Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱରରେ କୋଲ ଇଣ୍ଡିଆର ପ୍ରଥମ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ସ କନ୍‌କ୍ଲେଭ

ଭୁବନେଶ୍ୱର: କୋଲ ଇଣ୍ଡିଆ ଲିମିଟେଡ୍‌ର ପ୍ରଥମ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ସ (ଆଇଆର) କନ୍‌କ୍ଲେଭ-୨୦୨୨ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। “ବ୍ୟବସାୟ ସକ୍ଷମ ଆଇଆର ପରିବେଶ ସୃଷ୍ଟି” ଥିମ୍‌କୁ ନେଇ ଆୟୋଜିତ ଏହି ଦୁଇ ଦିନିଆ କନ୍‌କ୍ଲେଭକୁ କୋଲ ଇଣ୍ଡିଆ ଲିମିଟେଡ୍‌ର ନିର୍ଦ୍ଦେଶକ (ପର୍ସନାଲ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ସ (ଆଇଆର) ବିନୟ ରଞ୍ଜନ ଉଦ୍‌ଘାଟନ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ କେଶବ ରାଓ, ନିର୍ଦ୍ଦେଶକ (ପର୍ସନାଲ) ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମସିଏଲ୍‌)-ସମ୍ବଲପୁର, ଏଚ୍ ଏନ୍ ମିଶ୍ର, ନିର୍ଦ୍ଦେଶକ (ପର୍ସନାଲ), ସେଣ୍ଟ୍ରାଲ କୋଲଫିଲ୍ଡ ଲିମିଟେଡ୍ (ସିସିଏଲ୍‌)-ରାଞ୍ଚି, ମନୀଷ କୁମାର, ନିର୍ଦ୍ଦେଶକ (ପର୍ସନାଲ), ଉତ୍ତରାଞ୍ଚଳ କୋଲଫିଲ୍ଡ ଲିମିଟେଡ୍ (ଏନ୍‌ସିଏଲ୍‌), ଆହୁତି ଏ, ନିର୍ଦ୍ଦେଶକ (ପର୍ସନାଲ), ଇଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡ୍ (ଇସିଏଲ୍‌), ଅଜୟ ଚୌଧୁରୀ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପର୍ସନାଲ), କୋଲ ଇଣ୍ଡିଆ ଉପସ୍ଥିତ ଥିଲେ।

ଏହି କନ୍‌କ୍ଲେଭକୁ ଉଦ୍‌ଘାଟନ କରି ବିନୟ ରଞ୍ଜନ, ନିର୍ଦ୍ଦେଶକ (ପର୍ସନାଲ ଆଣ୍ଡ ଆଇଆର) କହିଛନ୍ତି, ଏହି ଦୁଇଦିନିଆ କନ୍‌କ୍ଲେଭ୍ କୋଇଲା କମ୍ପାନୀର ଏଚ୍‌ଆର୍ ପ୍ରଫେସନାଲମାନଙ୍କୁ ସେମାନଙ୍କର କାର୍ଯ୍ୟର ଅଭିଜ୍ଞତା ବାଣ୍ଟିବା ସହିତ ବିଶେଷଜ୍ଞଙ୍କଠାରୁ ପରାମର୍ଶ ଗ୍ରହଣ କରିବାର ସୁଯୋଗ ପ୍ରଦାନ କରିବ।

ସ୍ୱାଗତ ଭାଷଣ ମାଧ୍ୟମରେ ଆଇଆର କନ୍‌କ୍ଲେଭ ବିଷୟବସ୍ତୁର ପ୍ରାସଙ୍ଗିକତା ଉପରେ ଗୁରୁତ୍ୱ ଦେଇ ଏମସିଏଲ୍ ନିର୍ଦ୍ଦେଶକ (ପର୍ସନାଲ) କେଶବ ରାଓ କହିଛନ୍ତି, କନ୍‌କ୍ଲେଭରେ ଥିବା ବିଷୟଗୁଡିକ କେବଳ ସାମ୍ପ୍ରତିକ ପରିସ୍ଥିତିରେ ପ୍ରାସଙ୍ଗିକ ନୁହେଁ, ବରଂ ଏଚ୍‌ଆର୍ ପ୍ରଫେସନାଲମାନଙ୍କ ମଧ୍ୟରେ ଜବରଦସ୍ତ ବିଚାର ଓ ବିତର୍କ ସୃଷ୍ଟି କରିବାରେ ସକ୍ଷମ।
କୋଲ ଇଣ୍ଡିଆ ଦେଶର ପ୍ରମୁଖ କର୍ପୋରେଟ୍‌ମାନଙ୍କ ମଧ୍ୟରେ ରହିଛି ଏବଂ ବିକାଶଶୀଳ ଅର୍ଥନୀତି ପାଇଁ ବଢୁଥିବା ଶକ୍ତି ଆବଶ୍ୟକତାକୁ ସଫଳତାର ସହ ପୂରଣ କରିବ ବୋଲି ଶ୍ରୀ ରାଓ କହିଛନ୍ତି।

କୋଭିଡ୍ ଲକ୍‌ଡାଉନ ସମୟରେ ପରିସ୍ଥିତି ବିଷୟରେ ଉଲ୍ଲେଖ କରି ଶ୍ରୀ ରାଓ କହିଛନ୍ତି, ଦୀର୍ଘଦିନର ତାଲାବନ୍ଦ ଓ ଜୀବନ ପ୍ରତି ବିପଦ ସତ୍ତ୍ୱେ କୋଲ ଇଣ୍ଡିଆର କର୍ମଚାରୀମାନେ ଦୃଢ ଭାବେ ଠିଆ ହୋଇଥିଲେ। ଉତ୍ତାପ, ଧୂଳି, ଥଣ୍ଡା ଓ ବର୍ଷାରେ କଠିନ ପରିଶ୍ରମ କରି ଦେଶର ବିଦ୍ୟୁତ ସଙ୍କଟକୁ ଦୂର କରିବା ପାଇଁ ବହୁ ପରିମାଣର କୋଇଲା ଉତ୍ତୋଳନ କରିଥିଲେ। କୋଇଲା ଉତ୍ତୋଳନ ଓ ବିତରଣ ମାଧ୍ୟମରେ ବର୍ଦ୍ଧିତ ଚାହିଦା ମେଣ୍ଟାଇ ଦେଶର ଆଶା ପୂରଣ କରିପାରିଥିବାରୁ ଆମେ ଗର୍ବିତ ବୋଲି ସେ କହିଛନ୍ତି।

ଏହି ଦୁଇଦିନବ୍ୟାପୀ କନ୍‌କ୍ଲେଭରେ ବିଭିନ୍ନ ପ୍ରସଙ୍ଗରେ ୧୪ଜଣ ବିଶେଷଜ୍ଞ ସେମନଙ୍କ ମଦ ଉପସ୍ଥାପନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ: ଦଶଟି ଗ୍ରାମରେ ୨୨ଟି ପ୍ରଶିକ୍ଷଣ ଶିବିର କଲେ ସୋଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଚତୁର୍ଥ ବର୍ଷ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭୁବନେଶ୍ୱର ଉପକଣ୍ଠ ସ୍ଥିତ ୧୦ ଟି ଗ୍ରାମରେ ଗ୍ରାମ ସଂଯୋଗୀକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୭ ନଭେମ୍ବରରୁ ୧୩ ଡିସେମ୍ବର, ଗୋଟିଏ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଚତୁର୍ଥ ବର୍ଷର ୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱର ଉପକଣ୍ଠରେ ଥିବା କୁଜିମହଲ, ଶିମିଳିପାଟଣା, ମେଣ୍ଢାଶାଳ, ଛତାବର, ଗିରିଙ୍ଗାପୁଟ, ଦାସପୁର, କାଟେଣି, କଂଟାବାଡ, ଭୋଳା ଓ ଅନ୍ଧାରୁଆ ପ୍ରଭୃତି ଗ୍ରାମକୁ ସାମିଲ କରାଯାଇଥିଲା।

ଛାତ୍ରଛାତ୍ରୀମାନେ ଏହି ଗ୍ରାମଗୁଡ଼ିକୁ ପରିଦର୍ଶନ କରିବା ସହ ଗ୍ରାମର ସାମାଜିକ, ଅର୍ଥନୈତିକ ଓ କୃଷିଭିତିକ ତଥ୍ୟ ଆଧାରରେ ରେଖାଚିତ୍ରମାନ ପ୍ରସ୍ତୁତ କରିଥିଲେ। ଏଥି ସହିତ କୃଷି ଓ କୃଷିଜାତ ଉତ୍ପାଦମାନଙ୍କର ବିକ୍ରୟ ଓ ବଜାରୀକରଣ ବିଷୟରେ ଅଗ୍ରଣୀ କୃଷକମାନଙ୍କ ସହ ଆଲୋଚନା କରି ସେମାନଙ୍କର କ୍ଷେତ୍ର ପରିଦର୍ଶନ କରିଥିଲେ। ଗ୍ରାମରେ ଏବେ ଅନୁଭୂତ ହେଉଥିବା କୃଷି ପ୍ରତି ବିମୁଖତାର କାରଣ, ଧାନ ଓ ପନିପରିବା ଫସଲର ବୈଜ୍ଞାନିକ ପଦ୍ଧତିରେ ଚାଷ ଓ ଏହାର ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ପର୍ଯ୍ୟାଲେଚନା ମଧ୍ୟ କରାଯାଇଥିଲା।
ଚଳିତ ମାସରେ ପାଳିତ ହୋଇଥିବା ବିଶ୍ୱ ମୃତିକା ଦିବସରେ ମଧ୍ୟ ସବୁ ଗ୍ରାମରେ କୃଷକ ଓ ଅନ୍ୟାନ୍ୟ ଗ୍ରାମବାସୀମାନଙ୍କୁ ନେଇ ମୃତିକାର ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଡକ୍ଟର ଭୁବନାନନ୍ଦ ଅଧିକାରୀ, ଡକ୍ଟର ମାନସ ପଟେଲ, ଡକ୍ଟର ସିମନ୍ତିନି ଶାସନୀ, ଡକ୍ଟର ସୌମ୍ୟା ମିଶ୍ର, ଡକ୍ଟର ରାମ ପ୍ରସାଦ ନନ୍ଦି, ଡକ୍ଟର ସବ୍ୟସାଚୀ ପ୍ରଧାନ, ଅଧ୍ୟାପକ କୁମାର ସମ୍ଭବ ଗିରି, ଅଧ୍ୟାପକ ରାମକୃଷ୍ଣ ବସ୍ତିଆ, ସୂର୍ଯ୍ୟ ସିଦ୍ଧାନ୍ତ ରଥ, ସୁଶ୍ରୀ ସୁଦର୍ଶନା କର, ଦୀପ୍ତନୁ ଦତ, ଡକ୍ଟର ପ୍ରଣୟ ରାୟ ପ୍ରମୁଖଙ୍କ ତତ୍ୱାବଧାନରେ ଏହି ସବୁ ଗ୍ରାମମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉନ୍ନତ ଓ ବୈଜ୍ଞାନିକ ଉପାୟ ଅବଲମ୍ବନରେ ହେଉଥିôବା ଆଧୁନିକ କୃଷି ଯଥା ଜୈବିକ ଚାଷ, ଅନ୍ତଃ ଚାଷ, ଗୋବର ଗ୍ୟାସ ଉତ୍ପାଦନ, ବିହନ ବିଶୋଧନ, ଛତୁ ଚାଷ, ଜିଆ ଖତ, ମହମାଛି ପାଳନ, ପତ୍ର ରଙ୍ଗ ଚାର୍ଟର ବ୍ୟବହାର, କନ୍ଦ ଜାତୀୟ ଫସଲ ଚାଷ ତଥା ବିଭିନ୍ନ ଫସଲରେ ସମନ୍ୱିତ ସାର, ରୋଗ, କୀଟ ପରିଚାଳନା ବିଷୟରେ ୨୨ଟି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି ଶିବିର ଗୁଡ଼ିକରେ ପ୍ରତି ଗ୍ରାମର ଅନେକ ଅଗ୍ରଣୀ କୃଷକ ଓ ଗ୍ରାମବାସୀମାନେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଏହି ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ ବାସ୍ତବିକ ସଫଳ ହୋଇଛି ଓ ଏହାର ଉଦ୍ଦେଶ୍ୟ ସାଧିତ ହୋଇଛି ବୋଲି କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ସାହୁ ମତବ୍ୟକ୍ତ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କ ଅକ୍ଳାନ୍ତ ପରିଶ୍ରମରେ ସଂଗୃହୀତ ତଥ୍ୟ ସବୁକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇ ଏହାକୁ ସରକାରୀ ସ୍ତରକୁ ପଠାଗଲେ କୃଷକମାନେ ନିଶ୍ଚୟ ଉପକୃତ ହେବେ ବୋଲି ସହକାରୀ ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ ଓ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ଅଂଶୁମାନ ଜେନା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସବୁ ଗ୍ରାମର ସରପଂଚ, କୃଷକ ସାଥୀଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସହାୟତା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ରେଳ ଷ୍ଟେସନର ପ୍ରମୁଖ ଭିତ୍ତିଭୂମି କାର୍ଯ୍ୟ ପାଇଁ ଆରମ୍ଭ ହେଲା ଅସ୍ଥାୟୀ କ୍ୟାମ୍ପ ଅଫିସ୍

