Categories
ଆଞ୍ଚଳିକ

ଧୁମଧାମରେ ପାଳିତ ହେବ ବାଣପୁର ରଥ ଯାତ୍ରା: ଜାଣନ୍ତୁ କିଭଳି ରହିଛି ପ୍ରସ୍ତୁତି

ସୀତାରାମ ଅଗ୍ରୱାଲ

ବାଣପୁର: ଆଉ ଦୁଇ ଦିନ ପରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ପୁରୀ ସମେତ ବିଶ୍ୱର କୋଣ ଅନୁକୋଣରେ ପାଳନ ହେବ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ମଧ୍ୟ ଧୁମଧାମରେ ପାଳନ ହେବ ରଥଯାତ୍ରା।

ବାଣପୁରରେ ଶ୍ରୀ ରଙ୍କନାଥ ଦେବ ଏବଂ ଶ୍ରୀ ଚରଣ ଚକାଦେବଙ୍କ ପିଠରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଥି ନିମନ୍ତେ ଆଜି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଣପୁର ଏନଏସି ସଭାଗୃହରେ ଏକ ପ୍ରସ୍ତୁତି ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନଏସି ଅଧ୍ୟକ୍ଷ ମିଟୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ସମେତ ବାଣପୁରର ବିଭିନ୍ନ ବ୍ୟବସାୟୀ ସଂଘର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ପୁର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରଥମ ପ୍ରସ୍ତୁତି ବୈଠକରେ ଆଇନ ଶୃଙ୍ଖଳା, ସ୍ଵେଚ୍ଛାସେବୀ ପରିଚାଳନା ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଆଜିର ବୈଠକରେ ସମସ୍ତ ବ୍ୟବସାୟୀ ସଂଘ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ଲୋଡ଼ିଥିଲା ପ୍ରଶାସନ।

ତେବେ ଚଳିତ ବର୍ଷ ବାଣପୁର ରଥଯାତ୍ରାକୁ ଧୁମଧାମରେ ଏବଂ ଆକର୍ଷଣୀୟ ଭାବେ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଶ୍ରୀ ନାୟକ। ଏଥି ନିମନ୍ତେ ସ୍ଵେଚ୍ଛାସେବୀମାନଙ୍କ ପାଇଁ ପ୍ରଥମ ଥର ପାଇଁ ଡ୍ରେସ କୋଡ଼ ଏବଂ ଆଇ କାର୍ଡ ବ୍ୟବସ୍ଥା କରାଯାଇଛି। ଉକ୍ତ ଆଇ କାର୍ଡ ଓ ଟି ସାର୍ଟ ସ୍ଥାନୀୟ ଆଇଆଇସି ପ୍ରଦାନ କରିବେ।

ବିଭିନ୍ନ ଅନୁଷ୍ଠାନର ସ୍ଵେଚ୍ଛାସେବୀଙ୍କ ସମେତ ଏନସିସି ଛାତ୍ରଛାତ୍ରୀ, ଆରଏସଏସ କର୍ମକର୍ତ୍ତା ରଥ ଟାଣିବା ଦାୟିତ୍ୱରେ ରହିବାକୁ ଥିବା ବେଳେ ମହିଳା ଭକ୍ତମାନେ ଦେବି ସୁଭଦ୍ରାଙ୍କ ରଥ ଟାଣିବେ। ତତସହିତ ବିଭିନ୍ନ ସେବାକାର୍ଯ୍ୟ ଯଥା ପିଇବା ପାଣି, ଦହି ପଣା, ଲେମ୍ବୁ ପାଣି ଆଦିର ବ୍ୟବସ୍ଥା ସ୍ଵେଚ୍ଛାସେବୀ ଏବଂ ଏନଏସି ପ୍ରଶାସନ ଦ୍ୱାରା କରାଯିବ। ପୂର୍ବପରି ବିଭିନ୍ନ ବ୍ୟବସାୟୀ ସଂଘ ନିଜ ନିଜର ସେବା କାର୍ଯ୍ୟ ଜାରି ରଖିବେ।

