Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଶେଷ ହେଲା ‘ଅପରେସନ୍ କାବେରୀ’!, ସୁଦାନରୁ ଭାରତ ଫେରିଲେ ୩୮୬୨ ଭାରତୀୟ

ନୂଆଦିଲ୍ଲୀ: ଗୃହଯୁଦ୍ଧରେ ପ୍ରଭାବିତ ସୁଦାନରେ ଫସି ରହିଥିବା ସାଧାରଣ ନାଗରିକଙ୍କୁ ସ୍ଵଦେଶ ଫେରାଇ ଆଣିବା ପାଇଁ ଭାରତ ସରକାର ‘ଅପରେସନ୍ କାବେରୀ’ ଅଭିଯାନ ଆରମ୍ଭ କରିଥିଲେ। ଯାହା ଶୁକ୍ରବାର ଦିନ ଶେଷ ହୋଇଛି। ଭାରତୀୟ ବାୟୁସେନାର ଶେଷ ବିମାନ ୪୭ ଜଣ ଯାତ୍ରୀଙ୍କ ସହ ଘରକୁ ଫେରିଛି। ସେନା ଏବଂ ପାରାମିଲିଟାରୀ ଫୋର୍ସ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଭାରତ ଏହାର ନାଗରିକମାନଙ୍କୁ ସୁଦାନରୁ ସ୍ଥାନାନ୍ତର କରିବା ପାଇଁ ଏପ୍ରିଲ ୨୪ ତାରିଖରେ ଅପରେସନ୍ କାବେରୀ ଆରମ୍ଭ କରିଥିଲା। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଛନ୍ତି ଯେ, ଭାରତୀୟ ବାୟୁସେନା ସି୧୩୦ ବିମାନ ଶୁକ୍ରବାର ଦିନ ପହଞ୍ଚିବା ପରେ ‘ଅପରେସନ୍ କାବେରୀ’ ମାଧ୍ୟମରେ ୩,୮୬୨ ଜଣଙ୍କୁ ସୁଦାନରୁ ସ୍ଥାନାନ୍ତର କରାଯାଇଛି।

ସେ କହିଛନ୍ତି ଯେ ଭାରତୀୟ ବାୟୁସେନା ୧୭ ଟି ଉଡାଣ ଚଳାଚଳ କରିଥିଲା ​​ଏବଂ ଭାରତୀୟ ନୌସେନା ପାଞ୍ଚ ଥର ଭାରତୀୟମାନଙ୍କୁ ପୋର୍ଟ ସୁଦାନରୁ ସାଉଦି ଆରବର ଜେଦ୍ଦାକୁ ନେଇଥିଲା। ଜୟଶଙ୍କର କହିଛନ୍ତି ଯେ, ସୁଦାନ ସୀମାବର୍ତ୍ତୀ ଦେଶ ଦେଇ ୮୬ ଜଣ ଭାରତୀୟଙ୍କୁ ଅଣାଯାଇଥିଲା। ସୁଦାନରୁ ଆଣିଥିବା ଭାରତୀୟମାନଙ୍କୁ ଅତିଥି କରିବା ଏବଂ ଥଇଥାନ ପ୍ରକ୍ରିୟାରେ ସାହାଯ୍ୟ କରିଥିବାରୁ ସେ ସାଉଦି ଆରବକୁ ଧନ୍ୟବାଦ ଜଣାଇଛନ୍ତି। ସେ ଚାଡ, ଇଜିପ୍ଟ, ଫ୍ରାନ୍ସ, ଦକ୍ଷିଣ ସୁଦାନ, ସଂଯୁକ୍ତ ଆରବ ଏମିରେଟ୍ସ, ବ୍ରିଟେନ, ଆମେରିକା ଏବଂ ମିଳିତ ଜାତିସଂଘକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଫ୍ରାନ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଜାତୀୟ ପ୍ୟାରେଡରେ ସ୍ୱତନ୍ତ୍ର ଅତିଥି ଭାବେ ଦେବେ ଯୋଗ

ନୂଆଦିଲ୍ଲୀ: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବେ ମଜବୁତ ହେଉଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୪ ତାରିଖରେ ପ୍ୟାରିସରେ ଆୟୋଜିତ ହେବାକୁ ଥିବା ବଷ୍ଟିଲ ଡେ ପ୍ୟାରେଡରେ ଯୋଗଦେବେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଭାରତ-ଫ୍ରାନ୍ସର ରଣନୀତିକ ଭାଗିଦାରୀର ୨୫ ବର୍ଷ ପୂରଣ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଙ୍କୁ ବଷ୍ଟିଲ୍ ଡେ ପରେଡରେ ଯୋଗଦେବାକୁ ନିମନ୍ତ୍ରଣ ଗ୍ରହଣ କରିଛନ୍ତି।

ମାକ୍ରୋନ୍ ଏହା ଉପରେ ଖୁସି ବ୍ୟକ୍ତ କରିଥିଲେ। ପିଏମ ମୋଦୀଙ୍କ ସହ ଏକ ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ପ୍ରିୟ ନରେନ୍ଦ୍ର, ମୁଁ ଜୁଲାଇ ୧୪ ତାରିଖ ପରେଡର ସମ୍ମାନିତ ଅତିଥି ଭାବରେ ପ୍ୟାରିସରେ ଆପଣଙ୍କୁ ସ୍ୱାଗତ କରି ବହୁତ ଖୁସି ହେବି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଗସ୍ତ ରଣନୀତି, ସାଂସ୍କୃତିକ, ବୈଜ୍ଞାନିକ ଏବଂ ଅର୍ଥନୈତିକ ସହଯୋଗ ପାଇଁ ନୂତନ ତଥା ଉଚ୍ଚାଭିଳାଷୀ ଲକ୍ଷ୍ୟ ସ୍ଥିର କରି ଭାରତ-ଫ୍ରାନ୍ସ ରଣନୀତିକ ଭାଗିଦାରୀକୁ ପରବର୍ତ୍ତୀ ସ୍ତରକୁ ନେଇଯିବ ବୋଲି ଆଶା କରାଯାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।

ବଷ୍ଟିଲ୍ ଡେ କ’ଣ?:

ଫ୍ରାନ୍ସରେ, ଜୁଲାଇ ୧୪ ତାରିଖ ୧୭୮୯ ରେ, ଲୋକମାନେ ବଷ୍ଟିଲ୍ ଉପରେ ଆକ୍ରମଣ କରିଥିଲେ (ରାଜତନ୍ତ୍ର ସହିତ ଜଡିତ)। ଏହା ପରେ ଫରାସୀ ବିପ୍ଳବ ଆରମ୍ଭ ହେଲା। ଏହି କାରଣରୁ, ଫ୍ରାନ୍ସ ଇତିହାସରେ ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ସେବେଠାରୁ ଏହାକୁ ଏଠାରେ ଜାତୀୟ ଦିବସ ଭାବେ ପାଳନ କରାଯାଏ।

Categories
ଆଜିର ଖବର ଜାତୀୟ ଖବର

ଭାରତରେ ଅର୍ଦ୍ଧାଧିକ ଇଣ୍ଟରନେଟ୍ ଉପଭୋକ୍ତା ଅନଲାଇନରେ ଖବର ପଢନ୍ତି: ଗୁଗୁଲ ଆକଳନ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଇଣ୍ଟରନେଟ୍ ବ୍ୟବହାର ବୃଦ୍ଧି ପାଉଛି। ଭାରତ ମଧ୍ୟ ଏଥିରେ ବାଦ ପଡିନାହିଁ। ଭାରତରେ ଅର୍ଦ୍ଧାଧିକ ଇଣ୍ଟରନେଟ୍ ବ୍ୟବହାରକାରୀ ସମ୍ବାଦ ପଢିବା ଏବଂ ଦେଖିବା ପାଇଁ ଅନଲାଇନ୍ ପ୍ଲାଟଫର୍ମ ବ୍ୟବହାର କରିବାକୁ ପସନ୍ଦ କରନ୍ତି ଏବଂ ଏହି ଅର୍ଦ୍ଧାଧିକ ଲୋକ ସମ୍ବାଦରେ ବିଶ୍ୱାସକୁ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ବିବେଚନା କରନ୍ତି। ଗୁରୁବାର ମିଳିତ ଭାବେ ପ୍ରକାଶିତ ଏକ ରିପୋର୍ଟରେ ମିଡିଆ କମ୍ପାନୀ କାନ୍ତାର ଏବଂ ଗୁଗୁଲ ଏହି ଆକଳନ କରିଛନ୍ତି।

ଏହି ରିପୋର୍ଟ ଅନୁଯାୟୀ, ଗ୍ରାମାଞ୍ଚଳରେ (୬୩ ପ୍ରତିଶତ କିମ୍ବା ୨୩.୮ କୋଟି) ସମ୍ବାଦ ପ୍ରତି ଆଗ୍ରହ ଅଧିକ ଥିବାବେଳେ ସହରାଞ୍ଚଳରେ ଏହା ମାତ୍ର ୩୭ ପ୍ରତିଶତ ଅଟେ। ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ଭାଷାରେ ୫୨ ପ୍ରତିଶତ କିମ୍ବା ୩୭.୯ କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ବିଭିନ୍ନ ନ୍ୟୁଜ୍ ଆପ୍ / ୱେବସାଇଟ୍, ସୋସିଆଲ୍ ମିଡିଆ ପୋଷ୍ଟ, ହ୍ଵାଟସ୍ ଆପ୍ ମେସେଜ୍ ଏବଂ ୟୁଟ୍ୟୁବ୍ ଇତ୍ୟାଦିରେ ଅନଲାଇନରେ ଖବର ଦେଖନ୍ତି ଏବଂ ପଢନ୍ତି।

ରିପୋର୍ଟ ଅନୁଯାୟୀ, ୪୮ ପ୍ରତିଶତ ଲୋକ ବିଶ୍ଵାସ କରନ୍ତି ଯେ, ପାରମ୍ପାରିକ ଟିଭି ଚ୍ୟାନେଲ ଅପେକ୍ଷା ଅନଲାଇନ୍ ମାଧ୍ୟମ ଅଧିକ ଲୋକପ୍ରିୟ ଅଟେ। ଏହି ରିପୋର୍ଟରେ ଆକଳନ କରାଯାଇଛି ଯେ, ଭାରତରେ ୭୨.୯ କୋଟି ଇଣ୍ଟରନେଟ ଉପଭୋକ୍ତା ଅଛନ୍ତି। କାନ୍ତାର ପ୍ରାୟ ୪,୬୦୦ ଲୋକଙ୍କ ସହ କଥା ହୋଇଥିଲା ଏବଂ ଡିଜିଟାଲ ମାଧ୍ୟମରେ ଆଠଟି ଭାରତୀୟ ଭାଷାରେ ସମ୍ବାଦ ଦେଖିବାର ବୁଝାମଣାକୁ ବଢାଇବା ପାଇଁ ୧୪ ଟି ରାଜ୍ୟର ୧୬ ଟି ସହରରେ ୬୪ ଟି ଆଲୋଚନା ଅଧିବେଶନ କରିଥିଲା। ଏହାର ପରୀକ୍ଷଣରେ ଏଥିରେ ୧୫ ବର୍ଷରୁ ଅଧିକ ବୟସର ଇଣ୍ଟରନେଟ୍ ଉପଭୋକ୍ତା ସାମିଲ ହୋଇଥିଲେ।

