Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଆଜି ରସଗୋଲା ଦିବସ, ମା ଲକ୍ଷ୍ମୀଙ୍କ ମାନଭଂଜନ କରିବେ ପ୍ରଭୃ ଶ୍ରୀଜଗନ୍ନାଥ

ପୁରୀ: ଆଜି ହେଉଛି ରସଗୋଲା ଦିବସ। ଏହି ଦିବସଟି ମିଠା ବ୍ୟବସାୟୀଙ୍କ ପାଇଁ ଯେତିକି ଗୁରୁତ୍ବ, ଜଗନ୍ନାଥ ପ୍ରେମୀଙ୍କ ପାଇଁ ସେତିକି ଗୁରୁତ୍ବ। କାରଣ ଆଜି  ମା ଲକ୍ଷ୍ମୀଙ୍କ ମାନଭଂଜନ ପାଇଁ ତାଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ରସଗୋଲା ପ୍ରଦାନ କରିବେ। ଏହି ପରଂପରା କାହିଁ କେଉଁ କାଳରୁ ଜଗନ୍ନାଥ ସଂସ୍କୃତିରେ ପ୍ରଚଳିତ ହୋଇ ଆସୁଛି। ପ୍ରତି ବର୍ଷ ପ୍ରଭୁଙ୍କ ନୀଳାଦ୍ରୀବିଜେ ବେଳେ ଏହି ପର୍ବ ପାଳିତ ହୋଇଥାଏ।

ପରଂପରା ଅନୁସାରେ ପ୍ରତିବର୍ଷ ରଥଯାତ୍ରାରେ ତିନିଠାକୁର ଶ୍ରୀମନ୍ଦିର ପରିତ୍ୟାଗ କରି ଗୁଣ୍ଡିଚା ମନ୍ଦିର ଆସିଥାନ୍ତି। ଏହି ସମୟରେ ମା ଲକ୍ଷ୍ମୀଙ୍କୁ ଜଗନ୍ନାଥ ସାଥୀରେ ଆଣନ୍ତି ନାହିଁ। ଫଳରେ ମା ଲକ୍ଷ୍ମୀ ରାଗିଯାଇ ପ୍ରଭୃଙ୍କ ରଥକୁ ଭାଙ୍ଗି ଦିଅନ୍ତି। ମା ଙ୍କ ଏପରି ରାଗ ଦେଖି ପ୍ରଭୁ ମନ୍ଦିର ପ୍ରତ୍ୟାବର୍ତ୍ତନ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ତାଙ୍କ ରାଗକୁ ଶାନ୍ତ କରାନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ସଂସ୍କୃତି

ଫକୀର ମୋହନଙ୍କ “ରସଗୋଲା’

ଅସୀତ ମହାନ୍ତି

ଓଡ଼ିଆ ସାହିତ୍ୟର ଇତିହାସରେ ୨୦୧୮ ବର୍ଷ ଥିଲା ଏକ ବିରଳ ସଂଯୋଗର ବର୍ଷ। କାରଣ ସେବର୍ଷଟି ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ବ୍ୟାସକବି ଫକୀରମୋହନଙ୍କ ଜନ୍ମର ୧୭୫ ବର୍ଷ ଓ ମୃତ୍ୟୁର ୧୦୦ ବର୍ଷ। ସେ ନେଇ ଓଡ଼ିଶା ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଛୋଟବଡ଼ ଅନେକ ଅନୁଷ୍ଠାନ ପକ୍ଷରୁ କେତେକ ଛୋଟବଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶାନ୍ତିନିକେତନ ସମେତ ରାଜ୍ୟ ଓ ଦେଶର କେତେକ ଶିକ୍ଷାନୁଷ୍ଠାନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ସଭା, ସେମିନାର ଆଦି ଆୟୋଜନ ହୋଇଛି।

ଏ ପ୍ରସଙ୍ଗରେ ଆଉ ଏକ ଭିନ୍ନ ଦୃଷ୍ଟିର ସଂଯୋଗ ହେଉଛି- ଯେଉଁ ଜାନୁଆରୀ ୧୪, ମକର ସଂକ୍ରାନ୍ତି ତିଥି ଫକୀରମୋହନ ସେନାପତିଙ୍କ ଆବିର୍ଭାବ ଦିବସ, ଠିକ୍‍ ଦୁଇମାସ ତଳେ, ନଭେମ୍ୱର ମାସର ସେହି ୧୪ ତାରିଖ ଦିନରେ ପଶ୍ଚିମବଙ୍ଗ “ବାଂଲାର ରସଗୋଲ୍ଲା’ ପାଇଁ ଭୌଗୋଳିକ ପରିଚିତି (ଜି.ଆଇ.) ମାନ୍ୟତା ପାଇଛି। ଏହି ପରିପ୍ରେକ୍ଷୀରେ “ଫକୀରମୋହନଙ୍କ ରସଗୋଲା’ ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ।

ଫକୀରମୋହନଙ୍କ ଜୀବନ ଓ ସାହିତ୍ୟର ଏକ ବିଶେଷତ୍ୱ ହେଉଛି, ଯେଉଁ କାଳଖଠରେ ସେ ଜୀବିତ ଓ ସୃଷ୍ଟିଶୀଳ ଥିଲେ, ସେହି ସମୟ ଥିଲା ଓଡ଼ିଆ ଅସ୍ମିତାର ଏକ ସନ୍ଧିକାଳ ଏବଂ ସେ ତାଙ୍କର ସାଧ୍ୟମତେ ଏହି ଅସ୍ମିତାର ଉଦ୍‍ବୋଧନପାଇଁ ଉଦ୍ୟମ କରିଥିଲେ। ସେଇଥିପାଇଁ, ତାଙ୍କ ଜନ୍ମର ୧୭୫ ବର୍ଷ ଓ ମୃତ୍ୟୁ ଶତବାର୍ଷିକୀ ଅବସରରେ, ସେ ସର୍ବାଧିକ ସଂଜୀବିତ ଥିବାପରି ମନେ ହେଉଛନ୍ତି।

