Categories
ଆଞ୍ଚଳିକ

ଚିଲିକା: ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କଲା ବିଜେପି

ସିତରାମ ଅଗ୍ରୱାଲ

ଚିଲିକା: ସର୍ବଭାରତୀୟ ସ୍ତରରେ ଏପ୍ରିଲ ୨୪ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି। ହେଲେ ଏହାକୁ ନେଇ ବିଜେପି ପକ୍ଷରୁ କଡା ସମାଲୋଚନା କରାଯାଇଛି। ଓଡ଼ିଶାରେ ବିଜେଡି ସରକାର ମାର୍ଚ୍ଚ ୫ ତାରିଖରେ ଏହାକୁ ପାଳନ କରିବା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେପି କହିଛି।

ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପରିବର୍ତ୍ତେ ଦୁର୍ବଳ କରୁଛନ୍ତି ରାଜ୍ୟ ସରକାର। ତେଣୁ ଆଜି ରାଜ୍ୟ ସରକାରଙ୍କ ତରଫରୁ ପାଳନ କରାଯାଉଥିବା ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ବିଜେପି ପାଳନ କରିଛି। ଦଳର ନିଷ୍ପତିକ୍ରମେ ସମସ୍ତ ୩୧୪ଟି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କାର୍ଯ୍ୟକର୍ତ୍ତାମାନେ ହାତରେ କଳା ପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନମଣ୍ଡଳୀର ଉଭୟ ବାଣପୁର ଓ ଚିଲିକା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି। ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନଙ୍କ ନେତୃତ୍ୱରେ ଉଭୟ ସ୍ଥାନରେ ବହୁ କର୍ମୀ ହାତରେ କଳା ପଟା ବାନ୍ଧି ଏକ ପଦଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବିଜେପି କର୍ମୀମାନେ ପ୍ରବଳ ବର୍ଷୀଥିଲେ।

ଅତୀତରେ ପଞ୍ଚାୟତ ତଥା ଗ୍ରାମାଞ୍ଚଳର ଉନ୍ନତିକରଣ ଓ ବିକାଶ ପାଇଁ ପଲ୍ଲୀସଭା ଓ ଗ୍ରାମସଭା କରାଯାଇ ସାଧାରଣ ଗ୍ରାମବାସୀଙ୍କ ମତ ନିଅଯାଉଥିଲା। କିନ୍ତୁ ଏବେ ଶାସକ ଦଳର ବିଧାୟକ ଓ ନେତାମାନେ ନିଷ୍ପତ୍ତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କହିଥିଲେ ଶ୍ରୀ ହରିଚନ୍ଦନ।

ଉକ୍ତ ବିକ୍ଷୋଭ ପ୍ରଦର୍ଶନରେ ବିଜେପି ନେତା ଅମରେନ୍ଦ୍ର ରଣସିଂହ, ଜ୍ୟୋସ୍ନା ବେହେରା, ଅରୁଣ ପଟ୍ଟନାୟକ, ଯୁବ ବିଜେପି ସଂଗଠକ ଜିତେନ୍ଦ୍ର ଭୋଳ, ସମର ରଞ୍ଜନ ସୁବୁଦ୍ଧି ଏବଂ ବହୁ ବିଜେପି ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ କର୍ମକର୍ତା ମାନେ ସାମିଲ ଥିଲେ। ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ଉଭୟ ବ୍ଲକ ସମ୍ମୁଖରେ ବ୍ୟାପକ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା।