Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତଙ୍କ ଏସିଆନ୍ ଗେମ୍‌ସ ପାଇଁ ଯାଗ୍ୟତା ହାସଲ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ଠାରେ ଅନୁଷ୍ଠିତ ୬୨ତମ ଆନ୍ତଃ ରାଜ୍ୟ ଦୌଡ଼କୁଦ ଚମ୍ପିଆନ୍‌ସିପ୍‌ରେ ରିଲାଏନ୍ସ ଫାଉଣ୍ଡେସନ (ଆର୍‌ଏଫ୍‌)ର କ୍ରୀଡ଼ାବିତ୍‌ମାନେ ଚମତ୍କାର ପ୍ରଦର୍ଶନ କରି ୮ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ସମେତ ମୋଟ ୨୦ଟି ମେଡାଲ୍ ହାସଲ କରି ଅଭିଯାନ ଶେଷ କରିଛନ୍ତି। ଦୃଢ଼ ପ୍ରଦର୍ଶନ କରି ରିଲାଏନ୍ସ ଫାଉଣ୍ଡେସନର ସାତ ଜଣ କ୍ରୀଡ଼ାବିତ୍ ଏସିଆନ୍ ଗେମ୍‌ସ ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ପାଂଚ ଜଣ କ୍ରୀଡ଼ାବିତ୍ ଏହି ଚମ୍ପିଆନ୍‌ସିପ୍‌ରେ ପୂର୍ବରୁ ରହିଥିବା ରେକର୍ଡ ଭଙ୍ଗ କରିଛନ୍ତି।

ରିଲାଏନ୍ସ ଫାଉଣ୍ଡେସନ ଆଥ୍‌ଲେଟିକ୍ସ ହାଇ-ପରଫରମାନ୍ସ ସେଂଟରର ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ୍ ଓୱେନ ଓଡ଼ିଶାର ପୁରୁଷ ଓ ମହିଳାଙ୍କ ରିଲେ ଟିମ୍‌ର ଉଦ୍ୟମ ଓ ପ୍ରଦର୍ଶନକୁ ଚମ୍ପିଆନ୍‌ସିପ୍‌ର ପ୍ରମୁଖ ଆକର୍ଷଣ ଥିଲା ବୋଲି କହିଛନ୍ତି। ସେହି ଟିମ୍‌ରେ ରିଲାଏନ୍ସ ଫାଉଣ୍ଡେସନର ତିନି ଜଣ କ୍ରୀଡ଼ାବିତ୍ ରହିଥିଲେ। ମାର୍ଟିନ୍ ଓୱେନ କହିଛନ୍ତି ଯେ, “ଜ୍ୟୋତି ୧୦୦ ମିଟର ଦୌଡ଼କୁ ସହଜରେ ଜିତିବା ସହ ଏହି ଟୁର୍ଣ୍ଣାମେଂଟ୍‌ର ବହୁତ ଭଲ ଶୁଭାରମ୍ଭ ହୋଇଥିଲା, କିନ୍ତୁ ଏକ ସେକେଣ୍ଡର ୪୦୦ତମ ଅଂଶ ପାଇଁ ସେ ଏସିଆନ୍ ଗେମ୍‌ସ ଯୋଗ୍ୟତା ହାସଲରୁ ବଂଚିତ ହୋଇଥିଲେ। ତେବେ ସେଥିରେ ସେ ଭାଙ୍ଗି ପଡ଼ିନଥିଲେ। ଦୃଢ଼ ପ୍ରତ୍ୟାବର୍ତନ କରି ସେ ଏସିଆନ୍ ଯୋଗ୍ୟତା ପର୍ଯ୍ୟାୟରେ ୧୦୦ ମିଟର ବାଧାଦୌଡ଼କୁ ଅତି ସହଜରେ ଜିତିଥିଲେ। ୪୦୦ ମିଟର ମହିଳା ଦୌଡ଼ରେ ସେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଥିଲେ। ଓଡ଼ିଶାର ୪୦୦ ମିଟର ରିଲେ ଟିମ୍ କାଂସ୍ୟ ପଦକ ଜିିତିଥିଲେ ଯେଉଁଥିରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ହାଇପରଫରମାନ୍ସ ସେଂଟର୍‌ର ସବିତା, ସୁଖି ଓ ବନିତା ଖେଳୁଥିଲେ।’’

ସେହିଭଳି ଅମ୍ଳାନ ବର୍ଗୋହେନ୍ ୨୦୦ ମିଟର ଦୌଡ଼କୁ ୨୦.୭୧ ସେକେଣ୍ଡ୍‌ରେ ଜିତି ୨୩ ବର୍ଷ ଧରି ଅନିଲ କୁମାରଙ୍କ (୨୦.୮୦ ସେକେଣ୍ଡ) ନାମରେ ରହିଥିବା ରେକର୍ଡକୁ ଭାଙ୍ଗିଛନ୍ତି।
ଟୁର୍ଣ୍ଣାମେଂଟ୍‌ର ଶେଷ ଦିନରେ ୧୫୦୦ ମିଟର ଦୌଡ଼କୁ ୩:୪୨.୭୭ ସମୟରେ ଶେଷ କରି ଜିନ୍‌ସନ୍ ଜନ୍‌ସନ୍ ସ୍ୱର୍ଣ୍ଣ ପଦକ ଜିତିବା ସହ ଏସିଆନ୍ ଗେମ୍‌ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ନିଜ ସମୟରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଥିବା ଜନ୍‌ସନ୍ କହିଛନ୍ତି ଯେ “ମୁଁ ବହୁତ ଖୁସି। ଏସିଆନ୍ ଗେମ୍‌ସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ମୋତେ କଠିନ ପରିଶ୍ରମ କରିବାକୁ ପଡ଼ିବ ଏବଂ ସମୟରେ ୨-୩ ସେକେଣ୍ଡ ଉନ୍ନତି ନିଶ୍ଚିତ ଆଣିବାକୁ ପଡ଼ିବ। ୩.୩୭ ସେକେଣ୍ଡ୍ ଭିତରେ ଦୌଡ଼ ଶେଷ କରିବାକୁ ମୁଁ ଲକ୍ଷ୍ୟ ରଖିଛି। ତାହା ହେଲେ ମୁଁ ସବୁ ପ୍ରକାରର ଦୌଡରେ ଜିତିପାରିବି ବୋଲି ଭାବୁଛି।’’

ସେହିପରି ଫାଉଣ୍ଡେସନର କ୍ରୀଡ଼ାବିତ କିଶୋର କୁମାର ଜେନା ଜାଭେଲିନ୍ ଫୋପାଡ଼ିବାରେ ୮୨.୩୭ ମିଟରର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ରୌପ୍ୟ ପଦକ ହାସଲ କରିଥିବା ବେଳେ ଏସିଆନ୍ ଗେମ୍‌ସ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛନ୍ତି। ଜ୍ୟୋତି ୟାରାଜୀ ମହିଳା ୧୦୦ ମିଟର ବାଧାଦୌଡ଼ ଓ ମହମ୍ମଦ ଅଫଜଲ୍ ପୁରୁଷ ୮୦୦ ମିଟର ଦୌଡ଼ରେ ଏସିଆନ୍ ଗେମ୍‌ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ରେକର୍ଡ ଭାଙ୍ଗିବା ଲାଗି ପରିଚିତ ଜ୍ୟୋତି ୧୦୦ ମିଟର ବାଧାଦୌଡ଼କୁ ୧୨.୯୨ ସେକେଣ୍ଡରେ ଶ୍ରେଷ୍ଠ କରି ପ୍ରଥମ ସ୍ଥାନରେ ରହିଥିଲେ। ୧୦୦ ମିଟର ଦୌଡ଼ରେ ମଧ୍ୟ ସେ ଶ୍ରେଷ୍ଠ ସ୍ଥାନ ସହ ପୋଡିୟମ୍ ଦଖଲ କରିଥିଲେ। ଜ୍ୟୋତି ୟାରାଜୀଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ୍ ଘୋଷଣା କରାଯାଇଛି। ସେହିଭଳି କାର୍ତିକ କୁମାର ୧୦୦୦୦ ମିଟର ବର୍ଗରେ ସଫଳତାର ସହିତ ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

ଏସିଆନ୍ ଗେମ୍‌ସରେ ମେଡାଲ୍ ଜିତିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ଅଫଜଲ୍ କହିଛନ୍ତି ଯେ, “ମୋତେ ନିଶ୍ଚିତ ରୂପେ ଏସିଆନ ଗେମ୍‌ସ ଓ ଏସିଆନ୍ ଚମ୍ପିଆନ୍‌ସିପ୍‌ରେ ଜିତିବାକୁ ପଡ଼ିବ। ମୋର ବିଶ୍ୱାସ ଅଛି ଯେ ମୁଁ ଜିତିପାରିବି ଓ ଜାତୀୟ ରେକର୍ଡ ଭାଙ୍ଗିପାରିବି। ମୁଁ ୧:୪୪ରେ ପହଂଚିବାକୁ ଲକ୍ଷ୍ୟ ରଖିଛି ଓ ମୋର ବିଶ୍ୱାସ ରହିଛି ଯେ ରିଲାଏନ୍ସ ସହଯୋଗରେ ମୁଁ ତାହା କରିପାରିବି।’’

ରିଲାଏନ୍ସ ଫାଉଣ୍ଡେସନର କ୍ରୀଡ଼ାବିତ୍ ତେଜସ୍ ସିର୍‌ଜେ ପୁରୁଷ ୧୧୦ ମିଟର ବାଧାଦୌଡ଼କୁ ୧୩.୮୭ ସେକେଣ୍ଡ୍‌ରେ ଶେଷ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଏଲାକିୟାଦାସନ ପୁରୁଷ ୧୦୦ ମିଟର ଦୌଡ଼କୁ ୧୦.୪୭ ସେକେଣ୍ଡ୍‌ରେ ଶେଷ କରି କାଂସ୍ୟ ପଦକ ଜିତିଥିବା ବେଳେ ୟମନଦୀପ ଶର୍ମା ପୁରୁଷ ଡିକାଥଲନ୍‌ରେ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ୭୧୬୫ ପଏଂଟ୍ ହାସଲ କରି ରୌପ୍ୟ ପଦକ ଜିତିଛନ୍ତି। ଫାଉଣ୍ଡେସନର କ୍ରୀଡ଼ାବିତ ଅଭିଷେକ ଦଳବେହେରା, ଲାଲୁପ୍ରସାଦ ଭୋଇ ଓ ଡିଏମ୍ ଜୟରାମଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଓଡ଼ିଶା ପୁରୁଷ ଟିମ୍ ୪୦୦ ମିଟର ରିଲେ ଦୌଡରେ ରୌପ୍ୟ ପଦକ ହାସଲ କରିଛି। ୪୦୦ ମିଟର ରିଲେରେ ସବିତା ଟପ୍ପୋ, ବନିତା ଲାକ୍ରା ଓ ସୁଖି ବାସ୍‌କେ ଭଳି କ୍ରୀଡ଼ାବିତଙ୍କୁ ନେଇ ଓଡ଼ିଶା ମହିଳା ଟିମ୍ କାଂସ୍ୟ ପଦକ ହାସଲ କରିଛି। ୪୦୦ ମିଟର ପୁରୁଷ ରିଲେରେ ତାମିଲନାଡ଼ୁର ଏଲାକିୟାଦାସନ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୪୦୦ ମିଟର ମହିଳା ରିଲେରେ ଆନ୍ଧ୍ରପ୍ରଦେଶର ଜ୍ୟୋତି ରୌପ୍ୟ ପଦକ ହାସଲ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୬ ଜଣ ଟ୍ର୍ରେନି ଆଇଏଏସ୍‌ ଅଧିକାରୀଙ୍କ ଶିକ୍ଷା ବିଭାଗ ପରିଦର୍ଶନ

ଭୁବନେଶ୍ୱର: ଓଡିଶା କ୍ୟାଡରର ୬ଜଣ ଟ୍ର୍ରେନି ଆଇଏଏସ୍‌ ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଦର୍ଶନ କରିଛନ୍ତି। ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡମିନିଷ୍ଟ୍ରେସନରେ ତାଲିମ ନେବାକୁ ଥିବା ଏହି ପ୍ରଶାସନିକ ଅଧିକାରୀ ଗୁରୁବାର ଦିନ ମୋ ସ୍କୁଲ କାର୍ଯ୍ୟାଳୟ, ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ କାର୍ଯ୍ୟାଳୟ ଓ ଚନ୍ଦ୍ରଶେଖରପୁରଠାରେ ଥିବା ଆଇକନିକ୍‌ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମଗୁଡିକ ସମ୍ବନ୍ଧରେ ସେମାନଙ୍କୁ ଅବଗତ କରିଛନ୍ତି। ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନର୍ଦ୍ଦେଶକ ଅନୁପମ ସାହା ପ୍ରଶାସନିକ ଶାସନ ବ୍ୟବସ୍ଥା ଏବଂ ୫-‘ଟି’ ହାଇସ୍କୁଲ୍‌ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ବିଷୟରେ ସେମାନଙ୍କୁ କହିଥିଲେ। ସେହିଭଳି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ମୋ ସ୍କୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମରଜିତ୍‌ ଜେନା ଓ ମୋ ସ୍କୁଲର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବିଭିନ୍ନ କାର୍ଯ୍ୟକ୍ରମର ପରିଚାଳନା ବିଷୟରେ ସେମାନଙ୍କୁ ଅବଗତ କରିଥିଲେ।

୫-‘ଟି’ ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ମୋ ସ୍କୁଲ ଅଧିନରେ ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ, ସମଗ୍ର ଶିକ୍ଷା, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆଦି କାର୍ଯ୍ୟକ୍ରମର ବିସ୍ତୃତ ଧାରଣା ସେମାନଙ୍କୁ ପ୍ରଦାନ କରାଯାଇଛି। ୨୦୨୨ ବ୍ୟାଚ୍‌ ଓଡିଶା କ୍ୟାଡରର ଏହି ୬ଜଣ ପ୍ରଶାସନିକ ଅଧିକାରୀ ରାଜ୍ୟ ସ୍ତରରେ ମୟୂରଭଞ୍ଜ, ଗଞ୍ଜାମ, ଝାରସୁଗଡା, ସମ୍ବଲପୁର, ସୁନ୍ଦରଗଡ ଓ କୋରାପୁଟ ଜିଲ୍ଲାରେ ମଧ୍ୟ ଏକ ବର୍ଷ ତାଲିମ ନେବେ। ଓଡିଶାରେ ତାଲିମ ସମାପ୍ତ ପରେ ସେମାନେ ଉତ୍ତରାଖଣ୍ଡର ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନରେ ତାଲିମ ଗ୍ରହଣ କରିବେ। ଏହାପରେ ଓଡିଶାରେ ସେମାନଙ୍କ ପାଇଁ ଦିଆଯାଇଥିବା ନିଜ ନିଜ ଜିଲ୍ଲାରେ କାର୍ଯ୍ୟରେ ଯୋଗଦେବେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାହନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଗୁରୁତରଙ୍କ ପାଇଁ ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜନ

ଭୁବନେଶ୍ଵର: ଓଲିଉଡ଼ ଅଭିନେତ୍ରୀ ଏଲିନା ସାମନ୍ତରାୟ, ସମାଜସେବୀ ହୀରାଲାଲ ଶର୍ମା ଏବଂ ସି.କେ ଶର୍ମାଙ୍କ ନେତୃତ୍ୱରେ ଭୁବନେଶ୍ୱର ରେଡ଼କ୍ରସ ଭବନ ଠାରେ ସକାଳ ୯ ଟା ରେ ବାଲେଶ୍ୱର ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଗୁରୁତର ହୋଇ ବିଭିନ୍ନ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର ରେ ନିଜର ମାନବିକତାର ପରିଚୟ ଦେଇ ରାଜଧାନୀର ଅନେକ ଜନସାଧାରଣ ରକ୍ତଦାନ‌ କରିବାକୁ ଲମ୍ବା ଧାଡି ଲାଗିଥିଲା। ଭୁବନେଶ୍ବରର ଅନେକ ରାଜନେତା, ସ୍ଵେଚ୍ଛାସେବୀଙ୍କ ସହିତ ସିନେମା ଜଗତ ସହିତ ଜଡିତ ଥିବା ଅନେକପ୍ରଯୋଜକ, ଅଭିନେତା, ଅଭିନେତ୍ରୀ ମଧ୍ୟ ଯୋଗଦେଇ ସ୍ବେଛାକୃତ ଭାବେ ରକ୍ତଦାନ କରିଛନ୍ତି।

ପିପିଲିର ଯୁବ ବିଧାୟକ ରୁଦ୍ର ମହାରଥୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ରୋଜାଲିନ ପଟ୍ଟଶାଣୀ, ଋଷି ପଟ୍ଟନାୟକ, ସିନେ ପ୍ରଯୋଜକ ସଚିକାନ୍ତ ଜେନା, ଟୁଟୁ ନାୟକ, ଜୀତେଶ ପରିଡା, ସାନୁ ରଥ, ଚଳଚ୍ଚିତ୍ର ଅଭିନେତ୍ରୀ ଭୂମିକା ଦାଶ, ଶୀତଲ ପାତ୍ର, ଓଲିଉଡ଼ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ଶିବିରରେ ଯୋଗଦେଇ ରକ୍ତଦାନ କରିବା ସହିତ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ ଏବଂ ମାନବିକତାର ପରିଚୟ ଦେଇଥିବାରୁ ସମସ୍ତଙ୍କୁ ପ୍ରଶଂସା ସହିତ ଧନ୍ୟବାଦ ଜଣାଇଥିଲେ।

ଦିନ ୩ ଟା ପର୍ଯ୍ୟନ୍ତ ୧୬୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଏବଂ ଆହୁରି ୯୫ ଜଣ ରକ୍ତଦାନ ପାଇଁ ଧାଡିରେ ଥିଲେ। ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ତାଙ୍କ ସହଯୋଗୀ ଏହି ମହତ କାର୍ଯ୍ୟକ୍ରମ ପାଇଁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ।

ରେଡକ୍ରସ ଭବନର ଡାକ୍ତର ରଘୁନାଥ ବେହୁରା, ଡାକ୍ତର ଗୀତା ମିଶ୍ର ଏବଂ ରେଡକ୍ରସର ସମ୍ପାଦକ ବିଭୁତି ଭୂଷଣ ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରକ୍ତଦାନ‌ଶିବିର ପରିଚାଳନା ସହିତ ସମସ୍ତ ପ୍ରକାର ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