ଏ ପ୍ରସଙ୍ଗରେ ଆହୁରି ଏକ ବିରଳ ସଂଯୋଗ ହେଉଛି, ଏ ଭିତରେ ଫକୀର ମୋହନଙ୍କ “ଉତ୍କଳଭ୍ରମଣଂ’ର ମଧ୍ୟ ୧୨୬ ବର୍ଷ ପୂର୍ଣ୍ଣ ହୋଇଛି। ଏ ସଂପର୍କିତ ବିବରଣୀରୁ ଜଣାଯାଏ, ୧୮୯୨ ମସିହା ଫେବୃଆରି ମାସରେ ଫକୀରମୋହନଙ୍କ “ଉତ୍କଳ ଭ୍ରମଣଂ’ର ପହିଲି ଗସ୍ତ ଲିଖିତ ହୋଇ, ଆନନ୍ଦପୁର ପ୍ରେସ୍‍ରୁ ପ୍ରକାଶ ପାଇଥିଲା। ତାହା ପ୍ରକାଶ ପାଇଥିଲା ବିନା ମୂଲ୍ୟରେ ବିତରିତ ହେବାପାଇଁ ଏବଂ ପୁସ୍ତକର ସୂଚନା ଅନୁସାରେ ତାହା ଥିଲା “କେନ ଉତ୍କଳପୁତ୍ରେଣ ବିରଚିତ’। ପୁସ୍ତକର ବର୍ଣ୍ଣନା ଶୈଳୀ ଓ ବିଷୟ ପ୍ରକରଣ ଏପରି ଅଭିନବ ଥିଲା ଯେ ସେତେବେଳେ ନୀଳମଣି ବିଦ୍ୟାରତ୍ନ ତାହାକୁ “ସମ୍ୱଲପୁର ହିତୈଷିଣୀ’ରେ କ୍ରମାନ୍ୱୟରେ ପୁନର୍ମୁଦ୍ରଣ କରିଥିଲେ। ପରବର୍ତ୍ତୀ କାଳରେ, ସେହିବର୍ଷ ଜୁଲାଇ ମାସରେ “ଉତ୍କଳ ଭ୍ରମଣଂ’ର ଦୁସରା ଗସ୍ତ ବାଲେଶ୍ୱରର ଉତ୍କଳ ପ୍ରିଣ୍ଟିଂ ପ୍ରେସରେ ମୁଦ୍ରିତ ହୋଇ ପ୍ରକାଶ ପାଇଲା। ପହିଲିଗସ୍ତ ପରି ଏହି ଦୁସରା ଗସ୍ତ ମଧ୍ୟ ବିନାମୂଲ୍ୟରେ ବିତରିତ ହେବାପାଇଁ ଉଦ୍ଦିଷ୍ଟ ଥିଲା। ପରେ ୧୮୯୯ ଓ ୧୯୧୬ରେ ଯଥାକ୍ରମେ ତାହାର ଦ୍ୱିତୀୟ ଓ ତୃତୀୟ ସଂସ୍କରଣ ଏବଂ ୧୯୨୫ରେ ତାଙ୍କ ପୁତ୍ର ମୋହିନୀମୋହନ ସେନାପତିଙ୍କ ଦ୍ୱାରା ଚତୁର୍ଥ ସଂପାଦିତ ସଂସ୍କରଣ ପ୍ରକାଶ ପାଇଥିଲା।

“ଉତ୍କଳ ଭ୍ରମଣଂ’ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ଇତିହାସ ଆଦିର ଏକ ଅମୂଲ୍ୟ ଦଲିଲ। ଏଥିରେ ପ୍ରାୟ ୯୦ ଜଣ ବିଶିଷ୍ଟ ବ୍ୟକ୍ତି, ପ୍ରାୟ ୧୨ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ କେତେକ ଗୋଷ୍ଠୀ ଓ ଅନୁଷ୍ଠାନ ସଂପର୍କରେ ବ୍ୟଞ୍ଜନାପୂର୍ଣ୍ଣ ଆଲେଖ୍ୟ ଅଛି। ଏପରିକି ପୁରୀ ମନ୍ଦିର ଓ ତାହାର ଚଳନ୍ତି ବ୍ୟବସ୍ଥା ବାବଦରେ ମଧ୍ୟ ଫକୀରମୋହନ ଅତ୍ୟନ୍ତ କଠୋର ମତ, ମନ୍ତବ୍ୟ ଦେଇଛନ୍ତି।

ତେବେ ଗୋଟିଏ ଉଲ୍ଲେଖନୀୟ ବିଷୟ ହେଉଛି, ଯେଉଁ ୧୮୯୨ ବର୍ଷର ଜୁଲାଇ ମାସରେ ଏହା ପ୍ରଥମେ ପୁସ୍ତକ ଆକାରରେ ପ୍ରକାଶ ପାଇଥିଲା, ତାହାର ପର ମାସରେ, “ଉତ୍କଳ ଦୀପିକା’ର ଅଗଷ୍ଟ ୨୭ ତାରିଖ ସଂଖ୍ୟାରେ ପ୍ରକାଶ ପାଇଥିଲା ତାହାର ଏକ ରୋଚକ ସମୀକ୍ଷା  ଢେଙ୍କାନାଳଗଡ଼ରୁ ୧୬ ଅଗଷ୍ଟ ୧୮୯୨ରେ ପ୍ରେରିତ ସେହି ସମୀକ୍ଷା ପଦ୍ୟାକାରରେ ରଚିତ ଏବଂ ତାହା ଢେଙ୍କାନାଳ ରାଜବଂଶଜ ଦାମୋଦର ପଟ୍ଟନାୟକ ଲେଖିଥିବା ଜଣାଯାଏ। କୌତୁକର ବିଷୟ ହେଉଛି- “ଉତ୍କଳ ଭ୍ରମଣଂ’ରୁ ଗୋଟିଏ ପଙ୍‍କ୍ତି ନେଇ ଏବଂ ତା’ ସହିତ ଆଉ ଗୋଟିଏ ପଙ୍‍କ୍ତି ଯୋଡ଼ି, ସେ ସେହି ସମୀକ୍ଷାର ଶୀର୍ଷକକୁ ଏକ ପଦର ରୂପ ଦେଇଛନ୍ତି। ସେହି ପଦଟି ହେଉଛି-

“ନିନ୍ଦା ଯଶ ଗନ୍ଧ ବାସ ରୁହେ ନାହିଁ ଢଙ୍କା

ଏ ପରି କବିତା ପାଇଁ ନଲାଗଇ ଟଙ୍କା।”

କିନ୍ତୁ “ରସଗୋଲା’କୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଏବେ ଜାରି ରହିଥିବା ବିବାଦ ପରିପ୍ରେକ୍ଷୀରେ, ସେହି ସମୀକ୍ଷାର ପ୍ରଥମ ଦୁଇପଦ ଖୁବ୍‍ ଗୁରୁତ୍ୱପୂର୍ଣ୍ଣ। ସେଥିରେ ସେ ଲେଖିଛନ୍ତି-

“”ପଢ଼ିଲି ପଢ଼ିଲି ମୁହିଁ ଉତ୍କଳ ଭ୍ରମଣ।

ଓଡ଼ିଆରେ ବହୀ ଖଠେ ଏକା ଏକୁ ଗଣ।

ଖଟା ମିଠା ସବୁ ଅଛି ଚୁଡ଼ା ରସଗୋଲ୍ଲା।

କିଏ ବା ହୋଇଛି ତହିଁ ଅଲ୍ଲା ବିସମୁଲ୍ଲା।”

ଅବଶ୍ୟ ଫକୀରମୋହନଙ୍କ “ଉତ୍କଳ ଭ୍ରମଣଂ’ରେ “ଚୁଡ଼ା’ ସହିତ “ଚିତଉ’ ଆଦି “ପିଠା’ ଓ “ଲଡ଼ୁ’ ଆଦି ନାନାଜାତି “ମିଠା’ ଏବଂ “ଛେନାବରା’ ପରି ଅନ୍ୟ କେତେକ ଖାଦ୍ୟଦ୍ରବ୍ୟର ବର୍ଣ୍ଣନା ଅଛି- କିନ୍ତୁ “ରସଗୋଲା’ (ରସଗୋଲ୍ଲା) ମିଳେ ନାହିଁ। କିନ୍ତୁ ପ୍ରମୋଦ ପଟ୍ଟନାୟକ ଏହା ଲେଖିଛନ୍ତି ପ୍ରତୀକାତ୍ମକ ଭାବରେ ଏବଂ ଖଟା, ମିଠା, ଚୁଡ଼ା, ରସଗୋଲ୍ଲା, ଅଲ୍ଲା, ବିସମୁଲ୍ଲା- ସବୁ ସେଥିରେ ଏକ ଏକ ପ୍ରତୀକ ଭାବରେ ବ୍ୟବହୃତ ହୋଇଛନ୍ତି। ଏହା ମଧ୍ୟ ସୂଚାଏ ଯେ ୧୮୯୨ରେ “ଉତ୍କଳ ଭ୍ରମଣଂ’ର ରଚନାର ବହୁ ପୂର୍ବରୁ, ଚୁଡ଼ା ଏକ ସାଧାରଣ ଖାଦ୍ୟ ଭାବରେ ଓ ରସଗୋଲା ଏକ ସଂଭ୍ରାନ୍ତ ମିଷ୍ଟାନ୍ନ ଭାବରେ ଓଡ଼ିଶାରେ ସୁପ୍ରଚଳିତ ଥିଲା।

ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ “ରସଗୋଲା’ର ପ୍ରାଚୀନତା ନେଇ ଚାଲିଥିବା ବିତର୍କର ଅନୁଧ୍ୟାନ କଲେ ଜଣାଯାଏ ଯେ ଉଭୟ ରାଜ୍ୟ ପକ୍ଷରୁ ଏ ବାବଦରେ ନିଜ ନିଜ ସାହିତ୍ୟର ପ୍ରମାଣକୁ ମଧ୍ୟ ଗୁରୁତ୍ୱ ଦିଆ ହୋଇଆସିଛି। କଲିକତାର “ଗାଙ୍ଗଚିଲ’ ପ୍ରକାଶନ ପକ୍ଷରୁ ପ୍ରକାଶିତ ବଙ୍ଗଳା ବହି (ରସଗୋଲ୍ଲା- ବାଂଲାର ଜଗତମାତାନୋ ଆବିଷ୍କାର)ରେ “ରସଗୋଲ୍ଳା’ର ସର୍ବପ୍ରାଚୀନ ସାହିତ୍ୟକ ଉଲ୍ଲେଖ ଅଛି ବୋଲି କୁହାଯାଇଛି। ସେହି ପ୍ରମାଣ ହେଉଛି “ରସିକତା’ ପତ୍ରିକାର ୧୮୯୬ ମସିହା, ପ୍ରଥମ ଭାଗରେ ପ୍ରକାଶିତ “ରସଗୋଲାର ସ୍ତବ’ କବିତା। ରାଖାଲ ଦାସ ଅଧିକାରୀ ତାହାର ରଚୟିତା। ଯେ କେହି ବ୍ୟକ୍ତି “ରସଗୋଲ୍ଲା’ ନାମକ ଏକ ମିଠା ଖାଇ ତାହାର ସ୍ୱାଦରେ ମୁଗ୍ଧ ହୋଇ ଏପରି କବିତା ଲେଖିବା କିଛି ଅସ୍ୱାଭାବିକ ନୁହେ। ଅପରପକ୍ଷେ, ଏହି ଲେଖକର “ଶ୍ରୀଜଗନ୍ନାଥଙ୍କ ରସଗୋଲା’ ବହି (ପ୍ରକାଶକ, ଆମ ଓଡ଼ିଶା)ରେ ପଞ୍ଚଦଶ ଶତାବ୍ଦୀ ଶେଷଭାଗର ବଳରାମ ଦାସଙ୍କ “ଦାଣ୍ଡି ରାମାୟଣ’କୁ ଓଡ଼ିଶାର ପ୍ରମାଣ ରୂପେ ଉପସ୍ଥାପିତ କରାଯାଇଛି। “ଦାଣ୍ଡି ରାମାୟଣ’ର “ଅଯୋଧ୍ୟା କାଣ୍ଡ’ରେ ଥିବା ବର୍ଣ୍ଣନା ଅନୁସାରେ, ଭରତ, ଶତ୍ରୁଘ୍ନ ଓ ଅନ୍ୟମାନଙ୍କୁ ଭରଦ୍ୱାଜ ମୁନି ତାଙ୍କ ଆଶ୍ରମରେ ଯେଉଁସବୁ ଖାଦ୍ୟ ଦ୍ରବ୍ୟ ପରଷିଛନ୍ତି, ତା’ ମଧ୍ୟରେ ବହୁ ଓଡ଼ିଆ ଖାଦ୍ୟ ସହିତ ରସଗୋଲା ରହିଛି। “ଅଯୋଧ୍ୟା କାଣ୍ଡ’ର ସେହି ପଦରୁ କେତୋଟି ହେଉଛି-

“ନାଡ଼ୀ ସରପୁଳି ଯେ ଆରିଷା ଛେନାପୁରୀ।

କାକରା ଛେନା ଲଡ଼ୁ ଯେ ମାଲପୁଆ ପୁରୀ।

ସଜମରା ଘିଅ ଆଣି ଦ୍ୟନ୍ତି ବଢ଼ାବଢ଼ା

ଗଜା କଚୁରୀ ପଣସ ଖୋସା ବୀରିବରା।।

କୋରା ରସଗୋଲା ଯେ ଅମୃତ ରସାବଳୀ।

ମଠା ନାନମାନ ଅମୃତପାଣି କଦଳୀ।”

ପ୍ରାୟ ୫୦୦ ବର୍ଷ ତଳର ଏହି ପ୍ରାଚୀନ ପ୍ରମାଣ ବ୍ୟତୀତ, ଆଧୁନିକ ସାହିତ୍ୟର ପ୍ରମାଣ ଭାବରେ ଓଡ଼ିଆ “ରସଗୋଲା’ ବହିରେ ଦିଆଯାଇଛି “ଇନ୍ଦ୍ରଧନୁ’ ପତ୍ରିକାର ୧୮୯୩ ମସିହା, ଡିସେମ୍ୱର ୧୪ ସଂଖ୍ୟାରେ ପ୍ରକାଶିତ “ବାଲିଯାତ୍ରା’ କବିତା। ସେହି ଦୀର୍ଘ କବିତାରେ କଟକର ଇତିହାସ-ପ୍ରସିଦ୍ଧ ବାଲିଯାତ୍ରାର ବିଶଦ ବର୍ଣ୍ଣନା ସହିତ ସେଠାରେ ବିକ୍ରି ହେଉଥିବା ଗୁଡ଼ିଆସାହୁ ଦୋକାନ ଓ ସେଥିରେ ବିକ୍ରି ହେଉଥିବା “ରସଗୋଲା’ର ବର୍ଣ୍ଣନା ରହିଛି। ତାହାର ୩୫ ଓ ୩୬ ପଦରେ କୁହାଯାଇଛି-

“ଗୁଡ଼ିଆ ସାହୁର                  ମିଠାଇ ଦୋକାନ

ହୋଇଅଛି ବଡ଼ ଜାକଜମକ

ଲଡ଼ୁ ରସଗୋଲା                 ବରଫି, ଜଲପି

ପୁଣି ତେଜପତ୍ର ପୋଡ଼ା ପିଷ୍ଟକ। (୩୫)

କଞ୍ଚାଗୋଲା ସର-               ପୁଳି ମାଲପୁଆ

ମୋହନଭୋଗ ଯେ ଲାଲମୋହନ

କେତେ କି କହିବା                ଦେଖି ନଖାଇଲେ

ପାଟିରୁ ବହିବ ଲାଳ ବହନ।”