ଅନଲାଇନ୍ ନ୍ୟୁଜ୍ ଗ୍ରାହକଙ୍କ ପାଇଁ ଭିଡିଓ ସବୁଠାରୁ ପସନ୍ଦ ବିଭାଗ ଥିଲା, ତା’ପରେ ପଢିବା ଏବଂ ପରେ ଶୁଣିବା। ବଙ୍ଗଳା ବିଷୟବସ୍ତୁ ପାଇଁ ଭିଡିଓ ଚାହିଦା ସର୍ବାଧିକ (୮୧ ପ୍ରତିଶତ), ତାମିଲ (୮୧ ପ୍ରତିଶତ), ତେଲୁଗୁ (୭୯ ପ୍ରତିଶତ), ହିନ୍ଦୀ (୭୫ ପ୍ରତିଶତ), ଗୁଜୁରାଟୀ (୭୨ ପ୍ରତିଶତ), ମାଲାୟାଲମ୍ (୭୦ ପ୍ରତିଶତ), ମରାଠୀ ଏବଂ କନ୍ନଡ (୬୬-୬୬ ପ୍ରତିଶତ)। ସେହିଭଳି ଗୁଜୁରାଟୀ ଏବଂ କନ୍ନଡ (୨୦ ପ୍ରତିଶତ) ଏବଂ ମରାଠୀ (୧୮ ପ୍ରତିଶତ) ସର୍ବାଧିକ ଲୋକ ଖବର ପଢନ୍ତି। ମରାଠୀ ଏବଂ ମାଲାୟାଲମ୍ (୧୬ ପ୍ରତିଶତ) ଲୋକ ସମ୍ବାଦ ଶୁଣିଥାନ୍ତି।

ଅନଲାଇନ୍ ଖବର ଖୋଜିବା ପାଇଁ ୟୁଟ୍ୟୁବ୍ ୯୩ ପ୍ରତିଶତ ସହିତ ଶୀର୍ଷରେ ରହିଛି, ତା’ପରେ ସୋସିଆଲ୍ ମିଡିଆ (୮୮ ପ୍ରତିଶତ), ଚାଟ୍ ଆପ୍ (୮୨ ପ୍ରତିଶତ), ସର୍ଚ୍ଚ ଇଞ୍ଜିନ୍ (୬୧ ପ୍ରତିଶତ), ନ୍ୟୁଜ୍ ପ୍ରକାଶକ ଆପ୍ କିମ୍ବା ୱେବସାଇଟ୍ (୪୫ ପ୍ରତିଶତ), ନ୍ୟୁଜ୍ ଶୁଣିବା (୩୯ ପ୍ରତିଶତ) ), OTT କିମ୍ବା ଟିଭି (୨୧ ପ୍ରତିଶତ) ଇତ୍ୟାଦି। ରିପୋର୍ଟ ଅନୁଯାୟୀ, ଅନଲାଇନ୍ ନ୍ୟୁଜ୍ ଗ୍ରାହକଙ୍କ ମଧ୍ୟରୁ ୮୦ ପ୍ରତିଶତ ସମ୍ବାଦ ସାମ୍ନାକୁ ଆସିଥାଏ, ଯାହା ସନ୍ଦେହଜନକ ଏବଂ ଏହାର ସତ୍ୟତା ଯାଞ୍ଚ କରିବା କଷ୍ଟକର ହୋଇପଡେ।

Categories
ଆଜିର ଖବର ରାଜ୍ୟ ଖବର

ଭାରତର ଜି-୨୦ ସଭାପତିତ୍ବକୁ ନେଇ ଏମ୍‌ସ ଭୁବନେଶ୍ୱର ଛାତ୍ରଛାତ୍ରୀଙ୍କ ପକ୍ଷରୁ ମାନବଶୃଙ୍ଖଳ

ଭୁବନେଶ୍ୱର: ଭାରତର ଜି-୨୦ ସଭାପତିତ୍ବର ସଫଳତାକୁ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି। ଆଜି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ବିଶାଳ ମାନବଶୃଙ୍ଖଳ ଗଠନ କରାଯାଇଥିଲା। ପ୍ରାୟ ସାଢ଼େ ତିନିଶହ ଛାତ୍ରୀଙ୍କୁ ନେଇ ଜି୨୦କୁ ଚିତ୍ରଣ କରୁଥିବା ଏକ ପ୍ରତିସ୍ବରୂପ ସୃଷ୍ଟି କରାଯାଇଥିଲା। ଏମ୍‌ସ ପରିସରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏପରି ମାନବଶୃଙ୍ଖଳ ବେଶ ଆକର୍ଷଣୀୟ ହୋଇଥିଲା।  ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ  ବିଷୟବସ୍ତୁର ବିଶେଷତାକୁ ସାରା ବିଶ୍ବରେ ପହଞ୍ଚାଇବାର ପ୍ରୟାସ କରିଥିଲେ ଏମ୍‌ସର ଛାତ୍ରଛାତ୍ରୀ।

ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଜି୨୦ ଜନଭାଗିଦାରୀ ଅଭିଯାନ ଅନ୍ତର୍ଗତ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ଖାଦ୍ୟରେ ମିଲେଟ୍‌ର ବ୍ୟବହାର ସମେତ ପାର୍ଶ୍ୱିବର୍ତ୍ତୀ ଗ୍ରାମଗୁଡିକରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ, ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଏମ୍‌ସର ଜାତୀୟ ସେବା ଯୋଜନା(ଏନଏସଏସ) ପକ୍ଷରୁ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ଭଳି ଏକାଧିକ କାର୍ଯ୍ୟକ୍ରମ ଜନ ଭାଗିଦାରୀ ଅଭିଯାନର ଅଂଶ ଥିଲା।

ଜି୨୦ ଅଭିଯାନରେ ଏମ୍‌ସ ଭୁବନେଶ୍ୱରର ସକ୍ରିୟ ସହଭାଗୀତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ଏମ୍‌ସ ଭୁବନେଶ୍ୱର ସର୍ବଦା ନୂତନ ଜ୍ଞାନକୌଶଳ ଏବଂ ସମ୍ବେଦନଶୀଳତା ସହିତ ଜନସାଧାରଣଙ୍କ ସେବା କରିବାକୁ ପ୍ରତିଶ୍ରୁତିବଦ୍ଧ। ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏପରି ମାନବଶୃଙ୍ଖଳ ସୃଷ୍ଟି ଭାରତର ବିଶ୍ୱସ୍ତରୀୟ ନେତୃତ୍ୱ ତଥା ନାରୀଶକ୍ତିର ଜାଗରଣକୁ ପ୍ରମାଣିତ କରୁଥିବା ଡ. ବିଶ୍ବାସ ପ୍ରକାଶ କରିଛନ୍ତି।

ଏଥିସହିତ ଆଜି ଏମ୍‌ସର ଛାତ୍ରଛାତ୍ରୀ କୋଭିଡ୍‌ ଏବଂ ଅନ୍ୟାନ୍ୟ ବିଭିନ୍ନ ସାମାଜିକ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଓପିଡି ପରିସରରେ କଳାତ୍ମକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଜି୨୦ ଅଭିଯାନର ଉଦ୍‌ଯାପନୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

କୁଳସଚିବ ବି ବି ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡିନ୍‌ ଡ. ପି ଆର ମହାପାତ୍ର, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡା, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ, ପିଆର୍‌ ସେଲ୍‌ ମୁଖ୍ୟ ଡ. ପ୍ରଭାସ ରଂଜନ ତ୍ରିପାଠୀ, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ କର୍ମଚାରୀ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ: ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଲାଗି ପ୍ରତିବଦ୍ଧତାକୁ ଦୋହରାଇଲା ଭାରତ

ଭୁବନେଶ୍ଵର: ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଆଜି ଭୁବନେଶ୍ଵର ଠାରେ ଉଦଯାପିତ ହୋଇଯାଇଛି। ଏହି ତିନି ଦିନିଆ ବୈଠକ ଓ ସେମିନାର ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ଏଥିରେ ପ୍ରାଥମିକ କ୍ଷେତ୍ର ଯଥା: କ୍ଷମତା ନିର୍ମାଣ, ଭବିଷ୍ୟତର କାର୍ଯ୍ୟ ପରିଦୃଶ୍ୟରେ ଆଜୀବନ ଅଧ୍ୟୟନକୁ ପ୍ରୋତ୍ସାହନ ଉପରେ ବିଚାରବିମର୍ଶ କରାଯାଇଥିଲା।

ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ସଚିବ କେ. ସଞ୍ଜୟ ମୂର୍ତ୍ତି, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ସଚିବ ସଞ୍ଜୟ କୁମାର ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ସଚିବ ଅତୁଲ ତିୱାରୀଙ୍କ ସମେତ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ଜି-୨୦ ସଦସ୍ୟ ରାଷ୍ଟ୍ର ସମେତ ୨୭ଟି ନିମନ୍ତ୍ରିତ ରାଷ୍ଟ୍ର, ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ, ୟୁନିସେଫ, ୟୁନେସ୍କୋ ଏବଂ ଆର୍ଥିକ ସହଯୋଗ ଓ ବିକାଶ ସଂଗଠନ (ଓଇସିଡି)ର ୬୦ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଥିଲେ।

ପ୍ରତିନିଧିସ୍ତରୀୟ ବୈଠକ ପୂର୍ବରୁ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସହଭାଗିତାରେ ଭୁବନେଶ୍ୱରସ୍ଥିତ ଧାତୁ ଓ ଖଣିଜ ପ୍ରଯୁକ୍ତି ପ୍ରତିଷ୍ଠାନ (ସିଏସଆଇଆର-ଆଇଏମଏମଟି) ଠାରେ ଏକ ସେମିନାର ଆୟୋଜନ କରାଯାଇଥିଲା। ସେମିନାରର ବିଷୟବସ୍ତୁ ଥିଲା : ‘ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ କ୍ଷମତା ନିର୍ମାଣ, ଆଜୀବନ ଅଧ୍ୟୟନକୁ ପ୍ରୋତ୍ସାହନ’।

ଏହି ସେମିନାରରେ ତିନୋଟି ପାନେଲ ଆଲୋଚନା ହୋଇଥିଲା। ପ୍ରଥମ ପାନେଲ ଆଲୋଚନାରେ “କାର୍ଯ୍ୟର ଭବିଷ୍ୟତ ସନ୍ଦର୍ଭରେ ଶ୍ରମ ବଜାର ଓ ସଂସ୍ଥାଗତ କ୍ଷମତା ନିର୍ମାଣର ଆବଶ୍ୟକତା ଲାଗି ଏକ ସକ୍ରିୟ ବ୍ୟବସ୍ଥା ନିର୍ମାଣ : ଉଚ୍ଚ ଗୁଣବତ୍ତା ଆଧାରିତ ପ୍ରଯୁକ୍ତି ଏବଂ ଧନ୍ଦାମୂଳକ ଶିକ୍ଷାକୁ ସକ୍ଷମ କରିବା” ବିଷୟ ସ୍ଥାନ ପାଇଥିଲା। ସେହିପରି ଉଚ୍ଚ ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷା ମଧ୍ୟରେ ମାର୍ଗ ସୃଷ୍ଟି କରିବା ଉପରେ ଆଉ ଏକ ଆଲୋଚନା ହୋଇଥିଲା।

ଏହାଛଡ଼ା ପିଲାମାନଙ୍କୁ ଆଜୀବନ ଅଧ୍ୟୟନର ଧାରାକୁ ଆଣିବା ଲାଗି ବିଭିନ୍ନ ପ୍ରକାରର ଭବିଷ୍ୟତ କୌଶଳ ସେଟ୍‌ ଜରିଆରେ ସେମାନଙ୍କୁ ସକ୍ଷମ କରିବା ବିଷୟକୁ ନେଇ ପାନେଲ ଆଲୋଚନା ହୋଇଥିଲା। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଅତୁଲ କୁମାର ତିୱାରୀ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ସଚିବ ସଞ୍ଜୟ କୁମାର, ଏଲଆଣ୍ଡ ଟି ଏଡୁ ଟେକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସବ୍ୟସାଚୀ ଦାସ ଏସବୁ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ। ବ୍ରାଜିଲ, ସ୍ପେନ, ୟୁଏଇ, ସିଙ୍ଗାପୁର, ରୁଷ, ଦକ୍ଷିଣ ଆଫ୍ରିକା, ମରିସସ, ଓଇସିଡି, ୟୁନିସେଫ, ଅଷ୍ଟ୍ରେଲିଆ, ବ୍ରିଟେନ ସମେତ ଅନ୍ୟ ରାଷ୍ଟ୍ର ଓ ଅନ୍ତର୍ଜାତୀୟ ସଂଗଠନର ବିଶେଷଜ୍ଞ ପାନେଲିଷ୍ଟମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