‘ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲ୍‌-୨୦୨୩’ ଫିଲ୍ମ ‘ଟି’ ର ପ୍ରଚାର

ଭୁବନେଶ୍ୱର: ବହୁ ପ୍ରତିକ୍ଷିତ ଫିଲ୍ମ ‘ଟି’ ରିଲିଜ୍ ହୋଇଛି ଓଡ଼ିଶାର ସମସ୍ତ ପ୍ରମୁଖ ଫିଲ୍ମ ହଲ୍ ରେ ଓ ଦର୍ଶକଙ୍କ ଭଲପାଇବା ମଧ୍ୟ ସାଉଁଟିଛି। ଟ୍ରାନ୍ସଜେଣ୍ଡରଙ୍କ ଜୀବନୀକୁ ନେଇ ଓଡିଆ ଫିଲ୍ମ ‘ଟି’ର ଟିମ୍ ପହଞ୍ଚିଥିଲା ୨୮ ତାରିଖ, ରବିବାର ସନ୍ଧ୍ୟାରେ ଭୁବନେଶ୍ୱରର ଜନତା ମୈଦାନ ଠାରେ ଆୟୋଜିତ ହେଉଥିବା ‘ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲ୍‌-୨୦୨୩’ ରେ। ସାଧାରଣ ଜନତାଙ୍କ ସହ ପୁରା ଟିମ୍ ମିଶିଥିଲା ଓ ଶୁଟିଂ ସମୟର କିଛି ଅଭୂଲା ସ୍ମୃତି ବାଣ୍ଟିବା ସହ ଗୋଟେ ସାଧାରଣ କୁଇଜ୍ ମଧ୍ୟ ଆୟୋଜନ ହୋଇଥିଲା। ସଠିକ ଉତ୍ତର ଦେଇଥିବା କିଛି ଦର୍ଶକଙ୍କୁ ‘ଟି’ ର ମାଗଣା ଟିକେଟ୍ ମଧ୍ୟ ଦିଆ ଯାଇଥିଲା।

ଉପସ୍ଥିତ ଦର୍ଶକ ଦେଖିଥିଲେ ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନାଙ୍କ ସଂଘର୍ଷର କାହାଣୀ ଫିଲ୍ମ ‘ଟି’ର ଟ୍ରେଲର୍ କୁ। ଏହି ଟ୍ରେଲର୍ ଦର୍ଶକ ମାନଙ୍କ ମଧ୍ୟରେ ଏକ ଉତ୍ସାହ ଭରିଦେଇଥିଲା।  ସମସ୍ତେ କରତାଳି ଦେଇ ଉପଭୋଗ କରିଥିଲେ ଏହି ଟ୍ରେଲର୍। ଏହି ଅବସରରେ ମୀରା ପରିଡ଼ା ଙ୍କ ସହ ଉପସ୍ଥିତ ଥିଲେ ନିଜେ ମେଘନା ସାହୁ। ଅନ୍ୟ ମାନଙ୍କ ମଧ୍ୟରେ ଥିଲେ ଫିଲ୍ମର କଳାକାର ହର ରଥ, ଦେବାଶିଷ ସାହୁ, ରଣବୀର କାଲସି, ନିର୍ଦେଶକ ଜିତେଶ କୁମାର ପରିଡ଼ା। ‘ଟି’ର ପୁରା ଟିମ୍ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ତାଙ୍କ ଫିଲ୍ମ ଦେଖିବାକୁ ଅନୁରୋଧ କରିଥିଲେ।

ଫିଲ୍ମର କାହାଣୀ ପରି ଫିଲ୍ମର ପ୍ରମୋସନର କନସେପ୍ଟ ବି ସମ୍ପୂର୍ଣ ନୂଆ ଓ ଦମଦାର୍ ତେଣୁ ଦର୍ଶକ ବହୁମାତ୍ରାରେ ଏହି ଫିଲ୍ମ ଦେଖିବାକୁ ହଲକୁ ଆସିବେ ବୋଲି ଫିଲ୍ମର ପ୍ରଚାର ଓ ପ୍ରସାର ଦାୟିତ୍ବରେ ଥିବା ମିଡ଼ିଆ ପ୍ଲାନର୍ ମୁଖ୍ୟ ପ୍ରଣୟ ଜେଠୀ କହିଛନ୍ତି।

ମଜବୁତ୍ ବିଷୟବସ୍ତୁ ଓ କାହାଣୀ ଉପରେ ଓଡିଆ ଫିଲ୍ମ ‘ଟି’ ରିଲିଜ୍ ହୋଇଛି ମଇ ୨୫ ତାରିଖରେ ଆପଣଙ୍କ ନିକଟସ୍ଥ ଫିଲ୍ମ ହଲ୍ ରେ। ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନାଙ୍କ ସଂଘର୍ଷର କାହାଣୀ ତାଙ୍କର ଜନ୍ମରୁ ଆରମ୍ଭ କରି ତାଙ୍କ ବୈବାହିକ ଜୀବନ ଯାଏଁ ଲମ୍ବିନି ବରଂ ତାଙ୍କ ସମ୍ପ୍ରଦାୟର ଲୋକଙ୍କ ସ୍ୱର ହେବାର ପରିଧିକୁ ବି ପାର କରିଛି ଏହି ଫିଲ୍ମରେ। ପୂର୍ବରୁ ଏହି ଚଳଚ୍ଚିତ୍ର ମୁମ୍ବାଇର ଗୋଲଡେନ୍ ଜୁରି ଫିଲ୍ମ ଫେଷ୍ଟିଭାଲରେ ସର୍ବୋତ୍ତମ ଏଲଜିବିଟି ଚଳଚ୍ଚିତ୍ର ପୁରସ୍କାର ଜିତି ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏକ ଗୌରବମୟ ପୃଷ୍ଠା ଯୋଡ଼ି ସାରିଛି। ଜିତେଶ କୁମାର ଫିଲ୍ମଜ ଓ ଆର ଆର ଆର ମୋସନ ପିକ୍ଚର୍ସର ପ୍ରଯୋଜନା ତଥା ବିଘ୍ନହର୍ତା ମୁଭିଜ, ମୋହିତ କୁମାର ପୁରୀ ଓ ହିମାଦ୍ରି ତନୟା ଦାସଙ୍କ ସହ ପ୍ରଯୋଜନା ତଥା ଥମ୍ରିତା ମୋହନ୍ ସମ୍ଭୂତି ସୋମା କିରଣ ଜେନା, ରାଜଶ୍ରୀ ମହାପାତ୍ରଙ୍କ ସହ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଦେବାଶିଷ ସାହୁ, ଉଷସୀ ମିଶ୍ର, ହର ରଥ, ରଣବୀର କଲସି ଓ ପ୍ରସନ୍ନଜିତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ୱରରେ ପ୍ରସିଦ୍ଧ ଉଦୟଗିରି ଗୁମ୍ଫା ପରିଦର୍ଶନ କଲେ ଜି-୨୦ ଦ୍ୱିତୀୟ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ପ୍ରତିନିଧି

ଭୁବନେଶ୍ୱର: ‘‘ସଠିକ ଚିନ୍ତାଧାରା, ସଠିକ ସଂକଳ୍ପ ଏବଂ ସଠିକ କାର୍ଯ୍ୟାନୁଷ୍ଠାନ’’ ଭାରତକୁ ଉପଯୁକ୍ତ ସମ୍ମାନ ଦେଇପାରିବ ବୋଲି କହିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ। ଆଜି ଭୁବନେଶ୍ୱର ଠାରେ ଜି ୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱିତୀୟ ବୈଠକ ସମାପନ ହେବା ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀମତୀ .ଲେଖୀ ଏହି ବକ୍ତବ୍ୟ ରଖିଛନ୍ତି।

ଅମୃତ କାଳ ଅର୍ଥାତ୍‌ ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତକୁ ବିକାଶର ନୂତନ ଶିଖରକୁ ନେଇଯିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଦୋହରାଇ ଶ୍ରୀମତୀ ଲେଖୀ କହିଥିଲେ ଯେ, ଭାରତକୁ ନିଜର ହୃତଗୌରବ ଫେରି ପାଇବା ଲାଗି କଠିନ ପରିଶ୍ରମ କରିବାକୁ ହେବ। ସଂସ୍କୃତିର ସାମଞ୍ଜସ୍ୟପୂର୍ଣ୍ଣ ପ୍ରକୃତି ଉପରେ ରେଖାଙ୍କିତ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ‘‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ କରିବା ଲାଗି ସମ୍ପର୍କ ସ୍ଥାପନର ଏକ ମାଧ୍ୟମ ହୋଇପାରିବ। ବିଶେଷ କରି ବିଶ୍ୱବ୍ୟାପୀ ଅଧିକ ଉତ୍ତେଜନା ଓ ଚାପ ଦେଖା ଦେଇଥିବା ସମୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ସଂସ୍କୃତି ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ‘‘ସଂସ୍କୃତି ସମ୍ପର୍କ ଯୋଡ଼ିଥାଏ’’ ବୋଲି ମତବ୍ୟକ୍ତ କରିବା ସହିତ ସେ କହିଥିଲେ ଯେ ଜି-୨୦ ସଂସ୍କୃତିକ କାର୍ଯ୍ୟଗୋଷ୍ଠୀକୁ ପ୍ରଥମ ଥର ପାଇଁ ଏକ ଭିନ୍ନ ଗୋଷ୍ଠୀ ଭାବେ ଗଠନ କରାଯାଇଛି।

ଆମେ ଜି-୨୦ରେ ସଦଭାବ ଏବଂ ଶାନ୍ତିର କଥା କହୁଥିବା ସମୟରେ ସଂସ୍କୃତି ଉପରେ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ରହିଛି। ଓଡ଼ିଶା ବା ଉତ୍କଳ ରାଜ୍ୟରେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜନକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଉତ୍କଳ ବା ‘ଉତ୍କର୍ଷ କଳାର ଭୂମି’ ଓଡ଼ିଶା ନିଜର ସମୃଦ୍ଧଶାଳୀ କଳା ଓ ସଂସ୍କୃତି ପାଇଁ ପରିଚିତ। ଏଠାରେ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ।

ବିଦେଶାଗତ ଅତିଥିମାନେ ଭୁବନେଶ୍ୱର ଉପକଣ୍ଠରେ ଥିବା ଉଦୟଗିରି ଗୁମ୍ଫା ବୁଲି ଦେଖିବା ସମ୍ପର୍କରେ ପ୍ରଶ୍ନ କରାଯିବାରୁ ଶ୍ରୀମତୀ ଲେଖୀ କହିଥିଲେ ଯେ, ଏହା ପ୍ରତିନିଧିମାନଙ୍କ ପାଇଁ ଏକ ଜ୍ଞାନ ବିନିମୟ ଅନୁଭୂତି ଥିଲା। ସେମାନେ ପ୍ରାଚୀନ କାଳର କଳାସ୍ଥାପତ୍ୟ ଏବଂ ଓଡ଼ିଶାର ସଂସ୍କୃତିକୁ ଦେଖି ଅଭିଭୂତ ହୋଇଥିଲେ।

ଏଥିପୂର୍ବରୁ କେନ୍ଦ୍ର ମନ୍ତ୍ରୀ ନିଜେ ବିଦେଶାଗତ ଅତିଥିମାନଙ୍କ ସହିତ ୨ହଜାର ବର୍ଷ ପୁରୁଣା ପ୍ରସିଦ୍ଧ ଉଦୟଗିରି ଗୁମ୍ଫା ବୁଲି ଦେଖିଥିଲେ। ସେମାନେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଜୀବନ ଓ ଆଦର୍ଶ ପ୍ରତି ସମର୍ପିତ ଗାନ୍ଧୀ ଶାନ୍ତି କେନ୍ଦ୍ର ପରିଦର୍ଶନ କରିଥିଲେ।

ଏଥିସହିତ ଚାରି ଦିନିଆ ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଶେଷ ହୋଇଛି। ବୈଠକ ଅବସରରେ ବିଭିନ୍ନ କାର୍ଯକ୍ରମ ଏବଂ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା।  ଦ୍ୱିତୀୟ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ବୈଠକରେ ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ସେମାନେ ସଂସ୍କୃତି କ୍ଷେତ୍ରରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ଏକ ବାସ୍ତବବାଦୀ ଏବଂ କାର୍ଯ୍ୟ ଉନ୍ମୁଖୀ ସୁପାରିସ  କରିବା ଲାଗି ବ୍ୟାପକ ଆଲୋଚନା ତଥା ବିଚାରବିମର୍ଶ କରିଥିଲେ। ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକରେ ମୋଟ୍‌ ଦୁଇ ଦିନ ଧରି ଛଅଟି ଅଧିବେଶନରେ ଆଲୋଚନା ହୋଇଥିଲା। ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ୪ଟି ପ୍ରାଥମିକତା କ୍ଷେତ୍ର  : ସାଂସ୍କୃତିକ ସମ୍ପତ୍ତିର ସଂରକ୍ଷଣ ଏବଂ ପୁନଃପ୍ରତିଷ୍ଠା; ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ; ସଂସ୍କୃତି ଏବଂ ସୃଜନଶୀଳ ଉଦ୍ୟୋଗ ଓ ଅର୍ଥବ୍ୟବସ୍ଥାର ପ୍ରୋତ୍ସାହନ; ଏବଂ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ ଉପରେ ଆଲୋଚନା କରାଯାଇଥିଲା।

ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକର ଅଂଶବିଶେଷ ସ୍ୱରୂପ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ୍’ ଶୀର୍ଷକ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ – କଳାଭୂମି ପରିସରରେ ଆୟୋଜନ କରାଯାଇଥିଲା। ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ଗ୍ରହଣ କରାଯାଇଥିବା ଦ୍ୱିତୀୟ ପ୍ରାଥମିକତା – “ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଜୀବନ୍ତ ଐତିହ୍ୟର ଉପଯୋଗ” ବିଷୟବସ୍ତୁକୁ ଆଧାର କରି ଏହି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ସେହିପରି ‘ସଂସ୍କୃତି ସମସ୍ତଙ୍କୁ ଏକଜୁଟ କରିଥାଏ’ ଶୀର୍ଷକ ବାର୍ତ୍ତା ନେଇ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ବାଲୁକା କଳା ପ୍ରଦର୍ଶନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ଜି-୨୦ ଦେଶ ଓ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧି

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଚାଲିଥିବା ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱୀତୀୟ ବୈଠକ ଅଧୀନରେ ଆଲୋଚନା ଅଧିବେଶନ ଆଜି ଶେଷ ହୋଇଛି। ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିନିଧିମାନେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ତୃତୀୟ ଏବଂ ଚତୁର୍ଥ ପ୍ରାଥମିକତା : ‘ସାଂସ୍କୃତିକ ଓ ସୃଜନଶୀଳ ଶିଳ୍ପର ପ୍ରୋତ୍ସାହନ ଏବଂ ସୃଜନଶୀଳ ଅର୍ଥବ୍ୟବସ୍ଥା’ ଏବଂ ‘ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାରପ୍ରସାର ପାଇଁ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ’ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ।

ଆଲୋଚନାରେ ଭାଗ ନେଇଥିବା ପ୍ରତିନିଧିମାନେ ମୂଲ୍ୟବାନ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ, ଯାହାକି ମୂର୍ତ୍ତ ରୂପ ନେବା ସହିତ କାର୍ଯ୍ୟଉନ୍ମୁଖି ସୁପାରିସ ଦିଗରେ ମାର୍ଗପ୍ରଶସ୍ତ କରିବ ବୋଲି ଆଶାବ୍ୟକ୍ତ କରାଯାଉଛି। ଆଲୋଚନାର ପ୍ରାପ୍ତ ପରିଣାମ କାର୍ଯ୍ୟକାରୀ ହୋଇପାରିଲେ ସାଂସ୍କୃତିକ କ୍ଷେତ୍ରରେ ପରିବର୍ତ୍ତନ ଆସିବା ସହିତ ବିଶ୍ୱସ୍ତରରେ ଏ ଦିଗରେ ନୀତି ନିର୍ଦ୍ଧାରଣ କରାଯାଇପାରିବ।

ଆଜି ଅନୁଷ୍ଠିତ ହୋଇଥିବା ଦୁଇଟି ଅଧିବେଶନରେ ଅତିଥିମାନେ ସେମାନଙ୍କର ବକ୍ତବ୍ୟ ରଖିଥିଲେ ଏବଂ ଏହାପରେ ତୃତୀୟ ଓ ଚତୁର୍ଥ ପ୍ରାଥମିକତା କ୍ଷେତ୍ରରେ ଏକ ଖୋଲା ଆଲୋଚନା ହୋଇଥିଲା। କେନ୍ଦ୍ର ସଂସ୍କୃତି ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କ ସ୍ୱତନ୍ତ୍ର ଅଭିଭାଷଣ ସହିତ ଦ୍ୱିତୀୟ ଅଧିବେଶନ ଶେଷ ହୋଇଥିଲା। ସମାପନ ଅଧିବେଶନରେ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଅଗ୍ରଗତି କରିବାର କାର୍ଯ୍ୟ ପ୍ରକ୍ରିୟା ସଂକ୍ରାନ୍ତରେ ବିବରଣୀ ଦିଆଯିବା ସହିତ ସମୟ ନିର୍ଦ୍ଧାରଣ କରାଯାଇଥିଲା।

ଆଲୋଚନା ଅଧିବେଶନ ପରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ। କୋଣାର୍କ ମନ୍ଦିର ନିକଟରେ ଥିବା ଇଣ୍ଡିଆନ୍ ଅଏଲ କର୍ପୋରେସନର ସଂଗ୍ରହାଳୟ ଏବଂ ବ୍ୟାଖ୍ୟାନ କେନ୍ଦ୍ରକୁ ମଧ୍ୟ ବିଦେଶୀ ଅତିଥିମାନେ ବୁଲି ଦେଖିଥିଲେ। କୋଣାର୍କ ମନ୍ଦିରର ସ୍ଥାପତ୍ୟ କଳା ସେମାନଙ୍କୁ ପ୍ରଭାବିତ କରିଥିଲା।