ଭୁବନେଶ୍ବର: ଯାତ୍ରୀଙ୍କ ଅନୁକୂଳ ସୁବିଧା ସହିତ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଭାବରେ ଭୁବନେଶ୍ୱର ରେଳ ଷ୍ଟେସନକୁ ପୁନଃ ବିକାଶ କରାଯାଉଛି। ଏହା ଏକ ସାର୍ବଜନୀନ କେନ୍ଦ୍ରିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ନିଜେ ଏହି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ଏବଂ ତଦାରଖ କରୁଛନ୍ତି ଏବଂ ବିଶ୍ୱ ସ୍ତରର ଭିତ୍ତିଭୂମି ସହିତ ଯାତ୍ରୀ ଅନୁକୂଳ ସୁବିଧା ସହିତ ଏହି ପ୍ରକଳ୍ପ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।  ସଠିକ୍ ସମନ୍ୱୟ ସହିତ ନିର୍ମାଣ କାର୍ଯ୍ୟର କାର୍ଯ୍ୟକାରିତା ଉପରେ ସବିଶେଷ ଏବଂ ସଠିକ୍ ଯୋଜନା ପ୍ରତି ଗୁରୁତ୍ୱାରୋପ ଦେବାପାଇଁ ଶ୍ରୀ ସୁନକର ମଧ୍ୟ ଅଧିକାରୀ ମାନଙ୍କୁ କହିଛନ୍ତି।

ଏହି ବିକାଶ ପ୍ରକ୍ରିୟାରେ ଅନେକ ସୁବିଧା ପ୍ରଦାନ କରାଯିବାକୁ ଯୋଜନା କରାଯାଇଅଛି।  ନୂତନ ବିଲଡିଂ, ବିସ୍ତୃତ ଚଳପ୍ରଚଳ କ୍ଷେତ୍ର ସହିତ କନକୋର୍ସ, ପ୍ଲାଟଫର୍ମ ଲାଇଟିଙ୍ଗ, ୱେଟିଂ ରୁମ୍, ଏୟାର କନ୍ସୋର୍ସ, ପ୍ଲାଟଫର୍ମ ଏବଂ ପ୍ଲାଟଫର୍ମ ଆଶ୍ରୟସ୍ଥଳର ନବୀକରଣ, ଫୁଡ୍ କୋର୍ଟ ଜୋନ୍ ଏବଂ ସପିଂ କ୍ଷେତ୍ର ଏବଂ ବର୍ଜ୍ୟବସ୍ତୁ ପରିଚାଳନା, ଶୌଚାଳୟ, ସବୁ ପ୍ଲାଟଫର୍ମକୁ ଯୋଡିବା ପାଇଁ ଫୁଟ ଓଭର ବ୍ରିଜ ସହିତ ଲିଫ୍ଟ ଓ ଏସ୍କାଲେଟର ବ୍ୟବସ୍ଥା ସହିତ ଯାତ୍ରୀମାନଙ୍କ ଆରାମ ପାଇଁ ବହୁତ ଆବଶ୍ୟକୀୟ ଯାତ୍ରୀ ପରିସେବାକୁ ପ୍ରାଥମିକତା ଦିଆଯାଉଅଛି। ଏହା ସହିତ ସୁସଜ୍ଜିତ ସେବା ରାସ୍ତା, ଯାନ ପାର୍କିଂ, ଡ୍ରେନ୍, ସାଇନେଜ୍ ଏବଂ ଡିଭାଇଡରର ବ୍ୟବସ୍ଥା ରହିବ। ନୂତନ ବିଲ୍ଡିଂରେ ସୁସଜ୍ଜିତ ସର୍କୁଲାର କ୍ଷେତ୍ର ବ୍ୟତୀତ ଉଚ୍ଚ ମାନକ ଡର୍ମିଟୋରି ଏବଂ ରିଟାୟାରିଙ୍ଗ ରୁମ ରହିବ।

ଏହି ବିକାଶ କାର୍ଯ୍ୟରେ ରେଳ ଅଂଶ କାମ ରେଳବାଇ ନିଜେ କରିବ। ଏହି କାର୍ଯ୍ୟକୁ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଭୁବନେଶ୍ବର ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ପାଇଁ ରେଳ ମନ୍ତ୍ରଣାଳୟ ୩୦୮ କୋଟି ଟଙ୍କା ମଞ୍ଜୁର କରିଛି। ଏହି ପ୍ରକଳ୍ପକୁ ପୂର୍ବତଟ ରେଳପଥ ନିର୍ମାଣ ବିଭାଗକୁ କାର୍ଯ୍ଯ ସମ୍ପାଦନ ପାଇଁ ନିଯୋଜିତ କରାଯାଇଅଛି। ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇସାରିଛି ଏବଂ କାର୍ଯ୍ଯ ସଂସ୍ଥା ନିଯୋଜିତ ହୋଇ ସାରିଛି। ପ୍ରକଳ୍ପର ନିର୍ମାଣ ଅବଧି କାର୍ଯ୍ୟ ଆରମ୍ଭରୁ ୨୪ ମାସ ମଧ୍ୟରେ ସମାପ୍ତ କରିବାକୁ ଧାର୍ଯ୍ୟ କରାଯାଇଅଛି। ଓଡିଶାର ଚାଲିଥିବା ସମସ୍ତ ରେଳ ପ୍ରକଳ୍ପରେ ଜାତୀୟ ଗୁରୁତ୍ୱ ରହିଛି। ରେଳବାଇ ପ୍ରକଳ୍ପଗୁଡିକ ପାଇଁ ସମସ୍ତ ପ୍ରକାର ତଥ୍ୟ /ନିବେଶ ଆଦେଶ ଦିଆଯାଇଅଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ଠାରେ ‘ବାୟୁ ମହତ୍ୱପୂର୍ଣ୍ଣ ଜୀବନଶକ୍ତି’ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଶୃଙ୍ଖଳା ଆୟୋଜିତ

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ବାୟୁ : ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି ଉପରେ ଏକ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଶନିବାର ଦିନ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ପଞ୍ଚ ମହାଭୂତ ବା ସୃଷ୍ଟିର ପାଞ୍ଚଟି ମହତ୍ୱପୂର୍ଣ୍ଣ ଉପାଦାନ ସମ୍ପର୍କରେ ରହି ଆସିଥିବା ଭାରତୀୟ ବିଚାରକୁ ପ୍ରଚାରପ୍ରସାର କରିବା ଉଦ୍ଦେଶ୍ୟରେ ବିଭିନ୍ନ ସମ୍ମିଳନୀ ଶୃଙ୍ଖଳା ଆୟୋଜନ କରାଯାଉଛି। ‘ବାୟୁ : ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀ ଏହି ଶୃଙ୍ଖଳାର ଏକ ଅଂଶବିଶେଷ।

ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି ମାନନୀୟ ରାଜ୍ୟପାଳ କହିଥିଲେ ଯେ, ଦେଶ ଓ ସାମଗ୍ରିକ ଭାବେ ବିଶ୍ୱ ପ୍ରତି କୃତଜ୍ଞତା ଜଣାଇବା ଲାଗି ଆଜାଦୀ କା ଅମୃତ ମହୋତ୍ସବ ଏକ ସୁଯୋଗ ଆଣିଛି। ସାମ୍ପ୍ରତିକ ସମୟରେ ବିଶ୍ୱ ବ୍ୟକ୍ତିବାଦୀ ହୋଇପଡ଼ିଛି। ସେ ଆହୁରି କହିଥିଲେ ଯେ ଏହି ସମ୍ମିଳନୀ ଜଗତ ଓ ମାନବତା ମଧ୍ୟରେ ରହିଥିବା ସମ୍ପର୍କକୁ ହୃଦୟଙ୍ଗମ କରିବା ଲାଗି ବ୍ୟକ୍ତିବିଶେଷଙ୍କୁ ସହାୟକ ହୋଇପାରିବ। ସାରା ଜଗତ ସହଯୋଗ ଓ ସହାବସ୍ଥାନ ଭାବନା ଉପରେ ଆଧାରିତ ବୋଲି ରାଜ୍ୟପାଳ କହିଥିଲେ। ସେ କହିଥିଲେ ଯେ, ବାୟୁ ତତ୍ତ୍ବ ବା ଉପାଦାନକୁ ପଞ୍ଚମହାଭୂତ ଠାରୁ ଅଲଗା କରାଯାଇପାରିବ ନାହିଁ ଏବଂ ସମସ୍ତ ଉପାଦାନକୁ ଏକତ୍ରିତ କରି ଦେଖିବା ଜରୁରି। ଆନ୍ତରିକ ଜାଗୃତି ଏହି ସମ୍ମିଳନୀର ଉଦ୍ଦେଶ୍ୟ ବୋଲି ସେ ଜୋର ଦେଇ କହିଥିଲେ। ପରିବେଶ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ ଯେ ଉଦଘାଟନୀ ଅଧିବେଶନରେ ଯୋଗ ଦେଇଥିବାରୁ ସେ ରାଜ୍ୟପାଳଙ୍କ ପ୍ରତି କୃତଜ୍ଞ। ସମ୍ମିଳନୀରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣକୁ ସେ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ଜାଣିବା ଜରୁରି। ଆମ ସମସ୍ତଙ୍କର ଦେଶ ଓ ପୃଥିବୀ ପ୍ରତି ଉତ୍ତରଦାୟିତ୍ୱ ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶ ବାୟୁ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଦିଗରେ ବିଶେଷ ପ୍ରଗତି ହାସଲ କରିଛି । ଶକ୍ତି କ୍ଷେତ୍ର ପାଇଁ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି କରାଯାଇଛି ଏବଂ ଅନ୍ତର୍ଜାତୀୟ ସୌର ମେଣ୍ଟର ପ୍ରତିଷ୍ଠା କରାଯାଇଛି । ବିଦ୍ୟୁତ ଚାଳିତ ବାହନକୁ ପ୍ରୋତ୍ସାହନ ଦିଆଯାଉଛି ଏବଂ ବାହନ ଚଳାଚଳ କ୍ଷେତ୍ରରେ ଇଥାନଲ ମିଶ୍ରଣକୁ ବାଧ୍ୟତାମୂଳକ କରାଯାଇଛି । ଶିଳ୍ପ କ୍ଷେତ୍ରରେ ସ୍ୱଚ୍ଛ ଇନ୍ଧନ ଆପଣାଇବାକୁ ପଦକ୍ଷେପ ନିଆଯାଇଛି । ଏକକ ବ୍ୟବହାର ବା ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ନିଷେଧ କରାଯିବା ଭଳି ପଦକ୍ଷେପ ସରକାରଙ୍କ ପ୍ରତିବଦ୍ଧତାର ଉଦାହରଣ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ମିଶନ୍‌ ଲାଇଫ ବା ପରିବେଶ ଅନୁକୂଳ ଜୀବନଶୈଳୀ ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ମୋଦଙ୍କ ଏହି ମହତ୍ବାକାଂକ୍ଷୀ ଅଭିଯାନ ଆରମ୍ଭ କରାଯାଇଥିଲା। ଶ୍ରୀ ଯାଦବ କହିଥିଲେ ଯେ, କେବଳ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ନୁହେଁ ବରଂ ବର୍ଜ୍ୟବସ୍ତୁ ସୃଷ୍ଟି ହ୍ରାସ କରିବା ପ୍ରତି ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି । ଅଙ୍ଗାରକାମ୍ଳ ବଜାର, ଅଙ୍ଗାରକାମ୍ଳ ହ୍ରାସ ପାଇଁ ପାଣ୍ଠି ଯୋଗାଣ, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଓ ଅନୁକୂଳ ପଦକ୍ଷେପ ଗ୍ରହଣ, ଦୀର୍ଘସ୍ଥାୟୀ ଉପଭୋଗ, ଦୀର୍ଘସ୍ଥାୟୀ ଉତ୍ପାଦନ ଏବଂ ଭବିଷ୍ୟତରେ ପରିବେଶ ଅନୁକୂଳ ବିବେକାନୁମୋଦିତ ଜୀବନଶୈଳୀ ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି ।

ସମ୍ମିଳନୀ ସମୟରେ ଆୟୋଜିତ ହେବାକୁ ଥିବା ବୈଷୟିକ ଅଧିବେଶନରେ ବିଚାରବିମର୍ଶ ଜରିଆରେ ଗୁରୁତ୍ୱପୂର୍ଣ୍ଣ ପରିଣାମ ମିଳିପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ତେବେ ନୀତି ପ୍ରସ୍ତୁତି, ନୀତି କାର୍ଯ୍ୟକାରିତା, ଅଭିନବ ଓ ବୈଜ୍ଞାନିକ ବିକାଶ, ନୈତିକ ମୂଲ୍ୟବୋଧ ଓ ପାରମ୍ପରିକ ଜ୍ଞାନ ଆଦି ବିଷୟ ଉପରେ ଆଲୋଚନା କରାଯିବା ଉଚିତ୍‌। ଜଳବାୟୁ ପରିବର୍ତ୍ତନ ବିରୋଧରେ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିବାକୁ ହେଲେ ଏସବୁ ଦିଗ ପ୍ରତି ଧ୍ୟାନ ଦିଆଯିବା ଜରୁରି ।

ସମ୍ମିଳନୀ ଅବସରରେ, ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୨ ଉପରେ ଆଧାରିତ ‘ଜାତୀୟ ସ୍ୱଚ୍ଛ ବାୟୁ ସହର’ ପୁରସ୍କାର ୯ଟି ଶ୍ରେଷ୍ଠ ସହରକୁ ଦିଆଯାଇଥିଲା। ବାୟୁ ଗୁଣବତ୍ତା ଲକ୍ଷ୍ୟ ହାସଲ କରିଥିବା ଏବଂ ସୁଧାର, ନିରାକରଣ ଓ ପ୍ରଶପନ ପଦକ୍ଷେପ ଗ୍ରହଣ କରିଥିବା ସହରଗୁଡ଼ିକୁ ଏହି ପୁରସ୍କାର ମିଳିଥିଲା।