ଏଥିରେ ଅଂଶଗ୍ରହଣ କରିଥିବା ପାନେଲିଷ୍ଟମାନେ ସେମାନଙ୍କ ନିଜ ଦେଶରେ ଏହି ବିଷୟବସ୍ତୁ ଉପରେ ଆଧାରିତ ଶ୍ରେଷ୍ଠ ପଦ୍ଧତି ଓ ନୀତିଗୁଡ଼ିକ ଉପରେ ମତାମତ ରଖିଥିଲେ। ସେମାନେ ଧନ୍ଦାମୂଳକ ଶିକ୍ଷା ଓ ତାଲିମ ଉପରେ ସେମାନଙ୍କର ନୀତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ପରିବର୍ତ୍ତିତ ବିଶ୍ଵ ସହିତ ଖାପଖୁଆଇବା ଲାଗି ଦକ୍ଷତା ବିକାଶ, ଉନ୍ନତ ଦକ୍ଷତା ବିକାଶ ଏବଂ ନିରନ୍ତର ଦକ୍ଷତା ବିକାଶ ବା ସ୍କିଲିଂ, ଅପ ସ୍କିଲିଂ ଓ ରି ସ୍କିଲିଂ ଉପରେ ଆଲୋକପାତ କରିଥିଲେ। ସେମାନେ ଭବିଷ୍ୟତର କାର୍ଯ୍ୟକୁ ନେଇ ନିଜ ଦେଶରେ ଦେଖା ଦେଇଥିବା ସମସ୍ୟା ଉପରେ ମଧ୍ୟ ଆଲୋକପାତ କରିଥିଲେ।

ତୃତୀୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପରିପ୍ରେକ୍ଷୀରେ ଏକ ସପ୍ତାହବ୍ୟାପୀ ମଲ୍ଟିମିଡିଆ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା। ଏହି ପ୍ରଦର୍ଶନୀରେ ଶିଳ୍ପ, ଶିକ୍ଷାଜଗତ, ସରକାରୀ ସଂସ୍ଥା, ବହୁପକ୍ଷୀୟ ସଂସ୍ଥା, ଷ୍ଟାର୍ଟଅପ୍‌ ଏବଂ ଅନ୍ୟାନ୍ୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ସେହିପରି ଏଠାରେ ଭବିଷ୍ୟତର କାର୍ଯ୍ୟ ଉପରେ ଏକ ସ୍ୱତନ୍ତ୍ର ଅନୁଭୂତି ଜୋନ ସହିତ ବ୍ୟାପକ ଜ୍ଞାନକୌଶଳ ପ୍ରଦର୍ଶିତ ହୋଇଥିଲା। ମେଟା, ହେକ୍ସାଗନ, ଇନଫୋସିସ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ, ୟୁନିସେଫ, ଭାରତୀୟ ଜ୍ଞାନ ବ୍ୟବସ୍ଥା ଡିଭିଜନ, ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ଟ୍ରାଇଫେଡ ଏବଂ ଆହୁରି ଅନେକ ସଂସ୍ଥା ଯୋଗ ଦେଇଥିଲେ। ପ୍ରଦର୍ଶନୀଟି ୨୩ରୁ ୨୫ ଏବଂ ୨୭ ଓ ୨୮ ତାରିଖରେ ସ୍ଥାନୀୟ ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ, ଶିକ୍ଷାବିତ ଓ ଗବେଷକଙ୍କ ପାଇଁ ଖୋଲା ଯାଇଥିଲା।

ପ୍ରତିନିଧିସ୍ତରୀୟ କାର୍ଯ୍ୟକ୍ରମର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର ଉଦବୋଧନ ଦେଇଥିଲେ। ସେ ଏକବିଂଶ ଶତାବ୍ଦୀ ପାଇଁ ଆବଶ୍ୟକ ଜ୍ଞାନ, ସାମର୍ଥ୍ୟ, କୌଶଳ ଏବଂ ଦୃଷ୍ଟିକୋଣ ହାସଲ ପାଇଁ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିବେଶ ଲାଗି ଜୋର ଦେଇଥିଲେ। ଆସନ୍ତା ଜୁନ ମାସରେ ଶିକ୍ଷା ମନ୍ତ୍ରୀଙ୍କ ବୈଠକ ପାଇଁ ପରିଣାମ ଦସ୍ତାବିଜ ଉପରେ ଜି୨୦ ସଦସ୍ୟ ଓ ନିମନ୍ତ୍ରିତ ଦେଶର ପ୍ରତିନିଧିମାନେ ବିଚାରବିମର୍ଶ କରିଥିଲେ।

ଶେଷରେ ଅନ୍ତର୍ଜାତୀୟ ପ୍ରତିନିଧିମାନଙ୍କୁ ବିଶ୍ଵ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ନିଆଯାଇଥିଲା। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତିନିଧିମାନଙ୍କୁ ଓଡ଼ିଶା ଗସ୍ତ କରିବାର ଏକ ସ୍ମରଣୀୟ ପ୍ରତିକ ରୂପରେ ପଟ୍ଟଚିତ୍ର ଉପହାର ଦିଆଯାଇଥିଲା।

ଜି ୨୦ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ତୃତୀୟ କାର୍ଯ୍ୟଗୋଷ୍ଠୀ ବୈଠକ ସଫଳ ହୋଇଥିଲା। ଉତ୍କଳ ଦିବସ ଏପ୍ରିଲ ୧ ତାରିଖ ଠାରୁ ୨୨ ଏପ୍ରିଲ ପର୍ଯ୍ୟନ୍ତ ବିଭିନ୍ନ ଜନଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏକାଧିକ ଛାୟା ଜି-୨୦ ସମ୍ମିଳନୀରେ ୫୯୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ୧୨୩୫ରୁ ଅଧିକ ଜନ ଭାଗିଦାରୀ କାର୍ଯ୍ୟକ୍ରମରେ ୧ ଲକ୍ଷରୁ ଅଧିକ ନାଗରିକ ଅଂଶଗ୍ରହଣ କରିବା ସହିତ ବାସ୍ତବରେ ଭାରତର ଜି୨୦ ଅଧ୍ୟକ୍ଷତାକୁ ଜନସାଧାରଣଙ୍କ ଅଧ୍ୟକ୍ଷତା ବୋଲି ପ୍ରମାଣିତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ

ଭୁବନେଶ୍ୱର: ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଚାଲିଛି। ଆଜି ପ୍ରତିନିଧି ସ୍ତରୀୟ ଆଲୋଚନାର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର ଉଦଘାଟନୀ ବକ୍ତବ୍ୟ ରଖିଥିଲେ।

ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ସଚିବ କେ. ସଞ୍ଜୟ ମୂର୍ତ୍ତି, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ସଚିବ ସଞ୍ଜୟ କୁମାର ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ସଚିବ ଅତୁଲ ତିୱାରୀଙ୍କ ସମେତ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଛନ୍ତି। ଜି-୨୦ ସଦସ୍ୟ ରାଷ୍ଟ୍ର ସମେତ ୨୭ଟି ନିମନ୍ତ୍ରିତ ରାଷ୍ଟ୍ର, ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ, ୟୁନିସେଫ, ୟୁନେସ୍କୋ ଏବଂ ଆର୍ଥିକ ସହଯୋଗ ଓ ବିକାଶ ସଂଗଠନ (ଓଇସିଡି)ର ୬୦ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଛନ୍ତି।

ସୁଭାଷ ସରକାର କହିଥିଲେ ଯେ, ଭାରତର ଅଧ୍ୟକ୍ଷତା ଅଧୀନରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ଶିକ୍ଷାର ପ୍ରସାର, ଗୁଣବତ୍ତା ଓ ପରିଣାମରେ ସୁଧାର ଆଣିବା ଲାଗି ସାଧାରଣ ବାସ୍ତବତା ଉପରେ ଆଲୋକପାତ କରିବା ଏବଂ ସାଧାରଣ ପ୍ରତିବଦ୍ଧତାକୁ ଦୋହରାଇବା ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରୁଛି।

ଶ୍ରୀ ସରକାର କହିଥିଲେ ଯେ ଆଜିର ଦୁନିଆରେ ବଡ଼ ପରିବର୍ତ୍ତନ ସବୁ ଦେଖିବାକୁ ମିଳୁଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଇଣ୍ଡଷ୍ଟ୍ରୀ ୪.୦ ଏବଂ ୱେବ ୩.୦ ଆଦି ଉଲ୍ଲେଖନୀୟ ଭାବେ କାର୍ଯ୍ୟସ୍ଥଳୀ ଉପରେ ପ୍ରଭାବ ପକାଇବ। ଏହି ପରିବର୍ତ୍ତିତ କାର୍ଯ୍ୟ ପରିସ୍ଥିତି ସହିତ ଖାପଖୁଆଇବା ଲାଗି ଆମର ଯୁବବର୍ଗଙ୍କୁ ଆବଶ୍ୟକ ଦକ୍ଷତା ବିକାଶ ଏବଂ ଦୃଷ୍ଟିକୋଣ ସହିତ ପ୍ରସ୍ତୁତ କରିବାକୁ ହେବ।

ସମସ୍ତଙ୍କ ପାଇଁ ସମାନ ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ବିକଶିତ କରିବା ଲାଗି ସହଭାଗିତା ନିମନ୍ତେ ସେ ଆହ୍ୱାନ କରିଥିଲେ। ସମାଜ କଲ୍ୟାଣ ଲକ୍ଷ୍ୟ ହାସଲ ନିମନ୍ତେ ଆମର ମିଳିତ ବିଶେଷଜ୍ଞତାକୁ ଉପଯୋଗ କରିବା ଏବଂ ଦୃଢ଼ ଗବେଷଣା ଓ ଉଦ୍ଭାବନ ଇକୋସିଷ୍ଟମ ନିର୍ମାଣ କରିବାକୁ ସେ ପରାମର୍ଶ ଦେଇଥିଲେ।

ବୈଠକ ଅବସରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ବିଭିନ୍ନ ପ୍ରାଥମିକତା ପ୍ରସଙ୍ଗ ଉପରେ ଆଲୋଚନା ଅଧିବେଶନ ଆୟୋଜନ କରାଯାଇଥିଲା। ଏଥିରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରି ନିଜ ନିଜର ମତ ରଖିଥିଲେ।

ଏହି ବୈଠକ ପୂର୍ବରୁ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସହଭାଗିତାରେ ଭୁବନେଶ୍ୱରସ୍ଥିତ ଧାତୁ ଓ ଖଣିଜ ପ୍ରଯୁକ୍ତି ପ୍ରତିଷ୍ଠାନ (ସିଏସଆଇଆର-ଆଇଏମଏମଟି) ଠାରେ ଏକ ସେମିନାର ଆୟୋଜନ କରାଯାଇଥିଲା। ସେମିନାରର ବିଷୟବସ୍ତୁ ଥିଲା : ‘ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ କ୍ଷମତା ନିର୍ମାଣ, ଆଜୀବନ ଅଧ୍ୟୟନକୁ ପ୍ରୋତ୍ସାହନ’। ସେମିନାର ସହିତ ଏକ ସପ୍ତାହବ୍ୟାପୀ ମଲ୍ଟିମିଡିଆ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା। ଏହି ପ୍ରଦର୍ଶନୀକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ।