ବିଦେଶାଗତ ଅତିଥିଙ୍କ ପାଇଁ ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେମାନେ କଳାକାରମାନଙ୍କ ଦ୍ୱାରା ପରିବେଷିତ ‘ଗୋଟିପୁଅ’ ନୃତ୍ୟ ଦେଖି ଅଭିଭୂତ ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀ ନୃତ୍ୟ ପରିବେଷଣ କରିଥିବା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ କେନ୍ଦ୍ର ସଂସ୍କୃତି ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀମତୀ ଲେଖୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତକୁ ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ମିଳିଛି। ଭାରତର ବିଶେଷତ୍ୱ ବିଶ୍ୱ ଆଗରେ ପ୍ରଦର୍ଶନ କରିବା ଲାଗି ଆମ ପାଖରେ ଏକ ସୁଯୋଗ ରହିଛି । ଭାରତର ଐତିହ୍ୟ, ସଂସ୍କୃତି, ପ୍ରାଚୀନ ଜୀବନଶୈଳୀ ସମ୍ପର୍କରେ ଅଧିକରୁ ଅଧିକ ପ୍ରଚାରପ୍ରସାର କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ସ୍ୱାଧୀନତାର ଅମୃତକାଳରେ ଭାରତ ନୂଆ ଶିଖର ଛୁଇଁବା ଦିଗରେ ଅଗ୍ରସର ହେଉଛି। କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ, ପ୍ରାଚୀନ କାଳରୁ ଭାରତରେ ବିଜ୍ଞାନ ଓ ଧର୍ମର ଅଦ୍ଭୂତ ସମନ୍ୱୟ ରହିଆସିଛି। କୋଣାର୍କ ମନ୍ଦିର ଏହାର ଏକ ପ୍ରତୀକ। ଜି୨୦ ବୈଠକରେ ଯୋଗ ଦେବାକୁ ଆସିଥିବା ବିଦେଶୀ ଅତିଥିମାନେ ଏହି ତଥ୍ୟ ବିଷୟରେ ଅବଗତ ହୋଇପାରିଛନ୍ତି।

ଆସନ୍ତାକାଲି ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଦ୍ୱିତୀୟ ବୈଠକ ବିଧିବଦ୍ଧ ଭାବେ ଶେଷ ହେବ। ବିଦେଶାଗତ ଅତିଥିମାନେ ଭୁବନେଶ୍ୱର ଛାଡ଼ିବା ପୂର୍ବରୁ ସକାଳେ ଉଦୟଗିରି ଗୁମ୍ଫା ବୁଲି ଦେଖିବେ। ସଂସ୍କୃତି କ୍ଷେତ୍ରରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଦୀର୍ଘସ୍ଥାୟୀ ବିକାଶରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିବା ଲାଗି ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଏକ ସମାବେଶୀ ଏବଂ ସହଭାଗୀ ମଞ୍ଚ ଯୋଗାଇ ଦେଇଛି। ସାଂସ୍କୃତିକ ବିବିଧତା କ୍ଷେତ୍ରରେ ବୈଶ୍ୱିକ ସହଭାଗିତା ଏବଂ ସମାବେଶିତା ଓ ଦୀର୍ଘସ୍ଥାୟିତ୍ୱ କ୍ଷେତ୍ରରେ ଏହାର ଭୂମିକାକୁ ପ୍ରୋତ୍ସାହନ ଦେବା ଏହି ବୈଠକର ଉଦ୍ଦେଶ୍ୟ।

Categories
ଆଜିର ଖବର ରାଜ୍ୟ ଖବର

ଧର୍ମପଦ ପୁରସ୍କାରପ୍ରାପ୍ତ ଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କ ବିୟୋଗ: ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଶୋକ

ଭୁବନେଶ୍ୱର: ଧର୍ମପଦ ପୁରସ୍କାରପ୍ରାପ୍ତ ପ୍ରବୀଣ ଡିଜାଇନର ତଥା ଚିତ୍ରକର ଲଲାଟ ମୋହନ ପଟ୍ଟନାୟକଙ୍କ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ହସପିଟାଲରେ ଦେହାନ୍ତ ହୋଇଯାଇଅଛି। ତାଙ୍କ ବିୟୋଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଗଭୀର ଶୋକବ୍ୟକ୍ତ କରିଛନ୍ତି। ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଓଡ଼ିଶାର ଚିତ୍ରକଳା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। କଳାକ୍ଷେତ୍ରରେ ତାଙ୍କର ଯଶକୀର୍ତ୍ତି ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ହେବା ସହ ସେ ସର୍ବଦା ଶିଳ୍ପୀକୂଳର ପ୍ରେରଣାର ପ୍ରତୀକ ଓ ଉତ୍ସହର ଉତ୍ସ ହୋଇ ରହିବେ। ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ମନ୍ତ୍ରୀ ଶ୍ରୀ ପାତ୍ର ଏହି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଭଗବାନ ଅସୀମ ଧୈର୍ଯ୍ୟ ଦିଅନ୍ତୁ ବୋଲି ଉଲ୍ଲେଖ କରିଛନ୍ତି।

ଲଲାଟ ମୋହନ ପଟ୍ଟନାୟକଙ୍କୁ ମୃତ୍ୟୁ ବେଳକୁ ୭୫ ବର୍ଷ ବୟସ ହୋଇଥିଲା। ସେ ଅତ୍ୟନ୍ତ ମିଷ୍ଟଭାଷୀ, କର୍ମନିଷ୍ଠ ଓ ଉଚ୍ଚକୋଟୀର ଡିଜାଇନର ଓ ଚିତ୍ରଶିଳ୍ପୀ ଭାବେ ଖ୍ୟାତ ଥିଲେ। ବନାରସ, ବମ୍ବେ, କୋଲକାତା ଆଦି ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ନିଜର କଳା ନୈପୁଣ୍ୟର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ବୁଣାକାରମାନଙ୍କୁ ନୂତନ ପଦ୍ଧତି, ନୂଆ ରଙ୍ଗ, ନୂଆ ନକ୍ସାର ପ୍ରୟୋଗ ମାଧ୍ୟମରେ ହସ୍ତଶିଳ୍ପର ଉନ୍ନତିକରଣ ଏବଂ ସେମାନଙ୍କୁ ଆଧୁନିକ କୌଶଳ ପ୍ରୟୋଗରେ ମାର୍ଗଦର୍ଶକ ଥିଲେ।

୧୯୪୮ ମସିହା ଅପ୍ରେଲ ୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍‌ ଅନ୍ତର୍ଗତ ହରିପୁର ଶାସନର ପ୍ରଖ୍ୟାତ ଜମିଦାର ଲକ୍ଷ୍ମୀଧର ପଟ୍ଟନାୟକ ଏବଂ ନକ୍ଷତ୍ରମଣି ପଟ୍ଟନାୟକଙ୍କ କୋଳ ମଣ୍ଡନ କରିଥିବା ଲଲାଟ ମୋହନ ପଟ୍ଟନାୟକ ନିଜର ସୃଜନଶୀଳ କଳାର ସାଧନା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ, ରାଜ୍ୟ ପୁରସ୍କାର ବିପ୍ର ଚରଣ ମହାନ୍ତି ଫାଉଣ୍ଡେସନ୍‌ ଟ୍ରଷ୍ଟ ପୁରସ୍କାର, ରଘୁରାଜପୁର ଗୁରୁକୁଳ ଆଶ୍ରମ ପୁରସ୍କାର, ଶିଳ୍ପୀ ସମ୍ରାଟ ପୁରସ୍କାର, କଳା ଜ୍ୟୋତି ସମ୍ମାନ, ବୟନ ବିଭବ ସମ୍ମାନ (୨୦୧୮), ଶାରଳା ସମ୍ମାନ (୨୦୧୯), ଧର୍ମପଦ ପୁରସ୍କାର (୨୦୨୧) ସମେତ ଅନେକ ସମ୍ମାନର ଅଧିକାରୀ ହୋଇଥିଲେ।

ସନ୍ଧ୍ୟାରେ ତାଙ୍କ ଶବାଧାର ଓଡ଼ିଶା ଲଳିତ କଳା ଏକଡମୀ ପରିସରକୁ ଆସିବା ପରେ ସେଠାରେ ଓଡ଼ିଶା ଲଳିତ କଳା ଏକାମେୀର ସଚିବ ପଞ୍ଚାନନ ସାମଲ, ଡାଃ ଅଲେଖ ଚନ୍ଦ୍ର ସାହୁ, ଜୟନ୍ତ କୁମାର ଦାସ, ଚିନ୍ତାମଣି ବିଶ୍ୱାଳ, ମିନକେତନ ପଟ୍ଟନାୟକ, ଜନପ୍ରିୟ ଦେବତା, ସମୀର କୁମାର ରାଉତ ଓ ବହୁ ଶିଳ୍ପୀ, ବୁଦ୍ଧିଜୀବୀ ଶେଷଦର୍ଶନ ପୂର୍ବକ ଶବାଧାରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

କାଳାଞ୍ଜଳି ଆର୍ଟିଷ୍ଟ୍ ଟ୍ରଷ୍ଟ୍ ପକ୍ଷରୁ ବରିଷ୍ଠ ସମାଜସେବୀ ପୁରସ୍କୃତ

ଭୁବନେଶ୍ୱର: ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କାଳାଞ୍ଜଳି ଆର୍ଟିଷ୍ଟ୍ ଟ୍ରଷ୍ଟ୍ ପକ୍ଷରୁ ଏକ ସାମାଜିକ ଓ ସାଂସ୍କୃତିକ ଉତ୍ସବ ଉତ୍କଳ କଳା ମଣ୍ଡପ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଅଛି।

ଓଡ଼ିଶାର ମହାମହିମ ରାଜ୍ୟପାଳ ଡଃ ଗଣେଷୀଲାଲ୍ ମୁଖ୍ୟ ଅତିଥି, ରାଜ୍ୟସଭା ସାଂସଦ ଅମରଜିତ୍ ପଟ୍ଟନାୟକ, ଓଡ଼ିଶାର ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, ରାଜ୍ୟ ସରକାରଙ୍କ ଯୋଜନା ବୋର୍ଡ ସଦସ୍ୟ ଡଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବି ଗଣ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ବିଭିନ୍ନ ଲୋକକଳା ଓ ସାଂସ୍କୃତିକ ଅନୁଷ୍ଠାନ ଯୋଗ ଦେଇ ମନମୁଗ୍ଧକର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଓ ପୁରସ୍କୃତ ହୋଇଥିଲେ। ବିଶେଷ କରି ଉକ୍ତ କାର୍ଯ୍ୟକ୍ରମରେ ବାରିପଦାର ବରିଷ୍ଠ ସମାଜସେବୀ ଓ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମହାମହିମ ରାଜ୍ୟପାଳ ଡଃ ଗଣେଷୀଲାଲଜୀ ଏହି ବର୍ଷର The Indian Golden Award 2023 ସମ୍ମାନରେ ସମ୍ମାନିତ କରିଛନ୍ତି। ଯାହାକି ସମାଜ ସେବା କ୍ଷେତ୍ରରେ ଏକ ଗୌରବର ବିଷୟ ଓ ଇତ୍ୟବସରରେ ସମାଜସେବୀ ଡଃ ପୋଥାଳ ଙ୍କ ନିକଟକୁ ଶୁଭେଚ୍ଛାର ଶୁଅ ଛୁଟିଛି।

Categories
ବିଶେଷ ଖବର

ଆଶା ଓ ଆଶଙ୍କାର ଦୋଛକିରେ ୭୫ ବର୍ଷର ରାଜଧାନୀ

ସୁବାଷ କୁମାର ତାରଣିଆଁ

ଭୁବନେଶ୍ଵର: ଏପ୍ରିଲ ମାସ ୧୩ ତାରିଖରୁ ୧୫ ତାରିଖ ତିନିଦିନ ଧରି ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଭୁବନେଶ୍ୱର ରାଜଧାନୀ ଭାବରେ ୭୫ ବର୍ଷରେ ପଦାର୍ପଣ କରିଥିବାରୁ ଏ ନେଇ ପୂର୍ବରୁ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ୧୯୪୮ ମସିହା ଅପ୍ରେଲ ମାସ ୧୪ ତାରିଖ ଦିନ ରାଜଧାନୀ ପ୍ରତିଷ୍ଠା ଦିବସର ମୂଳଦୁଆ ପଡ଼ିଥିଲା। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଆଜିର ଦିନରେ ଭୁବନେଶ୍ୱରରେ ରାଜଧାନୀର ଶିଳାନ୍ୟାସ ସ୍ଥାପନ କରିଥିଲେ।

ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ଐତିହାସିକ ସହର ତଥା ଓଡ଼ିଶାର ସର୍ବ ପୁରାତନ ସହର କଟକ ଥିଲା ଓଡ଼ିଶାର ରାଜଧାନୀ। କିନ୍ତୁ କଟକର ସହରର ଦୁଇ ପାର୍ଶ୍ଵ ଦେଇ ମହାନଦୀ ଓ କାଠଯୋଡ଼ି ନଦୀ ପ୍ରବାହିତ ହେବା ତଥା ଅନ୍ୟାନ୍ୟ କାରଣ ଦୃଷ୍ଟିରୁ କଟକ ସହର ରାଜଧାନୀ ପାଇଁ ସୁରକ୍ଷିତ ନୁହେଁ ବୋଲି ମନେ ହୋଇଥିଲା। ପରବର୍ତ୍ତୀ ସମୟରେ ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେବା ପରେ ଭୁବନେଶ୍ୱରରେ ନୂତନ ରାଜଧାନୀ ପ୍ରତିଷ୍ଠା ହେବା ପାଇଁ ତତ୍ପରତା ପ୍ରକାଶ ପାଇଥିଲା। ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା।

ଉକ୍ତ କମିଟି ପ୍ରଥମେ ବ୍ରହ୍ମପୁର ଓ ଗୋପାଳପୁର ମଧ୍ୟଭାଗରେ ଥିବା ରଙ୍ଗେଇଲୁଣ୍ଡାକୁ ଓଡ଼ିଶାର ରାଜଧାନୀ ସ୍ଥାପନ ନିମନ୍ତେ ଉପଯୁକ୍ତ ସ୍ଥାନ ଭାବେ ପରିକଳ୍ପନା କରିଥିଲେ। ମାତ୍ର ଉକ୍ତ କମିଟି ରଙ୍ଗେଇଲୁଣ୍ଡା ସମ୍ପର୍କରେ ସବିଶେଷ ବିଚାର ବିମର୍ଷ ପରେ ୧୯୩୭ ମସିହାରେ ଅନ୍ୟ ଏକ କମିଟି ଓ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇ ରାଜଧାନୀ ପ୍ରତିଷ୍ଠା ପାଇଁ ଅନୁଧ୍ୟାନ କରାଯାଇଥିଲା। ମାତ୍ର ଏହି ନୂତନ କମିଟି ରଙ୍ଗେଇଲୁଣ୍ଡାର ପାରିପାର୍ଶ୍ଵିକ ପରସ୍ଥିତିକୁ ତର୍ଜମା କରି ଏଠାରେ ରାଜଧାନୀ ସ୍ଥାପନକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରି ଦେଇଥିଲେ। ଏହାପରେ ସରକାର ପୁଣି ସ୍ଥାନ ନିରୂପଣ ପାଇଁ ଆଉ କମିଟି ଗଠନ କରିଥିଲେ ଏବଂ ଏହି କମିଟିର ପ୍ରସ୍ତାବରେ ଅନେକ ବାଧା ଓ ପ୍ରତିବନ୍ଧକ ଦେଖାଯିବାରୁ ତାକୁ ମଧ୍ୟ ବାତିଲ୍ କରିବାକୁ ପଡ଼ିଥିଲା। ସେହି ସମୟ ମଧ୍ୟରେ କଟକ ଜିଲ୍ଲାର ବାରଙ୍ଗ, ଚୌଦ୍ୱାର ସମେତ ଅନୁଗୁଳ ଓ ଖୋର୍ଦ୍ଧାରେ ରାଜ୍ୟର ନୂତନ ରାଜଧାନୀ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରି ନଥିଲା।

ପରବର୍ତ୍ତୀ ଭୁବନେଶ୍ୱରର ପ୍ରାକୃତିକ ପରିବେଶ, ଐତିହାସିକ କୀର୍ତ୍ତିରାଜି, କଳାସ୍ଥାପତ୍ୟ, ଉନ୍ନତମାନର ସ୍ୱାସ୍ଥ୍ୟସେବା ସର୍ବୋପରି ଗମନା ଗମନର ସୁବିଧା ଓ ପର୍ଯ୍ୟଟନସ୍ଥଳୀ ଦୃଷ୍ଟିରୁ ରାଜଧାନୀ ପ୍ରତିଷ୍ଠା ପାଇଁ ଭୁବନେଶ୍ୱର ହିଁ ଉପଯୁକ୍ତ ସହର ବୋଲି ଗଠିତ କମିଟି ଦ୍ୱାରା ଚୟନ କରାଯାଇଥିଲା।

ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ୧୯୪୮ ମସିହା ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଭୁବନେଶ୍ୱର ଆସି ନୂତନ ରାଜଧାନୀ ପ୍ରତିଷ୍ଠା ଶିଳାନ୍ୟାସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ସେ ସମୟରେ ଭୁବନେଶ୍ୱର ଲୋକସଂଖ୍ୟା ଥିଲା କେବଳ ୧୭ ହଜାର। ମାତ୍ର ୨୦୨୨ ସୁଦ୍ଧା ଭୁବନେଶ୍ୱର ଲୋକ ସଂଖ୍ୟା ୧୨ ଲକ୍ଷ ୫୮ ହଜାରରେ ପହଞ୍ଚିଛି। ୨୦୧୯ ମସିହାରେ ୧୧ ଲକ୍ଷ ୬୩ ହଜାର ଥିଲାବେଳେ, ୨୦୨୦ରେ ୧୧ ଲକ୍ଷ ୯୪ ହଜାର, ୨୦୨୧ରେ ୧୨ ଲକ୍ଷ ୨୬ ହଜାର ଥିଲା। ଏହି ପରିସଂଖ୍ୟନକୁ ତର୍ଜମା କଲେ ପ୍ରତିବର୍ଷ ଭୁବନେଶ୍ୱରରେ ଲୋକସଂଖ୍ୟା ବୃଦ୍ଧି ପାଉଛି ବୋଲି ଧରିନେବାକୁ ହେବ।

