Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଏପ୍ରିଲ୍ ମାସରେ ରେଳବାଇର ମାଲ ପରିବହନ ରାଜସ୍ୱ ଗତ ବର୍ଷ ତୁଳନାରେ ୭% ବୃଦ୍ଧି

ନୂଆଦିଲ୍ଲୀ: ଭାରତୀୟ ରେଳ (ଆଇଆର) ଏପ୍ରିଲ୍ ୨୦୨୩ ରେ ମାସିକ ମାଲ ପରିବହନ କ୍ଷେତ୍ରରେ ୧୨୬.୪୬ ମେଟ୍ରିକ୍ ଟନ୍‌ର ରେକର୍ଡ କରିଛି। ଏପ୍ରିଲ୍ ମାସରେ ବର୍ଦ୍ଧିତ ଲୋଡିଂର ପରିମାଣ ୪.୨୫ ମେଟ୍ରିକ୍ ଟନ୍ ରହିଛି, ଅର୍ଥାତ୍ ୨୦୨୨ ଏପ୍ରିଲ୍‌ରେ ହାସଲ ହୋଇଥିବା ଲୋଡିଂ ତୁଳନାରେ ଏଥିରେ ୩.୫% ବୃଦ୍ଧି ହୋଇଛି। ୨୦୨୩ ଏପ୍ରିଲ ମାସରେ ମାଲ ପରିବହନ ରାଜସ୍ୱ ଏପ୍ରିଲ୍ ୨୦୨୨ ରେ ୧୩,୦୧୧ କୋଟି ଟଙ୍କା ତୁଳନାରେ ୭% ଅଭିବୃଦ୍ଧି ଘଟି ୧୩,୮୯୩ କୋଟି ଟଙ୍କା ହୋଇଛି।

ଏପ୍ରିଲ୍ ୨୦୨୩ ରେ ୫୮.୩୫ ମେଟ୍ରିକ୍ ଟନ୍ ତୁଳନାରେ ଭାରତୀୟ ରେଳ କୋଇଲା କ୍ଷେତ୍ରରେ ୬୨.୩୯ ମେଟ୍ରିକ୍ ଟନ୍ ଲୋଡିଂ ହାସଲ କରିଛି, ଏହା ପଛକୁ ଲୁହା ପଥର ୧୪.୪୯ ମେଟ୍ରିକ୍ ଟନ୍‌, ସିମେଣ୍ଟ ୧୨.୬୦ ମେଟ୍ରିକ୍ ଟନ୍‌, ବାଲାନ୍ସ ୯.୦୩ ମେଟ୍ରିକ୍ ଟନ୍‌, ୬.୭୪ ମେଟ୍ରିକ୍ ଟନ୍ କଣ୍ଟେନର, ୫.୬୪ ମେଟ୍ରିକ୍ ଟନ୍ ଷ୍ଟିଲ, ୫.୧୧ ମେଟ୍ରିକ୍ ଟନ୍ ଖାଦ୍ୟ ଶସ୍ୟ, ୪.୦୫ ମେଟ୍ରିକ୍ ଟନ୍ ଖଣିଜ ତେଲ ଏବଂ ସାର ୩.୯୦ ମେଟ୍ରିକ୍ ଟନ୍ ଲୋଡିଂ ହୋଇଛି।

“ହଙ୍ଗ୍ରି ଫର୍ କାର୍ଗୋ”/ “ମାଲ୍ ପାଇଁ ଭୋକିଲା” ମନ୍ତ୍ର ଅନୁସରଣ କରି, ଭାରତୀୟ ରେଳ ବ୍ୟବସାୟ କରିବାରେ ସହଜତା ତଥା ପ୍ରତିଯୋଗିତାମୂଳକ ମୂଲ୍ୟରେ ସେବା ପ୍ରଦାନ କରିବାରେ ଉନ୍ନତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରି ଆସୁଛି , ଯାହା ଫଳରେ ଉଭୟ ପାରମ୍ପରିକ ତଥା ଅଣ – ପାରମ୍ପରିକ ଦ୍ରବ୍ୟ କ୍ଷେତ୍ରରେ ରେଳବାଇରେ ନୂତନ ଟ୍ରାଫିକ୍‌ର ଆଗମନ ହୋଇଛି।

