Categories
ଆଞ୍ଚଳିକ

ଚିଲିକା: ଜାଣନ୍ତୁ ଆଜିର କୋଭିଡ ଅପଡେଟ, ଏହି ସବୁ ଅଞ୍ଚଳ ହେଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୫୯ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୨୨ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୮ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୩୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୯ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ଜଣେ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୧୧ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୬୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୯ ଜଣ, ଚିଲିକା ବ୍ଲକରେ ୧୨୯ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୪୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

କରୋନା ସଂକ୍ରମଣକୁ ଦେଖି ଆଜି ତା ୨୩ ମଇରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ବାଣପୁର ବ୍ଲକର ଏକାଧିକ ଅଞ୍ଚଳକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ସେଗୁଡିକ ହେଲା: 

ଗାଲୁଆ ଗ୍ରାମପଞ୍ଚାୟତ ଭୀମପୁର ଗ୍ରାମର ଲକ୍ଷ୍ମୀଧର ସାହୁଙ୍କ ଘର ଠାରୁ ଭବାନୀ ଶଙ୍କର ସାହୁଙ୍କ ଘର ପର୍ଯ୍ୟନ୍ତ ଏବଂ ପ୍ରମୋଦିନୀ ବେହେରାଙ୍କ ଘର ଠାରୁ ଲୋକନାଥ ଦାସଙ୍କ ଘର ପର୍ଯ୍ୟନ୍ତ

ଦେଓଗାଁ ଗ୍ରାମ ପଞ୍ଚାୟତ ଘାସେଡିହ ଗ୍ରାମର ବସନ୍ତ ସାମନ୍ତରାୟଙ୍କ ଘର ଠାରୁ ହରିହର ସାହୁଙ୍କ ଘର ପର୍ଯ୍ୟନ୍ତ

ଆୟତପୁର ଗ୍ରାମ ପଞ୍ଚାୟତ ଆୟତ୍ତପୁର ଗ୍ରାମର ଗଦେଶ୍ୱର ମନ୍ଦିରଠାରୁ ଦୁର୍ଯ୍ୟୋଧନ ବେହେରାଙ୍କ ଘର ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ।

ତେବେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ ଟୀକାକରଣ ପ୍ରକ୍ରିୟା ଚାଲୁ ରହିବ। ବାଣପୁର, ଗମ୍ଭାରୀମୁଣ୍ଡା, ସୁନାଖେଳା ଏବଂ ନୀଳାଦ୍ରିପ୍ରସାଦରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ୧୦୦ ଜଣଙ୍କୁ ପ୍ରଥମ ଡୋଜ ଦିଆଯିବାକୁ ଥିବାବେଳେ ବାଲୁଗାଁ ଉଚ୍ଚ ବିଦ୍ୟାଳୟ, ନଈରୀ ଏବଂ ଜରିପଡ଼ାରେ ୪୫ ବର୍ଷରୁ ଊର୍ଦ୍ଧ୍ଵ ୧୦୦ ଜଣଙ୍କୁ ପ୍ରଥମ ଡୋଜ ଦିଆଯିବ।

ଉଲ୍ଲେଖ ଯୋଗ୍ୟ ଯେ, ସାମ୍ଭାବ୍ୟ ବାତ୍ୟାକୁ ନେଇ ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ଟୀକାକରଣ ବନ୍ଦ ରହିବ ବୋଲି ଘୋଷଣା ହୋଇଥିଲା। କିନ୍ତୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବୈଠକ ପରେ ଆସନ୍ତାକାଲି ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ଟୀକାକରଣ ହେବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ସଙ୍ଗୀନ ହେଉଛି ଚିଲିକାରେ କରୋନା ସ୍ଥିତି: ବାଣପୁର ଏନଏସିର ଏହି ଅଞ୍ଚଳକୁ କରାଗଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଛି। ଆଜି ଚିଲିକାରେ ମୋଟ ୫୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ବାଣପୁରରୁ ୩୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲୁଗାଁ-ଚିଲିକାରୁ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନର ଆପ୍ରାଣ ଉଦ୍ୟମ ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ ଲାଗିପାରୁନି। ତେବେ ଟେଷ୍ଟିଙ୍ଗ, ଟ୍ରେସିଂ ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବା ସହ ପ୍ରବାସୀମାନଙ୍କୁ ଚି଼ହ୍ନଟ କରି ସେମାନଙ୍କ ଟେଷ୍ଟିଙ୍ଗ କରିବା ଅପରିହାର୍ଯ୍ୟ ହୋଇପଡିଛି।

