Categories
ଆଞ୍ଚଳିକ

ବାଣପୁରର ଆଉ ଦୁଇଟି ପଞ୍ଚାୟତକୁ କରାଗଲା ସଟ୍‌ଡାଉନ୍‌

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ମହାମାରୀ କରୋନା ଯୋଗୁଁ ବାଣପୁର ବ୍ଲକର ଆଉ ଦୁଇଟି ପଞ୍ଚାୟତ ସଟ୍‌ଡାଉନ୍‌ କରାଯାଇଛି। ଆଜିଠାରୁ ଆଗାମୀ ୪୮ ଘଣ୍ଟା ପାଇଁ ଦୁଇଟି ପଞ୍ଚାୟତକୁ ସଟ୍‌ଡାଉନ୍‌  ଘୋଷଣା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ନାଚୁଣୀ ଓ ମୋରାମୋରି ପଞ୍ଚାୟତରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ପଞ୍ଚାୟତକୁ ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ମୋରାମୋରି ପଞ୍ଚାୟତରେ ଜଣେ ଗୁଜୁରାଟ ଫେରନ୍ତାଙ୍କ ସ୍ବାବ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସ୍ଥାନୀୟ ସରପଞ୍ଚ ସବିତା ନାୟକ ଉକ୍ତ ପଞ୍ଚାୟତକୁ ଆସନ୍ତା ୨ ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ ଗହୀର ମୋରାମୋରି ଗ୍ରାମକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ସେହିପରି ଗତକାଲି ନାଚୁଣୀ ପଞ୍ଚାୟତର ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଗ୍ରାମର ସରପଞ୍ଚ କାବୁଲ୍‌ ପ୍ରଧାନ ଉକ୍ତ ପଞ୍ଚାୟତକୁ ଆସନ୍ତା ତିନି ତାରିଖ ଯାଏ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଆକ୍ରାନ୍ତମାନେ ଗୁଜୁରାଟ ଓ ମହାରାଷ୍ଟ୍ର ଫେରନ୍ତା ବୋଲି ଜଣାପଡିଛି। ନାଚୁଣୀ ପଞ୍ଚାୟତର ଜୀବନଦେଈପୁର, କହ୍ନେଇପୁର, ଗୋରଡାଝରୀ ଗ୍ରାମକୁ ଗତକାଲି ସନ୍ଧ୍ୟା ୬ ଘଟିକାଠାରୁ ଆସନ୍ତା ତିନି ତାରିଖ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅବରୋଧ ଭାବେ ଘୋଷଣା କରାଯାଇଛି। ଏହି ନୋଟିସ୍‌ର ଅବମାନନା କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

ଏହି ସମୟରେ ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିବାବେଳେ ବଜାରକୁ ଆସିବାକୁ ବାରଣ କରାଯାଇଛି। ସେହିପରି ଗମ୍ଭାରୀମୁଣ୍ଡା କ୍ବାରେଣ୍ଟାଇନ୍‌ କେନ୍ଦ୍ରକୁ କଣ୍ଟନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଗମ୍ଭାରୀମୁଣ୍ଡା ସରପଞ୍ଚ ଜେ.କେ ମହାରଥା ମଧ୍ୟ ଗତକାଲି ଗମ୍ଭାରୀମୁଣ୍ଡା ବଜାରର ଦୋକାନ ବଜାର ଖୋଲିବାକୁ ନିଷିଦ୍ଧ କରିଛନ୍ତି। ଏହା ଆସନ୍ତା ତିନି ତାରିଖ  ସକାଳ ୭ଟା ଯାଏ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି।