂସ୍ଥା ହାତରେ ବ୍ରହ୍ମପୁର ହର୍ବାଲ ମେଳା: ପ୍ରଶାସନ ଏଠି କଟ୍‌ପୁତ୍‌ଲୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ହର୍ବାଲ ମେଳାର ଭାଗ୍ୟ ଓ ଭବିଷ୍ୟତ ଲେଖିବାରେ ଓଡ଼ିଶା ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦର ତତ୍ପରତା, ଆଗ୍ରହ, ଉତ୍ସାହ ସବୁ କିଛିକୁ ଧୂଳିସାତ୍ କରି ନିଜ ଇଚ୍ଛାରେ ନିଜେ ସବୁକିଛି କାର୍ଯ୍ୟକ୍ରମ ପ୍ରସ୍ତୁତ କରିଚାଲିଛି ଇଭେଣ୍ଟ ସଂସ୍ଥା।

ଏଇ ଇଭେଷ୍ଟ ସଂସ୍ଥା ବ୍ରହ୍ମପୁର ହର୍ବାଲ ମେଳା ଆରମ୍ଭ ଦିନଠାରୁ ଅର୍ଥାତ୍ ୨୦୦୮ ରୁ ୨୦୨୧ ଭିତରେ ସର୍ବାଧିକ ଥର ଆୟୋଜନ କରି ବାହା ବାହା ନେଇ ଉପରସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇ ଆସି ସେଇ ସମାନ ତରିକାରେ ଆୟୋଜକ ଭାବରେ ଭେଟି ଦେଇ ଚାଲୁଛି ଯାହାବି ଅନେକ ପ୍ରଶ୍ନ ବଳୟରେ ରାଜ୍ୟ ଜଂଗଲ ଓ ପରିବେଶ ବଭାଗ ଛନ୍ଦି ହେବା ସ୍ୱାଭାବିକ। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଏଇ ମେଳାର ଅଧ୍ୟକ୍ଷ ଥିବାବେଳେ ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦର ରାଜ୍ୟ କାର୍ଯ୍ୟନିର୍ବାହୀଙ୍କ ଦ୍ୱାରା ସବୁ ବ୍ୟବସ୍ଥା ଭୁବନେଶ୍ୱରରୁ ନିୟନ୍ତ୍ରିତ ହୁଏ।

ଏଣୁ ଇଭେଣ୍ଟ ସଂସ୍ଥା ପାଇଁ ବାଟ ପରିଷ୍କାର ଏବଂ ବ୍ରହ୍ମପୁରରେ ସେ ସବୁବେଳେ ଆୟୋଜନ ହେବାର ସୌଭାଗ୍ୟ ଅର୍ଜନ କରିବା ସ୍ୱାଭାବିକ। ଜଂଗଲ ପରିବେଶ ବିଭାଗର ଅତୀତରୁ ଅଜି ଯାଏ ହର୍ବାଲ ମେଳା ବ୍ରହ୍ମପୁର ସାରା ରାଜ୍ୟରେ ଭଲ ପ୍ରଦର୍ଶନ କରି ଆସିଛି। ଏହି ଅଂଚଳରେ ଆୟୁର୍ବେଦର ଲୋକପ୍ରିୟତା ହିଁ ଏହାର ପ୍ରମାଣ। ତେଣୁ ଜଡ଼ିବୁଟି ଔଷଧ ବିକ୍ରୟ କରି ଆସୁଥିବା ବୈଦ୍ୟମାନେ ଭଲ ପଇସା ରୋଜଗାର କରି ଫେରିଯାଆନ୍ତି ଏବଂ ବ୍ରହ୍ମପୁରବାସୀ ମଧ୍ୟ ପ୍ରତିବର୍ଷ ଏଇ ମେଳାକୁ ବୁଲି ଆସି ଖୁସୀ।