ଜନସଂଖ୍ୟା ଆଧାରରେ ତିନୋଟି ବର୍ଗରେ ପୁରସ୍କାର ରାଶି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର ମଧ୍ୟରେ ଲକ୍ଷ୍ନୌ ଶ୍ରେଷ୍ଠ ସହର ଭାବେ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଜିତିଥିଲା । ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ବାୟୁ ପ୍ରଦୂଷଣର ହାରାହାରୀ ସ୍ତରକୁ ୩୧% ବା ପିଏମ ୧୦ ସ୍ତର ପର୍ଯ୍ୟନ୍ତ ହ୍ରାସ କରିବା ସହିତ ଅପଶିଷ୍ଟ ଓ କଠିନ ବର୍ଜ୍ୟବସ୍ତୁ ଜଳାଇବା ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଲକ୍ଷ୍ନୌ ଏହି ପୁରସ୍କାର ପାଇଥିଲା। ରାଜ୍ୟପାଳ ଓ କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ଲକ୍ଷ୍ନୌ ମେୟର ସୁଶ୍ରୀ ସଂଯୁକ୍ତ ଭାଟିଆ ପୁରସ୍କାର ଗ୍ରହଣ କରିଥିଲେ ।

୩-୧୦ ଲକ୍ଷ ମଧ୍ୟରେ ଜନସଂଖ୍ୟା ଥିବା ଦ୍ବିତୀୟ ବର୍ଗର ସହର ମଧ୍ୟରେ ମୋରଦାଦାବାଦକୁ ପ୍ରଥମ ପୁରସ୍କାର ଭାବେ ୭୫ ଲକ୍ଷ ଟଙ୍କାର ଅର୍ଥରାଶି ମିଳିଥିଲା। ଏହି ସହର ବାୟୁ ପ୍ରଦୂଷଣକୁ  ୩୬% ବା ପିଏମ ୧୦ ପର୍ଯ୍ୟନ୍ତ ହ୍ରାସ କରିପାରିଛି । ତୃତୀୟ ବର୍ଗ ଅର୍ଥାତ୍‌ ୩ ଲକ୍ଷରୁ କମ ଜନସଂଖ୍ୟା ଥିବା ସହର ମଧ୍ୟରେ ଦେୱାସକୁ ପ୍ରଥମ ପୁରସ୍କାର ଭାବେ ୩୭.୫ ଲକ୍ଷ ଟଙ୍କାର ଅର୍ଥରାଶି ମିଳିଥିଲା । ଏହି ପୁରସ୍କାର ପ୍ରଦାନ ବ୍ୟବସ୍ଥା ଏକ ସ୍ୱଚ୍ଛ ଓ ସବୁଜ ଭାରତ ନିର୍ମାଣ ଦିଗରେ ପଦକ୍ଷେପ ନେବା ଲାଗି ଅନ୍ୟ ସହରମାନଙ୍କୁ ଅନୁପ୍ରାଣିତ କରିବ ବୋଲି ଆଶା କରାଯାଉଛି ।

ଉଦଘାଟନୀ ଅଧିବେଶନରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ମହାନଗର ନିଗମ ଆୟୁକ୍ତ, ରାଜ୍ୟ ସହରାଞ୍ଚଳ ବିକାଶ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପ୍ରଦୂଷଣ ନିୟନ୍ତ୍ରଣ ସମିତିର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିଙ୍କ ସମେତ ପରିବେଶ ବିଜ୍ଞାନୀ, ଶିକ୍ଷାବିତ, ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ମେକ୍ ଇନ୍ ଓଡିଶା କନ୍‌କ୍ଳେଭ୍‌ରେ ସୋଆର ଷ୍ଟଲ ଉଦ୍‌ଘାଟିତ

ଭୁବନେଶ୍ୱର: ନିବେଶକ ମହାକୁମ୍ଭ ମେକ୍ ଇନ୍ ଓଡିଶା ନଭେମ୍ବର ୩୦ ବୁଧବାର ଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିବା ଏହି ଶିଳ୍ପ ମହାକୁମ୍ଭରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ମଧ୍ୟ ଷ୍ଟଲ ଖୋଲା ଯାଇଛି। ସୋଆର ଏହି ଷ୍ଟଲ୍ କୁ ଉଦ୍‌ଘାଟନ କରିଛନ୍ତି ଆଇଟି ସଚିବ ମନୋଜ ମିଶ୍ର। କୃଷି ଓ ପଶୁ ସଂପଦ, ଦନ୍ତ ଚିକିତ୍ସା ଓ ଡାକ୍ତରୀ ଚିକିତ୍ସା କ୍ଷେତ୍ରକୁ ନେଇ ଏହି ଷ୍ଟଲ ପ୍ରଦର୍ଶିତ ହୋଇଥିଲା।

ଏଥିସହିତ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜ୍‌ମେଂଟ ପକ୍ଷରୁ ମଧ୍ୟ ଏକ ଖାଦ୍ୟ ଷ୍ଟଲ୍ ଖୋଲା ଯାଇଥିଲା। ଏହି ଷ୍ଟଲକୁ ଏସଟିପିଆଇର ନିର୍ଦ୍ଦେଶକ ମାନସ ପଣ୍ଡା ଉଦଘାଟନ କରିଥିଲେ। ଏହି ଫୁଡ୍ ଷ୍ଟଲରେ ଆମିଷ ଓ ନିରାମିଷ ଖାଦ୍ୟ ସହିତ ଓଡିଶାର ପାରମ୍ପାରିକ ଓଡିଆ ଖାଦ୍ୟ ମଧ୍ୟ ପରିବେଷଣ କରାଯାଇଥିଲା।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ସୋଆର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ପ୍ରୋଚାନସେଲର ପ୍ରଫେସର ଅମିତ୍ ବାନାର୍ଜୀ, ପ୍ରଫେସର ରେଣୁ ଶର୍ମା, ଜଏଂଟ ରେଜିଷ୍ଟ୍ରାର ପ୍ରଫେସର ଶଶାଙ୍କ ମିଶ୍ର, ପ୍ରମେୟ ଓ ନ୍ୟୁଜ ସେଭେନର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ନ୍ୟୁଜ ସେଭେନର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ ଓ ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଓ ଦିଲ୍ଲୀରେ ଅବସ୍ଥାପିତ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସଡି ପ୍ରୀତମ୍ ନାୟକ ଓ ନିର୍ଦ୍ଦେଶକ ଲଜିଷ୍ଟିକ ଦେବବ୍ରତ ଦାଶ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଲେଶ୍ୱର ଷ୍ଟେଟବ୍ୟାଙ୍କ ଠାରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର

ଭୁବନେଶ୍ବର: ଭାରତ ସରକାରଙ୍କ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ସାରା ଦେଶରେ ଜୀବନ ପ୍ରମାଣ ଆପ୍‌ ଜରିଆରେ ପେନସନଭୋଗୀଙ୍କ ପାଇଁ ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ମାଧ୍ୟମରେ ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଅନୁଷ୍ଠିତ ହେଉଛି। ଏହି କ୍ରମରେ ବାଲେଶ୍ୱରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ପ୍ରଶାସନିକ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏସବିଆଇ ବାଲେଶ୍ୱର ଶାଖାରେ ଏଭଳି ଏକ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଅନୁ ସଚିବ ବିଶାଲ କୁମାର, ଏଏସଓ ଅଂଶୁଲ ଶର୍ମା, ୟୁଆଇଡିଏଆଇର ଉପନିର୍ଦ୍ଦେଶକ ଟି. ଚୈତନ୍ୟ ରେଡ୍ଡୀ ଏବଂ ଏସବିଆଇ  ଡିଜିଏମ ଅମରେନ୍ଦ୍ର କୁମାର ଯୋଗ ଦେଇଥିଲେ।

ଜୀବନ ପ୍ରମାଣ ଆପ୍‌ ଜରିଆରେ ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ମାଧ୍ୟମରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ପେନସନଭୋଗୀଙ୍କ ନିମନ୍ତେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଶିବିରରେ ନୂଆ ପଦ୍ଧତି ଜରିଆରେ ୧୦୦ରୁ ଅଧିକ ପେନସନଭୋଗୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିଥିଲେ। ବାଲେଶ୍ୱର ଜୋନ ୨ ଏଜିଏମ ଡିବି ପୀତବାସ ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ।

ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଦେଶର ୩୭ଟି ଏବଂ ଓଡ଼ିଶାର ୩ଟି ସହରରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଦାଖଲ ଶିବିର ଆୟୋଜନ କରାଯାଉଛି। ଭୁବନେଶ୍ୱର, ଏବଂ ବାଲେଶ୍ୱର ଠାରେ ଏହି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୯ ତାରିଖରେ କଟକରେ ଏଭଳି ଶିବିର ଆୟୋଜନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ଏମ୍ସ ଭୁବନେଶ୍ୱରରେ ତ୍ରିଦିବସୀୟ ତୃତୀୟ ଆଇଏପିଏସଏମ ଜାତୀୟ ଯୁବ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ତ୍ରିଦିବସୀୟ ତୃତୀୟ ଆଇଏପିଏସଏମ ଜାତୀୟ ଯୁବ ସମ୍ମିଳନୀ ଉଦଯାପିତ ହୋଯାଇଛି। ଏମ୍ସ ଭୁବନେଶ୍ୱର କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ବିଭାଗ ପକ୍ଷରୁ ଚଳିତ ମାସ ୧୦ ରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ କାର୍ଯ୍ୟକ୍ରମ ଆଜି ସମାପ୍ତ ହୋଇଛି। ଏହି ବିଶେଷ ସମ୍ମିଳନୀରେ ଏମ୍ସ ନୂଆଦିଲ୍ଲୀ, ପିଯିଆଇଏମଇଆର ଚଣ୍ଡିଗଡ, ଜିପମର ପୁଡୁଚେରୀ, ଏମ୍ସ ପାଟନା, ଏମ୍ସ ରାୟପୁର, ଏମ୍ସ ଯୋଧପୁର, ଏମ୍ସ ଭୋପାଳ, ଏମ୍ସ କଲ୍ୟାଣୀ, ଏମ୍ସ ଗୋରଖପୁର, ଏମ୍ସ ବାଥିଣ୍ଡା, ଏମ୍ସ ବିବିନଗର, ଏମ୍ସ ମଙ୍ଗଳାଗିରି ଏବଂ ଏମଜିଆଇଏମଏସ ସେବାଗ୍ରାମ ଭଳି ଜାତୀୟ ପ୍ରତିଷ୍ଠାନର ବିଶେଷଜ୍ଞଙ୍କ ସମେତ ଦେଶର ବିଭିନ୍ନ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରୁ ପାଞ୍ଚଶହରୁ ଅଧିକ ଯୁବ ଚିକିତ୍ସକ ଅଂଶ୍ରହଣ କରିଥଲେ।
ଣ୍ଡିଆନ୍ ଆସୋସିଏସନ୍ ଅଫ୍ ପ୍ରିଭେଣ୍ଟିଭ୍ ଆଣ୍ଡ ସୋସିଆଲ୍ ମେଡିସିନ୍ ସହିତ “ନିରନ୍ତର ସ୍ୱାସ୍ଥ୍ୟ ପାଇଁ ସମ୍ପ୍ରଦାୟର ଚିକିତ୍ସକ” ବିଷୟବସ୍ତୁକୁ ନେଇ ଏହି ସମ୍ମିଳନୀରେ ବ୍ୟାପକ ଆଲୋଚନା ହୋଇଥିଲା।
ଏହି ମେଗା କାର୍ଯ୍ୟକ୍ରମକୁ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଅଶୁତୋଷ ବିଶ୍ବାସ, ପଦ୍ମଶ୍ରୀ ଡ. ଅଭୟ ବାଙ୍ଗ, ପଦ୍ମଶ୍ରୀ ଡ. ସି. ଏସ. ପାଣ୍ଡବ, ଡ. ହରିବଂଶ ଚୋପ୍ରା, ଡ. ସୁନୀଲା ଗର୍ଗ ଏବଂ ଡ. ପୁରଷୋତ୍ତମ ଗିରି ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତିବିଶଷ ଉଦ୍ଘାଟନ କରିଥିଲେ। ସମାଜର ତୃଣମୂଳ ସ୍ତରରେ ଗୁଣବତ୍ତାସମ୍ପନ୍ନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ କମ୍ୟୁନିଟି ଚିକିତ୍ସକଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଡକ୍ଟର ବିଶ୍ବାସ।
ପ୍ରଫେସର (ଡ.) ସୋନୁ ହାଙ୍ଗମା ସୁବା, ସଂଗଠନର ଅଧ୍ୟକ୍ଷ, ଯୁବ ନେତାଙ୍କ ଦକ୍ଷତା ବୃଦ୍ଧି, ଏକାଡେମୀ ଏବଂ ଅନୁସନ୍ଧାନର ଦୃଢତା କ୍ଷେତ୍ରରେ ବୈଜ୍ଞାନିକ ଏକ୍ସପୋଜରର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ସାଧାରଣ ଅଧିବେଶନ, ସାମୂହିକ ଆଲୋଚନା, ପୋଷ୍ଟର କଂପିଟିସନ ଏବଂ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିସହିତ ଜନସ୍ୱାସ୍ଥ୍ୟରେ ଭୌଗୋଳିକ ସୂଚନା ପ୍ରଣାଳୀ ଏବଂ ରିମୋଟ ସେନ୍ସିଂ ପ୍ରୟୋଗ ସମେତ ନଅଟି ବିଷୟବସ୍ତୁ ଉପରେ ବିଭାଗ ଦ୍ୱାରା ପୂର୍ବ-ସମ୍ମିଳନୀ କର୍ମଶାଳା ଆୟୋଜିତ ହୋଇଥିଲା। ଏନପିସିଡ଼ିସିଏସ ନିର୍ଦ୍ଦେଶାବଳୀ ଅନୁଯାୟୀ କର୍କଟ ରୋଗର ନିରାକରଣ ପାଇଁ ପରିବର୍ତ୍ତନକାରୀ ବିପଦ କାରଣଗୁଡିକ ସମାଧାନ କରିବା ପରି ଅନେକ ବିଷୟ ବସ୍ତୁ ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ଅନ୍ତିମ ଦିନରେ, ଜନସ୍ୱାସ୍ଥ୍ୟ ଅନୁସନ୍ଧାନରେ ନୈତିକ ପ୍ରସଙ୍ଗ ତଥା ମାନସିକ ସ୍ଵାସ୍ଥ୍ୟ ପାଇଁ ଅପ୍ରାକୃତିକ ସ୍ତରରେ ପହଞ୍ଚିବା ଭଳି ସ୍ୱାସ୍ଥ୍ୟ ପ୍ରସଙ୍ଗରେ ଏମ୍ସ ନୂଆଦିଲ୍ଲୀର ବିଶେଷଜ୍ଞ ଡ. ଶଶିକାନ୍ତ ଏବଂ ନିମହାନ୍ସ ବାଙ୍ଗାଲୋରର ଡ. ଗିରିଶ ଏନ ରାଓ ଭଳି ବିଶିଷ୍ଟ ବକ୍ତାମାନଙ୍କ ଦ୍ୱାରା ଆଲୋଚନା ହୋଇଥିଲା। ଏହି କନକ୍ଲେଭରେ ଶତାଧିକ ଯୁବ ଚିକିତ୍ସକ, ଜୁନିଅର ଏବଂ ସିନିୟର ଆବାସିକ ଛାତ୍ରଛାତ୍ରୀ, ଏମପିଏଚ ଛାତ୍ର ଏବଂ ବିଦ୍ୱାନ ଉପସ୍ଥିତ ଥିଲେ।
Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଫେରାର ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ। ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ସୂଚନା ମୁତାବକ ଅଭିଯୁକ୍ତ ପିଣ୍ଟୁ ପ୍ରଧାନ (୨୨) ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବାର ଅକ୍ଟୋବର ମାସ ୧୭ ତାରିଖରେ ଥାନାରେ ଏକ ଅଭିଯୋଗ ହୋଇଥିଲା।

