Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜାତୀୟ ଶିକ୍ଷା ନୀତି ଲାଗୁ କରିବାକୁ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ କୁଳାଧିପତିଙ୍କ ପରାମର୍ଶ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପାଇଁ ଏକ ନୀତି ନିର୍ଘଂଟ ପ୍ରଣୀତ ହେବା ଦରକାର। ପ୍ରଥମ ପର୍ଯ୍ୟାୟରେ ଚାରି ବର୍ଷିଆ ସ୍ନାତକ ଶିକ୍ଷା ପ୍ରଚଳନ ପାଇଁ ବ୍ୟବସ୍ଥା ହେବା ଦରକାର। ଏଥି ନିମନ୍ତେ ପାଠ୍ୟକ୍ରମ, ସଂରଚନା, ଦକ୍ଷତା ବିକାଶ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଆବଶ୍ୟକ।

ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ତର୍ଗତ ପ୍ରଶିକ୍ଷଣ, ପ୍ରୋଜେକ୍ଟ କାର୍ଯ୍ୟ ଓ ଇଂଟରନ୍‌ସିପ୍ ସହ ଶିଳ୍ପ ସଂଯୋଗର ଭିତ୍ତି ପ୍ରସ୍ତୁତ କରିବାକୁ ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ ପରାମର୍ଶ ଦେଇଛନ୍ତି।

ଆଜି ରାଜଭବନରେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ସମ୍ମିଳନୀରେ ଉଦ୍‌ବୋଧନ ଦେଇ କୁଳାଧିପତି କହିଛନ୍ତି ଯେ ଓଡ଼ିଶାରେ ବହୁ ଉଚ୍ଚମାନର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଛି। ଭୁବନେଶ୍ୱର ପୂର୍ବ ଭାରତର ଶୈକ୍ଷିକ କେନ୍ଦ୍ର ହେବା ସ୍ଥଳେ ଗୋଟିଏ ବି ପ୍ରମୁଖ ଜାତୀୟସ୍ତରୀୟ ଶିକ୍ଷା ଅନୁଷ୍ଠାନ ଓଡ଼ିଶାରେ ନରହିବା ନିଶ୍ଚିତ ରୂପେ ଚିନ୍ତାର ବିଷୟ। ଏ ଦିଗରେ ପ୍ରୟାସ କରିବାକୁ କୁଳାଧିପତି ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି।

କୁଳାଧିପତି ଶ୍ରୀ ଦାସ ଆହୁରି କହିଛନ୍ତି ଯେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ସ୍ନାତକ ଶିକ୍ଷା ସ୍ତରରେ ରିସର୍ଚ ଆଣ୍ଡ ଡେଭଲପ୍‌ମେଂଟ ସେଲ୍ ପ୍ରତିଷ୍ଠା ହେବା ଦରକାର ଏବଂ ବହୁ ସଂଖ୍ୟାରେ ପେଟେଂଟ୍ ହାସଲ ପାଇଁ ଉଦ୍ୟମ କରିବାକୁ କୁଳାଧିପତି କହିଛନ୍ତି। ବ୍ୟାପକ ବୈଷୟିକ ଜ୍ଞାନକୌଶଳ, ପ୍ରଯୁକ୍ତି ବିଦ୍ୟା, ଇ-ଅଫିସ୍‌, ଡିଜିଟାଲ୍ ମାଧ୍ୟମର ବିପୁଳ ଉପଯୋଗ ଓ ନିୟମିତ ଅଡିଟ୍ ଉପରେ କୁଳାଧିପତି ଗୁରୁତ୍ୱ ଦେଇଛନ୍ତି।

ଓଡ଼ିଶାରେ ୬୨ ଜନଜାତି ସଂପ୍ରଦାୟ ରହୁଛନ୍ତି, ଯେଉଁମାନେ ଓଡ଼ିଶାର ଜନସଂଖ୍ୟାର ପ୍ରାୟ ୨୩ ଶତାଂଶ। ସେମାନଙ୍କ ଭାଷା, ସଂସ୍କୃତି, ଗୀତସଂଗୀତ, ଜୀବନଶୈଳୀ ଓ ଆଚାର ବ୍ୟବହାର ସଂପର୍କରେ ସ୍ଥାନୀୟ ବିଶ୍ୱବିଦ୍ୟାଳୟ ତଥ୍ୟ ସଂଗ୍ରହ, ଗବେଷଣା, ମ୍ୟୁଜିଅମ ପ୍ରତିଷ୍ଠା ଉପରେ ଧ୍ୟାନ ଦେବା ଦରକାର ବୋଲି କୁଳାଧିପତି ପରାମର୍ଶ ଦେଇଛନ୍ତି।

ଭାରତ ସରକାର ଉଚ୍ଚ ଶିକ୍ଷାର ବିକାଶ ନିମନ୍ତେ ବିବିଧ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟ ସରକାର ମଧ୍ୟ ପର୍ଯ୍ୟାପ୍ତ ସହଯୋଗ କରୁଛନ୍ତି। ଏସବୁର ଉପଯୋଗ କରି ଭଲ ଗ୍ରେଡ୍ ହାସଲ କରିବାକୁ ତଥା ଶିକ୍ଷା ଓ ଗବେଷଣାକୁ ପ୍ରାଧାନ୍ୟ ଦେବାକୁ କୁଳାଧିପତି କହିଛନ୍ତି।

ଠିକଣା ସମୟରେ ପରୀକ୍ଷା କରିବା ସହ ଠିକ୍ ସମୟରେ ଫଳ ପ୍ରକାଶନ ଓ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବାକୁ କୁଳପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୁଳପତି ସମ୍ମିଳନୀରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସମ୍ମିଳନୀର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ଓଡ଼ିଶାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥିତି ଓ ପରିଚାଳନା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡ.ଅରବିନ୍ଦ ପାଢ଼ୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତ, ଉଚ୍ଚ ଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଗଙ୍ଗାଧର ସାହୁ, ଓକାକ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ମନୋଜ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ମଧୁସୁଦନ ଦାସ ପ୍ରମୁଖ ନିଜ ବିଭାଗ ଅନ୍ତର୍ଗତ ବିଶ୍ୱବିଦ୍ୟାଳୟର ସ୍ଥିତି ଓ ପ୍ରଗତି ସଂପର୍କରେ ବକ୍ତବ୍ୟ ରଖିଥିଲେ।

କୁଳପତିମାନେ ବିଶ୍ୱବିଦ୍ୟାଳୟର ପ୍ରଗତି, ଭବିଷ୍ୟତର ଯୋଜନା, କାର୍ଯ୍ୟାନ୍ୱୟନ ବିଷୟରେ ତଥ୍ୟ ସୂଚନା ଦେବା ସହ ବିଭିନ୍ନ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ସରକାରଙ୍କ ସହ ସମନ୍ୱୟ ରଖି ବିଶ୍ୱବିଦ୍ୟାଳୟର କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବାକୁ କୁଳାଧିପତି ପରାମର୍ଶ ଦେଇଥିଲେ। ସମ୍ମିଳନୀରେ କୁଳପତିଙ୍କ ସହ କୁଳ ସଚିବ ଓ ବିତ୍ତ ନିୟନ୍ତ୍ରକ ତଥା ରାଜଭବନର ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ବିଶେଷ ଖବର

ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଟାର୍ଗେଟରେ କାହିଁକି ଅଛନ୍ତି ରାଜ୍ୟପାଳମାନେ?

ନୂଆଦିଲ୍ଲୀ: ତାମିଲନାଡୁ, ପଞ୍ଜାବ ଏବଂ ବର୍ତ୍ତମାନ କେରଳ, ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ। ବିଧାନସଭାରେ ଗୃହୀତ ବିଲକୁ ସମ୍ପୃକ୍ତ ରାଜ୍ୟପାଳ ଅନୁମୋଦନ ଦେଉନାହାନ୍ତି ବୋଲି ସେଠାକାର ସରକାର ଅଭିଯୋଗ କରିଛନ୍ତି। ଫଳରେ ଏହି ବିଲ ଦୀର୍ଘ ଦିନ ଧରି ରାଜ୍ୟପାଳଙ୍କ ପାଖରେ ରହିଥାଏ ଏବଂ ରାଷ୍ଟ୍ରପତିଙ୍କ ନିକଟକୁ ମଧ୍ୟ ପଠାଯାଏ ନାହିଁ। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ପିନାରାୟୀ ବିଜୟନ ସରକାର ପ୍ରାୟ ଦୁଇବର୍ଷ ଧରି ୮ଟି ବିଲ ଅଟକାଇ ରଖିଥିବା ଅଭିଯୋଗ ଆଣିଛନ୍ତି। ପଞ୍ଜାବ ଏବଂ ତାମିଲନାଡୁରେ ମଧ୍ୟ ପ୍ରାୟ ସମାନ ଅବସ୍ଥା ରହିଛି, ଯେଉଁଠାରେ ଏହି ବିଲକୁ ଅଟକାଇବା ଅଭିଯୋଗ ରହିଛି। ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦର ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିବାବେଳେ ଏବେ ଦେଶର ସର୍ବୋଚ୍ଚ ଅଦାଲତ ବିଲ ଉପରେ ଗାଇଡଲାଇନ୍ ଜାରି କରିପାରିବେ। ରାଜ୍ୟପାଳଙ୍କ ଏହି ଅମାନିଆ ଆଚରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆସନ୍ତୁ ଜାଣିବା ତିନି ରାଜ୍ୟରେ ବିଲ ବନ୍ଦକୁ ନେଇ ଉପୁଜିଥିବା ମତଭେଦର କାରଣ କ’ଣ?

କେରଳରେ କ’ଣ ହୋଇଛି ସ୍ଥିତି?

କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ବିରୋଧରେ ୨ ବର୍ଷ ପାଇଁ ୮ଟି ବିଲ ଅଟକାଇ ରଖିଥିବା ଅଭିଯୋଗ ହୋଇଛି। ଫଳରେ କେରଳ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସରକାରଙ୍କ ପକ୍ଷରୁ ପୂର୍ବତନ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ହାଜର ହୋଇଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୦୨୧ରେ ବିଧାନସଭାରେ ପାରିତ ହୋଇଥିବା ବିଲକୁ ଦର୍ଶାଇ ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି, ଦୁଇବର୍ଷ ପାଇଁ ରାଜ୍ୟପାଳ କ’ଣ କରୁଥିଲେ ? ଲୋକମାନେ ଆମକୁ ଏ ବିଷୟରେ ପଚାରନ୍ତି।

ବେଣୁଗୋପାଳ ଯୁକ୍ତି ବାଢ଼ିଥିଲେ ଯେ ଆରିଫ ମହମ୍ମଦ ଖାନ୍ ଆଠଟି ବିଲ ମଧ୍ୟରୁ ୭ଟି ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ, ଯଦିଓ ଉକ୍ତ ବିଲଗୁଡ଼ିକ କୌଣସି କେନ୍ଦ୍ରୀୟ ଆଇନକୁ ବିରୋଧ କରୁନଥିଲେ। କେରଳ ସରକାରଙ୍କ ଦ୍ୱାରା ଗୃହୀତ ବିଲଗୁଡ଼ିକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପାଇଁ ରାଜ୍ୟପାଳଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଠାରୁ ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀରେ ସଂଶୋଧନ କରିବାକୁ କୋର୍ଟ କେରଳ ସରକାରଙ୍କୁ ଅନୁମତି ଦେଇଛନ୍ତି।

ପଞ୍ଜାବରେ ରାଜ୍ୟପାଳଙ୍କ ସହ ଲଢ଼େଇ କାହିଁକି?

ଏହି ବିଲକୁ ବନ୍ଦ କରିବା ପ୍ରସଙ୍ଗ ମଧ୍ୟ ପଞ୍ଜାବରେ ରହିଛି। ମାନ ସରକାର ଓ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କ ମଧ୍ୟରେ ବିବାଦ ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚିଛି। ପ୍ରକୃତରେ କ’ଣ ହେଲା ଯେ ପଞ୍ଜାବ ସରକାର ଦୁଇ ଦିନିଆ ବିଧାନସଭା ଅଧିବେଶନ ଡାକିଥିଲେ। ଏହି ଅଧିବେଶନରେ ୩ଟି ଅର୍ଥ ବିଲ ଆଗତ ହେବାର ଥିଲା। ତେବେ ବନୱାରୀଲାଲ ପୁରୋହିତ ଏହି ଅଧିବେଶନକୁ ବେଆଇନ ଘୋଷଣା କରିଛନ୍ତି। ଏହି ବିଲକୁ ମଧ୍ୟ ଆଗତ କରିବାକୁ ଅନୁମତି ଦିଆଯାଇନଥିଲା। ତିନିଘଣ୍ଟା ପରେ ଅଧିବେଶନକୁ ସ୍ଥଗିତ ରଖାଯାଇଥିଲା। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ତେବେ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ମାନ ସରକାରଙ୍କୁ ଚିଠି ଲେଖି ୩ଟି ଅର୍ଥ ବିଲ ସମେତ ୫ଟି ବିଲ ବିଷୟରେ ଖୁବ୍ ଶୀଘ୍ର ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପଞ୍ଜାବ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ଏହି ଲଢ଼େଇରେ ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କ ଆବେଦନ ପରିପ୍ରେକ୍ଷୀରେ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ କହିଥିଲେ ଯେ ତାଙ୍କ କ୍ଷମତାକୁ ଆଇନ ପ୍ରଣୟନର ସ୍ୱାଭାବିକ ପ୍ରକ୍ରିୟାକୁ ବିଫଳ କରିବା ପାଇଁ ବ୍ୟବହାର କରାଯାଇପାରିବ ନାହିଁ। ଅଦାଲତ କହିଛନ୍ତି ଯେ ପଞ୍ଜାବର ରାଜ୍ୟପାଳଙ୍କୁ ଅଟକି ରହିଥିବା ବିଲ ଉପରେ ନିଷ୍ପତ୍ତି ନେଇ ଆଗକୁ ବଢ଼ିବାକୁ ପଡ଼ିବ।

ତାମିଲନାଡୁର ଷ୍ଟାଲିନ୍ ସରକାର ମଧ୍ୟ ରାଜ୍ୟପାଳଙ୍କ ଉପରେ କ୍ଷୁବ୍ଧ

ତାମିଲନାଡୁ ସରକାର ଏବଂ ରାଜ୍ୟପାଳ ଆରଏନ୍ ରବିଙ୍କ ମଧ୍ୟରେ ବିବାଦର କାରଣ ମଧ୍ୟ ଏହି ବିଲକୁ ବନ୍ଦ କରିବାର କାରଣ। ଏହି ଲଢ଼େଇ ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି। ଆରଏନ ରବି ବିଲରେ ଅଧିକ ବିଳମ୍ବ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ରାଜ୍ୟପାଳ ସମଗ୍ର ପ୍ରଶାସନକୁ ଠପ୍ କରି ଦେଉଛନ୍ତି ବୋଲି ରାଜ୍ୟ ସରକାର କହୁଛନ୍ତି। ସରକାର ତାଙ୍କ ଆବେଦନରେ ଆହୁରି ମଧ୍ୟ କହିଛନ୍ତି ଯେ ସେ କ୍ଷମା ଆଦେଶ, ଦୈନନ୍ଦିନ ଫାଇଲ ଏବଂ ନିଯୁକ୍ତି ଆଦେଶରେ ଦସ୍ତଖତ କରିବାକୁ ମନା କରିଦେଇଛନ୍ତି, ନିଯୁକ୍ତି ଆଦେଶକୁ ଅନୁମୋଦନ କରିବାକୁ ମନା କରିଦେଇଛନ୍ତି ଏବଂ ମନ୍ତ୍ରୀ ଏବଂ ବିଧାୟକଙ୍କ ବିରୋଧରେ ତଦନ୍ତ ସ୍ଥାନାନ୍ତର ସମେତ ଦୁର୍ନୀତି ମାମଲାରେ ମାମଲା ରୁଜୁ କରିବାକୁ ମନା କରିଦେଇଛନ୍ତି।

Categories
ଆଜିର ଖବର

ସାହିତ୍ୟ ପତ୍ରିକା “ଅପୂର୍ବା’ର ରଜତ ଜୟନ୍ତୀ ଉତ୍ସବ, କବି ରକ୍ଷକ ନାୟକ ପୁରସ୍କୃତ

ଭୁବନେଶ୍ୱର: ଭାଷା ଯେତେ ବ୍ୟବହୃତ ହେବ, ଭାଷା ସେତେ ସମୃଦ୍ଧ ହେବ। ଓଡ଼ିଆ ଭାଷାକୁ ଜ୍ଞାନବିଜ୍ଞାନ ଓ ଜୀବନଜୀବିକାର ଭାଷା ଭାବରେ ବିକଶିତ କରିବାକୁ ହେବ। ଓଡ଼ିଆ ଭାଷାର ଇତିହାସ ଓ ଐତିହ୍ୟ ଅତ୍ୟନ୍ତ ସମୃଦ୍ଧ। ଏହି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଆମ ପାଇଁ ଗର୍ବ ଓ ଗୌରବର କଥା। ଭାଷାର ସେବା ହିଁ ଯଥାର୍ଥରେ ଜାତି ସେବା। ଏହି ସେବାରେ ନିଜକୁ ସମର୍ପିତ କରିବା ପାଇଁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି।

ଭୁବନେଶ୍ୱରରେ ସାହିତ୍ୟ ପତ୍ରିକା “ଅପୂର୍ବା ‘ର ରଜତ ଜୟନ୍ତୀ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ଭାରତରେ ଅନେକ ଭାଷା ଅଛି। ସେସବୁ ଆମର ସମ୍ପଦ। ଭାଷା ଅନେକ ହେଲେ ମଧ୍ୟ, ଭାବ ଏକ। ଏହା ହେଉଛି ଭାରତୀୟତା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଆ ଭାଷାରେ ଅନେକ କାଳଜୟୀ ସୃଷ୍ଟି ଅଛି। ଏହାର ବ୍ୟାପକ ଅନୁବାଦ ହେବା ଦରକାର। ଫଳରେ ଓଡ଼ିଶାର ସୃଜନ ସମ୍ପଦର ବିଶେଷ ପ୍ରସାର ହୋଇପାରିବ। ଏ ସମ୍ପର୍କରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି।

ସାହିତ୍ୟର ବିକାଶରେ ପତ୍ରପତ୍ରିକାର ବିଶେଷ ଭୂମିକା ରହିଛି। ଅନେକ ସଫଳ ସୃଜନ ଯାତ୍ରା ପତ୍ରିକା ପୃଷ୍ଠାରୁ ଆରମ୍ଭ ହୁଏ। ପ୍ରତିଭାର ପ୍ରକାଶ ଓ ବିକାଶ ନିମନ୍ତେ ଲୋଡ଼ା ଅନୁକୂଳ ପରିବେଶ ଏବଂ ପତ୍ରପତ୍ରିକା ଏ କ୍ଷେତ୍ରରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରେ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି।