ବୈଠକ ପୂର୍ବରୁ ଆଜୀବନ ଅଧ୍ୟୟନ ଓ ଭବିଷ୍ୟତର କାର୍ଯ୍ୟ ବିଷୟବସ୍ତୁ ଉପରେ ଏକାଧିକ ସେମିନାର, ପାନେଲ ଆଲୋଚନା ଓ କର୍ମଶାଳା ଭଳି ପ୍ରାକ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେମିନାରରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପ ସଂସ୍ଥା, ସରକାର ଏବଂ ସିଙ୍ଗାପୁର ଉଚ୍ଚାୟୁକ୍ତର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ସ୍ଥାନ ପାଇଥିବା ବିଷୟବସ୍ତୁଗୁଡ଼ିକ ହେଲା : ‘ଭବିଷ୍ୟତର କାର୍ଯ୍ୟରେ ଅତ୍ୟାଧୁନିକ ପ୍ରଯୁକ୍ତି ଉପରେ ଗୁରୁତ୍ୱାରୋପ ସହିତ ଗଭୀର ପ୍ରଯୁକ୍ତି ବା ଡିପ୍‌ ଟେକ୍‌’, ‘ଲଜିଷ୍ଟିକ୍ସ କ୍ଷେତ୍ରରେ ପରିବର୍ତ୍ତନ – ଉପକୂଳ ଅର୍ଥବ୍ୟବସ୍ଥା ଉପରେ ଗୁରୁତ୍ୱ’ ଏବଂ ‘ଦକ୍ଷତା ଢାଞ୍ଚା ଓ ପ୍ରଶାସନିକ ମଡେଲ – ସିଙ୍ଗାପୁର ମଡେଲରୁ ଅଧ୍ୟୟନ’।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଠାରୁ ଏକ ମାସ ଧରି ରାଜ୍ୟବ୍ୟାପୀ ‘ଜନ ଭାଗିଦାରୀ’ ଅଭିଯାନ ଆୟୋଜନ କରାଯାଇଥିଲା। ଏହି ଅଭିଯାନ ଅଧୀନରେ ଯୁବବର୍ଗ, ବିଶେଷ କରି ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା ଶୋଭାଯାତ୍ରା, ଗଣଦୌଡ଼, ପ୍ରବନ୍ଧ ଲିଖନ ପ୍ରତିଯୋଗିତା, ଝୋଟି ପ୍ରତିଯୋଗିତା, ଯୋଗ ଶିବିର, ପ୍ରଶ୍ନୋତ୍ତର, ବକ୍ତୃତା, ବିତର୍କ ପ୍ରତିଯୋଗିତା, ଛାୟା ଜି୨୦ ସମ୍ମିଳନୀ ଏବଂ ଆହୁରି ଅନେକ ସଚେତନତା କାର୍ଯ୍ୟକ୍ରମ ରାଜ୍ୟର ୩୦ଟି ଜିଲ୍ଲାରେ ଆୟୋଜନ କରାଯାଇଥିଲା। ଏହି ଅଭିଯାନରେ ଓଡ଼ିଶାର ୩୫ରୁ ଅଧିକ ଅନୁଷ୍ଠାନର ୧ଲକ୍ଷରୁ ଅଧିକ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜି-୨୦ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ ଭାରତ ଓ ସିଙ୍ଗାପୁର କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତି ଆଧାରରେ ଦେଶର ଯୁବବର୍ଗଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଶିକ୍ଷା ଓ ଦକ୍ଷତା ପରିସଂସ୍ଥାନର ରୂପାନ୍ତରଣ କରିବା ଲକ୍ଷ୍ୟରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ଆଲୋଚନା ହୋଇଛି। ଏହି ଦୁଇ ରାଷ୍ଟ୍ର ଆଗାମୀ ଦିନରେ ଶିକ୍ଷା ସହ ଦକ୍ଷତା ବିକାଶ ପାଇଁ କାମ କରିବେ। ମଙ୍ଗଳବାର ଭୁବନେଶ୍ୱର ଠାରେ ଜି-୨୦ ଭାରତ ଶିକ୍ଷା ଓ୍ୱାର୍କିଂ ଗ୍ରୁପର ତୃତୀୟ ବୈଠକ ପରିପ୍ରକ୍ଷୀରେ ଭାରତ- ସିଙ୍ଗାପୁର ମଧ୍ୟରେ ଆୟୋଜିତ କର୍ମଶାଳାରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଫ୍ୟୁଚର ଅଫ୍ ଓ୍ୱାର୍କ୍ : ଭାରତ ଓ ସିଙ୍ଗାପୁରର ସ୍କିଲ ଆର୍କିଟେକଚର ଓ ଗଭର୍ଣ୍ଣାସ ମଡେଲ’ କଥାବସ୍ତୁ ଉପରେ ଆୟୋଜିତ ଏହି କର୍ମଶାଳାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଓ ସିଙ୍ଗାପୁରର ରଣନୈତିକ ଭାଗିଦାରୀରେ ଦକ୍ଷତା ବିକାଶ ଏବଂ ଜ୍ଞାନ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦୁଇ ଦେଶ ମିଳିତ ଭାବରେ କାମ କଲେ ଉଭୟ ରାଷ୍ଟ୍ର ପାଇଁ ଅନେକ ସୁଯୋଗ ରହିଛି। ବିଶେଷ ଭାବରେ ଭବିଷ୍ୟତର ଶ୍ରମବଳ ପ୍ରସ୍ତୁତ କରିବା ଦିଗରେ ଏହି ରାଷ୍ଟ୍ର ଦ୍ୱୟ କାମ କଲେ ଉଭୟ ଦେଶର ଲକ୍ଷ୍ୟ ସଫଳ ହେବ। ଏହି ଯୁଗ୍ମ କର୍ମଶାଳା ସିଙ୍ଗାପୁରର ପାରଦର୍ଶୀତା ଏବଂ ଜ୍ଞାନକୁ ଉପଯୋଗ କରିବା ଉପରେ ଧ୍ୟାନ ଦେବ। ସ୍କିଲ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ଦୂର କରିବା ସହ କୌଶଳ ପରିସଂସ୍ଥାନକୁ ପରିବର୍ତ୍ତନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଭବିଷ୍ୟତର କାର୍ଯ୍ୟଶୈଳି ଉପରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ତିନି ପ୍ରସଙ୍ଗ ଯଥା ଦକ୍ଷତା ପାଇଁ ନୂଆ ପାଠ୍ୟକ୍ରମର ବିକାଶ, ଧନ୍ଦାମୂଳକ ଶିକ୍ଷା ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦକ୍ଷତା ପରିସଂସ୍ଥାନ ପାଇଁ ଫ୍ରେମଓ୍ୱାର୍କ ଏବଂ ଜୀବନବ୍ୟାପୀ ସ୍କିଲିଂ ପାଇଁ ଆପ୍ରେଣ୍ଟିସ୍-ସିପ୍ ଏବଂ ଫ୍ରେମଓ୍ୱାର୍କ ପାଇଁ ଆଲୋଚନା କରାଯାଇଛି। ଭବିଷ୍ୟତର କାର୍ଯ୍ୟଶୈଳୀକୁ ଦୃଷ୍ଟିରେ ରଖି ସ୍କିଲ ମ୍ୟାପିଂ ଉପରେ ଗୁରୁତ୍ୱ ଦିଆଯାଇଛି।

ସିଙ୍ଗାପୁର ସରକାରଙ୍କ ଶିକ୍ଷା ତଥା ଦକ୍ଷତା ବିଭାଗର ଅଧିକାରୀ, ବୈଦେଶିକ ବିଭାଗର ଅଧିକାରୀ ମାନଙ୍କ ସହ ଭାରତ ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟ, ସ୍କୁଲ ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ବିଭାଗ ସ୍କୁଲ ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଜାତୀୟ ଧନ୍ଦାମୂଳକ ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଭିଟି), ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ (ଡିଜିଟି), ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି), କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ), ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ମିଳିତ ଭାବେ ସିଙ୍ଗାପୁର ମଡେଲକୁ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କିପରି ଉପଯୋଗ କରାଯାଇପାରିବ ସେ ନେଇ ଉଭୟ ଦେଶ ଚର୍ଚ୍ଚା ଆଲୋଚନା କରିଛନ୍ତି। ଏ ନେଇ ସିଙ୍ଗାପୁରର ବୈଦେଶିକ ବିଭାଗ ମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି।

ଭାରତର ଅନେକ ରାଜ୍ୟ ସିଙ୍ଗାପୁର ସହ ଅନୁବନ୍ଧିତ ହୋଇଛନ୍ତି। ତେଣୁ ଭାରତ ଏବଂ ସିଙ୍ଗାପୁର ମିଶି କେବଳ ନିଜର ଆବଶ୍ୟକତା ପୂରଣ କରିବେ ନାହିଁ ବରଂ ସ୍କୁଲ ପାଠ୍ୟକ୍ରମରେ ସିଙ୍ଗାପୁର ଆଣିଥିବା ସ୍କିଲିଂ ବିଷୟକୁ ମଧ୍ୟ ଗ୍ରହଣ କରାଯିବ। ଏଆଇସିଟିଇ ଦ୍ୱାରା ପରିଚାଳିତ ଇଞ୍ଜିନିୟରିଂ ଏବଂ ପଲିଟେକନିକ କଲେଜର ଛାତ୍ରଛାତ୍ରୀମାନେ କିପରି ଦକ୍ଷତା ପରିସଂସ୍ଥାନରେ ଅଧିକ ଯୋଡ଼ି ହେବେ ତାହାର ଯୋଜନା କରାଯିବ। ଏହାସହ ବର୍ତ୍ତମାନର ୱାର୍କଫୋର୍ସକୁ ନିରନ୍ତର ରି-ସ୍କିଲିଂ ଏବଂ ଅପ୍-ସ୍କିଲିଂ କରାଯିବା ନେଇ ଗୁରୁତ୍ୱ ଦିଆଯାଉଛି। ଭାରତ ଓ ସିଙ୍ଗାପୁର ଉଭୟ ବିଶ୍ୱ ସମୁଦାୟର କଲ୍ୟାଣକୁ ନିଶ୍ଚିତ କରିପାରିବେ। ଏହି ଯୁଗ୍ମ କର୍ମଶାଳା ସ୍କିଲିଂ ପାଇଁ ନୂଆ ମଡେଲ ତିଆରି କରିବ, ଯେଉଁ ମଡେଲ ବିଶ୍ୱର ଆକାଂକ୍ଷାକୁ ପୂରଣ କରିବା ସହ ଯୁବବର୍ଗଙ୍କୁ ପ୍ରେରିତ କରିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଶିକ୍ଷା ଓ ଦକ୍ଷତାକୁ ସମାନ ଗୁରୁତ୍ୱ ଦିଆଯାଇଛି। ଏହା ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ମାଧ୍ୟମରେ ଶିକ୍ଷା ଏବଂ ସ୍କିଲିଂ, ହରାଇଜେଣ୍ଟାଲ ଏବଂ ଭର୍ଟିକାଲ ମୋବିଲିଟିକୁ ଏକୀକରଣ କରିବା ସହ ଭାରତର ଦକ୍ଷତା ପରିସଂସ୍ଥାନର ପୁନଃବାଖ୍ୟା କରୁଛି। ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆଧାରରେ ସ୍କିଲିଂକୁ ଧନ୍ଦାମୂଳକ ଶିକ୍ଷାରେ ଔପଚାରିକ ରୂପ ଦେବା ନେଇ ଏକ ମିଳିତ ପ୍ରୟାସର ଆବଶ୍ୟକତା ଅଛି। ସେଥିପାଇଁ ଏହି ୱାର୍କସପର ଆୟୋଜନ କରାଯାଇଛି।

