Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସର ସଫଳତା, ଧର୍ମଗଡ ବ୍ୟବସାୟୀ ଘରୁ ଡକାୟତି ମାମଲାରେ ୪ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ଗତ ୩୦ ତାରିଖ ମଧ୍ୟ ରାତିରେ ବ୍ୟବସାୟୀ ଦୀନେଶ ଅଗ୍ରୱାଲଙ୍କ ଘରୁ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ଧର୍ମଗଡ ଥାନା ପୋଲିସ। ଏସଂପର୍କରେ ଧର୍ମଗଡ ଏସଡିପିଓ ଙ୍କ କାର୍ଯ୍ୟାଳୟ ରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଅଭିଳାଷ ଜି।

ପୋଲିସ ଏନେଇ ଟିଟିଲାଗଡ ଅଂଚଳର ବାସୁ ପଟେଲ, ନେପାଳ ଜୁଆଡ, ଯୁଗେନ ପଟେଲ, କୈଳାସ ହାତୀ ନାମକ ଚାରିଜଣକୁ ଗିରଫ କରି ସେମାନଙ୍କ ଠାରୁ ୩୧ଲକ୍ଷ ୪୫ ହଜାର ୬୮୦ ଟଙ୍କା, ୨ଭରି ସୁନା, ୪ ମଟର ସାଇକେଲ, ୬ଟି ମୋବାଇଲ ଫୋନ, ୨ଟି ଫିଙ୍ଗର ଗ୍ଲୋବ ଓ ଡକାୟତିରେ ବ୍ୟବହୃତ ଗୋଟିଏ ବୋତଲକୁ ଜବତ କରିଥିବା ସୂଚନା ଦିଆଯାଇଛି।

ଏହି ଘଟଣାରେ ସାମିଲ ଥିବା ଅନ୍ୟ ୨ଜଣ ଫେରାର ଥିବା ପୋଲିସ ସୂତ୍ରରୁ ପ୍ରକାଶ। ଘଟଣାରୁ ପ୍ରକାଶ ଯେ, ଗତ ୩୦ ତାରିଖ ମଧ୍ୟ ରାତ୍ରୀରେ ଶ୍ରୀ ଅଗ୍ରୱାଲଙ୍କ ଘରେ ପଶି କେମିକାଲ ପ୍ରୟୋଗ କରି ବ୍ୟବସାୟୀଙ୍କ ମାଆ ଓ ଭଉଣୀ ଶୋଇଥିବା କୋଠରୀରୁ ୫୦ଲକ୍ଷ ଟଙ୍କା ଭର୍ତି ବେଗ ଉଠାଇ ନେଇ ଚମ୍ପଟ ମାରିଥିଲେ। ଫେରାର ଥିବା ଅନ୍ୟ ଦୁଇଜଣଙ୍କ ଗିରଫ ପରେ ଅହୁରି ସାମଗ୍ରୀ ମିଳିବାର ଆଶା ଥିବା ପୋଲିସ ସୂତ୍ରରୁ ପ୍ରକାଶ।