ରଥ ଟଣା ସମୟରେ ଯେପରି କିଛି ଅଘଟଣ ନଘଟେ ସେଥି ନିମନ୍ତେ ବାଲୁଗାଁ ଏସଡ଼ିପିଓ ଙ୍କ ତତ୍ୱାବଧାନରେ ଏକ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ରଥ ଟଣା ପୁର୍ବରୁ ସମସ୍ତ ସ୍ଵେଚ୍ଛାସେବୀଙ୍କୁ ଏସଡିପିଓ କିଛି ପ୍ରଶିକ୍ଷଣ କୌଶଳ ପ୍ରଦାନ କରିବେ। କହିବାକୁ ଗଲେ ବାଣପୁରରେ ଚଳିତ ରଥଯାତ୍ରା କିପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ତାହା ଉପରେ ବେଶ ସଜାଗ ଅଛି ପ୍ରଶାସନ। ରଥ ଟଣା ସମୟରେ ସମସ୍ତ ବଜାର ବନ୍ଦ ରହିବ।

ଅନୁରୂପ ଭାବେ ଏନଏସି ଅଧ୍ୟକ୍ଷ ଶ୍ରୀ ନାୟକ ରଥଯାତ୍ରାକୁ ଆକର୍ଷଣୀୟ ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ରଥଟଣା ପଥକୁ ଚିତ୍ରଣ କରାଯିବ ବୋଲି କହିଛନ୍ତି। ବିଶରପାଟଣା ସ୍ଥିତ ‘ଆଇ ଲଭ ବାଣପୁର’ ସେଲ୍ଫି ପଇଣ୍ଟ ଠାରୁ ମା’ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଏବଂ ଶ୍ରୀ ଚକାଦେବଙ୍କ ଗୁଣ୍ଡିଚା ଘର ରାସ୍ତାକୁ ବିଭିନ୍ନ ଝୋଟି ଓ ଚିତାରେ ଚିତ୍ରିତ କରାଯିବ। ଏଥି ନିମନ୍ତେ ସ୍ୱତନ୍ତ୍ର ଚିତ୍ରକାର ନିୟୋଜିତ ହେବେ। ଏହାଦ୍ୱାରା ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ ସୃଷ୍ଟି ହେବା ସହ ରଥଯାତ୍ରା ଟି ଆକର୍ଷଣୀୟ ହେବ।

ରଥଯାତ୍ରା ସମୟରେ ମେଡିକାଲ ଓ ବିଦ୍ୟୁତ ବିଭାଗକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାଣପୁର ତହସିଲଦାର ସମସ୍ତ କାର୍ଯ୍ୟକୁ ତଦାରଖ କରିବେ। ପରିଶେଷରେ ଚଳିତ ରଥଯାତ୍ରାକୁ ସଫଳ କରିବା ପାଇଁ ଏନଏସି ଅଧ୍ୟକ୍ଷ ମିଟୁ ନାୟକ ସମସ୍ତଙ୍କର ସହଯୋଗ ଲୋଡ଼ିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ନନ୍ଦିଘୋଷ ଚକ ଭାଙ୍ଗିଲେ ମା’ ମହାଲକ୍ଷ୍ମୀ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରଧ୍ୟ ଠାକୁର ଶ୍ରୀ ରଙ୍କନାଥ ଦେବଙ୍କ ଗୁଣ୍ଡିଚା ଯାତ୍ରାର ଷଷ୍ଠି ତିଥିରେ ଆଡପ ମଣ୍ଡପଠାରେ ହେରାପଞ୍ଚମୀ ନୀତିକାନ୍ତି ଆନନ୍ଦ ଉଲ୍ଲାସର ସହିତ ସମାହିତ ହୋଇଛି। ପ୍ରଭାତରୁ ଦ୍ଵାର ଫିଟା, ମଙ୍ଗଳ ଆଳତି, ଅବକାଶ ଏବଂ ଗୋପାଳବଲ୍ଲଭ ନିତି ଅନୁଷ୍ଠିତ ହୋଇଥିଲା। ତାପରେ ବେଶ କରାଯାଇ ସର୍ବ ସାଧାରଣ ଦର୍ଶନ ନିମନ୍ତେ ସାହାଣ ମେଲା ହୋଇଥିଲା।

