Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସଂସ୍କୃତି

ମୀରା ଫେଷ୍ଟିଭାଲ ଅଫ ଡାନ୍ସ ଉଦଯାପିତ

ଭୁବନେଶ୍ଵର: ପ୍ରଖ୍ୟାତ ଓଡିଶୀ ନୃତ୍ୟ ଗୁରୁ ଦୁର୍ଗାଚରଣ ରଣବୀରଙ୍କ ଦ୍ୱାରା ସ୍ଥାପିତ ତଥା ସଂଚାଳିତ ଅଗ୍ରଣୀ ନୃତ୍ୟାନୁଷ୍ଠାନ ନୃତ୍ୟାୟନ ଆନୁକୂଲ୍ୟରେ ମୀରା ଫେଷ୍ଟିଭାଲ ଅଫ ଡାନ୍ସ  ଅନୁଷ୍ଠିତ ହୋଇଥିଲା। ଫେବୃୟାରୀ ୨୪ ଏବଂ ୨୫ ତାରିଖରେ ଦୁଇ ଦିନ ବ୍ୟାପୀ ରବୀନ୍ଦ୍ର ମଣ୍ଡପଠାରେ ମୀରା ଫେଷ୍ଟିଭାଲ ଅଫ ଡାନ୍ସ ଆୟୋଜନ ହୋଇଥିଲା। ଏହାର ଦ୍ଵିତୀୟ ଦିନ ଉଦଯାପନୀ ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ରାଧାଶ୍ୟାମ ପାତ୍ରଙ୍କ ସଭାପତିତ୍ୱ ତଥା ଗୁରୁଶ୍ରୀ ଦୁର୍ଗା ଚରଣ ରଣବୀର ସମ୍ପାଦକୀୟତାରେ ସମ୍ମାନନୀୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି, ପ୍ରଖ୍ୟାତ ଓଡିଶୀ ଗୁରୁ ଡକ୍ଟର ପ୍ରିୟମ୍ବଦା ମହାନ୍ତି ସମ୍ମାନିତ ଅତିଥି ପ୍ରମୁଖ ସମ୍ମାନସ୍ପଦ ଅତିଥିଙ୍କ ଆସନ ଅଳଙ୍କୃତ କରିଥିଲେ।

ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ଦିଲ୍ଲୀରୁ ନିମନ୍ତ୍ରିତ ହୋଇଥିବା ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ଗୀତା ମହାଲିକ ଯିଏ କି “ଗୁରୁଶ୍ରୀ ଦୁର୍ଗା ଚରଣ ରଣବୀର ଜୀବନବ୍ୟାପୀ ସାଧନା” ସମ୍ମାନରେ ସମ୍ମାନୀତା ହୋଇଥିଲେ ତାଙ୍କର ନୃତ୍ୟ ପରିବେଷଣରେ ଉତ୍ସବର ଶୁଭାରମ୍ଭ ହୋଇଥିଲା।

ଗୀତା ମହାଲିକଙ୍କ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ଦ୍ଵିତୀୟ ପରିବେଷଣରେ ମୁମ୍ବାଇରୁ ଆସିଥିବା ବିଶିଷ୍ଟ କଥକ ନୃତ୍ୟ ଶିଳ୍ପୀ ସ୍ୱୀକୃଥ ବି. ପି ଙ୍କ ନୃତ୍ୟରେ ସ୍ତବ୍ଧ ହୋଇଥିଲେ ଦର୍ଶକ। ତୃତୀୟରେ ସୟାନି ଚକ୍ରବର୍ତ୍ତୀ ଓ ଶୁଭମ କୁମାର ଓଝାଙ୍କ ଦ୍ୱେତ ନୃତ୍ୟ ଥିଲା। ଚତୁର୍ଥ ଅର୍ଘ୍ୟ ଥିଲା ପ୍ରଖ୍ୟାତ ନୃତ୍ୟ ଗୁରୁ ରତିକାନ୍ତ ମହାପାତ୍ରଙ୍କ ସୃଜନର ମିଳିତ ନୃତ୍ୟ।

ଓଡିଶାର ମହାନ୍ ଶାସ୍ତ୍ରୀୟ ନୃତ୍ୟକୁ ବିଶ୍ୱବ୍ୟାପି ପ୍ରଚାର ଓ ପ୍ରସାର ତଥା ଅନେକ ବିଶିଷ୍ଟ ନୃତ୍ୟଶିଳ୍ପୀଙ୍କୁ ସୃଷ୍ଟି କରିଥିବା ଲାଗି ଗୁରୁ ଦୁର୍ଗାଚରଣ ରଣବୀରଙ୍କ ଭୂମିକାକୁ ସମସ୍ତ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିଲେ ଏବଂ ଉତ୍ସ ର ଆୟୋଜକ ସହିତ ସମସ୍ତ ସହଯୋଗୀଙ୍କ ଅବଦାନକୁ ପ୍ରଶଂସା କରିଥିଲେ।