ଏହି ଉତ୍ସବରେ ପ୍ରଖ୍ୟାତ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ପ୍ରମୁଖ ଓଡ଼ିଆ ଭାଷା ଓ ସାହିତ୍ୟର ସ୍ଥିତି ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟପାଳଙ୍କ ଦ୍ୱାରା “ଅପୂର୍ବା’ର ରଜତ ଜୟନ୍ତୀ ସଂଖ୍ୟା ସହିତ ଅନେକ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଏହି ଅବସରରେ କଥା ସାହିତ୍ୟରେ ବିଜୟ ନାୟକ, କବିତାରେ ରକ୍ଷକ ନାୟକ, ଉପନ୍ୟାସରେ ଶ୍ରୀକାନ୍ତ ମିଶ୍ର, ପ୍ରବନ୍ଧରେ ଚନ୍ଦ୍ରଶେଖର ହୋତା, ଶିକ୍ଷାରେ ପ୍ରଭାତ କୁମାର ରାଉଳ, ପତ୍ରିକା ସଂପାଦନାରେ ଇତିରାଣୀ ସାମନ୍ତ, ସ୍ୱାସ୍ଥ୍ୟ କ୍ଷେତ୍ରରେ ତିରୁପତି ପାଣିଗ୍ରାହୀ, ଶିଳ୍ପରେ ପ୍ରଦୀପ ମହାନ୍ତି ପ୍ରମୁଖଙ୍କୁ ଅପୂର୍ବା ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା।

“ଅପୂର୍ବା’ର ସଂପାଦକ କ୍ଷୀରୋଦ ଚନ୍ଦ୍ର ପତି ଓ ଉପଦେଷ୍ଟା ବ୍ରହ୍ମା ମିଶ୍ର “ଅପୂର୍ବା’ର ସୃଜନ ଯାତ୍ରାର ଉପଲବ୍ଧି ସଂପର୍କରେ ବକ୍ତବ୍ୟ ରଖିଥିଲେ। ଉତ୍ସବରେ ବହୁ ବିଶିଷ୍ଟ ଲେଖକ, କବି ଓ ଚିନ୍ତକ ଯୋଗଦେଇଥିଲେ। କବି ଗୀତାଶ୍ରୀ ପ୍ରିୟମ୍ବଦା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ତମ ଜୟନ୍ତୀ ଉତ୍ସବ, ଯୋଗଦେଲେ ରାଜ୍ୟପାଳ

ଭୁବନେଶ୍ୱର: ସମାଜ ସେବା ପାଇଁ ଆବଶ୍ୟକ ସାମାଜିକ ଆଦର୍ଶ ଓ ପ୍ରତିବଦ୍ଧତା। ସମାଜର ପ୍ରତି ବର୍ଗଙ୍କ ଉତ୍‌ଥାନରେ ହିଁ ଅଛି ସାମାଜିକ ନ୍ୟାୟ ପ୍ରତିଷ୍ଠାର ସ୍ୱପ୍ନ ଓ ଆଭିମୁଖ୍ୟ। ଏହାକୁ ସାକାର କରିବା ପାଇଁ ବିଭିନ୍ନ ମାଧ୍ୟମ ରହିଛି। ସ୍ୱର୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ର ନିଜ ଚେତନା ଓ କର୍ମରେ ଏଥିପାଇଁ ଜୀବନବ୍ୟାପି କାର୍ଯ୍ୟ କରିଥିଲେ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି।

ଆଜି ଜୟଦେବ ଭବନରେ ଆୟୋଜିତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ୯୦ତମ ଜୟନ୍ତୀ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ, ଶିକ୍ଷା ହିଁ ପ୍ରଗତିର ମୂଳମନ୍ତ୍ର। ଶିକ୍ଷା ମାଧ୍ୟମରେ ସାମାଜିକ ପରିବର୍ତନ ସମ୍ଭବ। ଏହାର ସକାରାତ୍ମକ ଉପଯୋଗକରି ଲୋକମାନଙ୍କୁ ସଶକ୍ତ କରିବାର ଅନନ୍ୟ ପ୍ରୟୋଗ ସ୍ୱର୍ଗତ ବକ୍ସିପାତ୍ର କରିଥିଲେ। ତାଙ୍କ ସାଧନା ଓ ସିଦ୍ଧି ଚିରକାଳ ପ୍ରେରଣାଦାୟୀ ରହିବ ବୋଲି ରାଜ୍ୟପାଳ ଶ୍ରୀ ଦାସ ପ୍ରକାଶ କରିଛନ୍ତି।

ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା “ହରିଶ୍ଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟି’ର ସଭାପତି ପ୍ରଫୁଲ ଚନ୍ଦ୍ର ଘଡ଼େଇ ସ୍ମୃତିଚାରଣ କରିଥିଲେ। ପୂର୍ବତନ ପ୍ରଶାସକ ସଞ୍ଜୀବଚନ୍ଦ୍ର ହୋତା ସ୍ୱର୍ଗତ ବକ୍ସିପାତ୍ରଙ୍କ ସହିତ ନିଜର ଅନୁଭୂତି ଅବତାରଣା କରିଥିଲେ। ସ୍ମୃତି କମିଟିର ସାଧାରଣ ସଂପାଦକ ଲୋପାମୁଦ୍ରା ବକ୍ସିପାତ୍ର କମିଟିର ବିଭିନ୍ନ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ ପାକ୍ଷିକ ପତ୍ରିକା “ଲୋକନୀତି’ର ବିଶେଷ ସଂଖ୍ୟା ଉନ୍ମୋଚିତ ହେବା ସହ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ପୂର୍ବତନ ବୈଦେଶିକ ସଚିବ ତଥା କୂଟନୀତିଜ୍ଞ ଶ୍ୟାମ ସରନ୍ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ପ୍ରଶାସନିକ ସେବା-୨୦୨୦ ବ୍ୟାଚ୍‌ର ୧୨୭ଜଣ ଟ୍ରେନି ଅଫିସର

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ରାଜ୍ୟ ପ୍ରଶାସନର ଏକ ପ୍ରମୁଖ ସେବା ଭାବେ ପରିଗଣିତ । ଏହି ସେବା ପାଇଁ ଯୋଗ୍ୟ ବିବେଚିତ ହେବା ସୌଭାଗ୍ୟର ବିଷୟ। ପ୍ରଶାସନିକ ଅଧିକାରୀଭାବେ ଜନସାଧାରଣଙ୍କ ସେବା କରିବା ପାଇଁ ତଥା ରାଜ୍ୟର ପ୍ରଗତି ଓ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାର ପର୍ଯ୍ୟାପ୍ତ ସୁଯୋଗ ରହିଛି।

ସେଥିପାଇଁ ସେମାନେ ନିଜକୁ ଉପଯୁକ୍ତ ଭାବେ ପ୍ରସ୍ତୁତ କରିବା ସହ ନିଜର କାର୍ଯ୍ୟଶୈଳୀରେ ସର୍ବଦା ସ୍ୱଚ୍ଛତା ଅବଲମ୍ବନ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବାକୁ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଓଡ଼ିଶା ପ୍ରଶାସନିକ ସେବା – ୨୦୨୦ ବ୍ୟାଚ୍‌ର ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଆଜି ରାଜଭବନର ନ୍ୟୁ ଅଭିିଷେକ ହଲ୍ ଠାରେ ଆୟୋଜିତ ଏକ ଭାବବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରେନି ଅଫିସରମାନଙ୍କୁ ଉଦ୍‌ବୋଧନ ଦେବା ଅବସରରେ ରାଜ୍ୟପାଳ ପ୍ରଶାସନିକ ଅଧିକାରୀଙ୍କ ଏକ ଗୁରୁଦାୟିତ୍ୱ ରହିଛି ଓ ସେମାନେ ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ଦୂରତାକୁ ହ୍ରାସ କରି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଏବଂ କଲ୍ୟାଣମୂଳକ କାର୍ଯ୍ୟକମ୍ରର ସଫଳ ରୂପାୟନ ଦ୍ୱାରା ଏହାର ସୁଫଳ ଜନସାଧାରଣଙ୍କ ନିକଟରେ ପହଂଚିପାରିବ ସେ ଦିଗରେ କାର୍ଯ୍ୟ କରିବାକୁ କହିଥିଲେ।

ବର୍ତମାନର ଡ଼ିଜିଟାଲ୍ ଯୁଗରେ ସୂଚନା ପ୍ରଯୁକ୍ତି (ଆଇଟି)ର ବ୍ୟାପକ ବ୍ୟବହାର ଓ ପ୍ରୟୋଗ ଦିଗରେ ପ୍ରଶାସନିକ ଅଧିକାରୀମାନେ ସର୍ବଦା ଯତ୍ନଶୀଳ ରହିବା ସହିତ ବିକାଶକୁ ଏକ ନୂତନ ଶିଖରରେ ପହଂଚାଇବାକୁ ରାଜ୍ୟପାଳ ଶ୍ରୀ ଦାସ କହିଥିଲେ। ଓଡ଼ିଶା ଏକ ବିପୁଳ ସୁଯୋଗ ଓ ସମ୍ଭାବନାର ରାଜ୍ୟ। ସେହି ସମ୍ଭାବନାକୁ ନିଜର ଦକ୍ଷତା, ଦୂରଦୃଷ୍ଟି ମାଧ୍ୟମରେ ରାଜ୍ୟର ଉନ୍ନତି ଓ ବିକାଶରେ ରୂପାନ୍ତରିତ କରିବାକୁ ରାଜ୍ୟପାଳ ଶ୍ରୀ ଦାସ ପ୍ରଶିକ୍ଷଣ ଗ୍ରହଣ କରୁଥିବା ଅଧିକାରୀମାନଙ୍କୁ କହିଥିଲେ।