ଏହା ବଙ୍ଗୀୟ ‘ରସଗୋଲ୍ଲା’ର ୧୮୯୬ ମସିହା ପ୍ରମାଣର ତିନିବର୍ଷ ପୂର୍ବର ପ୍ରମାଣ।

କିନ୍ତୁ ‘ଉତ୍କଳଭ୍ରମଣଂ’ର ଉପର ସୂଚିତ ସମୀକ୍ଷା ଏହାର ଆହୁରି ପ୍ରାଚୀନ ପ୍ରମାଣ। କାରଣ ଏହା ବଙ୍ଗଳା ‘ରସିକତା’ ପତ୍ରିକାର ‘ରସଗୋଲ୍ଲାର ସ୍ତବ’ କବିତାର ଚାରିବର୍ଷ ପୂର୍ବରୁ (୧୮୯୨)ପ୍ରକାଶିତ ଏବଂ କେବଳ ‘ରସଗୋଲା’ ନୁହେ, ରସଗୋଲାର ପ୍ରତୀକାତ୍ମକତାର ସୂଚକ।

କିନ୍ତୁ ଫକୀରମୋହନଙ୍କ ରଚନାରୁ ‘ରସଗୋଲା’ର ଆଉ ଏକ ପ୍ରତ୍ୟକ୍ଷ ପ୍ରମାଣ ମଧ୍ୟ ମିଳେ। ତାହା ହେଉଛି- ତାଙ୍କର ଏକ ଭ୍ରମଣ-ବୃତ୍ତାନ୍ତ ‘ଓୟାଲ୍‍ଟେୟାର ଦର୍ଶନ’। ତାହା ‘ଉତ୍କଳ ସାହିତ୍ୟ’ର ୭ମ ବର୍ଷ, ୧ମ ସଂଖ୍ୟା, ୧୩୧୦-୧୧ ସାଲ (୧୯୦୪)ରେ ପ୍ରକାଶିତ। ଏ ସଂପର୍କିତ ବିବରଣୀରୁ ଜଣାଯାଏ ଯେ ଏପ୍ରିଲ୍‍ ୧୧ ଓ ୧୨ ତାରିଖ ଦୁଇଦିନ ବ୍ରହ୍ମପୁରଠାରେ ‘ଗଞ୍ଜାମ ଜାତୀୟ ସମ୍ମିଳନୀ’ ଅନୁଷ୍ଠିତ ହୋଇଥିଲା ଏବଂ ମଧୁସୂଦନ ଦାସ ଓ ବିଶ୍ୱନାଥ କର ପ୍ରମୁଖଙ୍କ ସହିତ ଫକୀରମୋହନ ସେହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।

ସମ୍ମିଳନୀ ପରେ ସେଠାରେ କିଛିଦିନ ଅବସ୍ଥାନ କରିବା ପରେ, ଯୁବରାଜ ବିକ୍ରମଦେବ ବର୍ମା (୧୮୬୯-୧୯୫୧)ଙ୍କ ନିମନ୍ତ୍ରଣକ୍ରମେ ସେ ଓ୍ୱାଲଟିୟର ଯାଇଥିଲେ। ଏ ସଂପର୍କରେ ସେହି ଭ୍ରମଣ ବୃତ୍ତାନ୍ତରେ ସେ ଲେଖିଛନ୍ତି- ‘‘ଉତ୍କକର ଶିକ୍ଷିତ, ସ୍ୱଦେଶବତ୍ସଳ ସୁସନ୍ତାନମାନେ ଗତ ଏପ୍ରିଲ୍‍ ମାସ ୧୧/୧୨ ତାରିଖରେ ବ୍ରହ୍ମପୁରଠାରେ ମାତୃସେବା ସମାପ୍ତ କରି ସ୍ୱସ୍ୱ ଗନ୍ତବ୍ୟ ସ୍ଥାନକୁ ଯାତ୍ରା କଲା ଉତ୍ତାରେ ଆମ୍ଭେମାନେ ସେମାନଙ୍କଠାରୁ ବିଦାୟ ଗ୍ରହଣ କରି କିଛିଦିନ ସେହିଠାରେ ଅବସ୍ଥାନ କରି ଏପ୍ରିଲ୍‍ ମାସ ୨୪ ତାରିଖ ଦିନ ଦିବା ୧୨ ଘଣ୍ଟା ସମୟରେ ବ୍ରହ୍ମପୁର ଷ୍ଟେସନରୁ ଟିକିଟ କ୍ରୟ କରି ମାନ୍ଦ୍ରାଜଗାମୀ ଟ୍ରେନ୍‍ରେ ଯାତ୍ରା କଲୁଁ। ସନ୍ଧ୍ୟା ୭ ଘଟିକା ସମୟରେ ଟ୍ରେନ୍‍ ଓୟାଲ୍‍ଟେୟାରରେ ଉପସ୍ଥିତ ହେଲା।… ପ୍ରିନ୍‍ସ ବିକ୍ରମ ଦେଓ ବର୍ମାଙ୍କ ପ୍ରେରିତ ବାବୁ ବଡ଼ ନିନା ଦେଓ ଆମ୍ଭମାନଙ୍କ ଅପେକ୍ଷାରେ ପ୍ଲାଟଫର୍ମରେ ଦଣ୍ଡାୟମାନ ଥିଲେ। ଟ୍ରେନରୁ ଅବତରଣ କଲା ମାତ୍ରକେ ତାଙ୍କ ସହିତ ସାକ୍ଷାତ ହେଲା। ବାବୁ ନିନା ଦେଓ ଆମ୍ଭମାନଙ୍କୁ ଅତି ଯତ୍ନ ଓ ଆଦର ସହିତ ରାଜକୀୟ ଅଶ୍ୱଶକଟରେ ଘେନିଗଲେ। ଆମ୍ଭମାନଙ୍କ ବାସ ନିମନ୍ତେ ବିଶାଖାପତ୍ତନ ସହର ମଧ୍ୟଭାଗରେ ଗୋଟିଏ କ୍ଷୁଦ୍ର ସୁନ୍ଦର ଦ୍ୱିତଳ ଗୃହ ନିରୂପିତ ଥିଲା।… ଆହାରାଦି କରି ପରମାନନ୍ଦରେ ରାତ୍ରିଯାପନ କଲୁଁ।”

ଏହି ପରିପ୍ରେକ୍ଷୀରେ ସେଠାର ଦର୍ଶନୀୟ ସ୍ଥାନଗୁଡ଼ିକର ବର୍ଣ୍ଣନା ସମେତ, ସେଠାର ଖାଦ୍ୟ ରୁଚି ଓ ତାଙ୍କୁ ପରିବେଷଣ କରାଯାଇଥିବା ଖାଦ୍ୟର ବର୍ଣ୍ଣନା ଅଛି। ଫକୀରମୋହନ ଲେଖିଛନ୍ତି, “ଦକ୍ଷିଣ ଦେଶସ୍ଥ ଅନ୍ୟାନ୍ୟ ସହର ପରି ଆମ୍ଭେମାନେ ବୈଜାଗ ସହରରେ ମଧ୍ୟ ଉପଯୁକ୍ତ ମିଷ୍ଟାନ୍ନ ଦୋକାନ ଦେଖିଲୁ ନାହିଁ। ଯେ ସମସ୍ତ ଦୋକାନ ଅଛି ତାହା ନେତ୍ର ତୃପ୍ତିକର ଓ ରୁଚିକର ବୋଲି ବୋଧ ହେଲା ନାହିଁ। ବୋଧହୁଏ ଆନ୍ଧ୍ରଲୋକେ ମିଷ୍ଟାନ୍ନକୁ ଏତାଦୃଶ ପସନ୍ଦ କରନ୍ତି ନାହିଁ। ଆମ୍ଭେମାନେ ସେଠାରେ ଯଥେଷ୍ଟ ପରିମାଣର ଉତ୍କୃଷ୍ଟ ରସଗୋଲା, କଚୁରୀ ଓ ପୁରୀ ପାଇ ଆଶ୍ଚର୍ଯ୍ୟବୋଧ କଲୁ। ସେସବୁ ପ୍ରିନ୍‍ସ ବିକ୍ରମ ଦେଓଙ୍କ ସ୍ୱଗୃହ ପ୍ରସ୍ତୁତ।”

