Categories
ଆଜିର ଖବର ରାଜ୍ୟ ଖବର

ଗ୍ରାମପଞ୍ଚାୟତକୁ ହାଇସ୍ପିଡ ଇଣ୍ଟରନେଟ ସେବା: ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର: ଭାରତନେଟ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟ ଅଧିନରେ ରାଜ୍ୟରେ ବିଭିନ୍ନ ଗ୍ରାମପଞ୍ଚାୟତକୁ ହାଇସ୍ପିଡ ଇଣ୍ଟରନେଟ ସେବା ଯୋଗାଇ ଦେବା ପାଇଁ ଆଜି ଓପିଟିସିଏଲ୍‌, ଭାରତ ସଂଚାର ନିଗମ ଲିମିଟେଡ୍‌ ଏବଂ ଓଡିଶା କମ୍ପୁଟର ପ୍ରୟୋଗ କେନ୍ଦ୍ର (ଓକାକ୍‌) ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି।

ଏହି ଅବସରରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ଓପିଟିସିଏଲର ନିର୍ଦ୍ଦେଶକ ବି.ବି ମେହେଟ୍ଟା ଏବଂ ଭାରତ ସଂଚାର ନିଗମ ଲିମିଟେଡର ମୁଖ୍ୟ ମହାପ୍ରବନ୍ଧକ ଆର୍‌. ଏନ୍‌ ପଲ୍ଲାଇ, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ଅତିରିକ୍ତ ଶାସନ ସଚିବ ତଥା ଓକାକ ସିଇଓ ମନୋଜ ପଟ୍ଟନାୟକ, ଜେନେରାଲ ମ୍ୟାନେଜର ଓକାକ୍‌ ମଧୁମିତା ରଥ, ପ୍ରଶାସନିକ ଅଧିକାରୀ ପ୍ରବୋଧ ରାଉତ ଉପସ୍ଥିତ ଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ ଏହି ଭାରତନେଟ୍‌-ଓଡିଶା ପ୍ରକଳ୍ପ ଦ୍ୱାରା କେବଳ ବ୍ଲକ ମୁଖ୍ୟାଳୟ ସ୍ତରରେ ନୁହେଁ ବରଂ ରାଜ୍ୟର ଦୁର୍ଗମ ଅଂଚଳରେ ଥିବା ଗ୍ରାମପଞ୍ଚାୟତରେ ମଧ୍ୟ ହାଇସ୍ପିଡ ଇଣ୍ଟରନେଟ୍‌ ସେବା ଉପଲବ୍ଧ ହେବ। ଆଜିର ଯୁଗରେ ପ୍ରାୟ ସମସ୍ତ ସରକାରୀ ସେବାଗୁଡିକ ଇଣ୍ଟରନେଟ ଉପରେ ନିର୍ଭରଶୀଳ। ଲୋକମାନେ ବ୍ୟାଙ୍କିଙ୍ଗ୍‌, କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କିଭଳି ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ସେବା ସୁବିଧାରେ ପାଇ ପାରିବେ ସେଥି ନିମନ୍ତେ ସରକାର ଚେଷ୍ଟିତ ଅଛନ୍ତି। ରାଜ୍ୟ ସରକାର ୫-‘ଟି’ ଅଧିନରେ ଯେଉଁ ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି, ସେଥିପାଇଁ ଇଣ୍ଟରନେଟ୍‌ର ଆବଶ୍ୟକତା ରହିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରତ୍ୟେକ ଗ୍ରାମରେ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ହେବ ଏବଂ ଲୋକମାନେ ସମସ୍ତ ସରକାରୀ ସୁବିଧାର ଲାଭ ପାଇପାରିବେ।

ଓପିଟିସିଏଲ୍‌ ଏବଂ ଓକାକ୍‌ ନିଜର କାର୍ଯ୍ୟ ପାରଦର୍ଶିତା ଦେଖାଇ ସଫଳ ଭାବରେ ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ଭାରତ ନେଟ୍‌-୨ ପର୍ଯ୍ୟାୟର ପ୍ରକଳ୍ପକୁ ସଂପୂର୍ଣ୍ଣ କରିଥିବାରୁ ମନ୍ତ୍ରୀ ଏହି ଦୁଇ ସଂସ୍ଥାକୁ ଭୂୟସୀ ପ୍ରଶାଂସା କରିଥିଲେ। ଭାରତ ସଂଚାର ନିଗମ୍‌ ଲିମିଟେଡ୍‌ ମଧ୍ୟ ଏହି ଭିତ୍ତିଭୂମିର ଲାଭ ଉଠାଇ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ସୁଦୃଢ କରିପାରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଆଶାବ୍ୟକ୍ତ କରିଥିଲେ।

ଭାରତ ସଂଚାର ନିଗମ ଲିମିଟେଡର ମୁଖ୍ୟ ମହାପ୍ରବନ୍ଧକ ଆର୍‌. ଏନ୍‌ ପଲାଇ ପ୍ରକଳ୍ପ ବିଷୟରେ କହିଥିଲେ ଯେ ୫୪୫ କୋଟି ଟଙ୍କା ବିନିମୟରେ ୨୦,୦୦୦ କିଲୋମିଟର ଦୀର୍ଘ ଅପଫିକାଲ ଫାଇବର କେବଲିଂ ମାଧ୍ୟମରେ ୧୩୨ଟି ବ୍ଲକ ଅଧୀନରେ ଥିବା ୨୯୩୨ଟି ଗ୍ରାମପଞ୍ଚାୟତକୁ ହାଇସ୍ପିଡ୍‌ ଇଂଟରନେଟ୍‌ ସେବା ଯୋଗାଇଦିଆଯିବ। ଯାହାଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ସହଜରେ ବ୍ୟାଙ୍କିଙ୍ଗ୍‌, କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ସେବା ପାଇ ପାରିବେ।