Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯୁବଶକ୍ତିଙ୍କ ପାଇଁ ସୁଯୋଗର ନୂତନ ଦ୍ୱାର ଖୋଲିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିଏପିଏଫ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପଦବୀ ପାଇଁ ଅନୁଷ୍ଠିତ ଲିଖିତ ପରୀକ୍ଷା ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ କରାଯିବା ନିଷ୍ପତିକୁ ଟ୍ୱିଟ୍ କରି ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ନିଷ୍ପତି ଆମର ଭାଷା ବିବିଧତାକୁ ପାଳନ କରିବାର ଅବସର ଦେଇଛି। ଭାରତୀୟ ଭାଷାର ପ୍ରଚାରକୁ ପ୍ରୋତ୍ସାହନ ଦେବା ସହ ଏହି ନିର୍ଣ୍ଣୟ ଯୁବଶକ୍ତିଙ୍କ ପାଇଁ ସୁଯୋଗର ନୂଆ ଦ୍ୱାର ଖୋଲିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ।

ସେ କହିଛନ୍ତି ଏହା ଏକ ଐତିହାସିକ ନିଷ୍ପତି। ସିଏପିଏଫ ପାଇଁ କନଷ୍ଟେବଳ ପରୀକ୍ଷା ଇଂରାଜୀ ଓ ହିନ୍ଦୀ ଭାଷା ବ୍ୟତିତ ୧୩ଟି ଭାରତୀୟ ଭାଷାରେ ହେବା ଦ୍ୱାରା ଅଧିକ ସଂଖ୍ୟକ ଯୁବବର୍ଗମାନେ ଉପକୃତ ହେବେ। ବିଶେଷ ଭାବରେ ଗ୍ରାମାଞ୍ଚଳର ଯୁବବର୍ଗମାନେ ଏହାର ସୁବିଧା ପାଇପାରିବେ। ଏହି ନିର୍ଣ୍ଣୟ ସବୁ ଭାରତୀୟ ଭାଷାର ପ୍ରଚାର ପ୍ରସାର ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

ଉଲ୍ଲେଖନୀୟ ଯେ, କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ସିଏପିଏଫରେ ସ୍ଥାନୀୟ ଯୁବକମାନଙ୍କର ଭାଗିଦାରୀ ବଢ଼ାଇବା ଏବଂ ଆଞ୍ଚଳିକ ଭାଷାଗୁଡ଼ିକୁ ପ୍ରୋତ୍ସାହନ ଦେବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଣିକି ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଓଡ଼ିଆ, ଅହମୀୟା, ବଙ୍ଗଳା, ଗୁଜରାଟୀ, ମରାଠୀ, ମାଲାୟଲମ, କନ୍ନଡ଼, ତାମିଲ, ତେଲୁଗୁ, ଊର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଏବଂ କୋଙ୍କଣୀ ଭାଷା ଗୁଡ଼ିକରେ ସିଏପିଏଫ ପରୀକ୍ଷାରେ  ପ୍ରଶ୍ନପତ୍ର ପ୍ରସ୍ତୁତ ହେବ।