Categories
ବିଶେଷ ଖବର ବ୍ୟବସାୟ

ସମସ୍ତ ରେକର୍ଡ ଭାଙ୍ଗିଲା ଜିଏସଟି ସଂଗ୍ରହ, ମାର୍ଚ୍ଚ ୨୦୨୨ ରେ ରାଜସ୍ୱ ପହଞ୍ଚିଲା ୧ ଲକ୍ଷ ୪୨ କୋଟି

ନୂଆଦିଲ୍ଲୀ: ଦେଶରେ ମାର୍ଚ୍ଚ ମାସରେ ଜିଏସଟି ସଂଗ୍ରହ ଏପର୍ଯ୍ୟନ୍ତ ସମସ୍ତ ରେକର୍ଡ ଭାଙ୍ଗିଛି, ଗତ ପାଞ୍ଚ ବର୍ଷ ମଧ୍ୟରେ ଏହା ସର୍ବାଧିକ ହୋଇଛି। ମାର୍ଚ୍ଚ ମାସରେ ଜିଏସଟି ସଂଗ୍ରହ ୧,୪୨,୦୯୫ କୋଟି ଟଙ୍କା ହୋଇଛି, ଯାହା ଅର୍ଥନୀତିରେ ପୁନରୁଦ୍ଧାର ଏବଂ ଶିଳ୍ପ ଗତି ପୁଣିଥରେ ଫେରି ଆସିବର ଏକ ଦୃଢ ସଙ୍କେତ ଦେଇଛି। ସରକାରଙ୍କ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜାନୁୟାରୀ ୨୦୨୨ରେ ଜିଏସଟି ସଂଗ୍ରହ ରେକର୍ଡ ୧,୪୦,୯୮୬ କୋଟି ଥିଲା। କିନ୍ତୁ ମାର୍ଚ୍ଚର ରାଜସ୍ୱ ଦୁଇମାସ ପୂର୍ବେ ଏହି ରେକର୍ଡକୁ ଭାଙ୍ଗି ଦେଇଛି। ତେବେ ଅର୍ଥନୈତିକ ବିଶେଷଜ୍ଞମାନେ ବିଶ୍ଵାସ କରନ୍ତି ଯେ, ଆସନ୍ତା ମାସରେ ଜିଏସଟି ସଂଗ୍ରହ ଉପରେ ଏହାର ପ୍ରଭାବ ପଡିପାରେ। କାରଣ ଫେବୃଆରୀ ୨୪ ତାରିଖରେ ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଅର୍ଥନୀତି ଉପରେ ଖରାପ ପ୍ରଭାବ ପଡିପାରେ।

ଆଜି ଅର୍ଥ ମନ୍ତ୍ରଣାଳୟ ଜିଏସଟି ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରିଛି। ମାର୍ଚ୍ଚ ୨୦୨୨ରେ ମୋଟ ଜିଏସଟି ସଂଗ୍ରହ ୧,୪୨ ଲକ୍ଷ କୋଟି ଟଙ୍କା ରହିଛି। ଏଥିରେ ସିଜିଏସଟି ୨୫,୮୩୦ କୋଟି, ଏସଜିଏସଟି ୩୨,୩୭୮ କୋଟି ଏବଂ ଆଇଜିଏସଟି ୭୪,୪୭୦ କୋଟି ଟଙ୍କା ରହିଛି। ଆଇଜିଏସଟି ରେ ୩୯,୧୩୧ କୋଟି ଟଙ୍କା ସାମଗ୍ରୀ ଆମଦାନୀରୁ ସଂଗ୍ରହ କରାଯାଇଛି। ସେସରୁ ସଂଗ୍ରହ ୯୪୧୭ କୋଟି ଟଙ୍କା ହୋଇଛି। ଗତ ବର୍ଷ ତୁଳନାରେ ଅର୍ଥାତ୍ ମାର୍ଚ୍ଚ ୨୦୨୧ରେ ଜିଏସଟି ସଂଗ୍ରହରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ଅର୍ଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ରାଜସ୍ୱ ସଂଗ୍ରହରେ ଜିଏସଟି ପରିଷଦ ଦ୍ୱାରା ଟ୍ୟାକ୍ସ ସ୍ଲାବରେ କରାଯାଇଥିବା ସଂସ୍କାର ମଧ୍ୟ ପ୍ରତିଫଳିତ ହୋଇଛି। ଏହା ସହିତ ଟିକସ ଫାଙ୍କିବା ମାମଲାରେ କଠୋରତାର ପ୍ରଭାବ ମଧ୍ୟ ଦେଖାଯାଉଛି।