ସବୁ ପଛରେ ଆୟୋଜନର ଭୂମିକା ଥିଲେ ମଧ୍ୟ ତା’ର କେତେକ ଅରୁଚିକର କଥା ମଧ୍ୟ ପଦାକୁ ଆସିଛି। କାରଣ ଦିନେ ଅଭୟକାନ୍ତ ପାଠକ ପରି ଦୁର୍ନୀତିଖୋର ପଦାଧିକାରୀଙ୍କ ଠାରୁ ଆରମ୍ଭ କରି ସୁଧାଂଶୁ ମିଶ୍ର, ଆଶିଷ ବେହେରା ମଧ୍ୟ ହର୍ବାଲ ମେଳାର ଅଧ୍ୟକ୍ଷ ରହି ଏଇ ଇଭେଣ୍ଟ ସଂସ୍ଥା ଦ୍ୱାରା ଉପକୃତ ହୋଇଛନ୍ତି। ଇଭେଣ୍ଟ ସଂସ୍ଥା ରେସପନସକୁ ଉତ୍ସାହିତ କରୁଥିବା ସେଇ ଚରିତ୍ରମାନଙ୍କ ମଧ୍ୟରୁ ଅନେକ ଭିଜିଲାନସ୍‌ର ସ୍କାନରରେ ଏବଂ କାହାର ଚାକିରି ଯାଇଛି ତ କିଏ ଜେଲ୍‌ରେ।

ଆଜି ଯେତେବେଳେ ବ୍ରହ୍ମପୁର ହର୍ବାଲ ମେଳା ମହାମାରୀ ସମୟରେ ସିଟି ହାଇସ୍କୁଲ ପଡ଼ିଆରେ ଆରମ୍ଭ ହୋଇଛି, ଇଭେଣ୍ଟ ସଂସ୍ଥାର କର୍ମକର୍ତ୍ତାଙ୍କ ଆଚରଣ ଏବଂ ବ୍ୟବସ୍ଥା ସବୁ ଔଦ୍ଧତ୍ୟର ପରିପ୍ରକାଶ ଯାହାକି ପୂର୍ବ ପଦାଧିକାରୀଙ୍କ ଦ୍ୱାରା ଏଇ ସଂସ୍ଥା ଭୁବନେଶ୍ୱରରୁ ବଳପାଇ ବଳୀୟାନ୍। କେଉଁ ଆଧାରରେ ବ୍ରହ୍ମପୁର ବନଖଣ୍ଡ ବିଭାଗ ନିଜ ହାତକୁ ଆୟୋଜନ ଦାୟିତ୍ୱ ନ ନେଇ ସବୁବେଳେ ସେଇ ସମାନ ଇଭେଣ୍ଟ ସଂସ୍ଥାକୁ କାର୍ଯ୍ୟ ଦେଉଛି ବୋଲି ପ୍ରଶ୍ନ ପଚାରାଗଲେ କୌଣସି ସଂସ୍ଥା ମିଳୁନାହାନ୍ତି ବୋଲି କହି ସୁବିଧାରେ ଖସି ପଳାଇବା ବାହାନା ନୁହେଁ ତ?

ବ୍ରହ୍ମପୁର ହର୍ବାଲ ମେଳାରେ ଆୟୁର୍ବେଦ ଡ଼ାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟବସ୍ଥା ରହିଛି। ବହୁ ସରକାରୀ ଆୟୁଷ ଡ଼ାକ୍ତର ଆସନ୍ତି ଏଇ ମେଳାକୁ କିନ୍ତୁ ଏମାନଙ୍କ ପ୍ରତି ଉଚିତ ସମ୍ମାନ ଦେବାରେ ଉଭେଣ୍ଟ ସଂସ୍ଥା ନିଜର ନୈତିକ ଦାୟିତ୍ୱ ଭୁଲିଯାଉଛି। ଏମାନଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଏ, କିନ୍ତୁ ପ୍ରମାଣପତ୍ର ମଧ୍ୟ ଇଭେଣ୍ଟ ସଂସ୍ଥା ହିଁ ଧାର୍ଯ୍ୟ କରେ। ଏହାଠାରୁ ବିଡ଼ମ୍ବନା କ’ଣ ବୋଲି କିଛି ଡ଼ାକ୍ତର କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ଆଲୋଚନା ଚକ୍ରକୁ ବ୍ରହ୍ମପୁର ତଥା ଗଂଜାମ ଜିଲ୍ଲାର ବୁଦ୍ଧିଜୀବୀ, ଡ଼ାକ୍ତର, ଶିକ୍ଷାବିତ୍‌, ପରିବେଶବିତ୍ ଆସି ବକ୍ତବ୍ୟ ପ୍ରଦାନ କରନ୍ତି। ଏମାନଙ୍କ ପାଇଁ ଆକର୍ଷଣ ହର୍ବାଲ ମେଳା ବହୁଗୁଣିତ। ଅଥଚ କାର୍ଯ୍ୟକ୍ରମକୁ ସୁନ୍ଦର କରୁଥିବା ବ୍ୟକ୍ତିବିଶେଷଙ୍କ ନାମ ମଧ୍ୟ ନିମନ୍ତ୍ରଣ ପତ୍ରରେ ନଥାଏ। ଏହା ସେମାନଙ୍କ ବ୍ୟକ୍ତିତ୍ୱ ପ୍ରତି ଅସମ୍ମାନ ନୁହେଁକି?