ଏସବୁ ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟକୁ ଦର୍ଶକମାନେ ମନ ଭରି ଉପଭୋଗ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଧିରେନ୍ଦ୍ର ପଟ୍ଟନାୟକ, ଗାୟତ୍ରୀ ରଣଵୀର, ଦୀପ୍ତି ରାଉତରାୟ, ଶ୍ରଦ୍ଧାଞ୍ଜଳୀ ରାହୁଲ, ରାଜଶ୍ରୀ ଚିନ୍ତକ, ଅସିତ ବସୁମଲ୍ଲିକ, ସତ୍ୟଜିତ୍ ମହାନ୍ତି, ରାହୁଲ ଆଚାର୍ଯ୍ୟ, ଅଜୟ ମହାପାତ୍ର, ଅର୍ଜୁନ ମୁଦୁଲି, ଖଗେଶ୍ବର ଜୟପୁରିଆଙ୍କ ଅବଦାନ ପ୍ରଶଂସନୀୟ। କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ସୁନାମଧନ୍ୟ ଉପସ୍ଥାପକ ଡଃ ମୃତ୍ୟୁଞ୍ଜୟ ରଥ।

Categories
ଆଞ୍ଚଳିକ

ବାଣପୁର ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ଦେବ ଦୀପାବଳୀ ଉଦଯାପିତ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁରର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ରଙ୍କନାଥଙ୍କର ମାନବୀୟ ଲୀଳାର ଅନ୍ୟତମ ପ୍ରତୀକ ଦେବ ଦୀପାବଳୀ ଉତ୍ସବ ତିନିଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି। ମାର୍ଗଶୀର ମାସ କୃଷ୍ଣ ଚତୁର୍ଦ୍ଦଶୀ ଅମାବାସ୍ୟା ଶୁକ୍ଳପକ୍ଷ ପ୍ରତିପଦା ଠାରୁ ତିନିଦିନ ବ୍ୟାପୀ ପ୍ରତ୍ୟହ ଶ୍ରୀଜୀଉ ମାନଙ୍କ ସନ୍ଧ୍ୟା ଧୂପପରେ ଶ୍ରାଦ୍ଧ ବେଶ କରାଯାଇ ସିଂହାସନ ତଳେ ଚାଉଳରେ କଦଳୀଗଛ କରି ଜୀଉ ମାନଙ୍କ ପିତୃପୁରୁଷ ନାମରେ ଘିଅ ଦୀପ ସ୍ଥାପନ ସହିତ ପିଣ୍ଡ ବଢାଯାଇଥିଲା।

ପ୍ରଥମ ଦିନରେ ସତ୍ୟ ଯୁଗର କାଶ୍ୟପ ଅଦ୍ୱିତୀଙ୍କ ନାମରେ, ଦ୍ୱିତୀୟ ଦିନରେ ତ୍ରେତୟା ଯୁଗର ଦଶରଥ ଓ କୌଶଲ୍ୟାଙ୍କ ନାମରେ, ଏବଂ ତୃତୀୟ ଦିନରେ ଦ୍ୱାପର ଯୁଗର ବସୁଦେବ ଦେବକୀ, ନନ୍ଦ ଯଶୋଦା ଓ ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚାଙ୍କ ପରି ପିତୃପୁରୁଷଙ୍କ ନାମରେ ପିଣ୍ଡଦାନ କରାଯାଇ ୨୮ ଟି ଦୀପ ପ୍ରଜ୍ବଳନ କରାଯାଇଥିଲା। ଜୀଉ ମାନେ ଶୁଭ୍ରବସ୍ତ୍ର ପରିଧାନ ପୂର୍ବକ ପିଣ୍ଡଦାନ କରି ପିତୃପୁରୁଷଙ୍କୁ ସ୍ମରଣ କରିଥିଲେ। ପରେ ପରେ ପ୍ରାଚୀନ ବଙ୍କାଡ଼ ଗଡ଼ ରାଜବଂଶ ଅଧୁନା ପରିକୁଦ ରାଜପରିବାରର ରାଜା ତଥା ମନ୍ଦିର ପରିଚାଳନା କମିଟିର ସଭାପତି ସନ୍ତୋଷ କୁମାର ମାନସିଂହ ମର୍ଦ୍ଦରାଜ ହରିଶ୍ଚନ୍ଦ୍ର ଭ୍ରମରବର ରାୟଙ୍କ ମଙ୍ଗଳ କାମନା ପୁର୍ବକଦୀପ ଚଢାଯାଇ ଥିଲା। ତତସହିତ ବାଣପୁର ତଥା ସଂସାରର ମଙ୍ଗଳପାଇଁ ସାମୁହିକ ପ୍ରାଥନା ମଧ୍ୟ ହୋଇଥିଲା। ସଭାପତି ଦାଶରଥି ସାହୁ, ସମ୍ପାଦକ ଦେବରାଜ ପାଣି ଏବଂ ସଭ୍ୟ ବାଳମୁକୁନ୍ଦ ଦାସ ଏହାକୁ ପରିଚାଳନା କରିଥିଲେ।