ସରକାର କହିଛନ୍ତି ଯେ, କେବଳ ମାର୍ଚ୍ଚ ମାସରେ ୬.୯୧ କୋଟି ଇ-ୱେ ବିଲ ସଂଗ୍ରହ ହୋଇଛି, ଯାହା ଜାନୁଆରୀ ୨୦୨୨ରେ ୬.୮୮ କୋଟିରୁ ଅଧିକ। କରୋନା ମହାମାରୀ ସମ୍ବନ୍ଧୀୟ ପ୍ରତିବନ୍ଧକ ସମାପ୍ତ ହେବା ସହିତ ଏହା ଶିଳ୍ପ କାର୍ଯ୍ୟକଳାପରେ ଏକ ତୀବ୍ର ଉନ୍ନତି ସୂଚାଉଛି। ଆକଳନଗୁଡିକ ବିଷୟରେ କହିବାକୁ ଗଲେ, ଜୁନ୍ ୨୦୨୧ ଠାରୁ ଜିଏସଟି ସଂଗ୍ରହ କ୍ରମାଗତ ଭାବରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ହୋଇଆସୁଛି ଏବଂ ସେହି ଦିନଠାରୁ ଏହା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଗତ ନଅ ମାସ ମଧ୍ୟରେ ଜିଏସଟି ରାଜସ୍ୱ ପ୍ରାୟ ୧୨ ଲକ୍ଷ ୬୦ ହଜାର କୋଟି ଟଙ୍କା ପାଖାପାଖି ରହିଛି। ଯଦି ଆମେ ୨୦୨୨ ଆର୍ଥିକ ବର୍ଷ ବିଷୟରେ କଥା ହେବା, ତେବେ ଜିଏସଟିର ମୋଟ ସଂଗ୍ରହ ୧୪.୩୮ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ୨୦୨୧ ଆର୍ଥିକ ବର୍ଷ ତୁଳନାରେ ୩୦ ପ୍ରତିଶତ ଅଧିକ। ୨୦୨୧ ଆର୍ଥିକ ବର୍ଷରେ ଏହା ୧୧.୩୭ ଲକ୍ଷ କୋଟି ଟଙ୍କା ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚର୍ଚ୍ଚାରେ କୁକୁଡ଼ାଖଣ୍ଡି ତହସିଲ୍‌ଦାର: ବଦଳି ପାଇଁ ଲକ୍ଷ ଲକ୍ଷ ଟଙ୍କାର ସୁପାରୀ…!