ଗତକାଲି ପ୍ରଥମଥର ପାଇଁ ସହରରେ ଏଭଳି କାର୍ଯ୍ୟକ୍ରମ ସହରବାସୀ ଦେଖିଲେ ଯେଉଁ ମଂଚରେ ୪ ଜଣ ବରିଷ୍ଠ ଆଇଏଏସ୍ ଅଫିସର ବସିଥିଲେ କିନ୍ତୁ ସେମାନଙ୍କୁ ମଧ୍ୟ ଉଚିତ ସମ୍ମାନ ଦେଲା ନାହିଁ ଇଭେଣ୍ଟ ସଂସ୍ଥା। ସାଂସଦ, ବିଧାୟକଙ୍କ ସମେତ ନିମନ୍ତ୍ରିତ ଆଇଏଫ୍‌ଏସ୍‌, ଆଇଏଏସ୍ ଅଫିସରଙ୍କ ବେକରେ ଯେଉଁ ଗାମୁଛା ପକାଇ ଦିଆଗଲା, ଫୁଲତୋଡ଼ାର ଦାମଠାରୁ ମଧ୍ୟ ତାହା କମ୍।

ଏଣୁ ମଂଚରୁ ଫେରିଗଲା ବେଳେ ଜଣେ ଆଇଏଏସ୍ ଅଫିସର ମଧ୍ୟ କ୍ଷୋଭ ପ୍ରକାଶ କରି ଫୁଲତୋଡ଼ା ଓ ଗାମୁଛା ଖଣ୍ଡିକ ଥୋଇ ଦେଇ ଚାଲିଗଲେ। ଏଇ ମେଳାରେ ପ୍ରତିଦିନ ବୁଲି ଆସୁଥିବା ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଦିଗ ପ୍ରତି ଧ୍ୟାନ ଦେଇ କୋଭିଡ଼୍ ଗାଇଡ଼୍‌ଲାଇନ୍‌କୁ ତଥା ଅନୁଶାସନକୁ ମାନିବାକୁ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ କଠୋର ନିର୍ଦ୍ଦେଶ ରହିଛି। ଏପରିକି ପ୍ରଥମଥର ପାଇଁ ସିସି ଟିଭି ନଜରରେ ସବୁ କାର୍ଯ୍ୟକ୍ରମ ଚାଲିଛି। ଯଦି ସାମାନ୍ୟ ତ୍ରୁଟି ରହିବ, ଜିଲ୍ଲା ପ୍ରଶାସନ ମୁଣ୍ଡକୁ ଯିବ। ଏଣୁ ଇଭେଣ୍ଟ ସଂସ୍ଥା ପ୍ରତି ଜିଲ୍ଲା ପ୍ରଶାସନର ତାଗିଦ୍‌କୁ ସହରବାସୀ ସ୍ୱାଗତ କରିଛନ୍ତି।