ଫକୀରମୋହନଙ୍କର ଏହି ବର୍ଣ୍ଣନା ସ୍ପଷ୍ଟ ସୂଚାଏ ଯେ ବିଂଶ ଶତାବ୍ଦୀର ଆଦ୍ୟଭାଗରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ରସଗୋଲା ପରି ମିଠା ପ୍ରାୟ ପ୍ରଚଳିତ ନଥିବାବେଳେ, ଓଡ଼ିଶାରେ ଓ ସଂଭ୍ରାନ୍ତ ଓଡ଼ିଆ ପରିବାରରେ ରସଗୋଲା ସୁପ୍ରଚଳିତ ଥିଲା।

“ବାଂଲାର ରସଗୋଲ୍ଲା’ ପାଇଁ ପଶ୍ଚିମବଙ୍ଗ ଜି.ଆଇ. ମାନ୍ୟତା ପାଇବାକୁ ଏ ଭିତରେ ପ୍ରାୟ ୧୫ମାସ ବିତିଯିବାକୁ ବସିଛି। ଯଥେଷ୍ଟ ତଥ୍ୟ ପ୍ରମାଣ ମହଜୁଦ ଥିଲେ ମଧ୍ୟ ଓଡ଼ିଶା ସରକାର “ଓଡ଼ିଶାର ରସଗୋଲା’ ବା “ଜଗନ୍ନାଥ ରସଗୋଲା’ପାଇଁ ଜି.ଆଇ. ମାନ୍ୟତା ଦାବି ପାଇଁ ଯଥେଷ୍ଟ ଅବହେଳା ଦେଖାଇଥିଲେ। ବହୁ ବିଳମ୍ୱରେ ଏଥିପାଇଁ ଆବେଦନ କଲେ। ଫକୀରମୋହନଙ୍କ ରସଗୋଲା ପ୍ରସଙ୍ଗ ଓଡ଼ିଶାର ଦାବିକୁ ଆହୁରି ବଳିଷ୍ଠ କରିଛି। ତାଙ୍କ  ଓ୍ୱାଲଟିୟର ଭ୍ରମଣ ବୃତ୍ତାନ୍ତରେ ଏବଂ ତାଙ୍କ “ଉତ୍କଳ ଭ୍ରମଣଂ’ ବାବଦ ଆଲୋଚନାରେ “ରସଗୋଲା’ର ଉପସ୍ଥିତି, ରସଗୋଲା ଯେ ଓଡ଼ିଶାର ଏକ ପ୍ରାଚୀନ ଓ ସୁପ୍ରଚଳିତ ମିଷ୍ଟାନ୍ନ- ଏହାର ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ।

ଏଣୁ ଆଶା କରାଯାଏ, ଫକୀରମୋହନଙ୍କର ମୃତ୍ୟୁର ଶତବାର୍ଷିକୀର ସ୍ମୃତିରେ, ଅନ୍ତତଃ ତାଙ୍କର ସମ୍ମାନାର୍ଥେ ରାଜ୍ୟ ସରକାର ଓଡ଼ିଶାର ଏହି ଲୋକପ୍ରିୟ ମିଷ୍ଟାନ୍ନର ଜି.ଆଇ. ମାନ୍ୟତାପାଇଁ ଅଧିକ ତତ୍ପର ହେବେ।

Categories
ବିଶେଷ ଖବର

ମିଠାର ନାଁ ରସଗୋଲା: କଥା ଓ କଥାନ୍ତର

ଜ୍ୟୋତି ନନ୍ଦ 

ଏଇଠି ପ୍ରଶ୍ନଟି ପୁଣି ତର୍କ ଓ ଆବେଗ କୁ ନେଇ। ପ୍ରସଙ୍ଗଟି ରସଗୋଲା।

ସାଧାରଣତଃ ଇତିହାସ ଆବେଗର ପରିଭାଷା ବୁଝେ ଆଉ ସେହି ଭାଷା ବୁଝେ ବୋଲିତ ଇତିହାସ ସାରା ମାଳମାଳ ଯୁଦ୍ଧ ହୁଏ। କିନ୍ତୁ ସବୁକଥାତ ଆଉ ଖଣ୍ଡା ତଲୁଆରର ଯୁଦ୍ଧରେ ନିର୍ଦ୍ଧାରିତ ହୋଇପାରିବ ନାହିଁ। ସେଇଠି ଆବଶ୍ୟକ ତର୍କସମ୍ମତ ବିଚାର ଯାହା ନିଜର ଅଧିକାରକୁ ସାବ୍ୟସ୍ତ କରିବାକୁ ସହାୟକ ହେବ।

ଆମେ ଆବେଗରେ ଯେ କୌଣସି ବସ୍ତୁ ଉପରେ ଆମର ଅଧିକାର ସାବ୍ୟସ୍ତ କରିପାରୁ ଆଉ ଯଦି ପ୍ରତିପକ୍ଷ କେହି ଆମର ଏହି ଅଧିକାର ଉପରେ ନିଜର ଦାବୀ ଉପସ୍ଥାପନ କରେ, ଆମେ ଅଧିକ ପ୍ରତିକ୍ରିୟାଶୀଳ ହୋଇଉଠୁ।କିନ୍ତୁ ଯଦି ଏହା ଆମର ତର୍କସମ୍ମତ ଉତ୍ତରାଧିକାର ହୋଇଥାଏ, ଯେପରି ଆମର ଘର ଦ୍ୱାର, ସ୍ଥାବର ଅସ୍ଥାବର ସଂପତ୍ତି ସେଇଠି ଆମେ ଅତ୍ୟନ୍ତ ଦୃଢ଼ତାର ସହ, ଯଦି କେହି ସେଥିରେ ନିଜର ଭାଗ ବସେଇଇବାକୁ ଆସେ ତାହାର ମୁକାବିଲା କରିଥାଉ। କହିବା କଥା ହେଉଛି ଆବେଗରୁ ଯେଉଁ ଅଧିକାରର ବୋଧ ଆମ ଭିତରେ ଥାଏ ତାହା ତୁଳନାରେ ତର୍କସମ୍ମତ ଅଧିକାରର ଉପଲବ୍ଧି ଅଧିକ ସୁଦୃଢ଼।

