Categories
ଆଞ୍ଚଳିକ

ନାଚୁଣୀ ବାଇପାସରୁ ଜବତ ହେଲା ତିନୋଟି ବେଆଇନ ମାଙ୍କଡ଼ାପଥର ବୋଝେଇ ଟ୍ରକ

ସୀତାରାମ ଅଗ୍ରୱାଲ 

ନାଚୁଣୀ: ଲକ ଡାଉନ କଟକଣାକୁ ମାନି ଲୋକେ ନିଜେ ଘରେ ରହୁଥିବାସ୍ଥଳେ କେତେଜଣ ଅସାଧୁ ବ୍ୟକ୍ତି ନିଜ ନିଜର ବେଆଇନ କାରବାର ବଢାଇ ଚାଲିଛନ୍ତି। କିନ୍ତୁ ସେମାନଙ୍କୁ କଡା ଜବାବ ଦେବାପାଇଁ କରୋନା ଯୋଦ୍ଧା ମାନେ ଦିନ ରାତି ଉଜାଗର ରହି ସେମାନଙ୍କ ଉପରେ ନଜର ରଖିଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ଅଞ୍ଚଳରେ।

ଗତକାଲି ରାତି ୧୨ ଟାରେ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ଉମାକାନ୍ତ ସାହୁ କୌଣସି ସୂତ୍ରରୁ ଖବର ପାଇ ପୂର୍ବରୁ ନାଚୁଣୀ ବାଇପାସ ଓଭରବ୍ରିଜ ଠାରେ ଛପି ରହିଥିଲେ। ସେହି ସମୟରେ ସଲପଡିହ ଗ୍ରାମରୁ ନାଚୁଣୀ ଯାଉଥିବା ବେଆଇନ ତିନି ଗୋଟି ଚୋରା ମାଙ୍କଡ଼ା ପଥର ଚାଲାଣ ୪୦୭ ଟ୍ରକ କୁ ଜବତ କରିଥିଲେ ଏବଂ ବାଣପୁର ତହସିଲଦାର ଶ୍ରୀ ମନ୍ମଥ କୁମାର ବେହେରା ଙ୍କୁ ସୂଚନା ଦେଇଥିଲେ। ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଟ୍ରକକୁ ଜବତ କରି ନାଚୁଣୀ ଫାଣ୍ଡି ପରିସରରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ମିଳିଥିବା ଶେଷ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ଜବତ ଟ୍ରକର ଚାଳକ କିମ୍ବା ମାଲିକ ମାନେ ବାଣପୁର ତହସିଲଦାରଙ୍କ ନିକଟରେ ହାଜର ହୋଇନାହାନ୍ତି। ଆଗକୁ ସରକାରୀ ନିୟମ ଅନୁଯାୟୀ ସେମାନେ ଗାଡ଼ିର ସବୁ କାଗଜପତ୍ର ଦେଖାଇ ସରକାରୀ ଜରିମାନା ଦେଇ ଗାଡିଗୁଡିକୁ ଫାଣ୍ଡିରୁ ମୁକୁଳେଇ ନେଇପାରିବେ ବୋଲି ତହସିଲଦାର ସୂଚନା ଦେଇଛନ୍ତି। କରୋନା ସମୟରେ କରୋନା ଯୋଦ୍ଧାମାନେ ମିଳିଥିବା ଅତିରିକ୍ତ ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବା ସହ ନିଜ ମୂଳ କାର୍ଯ୍ୟ ମଧ୍ୟ ଦିନରାତି ଅତି ନିଷ୍ଠାର ସହ ନିର୍ବାହ କରୁଥିବାରୁ ଜନସାଧାରଣମାନେ ବାଣପୁର ତହସିଲଦାର ଏବଂ ନାଚୁଣୀ ଫାଣ୍ଡି ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।