ସେ ସମୟର ସ୍ୱଳ୍ପ ଲୋକସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱର ଏକ ଛୋଟ ଏନ୍‌ଏସି ଜରିଆରେ ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିଲା। ସମୟକ୍ରମେ ଭୁବନେଶ୍ୱରର ଲୋକସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱରକୁ ମ୍ୟୁନିସିପାଲିଟିରେ ପରିଣତ କରାଯାଇଥିଲା। ସେ ସମୟରେ ମାତ୍ର ୩୦ଜଣ କାଉନସିଲରଙ୍କୁ ନେଇ ମ୍ୟୁନିସିପାଲିଟି କାର୍ଯ୍ୟ କରୁଥିଲା। ମାତ୍ର ରାଜଧାନୀ ପ୍ରତିଷ୍ଠା ପରେ ଭୁବନେଶ୍ୱରର ବିକାଶ ଓ ଅଭିବୃଦ୍ଧି ଦୃତଗତିରେ ବୃଦ୍ଧି ପାଇଥିଲା ଏବଂ କିଛି ବର୍ଷପରେ ଭୁବନେଶ୍ୱର ମହାନଗର ନିଗମ ପରିସରକୁ ଆସିଲା ଏବଂ ୬୭ କର୍ପୋରେଟ ଓ ଜଣେ ମେୟରଙ୍କୁ ନେଇ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟକାରୀ ହୋଇ ସହରର ବିକାଶ, ସୌନ୍ଦର୍ଯ୍ୟକରଣ ଓ ପରିବେଶ ଦିଗରେ କାର୍ଯ୍ୟ କରିଚାଲିଛି।

ରାଜଧାନୀ ପ୍ରତିଷ୍ଠା ପରେ ଏବେ ଏହି ସହରରେ ବିଧାନସଭା, ସଚିବାଳୟ, ମୁଖ୍ୟ ଡ଼ାକଘର, ରିଜର୍ଭ ବ୍ୟାଙ୍କ, ପୋଲିସ୍ କମିଶନରେଟ କାର୍ଯ୍ୟାଳୟ, ବାଣୀବିହାର, ବିଭାଗୀୟ ମୁଖ୍ୟ ଦପ୍ତର, ବିଧାୟକ ଓ ମନ୍ତ୍ରୀମାନଙ୍କ ସରକାରୀ ବାସଭବନ ପ୍ରତିଷ୍ଠା ହେବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ଅଫିସ୍ ସମେତ ଅନେକ ସରକାରୀ ବେସରକାରୀ ସଂସ୍ଥା ଗଢିଉଠିଛି। ବିଏମ୍‌ସି ଓ ବିଡ଼ିଏ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ରାଜଧାନୀ ଭୁବନେଶ୍ୱରର ପରିବେଶ, ପରିମଳ, ସର୍ବାଙ୍ଗୀନ ବିକାଶ ଓ ସୌନ୍ଦର୍ଯ୍ୟକରଣ ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରୁଥିଲେ ମଧ୍ୟ ଦିନକୁ ଦିନ ରାଜଧାନୀ ବହୁ ସମସ୍ୟା ଦେଇ ଗତି କରୁଛି।

ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ଯଦି ଭୁବନେଶ୍ୱର କଥା ଆଲୋଚନା କରିବା, ତେବେ ସେତେବେଳେ ଭୁବେନଶ୍ୱରର ରାସ୍ତାଘାଟ ଏତେ ଉନ୍ନତମାନର ନଥିଲା। ଭୁବନେଶ୍ୱରରୁ କଟକ ଯିବା ପାଇଁ ଏକଥାକିଆ ଅଣଓସାରିଆ ରାସ୍ତା ଥିଲା। ଫଳରେ ଭୁବନେଶ୍ୱରରୁ କଟକ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ରାସ୍ତା ପ୍ରଶସ୍ତ ନଥିବାରୁ ଯାତ୍ରୀମାନଙ୍କୁ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ସେ ଅସୁବିଧା ଦୂର ହୋଇଯାଇଛି। ବର୍ତ୍ତମାନ ଭୁବନେଶ୍ୱରର ରାସ୍ତାଘାଟ, ପରିବେଶ, ପରିଚ୍ଛନ୍ନତା ଓ ସହରର ସୌନ୍ଦର୍ଯ୍ୟକରଣ ଦୃତଗତିରେ ବୃଦ୍ଧି ପାଉଛି। ଯାହାକୁ ନେଇ ଭୁବନେଶ୍ୱରକୁ ‘ସ୍ମାର୍ଟ ସହରର’ର ମାନ୍ୟତା ମିଳିଛି। ଭୁବନେଶ୍ୱରକୁ ସ୍ମାର୍ଟ ସହର ମାନ୍ୟତା ମିଳିବା ପରେ ଏହି ସହର ଜାତୀୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ଦେଶ ସ୍ୱାଧୀନ ହେବା ପରେ ତତ୍କାଳନୀ ମୁଖ୍ୟମନ୍ତ୍ରୀ ତଥା ରାଜଧାନୀ ନିର୍ମାତା ଡଃ ହରେକୃଷ୍ଣ ମହତାବ ୧୯୪୭ ମସିହା ନଭେମ୍ବର ୧୪ ତାରିଖରେ ପ୍ରଥମ ନିଳଗିରି ଗଡ଼ଜାତ ମିଶ୍ରଣ, ଡିସେମ୍ବର ୧୪ରେ ୨୪ଟି ଗଡ଼ଜାତ ମିଶ୍ରଣ ଓ ୧୯୪୮ ମସିହା ଜାନୁୟାରୀ ୧ରେ ମୟୁରଭଞ୍ଜ ଗଡ଼ଜାତ ମିଶ୍ରଣ ଏହିପରି ମୋଟ ୨୬ଟି ଗଡ଼ଜାତ ମିଶ୍ରଣ କରି ୧୩ଟି ଜିଲ୍ଲା ଗଠନ କରିଥିଲେ। ଓଡ଼ିଶାରେ ୧୩ଟି ଜିଲ୍ଲା ଗଠନର ୪୫ ବର୍ଷ ପୂର୍ତ୍ତି ପରେ, ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ୧୩ଟି ଜିଲ୍ଲାର ଭୌଗୋଳିକ ଦୃଷ୍ଟିରେ ରଖି ତଥା ଓଡ଼ିଶାରେ ଜନସଂଖ୍ୟା ବୃଦ୍ଧି, ଓଡ଼ିଶାର ସ୍ୱାଭିମାନ ଦୃଷ୍ଟିରୁ ଓଡ଼ିଶାରେ ୧୩ରୁ ୩୦ଟି ଜିଲ୍ଲାରେ ପରିଣତ କରିଥିଲେ।

ଯାହା ଆଜି ପର୍ଯ୍ୟନ୍ତି ବଳବତ୍ତର ରହିଛି। ବର୍ତ୍ତମାନ ଭୁବନେଶ୍ୱରର ଲୋକଂସଖ୍ୟା ୧୨ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ୱ ଥିଲେ ମଧ୍ୟ ଓଡ଼ିଶାର ୧୨ଜିଲ୍ଲା ଯଥା ଗଜପତି, ଦେବଗଡ଼, ବୌଦ୍ଧ, ଜଗତସିଂହପୁର, ସୁବର୍ଣ୍ଣପୁର, ନୟାଗଡ଼, କନ୍ଧମାଳ, ନୂଆପଡ଼ା, ଝାରସୁଗୁଡ଼ା, ମାଲକାନଗିରି , ସମ୍ବଲପୁର, ରାୟଗଡ଼ା ଆଦି ଜିଲ୍ଲାମାନଙ୍କ ଲୋକସଂଖ୍ୟା ଭୁବନେଶ୍ୱର ଲୋକସଂଖ୍ୟା ଠାରୁ କମ୍ ଥାଇ ଜିଲ୍ଲାର ମାନ୍ୟତା ପାଇଥିବା ବେଳେ ୭୫ ବର୍ଷରେ ପଦାର୍ପଣ କରିଥିବା ଏବଂ ଜନସଂଖ୍ୟା ଦୃଷ୍ଟିରୁ ଭୁବନେଶ୍ୱରକୁ ରାଜଧାନୀର ମାନ୍ୟତା ନ ମିଳିବା ରାଜଧାନୀବାସୀଙ୍କ ମନରେ ଗଭୀର ଆଘାତ ଦେଇଛି।

ଯାହାକୁ ନେଇ କିଛି ସ୍ୱେଚ୍ଛାସେବୀ ସଂଗଠନ, ଚିନ୍ତନଶୀଳ ବ୍ୟକ୍ତି, ବୁଦ୍ଧିଜୀବୀ, ସ୍ୱାମିମାନ ବ୍ୟକ୍ତି ଓ ବରିଷ୍ଠ ନାଗରିକମାନେ ରାଜଧାନୀ ଭୁବନେଶ୍ୱରକୁ ଜିଲ୍ଲାର ମାନ୍ୟତା ପ୍ରଦାନ ପାଇଁ ସ୍ୱର ଉତ୍ତୋଳନ କରି ଆସୁଥିଲେ ମଧ୍ୟ ତାହା ବାସ୍ତବରେ ପରିଣତ ହୋଇପାରି ନାହିଁ। ରାଜଧାନୀ ପ୍ରତିଷ୍ଠା ପୂର୍ବରୁ ଭୁବନେଶ୍ୱର ବହୁବର୍ଷ ଧରି ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲାବେଳେ ନବେ ଦଶକରୁ ଖୋର୍ଦ୍ଧା ଜିଲ୍ଲା ଅଧିନରେ ପରିଣତ ହୋଇଛି। ରାଜଧାନୀର ଦୃତ୍ତ ଭିତ୍ତିଭୂମି, ବିକାଶ, ପରିବେଶ ପରିମଳ, ପର୍ଯ୍ୟଟନସ୍ଥଳୀ ଓ ଐତିହ୍ୟ ଏବଂ ସର୍ବୋପରି ଜନସଂଖ୍ୟାକୁ ଦୃଷ୍ଟିରେ ରଖି ରାଜଧାନୀ ପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରକୁ ଜିଲ୍ଲାର ମାନ୍ୟତା ପ୍ରଦାନ କରାଗଲେ ତାହା ହିଁ ହେବ ଭୁବନେଶ୍ୱରବାସୀଙ୍କ ପ୍ରତି ଏକ ଶ୍ରେଷ୍ଠ ଉପହାର।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

ମୋ : ୮୩୨୮୮୪୦୨୧୪

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ରବୀନ୍ଦ୍ର ମଣ୍ଡପ ଠାରେ ଢେଙ୍କାନାଳ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଢେଙ୍କାନାଳ ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ଆନୁକୂଲ୍ୟରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଢେଙ୍କାନାଳ ଉତ୍ସବ, ଭୁବନେଶ୍ୱର ଆଜି ସଂଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ।

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଢେଙ୍କାନାଳ ଜିଲ୍ଲା କଳା,ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶାରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନାଲକୋର ନିର୍ଦ୍ଦେଶକ(କମର୍ସିଆଲ) ସଦାଶିବ ସାମନ୍ତରାୟ ଏବଂ ଢେଙ୍କାନାଳ ସାଂସ୍କୃତିକ ପରିଷଦର ଉପଦେଷ୍ଟା କୃଷ୍ଣଚନ୍ଦ୍ର ଆଇଚ୍ ପ୍ରମୁଖ ଯୋଗ ଦେଇଥିଲେ। ଢେଙ୍କାନାଳ ସାଂସ୍କୃତିକ ପରିଷଦର ସଭାପତି ଡଃ. ସୌରେନ୍ଦ୍ର କୁମାର ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ ସମାରୋହରେ ଅନୁଷ୍ଠାନର ସଂପାଦକ ପ୍ରେମାନନ୍ଦ ବିଶ୍ୱାଳ ଉତ୍ସବ ଆୟୋଜନ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସ୍ମରଣିକା ‘ଅନନ୍ୟ ଢେଙ୍କାନାଳ’ ଉନ୍ମୋଚିତ ହୋଇଥିଲା।

କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରଫେସର ଡ. ଆଦିତ୍ୟ ପ୍ରସାଦ ଦାଶ, ସାରସ୍ୱତ ସାଧକ ପଦ୍ମଶ୍ରୀ ପଣ୍ଡିତ ଡଃ. ଅନ୍ତର୍ଯ୍ୟାମୀ ମିଶ୍ର, ଚଳଚିତ୍ର ପ୍ରଯୋଜନ ଘନଶ୍ୟାମ ମହାପାତ୍ର, ଆରକ୍ଷୀ ଅଧିକାରୀ, ଆସିକା ପ୍ରଶାନ୍ତ ସାହୁ, ପରିବେଶବିତ୍ ଶୁଭ୍ରାଂଶୁ ସତପଥି , ସମାଜ ସେବିକା ଅଙ୍କିତା ସାହୁ ଏବଂ ସମାଜସେବୀ ଦଣ୍ଡଧର ପାଣିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଢେଙ୍କାନାଳ ଉତ୍ସବ ମାଧ୍ୟମରେ ଜିଲ୍ଲାର ସାଂସ୍କୃତିକ ଐତିହ୍ୟକୁ ଜିଲ୍ଲା ତଥା ରାଜ୍ୟରେ ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ଢେଙ୍କାନାଳ ଜିଲ୍ଲା ସାଂସ୍କୃତିକ ପରିଷଦର ସଂପାଦକ ପ୍ରେମାନନ୍ଦ ବିଶ୍ୱାଳଙ୍କୁ ‘ଢେଙ୍କାନାଳ ଗୌରବ ସମ୍ମାନ’ ରେ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଗୁରୁ ଗୈରୀଶଙ୍କର ଦାଶଙ୍କ ନିର୍ଦ୍ଦେଶନାରେ ‘ଦେବାଂଶୀ ଏକାଡେମୀ’ର କଳାକାରମାନେ ଓଡିଶୀ ନୃତ୍ୟ ଓ ଆଦିବାସୀ ନୃତ୍ୟ , ଡଃ. ଜୟଶ୍ରୀ ଧଳ, ଡଃ. ମୋନାଲିସା ପାଳ, ସୌମ୍ୟ ମହାନ୍ତିଙ୍କ ଦ୍ୱାରା କଣ୍ଠ ସଂଗୀତ, ରୂପାଲୀ ପାଣି ଓ ଆୟୁଷ୍ମାନ ମହାପାତ୍ରଙ୍କ ଦ୍ୱାରା ଆଧୁନିକ ନୃତ୍ୟ , ନବଜୀବନ ନାଟ୍ୟ ଶାସ୍ତ୍ର ଅନୁଷ୍ଠାନ ଦ୍ୱାରା ସମ୍ବଲପୁରୀ ଲୋକନୃତ୍ୟ, ଖେମୁଣ୍ତି ଲୋକନାଟ୍ୟ ଏକାଡେମୀ,ଦିଗପହଣ୍ଡି ଦ୍ୱାରା ମାଣିକ (ମୁଖା ନୃତ୍ୟ), ଶିବ ପାର୍ବତୀ ଗୋଟିପୁଅ ନାଟ୍ୟ ପରିଷଦ, ସାକ୍ଷୀଗୋପାଳ ଦ୍ୱାରା ଗୋଟିପୁଅ ନୃତ୍ୟ ଆଦି ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବସନ୍ତ କୁମାର ପଟ୍ଟନାୟକ ହାସ୍ୟରସ ପରିବେଷଣ କରିଥିଲେ।

ଢେଙ୍କାନାଳ ସାଂସ୍କୃତିକ ପରିଷଦର କର୍ମକର୍ତ୍ତା ରୂଦ୍ର ପ୍ରସାଦ ମହାପାତ୍ରଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅବନୀକାନ୍ତ ମିଶ୍ର ମଂଚ ପରିଚାଳନା କରିଥିଲେ। ସଂପ୍ରତି ବିଶେଷ କରି ଦ୍ୱେତ ନଗରୀ ଭୁବନେଶ୍ୱର-କଟକରେ ସ୍ଥାୟୀ ଭାବେ ରହୁଥିବା ଢେଙ୍କାନାଳ ଜିଲ୍ଲାର ଲୋକମାନଙ୍କ ମଧ୍ୟରେ ଜିଲ୍ଲାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଉଜ୍ଜୀବିତ କରିବା ନିମନ୍ତେ ଏହି ଏକ ଦିବସୀୟ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ। ସାମନ୍ତ ଜ୍ୟୋତି ରଂଜନ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱକବି ରବୀନ୍ଦ୍ରନାଥଙ୍କୁ ଜନ୍ମଦିବସରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ୧୬୨ତମ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପସ୍ଥିତ ତାଙ୍କ ପ୍ରତିମୂର୍ତ୍ତିିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି।

ବିଧାୟକ ପ୍ରଫୁଲ୍ଲ ସାମଲ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ, ଅଧ୍ୟାପକ ଡ଼ଃ ରଙ୍ଗାଧର ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ଉଇ ଫର ଭୁବନେଶ୍ୱର ପକ୍ଷରୁ ନରେନ ସାହୁ, ସୁଶାନ୍ତ ସାହୁ, ଗୁରୁଚରଣ ସାହୁ, ସତ୍ୟବ୍ରତ ଜେନା, ଗିରିଜା ଶଙ୍କର ମହାପାତ୍ର ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନିଜ ବକ୍ତବ୍ୟରେ ଅନୁବାଦ ସାହିତ୍ୟ ଦ୍ୱାରା ବିଭିନ୍ନ ଭାଷାରେ ରଚିତ ସାହିତ୍ୟକୃତି ବିଶ୍ୱପାଠକମାନଙ୍କ ନିକଟରେ ପହଁଚି ପାରିବ ବୋଲି ମତବ୍ୟକ୍ତ କରିଥିଲେ। ସେଥିପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥଙ୍କ ସହ ପ୍ରତିଷ୍ଠିତ ଲେଖକମାନଙ୍କ ରଚନାର ଅନୁବାଦ ହେବା ଆବଶ୍ୟକ ଯାହା ଦ୍ୱାରା ସାହିତ୍ୟ ପରିବ୍ୟାପ୍ତ ହେବ ବୋଲି ସେମାନେ ଉଲ୍ଲେଖ କରିଥିଲେ।

ନିର୍ଦ୍ଦେଶକ ଶ୍ରୀ ରାଉତରାଏ କହିଲେ ଯେ ଆଗାମୀ ଦିନରେ ସାହିତ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ ଆରମ୍ଭ ହେବ। ଓଡ଼ିଆ ପୁସ୍ତକକୁ ଅନ୍ୟ ଭାଷାରେ ଏବଂ ଅନ୍ୟ ପ୍ରସିଦ୍ଧ ପୁସ୍ତକକୁ ଓଡ଼ିଆ ଭାଷାରେ ଅନୁବାଦ କରିବାକୁ ବ୍ୟବସ୍ଥା କରାଯିବ। ସ୍ୱାଧୀନତା ପୂର୍ବର ଗଡ଼ଜାତ ଆନ୍ଦୋଳନ ନେତା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଧର୍ମପନିୀ ବିଶିଷ୍ଟ ଲେଖିକା ଓ ଚିତ୍ରଶିଳ୍ପୀ ଫ୍ରିଡାଙ୍କ ମ୍ୟାରେଜ ଟୁ ଇଣ୍ଡିଆ ପୁସ୍ତକର ଓଡ଼ିଆ ଅନୁବାଦ କରାଯିବ। ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ଓଡିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ଶ୍ରୀ ରାଉତରାଏ ମତବ୍ୟକ୍ତ କରିଥିଲେ।