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜଣେ ସଚ୍ଚୋଟ ପ୍ରଶାସନିକ ଅଧିକାରୀ ହେଲେ କ’ଣ କ’ଣ ନ ସହିବାକୁ ପଡ଼େ କୁକୁଡ଼ାଖଣ୍ଡି ତହସିଲ୍‌ଦାର ଡ. ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଜୀବନର ଚଳିତ ଦିନଗୁଡ଼ିକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ିବ। କୁକୁଡ଼ାଖଣ୍ଡି ବ୍ଲକ୍ ଦିନେ ଦୁର୍ନୀତିର ଗନ୍ତାଘରରେ ନମ୍ବର ୱାନ୍। ବ୍ଲକ୍ ତରଫରୁ କାର୍ଯ୍ୟ ହେଉ କିମ୍ବା ପ୍ରତି ପଞ୍ଚାୟତର ବିଭିନ୍ନ କାର୍ଯ୍ୟ ହେଉ ସବୁ କାର୍ଯ୍ୟରେ ପିସିର ଗନ୍ଧ। ତେବେ ଏଭଳି ଏକ ସ୍ପର୍ଶକାତର ତଥା କୁଜିନେତା, ଚାଟୁକାର, ଦଲାଲ, ମାଫିଆ, ଗୁଟ୍‌ଖା ବ୍ୟବସାୟୀ, ଚୋରାମଦ ବ୍ୟବସାୟୀ, ଚୋରା ଚାଲାଣ ଅଂଚଳକୁ ବଦଳି ହୋଇ ଆସିଥିଲେ ଦବଙ୍ଗ ତହସିଲ୍‌ଦାର ଡ. ପ୍ରିୟଦର୍ଶିନୀ ମିଶ୍ର। ସମସ୍ତଙ୍କ ଧାରଣା ଥିଲା ଯେ ବାହୁବଳ ଏବଂ ନେତାଙ୍କ ଛତ୍ରଛାୟା ତଳେ ରହି ନିଜର ସବୁ ବେଆଇନ କାର୍ଯ୍ୟ ପୂର୍ବବତ୍ ଚାଲୁରହିବ। କିନ୍ତୁ ତହସିଲ୍‌ଦାର କାର୍ଯ୍ୟରେ ଯୋଗଦେବା ଦିନଠାରୁ କୁକୁଡ଼ାଖଣ୍ଡି ବ୍ଲକ୍‌ର ସବୁ ବେଆଇନ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ଉପରେ ଚଡ଼କ ପଡ଼ିଛି।

ତହସିଲ୍‌ଦାର କାର୍ଯ୍ୟରେ ଯୋଗଦେବା ପରେ ପରେ ବେଆଇନ ଚାଲାଣ ହେଉଥିବା ଲଘୁ ଖଣିଜ ଦ୍ରବ୍ୟକୁ ରୋକିବାରେ ସଫଳ ହେବା ସହ ସରକାରଙ୍କ ନିକଟରୁ ପୂର୍ବରୁ ପହଞ୍ଚୁନଥିବା କୋଟି କୋଟି ଟଙ୍କାର ରାଜସ୍ୱ ପ୍ରଦାନ କଲେ। ତଳ ଦିନେ କୋଭିଡ଼୍ ନିୟମ ଉଲ୍ଲଂଘନ କରି ଭୋଜିଭାତ ହେଉ, କୋଟି କୋଟି ଟଙ୍କା ଗୁଟ୍‌ଖା, ନକଲି ମଦ ଚଢ଼ାଉ ହେଉ କିମ୍ବା ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ହେଉ ସେ ସବୁକୁ ଚଢ଼ାଉ କରି ରୋକିବାରେ ସଫଳ ହୋଇ ରାତାରାତି ପ୍ରଶଂସାର ପାତ୍ର ପାଲଟିଥିଲେ।

ଜଣେ ସଚ୍ଚୋଟ ପ୍ରଶାସନିକ ଅଧିକାରିଣୀ ଭାବେ କୌଣସି ନେତା, ଚାଟୁକାର, କୁଜିନେତା, ବାହୁବଳୀ ତାଙ୍କୁ ଭୟଭୀତ କିମ୍ବା ହାତଗୁଂଜା ଦେବାର ସାହାସ କରିପାରିନଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କ ବିରୋଧୀ ଗୋଷ୍ଠୀ ଏକତ୍ରିତ ହୋଇ ଭୁବନେଶ୍ୱରରେ ଡ଼େରା ପକାଇ ବଦଳି ପାଇଁ ଲକ୍ଷ ଲକ୍ଷ ଟଙ୍କାର ସୁପାରୀ ଦେଇ ମଧ୍ୟ ନିରାଶ ହେବାକୁ ପଡ଼ିଛି। କାରଣ ଲୋକଙ୍କ ସହାନୁଭୂତି ତହସିଲ୍‌ଦାର ଡ. ମିଶ୍ରଙ୍କ ନିକଟରେ ଅଛି। କୁକୁଡ଼ାଖଣ୍ଡି ବ୍ଲକ୍‌ରୁ କିଛିଟା ଦୁର୍ନୀତି ହଟାଇବାରେ ସେ ସଫଳ ହୋଇଥିବାବେଳେ ଆଗାମୀ ଦିନରେ କୁକୁଡାଖଣ୍ଡି ବ୍ଲକ୍‌କୁ ଏକ ସୁନାର ବ୍ଲକ୍ ତଥା ବିପୁଳ ରାଜସ୍ୱ ପ୍ରଦାନକାରୀ ବ୍ଲକ୍ ରୂପେ ପରିଗଣିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଲୋକେ ବି ଜମାରୁ ଚାହୁଁନଥାହାନ୍ତି ତହସିଲ୍‌ଦାରଙ୍କ ବଦଳି। ଏପରିକି କିଛି ବୁଦ୍ଧିଜୀବୀ, ଜନସାଧାରଣ ଏବଂ ସପକ୍ଷ ଗୋଷ୍ଠୀ ତଳେ ଦିନେ ତହସିଲ୍‌ଦାରଙ୍କ ବଦଳି ନ କରିବା ୨୦୦୦ ଦସ୍ତକ୍ଷତ ସମ୍ବଳିତ ଏକ ଦାବିପତ୍ରକୁ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

ଲୋକଙ୍କ ସହାନୁଭୂତି ମିଳିବା ପରେ ବର୍ତ୍ତମାନ ଅଂଚଳର କୁଜି ନେତା ତଥା ସ୍ଥାନୀୟ ବିଧାୟକ ମଧ୍ୟ କିଂକର୍ତ୍ତବ୍ୟବିଭୂଢ଼। ଅଂଚଳର କୁଜି ନେତାମାନେ ଅସାଧୁ ବ୍ୟବସାୟଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ବଦଳି କରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ତାହା ଫସର ଫାଟିଯିବା ସମ୍ଭାବନା ଦେଖାଦେଇଛି। ତହସିଲ୍‌ଦାରଙ୍କ ଗୋଟିଏ ଭିଡ଼ିଓ ଭାଇରାଲ୍ ହୋଇଛି। ଯେଉଁଥିରେ କି ଜଣେ ବେଆଇନ ମୋରମ ମାଫିଆଙ୍କୁ ଉଚିତ ଜବାବ ଦେଇଛନ୍ତି। ଏଥିରେ ଅଂଚଳର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟ ନାମ ଆସିଛି।

ସୂଚନାଯୋଗ୍ୟ ଉକ୍ତ ବେଆଇନ ଟ୍ରାକ୍ଟର ମାଲିକ ଲଘୁ ଖଣିଜ ଦ୍ରବ୍ୟ ବେଆଇନ ଭାବେ ଚାଲାଣ କରୁଥିବାରୁ ତହସିଲ୍‌ଦାର ତାଙ୍କୁ ୨ ଲକ୍ଷ ଟଙ୍କା ଜୋରିମାନା ପକାଇଥିଲେ। କିନ୍ତୁ ବ୍ୟକ୍ତିଜଣକ ବିଧାୟକ ଡ. ପାଣିଗ୍ରାହୀଙ୍କୁ ସାଙ୍ଗରେ ଆଣି କେବଳ ୫୦ ହଜାର ଟଙ୍କା ଜୋରିମାନା ରଖନ୍ତୁ ବୋଲି କହିଥିଲେ। ତେବେ ଜଣେ ବିଧାୟକ ହୋଇ ଜଣେ ଅସାଧୁ ବ୍ୟବସାୟୀଙ୍କ ଜୋରିମାନାକୁ ହ୍ରାସ କରିବା ନେଇ ବିଧାୟକଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ଏଠାରେ ସଂଦେହ ହୋଇଥିବା ଉକ୍ତ ଭାଇରଲ୍ ଭିଡ଼ଓକୁ ଦେଖିଲେ ଜଣାପଡ଼ୁଛି। ଏହି ଭିଡ଼ିଓର ସତ୍ୟତା ମଧ୍ୟ ତହସିଲ୍‌ଦାର ସ୍ୱୀକାର କରିଛନ୍ତି। ଭାଇରାଲ୍ ଭିଡ଼ିଓରେ ୫୦ହଜାର ଜୋରିମାନା ଦେଇଥିବା ବ୍ୟକ୍ତିଜଣକ ତହସିଲ୍‌ଦାର ମିଶ୍ରଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ନେଇ ତହସିଲ୍‌ଦାର ନିଜ ପତ୍ରିକ୍ରିୟାରେ କହିଥିଲେ।