ବିଗତ ଶତାବ୍ଦୀରେ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ପ୍ରଗତି କ୍ଷେତ୍ରରେ ସିଙ୍ଗାପୁର ବିଶ୍ୱର ଗୋଟିଏ ମଡେଲ ହୋଇଛି। ବିଶେଷ ଭାବରେ ସିଙ୍ଗାପୁର ନିଜର ଦକ୍ଷତା ବଢାଇବା ତଥା  ଶିକ୍ଷା ସହ ଦକ୍ଷତା କ୍ଷେତ୍ରରେ ବିକାଶ କରିଥିବା କାରଣରୁ ଅର୍ଥନୀତିରେ ନିଜର ସ୍ଥାନ ନିରୂପଣ କରିସାରିଛି। ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରୟାସ ବଳରେ ସିଙ୍ଗାପୁର ଓ ଭାରତର ସମ୍ପର୍କ ମଜଭୂତ୍ ହୋଇଛି। ଆଣବିକ କ୍ଷେତ୍ରରେ ଭାରତ ଓ ସିଙ୍ଗାପୁର ମିଳିତ ଭାବରେ କାମ କରିବା ଦିଗରେ ଉଦ୍ୟମ ଜାରି ରହିଛି। ଭାରତର ୟୁପିଆଇ ସିଷ୍ଟମକୁ ସିଙ୍ଗାପୁର ସରକାର ଲାଗୁ କରିଛନ୍ତି।

ଏହି କର୍ମଶାଳାରେ ଭାରତର ସିଙ୍ଗାପୁର ହାଇକମିଶନର ସିମନ ଓ୍ୱଙ୍ଗ, ସିଙ୍ଗାପୁରର ଉଚ୍ଚ ଶିକ୍ଷା, ଦକ୍ଷତା ଏବଂ ଶିକ୍ଷା ମନ୍ତ୍ରଣାଳୟର ଉପସଚିବ ମେଲିସା ଖୁ, ଭାରତର ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ମନ୍ତ୍ରଣାଳୟ, ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ ଏବଂ  ଶିକ୍ଷା ଓ ଦକ୍ଷତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହାସହ ଭାରତ ଓ ସିଙ୍ଗାପୁରର ଶିକ୍ଷା ଓ ଦକ୍ଷତା କ୍ଷେତ୍ରର ଷ୍ଟେକହୋଲଡର, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଭାରତ ଆସିବେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ, ଏସସିଓ ବୈଠକରେ ହେବେ ସାମିଲ

ନୂଆଦିଲ୍ଲୀ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀ ଆସନ୍ତା ୪-୫ ତାରିଖ ଦିନ ଭାରତ ଗସ୍ତ କରିବେ। ସେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବେ। ପାକିସ୍ତାନ MOFA ର ବ୍ରିଫିଙ୍ଗରେ ଏହି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ମେ ମାସରେ ହେବାକୁ ଥିବା ଏକ ଉଚ୍ଚସ୍ତରୀୟ ବୈଠକ ପାଇଁ ପାକିସ୍ତାନର ବିଲାୱାଲ ଭୁଟ୍ଟୋ ଜରଦାରୀ ଏବଂ ଚୀନ୍‌ର କିନ୍‌ ଗ୍ୟାଙ୍ଗ ସମେତ ସାଂଘାଇ ସହଯୋଗ ସଂଗଠନର ବୈଦେଶିକ ମନ୍ତ୍ରୀଙ୍କୁ ଭାରତ ଆମନ୍ତ୍ରଣ କରିଛି। ଏସସିଓର ଶେଷ ବୈଠକ ଉଜବେକିସ୍ତାନର ସମରକନ୍ଦରେ ଅନୁଷ୍ଠିତ ହୋଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜନସଂଖ୍ୟା ଦୃଷ୍ଟିରୁ ଚୀନ୍‌କୁ ପଛରେ ପକାଇଲା ଭାରତ: ଜାତିସଂଘର ରିପୋର୍ଟ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ତଥ୍ୟ ଅନୁଯାୟୀ ଭାରତର ଜନସଂଖ୍ୟା ୧୪୨.୮୬ କୋଟିକୁ ବୃଦ୍ଧି ପାଇଛି ଏବଂ ଏହା ଚାଇନାକୁ ପଛରେ ପକାଇ ଦୁନିଆର ସବୁଠାରୁ ଜନବହୁଳ ଦେଶ ହୋଇପାରିଛି। ମିଳିତ ଜାତିସଂଘର ୱାର୍ଲ୍ଡ ପପୁଲେସନ୍ ଡ୍ୟାସବୋର୍ଡ ଅନୁଯାୟୀ ଚାଇନାର ଜନସଂଖ୍ୟା ୧୪୨.୫୭ କୋଟି ଅଟେ। ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (UNFPA) ର ଏକ ନୂତନ ରିପୋର୍ଟ ଅନୁଯାୟୀ, ଭାରତର ୦-୧୪ (ବର୍ଷ) ବୟସ ବର୍ଗରେ ୨୫ ପ୍ରତିଶତ ଲୋକ, ୧୦ ରୁ ୧୯ ବର୍ଷ ବୟସରେ ୧୮ ପ୍ରତିଶତ, ୧୦ ରୁ ୨୪ ବର୍ଷ ବୟସ ବର୍ଗରେ ୨୬ ପ୍ରତିଶତ, ୧୫ ରୁ ୬୪ ବର୍ଷ ବୟସରେ ୬୮ ପ୍ରତିଶତ ଏବଂ ୬୫ ବର୍ଷରୁ ୭ ପ୍ରତିଶତ ଲୋକ ଅଛନ୍ତି। ବିଭିନ୍ନ ଏଜେନ୍ସିର ଆକଳନ ଅନୁଯାୟୀ ପ୍ରାୟ ତିନି ଦଶନ୍ଧି ଧରି ଭାରତର ଜନସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହା ୧୬୫ କୋଟିରେ ପହଞ୍ଚିବା ପରେ ହିଁ ଆରମ୍ଭ ହେବ।

ବିଶେଷଜ୍ଞଙ୍କ ଅନୁଯାୟୀ, ଭାରତର ଜନସଂଖ୍ୟା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟ ମଧ୍ୟରେ ଭିନ୍ନ ଅଟେ। କେରଳ ଏବଂ ପଞ୍ଜାବର ବୃଦ୍ଧ ଜନସଂଖ୍ୟା ଥିବାବେଳେ ବିହାର ଏବଂ ଉତ୍ତରପ୍ରଦେଶର ଯୁବ ଜନସଂଖ୍ୟା ଅଧିକ।

Categories
ଆଜିର ଖବର ଜାତୀୟ ଖବର

ଇତିହାସ ସୃଷ୍ଟି କଲା କୋଲକାତା ମେଟ୍ରୋ: ଭାରତରେ ପ୍ରଥମ ଥର ପାଇଁ ନଦୀରେ ଦୌଡିଲା ଟ୍ରେନ୍

ନୂଆଦିଲ୍ଲୀ: ଦେଶର ସର୍ବ ପୁରାତନ ମେଟ୍ରୋ ସେବା କୋଲକାତା ମେଟ୍ରୋ ଇତିହାସ ସୃଷ୍ଟି କରିଛି। ଭାରତରେ ପ୍ରଥମ ଥର ପାଇଁ ଏକ ମେଟ୍ରୋ ନଦୀରେ ଗତି କରିଛି। ମେଟ୍ରୋ ହୁଗୁଲି ନଦୀ ତଳେ ଯାତ୍ରା କରୁଥିବା ବେଳେ କୋଲକାତାର ହାୱଡାରୁ ଏସପ୍ଲାନେଡ୍ ପର୍ଯ୍ୟନ୍ତ ଏକ ଟ୍ରାଏଲ୍ ରନ୍ କରାଯାଇଥିଲା। କୋଲକାତା ମେଟ୍ରୋ ଜେନେରାଲ୍ ମ୍ୟାନେଜର ପି ଉଦୟ କୁମାର ରେଡ୍ଡୀ ଏହି ରନ୍ କୁ କୋଲକାତା ସହର ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି।

ଉଦୟ କୁମାର ରେଡ୍ଡୀ କହିଛନ୍ତି ଯେ, ଏହା ପ୍ରଥମ ଥର ପାଇଁ ହୁଗଲି ନଦୀରେ ଏକ ଟ୍ରେନ୍ ଚାଲିଛି। ଏହା ମଧ୍ୟ ୩୩ ମିଟର ଗଭୀରତା ବିଶିଷ୍ଟ ସବୁଠୁ ଗଭୀର ଷ୍ଟେସନ। ଭାରତରେ ପ୍ରଥମ ଥର ପାଇଁ ଏହା ଘଟିଛି। କୋଲକାତା ସହର ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ସେ କହିଛନ୍ତି ଯେ, ହାୱଡା ମଇଦାନରୁ ଏସପ୍ଲାନେଡ ପର୍ଯ୍ୟନ୍ତ ପରୀକ୍ଷା ଆସନ୍ତା ୭ ମାସ ଯାଏଁ ଜାରି ରହିବ। ଏହା ପରେ ଏହା ଲୋକମାନଙ୍କ ପାଇଁ ନିୟମିତ ଆରମ୍ଭ ହେବ।

ଚଳିତ ବର୍ଷ ହାୱଡା-ଏସପ୍ଲାନେଡ୍ ଖଣ୍ଡରେ ବ୍ୟବସାୟିକ ସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ୪୫ ସେକେଣ୍ଡରେ ହୁଗଲି ନଦୀ ତଳେ ଏହା ୫୨୦ ମିଟର ଦୂରତା ଅତିକ୍ରମ କରିଥିଲା। ନଦୀ ତଳେ ଥିବା ଏହି ଟନେଲ୍ ୩୨ ମିଟର ତଳେ ରହିଛି। ଏହି ଖଣ୍ଡଟି ପୂର୍ବ-ପଶ୍ଚିମ ମେଟ୍ରୋ କରିଡରର ଏକ ଅଂଶ ଯାହାକି କୋଲକାତାର ଆଇଟି ହବ୍ ସଲ୍ଟ ଲେକ୍ ରେ ହାୱଡା ମଇଦାନ ଏବଂ ସେକ୍ଟର ଭି କୁ ସଂଯୋଗ କରେ। ଏହି ପ୍ରକଳ୍ପ କୋଲକାତା ମେଟ୍ରୋର ଉତ୍ତର-ଦକ୍ଷିଣ ଲାଇନର ଏସପ୍ଲାନେଡ୍ ଷ୍ଟେସନକୁ ହାୱଡାର ଏବଂ ସିୟାଲଦହ ଠାରେ ଥିବା ଭାରତୀୟ ରେଳ ଷ୍ଟେସନ ସହିତ ସଂଯୋଗ କରିବ।

ଏହି ବିକାଶ କୋଲକାତା ମେଟ୍ରୋ ପାଇଁ ଆଉ ଏକ ମାଇଲଖୁଣ୍ଟ ଅଟେ। କାରଣ ଏହା ମଧ୍ୟ ଦେଶର ପ୍ରଥମ ମେଟ୍ରୋ ରେଳ ଥିଲା, ଯାହା ୧୯୮୪ ରେ କୋଲକାତାରେ ଆରମ୍ଭ ହୋଇଥିଲା। ଏହା ପରେ ରାଜଧାନୀ ଦିଲ୍ଲୀ ୨୦୦୨ରେ ମେଟ୍ରୋ ସେବା ଯୋଗାଇବା ଆରମ୍ଭ କଲା।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ବଡ ଆଶ୍ବସ୍ତି: ଭାରତରେ ଚୂଡ଼ାନ୍ତ ପରୀକ୍ଷା ଲାଗି ଅନୁମତି ଦେବ ୟୁକ୍ରେନ

ନୂଆଦିଲ୍ଲୀ: ଋଷ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନ ଏକ ବଡ଼ ଆଶ୍ଵସ୍ତି ପ୍ରଦାନ କରିବାକୁ ଯାଉଛି। ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ କେବଳ ଭାରତରେ ପରୀକ୍ଷା ଦେବା ଲାଗି ୟୁକ୍ରେନ ଅନୁମତି ଦେବ। ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ ଏମିନ୍ ଝାପରୋଭା ଏପ୍ରିଲ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଥିଲେ। ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପ୍ରସଙ୍ଗରେ ସେ ବୁଧବାର ଦିନ କହିଥିଲେ ଯେ, ବିଦେଶୀ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଦେଶରେ ଚୂଡ଼ାନ୍ତ ପରୀକ୍ଷା ଦେବାକୁ ଅନୁମତି ଦେବ।