ମଧ୍ୟାହ୍ନ ଧୂପ ବଢିବା ପରେ ଦିବା ପହୁଡ ହୋଇ ଅପରାହ୍ନରେ ଠାକୁରଙ୍କୁ ଶୃଙ୍ଗାର ବେଶରେ ସଜେଇ ଦିଆଯାଇଥିଲା। ଏଣେ ମନ୍ଦିରରେ ମା’ ମହା ଲକ୍ଷ୍ମୀ ଏକାକୀ ବଗଡ଼ା ଚାଉଳ, କଖାରୁ କଳମ ଶାଗର ପଡ଼ିଖାଇ ମହାପ୍ରଭୁଙ୍କ ଉପରେ ଖପା। ନିଜର ପ୍ରାଣ ପ୍ରିୟାଙ୍କୁ ସାଥିରେ ନ ନେଇ ଭଉଣୀ ସୁଭଦ୍ରାଙ୍କୁ ଘୋଷଯାତ୍ରାରେ ନେଇଯାଇଛନ୍ତି ଯେ ଫେରିବାର ନା ନାହିଁ। କାହାକୁ ବା ଏ ଅନ୍ତରର ଦୁଃଖ କହିବେ।

ଶେଷରେ ମା’ ଭଗବତୀଙ୍କୁ ଏକଥା କହିବାରେ ମା’ଉପାୟ ବତେଇଲେ। ମହାଲକ୍ଷ୍ମୀଙ୍କୁ ମା’ ଭଗବତୀ ମନ୍ତରା ଧୁଳି ନେଇ କାଳିଆ ସାଆନ୍ତଙ୍କ ଉପରେ ପକେଇଲେ ସେ ନିଶ୍ଚୟ ଫେରି ଆସିବେ ବୋଲି କହିବାରୁ ମା’ ବାହାରିଲେ ଗୁଣ୍ଡିଚା ବାଡ଼ି। ତାଙ୍କ ବିନା କେମିତି ଅଛନ୍ତି ପ୍ରଭୁ ଦେଖିବା ପାଇଁ ଛତ୍ର ତରାଶ କାହାଳୀ ମଶାଲ ସାଥିରେ ନେଇ ସଂଧ୍ୟାରେ ବାହାରିଲେ ମା ମହାମାୟୀ। ପାଟପତନୀ ସୁବାଷିତ କୁଷୁମରେ ସଜେଇ ସେବାୟତମାନେ ବିମାନରେ ବସେଇ ମା’ଙ୍କୁ ନେଇଗଲା ପରେ ପ୍ରଭୁଙ୍କର ସଂଧ୍ୟା ଆଳତୀ ଚାଲିଥିଲା।

ଜଗମୋହନରେ ପହଞ୍ଚିବା ମାତ୍ରେ ପ୍ରଭୁ ମା’ ମହାମାୟୀଙ୍କୁ ଦେଖି ଦଶମୀ ତିଥିରେ ଫେରିବେ ବୋଲି ଆଜ୍ଞାମାଳ ଦେଇ ରତ୍ନକବାଟ ବନ୍ଦ କରିଦେବାରୁ ମା ମହାମାୟୀ ରାଗ ଜରଜର ହୋଇ ଫେରିବା ବାଟରେ ନନ୍ଦି ଘୋଷ ଚକଭାଙ୍ଗି ମନ୍ଦିରକୁ ଫେରିଆସିଥିଲେ।ମନ୍ଦିର ବେଢାରେ ମା’ଙ୍କୁ ଶୀତଳ ପନ୍ତିଭୋଗରେ ଆପ୍ୟାୟିତ କରାଯାଇଥିଲା। ପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳା ଘୋଷଯାତ୍ରାର ଦୁର୍ଲଭ ଏହି ହେରା ପଞ୍ଚମୀ ନୀତି ଦର୍ଶନ କରିବା ପାଇଁ ବହୁଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