ତେବେ ଉକ୍ତ ବ୍ୟକ୍ତିଜଣକ ୫୦ହଜାର ଜୋରିମାନା ପ୍ରଦାନ କରିବା ସହ ଆଉ ଟଙ୍କା ପରେ ଡ଼ିପୋଜିଟ୍ କରିବେ କହି ଚାଲିଆସିଥିଲେ। କିନ୍ତୁ ତହସିଲ୍‌ଦାର ଜୋରିମାନା ପୈଠ କରିବାକୁ କହିବା ପରେ ଉକ୍ତ ଭିଡ଼ିଓ ଭାଇରାଲ୍ ହେବା ଦିନ ଯୁକ୍ତିତର୍କ ହେବା ସହ ଅଶ୍ଳୀଳ ଗାଳିଗୁଲଜ କରିଥିଲେ। ଜଣେ କର୍ତ୍ତବ୍ୟନିଷ୍ଠ ତହସିଲ୍‌ଦାରଙ୍କ ଯଦି ଏହିମାନେ ଏଭଳି ଭାବରେ ଗାଳି କରିବେ ତେବେ ଏମାନଙ୍କ ଉପରେ ବଡ଼ ବଡ଼ ନେତା ଏବଂ ବିଧାୟକଙ୍କ ହାତ ଥିବା ଉକ୍ତ ଭିଡ଼ିଓକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି। ଏନେଇ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ଭିଡ଼ିଓ ଭାଇରାଲ୍ ପରେ ଦବଙ୍ଗ ତହସିଲ୍‌ଦାରଙ୍କ ପ୍ରକୃତ ଦବଙ୍ଗଗିରି ଲୋକଲୋଚନକୁ ଆସିପାରିଛି। ଏଭଳି ଘଟଣା ପରେ ବର୍ତ୍ତମାନ ତାଙ୍କ ସପକ୍ଷବାଦୀ ତଥା ଦୁର୍ନୀତିମୁକ୍ତ ଚାହୁଁଥିବା ଗୋଷ୍ଠୀଙ୍କ ମଧ୍ୟରେ ତାଙ୍କୁ ବଦଳି ନ କରିବାକୁ ଆହୁରି ମନୋବଳ ଦୃଢ଼ ହୋଇଛି। ତେବେ ସେ ଯାହା ହେଉ ସେମାନେ ଏଭଳି ଜଣେ କର୍ତ୍ତବ୍ୟନିଷ୍ଠ, ସଚ୍ଚୋଟ ଅଧିକାରିଣୀଙ୍କୁ ପାଇ ନିଜକୁ ଗର୍ବିତ ଅନୁଭବ କରିଛନ୍ତି।

ସୂଚନାଥାଉକି ଶୁଣିବାକୁ ମିଳୁଛି ତହସିଲ୍‌ଦାରଙ୍କ ବର୍ତ୍ତମାନ ପଦୋନ୍ନତି ହେବାକୁ ଯାଉଛି। କିଛି ବିରୋଧୀ ଏବଂ ମାଫିଆମାନେ ଗଂଜାମ ଜିଲ୍ଲାରୁ ବାହାର ଜିଲ୍ଲାକୁ ବଦଳି କରିବା ପାଇଁ ମୋଟା ଅଙ୍କର ଟଙ୍କା ନେଣଦେଣ କରିଥିବା ଶୁଣିବାକୁ ମିଳିଛି। କିନ୍ତୁ ଏହିଭଳି ଜଣେ ସଚ୍ଚୋଟ ଏବଂ ଦକ୍ଷ ଅଫିସର ଗଂଜାମ ଜିଲ୍ଲାକୁ ନିହାତି ଆବଶ୍ୟକ ବୋଲି କେବଳ କୁକୁଡ଼ାଖଣ୍ଡି ନୁହେଁ ସମଗ୍ର ଜିଲ୍ଲାବାସୀ ଚାହିଁ ରହିଛନ୍ତି।