ଏମିନ୍ ଝାପରୋଭା କହିଛନ୍ତି ଯେ, ଗତ ବର୍ଷ ଋଷ ଆକ୍ରମଣ ପରେ ୟୁକ୍ରେନରୁ ଆସିଥିବା ହଜାର ହଜାର ଡାକ୍ତରୀ ଛାତ୍ରଛାତ୍ରୀ ବର୍ତ୍ତମାନ ଭାରତରେ ସେମାନଙ୍କର ଅନ୍ତିମ କିମ୍ବା ଯୋଗ୍ୟତା ପରୀକ୍ଷା ଦେଇ ପାରିବେ। ସେ କହିଛନ୍ତି ଯେ, ୨ ହଜାର ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନକୁ ଫେରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦେଶର ପଶ୍ଚିମ ଭାଗରେ ଥିବା ମେଡିକାଲ ବିଶ୍ୱବିଦ୍ୟାଳୟରେ ଅଛନ୍ତି। ଗତ ବର୍ଷ ଫେବୃଆରୀ ୨୪ ତାରିଖରେ ଋଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିବା ପରେ ଏମିନ୍ ଝାପରୋଭା ସେହି ଦେଶର ପ୍ରଥମ ନେତା, ଯିଏକି ଭାରତ ଗସ୍ତ କରିଥିଲେ।

ଭାରତୀୟ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ନେଇ ଏମିନ୍ ଝାପରୋଭା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସଞ୍ଜୟ ବର୍ମାଙ୍କ ମଧ୍ୟରେ ଆଲୋଚନା ହୋଇଛି। ୟୁକ୍ରେନରେ ଯୁଦ୍ଧ ହେତୁ ଏହି ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ବନ୍ଦ ହୋଇଯାଇଥିଲା। ବୁଧବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପ୍ରସଙ୍ଗରେ ୟୁକ୍ରେନ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ବିଦେଶୀ ଡାକ୍ତରୀ ଛାତ୍ରମାନଙ୍କୁ ୟୁକ୍ରେନ ନିଜ ଦେଶରେପରୀକ୍ଷା ଦେବାକୁ ଅନୁମତି ଦେବ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଭାରତ ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି: ଆଇଏମ୍ଏଫ୍

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ଦିନ କହିଛନ୍ତି ଯେ, ଭାରତୀୟ ଅର୍ଥନୀତି ଭଲ ପ୍ରଦର୍ଶନ କରୁଛି ଏବଂ ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଗୋଟିଏ ହୋଇ ରହିଛି। ଆଇଏମ୍ଏଫ୍ କହିଛି ଯେ, ଅର୍ଥନୈତିକ ଅଭିବୃଦ୍ଧି ହାର ପୂର୍ବାନୁମାନ ହ୍ରାସ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇ ରହିବ। ତେବେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୬.୧ ପ୍ରତିଶତରୁ ୫.୯ ପ୍ରତିଶତକୁ ହ୍ରାସ ପାଇଛି। ବିଶ୍ଵ ସଂସ୍ଥା ବାର୍ଷିକ ବିଶ୍ଵ ଦୃଷ୍ଟିକୋଣରେ ୨୦୨୪-୨୫ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬.୩ ପ୍ରତିଶତକୁ ହ୍ରାସ କରିଛି। ଏହାପୂର୍ବରୁ ଜାନୁଆରୀ ମାସରେ ଏହି ଆକଳନ ୬.୮ ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିଲା।

g5jl6qvg

ଚଳିତ ଆର୍ଥିକ ବର୍ଷରେ ୫.୯ ପ୍ରତିଶତ ଅଭିବୃଦ୍ଧି ହାର ତୁଳନାରେ ୨୦୨୨-୨୩ ରେ ଅଭିବୃଦ୍ଧି ହାର ୬.୮ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଆଇଏମ୍ଏଫ୍ ର ଅଭିବୃଦ୍ଧି ପୂର୍ବାନୁମାନ ଆରବିଆଇର ଅନୁମାନଠାରୁ କମ୍। ଆରବିଆଇ ଅନୁଯାୟୀ, ଅଭିବୃଦ୍ଧି ହାର ୨୦୨୨-୨୩ ରେ ୭ ପ୍ରତିଶତ ଏବଂ ଚଳିତ ଆର୍ଥିକ ବର୍ଷରେ ୬.୪ ପ୍ରତିଶତ ହୋଇପାରେ। ୨୦୨୨-୨୩ ପାଇଁ ସରକାର ଏପର୍ଯ୍ୟନ୍ତ ଜିଡିପି ଅଭିବୃଦ୍ଧି ହାର ଆକଳନ କରିନାହାଁନ୍ତି। ଆଇଏମଏଫର ଏସିଆ ଏବଂ ପ୍ରଶାନ୍ତ ବିଭାଗର ଡେପୁଟି ଡାଇରେକ୍ଟର ଏନୀ-ମେରି ଗୁଲଡେ-ଓଲଫ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଭାରତୀୟ ଅର୍ଥନୀତି ଭଲ ପ୍ରଦର୍ଶନ କରୁଛି ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ଏସୀୟ ଅର୍ଥନୀତି ଏବଂ ବିଶ୍ଵର ଦ୍ରୁତ ଅଭିବୃଦ୍ଧି ମଧ୍ୟରେ ରହିଛି।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଭାରତ ଠାରୁ ସାହାଯ୍ୟ ଲୋଡିଲେ ୟୁକ୍ରେନର ରାଷ୍ଟ୍ରପତି

ନୂଆଦିଲ୍ଲୀ: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ମାନବିକତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାୟତା ଲୋଡିଛନ୍ତି। ଭାରତ ଗସ୍ତରେ ଥିବା ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ଏମିନ୍ ଝାପରୋଭା ମଙ୍ଗଳବାର ଦିନ ରାଜ୍ୟ ବୈଦେଶିକ ମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କୁ ଏହି ଚିଠି ପ୍ରଦାନ କରିଛନ୍ତି।

ୟୁକ୍ରେନର ରାଷ୍ଟ୍ରପତି ତାଙ୍କ ପତ୍ରରେ ଅତିରିକ୍ତ ଔଷଧ ଏବଂ ଚିକିତ୍ସା ଉପକରଣ ପଠାଇ ଭାରତକୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଏଥି ସହିତ ୟୁକ୍ରେନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଯୁଦ୍ଧ ସମୟରେ ନିଜ ଦେଶରେ ପଢୁଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଯୋଗ୍ୟତା ପାଇଁ ପରୀକ୍ଷା ଦେବାକୁ ଅନୁମତି ଦେବେ, ଯାହା ଭାରତର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତି ମିଳିବ।

ଉପ ବୈଦେଶିକ ମନ୍ତ୍ରୀ ଏମିନ ଜାପାରୋଭା ଭାରତରେ ଏକ ଥିଙ୍କ ଟ୍ୟାଙ୍କକୁ ସମ୍ବୋଧିତ କରି କହିଛନ୍ତି ଯେ ଋଷ ସହିତ ଛିଡା ହେବା ଅର୍ଥ ଇତିହାସର ଭୁଲ ଦିଗରେ ରହିବା ଏବଂ ତାଙ୍କ ଦେଶ ଭାରତ ସହ ନିବିଡ ସମ୍ପର୍କ ଚାହୁଁଛି। ଏହି ସମୟରେ ଜାପାରୋଭା ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ସହିତ ତାଙ୍କ ଦେଶର ସାମରିକ ସମ୍ପର୍କ ପ୍ରାୟ ତିନି ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିଲା, କିନ୍ତୁ ଏହାର ଅର୍ଥ ନୁହେଁ ଯେ ପାକିସ୍ତାନ ସହିତ ତାଙ୍କର ସହଯୋଗ ଭାରତ ବିରୁଦ୍ଧରେ ଅଛି।

ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ଏମିନ ଭାରତୀୟ ଅଧିକାରୀଙ୍କୁ ନିବେଦନ କରିଛନ୍ତି ଏବଂ କହିଛନ୍ତି ଯେ, ବିଶ୍ୱ ପ୍ରତିଷ୍ଠାତା ତଥା ଜି-୨୦ର ବର୍ତ୍ତମାନର ଅଧ୍ୟକ୍ଷ ଶାନ୍ତି ପ୍ରତିଷ୍ଠା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି। ଏଥିପାଇଁ ଭାରତୀୟ ଅଧିକାରୀମାନେ ୟୁକ୍ରେନ ପରିଦର୍ଶନ କରିବା ଉଚିତ୍।

Categories
ବିଶେଷ ଖବର

ଚୀନ୍ ର ପ୍ରତ୍ୟେକ ଷଡଯନ୍ତ୍ରକୁ କଡା ଜବାବ ଦେବ ଭାରତ!, ଜାଣନ୍ତୁ ଲଦାଖରୁ ସିକ୍କିମ୍ ପର୍ଯ୍ୟନ୍ତ ସେନାର ପ୍ରସ୍ତୁତି

ନୂଆଦିଲ୍ଲୀ: ଦେଶର ସୁରକ୍ଷା ବାହିନୀ ଭାରତ ସୀମାରେ ନିଜକୁ ବିଶ୍ୱର ନୂତନ ସୁପର ପାୱାର ବୋଲି ବିବେଚନା କରୁଥିବା ଚୀନ୍‌କୁ ଉପଯୁକ୍ତ ଜବାବ ଦେବାକୁ ପ୍ରସ୍ତୁତ। ଗତ ସପ୍ତାହରେ ପୂର୍ବ ସେକ୍ଟରରେ ଭାରତୀୟ ସୈନ୍ୟବାହିନୀର ପ୍ରସ୍ତୁତି ବିଷୟରେ ସିଡିଏସ୍ ଜେନେରାଲ୍ ଅନିଲ ଚୌହାନ ସମୀକ୍ଷା କରିଥିଲେ। ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ଏବଂ ଚୀନ୍ ସେନା ସହିତ କିଛି ସଂଘର୍ଷ ମଧ୍ୟରେ ସିଡିଏସ୍ ଚୌହାନ LAC ର ଅତି ନିକଟତମ ଅଞ୍ଚଳ ପରିଦର୍ଶନ କରିଥିଲେ।

ସିଡିଏସ୍ ଜେନେରାଲ୍ ଅନିଲ ଚୌହାନ ଉତ୍ତର ବଙ୍ଗାଳ ସୀମାନ୍ତବର୍ତ୍ତୀ ଅଞ୍ଚଳ ସହିତ ହାସିମାରା ଏୟାରବେସ୍ ପରିଦର୍ଶନ କରିଥିଲେ। ଯେଉଁଠାରେ ଏକ ନୂତନ ବ୍ୟାଚ୍ ରାଫେଲ୍ ବିମାନ ନିୟୋଜିତ କରାଯାଇଛି। ଏହା ସହିତ ସେ ସୁକନାରେ ଥିବା ୩୩ ତ୍ରିଶକ୍ତିର ମୁଖ୍ୟାଳୟ ପରିଦର୍ଶନ କରିଥିଲେ। ଏଠାରେ ତାଙ୍କୁ ପୂର୍ବ ସୀମାରେ ସାମରିକ ପ୍ରସ୍ତୁତି, ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ସ ବିଷୟରେ ସୂଚନା ଦିଆଯାଇଛି।