ଏହା ବ୍ୟତୀତ ଆଗାମୀ ଦିନରେ ବରପୁତ୍ରମାନଙ୍କ ସ୍ମୃତି ରକ୍ଷା ସହ ସେମାନଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ସହ ଦେଶ ଓ ବିଦେଶରେ ରହୁଥିବା ଓଡ଼ିଆମାନଙ୍କ ସହଯୋଗରେ ପାଳନ କରିବାକୁ ବ୍ୟବସ୍ଥା କରାଯାଇ ଓଡିଶାକୁ ପୂଜ୍ୟପୂଜା କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଦେଶର ମଡେଲ ଭାବେ ସ୍ଥାନିତ କରାଯିବ। ଏଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଉକ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ଦୁଇଦିନିଆ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର: ଭୁବନେଶ୍ୱର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ଦୁଇଦିନିଆ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭାଗୀୟ ବିବିଧ କାର୍ଯ୍ୟକ୍ରମ ଯଥା: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା, ବାଲେଶ୍ୱର ଶଙ୍ଖାରୀସ୍ଥିତ ପଦ୍ମଭୂଷଣ ମନୋଜ ଦାସ ସ୍ମାରକୀ ପ୍ରକଳ୍ପ, ଭଦ୍ରକ ଗରଦପୁରସ୍ଥିତ ଗାନ୍ଧୀ ଓଡ଼ିଶା ବାଳାଶ୍ରମ, କଟକର ଉତ୍କଳ ଗାନ୍ଧୀ ସ୍ମାରକନିଧି, ଖୋଦ୍ଧା କେନ୍ଦୁଲୀସ୍ଥିତ ଶ୍ରୀଜୟଦେବ ପୀଠ, ପୁରୀ ଜିଲ୍ଲା ସୁଆଣ୍ଡୋରେ ଉତ୍କଳମଣି ଗୋପବନ୍ଧୁ ଦାସ ସ୍ମାରକୀ ପ୍ରକଳ୍ପ, ଜିଲ୍ଲା ପାଠାଗାର ତଥା ଅନ୍ୟାନ୍ୟ ବିଭାଗୀୟ ପାଠାଗାର ପରିଚାଳନା, ଜିଲ୍ଲା ସଂସ୍କୃତି ପରିଷଦ/ ତଥା ଜିଲ୍ଲା ସାଂସ୍କୃତିକ ପାଣ୍ଠି ବିନିଯୋଗ, ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିଗୁଡ଼ିକର ରକ୍ଷଣାବେକ୍ଷଣ, ଆଦର୍ଶ ବରପୁତ୍ର ଗ୍ରାମ, ଓଡ଼ିଶାର ଐତିହ୍ୟ କୀର୍ତ୍ତିରାଜିର ସଂରକ୍ଷଣ, ବିଭାଗ ଅଧିନରେ ପରିଚାଳିତ ରାଜ୍ୟ ଏକାଡେମୀଙ୍କ ପକ୍ଷରୁ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି କର୍ମଶାଳାରେ ଯୋଗଦେଇ ନିଜ ସଂସ୍କୃତିକୁ ଭଲପାଇବା ସହ ତାହାକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିବା ଦିଗରେ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାଏ ବିଭାଗର କାର୍ଯ୍ୟକୁ ନିଷ୍ଠାର ସହ ସଫଳ ଭାବରେ କାର୍ଯ୍ୟକାରୀ କରିବାକୁ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାଶ, ରାଜ୍ୟ ସଂଗ୍ରହାଳୟ ନିର୍ଦ୍ଦେଶିକା ଆରତୀ ସାହୁ, ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଅର୍ଥ ପରାମର୍ଶଦାତା ତଥା ଉପଶାସନ ସଚିବ ପଦ୍ମଜ୍ୟୋତି ସାହୁ, ଉପନିର୍ଦ୍ଦେଶକ ଦେବାନନ୍ଦ ବରିହା, ଏକାଡେମୀର ସଚିବ, ରାଜ୍ୟ ପ୍ରନିତତ୍ତ୍ୱ ସଂସ୍ଥାର ଅଧୀକ୍ଷକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଦୁଇଦିନିଆ କର୍ମଶାଳାରେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପାନ୍ଥନିବାସ ପକ୍ଷରୁ ‘ପରିଚୟ’- କଣ୍ଟେଣ୍ଟ କ୍ରିଏଟର୍ସ ମିଟ୍ ଅନୁଷ୍ଠିତ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ‘ଫୁଡିଜ୍ ଅଫ ଭୁବନେଶ୍ୱର’ ଏବଂ ଓ ‘ଚଲୋ ଓଡ଼ିଶା ପାନ୍ଥନିବାସ’ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ରବିବାର ‘ଓଡ଼ିଶା ପର୍ଯ୍ୟଟନ’ ପକ୍ଷରୁ ଖାଦ୍ୟ, ଭ୍ରମଣ, କଳା ଓ ସଂସ୍କୃତି କ୍ଷେତ୍ରରେ ଓଡ଼ିଶାର କଣ୍ଟେଣ୍ଟ କ୍ରିଏଟର୍ସ (ବିଷୟବସ୍ତୁ ସୃଷ୍ଟିକାରୀ)ଙ୍କ ପାଇଁ ଏକ ପ୍ରଶଂସା ଦିବସ ‘ପରିଚୟ’ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମକୁ ଓଟିଡିସିର ଅଧ୍ୟକ୍ଷ ଡ. ଲେନିନ ମହାନ୍ତି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିବା ବେଳେ ଏଥିରେ କଳା କ୍ଷେତ୍ରର ସ୍ୱନାମଧନ୍ୟ ବ୍ୟକ୍ତି- ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ଓ ଓଡ଼ିଆ ରାପର୍ ବିଗ୍ ଡିଲ୍ ଙ୍କ ସମେତ ଓଡ଼ିଶା ପର୍ଯ୍ୟଟନ ଏବଂ ଓଟିଡିସିର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଭ୍ରମଣ, ହାସ୍ୟରସାତ୍ମକ, କଳା, ସଂସ୍କୃତି ଏବଂ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କ୍ଷେତ୍ରରେ ବିଷୟବସ୍ତୁ ରଚନା କରୁଥିବା ପ୍ରାୟ ୧୦୦ ଜଣ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ପ୍ରଭାବଶାଳୀ ଭାବେ ବିଷୟବସ୍ତୁ ରଚନା କରୁଥିବା ଏହି କଣ୍ଟେଣ୍ଟ କ୍ରିଏଟର୍ସଙ୍କ ଭୂମିକା ଉପରେ ଆଲୋକପାତ କରି ଓଟିଡିସି ଅଧ୍ୟକ୍ଷ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ଓଡ଼ିଶାକୁ ପର୍ଯ୍ୟଟନ ଓ ସଂସ୍କୃତିର କେନ୍ଦ୍ର ଭାବେ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଯେଭଳି ଭାବେ ଗୁରୁତ୍ୱ ଦେଉଛନ୍ତି , ସମ ଭାବରେ ଏହାକୁ ଫଳପ୍ରସୂ କରିବାରେ ଆଜିର ପିଢ଼ିର ଭୂମିକା ସେହିପରି ଗୁରୁତ୍ୱ ବହନ କରୁଛି। କାର୍ଯ୍ୟକ୍ରମରେ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ଦ୍ୱାରା ଉପସ୍ଥାପିତ ଆଶ୍ଚର୍ଯ୍ୟଜନକ ବିଷୟବସ୍ତୁ କେବଳ ମନୋରଞ୍ଜନ କରେ ନାହିଁ ବରଂ ଓଡ଼ିଶାର ବିଭିନ୍ନ ମନୋରମ ପ୍ରାକୃତିକ ଗନ୍ତବ୍ୟ ସ୍ଥଳ, ଖାଦ୍ୟ, ଏହାର ଲୋକ ସଂସ୍କୃତି ଇତ୍ୟାଦି ଉପରେ ସଚେତନତା ସୃଷ୍ଟି କରେ।

ପାରମ୍ପରିକ ପ୍ରକାର ମାର୍କେଟିଂ ତୁଳନାରେ ଏଭଳି ଅନୁଭୂତିମୂଳକ ବିଷୟବସ୍ତୁର ପ୍ରଭାବ ଅଧିକ ପ୍ରଭାବଶାଳୀ। ସୃଜନଶୀଳ ବିଷୟବସ୍ତୁ ମାଧ୍ୟମରେ ଯାତ୍ରୀଙ୍କ ମନରେ ‘ବ୍ରାଣ୍ଡ ଓଡ଼ିଶା’ର ରୂପାନ୍ତରଣରେ ସାହାଯ୍ୟ କରୁଥିବା ଏହି ବ୍ଲଗିଂ ସମ୍ପ୍ରଦାୟ ସ୍ଥାନୀୟ ଲୋକମାନଙ୍କର ଜୀବିକା ବିକାଶରେ ମଧ୍ୟ ସାହାଯ୍ୟ କରିଥିବାରୁ ଡଃ. ମହାନ୍ତି ସେମାନଙ୍କୁ ପ୍ରଶଂସା କରି ଧନ୍ୟବାଦ ଜଣାଇଥିଲେ। ସୋସିଆଲ ମିଡିଆ ଉପଯୋଗ ଜରିଆରେ ‘ଫୁଡିଜ୍ ଅଫ୍ ଭୁବନେଶ୍ୱର’ ଓ ‘ଚଲୋ ଓଡ଼ିଶା’ କମ୍ୟୁନିଟି ବ୍ଲଗିଂମାନେ ଓଡ଼ିଶାର ଖାଦ୍ୟ ଓ ଟ୍ରାଭେଲ ବ୍ଲଗରମାନଙ୍କୁ ଏକାଠି କରି ଓଡିଶାରେ ପର୍ଯ୍ୟଟନ ଓ ସଂସ୍କୃତିର ଏଠାରେ ରହିଥିବା ବିଭିନ୍ନ ସୁବିଧା ସୁଯୋଗର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ଶ୍ରେୟ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ପର୍ଯ୍ୟଟନକୁ ଡିଜିଟାଲ ମାଧ୍ୟମରେ ପ୍ରୋତ୍ସାହିତ କରିବାର ବିଭିନ୍ନ ଉପାୟ ଉପରେ ଆଲୋଚନା କରାଯିବା ସଙ୍ଗେ ସଙ୍ଗେ ବିଷୟବସ୍ତୁ ନିର୍ମାତାମାନଙ୍କ ପାଇଁ ନେଟୱାର୍କ, ଚିନ୍ତାଧାରା ଆଦାନପ୍ରଦାନ ଏବଂ ପ୍ରେରଣା ପାଇବାର ଏକ ପ୍ଲାଟଫର୍ମ ଥିଲା ବୋଲି ଅଂଶଗ୍ରହଣକାରୀମାନେ ପାରସ୍ପରିକ ଭାବ ବିନିମୟ କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମରେ ଉପସ୍ଥିତ ବିଶିଷ୍ଟ ଡାକ୍ତର ପ୍ରଫେସର ସରୋଜିନୀ ଷଡଙ୍ଗୀ ଏବଂ ପ୍ରଫେସର ଡାକ୍ତର ରମାରମଣ ଷଡଙ୍ଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ଆର୍.କେ.ପଲେଇ, ପର୍ଯ୍ୟଟନ ବିଭାଗ ସ୍ୱତନ୍ତ୍ର ଭାରପ୍ରାପ୍ତ ଅଧିକାରୀ ଅଂଶୁମାନ ରଥଙ୍କ ସମେତ ଓଡ଼ିଶା ପର୍ଯ୍ୟଟନ ଏବଂ ଓଟିଡିସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅତିଥି ଓ ଅଂଶଗ୍ରହଣକାରୀଙ୍କ ପାଇଁ ଉପଲବ୍ଧ ସ୍ୱତନ୍ତ୍ର ଓଡ଼ିଆ ଖାଦ୍ୟ ଉପଲବ୍ଧ କରାଯାଇ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱର ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କ ଯୋଗଦାନ

ଭୁବନେଶ୍ୱର: ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଭାବେ ଦିଲ୍ଲୀପ କୁମାର ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ଠାରୁ ଶ୍ରୀ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ମହାପାତ୍ର ପୂର୍ବରୁ ପୁରୀ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟକଲ) ଭାବେ କାର୍ଯ୍ୟରତ ଥିଲେ। ସେହିପରି ଶ୍ରୀ ସ୍ୱାଇଁଙ୍କର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି।

ଏହି ଅବସରରେ ଉପ ଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ

ଭୁବନେଶ୍ୱର: ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଚାଲିଛି। ଆଜି ପ୍ରତିନିଧି ସ୍ତରୀୟ ଆଲୋଚନାର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର ଉଦଘାଟନୀ ବକ୍ତବ୍ୟ ରଖିଥିଲେ।

ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ବିଭାଗ ସଚିବ କେ. ସଞ୍ଜୟ ମୂର୍ତ୍ତି, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ସଚିବ ସଞ୍ଜୟ କୁମାର ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ସଚିବ ଅତୁଲ ତିୱାରୀଙ୍କ ସମେତ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଛନ୍ତି। ଜି-୨୦ ସଦସ୍ୟ ରାଷ୍ଟ୍ର ସମେତ ୨୭ଟି ନିମନ୍ତ୍ରିତ ରାଷ୍ଟ୍ର, ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ, ୟୁନିସେଫ, ୟୁନେସ୍କୋ ଏବଂ ଆର୍ଥିକ ସହଯୋଗ ଓ ବିକାଶ ସଂଗଠନ (ଓଇସିଡି)ର ୬୦ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଛନ୍ତି।

ସୁଭାଷ ସରକାର କହିଥିଲେ ଯେ, ଭାରତର ଅଧ୍ୟକ୍ଷତା ଅଧୀନରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ଶିକ୍ଷାର ପ୍ରସାର, ଗୁଣବତ୍ତା ଓ ପରିଣାମରେ ସୁଧାର ଆଣିବା ଲାଗି ସାଧାରଣ ବାସ୍ତବତା ଉପରେ ଆଲୋକପାତ କରିବା ଏବଂ ସାଧାରଣ ପ୍ରତିବଦ୍ଧତାକୁ ଦୋହରାଇବା ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରୁଛି।

ଶ୍ରୀ ସରକାର କହିଥିଲେ ଯେ ଆଜିର ଦୁନିଆରେ ବଡ଼ ପରିବର୍ତ୍ତନ ସବୁ ଦେଖିବାକୁ ମିଳୁଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଇଣ୍ଡଷ୍ଟ୍ରୀ ୪.୦ ଏବଂ ୱେବ ୩.୦ ଆଦି ଉଲ୍ଲେଖନୀୟ ଭାବେ କାର୍ଯ୍ୟସ୍ଥଳୀ ଉପରେ ପ୍ରଭାବ ପକାଇବ। ଏହି ପରିବର୍ତ୍ତିତ କାର୍ଯ୍ୟ ପରିସ୍ଥିତି ସହିତ ଖାପଖୁଆଇବା ଲାଗି ଆମର ଯୁବବର୍ଗଙ୍କୁ ଆବଶ୍ୟକ ଦକ୍ଷତା ବିକାଶ ଏବଂ ଦୃଷ୍ଟିକୋଣ ସହିତ ପ୍ରସ୍ତୁତ କରିବାକୁ ହେବ।

ସମସ୍ତଙ୍କ ପାଇଁ ସମାନ ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ବିକଶିତ କରିବା ଲାଗି ସହଭାଗିତା ନିମନ୍ତେ ସେ ଆହ୍ୱାନ କରିଥିଲେ। ସମାଜ କଲ୍ୟାଣ ଲକ୍ଷ୍ୟ ହାସଲ ନିମନ୍ତେ ଆମର ମିଳିତ ବିଶେଷଜ୍ଞତାକୁ ଉପଯୋଗ କରିବା ଏବଂ ଦୃଢ଼ ଗବେଷଣା ଓ ଉଦ୍ଭାବନ ଇକୋସିଷ୍ଟମ ନିର୍ମାଣ କରିବାକୁ ସେ ପରାମର୍ଶ ଦେଇଥିଲେ।

ବୈଠକ ଅବସରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ବିଭିନ୍ନ ପ୍ରାଥମିକତା ପ୍ରସଙ୍ଗ ଉପରେ ଆଲୋଚନା ଅଧିବେଶନ ଆୟୋଜନ କରାଯାଇଥିଲା। ଏଥିରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରି ନିଜ ନିଜର ମତ ରଖିଥିଲେ।

ଏହି ବୈଠକ ପୂର୍ବରୁ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସହଭାଗିତାରେ ଭୁବନେଶ୍ୱରସ୍ଥିତ ଧାତୁ ଓ ଖଣିଜ ପ୍ରଯୁକ୍ତି ପ୍ରତିଷ୍ଠାନ (ସିଏସଆଇଆର-ଆଇଏମଏମଟି) ଠାରେ ଏକ ସେମିନାର ଆୟୋଜନ କରାଯାଇଥିଲା। ସେମିନାରର ବିଷୟବସ୍ତୁ ଥିଲା : ‘ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ କ୍ଷମତା ନିର୍ମାଣ, ଆଜୀବନ ଅଧ୍ୟୟନକୁ ପ୍ରୋତ୍ସାହନ’। ସେମିନାର ସହିତ ଏକ ସପ୍ତାହବ୍ୟାପୀ ମଲ୍ଟିମିଡିଆ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା। ଏହି ପ୍ରଦର୍ଶନୀକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ।