ରାଜ୍ୟ ଏବଂ ରାଜ୍ୟବାସୀଙ୍କର ସେମାନଙ୍କ ଉପରେ ଥିବା ଆଶା ଓ ଆକାଂକ୍ଷାକୁ ପୂରଣ କରିବାକୁ ଶ୍ରୀ ଦାସ ଅଧିକାରୀମାନଙ୍କୁ କହିଥିଲେ। ଜୀବନର ଏକ ନୂତନ ଇନିଂସ ଆରମ୍ଭ କରିବାକୁ ଥିବା ଅଧିକାରୀମାନଙ୍କୁ ରାଜ୍ୟପାଳ ନିଜର ଶୁଭେଚ୍ଛା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଟ୍ରେନି ଅଫିସରମାନଙ୍କୁ ନିଜର ଦକ୍ଷତା ଓ ସଫଳତା ଦ୍ୱାରା ଓଡ଼ିଶା ପ୍ରଶାସନିକ ସେବାକୁ ଗୌରବାନ୍ୱିତ କରିବାକୁ କହିଥିଲେ। ପ୍ରଶାସନିକ ଅଧିକାରୀଭାବେ ସମସ୍ୟା ସମାଧାନ କରିବାର କଳା ସେମାନଙ୍କୁ ଦକ୍ଷ ଏବଂ ସଚ୍ଚୋଟ ଅଫିସରଭାବେ ପରିଗଣିତ କରାଇବ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡେପୁଟି ଡାଇରେକ୍ଟର ଜେନେରାଲ ଡ଼କ୍ଟର ପ୍ରତାପ କୁମାର ମିଶ୍ର ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଦୁଇଜଣ ଟ୍ରେନି ଅଫିସର ପ୍ରଶିକ୍ଷଣ ସମୟର ଅଭିଜ୍ଞତା ଓ ଅନୁଭୂତି ବର୍ଣ୍ଣନା କରିଥିଲେ। ଏହି ଉତ୍ସବରେ ୧୨୭ଜଣ ଟ୍ରେନି ଅଫିସରଙ୍କ ମଧ୍ୟରେ ୫୫ଜଣ ମହିଳା ଟ୍ରେନି ଅଫିସରଙ୍କ ସମେତ ଏକାଡେମୀର ଅନ୍ୟ ଅଧିକାରୀ ଏବଂ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ପ୍ରେସ୍ ଦିବସରେ ରାଜ୍ୟପାଳ କହିଲେ ଦାୟିତ୍ୱବାନ ଗଣମାଧ୍ୟମ ଏକାନ୍ତ ଆବଶ୍ୟକ

ଭୁବନେଶ୍ୱର: ଗଣମାଧ୍ୟମର ଏକ ସମୃଦ୍ଧ ଐତିହ୍ୟ ଓ ପରଂପରା ରହିଛି । ଗଣମାଧ୍ୟମ ସବୁବେଳେ ଅଗ୍ରଣୀ ଭୂମିକା ନେବା ସହ ସମୟ ଓ ସମାଜକୁ ଉଚିତ୍ ମାର୍ଗଦର୍ଶନ କରାଇବା ସହ ସକାରାତ୍ମକ ସହଯୋଗ କରିଆସିଛି । ଗଣମାଧ୍ୟମ ସାଧାରଣ ଲୋକମାନଙ୍କ ସ୍ୱପ୍ନ, ଅଭିଳାଷ, ଆକାଂକ୍ଷା ଓ ସ୍ୱରର ଧାରକ ଓ ବାହକ ହୋଇପାରିଛି ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି ।

ଆଜି ଜୟଦେବ ଭବନରେ ଜାତୀୟ ସାଂବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ ଏକ ସଶକ୍ତ ଓ କ୍ରିୟାଶୀଳ ଗଣତନ୍ତ୍ର ପାଇଁ ମୁକ୍ତ ଓ ଦାୟିତ୍ୱବାନ ଗଣମାଧ୍ୟମ ଏକାନ୍ତ ଜରୁରୀ । ଏହା ଶାସନ ବ୍ୟବସ୍ଥା ଓ ଲୋକମାନଙ୍କ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରେ । ଏହା ଯେତେ ସହଜ, ସୁଗମ ଓ ସକ୍ରିୟ ହେବ, ଗଣତନ୍ତ୍ର ସେତେ ସୁଦୃଢ଼ ହେବ ବୋଲି ରାଜ୍ୟପାଳ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

ଉତ୍ସବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ର ଶେଖର ଶର୍ମା ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ । ଜାତୀୟ ସାଂବାଦିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସଂପାଦକ ସନତ୍ ମିଶ୍ର ଜାତୀୟ ପ୍ରେସ୍ ଦିବସର ଆଭିମୁଖ୍ୟ ଓ ବୋର୍ଡର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।

ଏହି ଅବସରରେ ବରିଷ୍ଠ ସାଂବାଦିକ ନିରଂଜନ ରଥଙ୍କୁ ଉତ୍କଳ ସାଂବାଦିକ ରତ୍ନ ସମ୍ମାନ ଓ କେତେକ ରାଜ୍ୟ ବାହାର ସାମ୍ବାଦିକଙ୍କୁ ରାଷ୍ଟ୍ରୀୟ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । ଦିବଂଗତ ସାଂବାଦିକ ରବି ନାରାୟଣ ମହାନ୍ତି, ଗୋପାଳ ମିଶ୍ର, ବରେନ୍ଦ୍ରକୃଷ୍ଣ ଧଳ, ଦିଲ୍ଲୀପ ଶତପଥି, ରାମହରି ମିଶ୍ର, ପ୍ରଦ୍ୟୁମ୍ନ ବଳ ଓ ଅରିଂଦମ୍ ଦାଶଙ୍କ ସ୍ମୃତିରେ ସାଂବାଦିକତା ଓ ଗଣଯୋଗାଯୋଗ ଶିକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସିଲ୍ ପ୍ରଦାନ କରାଯାଇଥିଲା । ବର୍ଷିଆନ ସାଂବାଦିକମାନଙ୍କୁ ପେନ୍‌ସନ ମଧ୍ୟ ପ୍ରଦାନ କରାଯାଇଥିଲା । ବୋର୍ଡର ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକୁ ନେଇ ସମାଲୋଚନା କଲା କଂଗ୍ରେସ

ଭୁବନେଶ୍ବର: ନବୀନ ନିବାସରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟପାଳ ଭାବେ ସେ ନବୀନ ନିବାସ ଯିବାକୁ ନେଇ କଂଗ୍ରେସ ସମାଲୋଚନା କରିଛି। ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟପାଳ ତାଙ୍କର ପ୍ରୋଟକଲ ଭାଙ୍ଗିଛନ୍ତି। ସେ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ। ସେଠାରୁ ଫେରିବା ପରେ ସିଧା ନବୀନ ନିବାସ ଯିବା ତାଙ୍କର ପ୍ରୋଟକଲ ବାହାରେ। କାରଣ ସେ ରାଜ୍ୟପାଳ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ସେ ତାଙ୍ ବାସଭବନକୁ ବା ରାଜଭବନକୁ ଡାକିପାରିଥାଆନ୍ତେ। ହେଲେ ତାହା ନ କରି ସେ ନିଜେ କିପରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଗଲେ ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ରାଜଭବନରେ ପାଳନ ହେଲା ଉତ୍ତରାଖଣ୍ଡ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଅନେକ ବିଭିନ୍ନତା ମଧ୍ୟରେ ଆମ ମୂଳ ପରିଚୟ ହେଉଛି, ଆମେ ସମସ୍ତେ ଭାରତୀୟ। ଏହି ପରିଚୟକୁ ଆହୁରି ସଶକ୍ତ ଓ ପ୍ରତିଷ୍ଠିତ କରିବାକୁ ପ୍ରତ୍ୟେକ ନିଜ ନିଜ ସ୍ତରରେ ପ୍ରୟାସ କରିବା ହିଁ “ଏକ ଭାରତ – ଶ୍ରେଷ୍ଠ ଭାରତ’ର ଆଧାର ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି।

ଆଜି ରାଜଭବନରେ ଆୟୋଜିତ ଉତ୍ତରାଖଣ୍ଡ ରାଜ୍ୟ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଲେ ଯେ, ଆମର ଭାଷା ଅନେକ, କିନ୍ତୁ ଭାବ ଏକ। ଏହି ଭାବ ଓ ଭାବନା ଆମକୁ ଏକତାର ରଜ୍ଜୁରେ ବାନ୍ଧି ରଖିଛି। ଉତ୍ତରାଖଣ୍ଡ ଦେବ ଭୂମି ଭାବରେ ଖ୍ୟାତ। ଆମର ସାଂସ୍କୃତିକ ଓ ଭାବଗତ ପରିଚିତିକୁ ପରିପୁଷ୍ଟ କରିଛି ଉତ୍ତରାଖଣ୍ଡ। ଭାରତୀୟତାର ଅନୁଚିନ୍ତା ଓ ଆଦର୍ଶକୁ ଅନୁପାଳନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।
ଏହି ସମାରୋହରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସ୍ୱାଗତ ଭାଷଣ ଦେବା ସହିତ ଏଭଳି ଉତ୍ସବ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଉତ୍ତରାଖଣ୍ଡର ଡ. ଦୀପା ଖୁଲ୍‌ବେ, ସଚିନ୍ କୁମାର ପ୍ରମୁଖ ଓଡ଼ିଶାରେ ନିଜର ଅନୁଭବ, ଅନୁଭୂତି ଓ ଉପଲବ୍ଧି ସମ୍ପର୍କରେ କହିଥିଲେ। ଉତ୍ସବରେ ରାଜଭବନର ଅଧିକାରୀ ଓ କର୍ମଚାରୀଙ୍କ ସହିତ ଓଡ଼ିଶା ନିବାସୀ ଉତ୍ତରାଖଣ୍ଡର ବହୁ ବ୍ୟକ୍ତି ଯୋଗଦେଇଥିଲେ। ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ସଂଗ୍ରାମ ଦେଓଭଞ୍ଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

Video News: ନବୀନ ନିବାସକୁ କାହିଁକି ଗଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଓଡିଶାର ରାଜ୍ୟପାଳ ହେବା ପରେ ଗତକାଲି ରଘୁବର ଦାସ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ସେ ନବୀନ ନିବାସ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇବା ସହିତ କିଛି ସମୟ ଧରି ଉଭୟ ଆଲୋଚନା ମଧ୍ୟ କରିଛନ୍ତି।

ରାଜ୍ୟପାଳ ନବୀନ ନିବାସ ଭିତରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦୁଆର ମୁହଁରୁ ପାଛୋଟି ନେଇଥିଲେ। ଏହାପରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ କିଛି ସମୟ ଧରି ଆଲୋଚନା କରିଥିଲେ।

ତେବେ ଏଥିରେ ଓଡିଶା ବିକାଶ ସଂପର୍କରେ ଆଲୋଚନା ହୋଇଥିବା କୁହାଯାଉଛି।

Categories
ଆଜିର ଖବର

ରାଜସ୍ଥାନ ନିର୍ବାଚନରେ ‘ରାଷ୍ଟ୍ରପତି’ ଓ ‘ରାଜ୍ୟପାଳ’ କାହିଁକି ଭୋଟ୍ ଦେବେ?