ଅଭିଯୋଗ ଆଧାରରେ ପୋଲିସ ୬ ପୋକସୋ ଆକ୍ଟରେ କେସ ନମ୍ବର ୪୨୯/୨୨ ରେ ମାମଲା ରୁଜୁ କରିଥିବା ବେଳେ ଗିରଫ ଭୟରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ।  ତେବେ ବାଲୁଗାଁ ଏସଡିପିଓ ଙ୍କ ତତ୍ୱାବଧାନରେ ବାଣପୁର ଆଇଆଇସି ଅଭିଯୁକ୍ତଙ୍କୁ ଗିରଫ ପାଇଁ ଚଢ଼ାଉ ଜାରି ରଖିଥିବା ବେଳେ ଆଜି ଅଭିଯୁକ୍ତ ପିଣ୍ଟୁଙ୍କୁ ପୋଲିସ ଖୋର୍ଦ୍ଧା ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଗିରଫ କରି ଭୁବନେଶ୍ୱର ପୋକସୋ କୋର୍ଟ ଚାଲାଣ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ଦ୍ୱାରା ସାଂସଦ ମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ 

ଭୁବନେଶ୍ଵର: ରେଳବାଇ ବିଷୟବସ୍ତୁ ସମ୍ବନ୍ଧରେ ଆଜି ଭୁବନେଶ୍ୱର ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପରିସୀମା ଅନ୍ତର୍ଗତ ସମ୍ମାନୀୟ ସାଂସଦ ମାନଙ୍କ ସହିତ ରେଳମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସମ୍ମାନନୀୟ ସାଂସଦ ଭର୍ତ୍ତୃହରି ମହତାବ, ଚନ୍ଦ୍ରଶେଖର ସାହୁ, ମହେଶ ସାହୁ, ପିନାକୀ ମିଶ୍ର, ସୁଲତା ଦେଓ, ପ୍ରମିଳା ବିଶୋଇ, ଶର୍ମିଷ୍ଠା ସେଠୀ, ମୁଜିବୁଲ୍ଲା ଖାଁ, ରାମ ମୋହନ ନାଇଡୁ କାଞ୍ଜିରାପପୁ ଏବଂ ଡ଼. ରାଜଶ୍ରୀ ମଲ୍ଲିକ ପ୍ରମୁଖ ଏହି ବୈଠକ ରେ ଯୋଗଦାନ କରିଥିଲେ।

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ଏବଂ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଂକେଶ ରାୟ ଏହି ବୈଠକରେ ମଧ୍ୟ ଉପସ୍ଥିତ ଥିଲେ। ବହୁ ଗଠନମୂଳକ ଚିନ୍ତାଧାରା, ମୂଲ୍ୟବାନ ଉପଦେଶ ଏବଂ ରେଳବାଇ ସମ୍ବନ୍ଧରେ ସାର୍ବଜନୀନ ଦାବିଗୁଡିକ ସମ୍ମାନୀୟ ସାଂସଦ ମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା।

ଏଗୁଡିକ ହେଲା – ରେଳବାଇ ନେଟୱର୍କର ଉନ୍ନତିକରଣ ପ୍ରସଙ୍ଗ, ଜନସାଧାରଣଙ୍କ ଆକାଂକ୍ଷା ଓ ଦାବି ଏବଂ ପୂର୍ବତଟ ରେଳପଥର କାର୍ଯ୍ୟ ପ୍ରଣାଳୀ ସମ୍ବନ୍ଧରେ ସମୀକ୍ଷା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ମହାବିଦ୍ୟାଳୟର ଛାତ୍ରୀ ମୋନାଲିସା ରାଉତଙ୍କୁ ଜାତୀୟ ସେବା ଯୋଜନା ପୁରସ୍କାର

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଛାତ୍ରୀ ମୋନାଲିସା ରାଉତଙ୍କୁ ଆଜି ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥ ଜୟଦେବ ଭବନରେ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ସେବା ଯୋଜନା ପୁରସ୍କାର ଉତ୍ସବରେ ମୋନାଲିସାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ କୁମାର ପୂଜାରୀ, ମୋ କଲେଜ ଅଭିଯାନର ରାଜ୍ୟ ସଂଯୋଜକ ତଥା ପ୍ରାକ୍ତନ ବିଧାୟକ ଆକାଶ ଦାସ ନାୟକ, ଜାତୀୟ ସେବା ଯୋଜନାର ରାଜ୍ୟ ସମନ୍ୱୟ ଅଧିକାରୀ ତଥା ଉଚ୍ଚ ଶିକ୍ଷା ବିଭାଗର ଉପ ସଚିବ ଡକ୍ଟର ରମେଶ ଚନ୍ଦ୍ର ବେହେରା, ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ ପ୍ରମୁଖ ଉକ୍ତ ଉତ୍ସବରେ ଯୋଗ ଦେଇ ମୋନାଲିସା ରାଉତଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ଶ୍ରେଷ୍ଠ ସ୍ବେଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀ ମାନଙ୍କୁ ପୁରସ୍କାର ପ୍ରଦାନ କରି ରାଷ୍ଟ୍ର ନିର୍ମାଣ ଓ ସମାଜ ସେବା ପ୍ରତି ପ୍ରତିବଦ୍ଧ ହେବାପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ।

ରାଜ୍ୟ ପୁରସ୍କାର ପାଇବା ପୂର୍ବରୁ ମୋନାଲିସା ଶ୍ରେଷ୍ଠ ସ୍ଵେଚ୍ଛାସେବୀ ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସରସ୍ବତୀ ରାୟ ସ୍ଵର୍ଣ୍ଣ ପଦକ ପୁରସ୍କାର ଲାଭ କରି ବାଲୁଗାଁ ମହାବିଦ୍ୟାଳୟର ଗୌରବ ବୃଦ୍ଧି କରିଥିଲେ। ଏହି ରାଜ୍ୟ ସ୍ତରୀୟ ପୁରସ୍କାର ଲାଭ କରିଥିବାରୁ ମୋନାଲିସାଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷା, ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ ଟ୍ରେନ ରେକ ପ୍ରଚଳନକୁ ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ

ଭୁବନେଶ୍ବର: ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ଭାରତର ପ୍ରଥମ ଆଲୁମୁନିୟମ ପଣ୍ୟବାହୀ (BOBRNALHSM1) ଟ୍ରେନ (ୱାଗନ) ରେକ କୁ ଉଦ୍ଘାଟନ କରିଛନ୍ତି। ଏହି ଟ୍ରେନ୍ ଭୁବନେଶ୍ୱରରୁ ବିଳାସପୁର ଯାତ୍ରା କରିଛି।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ବହୁଳ ପରିବହନ ପାଇଁ ଭାରତର ଆଧୁନିକୀକରଣ ଅଭିଯାନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ। ପଣ୍ୟବାହୀ ଟ୍ରେନ ରେକ କୁ ଆଲୁମିନିୟମକୁ ପରିବର୍ତ୍ତନ କରିବା ଭାରତୀୟ ରେଳବାଇ ପାଇଁ କାର୍ବନ ଫୁଟ୍ ପ୍ରିଣ୍ଟକୁ ଯଥେଷ୍ଟ ହ୍ରାସ କରିବାରେ ସହାୟକ ହେବ। ଆଲୁମିନିୟମ୍ ପଣ୍ୟବାହୀ ଟ୍ରେନର ଗୋଟିଏ ରେକ୍ ଏହାର ଜୀବନକାଳ ମଧ୍ୟରେ 14,500 ଟନ୍ CO2 ରୁ ଅଧିକ ସଞ୍ଚୟ କରିପାରିବ। ସାରା ବିଶ୍ୱରେ ମେଟ୍ରୋ ଟ୍ରେନ୍ ବ୍ୟବହାର ପାଇଁ ଆଲୁମିନିୟମ ପସନ୍ଦଯୋଗ୍ୟ।  ଏହା ହାଲୁକା, ଖର୍ଚ୍ଚଦାୟକ ଏବଂ ସ୍ଥାୟୀ ଅଟେ। ମାଲ ପରିବହନ ପରିବହନ କ୍ଷେତ୍ରରେ ଆଧୁନିକୀକରଣ ଏବଂ ଭାରତୀୟ ରେଳ ବୃହତ କାର୍ବନ ସଞ୍ଚୟକୁ ସକ୍ଷମ କରିବା ପାଇଁ ଏହା ଏକ ଉଚ୍ଚାଭିଳାଷୀ ଯୋଜନା ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ହାଲକା ୱାଗନ ହୋଇଥିବାରୁ ଏହା ଶକ୍ତି କମ୍ ଖର୍ଚ୍ଚ ହେବ।

ଶ୍ରୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ, ଏହି ଆଲୁମିନିୟମ୍ ୱାଗନ୍ ପଣ୍ୟ ବୋଝେଇ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। 10% ରୁ ଅଧିକ ପେଡ୍ ଲୋଡ୍ ହୋଇଥିବା ବେଳେ ସବୁଜ ଏବଂ ଦକ୍ଷ ରେଳ ନେଟୱାର୍କ ନିର୍ମାଣ ପାଇଁ ଆମର ଦୃଷ୍ଟିକୋଣ ଅନୁଯାୟୀ କାର୍ବନ ଫୁଟ୍ ପ୍ରିଣ୍ଟକୁ ଏହା ଯଥେଷ୍ଟ କମ କରିଥାଏ।

ଏହି ମାଲବାହୀ ଟ୍ରେନ୍ ରେକ୍ ହିଣ୍ଡାଲକୋ ଦ୍ୱାରା ବିକଶିତ କରାଯାଇଅଛି। ଏବେ ପ୍ରଚଳିତ ଇସ୍ପାତ ରେକ୍ ଅପେକ୍ଷା ଚମକପ୍ରଦ ରେକ୍ 180 ଟନ୍ ହାଲୁକା ଏବଂ 5-10% ଅଧିକ ପେଲୋଡ୍ ବହନ କରିପାରିବ, ଶକ୍ତି ସଞ୍ଚୟ କରିବା ସହିତ ଷ୍ଟକ୍ ଏବଂ ରେଲ୍କୁ ଅପେକ୍ଷାକୃତ ସୁରକ୍ଷିତ ରଖିବ ଏବଂ ଲାଭଦାୟକ ହେବ।

ଆଲୁମିନିୟମ ମାଲବାହୀ ୱାଗନ୍ ତଳ ପାର୍ଶ୍ୱରୁ ପଣ୍ୟ ଖଲାସ କରିବ। ଏହା ବିଶେଷ ଭାବରେ କୋଇଲା ପରିବହନ ପାଇଁ ଡିଜାଇନ୍ ହୋଇଛି, କାର୍ବନ ଫୁଟ୍ ପ୍ରିଣ୍ଟକୁ ହ୍ରାସ କରିବାର କ୍ଷମତା ରଖିଛି। ଏହି ୱାଗନର ପ୍ରତି 100 କିଲୋଗ୍ରାମ ଓଜନ ହ୍ରାସ ଅଟେ ଏବଂ ଆଜୀବନ CO2 ସଞ୍ଚୟ କ୍ଷମତା ପ୍ରାୟ 8-10 ଟନ୍ ଆକଳନ କରାଯାଉଅଛି। ଗୋଟିଏ ଏକକ ରେକ୍ ପାଇଁ 14,500 ଟନ୍ରୁ ଅଧିକ CO2 ସଞ୍ଚୟ କରିପାରିବ ବୋଲି ଆକଳନ କରାଯାଇଅଛି। ଶ୍ରୀ ବୈଷ୍ଣବ ମଧ୍ୟ ଏହି ଅବସରରେ ରେଳ ଅଧିକାରୀଙ୍କ ସହ ଓଡିଶାର ବିଭିନ୍ନ ରେଳ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଥିଲେ।