ରସଗୋଲାକୁ ନେଇ ଆମର ଉତ୍ତରାଧିକାରଟି ଆବେଗଭିତ୍ତିକ ନା ତର୍କସମ୍ମତ ସେଇଟି ଆମକୁ ପ୍ରଥମେ ବୁଝିବାକୁ ପଡ଼ିବ। ଆମେ ଯଦି ଆମର ତର୍କ କେବଳ ଆବେଗକୁ ଆଧାର କରି ଉପସ୍ଥାପନ କରୁଥିବା ତେବେ ଆମର ଉତ୍ତରାଧିକାରର ସେହି ସଫଳତା ଏକ ନିରପେକ୍ଷ ପୃଷ୍ଠଭୂମିରେ କେତେ ସଫଳ ହୋଇପାରେ ତାହା ଆପଣମାନେ ନିଜେ ବିଚାର କରିପାରିବେ। ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବାହୁଡ଼ା ବିଜୟରେ ମା ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଆଣି ଶ୍ରୀମନ୍ଦିରକୁ ଆସିବା କଥାଟି ଆମର ଏକ ଦାମ୍ପତ୍ୟ କଳହର ମଧୁର ଉପସମାପ୍ତି ଭଳି ମଧୁର ମାତ୍ର ଏହା ସହିତ ଏହି ପ୍ରସଙ୍ଗଟି ବି ଆସୁଛି ଯେ ରସଗୋଲାଟି ହାଟରୁ/ବାହାରୁ ଶ୍ରୀମନ୍ଦିରକୁ ଆସୁଛି। ଅର୍ଥାତ୍ ଏହା ଶ୍ରୀମନ୍ଦିର ପ୍ରସ୍ତୁତ ଭୋଗ ଦ୍ରବ୍ୟ ନୁହଁ। ୧୮୦୫ ମସିହାରେ ଚାର୍ଲସ୍ ଗ୍ରୋମ୍ ଙ୍କ ଜଗନ୍ନାଥ ମନ୍ଦିର ସଂପର୍କରେ ଯେଉଁ ବିସ୍ତୃତ ରିପୋର୍ଟ ରହିଛି ସେଥିରେ ଶ୍ରୀମନ୍ଦିରରେ ପ୍ରସ୍ତୁତ ଭୋଗ ତାଲିକାରେ ରସଗୋଲା ଟି ଅନୁପସ୍ଥିତ।

ତେଣୁ ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉନଥିବା କାରଣରୁ ଏହି ଭୋଗଦ୍ରବ୍ୟଟି ହିଁ ଏକ ପରବର୍ତ୍ତି ବାହ୍ୟ ସଂଯୋଜନ ବୋଲି ଅନୁମାନ କଲେ ଐତିହାସିକ ଦୃଷ୍ଟିକୋଣରୁ ସେତେ ଭୂଲ୍ ହେବ ନାହିଁ। ତାହା ସହିତ ଏକଥା ମଧ୍ୟ ଆମକୁ ବିଚାର କରିବାକୁ ହେବ ଶ୍ରୀ ଶ୍ରୀ ଜଗନ୍ନାଥ କେବଳ ଯେ ଶ୍ରୀମନ୍ଦିର ରେ ମା ଲକ୍ଷ୍ମୀଙ୍କ ସହ ଏକାନ୍ତ ଦୈବିକ ସଂସାର କରୁଛନ୍ତି ସେକଥା ନୁହଁ। ଶ୍ରୀ ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିରର ପରିସରରେ ଅନ୍ୟ ଦେବଦେବୀଙ୍କ ସହ ଅବସ୍ଥାନ କରୁଛନ୍ତି। ତେଣୁ ଅନ୍ୟାନ୍ୟ ଦେବଦେବୀଙ୍କ ପ୍ରସଙ୍ଗରେ ଏହି ବାହ୍ୟ ଭୋଗ ରସଗୋଲାର କେଉଁ ସମ୍ପର୍କ ରହିଛି ତାହାର ତର୍ଜମା ଆବଶ୍ୟକ। ଯଦି ରସଗୋଲା ଭୋଗଟି କେବଳ ଏକ ଲୋକାଚାର ହିସାବରେ ସଂଯୋଜିତ ହୋଇଥାଏ ତେବେ ଏହାର ପ୍ରାଚୀନତା ସମ୍ପର୍କରେ ଆବେଗ ବହିର୍ଭୁତ ନିର୍ଭରଯୋଗ୍ୟ ପ୍ରମାଣ ଉପସ୍ଥାପନ କରାଯିବା ଆବଶ୍ୟକ।

ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ରକରି ଆମେ ରସଗୋଲା ଉତ୍ପତ୍ତିର ପ୍ରାଚୀନତାର ନିଷ୍କର୍ଷ ବାହାର କରିବାକୁ ଯିବା ପୂର୍ବରୁ ଏକଥା ବିଚାର କରିବା ଉଚିତ୍ ଯେ ଶ୍ରୀ ଶ୍ରୀ ଜଗନ୍ନାଥ ଆଦ୍ୟନ୍ତ ବିଶ୍ୱାସର ପ୍ରତିଭୂ ଆଉ ରସଗୋଲା ଏକ ନିର୍ଦ୍ଦିଷ୍ଟ ଉତ୍ପତ୍ତିର ସମୟକୁ ଧାରଣ କରେ। ତେଣୁ ଏହି ପ୍ରସଙ୍ଗଟି ଉଠିଲେ କାଳାତୀତ ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ କୌଣସି ନିର୍ଦ୍ଦିଷ୍ଟ କାଳଖଣ୍ଡକୁ ଆଣି କଥାଟିକୁ ପ୍ରମାଣିତ କରିବାକୁ ପଡ଼ିବ। ଏ ସଂପର୍କରେ କୌଣସି ସର୍ବପୁରାତନ ନଥି ଯାହା ଭେରିଫାୟେବଲ୍ ବା ତର୍ଜମାଯୋଗ୍ୟ ତାହାକୁ ପ୍ରାମାଣିକ ଭାବରେ ଉପସ୍ଥାପନ କରାଯିବା ଉଚିତ୍। ଯେତେବେଳେ ଆମେ “ଦାଣ୍ଡି ରାମାୟଣ”ର ଏକ ନିର୍ଦ୍ଦିଷ୍ଟ ପୃଷ୍ଠା କୁ ଉପସ୍ଥାପନ କରି ରସଗୋଲା ଉତ୍ପତ୍ତିର ନିଷ୍କର୍ଷ ବାହାର କରୁଛୁ ସେତେବେଳେ ଏହାକୁ ସଠିକ୍ ପରିପୁଷ୍ଟ କରିବା ପାଇଁ ଦାଣ୍ଡି ରାମାୟଣର ସର୍ବପ୍ରାଚୀନ ସଂସ୍କରଣକୁ ଉପସ୍ଥାପନ କରାଯାଇ ଏଥିରେ ଥିବା ରସଗୋଲା ଶବ୍ଦର ପ୍ରସଙ୍ଗଗତ ଅଧ୍ୟୟନ କରାଯିବା ଆବଶ୍ୟକ।

ଇତିହାସ ଗବେଷଣା ବା ଅନୁସନ୍ଧାନ ସମ୍ପର୍କରେ ଦୁଇଟି କଥା ଆମର ଜାଣିବା ଉଚିତ୍। ଗୋଟିଏ ଗୋଇନ୍ଦା ଯେମିତି ତଥ୍ୟ ପ୍ରମାଣ ଆଧାରରେ ଏକ ହତ୍ୟାକାରୀ ପାଖରେ ପହଞ୍ଚେ ଠିକ୍ ସେହିପରି ଐତିହାସିକ ତଥ୍ୟପ୍ରମାଣ ମାର୍ଫତରେ ଏକ ସଠିକ୍ ଅତୀତରେ ପହଞ୍ଚିପାରିଥାଏ ଆଉ ସେହି ଅତୀତକୁ ଯାବତୀୟ ମିଥ୍ୟାଚାରର ଅଳନ୍ଧୁରୁ ମୁକ୍ତ କରିଥାଏ। ଆଉ ଐତିହାସିକଟି ସବୁ ପ୍ରାଥମିକ ତଥ୍ୟକୁ ସନ୍ଦେହ କରି ତାହାର ସତ୍ୟତା ନିରୂପଣରେ ଅଗ୍ରସର ହୋଇଥାଏ। କ’ଣ ଖଣ୍ଡିଏ କାଗଜ ପାଇଗଲେ ଯେ ଆମକୁ ୟୁରେକା ସମୟ ମିଳିଗଲା ବୋଲି ଖୁସି ଜାହିର କରିବା ଅନାବଶ୍ୟକ।

