Categories
ଆଞ୍ଚଳିକ

ବାଣପୁରରେ ନନ୍ଦିଘୋଷ ଚକ ଭାଙ୍ଗିଲେ ମା’ ମହାଲକ୍ଷ୍ମୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରଧ୍ୟ ଠାକୁର ଶ୍ରୀ ରଙ୍କନାଥ ଦେବଙ୍କ ଗୁଣ୍ଡିଚା ଯାତ୍ରାର ଷଷ୍ଠି ତିଥିରେ ଆଡପ ମଣ୍ଡପଠାରେ ହେରାପଞ୍ଚମୀ ନୀତିକାନ୍ତି ଆନନ୍ଦ ଉଲ୍ଲାସର ସହିତ ସମାହିତ ହୋଇଛି। ପ୍ରଭାତରୁ ଦ୍ଵାର ଫିଟା, ମଙ୍ଗଳ ଆଳତି, ଅବକାଶ ଏବଂ ଗୋପାଳବଲ୍ଲଭ ନିତି ଅନୁଷ୍ଠିତ ହୋଇଥିଲା। ତାପରେ ବେଶ କରାଯାଇ ସର୍ବ ସାଧାରଣ ଦର୍ଶନ ନିମନ୍ତେ ସାହାଣ ମେଲା ହୋଇଥିଲା।

ମଧ୍ୟାହ୍ନ ଧୂପ ବଢିବା ପରେ ଦିବା ପହୁଡ ହୋଇ ଅପରାହ୍ନରେ ଠାକୁରଙ୍କୁ ଶୃଙ୍ଗାର ବେଶରେ ସଜେଇ ଦିଆଯାଇଥିଲା। ଏଣେ ମନ୍ଦିରରେ ମା’ ମହା ଲକ୍ଷ୍ମୀ ଏକାକୀ ବଗଡ଼ା ଚାଉଳ, କଖାରୁ କଳମ ଶାଗର ପଡ଼ିଖାଇ ମହାପ୍ରଭୁଙ୍କ ଉପରେ ଖପା। ନିଜର ପ୍ରାଣ ପ୍ରିୟାଙ୍କୁ ସାଥିରେ ନ ନେଇ ଭଉଣୀ ସୁଭଦ୍ରାଙ୍କୁ ଘୋଷଯାତ୍ରାରେ ନେଇଯାଇଛନ୍ତି ଯେ ଫେରିବାର ନା ନାହିଁ। କାହାକୁ ବା ଏ ଅନ୍ତରର ଦୁଃଖ କହିବେ।

ଶେଷରେ ମା’ ଭଗବତୀଙ୍କୁ ଏକଥା କହିବାରେ ମା’ଉପାୟ ବତେଇଲେ। ମହାଲକ୍ଷ୍ମୀଙ୍କୁ ମା’ ଭଗବତୀ ମନ୍ତରା ଧୁଳି ନେଇ କାଳିଆ ସାଆନ୍ତଙ୍କ ଉପରେ ପକେଇଲେ ସେ ନିଶ୍ଚୟ ଫେରି ଆସିବେ ବୋଲି କହିବାରୁ ମା’ ବାହାରିଲେ ଗୁଣ୍ଡିଚା ବାଡ଼ି। ତାଙ୍କ ବିନା କେମିତି ଅଛନ୍ତି ପ୍ରଭୁ ଦେଖିବା ପାଇଁ ଛତ୍ର ତରାଶ କାହାଳୀ ମଶାଲ ସାଥିରେ ନେଇ ସଂଧ୍ୟାରେ ବାହାରିଲେ ମା ମହାମାୟୀ। ପାଟପତନୀ ସୁବାଷିତ କୁଷୁମରେ ସଜେଇ ସେବାୟତମାନେ ବିମାନରେ ବସେଇ ମା’ଙ୍କୁ ନେଇଗଲା ପରେ ପ୍ରଭୁଙ୍କର ସଂଧ୍ୟା ଆଳତୀ ଚାଲିଥିଲା।

ଜଗମୋହନରେ ପହଞ୍ଚିବା ମାତ୍ରେ ପ୍ରଭୁ ମା’ ମହାମାୟୀଙ୍କୁ ଦେଖି ଦଶମୀ ତିଥିରେ ଫେରିବେ ବୋଲି ଆଜ୍ଞାମାଳ ଦେଇ ରତ୍ନକବାଟ ବନ୍ଦ କରିଦେବାରୁ ମା ମହାମାୟୀ ରାଗ ଜରଜର ହୋଇ ଫେରିବା ବାଟରେ ନନ୍ଦି ଘୋଷ ଚକଭାଙ୍ଗି ମନ୍ଦିରକୁ ଫେରିଆସିଥିଲେ।ମନ୍ଦିର ବେଢାରେ ମା’ଙ୍କୁ ଶୀତଳ ପନ୍ତିଭୋଗରେ ଆପ୍ୟାୟିତ କରାଯାଇଥିଲା। ପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳା ଘୋଷଯାତ୍ରାର ଦୁର୍ଲଭ ଏହି ହେରା ପଞ୍ଚମୀ ନୀତି ଦର୍ଶନ କରିବା ପାଇଁ ବହୁଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ଝିପିଝିପି ବର୍ଷା ସତ୍ତ୍ଵେ ସ୍ଥାନୀୟ ମା’ ମହାଲକ୍ଷ୍ମୀ ମହିଳା ସମିତିର ସମସ୍ତ ସଭ୍ୟା ଏବଂ ମନ୍ଦିର ପରିଚାଳନା କମିଟି ତରଫରୁ ମିଳିତ ଭାବରେ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଥିଲା।