Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଷ୍ଟ୍ରପତିଙ୍କ ଦ୍ବାରା ଉଦଘାଟିତ ହେଲା ରାଉରକେଲା ଇସ୍ପାତ କାରଖାନାର ଅତ୍ୟାଧୁନିକ ହସ୍‌ପିଟାଲ

ରାଉରକେଲା, ଏକ ଦେଶର ସମାବେଶୀ ବିକାଶ ନିମନ୍ତେ ଶିଳ୍ପଭିତିକ ପ୍ରଗତି ସହିତ ଦୃଢ ସାମାଜିକ-ଆର୍ଥିକ ଢାଂଚାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ କହିଛନ୍ତି । ରାଉରକେଲା ଇସ୍ପାତ କାରଖାନାରେ ଆଜି ଏକ ଅତ୍ୟାଧୁନିକ ହସ୍‌ପିଟାଲର ଉଦ୍‌ଘାଟନ ଅବସରରେ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି ।

ଏହି ଅଂଚଳ ଆଜି ପର୍ଯ୍ୟନ୍ତ ଏକ ଅତ୍ୟାଧୁନିକ ହସ୍‌ପିଟାଲ ସୁବିଧାରୁ ବଂଚିତ ଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି । ୬ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ପାତ ଜେନେରାଲ ହସ୍‌ପିଟାଲକୁ ଏକ ସୁପର ସ୍ପେସିଆଲିଟି ହସ୍‌ପିଟାଲ ରୂପରେ ବିକଶିତ କରିବା ନିମନ୍ତେ ଆଧାର ଶିଳା ରଖିଥିଲେ ଏବଂ ଆଜି ଏହା ସ୍ଥାନୀୟ ଲୋକଙ୍କ ସେବା ନିମନ୍ତେ ପ୍ରସ୍ତୁତ ହୋଇଯାଇଛି । ଏହି ହସ୍‌ପିଟାଲ କେବଳ ଓଡିଶା ନୁହେଁ, ବରଂ ପଡୋଶୀ ଝାଡଖଣ୍ଡ ଓ ଛତିଶଗଡର ଲୋକମାନଙ୍କ ଅତ୍ୟାଧୁନିକ ଚିକିତ୍ସା ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ସେ କହିଛନ୍ତି ।

ସ୍ୱାସ୍ଥ୍ୟସେବା ସମୁଦାୟର ନିସ୍ୱାର୍ଥପର ସେବା ଏବଂ ମାନବତା ପ୍ରତି କର୍ତବ୍ୟନିଷ୍ଠା ନିମନ୍ତେ ରାଷ୍ଟ୍ର ସେମାନଙ୍କ ନିକଟରେ ଚିରଋଣୀ ରହିବ ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ବୈଜ୍ଞାନିକମାନଙ୍କୁ ସେମାନଙ୍କର ଅକ୍ଳାନ୍ତ ଉଦ୍ୟମ ନିମନ୍ତେ ମଧ୍ୟ ପ୍ରଶଂସା କରିଛନ୍ତି । ସେମାନଙ୍କର ଏହି ନିରନ୍ତର ପ୍ରୟାସ ଯୋଗୁଁ ହିଁ ଭାରତରେ ଇତିହାସର ସର୍ବବୃହତ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇପାରିଛି ବୋଲି ସେ କହିଛନ୍ତି । ଏହାଦ୍ୱାରା ଟିକା ନିର୍ମାଣ କ୍ଷେତ୍ରରେ ଭାରତ ଯେ କେବଳ ଆତ୍ମନିର୍ଭର ହୋଇନାହିଁ ବରଂ ଆମେ ଅନ୍ୟାନ୍ୟ ଦେଶକୁ ମାଗଣାରେ କିମ୍ବା ଅତି କମ୍ ମୂଲ୍ୟରେ ମଧ୍ୟ ପ୍ରତିଷେଧକ ପ୍ରଦାନ କରୁଛୁ ।

ରାଷ୍ଟ୍ରପତି କହିଛନ୍ତି, କୋଭିଡ-୧୯ ମହାମାରୀ ଆମକୁ ଅନେକ ମହତ୍ୱପୂର୍ଣ୍ଣ ଶିକ୍ଷା ଦେଇଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଏକ ରାଷ୍ଟ୍ର ଭାବରେ ଆମକୁ ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉନ୍ନତି ଜାରି ରଖିବା ସହିତ ଏହାକୁ ସମସ୍ତଙ୍କ ପାଇଁ ସମାନ ଭାବରେ ଉପଲବ୍ଧ କରାଇବାକୁ ପଡିବ । ନିକଟ ଅତୀତରେ ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମେ ବିପୁଳ ପୁଞ୍ଜିନିବେଶ କରିଛୁ ଏବଂ ଏହା ପଛରେ ଆମର ଯେଉଁ ଲକ୍ଷ୍ୟ ରହିଛି ତାହା ହେଉଛି ଦୁର୍ଗମ ଅଂଚଳ ତଥା ସ୍ୱାସ୍ଥ୍ୟସେବାରୁ ବଂଚିତ ଲୋକମାନଙ୍କ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାର ସମ୍ପ୍ରସାରଣ ।

ଜନସାଧାରଣଙ୍କ ପାଇଁ ମାଧ୍ୟମିକ ଏବଂ ଆନୁଷଙ୍ଗିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉପଲବ୍ଧତାରେ ଉନ୍ନତି ମଧ୍ୟ ସମାନୁଭାବରେ ମହତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଏହିସବୁ ବିଷୟଗୁଡିକ ପ୍ରତି ଦୃଷ୍ଟି ଦିଆଯାଇ ଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି ରାଷ୍ଟ୍ରପତି କହିଛନ୍ତି ।