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ, ହିଣ୍ଡାଲକୋର କାର୍ଯ୍ୟବାହୀ ନିର୍ଦେଶକ ସତୀଶ ପାଇ,ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରୟ, ରେଳପଥର ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ ମାନେ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଭୁବନେଶ୍ୱରରେ ଖୋଲିଲା ୟାମହାର ବ୍ଲ୍ୟୁ ସ୍କୋୟାର ସୋରୁମ

ଭୁବନେଶ୍ବର: ଭୁବନେଶ୍ୱରରେ ୟାମହାର ନୂଆ ସୋରୁମ ଖୋଲିଛି। ‘କେ ଟୁ କେ ଅଟୋ ମୋଟିଭ୍ ବ୍ୟାନରରେ ଖଣ୍ଡିଗିରି ଠାରେ ଏହି ନୂଆ ସୋରୁମ ଖୋଲିଛି। ଏଠାରେ ୟାମହାର ସମସ୍ତ ପ୍ରକାର ସେଲ୍ସ, ସର୍ଭିସ ୋସବରା ମିଳି ପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ୟାମହା ପ୍ରତି ଗ୍ରାହକଙ୍କ ଚାହିଦା ବଢ଼ୁଥିବା ବେଳେ ବର୍ଷ ବର୍ଷ ଧରି ଲୋକେ ୟାମହାକୁ ନିଜ ପରିବାରର ସଦସ୍ୟ ଭାବେ ବାଛି ନେଇଛନ୍ତି। ତେଣୁ କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଆହୁରି ଅଧିକ ସୁବିଧା ସେବା ଯୋଗାଇ ଦେବା ପାଇଁ ନୂଆ ସୋରୁମ ଖୋଲିଥିବା କୁହାଯାଇଛି।

ଖଣ୍ଡିଗିରି ଠାରେ ପ୍ରାୟ ୨୨୦୦ ସ୍କୋୟାର ଫୁଟ ପରିମିତ ଫ୍ଲୋରରେ ଏହି ନୂଆ ସୋରୁମ ଖୋଲିଛି। ନୂଆ କରି ଖୋଲୁଥିବା ଏହି ସୋରୁମ ଗୁଡିକୁ ବ୍ଲ୍ୟୁ ସ୍କୋୟାର ସୋରୁମ କ୍ୟାଟେଗୋରୀର । ଭୁବନେଶ୍ୱରରେ ଏହା ପ୍ରଥମ କରି ଖୋଲିଛି। ଯାହା ଏକଦମ୍ ଅତ୍ୟାଧୁନିକ ଓ ଡିଜିଟାଲ ସୋରୁମ। ଭୁବନେଶ୍ୱର ଆଖପାଖ ଅଂଚଳର ଲୋକେ ପୁଣି ୟାମହାକୁ ଆହୁରି ପସନ୍ଦ କରିବେ ବୋଲି କମ୍ପାନୀ ଆଶା ରଖିଛି।

ପୁରା ଦେଶରେ ୯୦ଟି ନୂଆ ବ୍ଲ୍ୟୁ ସ୍କୋୟାର ସୋରୁମ ରହିଥିବା ବେଳେ ଓଡିଶାର ଖଣ୍ଡିଗିରି ଠାରେ ଏବେ ଗୋଟିଏ ସୋରୁମ ରହିଛି। ତାମିଲନାଡୁ, ପଣ୍ଡିଚେରୀ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ଝାରଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ଛତିଶଗଡ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ଜାମ୍ମୁ ଓ କାଶ୍ମୀର, ଦିଲ୍ଲୀ, ରାଜସ୍ଥାନ ଓ ଉତ୍ତରପୂର୍ବ ରାଜ୍ୟମାନଙ୍କରେ କମ୍ପାନୀ ନୂଆ ଆଉଟଲେଟ ଖୋଲିଛି। ଗ୍ରାହକସେବାକୁ ଗୁରୁତ୍ୱ ଦେଇ କମ୍ପାନୀ ନୂଆ ସୋରୁମ ଖୋଲୁଥିବା ବେଳେ ୟାମହା ପ୍ରତି ଲୋକଙ୍କ ବିଶ୍ୱାସ ଅତୁଟ ରହିବ ବୋଲି କମ୍ପାନୀ ଭାଇସ ପ୍ରେସିଡେଣ୍ଟ ରଣବୀର ସିଂ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ଏବଂ ତିରୁପତି ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍: ଏହି ଯାତ୍ରୀମାନେ ପାଇବେ ସୁବିଧା

ଭୁବନେଶ୍ଵର: ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡ ଦୂର କରିବା ପାଇଁ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ତିରୁପତି ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି। ଯାହା ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ଏବଂ ବିଜୟନଗରମ ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବ।

02809/02810 ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସାପ୍ତାହିକ ସୁପର ଫାଷ୍ଟ ସ୍ପେଶାଲ ଏକ୍ସପ୍ରେସ ଭୁବନେଶ୍ୱର ଠାରୁ 1 ରୁ 29 ଅକ୍ଟୋବର 2022 ମଧ୍ୟରେ ପ୍ରତ୍ୟେକ ଶନିବାର ଅପରାହ୍ନ 1 ଘ.30 ମି.ରେ ଛାଡି ତିରୁପତି ଯାତ୍ରା କରିବାକୁ ଥିବାବେଳେ ଫେରିବା ମାର୍ଗରେ ଏହା ତିରୁପତି ଠାରୁ 2 ରୁ 30 ଅକ୍ଟୋବର 2022 ମଧ୍ୟରେ ପ୍ରତ୍ୟକ ରବିବାର ରାତ୍ରି 8 ଘଟିକାରେ ଛାଡି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ଏହି ଟ୍ରେନ ଭୁବନେଶ୍ୱର ଓ ତିରୁପତି ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ, ବାଲୁଗାଁ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ, ବିଜୟନଗରମ, ଦୁଭାଡା, ଆନ୍ନାଭରମ, ସମାଲକୋଟ, ରାଜମହେନ୍ଦ୍ରୀ, ଏଲୁରୁ, ବିଜୟୱାଡା, ଓଙ୍ଗଲ, ନେଲୋର, ଗୁଡୁର ଏବଂ ରେଣିଗୁଣ୍ଟା ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏଥିରେ 16 ଟି ଏସି-3 ଟାୟାର କୋଚ ଏବଂ ଦୁଇଟି ଗାର୍ଡ-ଲଗେଜ୍ ତଥା ଜେନେରେଟର କାର୍ କୋଚ୍ ଉପଲବ୍ଧ ଅଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭଦ୍ରକ-ଭୁବନେଶ୍ୱର-ବିଶାଖାପାଟନମ୍ ମାର୍ଗଦେଇ ଜସିଡ଼ିହ ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ନୂତନ ଟ୍ରେନ୍

ଭୁବନେଶ୍ଵର: ଭଦ୍ରକ-ଭୁବନେଶ୍ୱର-ବିଶାଖାପାଟନମ୍ ମାର୍ଗଦେଇ ଜସିଡ଼ିହ ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ନୂତନ ଟ୍ରେନ୍ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

ଏହି ଟ୍ରେନ ର ନିୟମିତ ସେବା ଜସିଡ଼ିହ ଠାରୁ ସେପ୍ଟେମ୍ବର ମାସ ୩୦ ତାରିଖରୁ ଏବଂ ଏସଏମଭିଟି ବେଙ୍ଗାଲୁରୁ ଅକ୍ଟୋବର ମାସ ୨ ତାରିଖ ଠାରୁ କରାଯିବ। ୨୨୩୦୬ ଜସିଡିହ-ଏସଏମଭିଟି ବେଙ୍ଗାଲୁରୁ ସୁପର ଫାଷ୍ଟ ଏକ୍ସପ୍ରେସ ପ୍ରତ୍ୟେକ ଶୁକ୍ରବାର ଦିନ ଜସିଡିହରୁ ସକାଳ ୦୬ ଘ.୩୦ ମି.ରେ ବେଙ୍ଗାଲୁରୁ ଯାତ୍ରା କରିବ। ଫେରିବା ମାର୍ଗରେ ୨୨୩୦୫ ସଏମଭିଟି ବେଙ୍ଗାଲୁରୁ-ଜସିଡିହ ସୁପର ଫାଷ୍ଟ ଏକ୍ସପ୍ରେସ ସଏମଭିଟି ବେଙ୍ଗାଲୁରୁରୁ ପ୍ରତ୍ୟେକ ରବିବାର ଦିନ ପୂର୍ବାହ୍ନ ୧୦ ଘଟିକାରେ ଛାଡି ଜସିଡ଼ିହ ଯାତ୍ରା କରିବ।

ଏହି ଟ୍ରେନ୍ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ବିଜୟନଗରମ୍ ଏବଂ ବିଶାଖାପାଟନମ୍ ଷ୍ଟେସନ ମାନଙ୍କ ଠାରେ ରହଣି କରିବାକୁ ଥିବାବେଳେ ଉଭୟ ପାର୍ଶ୍ୱରୁ ଜସିଡ଼ିହ ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ଆସାନସୋଲ୍, ଦୁର୍ଗାପୁର, ବର୍ଦ୍ଧମାନ, ଖଡ଼ଗ୍ପୁର, ବାଲେଶ୍ୱର, ନେଲୋର, ପେରମ୍ବୁର, କାଟପାଡି ଏବଂ ଜୋଲାରପେଟାଇ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କ ଠାରେ ରହଣି କରିବ।

ଏହି ଟ୍ରେନ ଗଠନରେ ଗୋଟିଏ ପ୍ରଥମ ଶ୍ରେଣୀ ଏସି, ଚାରିଟି ଏସି-୨ ଟାୟାର, ୧୦ ଟି ଏସି -୩ ଟାୟାର, ଦୁଇଟି ସ୍ଲିପର କ୍ଲାସ, ଦୁଇଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ପ୍ୟାଣ୍ଟ୍ରି କାର ଏବଂ ଦୁଇଟି ଗାର୍ଡ, ଲଗେଜ୍ ତଥା ଜେନେରେଟର କାର ଉପଲବ୍ଧ ଅଛି।

ଉଦ୍ଘାଟନୀ ଯାତ୍ରାରେ ଏହି ଟ୍ରେନ ଏକ ବିଶେଷ ଟ୍ରେନ ଭାବେ ଜସିଡ଼ିହ ଠାରୁ ୨୩.୦୯.୨୦୨୨ ଅପରାହ୍ନ ୩ ଘ. ୩୦ମି.ରେ ଯାତ୍ରା ଶୁଭାରମ୍ଭ କରି ଏସଏମଭିଟି ବେଙ୍ଗାଲୁରୁ ପର୍ଯ୍ୟନ୍ତ ଯାତ୍ରା କରିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କନ୍ଧମାଳରୁ ଭୁବନେଶ୍ୱର ଯାଉଥିଲା ଗଞ୍ଜେଇ ବୋଝେଇ କାର, ବାଘମାରି ଠାରେ ମାଡି ବସିଲା ପୋଲିସ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଅଞ୍ଚଳରେ ଗଞ୍ଜେଇ ବୋଝଇ କାର ଜବତ କରି ଜଣଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି।

ଏସପିଙ୍କ ସୂଚନା ମୁତାବକ ଆଜି ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ କାର କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ଭୁବନେଶ୍ୱର ଯାଉଥିବାର ପୋଲିସ ଖବର ପାଇଥଲା। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ ଓ ବାଘମାରି ଆଇଆଇସି ପ୍ରଜ୍ଞା ରିତାମ୍ଭରା କର ଙ୍କ ତତ୍ୱାବଧାନରେ ଏସଆଇ ଗାୟତ୍ରୀ ଗୋଛାୟତ ଏବଂ ଏଏସଆଇ ରଞ୍ଜିତ ନାୟକଙ୍କ ମିଳିତ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଚଢ଼ାଉ ଜାରି ରହିଥିବା ବେଳେ ପରିଶେଷରେ ବାଘମାରି ବାମଡିହ ଛକ ନିକଟରୁ ଉକ୍ତ କାରଟିକୁ ଠାବ କରିଥିଲା ପୋଲିସ।

ତଲାସି ବେଳେ କାରରୁ ଦୁଇ ଗୋଟି ଜରି ବ୍ୟାଗରୁ ୩୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ବାଲିଗୁଡା ଥାନା ଅଞ୍ଚଳର ଅଭିଯୁକ୍ତ ସୁଶାନ୍ତ ଦିଗଲ (୩୫) ଙ୍କୁ ପୋଲିସ ଗିରଫ କରିଛି।

ପୋଲିସ ସୂଚନା ମୁତାବକ ଅଭିଯୁକ୍ତ ଜଣକ ନିୟମିତ ଭାବେ ବାଲିଗୁଡା ଅଞ୍ଚଳରୁ ଗଞ୍ଜେଇ ଆଣି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ବେପାର କରୁଥିଲେ। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ବାଘମାରୀ ଥାନାରେ କେସ ନମ୍ବର ୧୧୯/୨୨ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ନିରାଶ୍ରିତ ପିଲାମାନଙ୍କ ପାଇଁ ଦାନ

