Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କୁ ସାକ୍ଷାତ କଲେ ଭିସୁଟ୍‌ର କୁଳପତି

ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରାଧ୍ୟାପକ ବଂଶୀଧର ମାଝୀ ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କୁ ସାକ୍ଷାତ କରି ନିକଟରେ ବିଶ୍ୱବିଦ୍ୟାଳୟ ପାଇଁ ସରକାର ନେଇଥିବା ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ଉପକ୍ରମରେ ଶ୍ରୀ ତ୍ରିପାଠୀଙ୍କ ସହଯୋଗର ଭୂୟସୀ ପ୍ରଶଂସା କରିଥିଲେ ।

ପୂର୍ବତନ ଛାତ୍ର ଭାବେ ଶ୍ରୀ ବ୍ରହ୍ମାନନ୍ଦ ମିଶ୍ର ଓ ଶ୍ରୀ ବିମଳ କୁମାର ମିଶ୍ର କୁଳପତିଙ୍କ ସହ ଏହି ସାକ୍ଷାତବେଳେ ଉପସ୍ଥିତ ଥିଲେ । ବିଶ୍ୱବିଦ୍ୟାଳୟକୁ ୫-‘ଟି’ ଉପକ୍ରମ ମଧ୍ୟରେ ସାମିଲ କରିଥିବାରୁ ସେମାନେ ୫-‘ଟି’ ସଚିବ ଶ୍ରୀ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ଦଶହରା ଛୁଟି ପରେ ଏକ ଛାତ୍ର ପ୍ରତିନିଧି ମଣ୍ଡଳୀ ସହ ପୁରାତନ ବିଦ୍ୟାର୍ଥୀ ସ୍ୱତନ୍ତ୍ର ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇବେ ବୋଲି କୁଳପତି ପ୍ରାଧ୍ୟାପକ ମାଝୀ କହିଥିଲେ ।

ଆଗାମୀ ୫ ବର୍ଷ ମଧ୍ୟରେ ତିନୋଟି ପର୍ଯ୍ୟାୟରେ ୨ ହଜାର କୋଟି ଅର୍ଥ ବ୍ୟୟ କରି ଏହାକୁ ଏକ ପୂର୍ଣ୍ଣାଙ୍ଗ ଗବେଷଣା ବିଶ୍ୱବିଦ୍ୟାଳୟ ଭାବେ ଗଢ଼ିତୋଳିବା ପାଇଁ ମାଷ୍ଟର ପ୍ଲାନ୍‌ କରାଯାଇଛି, ଯାହାକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ସେହିପରି ୨୦୩୦ ସୁଦ୍ଧା ଭିଏସ୍‌ଏସ୍‌ୟୁଟିକୁ ବହୁ ବିଭାଗୀୟ ଇଂଜିନିୟରିଂ ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ ଭାବେ ବିକଶିତ କରାଯିବ । ଏଥି ସହ ବିଶ୍ୱବିଦ୍ୟାଳୟ ଅଧୀନରେ ୧୪ରୁ ଅଧିକ ବିଭାଗ ଖୋଲାଯିବା ସହ ୨୭ରୁ ଊଦ୍ଧ୍ୱର୍ ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ ।