ଅନୁରୂପ ଭାବେ ଗତକାଲି ବାଣପୁର ଏନଏସି ଅନ୍ତର୍ଗତ ୧୫ ନମ୍ବର ୱାର୍ଡ କୋଟବିଦ୍ୟାଧରପୁର ଗ୍ରାମରୁ ୨ ଜଣ ପଜିଟିଭ ଚି଼ହ୍ନଟ ହେବାପରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଉକ୍ତ ୱାର୍ଡର ତ୍ରିନାଥ ସାହୁଙ୍କ ଘର ଠାରୁ ସୂର୍ଯ୍ୟନାରାୟଣ ଷଡ଼ଙ୍ଗୀଙ୍କ ଘର ପର୍ଯ୍ୟନ୍ତ(୨୨ଟି ଘର) ଆସନ୍ତା ୨୮ ମଇ ରାତି ୯ ଘଟିକା ଯାଏଁ କଟକଣା ବଳବତ୍ତର ରହିବ।

ଆଜି ଏନଏସି ପକ୍ଷରୁ ଉକ୍ତ ୱାର୍ଡକୁ ବିଶୋଧିତ କରାଯାଇଛି। ଅଙ୍ଗନବାଡି କର୍ମୀ ଶିବାନୀ ବାରିକ ଏବଂ ସ୍ଵଚ୍ଛସାଥି କାବେରୀ ଷଡ଼ଙ୍ଗୀ ଓ ମିତା ବାରିକ ଏହାକୁ ପରିଚାଳନା କରିଥିବାବେଳେ ଉକ୍ତ ୱାର୍ଡରେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବଣ୍ଟନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଲେଶ୍ଵର ଇମାମୀ ପେପର ମିଲରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

ବାଲେଶ୍ଵର: ଆଜି ବାଲେଶ୍ବରରୁ ୧୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ କେବଳ ଇମାମୀ ପେପର ମିଲରୁ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଏହି ପେପର ମିଲରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୦୧ ଜଣ ଚିହ୍ନଟ ହୋଇଛନ୍ତି।

ତେବେ ଇମାମୀର ଏକ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଏହି ମିଲର ୩ ଟି ୟୁନିଟ ମଧ୍ୟରୁ ଗୋଟିଏ ୟୁନିଟକୁ ପ୍ରଶାସନ ବନ୍ଦ କରିଛି। ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧକାରୀ ଦୁଲାଲସେନ ଜଗଦ୍ଦେବ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜଧାନୀରେ ଏନ୍‌ଫୋର୍ସମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଦିଆଯାଉଛି ଗୁରୁତ୍ୱ: ବିଏମସି କମିଶନର

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହୁଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବିଏମସି ଅଞ୍ଚଳରୁ କ୍ରମାଗତ ଭାବେ ୧୦୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥିତିରେ ଏନ୍‌ଫୋର୍ସମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

ଏବେ ରାତ୍ରୀକାଳୀନ କର୍ଫ୍ୟୁ କିମ୍ବା ଲକଡାଉନ କଟକଣା ଉପରେ ଚିନ୍ତା କରାଯାଉନାହିଁ। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନ ଆକ୍ରାନ୍ତ ହେଉଥିବାରୁ ହଷ୍ଟେଲ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ କାର୍ଯ୍ଯାଳୟରେ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଲଗାଯାଇଛି।

ସଂକ୍ରମଣକୁ ରୋକିବା ଦିଗରେ ବିଏମସି କାର୍ଯ୍ୟ କରିବା ସହ ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରୁଛି। ସେଥିପାଇଁ ଭୁବନେଶ୍ଵରସ୍ଥିତ ସମ ହସ୍ପିଟାଲର ଶଯ୍ୟା ସଂଖ୍ୟାରେ ବୃଦ୍ଧି କରାଯାଇଛି। ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରାଯାଇଛି ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।