ଏଇଠି ପ୍ରଶ୍ନ ରସଗୋଲା ଓଡ଼ିଶାର କି ବଙ୍ଗଳାର ତାହା ଭିତରେ ନାହିଁ। କଥାଟି ରହିଛି କିଏ ନିଜ କଥାକୁ କେତେ ପ୍ରାମାଣିକ ଭାବରେ ଉପସ୍ଥାପନ କରିପାରିବ ତାହା ଉପରେ ନିର୍ଭରଶୀଳ। ଆମେ ସାଧାରଣ ଭାବରେ ଯାହାକୁ ଇଣ୍ଡିଆନ୍ ଇଙ୍କ୍ ବୋଲି କହିଥାଉ ତାହା ଚାଇନାର ଉଦ୍ଭାବନ। ତେଣୁ ପ୍ରଚଳିତ ଆଉ ବାସ୍ତବ ଭିତରେ ବିରୋଧାଭାସ ରହିବା ସ୍ୱାଭାବିକ କଥା।

ତେଣୁ ରସଗୋଲା କଥା ଉଠିଲା ବେଳେ କହିବା କଥା ହେଉଛି ଏହାକୁ ନେଇ ଖବର କାଗଜରେ ବିତର୍କ ହେଉଛି ମାତ୍ର ଆମର ଏକାଡେମିକ୍ ସର୍କଲ୍ ରେ ଏହାର କେତେ ଆଲୋଚନା ପର‌୍ୟ୍ୟାଲୋଚନା ହେଉଛି? ବଙ୍ଗଳାରେ ଅନେକ ବିଦ୍ୱାନ ଖାଦ୍ୟ ଇତିହାସ ଉପରେ ଅନେକ କାମ କରିଛନ୍ତି ଅନ୍ୟପକ୍ଷରେ ଆମର ସେ ଦିଗରେ ଆଗ୍ରହ ଅଛି କି? ଆମର ସମସ୍ତ ତଥ୍ୟପ୍ରମାଣକୁ କୌଣସି ଭିନ୍ନଭାଷାର ଆବେଗ ନିରପେକ୍ଷ ଐତିହାସିକଙ୍କ  ଦ୍ୱାରା ପରିକ୍ଷୀତ କରାଯାଇ ଉପସ୍ଥାପନ କଲେ ଆମେ ପ୍ରାମାଣିକ ସଫଳତା ପାଇବାରେ କୌଣସି ଅସୁବିଧା ହେବନାହିଁ।

ବଙ୍ଗଳାର ଜନପ୍ରିୟ ଲେଖକ ଶଙ୍କର ପ୍ରାୟ ତିନିଶହ ପୃଷ୍ଠାର ଏକ ଅତ୍ୟନ୍ତ ରୋଚକ ପୁସ୍ତକ ଲେଖିଛନ୍ତି ଯାହାର ଶୀର୍ଷକ “ରାନ୍ନାଘର, କିଚେନ୍ କିମ୍ବା ରସବତୀ (ବଙ୍ଗୀୟ ରସନାର ରସାଲୋ କାହିନୀ)”। ଯେଉଁମାନେ ବଙ୍ଗଳାର ଲେଖକ ଶଙ୍କରଙ୍କୁ ପଢ଼ିଛନ୍ତି ସେମାନେ ଜାଣନ୍ତି ତାଙ୍କର ପଠନୀୟତା ଆଉ ଲୋକପ୍ରିୟତା କେଉଁ ପର‌୍ୟ୍ୟାୟର। ଶ୍ରୀଯୁକ୍ତ ଶଙ୍କର ବଙ୍ଗୀୟ ପାଠକ ମାନଙ୍କ ପାଇଁ ବଙ୍ଗଳାର ଖାଦ୍ୟ ବିଷୟରେ ଏହି ଐତିହାସିକ ପ୍ରେକ୍ଷାପଟଟି ପ୍ରସ୍ତୁତ କରି ସେମାନଙ୍କର ଖାଦ୍ୟ-ଜ୍ଞାନକୁ ପରିପୁଷ୍ଟ କରିଛନ୍ତି।

କେବଳ ଶ୍ରୀଯୁକ୍ତ ଶଙ୍କର କାହିଁକି ଶ୍ରୀମତୀ ଜେ ହାଲଦାର (୧୯୧୧), ଚିତ୍ରିତା ବାନାର୍ଜୀ, ସୁଚିତ୍ରା ସାମନ୍ତ, ଇନ୍ଦିରା ଚକ୍ରବର୍ତ୍ତୀ, କେଟି ଆଚୟା ଭଳି ବହୁ ଖାଦ୍ୟ ଐତିହାସିକ ବଙ୍ଗଳାର ଖାଦ୍ୟାଭ୍ୟାସ ଉପରେ କାମ କରିଛନ୍ତି। ବଙ୍ଗଳାରେ ଖାଦ୍ୟ ସଙ୍କ୍ରାନ୍ତରେ ପ୍ରଥମ ପାକଶାସ୍ତ୍ର ପାକରାଜେଶ୍ୱର (୧୮୩୧) ଠାରୁ ଆରମ୍ଭକରି ବ୍ୟଞ୍ଜନ ରତ୍ନାକର(୧୮୭୪), ବାମାବୋଧିନୀ ପତ୍ରିକା (୧୮୭୪) ପ୍ରଭୃତିରେ ବଙ୍ଗଳା ଖାଦ୍ୟର ପ୍ରଭୁତ ବର୍ଣ୍ଣନା ରହିଛି। ବଙ୍ଗଳାରେ ପାକଶାସ୍ତ୍ରର ତାଲିକାଟି ଅତ୍ୟନ୍ତ ଦୀର୍ଘ। ଏହି ତଥ୍ୟ ଭିତ୍ତିରେ ଖାଦ୍ୟ ଗବେଷକ ମାନେ ଗବେଷଣା କରି ସେମାନଙ୍କର ଜ୍ଞାନକୁ ତାତ୍ତ୍ଵିକ ଦୃଷ୍ଟିରୁ ପରିପୁଷ୍ଟ କରିଛନ୍ତି।