ବୁନ୍ଦି: ମେଘାଳୟରେ ଯେତେବେଳେ ବି ନିର୍ବାଚନ ହୁଏ, ସ୍ୱିଡେନ, ଥାଇଲାଣ୍ଡ, ଗୁରୁବାର ଭଳି ନାମ ଚର୍ଚ୍ଚାକୁ ଆସିଥାଏ। କିନ୍ତୁ ଭୋଟରଙ୍କ ନାମ ପ୍ରତି ଦୃଷ୍ଟି ଆକର୍ଷଣ କରିବାରେ ରାଜସ୍ଥାନର ବୁନ୍ଦି ଜିଲ୍ଲାର ରାମନଗର ଗାଁ ଆଗରେ ରହିପାରେ। ନଭେମ୍ବର ୨୫ରେ ରାଜସ୍ଥାନରେ ନିର୍ବାଚନ ହେବାକୁ ଥିବାବେଳେ ବୁନ୍ଦି ଜିଲ୍ଲାର ରାମନଗର ଗାଁରେ ‘କଲେକ୍ଟର’, ‘ରାଷ୍ଟ୍ରପତି’ ଏବଂ ‘ରାଜ୍ୟପାଳ’ ମଧ୍ୟ ମତଦାନ କରିବେ। ବୁନ୍ଦି ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ରାମନଗର ଏକ ଛୋଟ ଗାଁ। ଏହି ଗାଁର ଜନସଂଖ୍ୟା ୫ ହଜାର। ପ୍ରାୟ ୨ ହଜାର ଭୋଟର କଞ୍ଜର ଆଦିବାସୀ ସମ୍ପ୍ରଦାୟର। ଏହି ସମ୍ପ୍ରଦାୟରେ କାହାର ନାଁ ରାଜ୍ୟପାଳ, କାହାର ନାଁ ରାଷ୍ଟ୍ରପତି ତ କାହାର ନାମ ରାଜୀବ ଗାନ୍ଧି।

ନାମ ପଛରେ ରହିଛି ଜଟିଳ ସାମାଜିକ ଇତିହାସ

ଏହି ଗାଁରେ ଏଭଳି ନାମର ଉତ୍ପତ୍ତି ବିଚିତ୍ର ନୁହେଁ। ସେମାନଙ୍କ ପଛରେ ଏକ ଜଟିଳ ସାମାଜିକ ଇତିହାସ ରହିଛି। ଏ ସମ୍ପର୍କରେ ସୂଚନା ଦେଇ ସ୍ଥାନୀୟ କଞ୍ଜର ବାଲକ ଦାସ କହିଛନ୍ତି, ବ୍ରିଟିଶ ଶାସନ ସମୟରେ କଞ୍ଜରମାନଙ୍କୁ ଅପରାଧୀ ଜନଜାତିଭାବେ ଦେଖାଯାଉଥିଲା। ସମ୍ପ୍ରଦାୟର କିଛି ସଦସ୍ୟ ଅପରାଧ ଓ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ଗୁଜରାଟର ଆଦିବାସୀ ଏକାଡେମୀ ତେଜଗଡ଼ର ନିର୍ଦ୍ଦେଶକ ଡକ୍ଟର ମଦନ ମୀନା କହିଛନ୍ତି ଯେ ସ୍ୱାଧୀନତା ପରେ ଭାରତ ସରକାର ବ୍ରିଟିଶ ଯୁଗର ଏକ ଆଇନ ପ୍ରତ୍ୟାହାର କରିନେଇଥିଲେ ଯେଉଁଥିରେ କଞ୍ଜର, ଭଟ, ମୋଙ୍ଗିଆ, ସନ୍‍ସି ଭଳି ସମ୍ପ୍ରଦାୟକୁ ଅପରାଧୀ ଜନଜାତି ଭାବରେ ରେକର୍ଡ କରାଯାଇଥିଲା। କିନ୍ତୁ ସ୍ୱାଧୀନତା ପରେ ମଧ୍ୟ କିଛି ଜିନିଷ ବଦଳିନଥିଲା। ସ୍ଥାନୀୟ ପର୍ଯ୍ୟବେକ୍ଷକଙ୍କ ମତରେ ଯଦି ସମ୍ପ୍ରଦାୟର କିଛି ସଦସ୍ୟ ଆଇନ ଉଲ୍ଲଂଘନ କରନ୍ତି, ତେବେ ସମଗ୍ର ସମ୍ପ୍ରଦାୟକୁ ଅପରାଧୀଭାବେ ଦେଖାଯାଏ।

ସେ କହିଛନ୍ତି ଯେ ଏହି ସାମାଜିକ ନିନ୍ଦାକୁ ଏଡ଼ାଇବା ପାଇଁ ଅନେକ କଞ୍ଜର ଏପରି ନାମ ଗ୍ରହଣ କରିଛନ୍ତି ଯାହାକୁ ଲୋକମାନେ ସମ୍ମାନର ସହ ଦେଖୁଛନ୍ତି। ଦୂରଦର୍ଶନରେ କାର୍ଯ୍ୟକ୍ରମ ଦେଖିବା ପରେ ସମ୍ପ୍ରଦାୟର ଲୋକମାନେ ଅନେକ ପିଲାଙ୍କ ନାମ ରଖିଥିଲେ। ସେତେବେଳେ ଦୂରଦର୍ଶନ ଟିଭି ମିଡିଆର ଏକମାତ୍ର ମାଧ୍ୟମ ଥିଲା ଏବଂ କଂଗ୍ରେସ ସବୁଠାରୁ ଶକ୍ତିଶାଳୀ ରାଜନୈତିକ ଦଳ ଥିଲା। ପୂର୍ବରୁ ଏହି ଗାଁର ଭୋଟର ତାଲିକାରେ ଜଣେ ଆଇଜି, ଜଣେ ଏସପି ଓ ଜଣେ ତହସିଲଦାର ଥିଲେ, ଏବେ ସମସ୍ତଙ୍କ ମୃତ୍ୟୁ ଘଟିଛି।

ମନରେଗା ଶ୍ରମିକଭାବେ କାମ କରନ୍ତି ‘ରାଜୀବ ଗାନ୍ଧୀ’

ତେବେ ସରକାରୀ ଜବ୍ କାର୍ଡ ନେଇ ‘ରାଜୀବ ଗାନ୍ଧୀ’ ଗାଁରେ ମନରେଗା ଶ୍ରମିକଭାବେ କାମ କରନ୍ତି। କଲେକ୍ଟର ଜଣେ ୫୭ ବର୍ଷୀୟ ଭୋଟର, ତାଙ୍କ ନାମରେ ତାଙ୍କ ମା’ ନାମିତ କରିଛନ୍ତି। ଗାଁକୁ ଆସିଥିବା ଜଣେ କଲେକ୍ଟରଙ୍କ ଦ୍ୱାରା କଲେକ୍ଟରଙ୍କ ମା’ ପ୍ରଭାବିତ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସମୟ ବଦଳିଯାଇଛି। ଗାଁରେ ଇଣ୍ଟରନେଟ୍ ଓ ଘରୋଇ ଟିଭି ଚ୍ୟାନେଲ ପହଞ୍ଚିଛି। ଏହି କାରଣରୁ ଗାଁ ଲୋକଙ୍କ ନାମ ଏବେ ବଦଳିଯାଇଛି। ଗ୍ରାମସମୁଦାୟର ଭାବମୂର୍ତ୍ତିରେ ଉନ୍ନତି ଆଣିବା ପାଇଁ ସ୍ଥାନୀୟ ନେତାଙ୍କ ତରଫରୁ ପ୍ରୟାସ କରାଯାଉଛି। ବର୍ଷ ବର୍ଷ ଧରି ଏହି ସମ୍ପ୍ରଦାୟ ପାଇଁ ବଡ଼ ବଡ଼ ସ୍ଥାନୀୟ ସମ୍ମିଳନୀ ମଧ୍ୟ ଆୟୋଜନ କରାଯାଇଛି।

ଗାଁର ‘ରୂପ’ ବଦଳିବା ଆରମ୍ଭ କରିଛି

ଗାଁର ସରକାରୀ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୬୫୦ ଜଣ ବାଳକ ଓ ବାଳିକା ପାଠ ପଢ଼ୁଛନ୍ତି। ଦୁଇଜଣ ସ୍ଥାନୀୟ ଲୋକଙ୍କୁ ଶିକ୍ଷକଭାବେ ନିଯୁକ୍ତି ଦିଆଯାଇଥିଲା। ଗାଁର ୭ ଜଣ ସରକାରୀ କର୍ମଚାରୀ। ଆଗାମୀ ଦିନରେ ଏହି କଞ୍ଜର ସମ୍ପ୍ରଦାୟର ଲୋକମାନେ ନିଜ ପିଲାଙ୍କ ନାମ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ନାମ ନେବେ ନାହିଁ ବୋଲି ବିଶ୍ୱାସ କରାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଜି ଓଡିଶାରୁ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, କହିଲେ ଏପରି କଥା