ସବୁ ଅବ୍ୟବସ୍ଥା ଭିତରେ ବ୍ୟବସ୍ଥାକୁ ସଜାଡ଼ୁଥିବା ଏମିତି କିଛି ଜଣେ ଦୁଇ ଜଣଙ୍କ ପାଇଁ ହିଁ ଏଇ ହର୍ବାଲ ମେଳାର ଆକର୍ଷଣ ରହିଛି। ସେମାନଙ୍କ ପ୍ରତି ମଧ୍ୟ ଉଚିତ୍ ମୂଲ୍ୟ ମିଳୁଛି କି ନାହିଁ ଜାଣିନୁ କିନ୍ତୁ ଏତିକି ଜାଣିଛୁ ସେମାନଙ୍କ ନିଷ୍ଠା ଆନ୍ତରିକ ଉଦ୍ୟମରୁ ମାତ୍ର ହାତଗଣତି ଲୋକଙ୍କ ପାଇଁ ହର୍ବାଲ ମେଳା ସଫଳ ଇଭେଣ୍ଟ ସଂସ୍ଥା ବେକରେ ପଡ଼ିଯାଏ ଫୁଲମାଳ। ଏହା ଏକ ବିଡ଼ମ୍ବନା ନୁହେଁ ତ କ’ଣ?

ବ୍ରହ୍ମପୁର ସହରକୁ ଦୂରଦୂରାନ୍ତରୁ ଅନେକ ବୈଦ୍ୟ ଏବର୍ଷ ଆସିଛନ୍ତି। ଏମାନଙ୍କ ପାଇଁ ଖାଦ୍ୟ, ପାନୀୟ, ରହିବାର ବ୍ୟବସ୍ଥା ଇଭେଣ୍ଟ ସଂସ୍ଥା କରୁଛି। ଏଇ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ନିୟନ୍ତ୍ରଣ କରନ୍ତି। ବିଧି ବ୍ୟବସ୍ଥା ଏମାନଙ୍କ ପ୍ରତି ଠିକ୍ ଆତିଥ୍ୟ ନ ମିଳିଲେ ବ୍ରହ୍ମପୁର ସହର ଅସମ୍ମାନ। କାର୍ଯ୍ୟକ୍ରମର ବକ୍ତାମାନେ ମଧ୍ୟ ମଂଚକୁ ଆସି ନିଜର ବକ୍ତବ୍ୟ ପ୍ରଦାନ କରନ୍ତି। ବିଜ୍ଞାନ ସମ୍ମତ ଆଲୋଚନା, ରୋଗ ସମ୍ବନ୍ଧୀୟ ଆଲୋଚନା ହୁଏ। ଏମାନଙ୍କ ପ୍ରତି ରାଜ୍ୟ ସରକାରୀ ବ୍ୟବସ୍ଥାରେ କ’ଣ ରହିଛି ଆମେ ଜାଣିନୁ କିନ୍ତୁ ଇଭେଣ୍ଟ ସଂସ୍ଥା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରେ ମେଳାରେ ବୈଦ୍ୟ ସମ୍ମିଳନୀ, ଡ଼ାକ୍ତରଙ୍କ ସମାବେଶ ଏବଂ ଆସୁଥିବା ଅନୁଭବୀ ବକ୍ତାଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ କାହିଁକି?

ଏ ସମୁହ ପ୍ରଶ୍ନ ଘେରରେ ଇଭେଣ୍ଟ ସଂସ୍ଥା। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅଧ୍ୟକ୍ଷ ଅନେକ ଜଂଜାଳରେ ଘାଣ୍ଟି ନହେବା ପାଇଁ ସବୁ ଦାୟିତ୍ୱ ଇଭେଣ୍ଟ ସଂସ୍ଥାକୁ ଦିଅନ୍ତି କିନ୍ତୁ ଇଭେଣ୍ଟ ସଂସ୍ଥା ଯଦି ନିଜ ଲାଭ ଓ ସୁବିଧାକୁ ଗୁରୁତ୍ୱ ଦେଇ ଯେଉଁମାନଙ୍କ ପାଇଁ ମେଳାର ଆକର୍ଷଣ ସେମାନଙ୍କୁ ଠିକ୍ ମୂଲ୍ୟ ନଦିଏ ଏହାର ଉତ୍ତରଦାୟୀ କିଏ?

ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦ ଏ ଦିଗକୁ ଗୁରୁତ୍ୱର ସହ ନେବା ପାଇଁ ଅନେକ ଆୟୁର୍ବେଦ ଜଡ଼ିବୁଟି ପ୍ରେମୀଙ୍କ ଦାବି ରହିଛି। ପ୍ରତିଦିନ ମେଳାକୁ ବୁଲି ଆସିବା ସମୟରେ ସବୁ ପ୍ରକାର ଆନନ୍ଦ ଦେଇ ପାରୁଥିବା ପରିବେଶ ଭିତରେ କଳାକାହାଣୀ ଯଦି ଅନୁସନ୍ଧାନ କରାଯିବ ହର୍ବାଲ ମେଳାର ଗୁମର କଥା ଖୋଲିଯିବ। ମେଳାର ଅଧ୍ୟକ୍ଷ ଧନ୍ୟବାଦର ପାତ୍ର, କିନ୍ତୁ ଉଭେଣ୍ଟ ସଂସ୍ଥାର ବଡ଼ବାବୁମାନଙ୍କ ସହ ଚୋରା ପୀରତି ଯେତେ ଘୋଡ଼େଇଲେ କ’ଣ ଲୁଚିବ କି?

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବ୍ରହ୍ମପୁରଠାରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଦସ୍ତଖତ ଅଭିଯାନ ଜାରି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବ୍ରହ୍ମପୁରଠାରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମଂଚର ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ପାଞ୍ଚଦିନ ହେଲା ସହରର ବିଭିନ୍ନ ସାହିର ଘରକୁ ଘର ବୁଲି ଦସ୍ତଖତ ସଂଗ୍ରହ ପ୍ରକ୍ରିୟା ଚାଲିଛି।