ଆମେ ଏଠାରେ କ’ଣ କରୁ ସେକଥା ବିଶଦ କହିବାର ପ୍ରୟୋଜନ ନାହିଁ।

ବଙ୍ଗଳାରେ ସେମାନେ ନବୀନ ଚନ୍ଦ୍ର ଦାସଙ୍କୁ “ରସଗୋଲାର କଲମ୍ବସ୍” ବୋଲି କହନ୍ତି ଆଉ ତାଙ୍କର ଦୋକାନରେ ସାଇନ୍ ବୋର୍ଡ୍ ରେ ସେଇ କଥା ଲେଖାହୋଇଛି। ମୁଁ ଏଇଠି ଯେଉଁ ଚିତ୍ରଟି ସଂଲଗ୍ନ କରିଛି ତାହା ୧୯୬୮ ମସିହାର। ଯେଉଁ ସ୍ଥାନରେ ନବିନ ଚନ୍ଦ୍ର ରସଗୋଲା ଉଦ୍ଭାବନ କରିଥିଲେ ସେଇଠି ଏଇ କଥାକୁ ସ୍ମରଣୀୟ କରି ରଖିବା ପାଇଁ ତାହାର ଶହେବର୍ଷ ପାଳନ ଉପଲକ୍ଷେ ଏଇ ଫଳକଟିକୁ ଲଗାଯାଇଛି। ଅବଶ୍ୟ ଏହି ଫଳକ ଲଗାଯିବାର ବର୍ଷକ ପରେ ବଙ୍ଗଳାର ତତ୍କାଳୀନ କମ୍ୟୁନିଷ୍ଟ ସରକାର ସମସ୍ତ ମିଠା ଉତ୍ପାଦନରେ ଦୁଗ୍ଧର ବ୍ୟବହାରକୁ ନିଷିଦ୍ଧ କରିଦେଇଥିଲେ, କାରଣ ତାହା ଦ୍ୱାରା ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥର ଦାମ୍ ନିୟନ୍ତ୍ରଣ କରାଯାଇପାରିବ। କିନ୍ତୁ ଏହାର ବ୍ୟାପକ ବିରୋଧ ହୋଇଥିଲା ଓ ବଙ୍ଗଳାର ସରକାର ଏଇ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଥିଲେ। କିନ୍ତୁ ନବୀନ ଚନ୍ଦ୍ରଙ୍କ ବଂଶଧର ମାନେ ଏଥିରେ କ୍ଷୁବ୍ଧ ହୋଇ ଏଇ ସ୍ମରଣୀୟ ସ୍ଥାନରେ ଥିବା ମିଠା ଦୋକାନକୁ ବାଙ୍ଗାଲୋର୍ ସ୍ଥାନାନ୍ତର କରିଦେଇଥିଲେ।

ସେହି ଫଳକର ଆଲୋକଚିତ୍ରଟି ଏଠାରେ ସଂଲଗ୍ନ।

ସମ୍ପ୍ରତି ନବୀନଚନ୍ଦ୍ରଙ୍କ ଜୀବନୀକୁ ଆଧାରକରି ବଙ୍ଗଳାରେ “ରସଗୋଲା” ଭଳି ସମ୍ଭବତଃ ଏକ ବାୟୋପିକ୍ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ସେଠାରେ ଯଥେଷ୍ଟ ଆଗରୁ ନବୀନଚନ୍ଦ୍ର ଏକ କଲ୍ଟ। ଏଇ କଲ୍ଟର ଏହି ଚଳଚ୍ଚିତ୍ରଟି ଏକ ବ୍ୟାପକ ପ୍ରଭାବୀ ସଂସ୍କରଣ ହେବାର ପରିକଳ୍ପନା। ପରବର୍ତ୍ତି ପ୍ରଜନ୍ମ ପାଇଁ ଏହା ଏକ ଅବଦାନ। ଆମର ଏଠାରେ “ରସଗୋଲା” ବିତର୍କର ଢେର୍ ଦିନ ହୋଇଗଲାଣି। କେବଳ କିଛି ଗୀତ ନାଚରେ ଆମେ ଆମର ପ୍ରାମାଣିକତାକୁ ଉପସ୍ଥାପନ କରିଛୁ। ଏ ସଂପର୍କରେ କୌଣସି ବୃତ୍ତଚିତ୍ର ପାଇଁ ଆମର ଆଗ୍ରହ ରହୁନାହିଁ କାହିଁକି ?

କହିବାର କଥା ହେଉଛି ଆମର ସ୍ୱାଭିମାନକୁ ଆମର ଅଧ୍ୟୟନର ପରିସରକୁ ଆଣି ଏକ ଉତ୍ସବ ଭଳି ପାଳନ କରି ପରବର୍ତ୍ତୀ ପ୍ରଜନ୍ମ ସହିତ ଏହାର ଏକ ଅନ୍ତରଙ୍ଗତା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି, ତାହା ରସଗୋଲା ହେଉ କି ଆଉ ଯେଉଁ କଥା ହେଉ। ବିନା ପ୍ରସ୍ତୁତିରେ କୁହାଟକୁ ଶୁଣି ଡରିଯିବା ବିପକ୍ଷ ବର୍ତ୍ତମାନ ବହୁତ କମ୍।

ଆମର କୁହାଟରେ ଦାୟ। ପ୍ରସ୍ତୁତି କଥା କିଏ କାହିଁକି ଗୁରୁତ୍ୱର ସହ ନେବ?

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

କଟକ ଯାଉଛନ୍ତି କି ? ସାବଧାନ! ଆପଣଙ୍କ ପକେଟ ଖାଲି କରିବାକୁ ଏମାନେ ବାଟରେ ଜଗିଛନ୍ତି

ଭୁବନେଶ୍ବର, ଆପଣ କଟକ ଯାଉଛନ୍ତି କି ? ଯଦି ହଁ ତେବେ ସାବଧାନରେ ଯାଆନ୍ତୁ। କାରଣ ନୂଆବର୍ଷ ପାହାଳ ନିକଟରେ ଭଳିକି ଭଳି ଏସବୁ ଜଗିକି ବସିଛନ୍ତି। ଆପଣଙ୍କ ପକେଟ ପୁରା ଖାଲି କରିଦେବେ। ଅବଶ୍ୟ ପକେଟ ଖାଲି ହେଲେ ମଧ୍ୟ ଆପଣଙ୍କୁ ଖୁସି ଲାଗିବ। କାରଣ ନୂଆ ବର୍ଷ ପାଇଁ ପାହଳର ମିଠା ବ୍ୟବସାୟୀ ବର୍ତ୍ତମାନ ବହୁ ମିଠା ପ୍ରସ୍ତୁତ କରିଛନ୍ତି।

କଟକ ଯିବା ରାସ୍ତାରେ ମିଠା ପାଇଁ ପ୍ରସିଦ୍ଧ ଏହି ପାହାଳରେ ଆଗ ଅପେକ୍ଷା ବର୍ତ୍ତମାନ ଅଧିକ ମିଠା ରଖାଯାଇଛି। ନୂଆବର୍ଷ ହେଲେ ଲୋକଙ୍କର ମିଠା କିଣିବାର ସଉକ ଥାଏ। କିଏ ସେ ନିଜ ଉପରସ୍ଥି ଅଫିସରଙ୍କୁ ମିଠା ଖୁଆଇ ଖୁସି କରିବାକୁ ଚାହେଁ। କିଏ ନିଜ ପରିବାରରେ ମିଠା ବାଣ୍ଟି ନୂଆ ବରଷରେ ଖୁସି ଆଣିବାକୁ ଚେଷ୍ଠା କରେ।

ଏହାର ସୁଯୋଗରେ ପାହାଳ ମିଠା ବ୍ୟବସାୟୀ ବେଶ ତତ୍ପର ହୋଇ ଉଠିଛନ୍ତି। ସେମାନେ ଛେନାପୋଡ, ଛେନା ଗଜା ଏବଂ ପ୍ରସିଦ୍ଧ ରସଗୋଲା ପ୍ରସ୍ତୁତ କରି ରଖିଛନ୍ତି। ଏପରିକି ସେହି ସ୍ଥାନରେ ଗରମ ଗରମ ରସଗୋଲା ପରଶି ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି।