ବାଣପୁର ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ଦେବ ଦୀପାବଳୀ ଉଦଯାପିତ

Published: Dec 15, 2020, 10:33 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁରର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ରଙ୍କନାଥଙ୍କର ମାନବୀୟ ଲୀଳାର ଅନ୍ୟତମ ପ୍ରତୀକ ଦେବ ଦୀପାବଳୀ ଉତ୍ସବ ତିନିଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି। ମାର୍ଗଶୀର ମାସ କୃଷ୍ଣ ଚତୁର୍ଦ୍ଦଶୀ ଅମାବାସ୍ୟା ଶୁକ୍ଳପକ୍ଷ ପ୍ରତିପଦା ଠାରୁ ତିନିଦିନ ବ୍ୟାପୀ ପ୍ରତ୍ୟହ ଶ୍ରୀଜୀଉ ମାନଙ୍କ ସନ୍ଧ୍ୟା ଧୂପପରେ ଶ୍ରାଦ୍ଧ ବେଶ କରାଯାଇ ସିଂହାସନ ତଳେ ଚାଉଳରେ କଦଳୀଗଛ କରି ଜୀଉ ମାନଙ୍କ ପିତୃପୁରୁଷ ନାମରେ ଘିଅ ଦୀପ ସ୍ଥାପନ ସହିତ ପିଣ୍ଡ ବଢାଯାଇଥିଲା।

ପ୍ରଥମ ଦିନରେ ସତ୍ୟ ଯୁଗର କାଶ୍ୟପ ଅଦ୍ୱିତୀଙ୍କ ନାମରେ, ଦ୍ୱିତୀୟ ଦିନରେ ତ୍ରେତୟା ଯୁଗର ଦଶରଥ ଓ କୌଶଲ୍ୟାଙ୍କ ନାମରେ, ଏବଂ ତୃତୀୟ ଦିନରେ ଦ୍ୱାପର ଯୁଗର ବସୁଦେବ ଦେବକୀ, ନନ୍ଦ ଯଶୋଦା ଓ ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚାଙ୍କ ପରି ପିତୃପୁରୁଷଙ୍କ ନାମରେ ପିଣ୍ଡଦାନ କରାଯାଇ ୨୮ ଟି ଦୀପ ପ୍ରଜ୍ବଳନ କରାଯାଇଥିଲା। ଜୀଉ ମାନେ ଶୁଭ୍ରବସ୍ତ୍ର ପରିଧାନ ପୂର୍ବକ ପିଣ୍ଡଦାନ କରି ପିତୃପୁରୁଷଙ୍କୁ ସ୍ମରଣ କରିଥିଲେ। ପରେ ପରେ ପ୍ରାଚୀନ ବଙ୍କାଡ଼ ଗଡ଼ ରାଜବଂଶ ଅଧୁନା ପରିକୁଦ ରାଜପରିବାରର ରାଜା ତଥା ମନ୍ଦିର ପରିଚାଳନା କମିଟିର ସଭାପତି ସନ୍ତୋଷ କୁମାର ମାନସିଂହ ମର୍ଦ୍ଦରାଜ ହରିଶ୍ଚନ୍ଦ୍ର ଭ୍ରମରବର ରାୟଙ୍କ ମଙ୍ଗଳ କାମନା ପୁର୍ବକଦୀପ ଚଢାଯାଇ ଥିଲା। ତତସହିତ ବାଣପୁର ତଥା ସଂସାରର ମଙ୍ଗଳପାଇଁ ସାମୁହିକ ପ୍ରାଥନା ମଧ୍ୟ ହୋଇଥିଲା। ସଭାପତି ଦାଶରଥି ସାହୁ, ସମ୍ପାଦକ ଦେବରାଜ ପାଣି ଏବଂ ସଭ୍ୟ ବାଳମୁକୁନ୍ଦ ଦାସ ଏହାକୁ ପରିଚାଳନା କରିଥିଲେ।

Related posts