ଏହି ବିଶ୍ୱବିଦ୍ୟାଳୟକୁ ଯୁଗୋପଯୋଗୀ କରାଯାଇ ଅଧିକ ବ୍ୟବହାରିକ ବିଷୟରେ ପାଠ ପଢ଼ିବାର ବ୍ୟବସ୍ଥା କରାଯିବା ପାଇଁ ଯୋଜନା କରାଯାଇଛି । ଆଗାମୀ ୨୦୨୬ ସୁଦ୍ଧା ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ପଢ଼ିପାରିବେ ବୋଲି କୁଳପତି ଶ୍ରୀ ମାଝୀ ଏହି ସାକ୍ଷାତ ସମୟରେ ପ୍ରକାଶ କରିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ବଲାଙ୍ଗିରରେ କ୍ଷୁଦ୍ର, ଅଣୁ, ମଧ୍ୟମ ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କଲେ ଅସିତ ତ୍ରିପାଠୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ତାଙ୍କର ଦୁଇ ଦିନିଆ ବଲାଙ୍ଗିର ଗସ୍ତ ପରିପ୍ରେକ୍ଷୀରେ ସେ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ କୃଷି-ବ୍ୟବସାୟିକ, ଅଣୁ. କ୍ଷୁଦ୍ର, ମଧ୍ୟମ ଶିଳ୍ପ କ୍ଷେତ୍ରରେ ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ଜିଲ୍ଲାପାଳ ଶ୍ରୀ ଚଞ୍ଜଳ ରଣାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଆଲୋଚନାରୁ ଜଣାପଡିଛି ଯେ, ଜିଲ୍ଲାରେ  ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗଗୁଡିକ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ(ମୁକ୍ତା), ପି.ଏମ.ଇ.ଜିପି ଓ ପି.ଏମ୍.ଏଫ୍.ଏମ.ଇ ଯୋଜନାରୁ ସହାୟତା ପାଉଛନ୍ତି। କୁକୁଡା ଫାର୍ମ, ଲେୟାର ଫାର୍ମ, ଖାଦ୍ୟ ପ୍ରକ୍ରିୟାକରଣ ଓ କଟନ ଗିନିଂ ୟୁନିଟ୍ ଗୁଡିକ ଜିଲ୍ଲାରେ ଭଲ ଅଗ୍ରଗତି କରୁଥିବା ଦେଖାଦେଇଛି। ଗୋଟିଏ ବୈଦ୍ୟୁତିକ ଯାନ ନିର୍ମାଣକାରୀ ୟନିଟ୍ ମଧ୍ୟ ନିର୍ମାଣାଧୀନ ସ୍ଥିତିରେ ଅଛି। ବୈଠକରେ ଉଦ୍ୟୋଗୀମାନେ ଜମି ଅଧିଗ୍ରହଣ, ଉଦ୍ୟୋଗଗୁଡିକୁ ବିଦ୍ୟୁତ୍ ଯୋଗାଣ, ଶିଳ୍ପାନୁଷ୍ଠାନ ନିକଟରେ ଜଳ ନିଷ୍କାସନ ବ୍ୟବସ୍ଥା, ବ୍ୟାଙ୍କ ଋଣ ପାଇବାରେ ସମସ୍ୟା ଆଦି ସଂପର୍କରେ ଉତଥାପନ କରିଥିଲେ। ଶ୍ରୀ ତ୍ରିପାଠୀ ସଂପୃକ୍ତ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହିତ ଏହିସବୁ ସମସ୍ୟାର ସମାଧାନ ପାଇଁ ସମୟ ନିର୍ଦ୍ଧାରଣ କରିଛନ୍ତି।

ଶ୍ରୀ ତ୍ରିପାଠୀ  ଜିଲ୍ଲାରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଉଦ୍ୟୋଗୀ  ଏବଂ ଶିଳ୍ପସଂସ୍ଥାମାନଙ୍କ ସହିତ  ନିୟମିତ ଭାବରେ  ବୈଠକରେ  ଆଲୋଚନା କରି ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ମଧ୍ୟ ସ୍ଥାନୀୟ ଯୁବକମାନଙ୍କ ପାଇଁ ଔଦ୍ୟୋଗିକ ପ୍ରଶିକ୍ଷଣ ଶିବିର  ଆୟୋଜନ କରି ସେମାନଙ୍କ ଦ୍ୱାରା ଉଦ୍ୟୋଗ ସ୍ଥାପନର  ଲକ୍ଷ୍ୟହାସଲ ଦିଗରେ ସହାୟତା କରିବାକୁ  ପରାମର୍ଶ ଦେଇଥିଲେ।

ପ୍ରସ୍ତୁତ ଉତ୍ପାଦର ବଜାରସୃଷ୍ଟି ପାଇଁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେଇ ଯେପରି ସେମାନଙ୍କର ଉତ୍ପାଦ ଜାତୀୟ ଓ ଅନ୍ତର୍ଜାତୀୟସ୍ତର ସହିତ ସଂଯୁକ୍ତ(ଲିଙ୍କ୍) କରାଯାଇ ବିକ୍ରି ସହଜ ହେବ, ସେ ସମ୍ପର୍କରେ ପରାମର୍ଶ  ଦେଇଛନ୍ତି। ବୈଠକରେ ଜିଲ୍ଲାସ୍ତରରେ ଏକ  ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ପ୍ରଦର୍ଶନୀ ଆୟୋଜନ  ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଶିଳ୍ପକେନ୍ଦ୍ର,  ଜିଲ୍ଲା  ପ୍ରାଣୀ ସଂପଦ ଅଧିକାରୀ, ଉପନିର୍ଦ୍ଦେଶକ,କୃଷି, ଜିଲ୍ଲା ମତ୍ସ୍ ୟସମ୍ପଦ ଅଧିକାରୀ,  ନିର୍ବାହୀ ଯନ୍ତ୍ରୀ,କୃଷି( ଆପିକଲ), ଡିଭିଜନାଲ ମୁଖ୍ୟ, ଇଡକୋ, ବଲାଙ୍ଗିର ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ କ୍ଷେତ୍ରରୁ ପ୍ରାୟ  20  ଜଣ ଉଦ୍ୟୋଗୀ ଏହି ବୈଠକରେ ଅଂଶଗ୍ରହଣ କରିପାରସ୍ପରିକ ଆଲୋଚନା ପୂର୍ବକ ଅଭିଜ୍ଞତା ବାଣ୍ଟିବା ସହ  ପରବର୍ତ୍ତୀ ସଫଳ ପଦକ୍ଷେପ ପାଇଁ ଆଲୋଚନା କରିଥିଲେ ।