ସଙ୍ଗୀନ ହେଉଛି ଚିଲିକାରେ କରୋନା ସ୍ଥିତି: ବାଣପୁର ଏନଏସିର ଏହି ଅଞ୍ଚଳକୁ କରାଗଲା କଣ୍ଟେନମେଣ୍ଟ

Published: May 20, 2021, 1:45 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଛି। ଆଜି ଚିଲିକାରେ ମୋଟ ୫୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ବାଣପୁରରୁ ୩୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲୁଗାଁ-ଚିଲିକାରୁ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନର ଆପ୍ରାଣ ଉଦ୍ୟମ ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ ଲାଗିପାରୁନି। ତେବେ ଟେଷ୍ଟିଙ୍ଗ, ଟ୍ରେସିଂ ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବା ସହ ପ୍ରବାସୀମାନଙ୍କୁ ଚି଼ହ୍ନଟ କରି ସେମାନଙ୍କ ଟେଷ୍ଟିଙ୍ଗ କରିବା ଅପରିହାର୍ଯ୍ୟ ହୋଇପଡିଛି।

ଅନୁରୂପ ଭାବେ ଗତକାଲି ବାଣପୁର ଏନଏସି ଅନ୍ତର୍ଗତ ୧୫ ନମ୍ବର ୱାର୍ଡ କୋଟବିଦ୍ୟାଧରପୁର ଗ୍ରାମରୁ ୨ ଜଣ ପଜିଟିଭ ଚି଼ହ୍ନଟ ହେବାପରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଉକ୍ତ ୱାର୍ଡର ତ୍ରିନାଥ ସାହୁଙ୍କ ଘର ଠାରୁ ସୂର୍ଯ୍ୟନାରାୟଣ ଷଡ଼ଙ୍ଗୀଙ୍କ ଘର ପର୍ଯ୍ୟନ୍ତ(୨୨ଟି ଘର) ଆସନ୍ତା ୨୮ ମଇ ରାତି ୯ ଘଟିକା ଯାଏଁ କଟକଣା ବଳବତ୍ତର ରହିବ।

ଆଜି ଏନଏସି ପକ୍ଷରୁ ଉକ୍ତ ୱାର୍ଡକୁ ବିଶୋଧିତ କରାଯାଇଛି। ଅଙ୍ଗନବାଡି କର୍ମୀ ଶିବାନୀ ବାରିକ ଏବଂ ସ୍ଵଚ୍ଛସାଥି କାବେରୀ ଷଡ଼ଙ୍ଗୀ ଓ ମିତା ବାରିକ ଏହାକୁ ପରିଚାଳନା କରିଥିବାବେଳେ ଉକ୍ତ ୱାର୍ଡରେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବଣ୍ଟନ କରିଥିଲେ।

Related posts