ବୈଠକ ପୂର୍ବରୁ ଆଜୀବନ ଅଧ୍ୟୟନ ଓ ଭବିଷ୍ୟତର କାର୍ଯ୍ୟ ବିଷୟବସ୍ତୁ ଉପରେ ଏକାଧିକ ସେମିନାର, ପାନେଲ ଆଲୋଚନା ଓ କର୍ମଶାଳା ଭଳି ପ୍ରାକ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେମିନାରରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପ ସଂସ୍ଥା, ସରକାର ଏବଂ ସିଙ୍ଗାପୁର ଉଚ୍ଚାୟୁକ୍ତର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ସ୍ଥାନ ପାଇଥିବା ବିଷୟବସ୍ତୁଗୁଡ଼ିକ ହେଲା : ‘ଭବିଷ୍ୟତର କାର୍ଯ୍ୟରେ ଅତ୍ୟାଧୁନିକ ପ୍ରଯୁକ୍ତି ଉପରେ ଗୁରୁତ୍ୱାରୋପ ସହିତ ଗଭୀର ପ୍ରଯୁକ୍ତି ବା ଡିପ୍‌ ଟେକ୍‌’, ‘ଲଜିଷ୍ଟିକ୍ସ କ୍ଷେତ୍ରରେ ପରିବର୍ତ୍ତନ – ଉପକୂଳ ଅର୍ଥବ୍ୟବସ୍ଥା ଉପରେ ଗୁରୁତ୍ୱ’ ଏବଂ ‘ଦକ୍ଷତା ଢାଞ୍ଚା ଓ ପ୍ରଶାସନିକ ମଡେଲ – ସିଙ୍ଗାପୁର ମଡେଲରୁ ଅଧ୍ୟୟନ’।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି ଲାଗି ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଠାରୁ ଏକ ମାସ ଧରି ରାଜ୍ୟବ୍ୟାପୀ ‘ଜନ ଭାଗିଦାରୀ’ ଅଭିଯାନ ଆୟୋଜନ କରାଯାଇଥିଲା। ଏହି ଅଭିଯାନ ଅଧୀନରେ ଯୁବବର୍ଗ, ବିଶେଷ କରି ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା ଶୋଭାଯାତ୍ରା, ଗଣଦୌଡ଼, ପ୍ରବନ୍ଧ ଲିଖନ ପ୍ରତିଯୋଗିତା, ଝୋଟି ପ୍ରତିଯୋଗିତା, ଯୋଗ ଶିବିର, ପ୍ରଶ୍ନୋତ୍ତର, ବକ୍ତୃତା, ବିତର୍କ ପ୍ରତିଯୋଗିତା, ଛାୟା ଜି୨୦ ସମ୍ମିଳନୀ ଏବଂ ଆହୁରି ଅନେକ ସଚେତନତା କାର୍ଯ୍ୟକ୍ରମ ରାଜ୍ୟର ୩୦ଟି ଜିଲ୍ଲାରେ ଆୟୋଜନ କରାଯାଇଥିଲା। ଏହି ଅଭିଯାନରେ ଓଡ଼ିଶାର ୩୫ରୁ ଅଧିକ ଅନୁଷ୍ଠାନର ୧ଲକ୍ଷରୁ ଅଧିକ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଅଧୀନରେ ଭୁବନେଶ୍ୱରରେ ଆରମ୍ଭ ହେଲା ତୃତୀୟ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସିଏସଆଇଆର-ଆଇଏମଏମଟି ଠାରେ ‘ଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ ଆଜୀବନ ଅଧ୍ୟୟନ ପାଇଁ ଦକ୍ଷତା ବିକାଶ’ ଉପରେ ସେମିନାର ଆୟୋଜନ ସହିତ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ବୈଠକ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ପୂର୍ବରୁ ଜି୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ଦୁଇଟି ବୈଠକ ଚେନ୍ନାଇ ଓ ଅମୃତସରରେ ଆୟୋଜିତ ହୋଇଥିଲା। ବିଶ୍ୱସ୍ତରରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଅଭିନବ ଉପାୟ ଓ ନୀତିଗୁଡ଼ିକ ଉପରେ ଆଲୋଚନା କରିବା ଏବଂ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ଆୟୋଜନ କରାଯାଉଛି। ଆଜି ଠାରୁ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ତିନି ଦିନିଆ ବୈଠକରେ ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନର ୬୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି।

ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକର ପ୍ରଥମ ଦିନର କାର୍ଯ୍ୟକ୍ରମକୁ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁଭାଷ ସରକାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ବୋଧିତ କରିଥିଲେ। ରାଷ୍ଟ୍ରର ଭବିଷ୍ୟତକୁ ରୂପ ଦେବା କ୍ଷେତ୍ରରେ ଶିକ୍ଷାର ଗୁରୁତ୍ୱ ଉପରେ ସେ ସ୍ୱତନ୍ତ୍ର ଅଭିଭାଷଣ ରଖିଥିଲେ। ସେ ଦକ୍ଷତା ବିକାଶର ମୂଲ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଭବିଷ୍ୟତ ଲାଗି କୁଶଳୀ ଶ୍ରମଶକ୍ତିଙ୍କୁ ପ୍ରସ୍ତୁତ କରିବା ଲାଗି ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସେ ଜ୍ଞାନ, ଅନୁଭୂତି ଏବଂ ଶ୍ରେଷ୍ଠ ପଦ୍ଧତି ବିନିମୟ କରିବା ଲାଗି ଜି୨୦ ଭଳି ମଞ୍ଚର ଆବଶ୍ୟକତା ଉପରେ ଜୋର ଦେଇଥିଲେ ଯାହାକି ଶିକ୍ଷା କ୍ଷେତ୍ରରେ ସହଭାଗୀ ସଂସ୍କାର ଆଣିବା ଲାଗି ଉପାଦେୟ ହୋଇପାରିବ।

ଏହି ଅବସରରେ ଶ୍ରୀ ସରକାର କହିଥିଲେ ଯେ, କାର୍ଯ୍ୟକ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ଏବଂ ମୌଳିକ ଦକ୍ଷତା ବିକାଶ ଓ ଆଜୀବନ ଅଧ୍ୟୟନ ଉପରେ ବିଚାରବିମର୍ଶ କରିବା ଲାଗି ଦୁଇଟି ଆଲୋଚନା ହୋଇଥିଲା, ତାହା ଉପରେ ଆଧାର କରି ଆଜିର ସେମିନାର ଆୟୋଜନ କରାଯାଉଛି। ଅପସ୍କିଲିଂ, ରିସ୍କିଲିଂ ଓ ଆଜୀବନ ଅଧ୍ୟୟନ ଜରିଆରେ ‘ଭବିଷ୍ୟତ ଲାଗି ପ୍ରସ୍ତୁତ’ କାର୍ଯ୍ୟଶକ୍ତି ପାଇଁ ‘ଭବିଷ୍ୟତର କୌଶଳ’ ବିତରଣ ପାଇଁ ମାନବୀୟ ଓ ସଂସ୍ଥାଗତ କ୍ଷମତାକୁ ସୁଦୃଢ଼ କରିବା ଜି-୨୦ ସେମିନାରର ଲକ୍ଷ୍ୟ ବୋଲି ସେ କହିଥିଲେ। ଶ୍ରୀ ସରକାର କହିଥିଲେ ଯେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ବ୍ୟବସ୍ଥା ଅନୁରୂପ ଭାରତ ସରକାର ମୁଖ୍ୟତଃ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷାର ଏକୀକରଣ ଜରିଆରେ ଦକ୍ଷତା ବିକାଶ ଢାଞ୍ଚା ବିକଶିତ କରିବା, ମୂଲ୍ୟାଙ୍କନ କରିବା ଏବଂ ମାନ୍ୟତା ଦେବା ଲାଗି ପ୍ରୟାସ କରୁଛନ୍ତି।

ଜାତୀୟ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦର ଅଧ୍ୟକ୍ଷ ଡକ୍ଟର ନିର୍ମଲଜିତ ସିଂ କାଲସୀ ମଧ୍ୟ ସେମିନାରରେ ଉଦବୋଧନ ଦେଇଥିଲେ। ଜି୨୦ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନ ଠାରୁ ମିଳିଥିବା ମତାମତ ଓ ପରାମର୍ଶ ସମ୍ପର୍କରେ ଡକ୍ଟର କାଲସୀ ଏକ ଉପସ୍ଥାପନା ଦେଇଥିଲେ। ଏହାଛଡ଼ା ଶିକ୍ଷା ମନ୍ତ୍ରଣାଳୟର ସଚିବ ଶ୍ରୀ କେ. ସଞ୍ଜୟ ମୂର୍ତ୍ତି, ଜାତୀୟ ଶିକ୍ଷା ବୈଷୟିକ ମଞ୍ଚ (ଏନଇଟିଏଫ)ର ଅଧ୍ୟକ୍ଷ ଡକ୍ଟର ଅନୀଲ ଡି. ସହସ୍ରବୁଦ୍ଧେ ମଧ୍ୟ ସେମିନାରକୁ ସମ୍ବୋଧିତ କରିଥିଲେ। ଆଜୀବନ ଅଧ୍ୟୟନ ପାଇଁ ଏକ ଡିଜିଟାଲ ଇକୋସିଷ୍ଟମ ନିର୍ମାଣ କରିବା ଲାଗି ସେମାନେ ଆବଶ୍ୟକ ମତାମତ ଦେଇଥିଲେ।

ଏହି ସେମିନାରରେ ତିନୋଟି ପାନେଲ ଆଲୋଚନା ହୋଇଥିଲା। ବ୍ରାଜିଲ, ସ୍ପେନ, ୟୁଏଇ, ସିଙ୍ଗାପୁର, ରୁଷ, ଦକ୍ଷିଣ ଆଫ୍ରିକା, ମରିସସ, ଓଇସିଡି, ୟୁନିସେଫ, ଅଷ୍ଟ୍ରେଲିଆ ଏବଂ ବ୍ରିଟେନର ପାନେଲିଷ୍ଟମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ନିମ୍ନ ବିଷୟବସ୍ତୁଗୁଡ଼ିକ ଉପରେ ପାନେଲ ଆଲୋଚନା ହୋଇଥିଲ :

ପାନେଲ ଆଲୋଚନା 1: କାର୍ଯ୍ୟର ଭବିଷ୍ୟତ ସନ୍ଦର୍ଭରେ ଶ୍ରମ ବଜାର ଓ ସଂସ୍ଥାଗତ କ୍ଷମତା ନିର୍ମାଣର ଆବଶ୍ୟକତା ଲାଗି ଏକ ସକ୍ରିୟ ବ୍ୟବସ୍ଥା ନିର୍ମାଣ : ଉଚ୍ଚ ଗୁଣବତ୍ତା ଆଧାରିତ ପ୍ରଯୁକ୍ତି ଏବଂ ଧନ୍ଦାମୂଳକ ଶିକ୍ଷାକୁ ସକ୍ଷମ କରିବା। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଶ୍ରୀ ଅତୁଲ କୁମାର ତିୱାରୀ ପାନେଲ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ।

ପାନେଲ ଆଲୋଚନା 2 : ଉଚ୍ଚ ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷା ମଧ୍ୟରେ ମାର୍ଗ ସୃଷ୍ଟି କରିବା। ଏଲଆଣ୍ଡ ଟି ଏଡୁ ଟେକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସବ୍ୟସାଚୀ ଦାସ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ।

ପାନେଲ ଆଲୋଚନା 3 : ପିଲାମାନଙ୍କୁ ଆଜୀବନ ଅଧ୍ୟୟନର ଧାରାକୁ ଆଣିବା ଲାଗି ବିଭିନ୍ନ ପ୍ରକାରର ଭବିଷ୍ୟତ କୌଶଳ ସେଟ୍‌ ଜରିଆରେ ସେମାନଙ୍କୁ ସକ୍ଷମ କରିବା । ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ସଚିବ ଶ୍ରୀ ସଞ୍ଜୟ କୁମାର ଏଥିରେ ଅଧ୍ୟକ୍ଷତା କରିଥିଲେ।

ଜି-୨୦, ନିମନ୍ତ୍ରିତ ଦେଶ ଏବଂ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଜି୨୦ ଭବିଷ୍ୟତର କାର୍ଯ୍ୟ ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିଥିଲେ। ଯେଉଁଥିରେ ସେମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ନୂତନ ବିଚାରକୁ ଦେଖିଥିଲେ ଯାହା ଆମର କାର୍ଯ୍ୟଶୈଳୀ ଏବଂ ଅଧ୍ୟୟନର ପଦ୍ଧତିରେ ପରିବର୍ତ୍ତନ ଆଣୁଛି। ପ୍ରତିନିଧିମାନେ ପ୍ରଦର୍ଶନକାରୀ ଏବଂ ଉଦ୍ଭାବକମାନଙ୍କ ସହିତ ମତବିନିମୟ କରିଥିଲେ।

ଏହି ପ୍ରଦର୍ଶନୀରେ ଶିଳ୍ପ, ଶିକ୍ଷାଜଗତ, ସରକାରୀ ସଂସ୍ଥା, ବହୁପକ୍ଷୀୟ ସଂସ୍ଥା, ଷ୍ଟାର୍ଟଅପ୍‌ ଏବଂ ଅନ୍ୟାନ୍ୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିବା ସହିତ ସେମାନଙ୍କର ସୃଜନଶୀଳ ସାମଗ୍ରୀ ଓ ପ୍ରଯୁକ୍ତି ପ୍ରଦର୍ଶନ କରୁଛନ୍ତି। ସେହିପରି ଏଠାରେ ଭବିଷ୍ୟତର କାର୍ଯ୍ୟ ଉପରେ ଏକ ସ୍ୱତନ୍ତ୍ର ଅନୁଭୂତି ଜୋନ ସହିତ ବ୍ୟାପକ ଜ୍ଞାନକୌଶଳ ପ୍ରଦର୍ଶିତ ହୋଇଛି। ମେଟା, ହେକ୍ସାଗନ, ଇନଫୋସିସ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ, ୟୁନିସେଫ, ଭାରତୀୟ ଜ୍ଞାନ ବ୍ୟବସ୍ଥା ଡିଭିଜନ, ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ଟ୍ରାଇଫେଡ ଏବଂ ଆହୁରି ଅନେକ ଷ୍ଟଲ୍‌ ଜରିଆରେ ଭବିଷ୍ୟତର କାର୍ଯ୍ୟ, ସ୍ୱାସ୍ଥ୍ୟ ସେବା, ମୋବିଲିଟୀ, କୃଷି ଏବଂ ଅନ୍ୟାନ୍ୟ ଭବିଷ୍ୟ ଉନ୍ମୁଖି ବିଷୟବସ୍ତୁ ଏଥିରେ ପ୍ରଦର୍ଶିତ ହୋଇଛି । ପ୍ରଯୁକ୍ତି ଏବଂ ବଜାର ଧାରାରେ ବ୍ୟାପକ ପରିବର୍ତ୍ତନ ଆସିବା କାରଣରୁ ଆଜୀବନ ଅଧ୍ୟୟନ ପଦ୍ଧତି ପାଇଁ ପ୍ରାସଙ୍ଗିକ ଓ ସମନ୍ୱିତ ପଦ୍ଧତି ସହିତ ନୀତି ନିର୍ମାତା ଓ ଶିକ୍ଷାବିତମାନଙ୍କ ପାଇଁ ଏହି ପ୍ରଦର୍ଶନୀ ଏକ ବିଶେଷ ସୁଯୋଗ ଆଣିଦେଇଛି ।

ଏହି ଆଲୋଚନା ବ୍ୟତୀତ ତିନି ଦିନିଆ ବୈଠକରେ ସାଂସ୍କୃତିକ କାର୍ଯକ୍ରମ ମଧ୍ୟ ସାମିଲ ରହିଛି ଯେଉଁଥିରେ ପାରମ୍ପରିକ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ । ବୈଠକରେ ଯୋଗ ଦେଇଥିବା ପ୍ରତିନିଧିମାନେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଦେଖିବା ଏବଂ ରାଜ୍ୟର ଇତିହାସ ଓ ପରମ୍ପରା ସମ୍ପର୍କରେ ଜାଣିବା ଲାଗି ସୁଯୋଗ ପାଇବେ । ସେମିନାରର ଅନ୍ତିମ ଦିନରେ ପ୍ରତିନିଧିମାନେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବାର ସୁଯୋଗ ପାଇବେ । ଏହି ମନ୍ଦିର ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଏବଂ ଏକ ଲୋକପ୍ରିୟ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଆୟୋଜନ କରିବ ଶିକ୍ଷା ମନ୍ତ୍ରଣାଳୟ

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀର ତୃତୀୟ ବୈଠକ ଆୟୋଜନ କରିବ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ଆସନ୍ତା ୨୬-୨୮ ତାରିଖରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ଜି୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ଓଇସିଡି, ୟୁନେସ୍କୋ ଏବଂ ୟୁନିସେଫ ଭଳି ନିମନ୍ତ୍ରିତ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ।

ଏହି ତିନି ତିନିଆ କାର୍ଯ୍ୟକ୍ରମରେ ସେମିନାର/ପ୍ରଦର୍ଶନୀ ଏବଂ କାର୍ଯ୍ୟଗୋଷ୍ଠୀ ବୈଠକ ଆୟୋଜନ କରାଯିବ। ଏନଏସଡିସି ସହଭାଗିତାରେ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଖଣିଜ ଓ ବସ୍ତୁବିଦ୍ୟା ପ୍ରତିଷ୍ଠାନ ଠାରେଭବିଷ୍ୟତର କାର୍ଯ୍ୟ ପରିପ୍ରେକ୍ଷୀରେ ଆଜୀବନ ଅଧ୍ୟୟନ ପାଇଁ କ୍ଷମତା ବିକାଶ ବିଷୟବସ୍ତୁ ଉପରେ ସେମିନାର ଆୟୋଜନ କରାଯିବ। କାର୍ଯ୍ୟଗୋଷ୍ଠୀ ବୈଠକର ପ୍ରଥମ ଦିନର କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁଭାଷ ସରକାର ସମ୍ବୋଧିତ କରିବେ।

କାର୍ଯ୍ୟକ୍ରମ ପୂର୍ବରୁ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଭାରତ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ସଚିବ ଶ୍ରୀ ସଞ୍ଜୟ କେ ମୂର୍ତ୍ତି କହିଥିଲେ ଯେ ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଓ ବିଚାରବିମର୍ଶ ଲାଗି ଏକ ମଞ୍ଚ ଯୋଗାଇ ଦେବ।  ବିଭିନ୍ନ ଦେଶ ଓ ଅନ୍ତର୍ଜାତୀୟ ସଂଗଠନାରୁ ମିଳିଥିବା ଇନପୁଟ୍‌ ଆଧାରରେ ଜି୨୦ ଶିକ୍ଷା ମନ୍ତ୍ରୀମାନଙ୍କର ଘୋଷଣା ନାମର ଜିରୋ ଡ୍ରାଫ୍ଟ ଉପରେ ବିଚାରବିମର୍ଶ କରିବା ଲାଗି ଏହି ମଞ୍ଚ ସହାୟକ ହୋଇପାରିବ। ଏହି ବିଚାରବିମର୍ଶରୁ ମିଳିଥିବା ପରିଣାମ ଓ ସୁପାରିସକୁ ଆସନ୍ତା ୨୨ ଜୁନ ୨୦୨୩ରେ ପୁଣେ ଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା ମନ୍ତ୍ରୀମାନଙ୍କର ବୈଠକ ସମୟରେ ଉପସ୍ଥାପିତ ହେବାକୁ ଥିବା ଘୋଷଣାନାମା ପ୍ରସ୍ତୁତି ବା ଡ୍ରାଫ୍ଟିଂରେ ସହାୟକ ହୋଇପାରିବ।

ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଅତୁଲ ତିୱାରୀ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଆୟୋଜିତ ହେଉଥିବା ପ୍ରାକ୍‌ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଜି୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଉତ୍କଳ ଦିବସ ପରଠାରୁ ଆରମ୍ଭ ହୋଇଥିବା ଜନଭାଗିଦାରୀ କାର୍ଯ୍ୟକ୍ରମରେ ୧ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଭାରତର ଜି୨୦ ଅଧ୍ୟକ୍ଷତାକୁ ଜନସାଧାରଣଙ୍କ ଅଧ୍ୟକ୍ଷତାରେ ପରିଣତ କରିବା ଲାଗି ଆୟୋଜିତ ଜନଭାଗିଦାରୀ କାର୍ଯ୍ୟକ୍ରମ ଫଳପ୍ରଦ ହୋଇଥିବା ସେ କହିଥିଲେ।

ସେ ଆହୁରି କହିଥିଲେ ଯେ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଏସଆଇଆର-ଆଇଆଇଏମଟି ଠାରେ ଜି୨୦ ଭବିଷ୍ୟତର କାର୍ଯ୍ୟ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି । ବର୍ତ୍ତମାନ ଏହି ପ୍ରଦର୍ଶନୀ ଜାରି ରହିଛି। ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପରିପ୍ରେକ୍ଷୀରେ ବିଭିନ୍ନ ସମ୍ମିଳନୀ ଓ କର୍ମଶାଳା ଆୟୋଜନ କରାଯାଉଛି।

ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ସଚିବ ସଞ୍ଜୟ କୁମାର ବିଦ୍ୟାଳୟ ପାଠ୍ୟକ୍ରମରେ ଦକ୍ଷତା ବିକାଶ ବିଷୟକୁ ସାମିଲ କରିବା ଉପରେ ଆଲୋଚନା କରିଥିଲେ। ପିଲାମାନଙ୍କୁ ଭବିଷ୍ୟତର କ୍ଷମତାରେ ସଶକ୍ତ କରିବା ଏବଂ ସେମାନଙ୍କୁ ଆଜୀବନ ଅଧ୍ୟୟନ କରିବା ଲାଗି ସକ୍ଷମ କରିବା ଉପରେ ଗୁରୁତ୍ୱ ଦିଆଯିବା ସମ୍ପର୍କରେ ସେ ସୂଚନା ଦେଇଥିଲେ। ଆଜି ଭାରତ ଓ ସିଙ୍ଗାପୁର କର୍ମଶାଳା ସମୟରେ ସିଙ୍ଗାପୁର ପ୍ରତିନିଧିଙ୍କ ସହିତ ହୋଇଥିବା ବୈଠକ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଭାରତ ଓ ସିଙ୍ଗାପୁର ମଧ୍ୟରେ ସହଭାଗିତାର ବିଭିନ୍ନ ଦିଗ ଅନ୍ୱେଷଣ କରାଯାଉଥିବା ସେ କହିଥିଲେ। ଭୁବନେଶ୍ୱର ପରେ ଅନ୍ୟତ୍ର ଆୟୋଜିତ ହେବାକୁ ଥିବା ଚତୁର୍ଥ ଶିକ୍ଷା କାର୍ଯ୍ୟଗୋଷ୍ଠୀର ବୈଠକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଶାସ୍ତ୍ର ଉପରେ ଗୁରୁତ୍ୱାରୋପ କରାଯିବ ଯାହାକି ଜାତୀୟ ଶିକ୍ଷା ନୀତି ୨୦୨୦ରେ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ।

ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଓ ସେମିନାରରେ ୨୭ରୁ ଅଧିକ ଦେଶ ଓ ଅନ୍ତର୍ଜାତୀୟ ସଂଗଠନର ୬୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ। ଏହାବ୍ୟତୀତ, ୟୁନେସ୍କୋ, ନିଯୁକ୍ତି କାର୍ଯ୍ୟ ଗୋଷ୍ଠୀ ବୈଠକ ଏବଂ ଡିଜିଟାଲ ଅର୍ଥବ୍ୟବସ୍ଥା କାର୍ଯ୍ୟଗୋଷ୍ଠୀର ବିଭିନ୍ନ ଉପସ୍ଥାପନା ଉପରେ ଆଲୋଚନା କରାଯିବ। ଏହି କାର୍ଯ୍ୟକ୍ରମରେ ମଲ୍ଟିମିଡିଆ ପ୍ରଦର୍ଶନୀ ଆୟୋଜନ କରାଯିବ ଯେଉଁଥିରେ ଶିଳ୍ପ ଜଗତ, ଶିକ୍ଷାବିତ, ଷ୍ଟାର୍ଟଅପ୍ ସଂସ୍ଥାମାନେ ଅଂଶଗ୍ରହଣ କରିବେ। ପ୍ରଦର୍ଶନୀକୁ ସ୍ଥାନୀୟ ପ୍ରତିଷ୍ଠାନ, ଛାତ୍ରଛାତ୍ରୀ, ଶିକ୍ଷାବିତ୍‌ ଓ ଗବେଷକମାନଙ୍କ ପାଇଁ ୨୩ରୁ ୨୫ ତାରିଖ ଏବଂ ୨୭ରୁ ୨୮ ତାରିଖ ପର୍ଯ୍ୟନ୍ତ ଖୋଲାଯାଇଛି।

ଜି -୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକର ଭ୍ରମଣ ଉପାଦାନ ଅଧୀନରେ ବିଦେଶୀ ପ୍ରତିନିଧିମାନେ କୋଣାର୍କ ମନ୍ଦିର ପରିଦର୍ଶନ କରିବାର ସୁଯୋଗ ପାଇବେ। ଜି୨୦ ବୈଠକ ପରିପ୍ରେକ୍ଷୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ବିଦେଶୀ ପ୍ରତିନିଧିମାନଙ୍କ ସମ୍ମୁଖରେ ଓଡ଼ିଶାର ପାରମ୍ପରିକ କଳା ଓ ହସ୍ତଶିଳ୍ପ ପ୍ରଦର୍ଶିତ କରାଯିବ।

ଆଜିର ସାମ୍ବାଦିକ ସମ୍ମିଳନୀକୁ ପିଆଇବିର ମହାନିର୍ଦ୍ଦେଶକ ଭୁପେନ୍ଦ୍ର କେଂଥୋଲା ପରିଚାଳନା କରିଥିଲେ1

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ଠାରେ ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ” ଉଦଘାଟିତ

ଭୁବନେଶ୍ୱର: ଓଡ଼ିଶାର ପରମ୍ପରାରେ ଦକ୍ଷତାର ଗୁରୁତ୍ୱ ବହୁ ପୂର୍ବରୁ ରହିଆସିଛି। ଆବାହାମାନ କାଳରୁ ଓଡ଼ିଶାର ଭୂମିରେ କଳା, ସାହିତ୍ୟ, ସଂସ୍କୃତି ଓ ବାଣିଜ୍ୟରେ ଦକ୍ଷତାର ପରାକାଷ୍ଠା ରହିଛି ବୋଲି ରବିବାର ଭୁବନେଶ୍ୱର ସ୍ଥିତ ଆଇଏମଏମଟି ପରିସରରେ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ”ର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ “ଭବିଷ୍ୟତ କାର୍ଯ୍ୟଶୈଳୀରେ ଗହନ ପ୍ରଯୁକ୍ତି ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ” କଥାବସ୍ତୁ ଉପରେ ଆୟୋଜିତ ସମ୍ମିଳନୀରେ ସମ୍ବୋଧନ କରିଥିଲେ। ସେ କହିଛନ୍ତି ଯେ ବିଶ୍ୱ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ବିଶ୍ୱର ପରିବର୍ତ୍ତନ ସହ ତାଳ ଦେବାକୁ ଦକ୍ଷତା ବିକାଶ ନିତ୍ୟାନ୍ତ ଆବଶ୍ୟକ। ଦକ୍ଷତା ବିକାଶ ଉପରେ ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ଗୁରୁତ୍ୱ ଦେଇଛନ୍ତି। ଭବିଷ୍ୟତର କାର୍ଯ୍ୟଶୈଳୀ ପାଇଁ ଆମର ଯୁବଶକ୍ତିଙ୍କୁ ନିଯୁକ୍ତିଦାତା ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନା ରହିଛି। ଆଗାମୀ ଦିନରେ ୨୦୪୭ ସୁଦ୍ଧା ବିଶ୍ୱର ଯୁବବର୍ଗଙ୍କ ସଂଖ୍ୟାରେ ୨୫ ପ୍ରତିଶତ ଯୁବବର୍ଗ ଭାରତର ରହିବ। ଆଗାମୀ ୨୫ ବର୍ଷର ଅମୃତ କାଳରେ ଡିଗ୍ରୀ ନୁହେଁ ଦକ୍ଷତା ଓ ସାମର୍ଥ୍ୟ ହିଁ ଗୁରୁତ୍ୱ ବହନ କରିବ। ତେଣୁ ଏହି ସମୟରେ ଆଗାମୀ ଦିନର କାର୍ଯ୍ୟଶୈଳିର ରୂପରେଖ ଅନୁସାରେ ଦେଶର ଯୁବ ସମ୍ବଳ ପ୍ରସ୍ତୁତ କରିବାକୁ ହେବ। ଏ ଦିଗରେ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ ବିଶେଷ ଭାବରେ ସହାୟକ ହେବ।

ଆଜି ସାରା ଦେଶ ଏବଂ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ସମୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ଜି-୨୦ର ପ୍ରେସିଡେନ୍ସି କରୁଛି ଏବଂ ଆମର କଥାବସ୍ତୁ “ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ” ସହ ଭାରତ ବିଶ୍ୱ କଲ୍ୟାଣରେ ବ୍ରତୀ ହୋଇଛି। ବସୁଧୈବ କୁଟୁମ୍ବକମ୍ ଆମର ମୂଳ ମନ୍ତ୍ର ରହି ଆସିଛି। ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ପ୍ରଚୁର ଖଣିଜ ସମ୍ପଦ, ମାନବ ସମ୍ବଳ, ସୁଦୀର୍ଘ ବେଳାଭୂମି ରହିଛି। ଏହି ମର୍ମରେ ଓଡ଼ିଶା ବିଶ୍ୱ ଦକ୍ଷତା ପରିସଂସ୍ଥାନରେ କିପରି ନିଜ ସ୍ଥାନ ନିରୁପଣ କରିବ ତାହା ଉପରେ ଚର୍ଚ୍ଚା ଆଲୋଚନା ହେବ। ଏକବିଂଶ ଶତାବ୍ଦୀରେ ରୋଜଗାର ଓ କାର୍ଯ୍ୟର ସ୍ୱଭାବ କଣ ରହିବ, ତା’ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।

ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଏବଂ ଟେକ୍ନୋଲୋଜିର ଯୁଗ ହେବ । ଭାରତ ମଧ୍ୟ ଭୌଗଳିକ ସ୍ଥିତି, ଜ୍ଞାନର ଭଣ୍ଡାର ସହ ସୃଜନଶୀଳ ସମ୍ବଳ, ସୁଦୃଢ ବଜାର ରହିଛି । ଏହା ମାଧ୍ୟମରେ ଭାରତ ଏକବିଂଶ ଶତାବ୍ଦୀରେ ସବୁ କ୍ଷମତାକୁ ଉପଯୋଗ କରି ବ୍ୟାପକ ପରିବର୍ତ୍ତନର ସାରଥୀ ହେବ । ଏକବିଂଶ ଶତାବ୍ଦୀରେ ଭାରତ ବିଶ୍ୱ ଆକାଂକ୍ଷାକୁ ପୂରଣ କରିବ । ଅଟୋମେସନ, ମେକାନାଇଜେସନ, ଡିଜିଟାଇଜେସନ ଏବଂ ଟେକ୍ନୋଲୋଜି କାର୍ଯ୍ୟ କରିବାର ପୁରୁଣା ପଦ୍ଧତିକୁ ପରିବର୍ତ୍ତନ କରୁଛି ଏବଂ ନୂଆ ନୂଆ ଚାକିରି ସୁଯୋଗ ସୃଷ୍ଟି କରୁଛି । ଏହାର ଅର୍ଥ ହେଉଛି ଆମକୁ ସବୁବେଳେ ସ୍କିଲ, ରି ସ୍କିଲ ଏବଂ ଅପ ସ୍କିଲର ଆବଶ୍ୟକତା ରହିଛି । କୋ-ଓ୍ୱିନ ଆପରେ ଟିକାକରଣ, ୟୁପିଆଇ ପେମେଣ୍ଟ ଭାରତର ଡିଜିଟାଲ କ୍ଷମତାର ଶକ୍ତିକୁ ଦର୍ଶାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୀତ ଜାତୀୟ ଶିକ୍ଷା ନୀତି ଏକ ଦସ୍ତାବିଜ ନୁହେଁ ବରଂ ବିଶ୍ୱ କଲ୍ୟାଣର ରୋଡମ୍ୟାପ୍ ବୋଲି ସେ କହିଛନ୍ତି ।

ଜି-୨୦ ଜନଭାଗିଦାରୀରେ ଓଡ଼ିଶାବାସୀଙ୍କ ଯୋଗଦାନ ଉତ୍ସାହପୂର୍ଣ୍ଣ । ଓଡ଼ିଶାର ମାସ ବ୍ୟାପୀ ଚାଲିଥିବା ଜି- ୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ୧ ଲକ୍ଷ ଯୁବକଙ୍କ ଅଂଶଗ୍ରହଣ ପ୍ରଶଂସନୀୟ । ଅକ୍ଷୟ ତୃତୀୟାର ପବିତ୍ର ଅବସରରେ ଶିଳ୍ପସମୂହ, ଶିକ୍ଷାନୁଷ୍ଠାନ, ଷ୍ଟର୍ଟଅପ୍ ପରିସଂସ୍ଥାନ ଏବଂ ଷ୍ଟେକହୋଲ୍ଡର ଜି-୨୦ ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ଫ୍ରେମଓ୍ୱାର୍କରେ ସାମିଲ ହୋଇ ଭାରତକୁ ବିଶ୍ୱ ମାନବ ସମ୍ବଳର ପେଣ୍ଠସ୍ଥଳୀ କରିବା ପାଇଁ ଆହ୍ୱାନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ଶିକ୍ଷା, ସ୍ୱାସ୍ଥ୍ୟ, ମୋବିଲିଟି, ମେଟାଭର୍ସ, ରିଭର୍ସ ଇଞ୍ଜିନିୟରିଂ, ଡ୍ରୋନ ଟେକ୍ନୋଲୋଜି ସହ ହସ୍ତତନ୍ତ, ଓଡ଼ିଆ ଭାସ୍କର୍ଯ୍ୟ, କଳା ସଂସ୍କୃତି, ପାଶ୍ଚାତ୍ୟ ପଢ଼ା ଶୈଳୀକୁ ନେଇ ବିଭିନ୍ନ ସାମଗ୍ରୀକୁ ବୁଲି ଦେଖିଥିଲେ । ସେ କହିଥିଲେ ଏହି ପ୍ରଦର୍ଶନୀ ଡିଜିଟାଲ ନବସୃଜନରେ ଆସିଥିବା ବ୍ୟାପକ ପରିବର୍ତ୍ତନ ଓ ବିଶ୍ୱର ପୁନଃକାର୍ଯ୍ୟଶୈଳୀର ପ୍ରତଫଳନ । ଜି-୨୦ ଭବିଷ୍ୟତର ଆଧୁନିକ କାର୍ଯ୍ୟଶୈଳୀ, କୌଶଳ ଏବଂ ଭବିଷ୍ୟତର ରୋଜଗାର ସହ ଉଭା ହେଉଥିବା ଶିକ୍ଷା ଆହରଣ, ଦକ୍ଷତା ଏବଂ ନିଯୁକ୍ତି ଦୃଶ୍ୟପଟ୍ଟର ଏକ ଝଲକ ।

ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ କ୍ଷେତ୍ରର ଅନେକ ବ୍ୟକ୍ତି ବିଶେଷ ଏବଂ ଆଇଆଇଟି, ଭୁବନେଶ୍ୱର, ଏନଆଇଟି, ରାଉରକେଲା, ଆଇଆଇଏମ, ସମ୍ବଲପୁର ଆଇଜର, ନାଇଜର ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।

—————–

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜି-୨୦ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ସମ୍ମିଳନୀ ଅଧୀନରେ ବିଶେଷ ପ୍ରଦର୍ଶନୀ ଆୟୋଜନ କରିବ କେନ୍ଦ୍ର

ନୂଆଦିଲ୍ଲୀ: ଭାରତର ଜି-୨୦ ଅଧ୍ୟକ୍ଷତା ଅଧୀନରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଜି୨୦ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ। ଏହି ଅବସରରେ ଏପ୍ରିଲ ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଏକ ବିଶେଷ ପ୍ରଦର୍ଶନୀ ଆୟୋଜନ କରାଯିବ। କାର୍ଯ୍ୟର ଭବିଷ୍ୟତ ବିଷୟବସ୍ତୁ ଉପରେ ଏହି ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଏମଏମଟି) ପରିସରରେ ଅନୁଷ୍ଠିତ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଅଧୀନରେ ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବା ସହିତ ପ୍ରଯୁକ୍ତି ଆଧାରିତ ଅଧ୍ୟୟନକୁ ଅଧିକ ଗୁଣାତ୍ମକ କରିବା ଏବଂ କାର୍ଯ୍ୟର ଭବିଷ୍ୟତ ପରିଦୃଶ୍ୟରେ କ୍ଷମତା ନିର୍ମାଣ କରିବାର ଯାତ୍ରାରେ ଆଗକୁ ବଢ଼ୁଛି। ଏହି କ୍ରମରେ ଆୟୋଜିତ ହେବାକୁ ଥିବା ପ୍ରଦର୍ଶନୀକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବେ। ଏହା ପ୍ରଯୁକ୍ତି ନେତୃବର୍ଗ, ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଏବଂ ଶିକ୍ଷାବିତ୍‌ମାନଙ୍କ ପାଇଁ ଏକ ଅଭିନବ ପ୍ଲାଟଫର୍ମ ରୂପରେ କାର୍ଯ୍ୟ କରିବ।