ଆଜି ବିଜିପୁର ରଥାସାହି, ବଜାର ସାହି, କାଳୁଆ ସାହି, ନୂଆ କାଳୁଆ ସାହି ଏବଂ ପଥପ୍ରାନ୍ତ ସଭା ମାଧ୍ୟମରେ ବିମାନବନ୍ଦର ଆବଶ୍ୟକତା ସଂପର୍କରେ ଲୋକଙ୍କୁ ସଚେତନ କରି ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା। ଦସ୍ତଖତ ଅଭିଯାନରେ ଯୁଗ୍ମ-ସଂପାଦକ ଲଳିତମୋହନ ସାହୁ, ଅଶୋକ କୁମାର ରଥ, ରବି ନାରାୟଣ ସାବତ, କ୍ଷେତ୍ରୀ ନରସିଂହ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସଭାପତି ଶ୍ରୀ ମହାରଣା କହିଥିଲେ ଆସନ୍ତା ୨୪ ତାରିଖ ମଧ୍ୟରେ ସରକାର ଏହି ଦାବିକୁ ଗ୍ରହଣ ନକଲେ ତେବେ ୨୬ ତାରିଖ ଦିନ ଆର୍‌ଡ଼ିସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦିଆଯିବ। ଏହାସହ ସମସ୍ତ ସ୍ୱାକ୍ଷରିତ ଦାବିପତ୍ରକୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ଚଳିତ ମାସ ୨ ତାରିଖ ପର୍ଯ୍ୟନ୍ତ ଏହି ଦସ୍ତଖତ ଅଭିଯାନ ଜାରି ରହିବ ବୋଲି ଶ୍ରୀ ମହାରଣା ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବିଜେଡ଼ିର ଡ଼ିଜିଟାଲ୍ ଡ଼୍ରାଇଭ୍ କାର୍ଯ୍ୟକ୍ରମ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ ତଥା ନିର୍ଦ୍ଦେଶ ଅନୁସାରେ ଓଡ଼ିଶାରେ ଡ଼ିଜିଟାଲ୍ ଡ଼୍ରାଇଭ୍ କାର୍ଯ୍ୟକ୍ରମ ଚାଲୁ ରହିଛି। କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରୂପେ ଦଳୀୟ ସଭ୍ୟ ତଥା ସାଧାରଣ ଜନତା ସିଧାସଳଖ ଭାବେ ଦଳର ଆଭିମୁଖ୍ୟ ଓ ସରକାରଙ୍କ ଯୋଜନାମାନ ବିଷୟରେ ସିଧାସଳଖ ଯେପରି ଜାଣିପାରିବେ। ଏହି କାର୍ଯ୍ୟକ୍ରମ ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ୱାର୍ଡ଼ ନଂ ୨୪ ବିଜିପୁର ବିଏମ୍‌ସି ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ତଥା ବିଜେଡ଼ି ରାଜ୍ୟ ସଂପାଦିକା ସଂଘମିତ୍ରା ଦଳେଇଙ୍କ ତତ୍ତ୍ୱାବଧାନରେ ବ୍ରହ୍ମପୁର ଯୁବ ବିଜେଡ଼ି ଉପସଭାପତି ସୂର୍ଯ୍ୟ ସୁବୁଦ୍ଧି ଉପସ୍ଥିତ ଥିଲେ। ୱାର୍ଡ଼ ସଭାପତି ୟ. ଶିବା, ୱାର୍ଡ଼ ଆଇଟି କୋଡ଼ିନେଟର ଡ଼ି. ନରେଶ, ଭୀମସେନ ଦଳେଇ, ବିର୍ଲା ମାଝୀ, ପ୍ରଜ୍ଞା ପଣ୍ଡା, ମନଶ୍ମିନୀ ବିଷୋୟୀ, ବୁଲି ଆମ୍ମା, ନିରୂପମା ବେହେରା, ଅମୀୟ ପଣ୍ଡା, ପ୍ରଣବ ସାହୁ, ପି. ନରେଶ, ମିଟୁ ମାଝୀ, ଟୁନି ମିଶ୍ର, ଜଗଦୀଶ ଦଳେଇ, ଶୁଭେନ୍ଦୁ ସ୍ୱାଇଁ, ସଂଜିମିତା ଜେନା, ମାମି ପାଣିଗ୍ରାହୀ, କବିତା ବେହେରା ଆଦି ଉପସ୍ଥିତ ରହି ଡ଼ିଜିଟାଲ୍ ଡ଼୍ରାଇଭ୍ ପାଇଁ ମାର୍ଗଦର୍ଶନ କରିଥିଲେ। ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ବିଜେଡ଼ି ସଭ୍ୟ ବ୍ୟତୀତ ସାଧାରଣ ଜନତା ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିମାନ ବନ୍ଦର ପ୍ରତିଷ୍ଠା ଏବଂ ଜିଲ୍ଲାର ଦୃତ ବିକାଶ ପାଇଁ ବାଚସ୍ପତିଙ୍କୁ ସ୍ମାରକପତ୍ର ପ୍ରଦାନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁରଠାରେ ବିମାନବନ୍ଦର ପ୍ରତିଷ୍ଠା, ଜିଲ୍ଲାର ଦୃତ ବିକାଶ ଏବଂ ଅନ୍ୟାନ୍ୟ ଦାବି ନେଇ ଆଜି ଓଡ଼ିଶା ଡ଼େଭଲପମେଣ୍ଟ ଫୋରମ୍ ଓ ଅନ୍ୟାନ୍ୟ ସାମାଜିକ ସଂଗଠନ ପକ୍ଷରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ବ୍ରହ୍ମପୁରଠାରେ ଗ୍ରୀନ୍ ଫିଲ୍ଡ ଡ଼ୋମାଷ୍ଟିକ୍ ଓ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା, ଗଂଜାମ ଜିଲ୍ଲାରେ ଦ୍ରୁତ ଶିଳ୍ପାୟନ, ରେଳବିଭାଗ ଦ୍ୱାରା ସଦା ଅବହେଳିତ ହେଉଥିବା ଗଂଜାମ ଜିଲ୍ଲାରେ ରେଳପଥର ବିକାଶ ଓ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ଦ୍ରୁତ ବିକାଶ ପାଇଁ ଓଡ଼ିଶା ଡ଼େଭଲପମେଣ୍ଟ ଫୋରମ୍‌ର ବରିଷ୍ଠ ସଦସ୍ୟ ଲକ୍ଷ୍ମୀ, କେନ୍ଦ୍ର ଗଣ ସଂଗଠନର ବରିଷ୍ଠ ସଦସ୍ୟ ମାନସ ପାତ୍ର, ପ୍ରଗତିଶାଳୀ ଉତ୍କଳ ସମାଜ ଗଣ ସଂଗଠନର ରାଜ୍ୟ ସଂପାଦକ ସରୋଜ ପଟ୍ଟନାୟକ, ଓଡ଼ିଶା ଡ଼େଭଲପମେଣ୍ଟ ଫୋରମ୍‌ର ବରିଷ୍ଠ ସଦସ୍ୟ ଭି. ସୋମେଶ୍ୱର ରାଓ, ଅଜୟ ସାହୁ, ପ୍ରୀତିଶ୍ ପାଣିଗ୍ରାହୀ, ଅଭିଭାବକ ମହାସଂଘର ମଧୁସୂଦନ ସାହୁ, ଡ଼ିଭାଇନ୍ ଚାରିଟିର ବିରଞ୍ଚି ନାରାୟଣ ସାହୁ ଓ ଅନ୍ୟ ଗଣସଂଗଠନର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସବୁ ସମସ୍ୟା ନେଇ ବିଧାୟକମାନେ ବିଧାନସଭାରେ ଚର୍ଚ୍ଚା କରି ସମାଧାନାର ରାସ୍ତା ବାହାର କରିବା ପାଇଁ ଶ୍ରୀ ପାତ୍ର କହିଥିବା ସହ ତ୍ୱରିତ ବିକାଶ ପାଇଁ ସେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Categories
ଆଞ୍ଚଳିକ