ଚୀନ୍ ସହିତ ବିଭିନ୍ନ ସ୍ତରର ସାମରିକ କଥାବାର୍ତ୍ତା ସତ୍ତ୍ୱେ ଚୀନ୍ ଆର୍ମି ୩ ହଜାର ୪୮୮ କିଲୋମିଟର ସୀମାରେ ପଛକୁ ଯିବାକୁ ପ୍ରସ୍ତୁତ ନୁହେଁ। ଏହା କୁହାଯାଉଛି ଯେ, ଚୀନ୍ ସୀମାରେ PLA ସେନାଙ୍କ ନିୟୋଜନ କ୍ରମାଗତ ଭାବେ ବୃଦ୍ଧି କରାଯାଉଛି। ଏହା ସହିତ ସୀମାରେ ଭିତ୍ତିଭୂମି ଏବଂ ଏୟାରବେସ୍ ନିର୍ମାଣ କରି ଏହା ନିଜକୁ ମଜବୁତ କରୁଛି। ନିକଟରେ ଚୀନ୍ ଏହାକୁ ତିବ୍ଦତର ଏକ ଅଂଶ କରିବା ପାଇଁ ଅରୁଣାଚଳ ପ୍ରଦେଶର ୧୧ ଟି ଅଞ୍ଚଳର ନାମ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛି। ତେବେ ଏହି ପ୍ରସଙ୍ଗରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଚୀନ୍‌କୁ ଦର୍ପଣ ଦେଖାଇଥିବା ବେଳେ ଏହି ନାମଗୁଡ଼ିକ ସହିତ ପରିବର୍ତ୍ତନ ହେବ ନାହିଁ ବୋଲି କହିଥିଲା। ଅରୁଣାଚଳ ପ୍ରଦେଶ ସର୍ବଦା ଭାରତର ଏକ ଅଂଶ ହେବ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଭୁଟାନ ସୀମାରେ ଥିବା ସିକ୍କିମ-ଭୁଟାନ-ତିବ୍ଦତ ଟ୍ରାଇ-ଜଙ୍କସନରେ ଡୋକଲାମ ନିକଟରେ ଭିତ୍ତିଭୂମି ସହିତ ପିପୁଲ୍ସ ଲିବରେସନ୍ ଆର୍ମି ନିଜର ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିଛି। ଏହା ଭାରତ ପାଇଁ ବହୁତ ଚିନ୍ତାର କାରଣ। ଚୀନ୍‌ର ଏହି ପଦକ୍ଷେପ ସିଲିଗୁଡି କରିଡର ଯଥା ଚିକେନ୍ ନେକ ଉପରେ ଚାପ ପକାଉଥିବା ଦେଖାଯାଉଛି। ଭାରତର ବଢୁଥିବା ବିଶ୍ଵସ୍ତରୀୟ ସ୍ବୀକାର୍ଯ୍ୟତାକୁ ନେଇ ଚୀନ୍ ଗଭୀର ଚକିତ ହୋଇଯାଇଛି। ଅରୁଣାଚଳ ପ୍ରଦେଶରୁ ଲଦାଖ ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରସଙ୍ଗରେ ବିଶ୍ଵର ଅନେକ ବଡ ଦେଶ ଭାରତ ସପକ୍ଷରେ ଠିଆ ହୋଇଥିବା ଦେଖାଯାଉଛି। ଯାହା ଚାଇନାକୁ ଅସହଜ କରୁଛି।

ଭାରତୀୟ ସେନାର ପ୍ରସ୍ତୁତି କ’ଣ?:

୨୦୨୦ ମସିହାରେ ପୂର୍ବ ଲଦାଖରେ PLA ଏବଂ ଭାରତୀୟ ସୈନିକଙ୍କ ମଧ୍ୟରେ ଝଗଡା ହେବା ପରଠାରୁ ଭାରତୀୟ ସେନା ଏବଂ ବାୟୁସେନା ଚୀନ୍ ସୀମାରେ ଆକ୍ରମଣାତ୍ମକ ତଥା ପ୍ରତିରକ୍ଷା ପ୍ରତିକ୍ରିୟା ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଚଳିତ ବର୍ଷ ଫେବୃଆରୀରେ ସିକ୍କିମ୍ ଏବଂ ସିଲିଗୁଡି କରିଡରକୁ ଜଗିବା ପାଇଁ ନିୟୋଜିତ ୩୩ ଟି କର୍ପସକୁ ପ୍ରଥମ ଅଭ୍ର ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ରେଜିମେଣ୍ଟ ଦିଆଯାଇଛି। ୭୦ କିଲୋମିଟର ଦୂରତାରେ ଆସୁଥିବା ବିମାନ, ହେଲିକପ୍ଟର, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ କ୍ଷେପଣାସ୍ତ୍ର ଅଭ୍ର ମାଧ୍ୟମରେ ନଷ୍ଟ ହୋଇପାରେ।

କେବଳ ଏତିକି ନୁହେଁ, ଭାରତୀୟ ବାୟୁସେନା ସୀମାରେ ଋଷର ଟେକ୍ନୋଲୋଜି ଏସ-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ନିୟୋଜିତ କରିଛି। ଯାହା ୩୮୦ କିଲୋମିଟର ଦୂରତାରେ ଯୁଦ୍ଧ ବିମାନ, କ୍ଷେପଣାସ୍ତ୍ର ଏବଂ ବୋମା ବିସ୍ଫୋରଣକାରୀଙ୍କୁ ସହଜରେ ଟାର୍ଗେଟ କରିପାରିବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭାରତୀୟ ସେନାର କିଛି ସୈନ୍ୟଙ୍କୁ ରିଜର୍ଭରେ ରଖାଯାଇଛି, ଯାହା କୌଣସି ଜରୁରୀକାଳୀନ ପରିସ୍ଥିତିରେ ସୀମାରେ ନିୟୋଜିତ ହୋଇପାରିବ। ଏହି ସୈନ୍ୟମାନେ ଚୀନ୍ ବିରୋଧରେ ଆକ୍ରମଣାତ୍ମକ ତଥା ପ୍ରତିରକ୍ଷା ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି।

ଏହା ସହ ହାସିମାରା ଏୟାରବେସରେ ରାଫାଲ ବିମାନ ନିୟୋଜିତ କରାଯାଇଛି। ଏଥି ସହିତ ଚାବୁଆ ଏବଂ ତେଜପୁରରେ ସୁଖୋଇ -୩୦ ଏମକେ ଯୁଦ୍ଧ ବିମାନର ନିୟୋଜନ ମଧ୍ୟ ଚୀନ୍ ସେନାର କୌଣସି ପଦକ୍ଷେପକୁ ଜବାବ ଦେବାକୁ ପ୍ରସ୍ତୁତ ଅଛି। କେବଳ ଏତିକି ନୁହେଁ ଚୀନ୍ ସୀମାରେ ବ୍ରାହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଆକାଶ କ୍ଷେପଣାସ୍ତ୍ର ମଧ୍ୟ ନିୟୋଜିତ ହୋଇଛି। ଜଣେ ବରିଷ୍ଠ ସୈନିକ କହିଛନ୍ତି ଯେ, ନିକଟ ଅତୀତରେ ଭାରତୀୟ ସେନା ଏବଂ ବାୟୁସେନା ଏହି ଅଞ୍ଚଳରେ ଅନେକ ଯୁଦ୍ଧାଭ୍ୟାସ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଜି-୨୦ ପ୍ରେସିଡେନ୍ସି ଅଧ୍ୟକ୍ଷତା ପାଳନ ପରିପ୍ରେକ୍ଷୀରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଭାରତରେ ଜି-୨୦ ଅଧ୍ୟକ୍ଷତା ଉପଲକ୍ଷେ ଓଡ଼ିଶାରେ ଏକ ମାସ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବା ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ସୋଆ କ୍ୟାମ୍ପସ ୫ରେ ରୋଟାରୀ କ୍ଲବ ଖାରବେଳ-କଳିଙ୍ଗନଗର ଓ ସୋଆ ପକ୍ଷରୁ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ରୋଟାରୀ କ୍ଲବ ଖାରବେଳ, କଳିଙ୍ଗନଗରର ସଭାପତି ରୋଟାରିଆନ୍ ଲେଫ୍‌ଟନାଂଟ କର୍ନେଲ ଏସ୍‌. ଜଗନ୍ନାଥ ରାଓ, ସମ୍ପାଦକ ରୋଟାରିଆନ୍ ଦିଲୀପ କୁମାର ଜେନା, ପିଡିଜି ଶିବବ୍ରତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ଆସନ୍ତା ଏପ୍ରିଲ୍ ୨୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଜି-୨୦ ଦେଶର ପ୍ରତିନିଧିମାନେ ଭୁବନେଶ୍ୱରରେ ଆୟୋଜତ ହେବାକୁ ଥିବା ତୃତୀୟ ଏଜୁକେସନ୍ ୱାର୍କିଂ ଗ୍ରୁପ୍ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଏହି ପରିପ୍ରେକ୍ଷୀରେ ଓଡ଼ିଶାର ୩୦ ଟି ଜିଲ୍ଲାରେ ଜନଭାଗୀଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥି ନିମନ୍ତେ ସୋଆକୁ ଆଙ୍କର ଅନୁଷ୍ଠାନ ଭାବେ ମନୋନୀତ କରାଯାଇଥିବା ବେଳେ ବଲାଙ୍ଗୀର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ନେଇ ସୋଆକୁ ଦାୟିତ୍ୱ ଦିଆଯାଇଥିବା ବେଳେ ଶନିବାର ମଧ୍ୟ ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଗତ ୨୪ ଘଣ୍ଟାରେ ୬ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ମାମଲା ୨୮ ହଜାର ଅତିକ୍ରମ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬୦୫୦ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଦୈନିକ ରିପୋର୍ଟରେ ଏହି ସୂଚନା ଗ୍ରହଣ କରାଯାଇଛି। ନୂତନ ମାମଲାଗୁଡ଼ିକର ବୃଦ୍ଧି ସହିତ ସକ୍ରିୟ ମାମଲା ସଂଖ୍ୟା ୨୮ ହଜାର ୩୦୩ କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ କରୋନା ମାମଲାରେ ୧୩ ପ୍ରତିଶତ ବୃଦ୍ଧି ଘଟିଛି। ଏହାପୂର୍ବରୁ ଗୁରୁବାର ଦିନ ୫ ହଜାର ୩୩୫ ଟି ନୂଆ ମାମଲା ରୁଜୁ ହୋଇଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୧୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୯୪୩ କୁ ବୃଦ୍ଧି ପାଇଛି। ଶୁକ୍ରବାର ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୪୧ ଲକ୍ଷ ୮୫ ହଜାର ୮୫୮ ରୋଗୀ ଉଦ୍ଧାର ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପୁଣି ବଢୁଛି କରୋନା ଭାଇରସ୍: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ମାମଲା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୪୩୫ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ନୂଆ ମାମଲାରେ ୪୬ ପ୍ରତିଶତ ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ, ଯଦି ଆମେ ଦୈନିକ ପଜିଟିଭ ହାର ବିଷୟରେ ଆଲୋଚନା କରିବା, ତେବେ ଏହା ୩.୩୮ ପ୍ରତିଶତ ଅଟେ। ଭାରତରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ୨୩,୦୯୧।

ଗତ ୨୪ ଘଣ୍ଟା ମଧ୍ୟରେ, କରୋନାରୁ ୨ ହଜାର ୫୦୮ ଲୋକ ଉଦ୍ଧାର ହୋଇଛନ୍ତି। ମୋଟ ପୁନରୁଦ୍ଧାର ସଂଖ୍ୟା ବିଷୟରେ କହିବାବେଳେ ଏହା ୪,୪୧,୭୯,୭୧୨ ଅଟେ।

Categories
ବିଶେଷ ଖବର

ଉତ୍କଳ ଦିବସରୁ ରାଜ୍ୟରେ ଆରମ୍ଭ ହେଲା ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଦେଶର ବିଭିନ୍ନ ପ୍ରାନ୍ତରେ ପର୍ଯ୍ୟାୟକ୍ରମେ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ବୈଠକମାନ ଆୟୋଜନ କରାଯାଉଛି। ଆସନ୍ତା ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଆୟୋଜନ କରାଯିବ। ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ନିମନ୍ତେ ଜନସଚେନତା ସୃଷ୍ଟି ଲାଗି ଆଜି ଉତ୍କଳ ଦିବସ ଠାରୁ ରାଜ୍ୟବ୍ୟାପୀ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଜନ-ଭାଗିଦାରୀ ମାଧ୍ୟମରେ ଭାରତର ଜି-୨୦ ଅଧ୍ୟକ୍ଷତାକୁ ସଫଳ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ କରିଛନ୍ତି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ପ୍ରାୟ ଏକ ମାସ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଜି-୨୦ ସମ୍ବନ୍ଧୀୟ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ୩୫ରୁ ଅଧିକ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରୁଛନ୍ତି। ଜି୨୦କୁ ଜନଭାଗିଦାରୀ ଆନ୍ଦୋଳନରେ ପରିଣତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