ଭୁବନେଶ୍ୱର: ଏକ ଜନହିତକର, ସ୍ବେଚ୍ଛାସେବୀ ତଥା ବଦାନ୍ୟ ସଂଗଠନ ଭାବେ ପରିଚିତ ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଭାପତି ଅନୁପମା ଶ୍ରୀବାସ୍ତବ ଆଜି ଭୁବନେଶ୍ୱର ଉପକଣ୍ଠ କଣ୍ଟାବାଡ ଠାରେ ଥିବା ଦରିଦ୍ର ପିଲାମାନଙ୍କ ଆଶ୍ରୟସ୍ଥଳ ଆଦୃତ ଦ୍ୱାରା ଆଶ୍ରିତ ପିଲାମାନଙ୍କ ଉଦ୍ଧିଷ୍ଟ “ଶିଶୁ ଗୃହ” ପରିଦର୍ଶନ କରିଥିଲେ।

ଏହି ପରିଦର୍ଶନ ସମୟରେ ଅନ୍ତେବାସୀଙ୍କ ଆବଶ୍ୟକତା ପାଇଁ ଇକୋରୋ ଏକ ଆରେଞ୍ଜର କି ବୋର୍ଡ ଦାନ କରିଛି। ଏହି କି-ବୋର୍ଡ ଅନ୍ତେବାସୀମାନଙ୍କୁ ସେମାନଙ୍କର ସଙ୍ଗୀତ ଅଭ୍ୟାସ ଏବଂ ପ୍ରଦର୍ଶନ ପାଇଁ ସାହାଯ୍ୟ କରିବ। ପ୍ରାୟ ୬୦ ଜଣ ଅନ୍ତେବାସୀ ଆଦୃତ ଶିଶୁ ଗୃହରେ ବାସ କରନ୍ତି ଯେଉଁଠାରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ତେବାସୀଙ୍କ ସଂଗୀତ କ୍ଷେତ୍ରରେ ଅନ୍ତର୍ନିହିତ ଗୁଣ ରହିଛି। ରେଳପଥ ମହିଳା କଲ୍ୟାଣ ସଂଗଠନର ସମ୍ପାଦକ ମନମିତା ମଣ୍ଡଳ ଏବଂ କୋଷାଧ୍ୟକ୍ଷ ଭାରତୀ ନିନାୱେଙ୍କ ସହିତ ସଂଗଠନର ଅନ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ମଧ୍ୟ ଶ୍ରୀବାସ୍ତବଙ୍କ ସହିତ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ରେଳବାଇ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ କଲ୍ୟାଣ ବ୍ୟତୀତ ରେଳପଥ ମହିଳା କଲ୍ୟାଣ ସଂଗଠନ ଗରିବ ବୃଦ୍ଧ ପୁରୁଷ ଓ ମହିଳା, ଶାରୀରିକ ଭାବରେ ଅସୁବିଧାଜନକ ଶିଶୁ ଏବଂ ଅଭାବୀ ଯେଉଁମାନେ ସାଧାରଣ ଜୀବନ ବଜାୟ ରଖିବାରେ ସକ୍ଷମ ନୁହନ୍ତି; ସେମାନଙ୍କ ଜୀବନଶୈଳୀରେ ସାମାଜିକ-ସାଂସ୍କୃତିକ ମାନର ଉନ୍ନତି ଦିଗରେ କାର୍ଯ୍ୟ କରୁଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗୀତା ଅନୁଷ୍ଠିତ

ଭୁବନେଶ୍ୱର: ଦେଶର ପ୍ରମୁଖ ଅନୁଷ୍ଠାନ ‘ଇଣ୍ଡିଆ ଚାର୍ମିଙ୍ଗ ଫେସ’ ତରଫରୁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗୀତା। ହୋଟେଲ ଏକ୍ସିଲେନ୍ସି ଠାରେ ରାଜ୍ୟ ନିର୍ଦ୍ଦେଶିକା ସସ୍ମିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିଯୋଗୀତା ସଫଳତାର ସହ ଶେଷ ହୋଇଛି। ସସ୍ମିତା ନିଜେ ଜଣେ ମଡେଲ ଓ ଅଭିନେତ୍ରୀ ହୋଇଥିବା ବେଳେ ତାଙ୍କର କ୍ୟାରିୟର ମଧ୍ୟ ଏହି ‘ଇଣ୍ଡିଆ ଚାର୍ମିଙ୍ଗ ଫେସ’ରୁ ହିଁ ଆରମ୍ଭ ହୋଇଛି। ସସ୍ମିତାଙ୍କ ସହ ଆନ୍ତର୍ଜାତୀୟ ସ୍ତରର ମଡେଲ ବବିତା ଶବର ମଧ୍ୟ କାର୍ଯ୍ୟନିର୍ବାହୀ ଆୟୋଜକ ଭାବେ ସହଯୋଗର ହାତ ବଢ଼ାଇଥିଲେ।

ଓଡିଶାର କୋଣ ଅନୁକୋଣରୁ ମଡେଲ ମାନେ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଆସି ସାମିଲ ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ଟପ୍ ୫ ଜଣ ମିଷ୍ଟର, ୫ଜଣ ମିସ୍ ଓ ୫ଜଣ ମିଷ୍ଟ୍ରେସ୍ ମାନଙ୍କୁ ଚୟନ କରାଯାଇଛି। ଯେଉଁମାନେ ଗୋଆ ଠାରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ସାମିଲ ହୋଇ ଓଡିଶାକୁ ପ୍ରତିନିଧିତ୍ୱ କରିବେ ବୋଲି ଆୟୋଜିକା ସସ୍ମିତା ପଣ୍ଡା ସୂଚନା ଦେଇଛନ୍ତି। ମିଷ୍ଟର କ୍ୟାଟେଗୋରୀରେ ବ୍ରହ୍ମପୁରର ଅଜିତ କୁମାର ପାତ୍ର ସୁପର ବିଜେତା ହୋଇଥିବା ବେଳେ ଝାରସୁଗୁଡାର କୁନାଲ ଜଲାନ ପ୍ରଥମ ବିଜେତା ହୋଇଛନ୍ତି। ସେହିଭଳି ଖୋର୍ଦ୍ଧାର ଅମ୍ଳାନ ମହାନ୍ତି ପ୍ରଥମ ରନର୍ସ ଅପ୍‌, ଢ଼େଙ୍କାନାଳର ମହାବୀର ପ୍ରସାଦ ଶତପଥୀ ଦ୍ୱିତୀୟ ରନର୍ସ ଅପ୍ ହୋଇଥିବା ବେଳେ ଟପ୍ ୫ ଭିତରେ ଭଦ୍ରକର ପ୍ରଭାତ କୁମାର ବିଶ୍ୱାଳ ଓ ବ୍ରହ୍ମପୁରର ନାରାୟଣ ସାହୁ ସାମିଲ ହୋଇଛନ୍ତି। ଅନ୍ୟପଟେ ମିସ୍ କ୍ୟାଟେଗୋରୀରେ ରାଉରକେଲାର ଶ୍ରଦ୍ଧାଞ୍ଜଳୀ ତନ୍ତୀ ବିଜେତା ହୋଇଥିବା ବେଳେ ଭୁବନେଶ୍ୱରର ପ୍ରିତୀ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି। କଟକ ଅନନ୍ୟା ବିଶ୍ୱାଳ ଦ୍ୱିତୀୟ ରନର୍ସ ଅପ୍ ହେବା ସହ ବ୍ରହ୍ମପୁରର ଶ୍ରାବଣୀ ରାଓ ଓ ସୋନାଲିସା ମହାପାତ୍ର ଟପ୍ ୫ରେ ସାମିଲ ହୋଇଛନ୍ତି। ସେହିଭଳି ମିଷ୍ଟ୍ରେସ୍ କ୍ୟାଟେଗୋରୀରେ ବ୍ରହ୍ମପୁରର ପ୍ରଗତୀ ପ୍ରିୟଦର୍ଶିନୀ ସାହୁ ବିଜେତା ହୋଇଥିବା ବେଳେ ଭୁବନେଶ୍ୱରର ମିନୁ ପାଢ଼ୀ ରନର୍ସ ଅପ୍ ହୋଇଛନ୍ତି।

ପୂର୍ବତନ ସାଂସଦ ତଥା କବି ପ୍ରଶନ୍ନ ପାଟ୍ଟଶାଣୀ, ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ମିଡିଆ ପ୍ଲାନର ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଓଡିଶାରେ ମଡେଲିଂ କ୍ଷେତ୍ରରେ ଏଭଳି କାର୍ଯ୍ୟକ୍ରମ ନୂଆ ପିଢ଼ୀକୁ ଉତ୍ସାହିତ କରିବା ସହ ଆଗକୁ ନେବାରେ ସହାୟକ ହୋଇପାରିବ ବୋଲି ଅତିଥୀମାନେ ମତ ଦେଇଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ପ୍ରତିଯୋଗୀ, ମେକଅପ ଆର୍ଟିଷ୍ଟ, ଡିଜାଇନର ଓ ଜୁରୀମେମ୍ବରମାନଙ୍କୁ ଆୟୋଜିକା ଅଭିନେତ୍ରୀ ସସ୍ମିତା ପଣ୍ଡା କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ

ଭୁବନେଶ୍ୱର: ଭୁବନେଶ୍ୱରର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଗାଡ଼ି ମୋଟର ସଂଖ୍ୟାରେ ମଧ୍ୟ୍ୟ ବୃଦ୍ଧି ଘଟୁଛି। ଏହା ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି।
ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭିକେ ପାଣ୍ଡିଆନ ଆଜି ବଡି ଭୋରରୁ ଶିଶୁ ଭବନ ଛକ, ରବି ଟକିଜ ଛକ, କଳ୍ପନା ଛକ, ବେହେରା ସାହି ଛକ, ରସୁଲଗଡ ଛକ ଓ଼ ଆଇଗିଣିଆ ଛକ ଆଦି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରଶାସନ ଏବଂ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ପରିଦର୍ଶନ ସମୟରେ ପୋଲିସ କମିଶନର ଏସ ପ୍ରିୟଦର୍ଶୀ, ପୂର୍ତ୍ତ ସଚିବ ଭି ଭି ଯାଦବ, BMC କମିଶନର ଶ୍ରୀ କୁଳାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରଠାରେ ବାଲ୍‌ମର ଲରିର ନୂତନ କୋଲ୍‌ଡ ଚେନ୍ ୟୁନିଟ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧିନରେ ଥିବା ମିନିରତ୍ନ ଆଇପିଏସ୍‌ଇ ବାଲ୍‌ମର୍ ଲରି ଏବଂ କୋଃ ଲିମିଟେଡ୍ ପକ୍ଷରୁ ଆଜି ଓଡ଼ିଶାର ଭୁବନେଶ୍ୱରଠାରେ ଏହାର ଅତ୍ୟାଧୁନିକ କୋଲ୍ଡ ଚେନ୍ ୟୁନିଟ୍‌ର ଉଦ୍‌ଘାଟିତ ହୋଇଯାଇଛି। ବାଲ୍‌ମର୍ ଲରି ଏବଂ କୋଃ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଆଦିକା ରତ୍ନ ଶେଖର ଏବଂ କମ୍ପାନୀର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଭାରତ ସରକାରଙ୍କ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ, ଶ୍ରମ ଓ ନିଯୁକ୍ତି ରାଜ୍ୟମନ୍ତ୍ରୀ ରାମେଶ୍ୱର ତେଲି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି କୋଲ୍ଡଚେନ୍ ସୁବିଧା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି।

ଭୁବନେଶ୍ୱର ଉପକଣ୍ଠ ଛତାବରଠାରେ ନିର୍ମିତ ଏହି କୋଲ୍ଡଚେନ୍ ୟୁନିଟ ବାଲ୍‌ମର୍ ଲରି ଏବଂ କୋଃ ଲିମିଟେଡ୍‌ର ପୂର୍ବାଞ୍ଚଳରେ ପ୍ରଥମ ଏବଂ ସମଗ୍ର ଦେଶରେ ଚତୁର୍ଥ ୟୁନିଟ୍। ସମଗ୍ର ଭାରତରେ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ବାଲ୍‌ମର୍ ଲରି ହେଉଛି ଏକ ସମନ୍ୱିତ ଲଜିଷ୍ଟିକ୍ ସେବା ପ୍ରଦାନକାରୀ ସଂସ୍ଥା ଏବଂ ଏହାର ଲଜିକୋଲ୍ଡ ବ୍ରାଣ୍ଡ ମାଧ୍ୟମରେ ବଜାରରେ ଏହାର ଉପସ୍ଥିତି ବୃଦ୍ଧି କରିଆସୁଅଛି। ଭାରତ ସରକାରଙ୍କ ‘ଆକ୍ଟ ଇଷ୍ଟ ନୀତି’ ଏବଂ ‘ଆତ୍ମନିର୍ଭର ଭାରତ’ର ଏକ ପ୍ରୟାସ ସ୍ୱରୂପ ଭୁବନେଶ୍ୱରରେ କୋଲ୍ଡଚେନ୍ ୟୁନିଟ ପ୍ରତିଷ୍ଠା କରାଯାଉଛି। ଏହି କୋଲ୍ଡଚେନ୍ ୟୁନିଟ୍ ପୂର୍ବାଞ୍ଚଳରେ ସାମୁଦ୍ରିକ ଖାଦ୍ୟ, ଦୁଗ୍ଧ, କୃଷିଜାତ ଶିଳ୍ପ, ଏବଂ ରେଷ୍ଟୁରାଣ୍ଟର ଦ୍ରୂତ ସେବା (କ୍ୟୁଏସ୍‌ଆର୍‌)ର ଚାହିଦାକୁ ପୂରଣ କରିବ।