ବିଜେପି ରାଜ୍ୟ ସଭାପତିଙ୍କୁ ବ୍ରହ୍ମପୁରଠାରେ ସମ୍ବର୍ଦ୍ଧନା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଜେପି ଜିଲ୍ଲା ତରଫରୁ ରାଜ୍ୟ ସଭାପତି ସମୀର ଭାଇ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ନବରଙ୍ଗପୁର ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ବିରଞ୍ଚି ତ୍ରିପାଠୀଙ୍କୁ କୋରାପୁଟ କୋଠିଆ ଯିବା ରାସ୍ତାରେ ବ୍ରହ୍ମପୁରଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ଦଳର ବରିଷ୍ଠନେତାମାନେ ଷ୍ଟେସନ ରୋଡ଼୍ ସ୍ଥିତ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ର କିଛି ଅଂଚଳ ଆନ୍ଧ୍ରପ୍ରଦେଶ ଅଧୀନକୁ ଚାଲିଯିବା କଥା ଏବଂ ମୁଖ୍ୟମନ୍ତ୍ରୀଙ୍କ ନିଜ ଗଂଜାମ ଜିଲ୍ଲାରେ ଧାନମଣ୍ଡିର ଅବ୍ୟବସ୍ଥା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।

ଏହି ଅବସରରେ ଗଂଜାମ ଜିଲ୍ଲାର ବରିଷ୍ଠ ନେତା କୁଂଜ ପାଣିଗ୍ରାହୀ, ପୂର୍ବର୍ତନ ସଭାପତି କାହ୍ନୁଚରଣ ପତି, ଜିଲ୍ଲା ସାଧାରଣ ସଂପାଦକ ଏନ୍‌. ରାଜେନ୍ଦ୍ର କୁମାର, ଗଙ୍ଗାଧର ଶତପଥୀ, ପ୍ରଭାତ ଷଡ଼ଙ୍ଗୀ, ନିରଞ୍ଜନ ପାଣିଗ୍ରାହୀ, ମନୋଜ ପଟ୍ଟନାୟକ, ରାମ ପାତ୍ର, ବାଳକୃଷ୍‌ଣ ସାମନ୍ତରାୟ, ପ୍ରଦେଶ ସାମନ୍ତରାୟ, ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ସିଦ୍ଧାନ୍ତ ଗଙ୍ଗଦେବ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ସଭାପତି ଏଲ୍‌. ମୋହନ ଦାସ, ଏସ୍‌. ରାଣୀ ପ୍ରମୁଖ ବହୁ ନେତା ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରରେ ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ: ୩ ନାବାଳକ ଅଟକ

ବ୍ରହ୍ମପୁର: ବ୍ରହ୍ମପୁରରେ ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ୩ ଜଣ ନାବାଳକଙ୍କୁ ପୋଲିସ ଅଟକ ରଖିଛି। ସୋମବାର ରାତିରେ ସଦର ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଘରେ ଏକା ଥିବା ବେଳେ ଏହି ତିନିଜଣ ନାବାଳକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ନାବାଳିକା ପରିବାର ପକ୍ଷରୁ ଥାନାରେ ଏତଲା  ଦେବା ପରେ ଏହି ତିନି ଜଣଙ୍କୁ ଅଟକ ରାଖୀ ପୋଲିସ ତଦନ୍ତ ଆରମ୍ଭ କରିଛି।