ଝିପିଝିପି ବର୍ଷା ସତ୍ତ୍ଵେ ସ୍ଥାନୀୟ ମା’ ମହାଲକ୍ଷ୍ମୀ ମହିଳା ସମିତିର ସମସ୍ତ ସଭ୍ୟା ଏବଂ ମନ୍ଦିର ପରିଚାଳନା କମିଟି ତରଫରୁ ମିଳିତ ଭାବରେ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଥିଲା।

Categories
ଆଞ୍ଚଳିକ ସଂସ୍କୃତି

ବାଣପୁର: ରୁକ୍ମିଣୀଙ୍କୁ ବିବାହ କରି ଗୁଆଲି ଯାତ୍ରାରେ ଶ୍ରୀ ରଙ୍କନାଥ ଦେବ, ଦେଖନ୍ତୁ ଭିଡିଓ

ସୀତାରାମ ଅଗ୍ରୱାଲ

ବାଣପୁର: ଲୀଳା ଶ୍ରୀକ୍ଷେତ୍ର ବାଣପୁରର ଆରାଧ୍ୟ ଠାକୁର ଶ୍ରୀ ରଙ୍କନାଥ ଦେବଙ୍କ ସହିତ ମାତା ରୁକ୍ମିଣୀଙ୍କ ଶୁଭପରିଣୟ ନୀତିକାନ୍ତି ଚମ୍ପକ ଦ୍ଵାଦଶୀ ତିଥିରେ ଆଜି ଆନନ୍ଦ ଉଲ୍ଲାସର ସହିତ ଶେଷ ହୋଇଛି। ଦେବ ଦମ୍ପତିଙ୍କ ଗୁଆଲି ଯାତ୍ରା ସହିତ ଶିବ ଦର୍ଶନ ଶ୍ରୀ ଦକ୍ଷେଶ୍ଵର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଶେଷରେ ବାଜା ରୋଷଣି, ଆତସବାଜୀ, ଆଲଟଚାମର, ସହିତ ଅଗଣିତ ଶ୍ରଦ୍ଧାଳୁଙ୍କ ସହ ନଗର ପରିକ୍ରମଣ ଓ ମନ୍ଦିର ପ୍ରତ୍ୟାବର୍ତ୍ତନ ଅତି ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଛି।

ବାଣପୁରର ଏହି ପ୍ରାଚୀନ ପରମ୍ପରା ବହୁ ବର୍ଷ ଧରି ବନ୍ଦ ହୋଇଥିଲ। ଚଳିତ ବର୍ଷ ଏହି ଦେବ ବିବାହ ପରମ୍ପରା ପୁଣି ପ୍ରଭୁଙ୍କ ମନ୍ଦିରରେ ଆରମ୍ଭ ହୋଇଥିବାରୁ ଜନ ସାଧାରଣଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି। ଶ୍ରୀରଙ୍କନାଥ ଦେବ ମନ୍ଦିର ପରିଚାଳନା କମିଟି,୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଓ ବାଣପୁରର ଶ୍ରଦ୍ଧାଳୁ ଜନସାଧାରଣଙ୍କ ମିଳିତ ପରିଚାଳନାରେ ଅନୁଷ୍ଠିତ ଏହି ଦେବ ଉତ୍ସବ ଦର୍ଶନ କରିବାପାଇଁ ବାଣପୁର ଅଞ୍ଚଳର ଅଗଣିତ ଭକ୍ତଙ୍କ ସମାଗମ ହୋଇଥିଲା।

Categories
ଆଞ୍ଚଳିକ

ବାଣପୁର ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ଦେବ ଦୀପାବଳୀ ଉଦଯାପିତ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁରର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ରଙ୍କନାଥଙ୍କର ମାନବୀୟ ଲୀଳାର ଅନ୍ୟତମ ପ୍ରତୀକ ଦେବ ଦୀପାବଳୀ ଉତ୍ସବ ତିନିଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି। ମାର୍ଗଶୀର ମାସ କୃଷ୍ଣ ଚତୁର୍ଦ୍ଦଶୀ ଅମାବାସ୍ୟା ଶୁକ୍ଳପକ୍ଷ ପ୍ରତିପଦା ଠାରୁ ତିନିଦିନ ବ୍ୟାପୀ ପ୍ରତ୍ୟହ ଶ୍ରୀଜୀଉ ମାନଙ୍କ ସନ୍ଧ୍ୟା ଧୂପପରେ ଶ୍ରାଦ୍ଧ ବେଶ କରାଯାଇ ସିଂହାସନ ତଳେ ଚାଉଳରେ କଦଳୀଗଛ କରି ଜୀଉ ମାନଙ୍କ ପିତୃପୁରୁଷ ନାମରେ ଘିଅ ଦୀପ ସ୍ଥାପନ ସହିତ ପିଣ୍ଡ ବଢାଯାଇଥିଲା।

ପ୍ରଥମ ଦିନରେ ସତ୍ୟ ଯୁଗର କାଶ୍ୟପ ଅଦ୍ୱିତୀଙ୍କ ନାମରେ, ଦ୍ୱିତୀୟ ଦିନରେ ତ୍ରେତୟା ଯୁଗର ଦଶରଥ ଓ କୌଶଲ୍ୟାଙ୍କ ନାମରେ, ଏବଂ ତୃତୀୟ ଦିନରେ ଦ୍ୱାପର ଯୁଗର ବସୁଦେବ ଦେବକୀ, ନନ୍ଦ ଯଶୋଦା ଓ ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚାଙ୍କ ପରି ପିତୃପୁରୁଷଙ୍କ ନାମରେ ପିଣ୍ଡଦାନ କରାଯାଇ ୨୮ ଟି ଦୀପ ପ୍ରଜ୍ବଳନ କରାଯାଇଥିଲା। ଜୀଉ ମାନେ ଶୁଭ୍ରବସ୍ତ୍ର ପରିଧାନ ପୂର୍ବକ ପିଣ୍ଡଦାନ କରି ପିତୃପୁରୁଷଙ୍କୁ ସ୍ମରଣ କରିଥିଲେ। ପରେ ପରେ ପ୍ରାଚୀନ ବଙ୍କାଡ଼ ଗଡ଼ ରାଜବଂଶ ଅଧୁନା ପରିକୁଦ ରାଜପରିବାରର ରାଜା ତଥା ମନ୍ଦିର ପରିଚାଳନା କମିଟିର ସଭାପତି ସନ୍ତୋଷ କୁମାର ମାନସିଂହ ମର୍ଦ୍ଦରାଜ ହରିଶ୍ଚନ୍ଦ୍ର ଭ୍ରମରବର ରାୟଙ୍କ ମଙ୍ଗଳ କାମନା ପୁର୍ବକଦୀପ ଚଢାଯାଇ ଥିଲା। ତତସହିତ ବାଣପୁର ତଥା ସଂସାରର ମଙ୍ଗଳପାଇଁ ସାମୁହିକ ପ୍ରାଥନା ମଧ୍ୟ ହୋଇଥିଲା। ସଭାପତି ଦାଶରଥି ସାହୁ, ସମ୍ପାଦକ ଦେବରାଜ ପାଣି ଏବଂ ସଭ୍ୟ ବାଳମୁକୁନ୍ଦ ଦାସ ଏହାକୁ ପରିଚାଳନା କରିଥିଲେ।