ଏହି ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାଲ୍‌ମର୍ ଲରି ଏବଂ କୋଃ ଲିମିଟେଡ୍‌ର ନିର୍ଦ୍ଦେଶକ (ସେବା ବ୍ୟବସାୟ) ଅଧିପ ନାଥ ପାଲଚୌଧୁରୀ ସାମ୍ବାଦିକମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆର୍‌.ଏମ୍ ଉଥାୟାରାଜା, ନିର୍ଦ୍ଦେଶକ (ଉତ୍ପାଦନ ବ୍ୟବସାୟ) ପ୍ରମୁଖ ଉପସ୍ଥିତ ଥିଲେ। କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଆଦିକା ରତ୍ନ ଶେଖର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଡି ହୋଇଥିଲେ।

କୋଲ୍ଡଚେନ୍ ୟୁନିଟକୁ ନୀତିଗତ ଭାବେ ଅବସ୍ଥାନ କରାଯାଇଛି ଏବଂ ଜାତୀୟ ରାଜପଥ ନିକଟରେ ସ୍ଥାପନ କରାଯାଇଥିବାରୁ ଗ୍ରାହକମାନଙ୍କ ପାଇଁ ଏହା ସୁବିଧାଜନକ ହେବ। ଏଠାରେ ବ୍ୟବହୃତ ଅତ୍ୟାଧୁନିକ ଶୀତଳୀକରଣ ଟେକ୍ନୋଲୋଜୀ ଏବଂ ସ୍ୱଂଚାଳିତ ଉତ୍ପାଦ ନିୟନ୍ତ୍ରଣ ଖାଦ୍ୟପଦାର୍ଥଗୁଡ଼ିକରେ ସର୍ବନିମ୍ନ ମାନବ ସ୍ପର୍ଶ ସହିତ ଉତ୍ପାଦଗୁଡ଼ିକର ନିରାପତ୍ତା ଏବଂ ଗୁଣବତ୍ତା ସୁନିଶ୍ଚିତ କରିଥାଏ। ଉନ୍ନତ ସେଟ୍‌ଅପ୍ କେବଳ ଗୁଣାତ୍ମକ ଖାଦ୍ୟ ପଦାର୍ଥ ରପ୍ତାନି ପାଇଁ ନୁହେଁ ବରଂ ନିୟନ୍ତ୍ରିତ ତାପମାତ୍ରାରେ ଫଳ ଓ ପନିପରିବାର ବିଶେଷ କରି ଆଳୁ ସଂରକ୍ଷଣ ପାଇଁ ଏହା ଉତ୍କୃଷ୍ଟ ଅଟେ।

ଗତ ଦୁଇ ଦଶନ୍ଧି ମଧ୍ୟରେ ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ୯ଗୁଣା ବୃଦ୍ଧି କରି ଓଡ଼ିଶା ଦେଶର ୪ର୍ଥ ବୃହତ୍ତମ ମତ୍ସ୍ୟ ଉତ୍ପାଦନକାରୀ ରାଜ୍ୟ ହୋଇପାରିଛି। ଭୁବନେଶ୍ୱରରେ ଏହି କୋଲ୍ଡଚେନ୍ ୟୁନିଟ ପୂର୍ବାଞ୍ଚଳର ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀଙ୍କ ପାଇଁ ଉପଯୁକ୍ତ ଭିତ୍ତିଭୂମି ଅଟେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀର ନିଜସ୍ୱ ନିୟନ୍ତ୍ରିତ ତାପମାତ୍ରା ଯାନ (ଟିସିଭି) ଶେଷ ପର୍ଯ୍ୟନ୍ତ ବିତରଣକୁ ସୁନିଶ୍ଚିତ କରେ। ମୋଟ ୩୨ କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ୱରରେ କୋଲ୍ଡଚେନ୍ ୟୁନିଟ ସ୍ଥାପନ କରାଯାଇଛି।

ସଂଗଠିତ ତୃତୀୟ ପକ୍ଷ ଲିଜିଷ୍ଟିକ (୩ପିଏଲ୍‌), କ୍ୟୁଏସ୍‌ଆର୍‌, ଖୁଚୁରା, ଇ-ବାଣିଜ୍ୟ ଏବଂ ଖାଦ୍ୟ ସେବାଶିଳ୍ପଗୁଡ଼ିକର ଅଭିବୃଦ୍ଧିର ଧାରା ପରିବର୍ତ୍ତନ ହେତୁ ଶୀତଳଭଣ୍ଡାର ଗୁଡ଼ିକର ଧ୍ୟାନକେନ୍ଦ୍ରିତ କରିଛି। ଭୁବନେଶ୍ୱରସ୍ଥିତ କୋଲ୍ଡଚେନ୍ ୟୁନିଟ ୧.୫ ଏକର ପରିମିତ ସ୍ଥାନରେ ବ୍ୟାପ୍ତ ରହିଛି ଏବଂ ୨୦୦୦ ପ୍ୟାଲେଟ (ଫ୍ରୋଜେନ୍‌) ଏବଂ ୩୦୦୦ ଏମ୍‌ଟି (ଶୀତଳ/ଆମ୍ବିଏଣ୍ଟ) ଷ୍ଟୋରେଜ କ୍ଷମତା ବିଶିଷ୍ଟ ଏହି ୟୁନିଟ୍ ବିଭିନ୍ନ ଶିଳ୍ପ ସଂସ୍ଥା ପାଇଁ ଉପଲବ୍ଧ। ଏହି ୟୁନିଟ୍‌ର ଏଫ୍‌ଏସ୍‌ଏସ୍‌ଏଆଇ, ଏମ୍‌ପିଇଡିଏ, ଫ୍ୟାକ୍ଟ୍ରି ଓ ବଏଲର୍ ଆକ୍ଟ ୧୯୪୮, ପିସିବି ପ୍ରମାଣପତ୍ର ଏବଂ ଅଗ୍ନି ନିରାପତ୍ତା ଲାଇସେନ୍ସ ରହିଛି।

ବାଲ୍‌ମର ଲରି ଲଜିକୋଲ୍ଡ ପୂର୍ବରୁ ଭାରତର ଦକ୍ଷିଣାଞ୍ଚଳ (ହାଇଦ୍ରାବାଦ୍‌), ଉତ୍ତରାଞ୍ଚଳ (ରାୟ, ଦିଲ୍ଲୀ ଏନ୍‌ସିଆର୍‌) ଏବଂ ପଶ୍ଚିମାଞ୍ଚଳ (ପାତାଳଗଙ୍ଗା ଏବଂ ନବୀମୁମ୍ବାଇ)ରେ ନିଜର ପରିଚୟ ସୃଷ୍ଟି କରିସାରିଛି ଏବଂ ବର୍ତ୍ତମାନ ପୂର୍ବାଞ୍ଚଳରେ ଏହାର ଉପସ୍ଥିତି ଜାହିର କରିଛି। ଟିସିଭି, ଏସ୍‌ବିୟୁ: ଶୀତଳ ଭଣ୍ଡାର ସମଗ୍ର ଦେଶର ଗ୍ରାହକମାନଙ୍କୁ ୱାନ୍‌ଷ୍ଟପ କେନ୍ଦ୍ରରେ ସେବା ପ୍ରଦାନକାରୀ ଭାବେ ନିଜକୁ ସ୍ଥାପନ କରିପାରିଛି। ଏସ୍‌ବିୟୁ ଏହାର ହାଇଦ୍ରାବାଦ ୟୁନିଟ୍‌ରୁ ଦୁଇଟି କୋଭିଡ-୧୯ ଟୀକା- କୋଭାକ୍ସିନ ଏବଂ ସ୍ପୁଟନିକ୍ ପରିଚାଳନା କରି କରୋନା ସମୟରେ ଏହାର ବ୍ରାଣ୍ଡ ସୃଷ୍ଟି କରିସାରିଛି। ଭୁବନେଶ୍ୱରରେ କୋଲ୍ଡଚେନ୍ ୟୁନିଟର ସ୍ଥାପନା ବାଲ୍‌ମର ଲରିର ଲଜିଷ୍ଟିକ ରୋଡମ୍ୟାପରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ।

Categories
ଆଜିର ଖବର ରାଜ୍ୟ ଖବର

କାର୍ଯ୍ୟ ଦକ୍ଷତା ପାଇଁ ୨୮୫ କର୍ମଚାରୀଙ୍କୁ ସମ୍ମାନିତ କରିବ ପୂର୍ବତଟ ରେଳପଥ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ଆଜି ଅପରାହ୍ନରେ ୨୮୫ ରେଳ କର୍ମଚାରୀଙ୍କୁ ସେମାନଙ୍କର ଅତ୍ସର୍ଗିକୃତ ସେବା, ପ୍ରଗତିଶୀଳ ମନୋଭାବ ସହ ସେମାନଙ୍କ କର୍ତ୍ତବ୍ୟ ପ୍ରତି ନିଷ୍ଠା ଏବଂ କାର୍ଯ୍ୟ ଦକ୍ଷତା ପାଇଁ ଭୁବନେଶ୍ୱରର ରେଳ ଅଡିଟୋରିୟମରେ ଆୟୋଜିତ ହେବାକୁ ଥିବା ୬୭ ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ସମ୍ମାନିତ କରିବ।

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଏହି ଉତ୍ସବରେ ଯୋଗଦେଇ ଦକ୍ଷ କର୍ମଚାରୀମାନଙ୍କୁ ସମ୍ମାନିତ କରିବେ। ବ୍ୟକ୍ତିଗତ ପୁରସ୍କାର ବ୍ୟତୀତ, ଶ୍ରେଷ୍ଠ ମେଜର୍ କ୍ଲିନ୍ ଷ୍ଟେସନ୍, ଶ୍ରେଷ୍ଠ ମାଇନର୍ କ୍ଲିନ୍ ଷ୍ଟେସନ୍, ସାମଗ୍ରିକ ଦକ୍ଷତା, ବୈଦ୍ୟୁତିକ ଅଣ ଟ୍ରାକ୍ସନ୍ ଶକ୍ତି ପରିଚାଳନା, ପରିବେଶ ଏବଂ ହାଉସ କିପିଙ୍ଗ ପରିଚାଳନା, ସର୍ଭେ ଏବଂ ନିର୍ମାଣ, ସ୍କ୍ରାପ୍ ନିଷ୍କାସନ, ଷ୍ଟୋର ଏବଂ କୋଚିଂ ଡିପୋ, ବାଣିଜ୍ୟିକ, ଅପରେଟିଂ, ସୁରକ୍ଷା, ନିରାପତ୍ତା, ୱାଗନ୍ ରକ୍ଷଣାବେକ୍ଷଣ, ସିଭିଲ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଟ୍ରାକ୍ସନ୍, ଫାଇନାନ୍ସ, ସିଗନାଲ୍ ଆଣ୍ଡ ଟେଲିକମ୍, ରାଜଭାଷା, କ୍ରୀଡା, ମେକାନିକାଲ୍, କାର୍ମୀକ ଏବଂ ଆଇନ ସମ୍ବନ୍ଧୀୟ କାର୍ଯ୍ୟଦକ୍ଷତା କ୍ଷେତ୍ରରେ ପୂର୍ବତଟ ରେଳପଥର ବିଭିନ୍ନ ରେଳବାଇ ୟୁନିଟ ଗୁଡିକୁ ପୁରସ୍କୃତ କରାଯିବ।

ପୂର୍ବତଟ ରେଳପଥର ସମସ୍ତ ତିନିଟି ରେଳମଣ୍ଡଳ ଯଥା ୱାଲଟିୟର, ଖୋର୍ଦ୍ଧା ରୋଡ଼ ଓ ସମ୍ବଲପୁର ସହିତ ସଵାରୀ ଡବା ମରାମତି କାରଖାନା ଏବଂ ଭୁବନେଶ୍ୱରସ୍ଥ ମୁଖ୍ୟାଳୟର କୃତି କର୍ମଚାରୀ ମାନେ ଏହି ବାର୍ଷିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ୱଳ ନକ୍ଷତ୍ର ଶିକ୍ଷା ଓ ଅନୁସନ୍ଧାନ

ଭୁବନେଶ୍ବର: ପଚିଶ ବର୍ଷ ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି। ଶିକ୍ଷାର ଗୁଣବତା ଏବଂ ଅଭିନବ ଗବେଷଣା ଉପରେ ଗୁରୁତ୍ୱାରୋପ ହିଁ ଏହି ବିଶ୍ୱବିଦ୍ୟାଳୟର ବିଶେଷତ୍ୱ। ସୋଆ ଭାବେ ପରିଚିତ ଏହି ଡିମ୍‌ଡ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଅନେକ ଛାତ୍ରଛାତ୍ରୀ ଏବେ ପୃଥିବୀରେ ବିଭିନ୍ନ କ୍ଷେତ୍ରରେ ବେଶ ପ୍ରତିଷ୍ଠିତ। ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ଉତ୍କର୍ଷ ପ୍ରମାଣିତ କରି ସୋଆ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି।

୨୦୦୭ ମସିହା ଜୁଲାଇ ୧୭ ତାରିଖରେ ୟୁଜିସି ଆକ୍ଟ , ୧୯୫୬ର ସେକ୍ସନ୍ ୩ ଅନୁଯାୟୀ କେନ୍ଦ୍ର ସରକାର ସୋଆକୁ ଡିମ୍‌ଡ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ। ବର୍ତ୍ତମାନ ଏହା ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଦେଶରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି। ପ୍ରାୟ ୧୫୦୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଗଢ଼ିବା ପାଇଁ ସୋଆରେ ଶିକ୍ଷା ଗ୍ରହଣ କରୁଛନ୍ତି। ଏମାନଙ୍କ ମଧ୍ୟରେ ୧୫ଟି ବିଦେଶୀ ରାଷ୍ଟ୍ରରୁ ପ୍ରାୟ ୧୯୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ମଧ୍ୟ ସୋଆକୁ ନିଜର ଭବିଷ୍ୟତ ନିର୍ଦ୍ଧାରଣକାରୀ ଶିକ୍ଷାନୁଷ୍ଠାନ ଭାବେ ଚୟନ କରିଛନ୍ତି।

ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରିବାର ୧୫ ବର୍ଷ ପରେ ସୋଆ ସଫଳତାର ଶିଢ଼ି ଚଢ଼ିଚାଲିଥିବା ବେଳେ ୨୦୧୬ ମସିହାରୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ ହୋଇଥିବା ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ସବୁଠାରୁ ନବତମ ବିଶ୍ୱବିଦ୍ୟାଳୟ ଭାବେ ବିଗତ ୭ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜର ସ୍ଥାନ ବଜାୟ ରଖିଛି। ସେହିପରି ଗତ ୩ ବର୍ଷ ହେବ ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇପାରିଛି ସୋଆ।

ଚଳିତବର୍ଷ ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ -୨୦୨୨ରେ ଦେଶର ୧୬ତମ ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ସ୍ଥାନୀତ କରିଛି ସୋଆ। ଓଡ଼ିଶାରେ ଏକ ନମ୍ବର ଏବଂ ପୂର୍ବ ଭାରତରେ ତୃତୀୟ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ହାସଲ କରିଛି ସୋଆ।

ଚଳିତ ଏନ୍‌ଆଇଆର୍‌ଏଫ୍ -୨୦୨୨ ତାଲିକାରେ ସୋଆ ଓଭରଅଲ୍ କ୍ୟାଟେଗୋରୀରେ ୩୦ତମ ସ୍ଥାନରେ ରହିଥିବା ବେଳେ ମେଡିକାଲ୍ ସାଇନ୍‌ସେସ୍‌ରେ୧୮ତମ, ଇଞ୍ଜିନିୟରିଂରେ ୨୭ତମ ଏବଂ ଡେଂଟାଲ୍ ସାଇନ୍‌୍‌ସେସ୍‌ରେ ୧୦ମ ସ୍ଥାନରେ ରହିଛି। ସେହିପରି ପ୍ରଥମ ଥର ପାଇଁ ଏହି ର‌୍ୟାଙ୍କିଙ୍ଗରେ ପ୍ରବେଶ କରିଥିବା ସୋଆର ଫ୍ୟାକଲ୍ଟି ଅଫ୍ ଲ’ ଦେଶରେ ୯ମ ସ୍ଥାନ ହାସଲ କରିଥିବା ବେଳେ ରିସର୍ଚ୍ଚ କ୍ୟାଟେଗୋରୀରେ ୪୫ ତମ ସ୍ଥାନରେ ସ୍ଥାନୀତ ହୋଇଛି। ସୋଆର ଦୁଇଟି ଅନୁଷ୍ଠାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌) ଏବଂ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍‌) ପ୍ରଥମ ଥର ପାଇଁ ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନୀତ ହୋଇଛି । ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ପୂର୍ବାଂଚଳରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଫ୍ୟାକଲ୍ଟି ଅଫ୍ ଲ’) ପୂର୍ବାଂଚଳରେ ତୃତୀୟ ସ୍ଥାନ ହାସଲ କରିଛି।

ନିକଟରେ ଏକ ବିରାଟ ସଫଳତା ମଧ୍ୟ ହାସଲ କରିଛି ସୋଆ। ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍‌ସିଲ୍ (ନାକ୍‌) ବିଶ୍ୱବିଦ୍ୟାଳୟକୁ ମୋଟ ୪ ସ୍କୋରରୁ ୩.୮୮ ସିଜିପିଏ ସହ ସର୍ବୋଚ୍ଚ ଇ++ ଗ୍ରେଡ୍‌ର ସ୍ୱୀକୃତି ପ୍ରଦାନ କରିଛି। ଏହାଛଡ଼ା ନିକଟରେ ସୋଆକୁ ୟୁଜିସି ଦ୍ୱାରା କ୍ୟାଟେଗୋରୀ ୱାନ୍ ଗ୍ରେଡ଼ ମାନ୍ୟତା ମଧ୍ୟ ପ୍ରଦାନ କରାଯାଇଛି।
ସମ୍ମାଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ ୨୦୨୨ରେ ସୋଆ ବିଶ୍ୱ ସ୍ତରରେ ୮୦୧-୧୦୦୦ ବ୍ରାକେଟ୍‌ରେ ସ୍ଥାନ ହାସଲ କରିଥିବା ବେଳେ କ୍ୟୁଏସ୍ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍ ୨୦୨୧ରେ ୪୦୧ ରୁ ୪୫୦ ବ୍ରାକେଟ୍ ମଧ୍ୟରେ ସ୍ଥାନୀତ ହୋଇଛି। ସେହିପରି ୨୦୨୦ରେ ଉଚ୍ଚକୋଟୀର ପାରଦର୍ଶିତା ନିମନ୍ତେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ସୋଆକୁ ଡାଏମଣ୍ଡ ୟୁନିଭର୍ସିଟି ରେଟିଙ୍ଗ୍ ମିଳିଛି। ପୂର୍ବ ଭାରତର ଏକ ମାତ୍ର ଶିକ୍ଷାନୁଷ୍ଠାନ ଭାବେ କୋଭିଡ୍ ୧୯ ଲକ୍‌ଡାଉନ୍ ସମୟରେ ଅନ୍‌ଲାଇନ୍ ଶିକ୍ଷା ପ୍ରଦାନ ଓ ପାଠ୍ୟକ୍ରମ ପରିଚାଳନା ନିମନ୍ତେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଇ-ଲିଡ୍ ସମ୍ମାନ ମଧ୍ୟ ମିଳିଛି।

ସେହିପରି ଟାଇମ୍‌ସ ହାୟର୍ ଏଜୁକେସନ୍ (ଟିଏଚ୍‌ଇ) ୱାର୍ଲ୍ଡ ର‌୍ୟାଙ୍କିଙ୍ଗ୍ ୨୦୨୧ରେ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କିଙ୍ଗ କ୍ଷେତ୍ରରେ ୧୨୦୧ ପ୍ଲସ୍ କ୍ୟାଟେଗୋରିରେ ସୋଆ ସ୍ଥାନ ପାଇଥିବା ବେଳେ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ଓ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ୬୦୧ ରୁ ୮୦୦ ବ୍ରାକେଟ୍‌ରେ ସ୍ଥାନ ପାଇପାରିଛି। ସେହିପରି ହେଲ୍‌ଥ ସାଇନ୍‌ସେସ୍ କ୍ୟାଟେଗୋରିରେ ସୋଆ ୬୦୧ ପ୍ଲସ୍ ର‌୍ୟାଙ୍କରେ ରହିଥିବା ବେଳେ ଟିଏଚ୍‌ଇ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ସ ୨୦୨୧ରେ ୪୦୧ ପ୍ଲସ୍ ବ୍ରାକେଟରେ ସ୍ଥାନ ପାଇଛି। ସେହିପରି ଟିଏଚ୍‌ଇ ଏମିର୍ଜିଂ ଇକୋନୋମିଜ୍ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ସ ୨୦୨୧ ରେ ୫୦୧ ପ୍ଲସ୍ କ୍ୟାଟେଗୋରିରେ ସ୍ଥାନୀତ ହୋଇଛି ସୋଆ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହେଉଛି ସୋଆର ୧୩ ଜଣ ଗବେଷକ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ସମ୍ମାନଜନକ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।

ସୋଆରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ମ୍ୟାନେଜମେଂଟ, ମେଡିକାଲ୍ ସାଇନ୍‌ସେସ୍‌, ଡେଂଟାଲ୍ ସାଇନ୍‌ସେସ୍‌, ନର୍ସିଂ, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ବାୟୋଟେକ୍ନୋଲୋଜି, ହସ୍ପିଟାଲ ମ୍ୟାନେଜମେଂଟ, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ଲ ଏବଂ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ କ୍ଷେତ୍ରରେ ୨୪ଟି ଅଣ୍ଡର ଗ୍ରାଜୁଏଟ୍ ,୬୭ ପୋଷ୍ଟ ଗ୍ରାଜୁଏଟ୍‌, ୧୫ ପୋଷ୍ଟ ମାଷ୍ଟର୍ସ, ପିଏଚ୍‌ଡି ଏବଂ ପୋଷ୍ଟ ଡକ୍ଟରାଲ୍ ପାଠ୍ୟକ୍ରମ ଉପଲବ୍ଧ।

ପ୍ରତ୍ୟେକ ବର୍ଷ ସୋଆର ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ନିଯୁକ୍ତି ସୁଯୋଗ ପାଉଛନ୍ତି। କୋଭିଡ୍ ମହାମାରୀ ସସତ୍ତ୍ୱେ ୨୦୨୧ରେ ଗ୍ରାଜୁଏଟ୍ ହେଉଥିବା ସୋଆର ୯୧ ପ୍ରତିଶତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ବିଶ୍ୱର ପ୍ରମୁଖ କମ୍ପାନୀ ମାନଙ୍କରେ ନିଯୁକ୍ତି ସୁଯୋଗ ପାଇଛନ୍ତି।

ସୋଆର ୫ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ୍ ନ୍ୟାସ୍‌ନାଲ୍ ବୋର୍ଡ ଅଫ୍ ଆକ୍ରେଡିଟେସନ୍ ପାଇଥିବା ବେଳେ ୩ଟି ପ୍ରୋଗ୍ରାମକୁ ୟୁଏସଏର ସମ୍ମାନଜନକ ଆକ୍ରେଡିଟେସନ୍ ବୋର୍ଡ ଫର ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆବେଟ୍‌) ର ସ୍ୱୀକୃତି ମିଳିଛି।

ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ଏହି ବିଶ୍ୱବିଦ୍ୟାଳୟ ନିକଟରେ ୯୩୨୪ ସ୍କୋପସ୍ ଇଣ୍ଡେକ୍ସ ପ୍ରକାଶନ ରହିଥିବା ବେଳେ ଏହାର ଏଚ୍‌-ଇଣ୍ଡେକ୍ସ ୮୫ ରହିଛି। ବିଶ୍ୱବିଦ୍ୟାଳୟରେ ଗବେଷଣାକୁ ଅଧିକ ପ୍ରୋତ୍ସାହନ ଦେବା ନିମନ୍ତେ ୨୬ଟି କ୍ଷେତ୍ର କୁ ନେଇ ୧୬ଟି ଗବେଷଣା କେନ୍ଦ୍ର ରହିଛି।

ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ୍ ମେଡିସିନ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଓ ସମ୍ ହସ୍ପିଟାଲ୍ ଏକ ୧୬୦୦ ଶଯ୍ୟା ବିଶିଷ୍ଟ ଏନ୍‌ଏବିଏଚ୍ ଓ ଏନ୍‌ଏବିଏଲ୍ ସ୍ୱୀକୃତିପ୍ରାପ୍ତ ଡାକ୍ତରଖାନା ଯାହା ପୂର୍ବ ଭାରତରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏହି ମେଡିକାଲ୍ କଲେଜରେ ୨୫୦ ଏମ୍‌ବିବିଏସ୍ ସିଟ୍ ରହିଛି। ଏଠାରେ ଛାତ୍ରଛାତ୍ରୀମାନେ ଉନ୍ନତମାନର ଶିକ୍ଷା ଗ୍ରହଣ କରୁଥିବା ବେଳେ ରୋଗୀମାନେ ସୁଲଭ ମୂଲ୍ୟରେ ଉତମ ଚିକିତ୍ସା ପାଇପାରୁଛନ୍ତି।

କୋଭିଡ ମହାମାରୀର ତିନୋଟି ଲହରୀ ରାଜ୍ୟକୁ ଆକ୍ରାନ୍ତ କରିଥିବା ବେଳେ ସୋଆ ଏହି ଭୟଙ୍କର ପରିସ୍ଥିତିର ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସରକାରଙ୍କ ସହଭାଗିତାରେ ଓଡ଼ିଶାରେ ୨୪୦୦ରୁ ଊର୍ଦ୍ଧ୍ୱ ଶଯ୍ୟା ବିଶିଷ୍ଟ ୫ ଟି କୋଭିଡ ହସ୍ପିଟାଲ୍ ତଥା ୨ଟି କୋଭିଡ କେୟାର ସେଂଟରର ପରିଚାଳନା କରି ଏହି ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ଚିକିତ୍ସା କରିବାରେ ସୋଆ ସଫଳ ହୋଇଥିଲା।

ଏହି କୋଭିଡ ହସ୍ପଟାଲ୍ ଗୁଡ଼ିକ ଭୁବନେଶ୍ୱର, ତାଳଚେର, କେନ୍ଦ୍ରାପଡା, ଚାନ୍ଦପୁର ଓ ପୁରୀଠାରେ ସ୍ଥାପିତ ହୋଇଥିବା ବେଳେ କୋଭିଡ କେୟାର ସେଂଟର ଗୁଡ଼ିକ ଜଟଣୀ ଓ ଜାମୁଝରି ଠାରେ ସ୍ଥାପିତ ହୋଇଥିଲା। ଏଥିରେ ଆଇଏମ୍‌ଏସ୍ ଓ ସମ୍ ହସ୍ପିଟାଲ୍‌ର ୫୦୦ ଡାକ୍ତରଙ୍କ ସହ ଅସଂଖ୍ୟ ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ହୋଇଥିଲେ। ବର୍ତ୍ତମାନ ଚତୁର୍ଥ ଲହରୀର ମୁକାବିଲା କରିବା ପାଇଁ ମଧ୍ୟ ସୋଆ ପ୍ରସ୍ତୁତ।