ଆଜି ପ୍ରଥମ ଦିନରେ ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ଏନଆଇଟି ରାଉରକେଲା ସମେତ ରାଜ୍ୟର ବିଭିନ୍ନ ସହରରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ଏବଂ ଜନଭାଗିଦାରୀ କାର୍ଯ୍ୟକ୍ରମର ନୋଡାଲ ଏଜେନ୍ସି ଭାବେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ସାଇକେଲ ରାଲି ଏବଂ ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଏସଡିଆଇ ଭୁବନେଶ୍ୱର ପକ୍ଷରୁ ମଧ୍ୟ ଯୋଗ ଶିବିର ଓ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ଏବଂ ଜନଭାଗିଦାରୀ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।

କିଟ୍‌ ବିଶ୍ୱବିଦ୍ୟାଳୟ ଠାରେ ‘‘ପ୍ରଯୁକ୍ତି ଆଧାରିତ ଅଧ୍ୟୟନକୁ ଅଧିକ ସମାବେଶୀ, ଗୁଣାତ୍ମକ ଓ ସହଭାଗୀ କରିବା’’ ବିଷୟବସ୍ତୁକୁ ନେଇ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରଭାତ ଫେରି ଏବଂ ସାଇକେଲ ଶୋଭାଯାତ୍ରାରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ସାମିଲ ହୋଇଥିଲେ।

ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ସିଏସଆଇଆର- ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ଠାରେ ଜନ-ଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ପ୍ରଭାତଫେରି ଆୟୋଜନ କରାଯାଇଥିଲା। ମୁଖ୍ୟ ବୈଜ୍ଞାନିକ ଡକ୍ଟର ଏକେ ସାହୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ ପ୍ରତିଷ୍ଠାନର ବୈଜ୍ଞାନିକ, କର୍ମଚାରୀ, ଛାତ୍ରଛାତ୍ରୀଙ୍କ ସମେତ ୧୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ। ସମସ୍ତଙ୍କୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ସମ୍ପର୍କରେ ସଚେତନ କରାଯାଇଥିଲା।

ସେହିପରି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଏହାର କ୍ୟାମ୍ପସ ପରିସରରେ ପ୍ରଭାତ ଫେରି ଆୟୋଜନ କରାଯାଇଥିଲା। ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି ଅଗ୍ରୱାଲ ଉଦଘାଟନ କରିଥିଲେ। ଅନୁଷ୍ଠାନର ଡିନ୍‌, ଡି.ଏମ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରାୟ ୩୦୦ରୁ ଅଧିକ ଲୋକ ଏଥିରେ ସାମିଲ ହୋଇଥିଲେ।

ଅନ୍ୟପଟେ ଭୁବନେଶ୍ୱରସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ କୋଣାର୍କସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଠାରେ ଜି-୨୦ ଜନଭାଗିଦାରୀ ବିଷୟବସ୍ତୁ ଉପରେ ଆଧାରିତ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।  କୋଣାର୍କ ଜବାହର ନବୋଦୟ ବିଦ୍ୟାଳୟର ସବୁ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ଭୁବନେଶ୍ୱରରେ ଆୟୋଜନ କରାଯିବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା। ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ପ୍ରାୟ ୮୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ସେହିପରି ଭୁବନେଶ୍ୱର ସ୍ଥିତ ବିଆଇଆଇଟିଏମ ପକ୍ଷରୁ ଜି-୨୦ ଜନ ଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଜି୨୦ ପୋଷ୍ଟର ଉନ୍ମୋଚନ କରାଯିବା ସହିତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଟି-ସାର୍ଟ ଓ ଟୋପି ବିତରଣ କରାଯାଇଥିଲା। ବିଆଇଆଇଟିଏମ ଦ୍ୱାରା ଡିଏଲଏଫ ସାଇବର ସିଟୀ ଦିଗରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ଯେଉଁଥିରେ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, କର୍ମଚାରୀମାନେ ହାତରେ ପୋଷ୍ଟର, ବ୍ୟାନର ଧରି ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ଏବଂ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।

ଅନୁରୂପ ଭାବେ ଇସ୍ପାତ ନଗରୀ ରାଉରକେଲା ଠାରେ ଏନଆଇଟି ରାଉରକେଲା ପକ୍ଷରୁ ଉତ୍କଳ ଦିବସ ଉପଲକ୍ଷେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଏନଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଉଦଘାଟନ କରିଥିଲେ। ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଏଥିରେ ଜନସାଧାରଣଙ୍କ ସହଭାଗିତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ୧୦ଟି ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରେ ଏନଆଇଟି ରାଉରକେଲାକୁ ଚୟନ କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାରେ ଭାରତର ଜି୨୦ ଅଧ୍ୟକ୍ଷତା ସମ୍ପର୍କରେ ପ୍ରଚାର ପ୍ରସାର କରିବା ଲାଗି ଏନଆଇଟି ରାଉରକେଲା ଦ୍ୱାରା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଆଜିର ଜନଭାଗିଦାରୀ କାର୍ଯ୍ୟକ୍ରମ ଅବସରରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଓ କବିତା ଆବୃତ୍ତି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଅନ୍ୟପକ୍ଷରେ ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜି୨୦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷା ବିଭାଗର ଅଧିକାରୀ, ଜିଲ୍ଲା ସ୍କୁଲ ଛାତ୍ରଛାତ୍ରୀ ଓ ଅନ୍ୟ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ୱରସ୍ଥିତ ଏନସିଇଆରଟି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସଚେତନତା ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ଯେଉଁଥିରେ ୧୩୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଶୁଭାରମ୍ଭ ଉପଲକ୍ଷେ ଭୁବନେଶ୍ୱର ସିପେଟ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ଶୋଭାଯାତ୍ରାରେ ଯାଇ ଜି-୨୦ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ।

ଅନ୍ୟପକ୍ଷରେ ସମ୍ବଲପୁର ଆଇଆଇଏମ ପକ୍ଷରୁ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଏବଂ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ସମ୍ବଲପୁର ଜବାହର ନବୋଦୟ ବିଦ୍ୟାଳୟ ଠାରେ ‘‘ଷ୍ଟାର୍ଟଅପ୍‌ ଏବଂ ଭବିଷ୍ୟତର କାର୍ଯ୍ୟ’’ ସମ୍ପର୍କରେ ଏକ ସେମିନାର ଆୟୋଜନ କରାଯାଇଥିଲା। ଏଥିରେ ଆଇଆଇଏମର ଅଧ୍ୟାପକ, ଜେଏନଭିର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ  ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ମାମଲାରେ ୪୦ ପ୍ରତିଶତ ବୃଦ୍ଧି: ୨୪ ଘଣ୍ଟାରେ ୩ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ପୁଣିଥରେ କରୋନା ଭାରତରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ମାମଲାରେ ୪୦ ପ୍ରତିଶତ ବୃଦ୍ଧି ଘଟିଛି। ଗୋଟିଏ ଦିନରେ ୩ ହଜାର ୧୬ ଟି ନୂତନ ମାମଲା ରିପୋର୍ଟ ହୋଇଛି, ଯାହାକି ଅକ୍ଟୋବର ୨ ତାରିଖ ୨୦୨୨ ପରଠାରୁ ସର୍ବାଧିକ ଦୈନିକ କୋଭିଡ ମାମଲା ଅଟେ। ଏହାପୂର୍ବରୁ ଗତ ବର୍ଷ ଅକ୍ଟୋବର ୨ ରେ ଦୈନିକ ୩ ହଜାର ୩୭୫ ମାମଲା ରୁଜୁ ହୋଇଥିଲା।

ବର୍ତ୍ତମାନ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୭ ଲକ୍ଷ ୧୨ ହଜାର ୬୯୨ କୁ ବୃଦ୍ଧି ପାଇଛି। ଗତ ୬ ମାସ ମଧ୍ୟରେ ଏହା ସର୍ବାଧିକ ଦୈନିକ ମାମଲା ରିପୋର୍ଟ ହୋଇଛି। ଏଥି ସହିତ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୧୩ ହଜାର ୫୦୯ କୁ ବୃଦ୍ଧି ପାଇଛି।

ତେବେ ଏପର୍ଯ୍ୟନ୍ତ ସମୁଦାୟ ୪ କୋଟି ୪୧ ଲକ୍ଷ ୬୮ ହଜାର ୩୨୧ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପୁନର୍ବାର ଇତିହାସ ରଚିଲା ISRO, ଉତକ୍ଷେପଣ ହେଲା ଭାରତର ସର୍ବବୃହତ LVM3 ରକେଟ୍

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଜି ଏକାସାଙ୍ଗରେ 36 ଟି ଉପଗ୍ରହ ଉତକ୍ଷେପଣ କରିଛି। ବ୍ରିଟିଶ କମ୍ପାନୀର ଉପଗ୍ରହ ବହନ କରୁଥିବା ISRO ର LVM3 ଉତକ୍ଷେପଣ ଯାନ ସକାଳ 9 ଟାରେ ଶ୍ରୀ ହରିକୋଟା ଠାରୁ ଉଡ଼ିବା ଆରମ୍ଭ କଲା।

ସରକାରୀ ସୂଚନା ଅନୁଯାୟୀ, ଏହି ସାଢେ 43 ମିଟର ଉଚ୍ଚର ISRO ରକେଟ୍ ବ୍ରିଟେନର ଏକ କମ୍ପାନୀର 36 ଟି ଉପଗ୍ରହ ସହିତ ଉଡାଣ ଭରିଛି। ଯେଉଁ ଉପଗ୍ରହଗୁଡ଼ିକୁ ଧରି LVM3 ଉଡାଣ ଭରିଲା, ଯାହାର ମୋଟ ଓଜନ 5 ହଜାର 805 ଟନ୍। ଏହି ମିଶନର ନାମ LVM3-M3 / OneWeb India-2। ଟୁଇଟ୍ କରି ଏହି ମିଶନର ଶୁଭାରମ୍ଭ ବିଷୟରେ ISRO ସୂଚନା ଦେଇଥିଲା।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

୨୪ ଘଣ୍ଟା ମଧ୍ୟରେ ଭାରତରେ ୧୫୦୦ ରୁ ଅଧିକ କରୋନା ମାମଲା ଚିହ୍ନଟ, ୧୪୬ ଦିନ ମଧ୍ୟରେ ସର୍ବାଧିକ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋଭିଡ-୧୯ ର ୧,୫୯୦ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଯାହା ଗତ ୧୪୬ ଦିନ ମଧ୍ୟରେ ସର୍ବାଧିକ। ଏହା ପରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୮,୬୦୧ କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଆଜି ସକାଳ ଆଠଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ତିନି ଜଣ, କର୍ଣ୍ଣାଟକ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୦ ହଜାର ୮୨୪ କୁ ବୃଦ୍ଧି ପାଇଛି।

ଏହା ସହିତ ଭାରତରେ କୋଭିଡ-୧୯ ର ମୋଟ ମାମଲା ୪ କୋଟି ୪୭ ଲକ୍ଷ ୨ ହଜାର ୨୫୭ କୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, ସଂକ୍ରମଣରୁସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୧ ଲକ୍ଷ ୬୨ ହଜାର ୮୩୨ କୁ ବୃଦ୍ଧି ପାଇଛି।