ଏହି ପ୍ରଦର୍ଶନୀରେ ବିଭିନ୍ନ କ୍ଷେତ୍ରର ଅଂଶଗ୍ରହଣକାରୀମାନେ ଯୋଗ ଦେବେ। କାର୍ଯ୍ୟର ଭବିଷ୍ୟତକୁ ପରିଚାଳିତ କରିବାକୁ ଥିବା ପ୍ରଯୁକ୍ତି, ଆଧୁନିକ କାର୍ଯ୍ୟସ୍ଥଳୀରେ ନିରନ୍ତର ନବସୃଜନ, ପାରମ୍ପରିକ ହସ୍ତଶିଳ୍ପରେ ପ୍ରଯୁକ୍ତିର ଅନ୍ତର୍ଭୂକ୍ତିକରଣ, ଭବିଷ୍ୟତର କୌଶଳ ଏବଂ ଅଭିନବ ବିତରଣ ମଡେଲ ଆଦି ଏଠାରେ ପ୍ରଦର୍ଶିତ ହେବ। ଏପ୍ରିଲ ୨୬ ତାରିଖରେ କେବଳ ଜି୨୦ ପ୍ରତିନିଧିମାନେ ପ୍ରଦର୍ଶନୀ ବୁଲି ଦେଖିପାରିବେ।

ପ୍ରଦର୍ଶନୀ ସମୟରେ ଭାରତ ଏବଂ ଜି୨୦ ସଦସ୍ୟ ରାଷ୍ଟ୍ରର ୧୦୦ରୁ ଅଧିକ ପ୍ରଦର୍ଶନକାରୀ ସେମାନଙ୍କର ଉତ୍ପାଦ, ପ୍ରକାଶନୀ, କଳାକୃତି ଏବଂ ଅନ୍ୟାନ୍ୟ ପ୍ରଚାରଧର୍ମୀ ସାମଗ୍ରୀ ପରିଦର୍ଶକମାନଙ୍କୁ ପ୍ରଦର୍ଶନ କରିବେ । ବିଶେଷ କରି ନୂଆ ଯୁଗର ଉତ୍ପାଦ/ପ୍ରଯୁକ୍ତି ଯୋଗାଇ ଦେଉଥିବା ସଂଗଠନ, ପ୍ରଯୁକ୍ତିକୁ ଗ୍ରହଣ କରିଥିବା ପାରମ୍ପରିକ ହସ୍ତଶିଳ୍ପ କ୍ଷେତ୍ରର କମ୍ପାନୀ, ଭବିଷ୍ୟତର କୌଶଳ ଓ ଶିକ୍ଷା ଯୋଗାଇ ଦେଉଥିବା ପ୍ରତିଷ୍ଠାନ ଓ ଚିନ୍ତାନାୟକମାନେ ପ୍ରଦର୍ଶକ ଭାବେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ।

ଏହି କାର୍ଯ୍ୟକ୍ରମରେ ଜି୨୦ ସଦସ୍ୟ ରାଷ୍ଟ୍ରମାନଙ୍କର ପ୍ରତିନିଧି, ବିଭିନ୍ନ ମନ୍ତ୍ରଣାଳୟ ଓ ସଂଗଠନର ପ୍ରତିନିଧି, କୌଶଳ ବିକାଶ ବିଶ୍ୱବିଦ୍ୟାଳୟ ସମେତ କୌଶଳ ଇକୋସିଷ୍ଟମରେ ଥିବା ପ୍ରମୁଖ ଅଂଶୀଦାର ଓ ଶିଳ୍ପ ବିଶେଷଜ୍ଞମାନଙ୍କ ଭଳି ବିଶିଷ୍ଟ ପାନେଲ ବିଶେଷଜ୍ଞମାନେ ଅଂଶଗ୍ରହଣ କରିବେ। ଅଧିକନ୍ତୁ, ପ୍ରଦର୍ଶନକାରୀମାନେ କୃଷି, ଅଟୋମୋଟିଭ, ଖୁଚୁରା ବ୍ୟବସାୟ, ସ୍ୱାସ୍ଥ୍ୟସେବା, ଗଣମାଧ୍ୟମ ଏବଂ ଆହୁରି ଅନେକ ପ୍ରାଥମିକତା କ୍ଷେତ୍ରରେ ପ୍ରଯୁକ୍ତିର ପ୍ରଭାବକୁ ପ୍ରଦର୍ଶିତ କରିବେ।

ପ୍ରଦଶର୍ନୀ ସମୟରେ ପରିଦର୍ଶକମାନେ ନିମ୍ନ ମୁଖ୍ୟ ଦିଗଗୁଡ଼ିକର ଅଂଶବିଶେଷ. ହେବାର ସୁଯୋଗ ପାଇପାରିବେ:

୧- କୃଷି, ପରିବହନ ଓ ସ୍ୱାସ୍ଥ୍ୟସେବା ଆଦି ୩ଟି କ୍ଷେତ୍ର ଉପରେ ପ୍ରାଥମିକତା ଦେଇ କାର୍ଯ୍ୟର ଭବିଷ୍ୟତ ଉପରେ ପ୍ରଦର୍ଶନୀ ଆୟୋଜନ କରାଯିବ। ଏଥିସହିତ ଇମର୍ସିଭ ଟେକ୍ନୋଲୋଜି, ଇଣ୍ଟରଆକ୍ଟିଭ ୱାଲ୍ସ, ହୋଲୋଗ୍ରାଫିକ୍‌ ଡିସପ୍ଲେ ଆଦି ବ୍ୟବହାର କୌଶଳର ଭବିଷ୍ୟତ ଉପରେ ମଧ୍ୟ ପ୍ରଦର୍ଶନୀ ଆୟୋଜନ କରାଯିବ।

୨- ମେଟାଭର୍ସ – ଏଆର/ଭିଆର ଆଧାରତ ସମାଧାନ ଓ ଅନୁଭୂତି।

୩- ରିଭର୍ସ ଇଞ୍ଜିନିଅରିଂ ଏବଂ ସ୍ୱୟଂଚାଳିତ ଡିଜାଇନ ସମାଧାନ ଡିସପ୍ଲେ

୪- ଲାଇଭ୍‌ ଡେମୋ ସହିତ ଡ୍ରୋନ ପ୍ରଯୁକ୍ତି

୫- ଏଆର/ଭିଆର ଉପଯୋଗ କରି ଏଡ୍‌-ଟେକ୍‌ ସମାଧାନ ଏବଂ ପ୍ରୟୋଗାତ୍ମକ ଅଧ୍ୟୟନ ଉତ୍ପାଦ ଡେମା ଓ ସମୃଦ୍ଧ ଐତିହ୍ୟ ପ୍ରଦର୍ଶନ କରୁଥିବା ଥ୍ରୀଡି ମଡେଲ, ଏଜିଭିସି ଡେମୋ ଆଦି

୬- ଶିଳ୍ପ କୌଶଳ ପାଇଁ ପ୍ରୟୋଗାତ୍ମକ ଏବଂ କାର୍ଯ୍ୟ ଅଧ୍ୟୟନ ପରୀକ୍ଷାଗାର

୭- ଭର୍ଣ୍ଣାକୁଲର ଅଧ୍ୟୟନ ଆଧାରିତ ପ୍ରଯୁକ୍ତି ସମାଧାନ, ଭର୍ଚୁଆଲ ଇଣ୍ଟର୍ଣ୍ଣସିପ ସମାଧାନ, ଇମର୍ସିଭ୍‌ ଟେକ୍‌ ଅଧ୍ୟୟନ ସମାଧାନ

୮- ସହାୟକ ପ୍ରଯୁକ୍ତି ନବସୃଜନର ଲାଇଭ୍‌ ଡେମୋ ସହିତ ଅନ୍ତର୍ଭୂକ୍ତିକରଣ ପାଇଁ ସହାୟକ ପ୍ରଯୁକ୍ତି ଓ ଟାକ୍ଟାଇଲ୍‌ ଡିସପ୍ଲେ

ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ପ୍ରଦର୍ଶନୀ ସହିତ ଏକ ଅଭିନବ କାର୍ଯ୍ୟର ଭବିଷ୍ୟତ ଅନୁଭୂତି ଜୋନ୍‌ ପ୍ରତିଷ୍ଠାନ କରାଯାଉଛି। ଏହି ଜୋନରେ ଯୁବକମାନଙ୍କ ପାଇଁ କାର୍ଯ୍ୟର ଭବିଷ୍ୟତ ଆଗକୁ କିଭଳି ପରିବର୍ତ୍ତନ ହେବ ସେ ସମ୍ପର୍କରେ ପ୍ରଦର୍ଶନୀ ଆୟୋଜନ କରାଯିବ। ବଜାରରେ ପ୍ରାସଙ୍ଗିକ ରହିବାକୁ ହେଲେ ଆବଶ୍ୟକ ଆଧୁନିକ ବୈଷୟିକ କୌଶଳ ଏବଂ କୋମଳ ହସ୍ତାନ୍ତରଯୋଗ୍ୟ କୌଶଳ ସମ୍ପର୍କରେ ଏହି ଜୋନରେ ଯୁବବର୍ଗଙ୍କୁ ସୂଚନା ମିଳିପାରିବ। ହୋଲୋଗ୍ରାମ, ଇଣ୍ଟରଆକ୍ଟିଭ ସଫେର୍ସ ଟେବୁଲ ଏବଂ ଇଣ୍ଟରଆକ୍ଟିଭ ୱାଲ୍‌ ଭଳି ଆଧୁନିକ ପ୍ରଯୁକ୍ତି ବ୍ୟବହାର କରାଯାଇ ଏହି ଜୋନରେ କାର୍ଯ୍ୟର ଭବିଷ୍ୟତକୁ ପ୍ରଦର୍ଶିତ କରାଯିବ ଯାହା ଦର୍ଶକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବାନ୍ଧି ରଖିବ। ବିଭିନ୍ନ କ୍ଷେତ୍ରରେ ଅଟୋମେସନ ଏବଂ ଡିଜିଟାଇଜେସନ ଦ୍ୱାରା କାର୍ଯ୍ୟ ପଦ୍ଧତି କିଭଳି ବଦଳୁଛି ତାହା ଦର୍ଶକମାନେ ଏଠାରେ ଜାଣିବାକୁ ପାଇପାରିବେ।

ଶିକ୍ଷା ଓ ଦକ୍ଷତା ବିକାଶ ଇକୋସିଷ୍ଟମକୁ ବଢ଼ାଇବା ଦୃଷ୍ଟିରୁ ଏହି ପ୍ରଦର୍ଶନୀରେ ପରିବର୍ତ୍ତନକୁ ଗତିକୁ ପ୍ରଦର୍ଶିତ କରାଯିବ ଏବଂ ଏହା ଅପସ୍କିଲିଂ ଓ ରି-ସ୍କିଲିଂର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବ। ଭବିଷ୍ୟତର କାର୍ଯ୍ୟଶକ୍ତିରେ ଦକ୍ଷତାପୂର୍ଣ୍ଣ ଭାବେ ମୌଳିକ ଦକ୍ଷତା ବିକାଶ ନିର୍ମାଣ କରିବାର ଆବଶ୍ୟକତା ଉପରେ ଧ୍ୟାନ ଦେଇ ଏହି ପ୍ରଦର୍ଶନୀ ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଗକୁ ଆଣିବ।

ସଂସ୍କାରକୁ ପ୍ରାଥମିକତା ଦେବା, ଅଧ୍ୟୟନର ପୁନଃପରିକଳ୍ପନା ଏବଂ ପ୍ରତିଭାକୁ ପୁନଃପରିଭାଷିତ କରିବା ଲାଗି ପ୍ରଗତିଶୀଳ କାର୍ଯ୍ୟର ଭବିଷ୍ୟତକୁ ପ୍ରାସଙ୍ଗିକ କରିବା ଲାଗି ଶିକ୍ଷା ଜଗତ, ସରକାର ଓ ଶିଳ୍ପ କ୍ଷେତ୍ରର ପ୍ରତିନିଧିତ୍ୱ କରୁଥିବା ବିଶ୍ୱସ୍ତରର ଅଂଶୀଦାରମାନଙ୍କୁ ଏକ ସାଧାରଣ ମଞ୍ଚ ଯୋଗାଇ ଦେବା ଜି୨୦ ଶିଖର ସମ୍ମିଳନୀର ଲକ୍ଷ୍ୟ। କାର୍ଯ୍ୟକ୍ରମରେ ଯୋଜନାବଦ୍ଧ ଅଧିବେଶନ ଏବଂ କର୍ମଶାଳା ମୌଳିକ ଦକ୍ଷତା ବିକାଶକୁ ମଜବୁତ କରିବା ଏବଂ ଆଜୀବନ ଶିକ୍ଷାଗ୍ରହଣକୁ ପ୍ରୋତ୍ସାହନ ଦେବା ଲାଗି କ୍ଷମତା ନିର୍ମାଣ ଲାଗି ଅନେକ ବିଷୟରେ ନୀତି ଓ ପ୍ରଥାକୁ ଚିହ୍ନଟ କରିବାରେ ସହାୟତା କରିବ, ଏହା ଏକ ଦକ୍ଷତା ବିକାଶ ଇକୋସିଷ୍ଟମ ପ୍ରତିଷ୍ଠା କରିବ ଯାହାକି କାର୍ଯ୍ୟର ଏକ ନିରନ୍ତର, ସନ୍ତୁଳିତ ଓ ସମାବେଶୀ ଦୁନିଆ ନିର୍ମାଣ କରିପାରିବ।

Categories
ଆଜିର ଖବର ରାଜ୍ୟ ଖବର

ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ “ଜୟ ଭାରତ ସତ୍ୟାଗ୍ରହ” ଓ ବିକ୍ଷୋଭ

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶଙ୍କ ସଭାପତିତ୍ୱରେ ଆଜି
ଭୁବନେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ “ଜୟ ଭାରତ ସତ୍ୟାଗ୍ରହ” ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ମନ୍ତ୍ରୀ ଏବଂ ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ ପର୍ଯ୍ୟବେକ୍ଷକ ହିସାବରେ ଅଂଶଗ୍ରହଣ କରିଥିଲେ।

ଶ୍ରୀ ହରିଚନ୍ଦନ କେନ୍ଦ୍ର ସରକାରଙ୍କର ଦେଶବିରୋଧି, ସମ୍ବିଧାନ ବିରୋଧି ଓ ଗଣତନ୍ତ୍ର ବିରୋଧି କାର୍ଯ୍ୟକଳାପକୁ ଘୋର ନିନ୍ଦା କରିବା ସହିତ ତିରସ୍କାର କରିଥିଲେ।

ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଜୟଦେବ ଜେନା, ସୁଜିତ ପ୍ରଧାନ, ସାଧାରଣ ସଂପାଦକ ସମାଜବାଦୀ ପାର୍ଟି, କିଶୋର ଜେନା, ମନୋରଞ୍ଜନ ଦାଶ, ନବଜ୍ୟୋତି ପଟ୍ଟନାୟକ, ସାମାଜିକ କର୍ମୀ ଦେବୀ ପୃଷ୍ଟି, ଜାନକୀ ପଟ୍ଟନାୟକ, ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ତରୁଣ ମିଶ୍ର, ରସିକ ପଟ୍ଟନାୟକ, ଅଶୋକ ଦାସ, ଆଶିଷ ମଲ୍ଲିକ, ପ୍ରଶନ୍ନ ନାୟକ, ରାଜକିଶୋର ବାରିକ, ଗୀତାଞ୍ଜଳି ମହାନ୍ତି, ରଶ୍ମି ମହାପାତ୍ର, କୁସୁମ ପ୍ରଧାନ, ମିନତୀ ସାହୁ, ମାମିନା ବେହେରା, ଚୈତଳା ପଟ୍ଟନାୟକ, ମଧୁମିତା ଆଚାର୍ଯ୍ୟ, ପ୍ରଦୀପ ମହାପାତ୍ର, ଆଲୋକ ମହାନ୍ତି, ପ୍ରଭାତ ପ୍ରତାପ ସିଂ, ଅମିୟ ପାଣ୍ଡବ, ପ୍ରକାଶ ମିଶ୍ର, ଅକ୍ଷୟ ଦାସ, ଶ୍ରୀଧର ବଳିଆରସିଂ, ବ୍ରହ୍ମାନନ୍ଦ ସାହୁ, ସୁବ୍ରତ ସେନାପତି, ଅନୁୱର ଖାନ, ଉଦିତ ପ୍ରଧାନ, ସାଗର ପରିଡ଼ା, ସୁଶାନ୍ତ ତ୍ରିପାଠୀ, ସମୀର କୁମାର ରାଉତ, ସୌମେନ୍ଦ୍ର ମହାନ୍ତି, ମଂଟୁ ମଲ୍ଲିକ, ସ୍ପନ୍ଦନ ସ୍ୱାଇଁ, ଖଗେଶ୍ୱର ମଲ୍ଲିକ, ସୁରଜ ରାଉତ, ଅନିଲ କୁମାର ଦାସ, ମାନସ ସେଠୀ, ଜିତେନ୍ଦ୍ର ବିଶ୍ୱାଳ, କୁଳମଣି ସାହୁ, ରଞ୍ଜିତ ସେନାପତି, ଏସ୍‌କେ ତାକୱିନ, ଏମଡି ସାହାଦୁଲ୍ଲା, ରଞ୍ଜନ କୁମାର ଭୋଇ, ବସନ୍ତ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Categories
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭୁବନେଶ୍ୱରରେ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ଡୁମୁଡୁମାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଆଦର୍ଶ ମହିଳା ଭେଣ୍ଡିଂ ଜୋନ ଉଦ୍‌ଘାଟିତ ହୋଇଯାଇଛି।

ଏହି ଭେଣ୍ଡିଂ ଜୋନ୍ ରେ ୪୨ ଟି ଦୋକାନ ଘର ରହିଛି। ଏହି ଜୋନ୍ ର ପରିବେଶକୁ ଅତ୍ୟାଧୁନିକ ରୂପ ଦିଆଯାଇଛି। ସୁନ୍ଦର ଆଲୋକ ଓ ପାନୀୟ ଜଳ ର ବ୍ୟବସ୍ଥା ସହ ଶୌଚାଳୟର ସୁବିଧା ମଧ୍ୟ କରାଯାଇଛି।

ବି.ଏମ୍.ସି. ପକ୍ଷରୁ ନିର୍ମିତ ଏହି ଭେଣ୍ଡିଂ ଜୋନ ଉଦ୍‌ଘାଟନ ଉତ୍ସବରେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସ ଓ କର୍ପୋରେଟର ମାନେ ଉପସ୍ଥିତ ଥିଲେ।