Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜିଠାରୁ ଭୁବନେଶ୍ବରରୁ ରାଉରକେଲାକୁ ଉଡିଲା ବିମାନ, ଜାଣନ୍ତୁ ଟିକେଟ ମୂଲ୍ୟ

ଭୁବନେଶ୍ବର: ଆଜିଠାରୁ ଭୁବନେଶ୍ବର ରାଉରକେଲା ଏବଂ ରାଉରକେଲା ଭୁବନେଶ୍ବରକୁ ବିମାନ ଉଡାଣ ଆରମ୍ଭ ହୋଇଛି। ଭୁବନେଶ୍ବର ବିମାନ ବନ୍ଦରରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏଥିସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଏବଂ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ।

ଉଡାନ ଯୋଜନାରେ ଏହି ବିମାନ ସେବା ଆଲାୟନସ ଏୟାର ଲାଇନସ ଯୋଗାଇ ଦେଇଛି। ଆଜି ପ୍ରଥମ ଥର ପାଇଁ ଭୁବନେଶ୍ୱରରୁ ୪୦ ଜଣ ଯାତ୍ରୀଙ୍କୁ ନେଇ ଏହି ଏଟିଆର୍‌-୭୨ ବିମାନ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବ। ରାଉରକେଲା ବିମାନ ବନ୍ଦରର ମଧ୍ୟ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହେବ। ତେବେ ଏହି ବିମାନରେ ମୋଟ ୭୨ ଜଣ ଯାତ୍ରୀ ଯାଇ ପାରିବେ।

ଆଜି ପାଇଁ ଏହି ବିମାନ ଭୁବନେଶ୍ୱରରୁ ଦିନ ୧୦ଟା ୪୫ରେ ଛାଡିଛି। ଏହା ରାଉରକେଲାରେ ଦିନ ୧୧ଟା ୪୦ରେ ପହଞ୍ଚିବ। ଏହାପରେ ମଧ୍ୟାହ୍ନ ୧୨ଟା ୫ରେ ବିମାନ ରାଉରକେଲାରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ଦିନ ୧ଟାରେ ପହଞ୍ଚିବ। ଆସନ୍ତା ୧୨ ତାରଖରୁ ଏହି ବିମାନ ଦୈନିକ ଚଳାଚଳ କରିବ।

ପ୍ରତିଦିନ ଅପରାହ୍ନ ୨ଟା ୫୫ରେ ବିମାନ ଭୁବନେଶ୍ୱର ଛାଡ଼ି ୩ଟା ୫୦ରେ ରାଉରକେଲାରେ ପହଂଚିବ। ସେହିପରି ରାଉରକେଲାରୁ ଅପରାହ୍ନ ୪ଟା ୧୫ରେ ବାହାରି ଭୁବନେଶ୍ୱରରେ ୫ଟା ୧୦ରେ ପହଞ୍ଚିବ। ଭୁବନେଶ୍ୱରରୁ ରାଉରକେଲା ଟିକଟର ମୂଲ୍ୟ ୨୮୦୩ ଟଙ୍କା ରହିଥିବା ବେଳେ ରାଉରକେଲାରୁ ଭୁବନେଶ୍ୱର ଟିକେଟର ଦାମ ୨୭୨୧ ଟଙ୍କା ରହିଛି।