ଭୁବନେଶ୍ବର: ଆଜି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଓଡିଶାରୁ ବିଦାୟ ନେବେ। ରାଜ୍ୟପାଳ ଭାବେ ଆଜି ହେଉଛି ତାଙ୍କର ଶେଷଦିନ। ଏହି ଉପଲକ୍ଷେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣେଷୀଲାଲଙ୍କୁ ସାକ୍ଷାତ କରିଥିଲେ। ତାଙ୍କର ଦୀର୍ଘ ତଥା ନିରାମୟ ଜୀବନ କାମନା କରିଥିଲେ।

ସେହିପରି ଗତକାଲି ରାଜଭବନ କର୍ମଚାରୀମାନେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ସମସ୍ତ କର୍ମଚାରୀ ରାଜ୍ୟପାଳଙ୍କ ବ୍ୟବହାର ତଥା ଶାସନ ପ୍ରଣାଳୀକୁ ବେଶ ପ୍ରଶଂସା କରିଥିଲେ। ଆଜି କେତେକ ବିଶିଷ୍ଠ ବ୍ୟକ୍ତି ରାଜ୍ୟପାଳଙ୍କୁ ସାକ୍ଷାତ କରି ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିବେ।

ବିଦାୟ ସମୟରେ ପ୍ରଫେସରଗଣେଷୀଲାଲ କହିଛନ୍ତି ଯେ, ଓଡିଶାରେ ମୋର ପୁର୍ନଜନ୍ମ ହୋଇଛି। ଓଡିଶା ଲୋକଙ୍କର ଭଲପାଇବା ମୁଁ କେବେ ଭୁଲିପାରିବି ନାହିଁ। ଦୁନିଆରେ ଆପଣ ଚାରିଆଡେ ବୁଲନ୍ତୁ, ହେଲେ ପୁରୀ ପରି ଭଲପାଇବା କେଉଁଠି ମିଳିବ ନାହିଁ।

ମେ’ ୨୯ ତାରିଖ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ଭାବେ ଯୋଗଦେଇଥିଲେ ପ୍ରଫେସର ଗଣେଷୀଲାଲ। ଓଡିଶ।ର ନୂଆ ର।ଜ୍ୟପ।ଳ ଭ।ବେ ଯୋଗ ଦେବେ ଝ।ଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦ।ସ। ସେ ଆସନ୍ତ। ୨୯ ତ।ରିଖରେ ଓଡିଶ। ଆସିବେ ଏବଂ ୩୧ ତ।ରିଖରେ ଶପଥ ଗ୍ରହଣ କରିବେ ବୋଲି ଜଣ।ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

‘ସମାଜ’ର ୧୦୪ ତମ ପୂର୍ତ୍ତି ଉତ୍ସବରେ ଯୋଗ ଦେଲେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ

ଭୁବନେଶ୍ବର: ଓଡ଼ିଶାର ପ୍ରମୁଖ ଦୈନିକ ସମ୍ବାଦପତ୍ର ‘ସମାଜ’ର ୧୦୪ ତମ ପୂର୍ତ୍ତି ଉତ୍ସବ କଟକର ଶାରଳା ଭବନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରାଧୀନ ଦେଶକୁ ସ୍ୱାଧୀନ କରିବାରେ ‘ସମାଜ’ର ଭୂମିକା ଗୁରୂତ୍ୱପୂର୍ଣ୍ଣ ଥିଲା ବୋଲି କହିଥିଲେ।

ଏହି ଉତ୍ସବରେ ରାଜ୍ୟ ସରକାରଙ୍କ ସଂଗଠନ ଦକ୍ଷତା ବିକାଶର ମୁଖ୍ୟ ପରାମର୍ଶଦାତା ସୁବ୍ରତ ବାଗ୍‌ଚୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ, ୧୯୧୯ ଦ୍ବିତୀୟ ବିଶ୍ବଯୁଦ୍ଧର ଶେଷ ସମୟରେ ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ‘ସମାଜ’ ଆଜି ଏକ ବହୁମୁଖୀ ମହାଦ୍ରୁମରେ ପରିଣତ ହୋଇଛି

ପ୍ରାରମ୍ଭରେ ‘ସମାଜ’ ସମ୍ପାଦକ ପ୍ରମୋଦକୁମାର ମହାପାତ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ପରିଚାଳକ ଶିବରାମ ମିଶ୍ର ବିବରଣୀ ପାଠ କରି ‘ସମାଜ’ ପକ୍ଷରୁ ପ୍ରତିବର୍ଷ ଗ୍ରହଣ କରାଯାଇଥିବା ସେବାମୂଳକ କାର୍ଯ୍ୟର ଏକ ସୂକ୍ଷ୍ମ ସୂଚନା ଉପସ୍ଥାପନ କରିଥିଲେ। ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଅତିଥିଙ୍କଦ୍ବାରା ‘ସମାଜ’ର ବାର୍ଷିକ ବିଶେଷାଙ୍କ, ମାସିକ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ପୂଜା ସଂଖ୍ୟା ଓ ସୁସ୍ଥ ସାମ୍ବାଦିକତା ଆହ୍ବାନ ଶୀର୍ଷକ ଏକ ଲୋଗୋକୁ ଉନ୍ମୋଚନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଦାବୀ ପୁରଣ ପାଇଁ ରାଜ୍ୟପାଳଙ୍କ ପାଖରେ ଫେରାଦ ହେଲେ ଆୟୁଷ ଛାତ୍ରଛାତ୍ରୀ

ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ବର୍ଷ ଧରି ଆୟୁର୍ବେଦ ଓ ହୋମିଓପ୍ୟାଥିକ ଚିକିତ୍ସା ପଦ୍ଧତିର ସ୍ଥିତି କିଭଳି ବିପର୍ଣ୍ଣ ଆଡ଼କୁ ଗତି କରୁଛି ସେ ସମ୍ପର୍କରେ ଅଲ ଓଡିଶା ଆୟୁଷ ଛାତ୍ର ସଙ୍ଗଠନ ର ଏକପ୍ରତିନିଧି ଦଳ ଓଡିଶା ରାଜ୍ୟପାଳ ଙ୍କୁ ଭେଟି ବିସ୍ତୃତ ଆଲୋଚନା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଆୟୁଷ ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ପତ୍ରରେ ରାଜ୍ୟରେ ଏକୋଇଶ ବର୍ଷ ଧରି ରାଜ୍ୟ ସରକାର ଆୟୁଷ ଡିସ୍ପେନସାରି ନ ଖୋଲିବା,ରାଜ୍ୟର ସମସ୍ତ ସରକାରୀ ଆୟୁଷ କଲେଜ ଭିତ୍ତିଭୂମିର ବିପର୍ଣ୍ଣ ସ୍ଥିତି, ଆୟୁଷ ଭେଷଜ ଛାତ୍ରଛାତ୍ରୀଙ୍କୁ ସରକାରୀ ସ୍ତରରେ କିଭଳି ଉପେକ୍ଷା କରାଯାଇଛି ତତସହିତ ରାଜ୍ୟରେ ଲୋକମାନଙ୍କ ଚାହିଦା ମୁତାବକ ଆୟୁଷ ଡିସ୍ପେନସାରିର ଅଭାବ ଦୂର କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉପେକ୍ଷା ଆଦି ସମ୍ପର୍କରେ ଆଲୋଚନା କରିବା ସହିତ ବିହିତ ପଦକ୍ଷେପ ନେବାକୁ ପ୍ରତିନିଧି ଦଳ ରାଜ୍ୟପାଳ ଙ୍କୁ ଅନୁରୋଧ କରିଥିଲେ।

ରାଜ୍ୟପାଳ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ଡା ପ୍ରିୟଙ୍କା ରାଉତ, ଡା ଲୋପାମୁଦ୍ରା ଖଟୋଇ, ଡା ରାଜେଶ ମିଶ୍ର, ଡା ଅମୀୟ ଦାସ, ପ୍ରୀତିରଞ୍ଜନ ଦାସ ପ୍ରମୁଖ ସାକ୍ଷାତ ଆଲୋଚନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ପାଇଁ ୭୪ ଜଣଙ୍କୁ ପଦକ ପ୍ରଦାନ କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟ ପୋଲିସ୍‌ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ୭୪ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ସାହସିକତା ପଦକ ପ୍ରଦାନ କରାଯାଇଛିା ଲୋକସେବା ଭବନ କନଭେନସନ୍‌ ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏହି ପଦକ ପ୍ରଦାନ କରିଛନ୍ତି।

ଏଥିରେ ୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ବିଶିଷ୍ଟ ସେବା ନିମନ୍ତେ ୨ଜଣଙ୍କୁ ‘ରାଷ୍ଟ୍ରପତି ପୋଲିସ ପଦକ’ ଓ ୧୦ଜଣଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ‘ରାଷ୍ଟ୍ରପତି ପୋଲିସ ପଦକ’ ପ୍ରଦାନ କରାଯାଇଛି। ସେହିପରି ଉଲ୍ଲେଖନୀୟ ସେବା ନିମନ୍ତେ ୧୫ ଜଣଙ୍କୁ ‘ରାଜ୍ୟପାଳ ପୋଲିସ୍‌ ପଦକ’ ପ୍ରଦାନ କରା ଯାଇଛି। ଅନୁରୂପ ଭାବେ ୨୦୨୦ ସ୍ୱାଧୀନତା ଦିବସ ପାଇଁ ବିଶିଷ୍ଟ ସେବା ନିମନ୍ତେ ୨ ଜଣଙ୍କୁ ‘ରାଷ୍ଟ୍ରପତି ପୋଲିସ୍‌ ପଦକ’ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ‘ରାଷ୍ଟ୍ରପତି ପୋଲିସ୍‌ ପଦକ’ ପ୍ରଦାନ କରାଯାଇଛିା

୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ୨ ଜଣ ଅଗ୍ନିଶମ ଅଧିକାରୀଙ୍କୁ ‘ରାଷ୍ଟ୍ରପତିଙ୍କ ବିଶିଷ୍ଟ ଅଗ୍ନିଶମ ସେବା ପଦକ’ ପ୍ରଦାନ କରାଯାଇଥିବା ବେଳେ ୪ ଜଣଙ୍କୁ ‘ପ୍ରଶଂସନୀୟ ସେବା ପଦକ’ ପ୍ରଦାନ କରାଯାଇଛି। ୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ଗୃହରକ୍ଷୀ ସେବା ନିମନ୍ତେ ଜଣଙ୍କୁ ‘ରାଷ୍ଟ୍ରପତିଙ୍କ ବିଶିଷ୍ଟ ପଦକ’ ଏବଂ ଜଣଙ୍କୁ ‘ରାଷ୍ଟ୍ରପତି ପ୍ରଶଂସନୀୟ ସେବା ପଦକ’ ପ୍ରଦାନ କରାଯାଇଛି। ସେହିପରି ବେସାମରିକ କ୍ଷେତ୍ରରେ ପ୍ରଶଂସନୀୟ ସେବା ନିମନ୍ତେ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି।

୨୦୨୦ ସ୍ୱାଧୀନତା ଦିବସ ପାଇଁ ଅଗ୍ନିଶମ ସେବା କ୍ଷେତ୍ରରେ ସାହସିକତା ପାଇଁ ୧ ଜଣଙ୍କୁ ‘ରାଷ୍ଟ୍ରପତିଙ୍କ ସାହସିକତା ପଦକ’ ପ୍ରଦାନ କରାଯାଇ ଥିବା ବେଳେ ୨ ଜଣଙ୍କୁ ‘ରାଷ୍ଟ୍ରପତିଙ୍କ ବିଶିଷ୍ଟ ଅଗ୍ନିଶମ ସେବା ପଦକ’ ପ୍ରଦାନ କରାଯାଇଛି। ଅନୁରୂପ ଭାବରେ ୬ ଜଣଙ୍କୁ ‘ପ୍ରଶଂସନୀୟ ଅଗ୍ନିଶମ ସେବା ପଦକ’ ପ୍ରଦାନ କରାଯାଇଛି।

ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବାରେ ପ୍ରଶଂସନୀୟ ସେବା ନିମନ୍ତେ ୨୦୨୦ ସ୍ୱାଧୀନତା ଦିବସ ପାଇଁ ୪ ଜଣଙ୍କୁ ପଦକ ପ୍ରଦାନ କରାଯାଇଛିା ବେସାମରିକ ପ୍ରତିରକ୍ଷା କ୍ଷେତ୍ରରେ ୧ ଜଣଙ୍କୁ ବିଶିଷ୍ଟ ସେବା ନିମନ୍ତେ ‘ରାଷ୍ଟ୍ରପତି ପଦକ’ ପ୍ରଦାନ କରାଯାଇଛି।
୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ୩ ଜଣ କାରାଗାର ଅଧିକାରୀଙ୍କୁ ‘ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ’ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଛି।

ସେହିପରି ୨୦୨୦ ସାଧାରଣତନ୍ତ୍ର ଦିବସ ପାଇଁ ୩ ଜଣ କାରାଗାର ଅଧିକାରୀଙ୍କୁ ‘ରାଷ୍ଟ୍ରପତିଙ୍କ ସଂସ୍କାର ସେବା ପଦକ’ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଛି।

୨୦୨୦ ସ୍ୱାଧୀନତା ଦିବସ ଅବସରରେ ୨ ଜଣ କାରାଗାର ଅଧିକାରୀଙ୍କୁ ‘ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ’ ସହ ରାଜ୍ୟ ସରକାରଙ୍କ ପକ୍ଷରୁ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଛି। ସେହିପରି ୨ଜଣଙ୍କୁ ‘ରାଷ୍ଟ୍ରପତିଙ୍କ ସଂସ୍କାର ସେବା ପଦକ’ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଏବଂ ମାନପତ୍ର ପ୍ରଦାନ କରାଯାଇଛି।

ଆୟୋଜିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉପସ୍ଥିତ ରହି ସମସ୍ତଙ୍କୁ ଏହି ପଦକ ପ୍ରଦାନ କରିଥିଲୋ ଏହି ଅବସରରେ ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବ ସେବା, ଗୃହରାଷ୍ଟ୍ର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଅତିରିକ୍ତମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶ୍ରୀ ଦେଓରଞ୍ଜନ ସିଂହ, ଡିଜି-ପୋଲିସ ଶ୍ରୀ ସୁନୀଲ କୁମାର ବଂଶଲ, ଡିଜି-ଅଗ୍ନିଶମ, ହୋମଗାର୍ଡ ଓ ବେସାମରିକ ପ୍ରତିରକ୍ଷା ଡ.ସୁଧାଂଶୁ କୁମାର ଷଡଙ୍ଗୀ,ଡିଜି-କାରାଗାର ଓ ସଂସ୍କାର ସେବା ଶ୍ରୀ ମନୋଜ କୁମାର ଛାବ୍ରାଙ୍କ ସହ ଗୃହ ବିଭାଗର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ଓଡିଶା ଗସ୍ତ, ବାଣପୁର ମା ଭଗବତୀଙ୍କୁ କରିବେ ଦର୍ଶନ

ରାୟପୁର: ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ୬ ଦିନିଆ ଓଡିଶା ଗସ୍ତରେ ଆସୁଥିବାର ରାଜଭବନ ସୁତ୍ରରୁ ଜଣାପଡିଛି। ସେ ଆସନ୍ତାକାଲି ୨୦ ତାରିଖ ସଂଧ୍ୟାରେ ରାୟପୁରରୁ ବାହାରି ଭୁବନେଶ୍ବରରେ ପହଞ୍ଚିବେ। ସେହିଦିନ ସେ ଭୁବନେଶ୍ବରସ୍ଥିତ ନିଜ ବାସଭବନରେ ଅବସ୍ଥାନ କରିବେ।

ତାପରଦିନ ୨୧ ତାରିଖରେ ସେ କେତେକ ବିଶିଷ୍ଠ ଲୋକଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସଂଧ୍ୟାରେ ସେ ଜୟଦେବ ଭବନରେ ଆୟୋଜିତ ସ୍ବାଭିମାନ ସମ୍ମିଳନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।

୨୩ ତାରିଖରେ ତାଙ୍କର ଜନ୍ମମାଟି ବାଣପୁର ଗସ୍ତ ରହିଛି। ସେ ଭୁବନେଶ୍ବରରୁ ବାହାରି ମା ଭଗବତୀ ମନ୍ଦିର ଯିବେ। ସେଠାରେ ମାଆଙ୍କୁ ଦର୍ଶନ କରିବା ସହିତ ନିଜ ଜନ୍ମସ୍ଥାନ ଗୋଡିଝର ଗ୍ରାମକୁ ଗସ୍ତ କରିବେ। ସେଠାରେ ସେ ନିଜ ପିତାଙ୍କ ଆରଧ୍ୟ ଠାକୁର ବାଲୁଙ୍କେଶ୍ବର ଦେବଙ୍କୁ ଦର୍ଶନ କରିବେ। ଏଥିସହିତ ସେ ନିଜ ପିତାମାତାଙ୍କ ସମାଧିସ୍ଥଳରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ସଂଧ୍ୟାରେ ସେ ବାଲୁଗାଁ, ଗମ୍ଭାରୀମୁଣ୍ଡା ଏବଂ ବାଣପୁରଠାରେ ଆୟୋଜିତ ବିଭିନ୍ନ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବେ। ସେଠାରେ ଚିଲିକାର ନାଗରିକମାନେ ଛତିଶଗଡ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା କରିବେ। ସେ ବାଲୁଗାଁରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରାପଡ଼ାର ଗୋକୁଳଚନ୍ଦ୍ର ସଂଗୀତ ସଦନର ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ରାଜ୍ୟପାଳ

ଭୁବନେଶ୍ୱର: ଆଜି ରାଜଭବନର ନୂତନ ଅଭିଷେକ କକ୍ଷରେ କେନ୍ଦ୍ରାପଡ଼ାର ଗୋକୁଳଚନ୍ଦ୍ର ସଂଗୀତ ସଦନ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ। ଏହାକୁ ଉଦ୍‌ଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ ଯେ ଅଧ୍ୟାତ୍ମ ଭାବର ସଂଚାର କରାଏ ସଂସ୍କୃତି। ସଂସ୍କୃତି ମଣିଷକୁ ରୂପାନ୍ତରିତ କରେ।

ସଂଶୟରୁ ଶାଶ୍ୱତକୁ ବାଟ କଢ଼ାଏ। ଆତ୍ମବିସର୍ଜନର ପଥ ଉନ୍ମୁକ୍ତ କରେ। ଯେଉଁ ସଂସ୍କୃତିରେ ଶାଶ୍ୱତ ରସ ନାହିଁ, ତାହା ନିରସ ଓ ଅପଭ୍ରଂଶର ଆଧାର। ଅଧ୍ୟାତ୍ମ ଓ ସଂସ୍କୃତିର ମହାମିଳନ ମଣିଷ ପାଇଁ ଈଶ୍ୱରୀୟ ବରଦାନ ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ।

ସଭାପତି ଅମ୍ବିକା ପ୍ରସାଦ ଦାସ ଅନୁଷ୍ଠାନର ଇତିହାସ ଓ ଏତିହ୍ୟ ସଂପର୍କରେ ସୂଚନା ଦେଇଥିଲେ। ଜ୍ୟୋତିର୍ବିଦ୍‌ ପ୍ରଦୀପ କୁମାର ଚୌଧୁରୀ, ଶିକ୍ଷାବିତ୍‌ ସତ୍ୟପ୍ରକାଶ ପଣ୍ଡା, ଶିକ୍ଷାବିତ୍‌ ଶରତ ଚନ୍ଦ୍ର ପଣ୍ଡା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ଏହି ଅବସରରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଦିବାକର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସଂଗୀତ ସଦନର କଳାକାରମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରର ଆଇଆଇଆଇଟିର ନୂଆ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଲେ ରାଜ୍ୟପାଳ

ଭୁବନେଶ୍ବର: ଆଜି ଭୁବନେଶ୍ବରସ୍ଥିତ ଇଣ୍ଟରନ୍ୟାସନାଲ ଇନିଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକନୋଲୋଜିର ନୂଆ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀଲାଲ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ସେ ହେଲେ ଡ. ଆସୀଷ ଘୋଷ। ତାଙ୍କୁ ପାଞ୍ଚ ବର୍ଷ କିମ୍ବା ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।

ଡ ଘୋଷ ବର୍ତ୍ତମାନ କୋଲକାତାର ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଇନଷ୍ଟିଚ୍ୟୁଟର ପ୍ରୋଜେକ୍ଟ ଡାଇରେକ୍ଟର ଅଛନ୍ତି। ଏହା ଅଧିନରେ ଥିବା ଟେକନୋଲୋଜି ଇନଭେସନ ହବ ର ପ୍ରୋଜେଟ ଡାଇରେକ୍ଟର ଅଛନ୍ତି। ତାଙ୍କର 28 ବର୍ଷର ଶିକ୍ଷକତା ଅଭିଜ୍ଞତା ରହିଛି। ଏଥିସହିତ ସେ ପ୍ରାୟ 10ଟି ପୁସ୍ତକର ଲେଖକ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ଦ୍ବାରା ‘ତମିସ୍ରାର ନୀଳଜହ୍ନ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ରାଜଭବନରେ କବି ଅଶୋକ କୁମାର ପଟ୍ଟନାୟକଙ୍କ ପ୍ରଥମ କବିତା ସଂକଳନ “ତମିସ୍ରାର ନୀଳଜହ୍ନ  ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି।

ଏହି ଅବସରରେ କବି ଅଶୋକ ପଟ୍ଟନାୟକ, ବରିଷ୍ଠ କବି ରକ୍ଷକ ନାୟକ,  ମହେନ୍ଦ୍ର ନାୟକ ଏବଂ ପ୍ରକାଶକ ମାନମୟୀ ରଥ ଉପସ୍ଥିତ ଥିଲେ। ଏକ ନିରାଡ଼ମ୍ବର ପରିବେଶରେ ଏଭଳି ଏକ ଅଭିନଵ ଉନ୍ମୋଚନରେ ନିଜ ବହିଟିକୁ ଉନ୍ମୋଚିତ ହେବାର ଦେଖି କବି ଅଶୋକ ପଟ୍ଟନାୟକ ନିଜ ଆନନ୍ଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ରାଜଭବନରେ ପାଳିତ ହେଲା ଗୋଆ ଦିବସ

ଭୁବନେଶ୍ୱର : ବିଭିନ୍ନତା ମଧ୍ୟରେ ଏକତା ଭାରତର ଶକ୍ତି ଓ ସୌନ୍ଦର୍ଯ୍ୟ। ଭାରତୀୟତାର ମହକ ଓ ଆଲୋକ ହିଁ ଆମର ପରିଚୟ। ଭାରତର ପରିଚିତିକୁ ଗୋଆ ବହୁ ଭାବରେ ପ୍ରକୀର୍ତ୍ତିତ କରିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି।

ଆଜି ରାଜଭବନରେ ଗୋଆ ଦିବସ ପାଳନ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୋଆର ଇତିହାସ ଓ ଐତିହ୍ୟ ସଂପର୍କରେ ଆଲୋଚନା କରି ଏକ ଭାରତ: ଶ୍ରେଷ୍ଠ ଭାରତର ଲକ୍ଷ୍ୟ ପାଳନରେ ବିଭିନ୍ନ ରାଜ୍ୟର ଦିବସ ପାଳନ ବିଶେଷ ଉପଲବ୍ଧି ବୋଲି କହିଥିଲେ।

ଭୁବନେଶ୍ୱରରେ ରହୁଥିବା ଗୋଆର ନିମନ୍ତ୍ରିତ ବ୍ୟକ୍ତିମାନଙ୍କ ସହ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜଭବନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ସରିଲା ଓଡିଶା ରାଜ୍ୟପାଳଙ୍କ କାର୍ଯ୍ୟକାଳ, ଗଣେଷୀଲାଲ ରହିବେ ନା ନୂଆ ଆସିବେ !!

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେ ୨୦୧୮ ମସିହା ମେ ୨୯ ତାରିଖରେ ଓଡିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ। ସେହି ଅନୁସାରେ ଏଇ ୨୯ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ହେଲେ ନୂଆ ରାଜ୍ୟପାଳ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ।

ତେବେ ଆଶ୍ଚର୍ଯ୍ୟର କଥା ହେଲା ଯେ, କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ନା ପ୍ରଫେସର ଗଣେଷୀଲାଲଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି ନା ନୂଆ କାହାକୁ ଦାୟିତ୍ବ ଦେଇଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ପ୍ରଶ୍ନ ଉଠିଛି ଯେ, ଯଦି ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆ ନ ଯିବ ତେବେ ଯିଏ ଅଛନ୍ତି ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିବା କଥା। ହେଲେ ତାହା ଏ ପର୍ଯ୍ୟନ୍ତ ହୋଇପାରି ନାହିଁ।

ସେହିପରି ସମ୍ବିଧାନ ବିଶେଷଜ୍ଞଙ୍କ ଅନୁସାରେ କୌଣସି ରାଜ୍ୟର ରାଜ୍ୟପାଳଙ୍କ କାର୍ଯ୍ୟକାଳ ଶେଷହେଲେ ସେଠାରେ ତୁରନ୍ତ ନୂଆ ନିଯୁକ୍ତି ଦେବା କଥା। ଯଦି ହଠାତ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି କରିବାରେ କିଛି ଅସୁବିଧା ହୁଏ ସେଠାରେ ଦୁଇଟି ବିକଳ୍ପ ରହିଛି। ଗୋଟିଏ ହେଲା ଯିଏ ରାଜ୍ୟପାଳ ଥିବେ ତାଙ୍କର କାର୍ଯ୍ୟକାଳକୁ ତୁରନ୍ତ ବୃଦ୍ଧି କରାଯିବ। ନଚେତ ପଡୋଶୀ ରାଜ୍ୟର ରାଜ୍ୟପାଳଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ।

ହେଲେ ବର୍ତ୍ତମାନର ରାଜ୍ୟପାଳଙ୍କ କାର୍ଯ୍ୟକାଳ ଶେଷ ହେବାର ଦୁଇଦିନ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ କିଛି କରି ନାହାଁନ୍ତି। ସେଥିପାଇଁ ସନ୍ଦେହ ହେଉଛି ଯେ, ପ୍ରଫେସର ଗଣେଷଲାଲଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ କେନ୍ଦ୍ର ଆଉ କାହାକୁ ନିଯୁକ୍ତି ପ୍ରଦାନ କରୁ ନାହାଁନ୍ତି। ହେଲେ ରାଜ୍ୟର ଏପରି ଏକ ଗୁରୁତ୍ବପୂର୍ଣ୍ଣ ପଦବୀରେ ନିଯୁକ୍ତିକୁ ନେଇ କେନ୍ଦ୍ର ଏପରି କରିବା ଉଚିତ ନୁହେଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ପ୍ରଫେସର ଗଣେଷୀଲାଲ ଓଡିଶାର ରାଜ୍ୟପାଳ ଭାବେ ନିଯୁକ୍ତି ହେବା ପରେ ସେ ରାଜ୍ୟ ସରକାରଙ୍କ ସହିତ ଠିକ ତାଳମେଳ ରଖି କାର୍ଯ୍ୟ କରୁଛନ୍ତି। କାରଣ ଅନ୍ୟ କେତେକ ରାଜ୍ୟରେ ରାଜ୍ୟପାଳଙ୍କ ସହିତ ରାଜ୍ୟ ସରକାରଙ୍କ ତାଳମେଳ ରହୁ ନାହିଁ। ଫଳରେ ସେଠାରେ ଉଭୟ ରାଜ୍ୟପାଳ ଏବଂ ରାଜ୍ୟ ସରକାର ବିବାଦୀୟ ହୋଇପଡିଛନ୍ତି। ହେଲେ ଓଡିଶାରେ ତାହା ଦେଖାଯାଇ ନାହିଁ।

ଏକଦା ପ୍ରଫେସର ଗଣେଷୀଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କର ଓଡିଶା ରାଜଭବନରେ ଦେହାନ୍ତ ହେବା ପରେ ମଧ୍ୟ ସେ ଛୁଟି ନ ନେଇ ନିଜର କାର୍ଯ୍ୟ ଜାରୀ ରଖିଥିଲେ। ଧର୍ମପତ୍ନୀଙ୍କ ଶବଦାହ ପରେ ପରେ ସେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ରାଜଭବନରେ ନିଜର କାର୍ଯ୍ୟ କରିଥିଲେ। ଯାହାକୁ ନେଇ ସେତେବେଳେ ରାଜ୍ୟପାଳଙ୍କ ଏପରି କାର୍ଯ୍ୟକୁ ସାରା ଦେଶରେ ବେଶ୍ ପ୍ରଶଂସା କରାଯାଇଥିଲା।

ଅନ୍ୟପକ୍ଷରେ ପ୍ରଫେସର ଗଣେଷୀ ଲାଲ ଓଡିଶାର ସାହିତ୍ୟ, ସଂସ୍କୃତି ଏବଂ ଗବେଷଣା କ୍ଷେତ୍ରରେ ଉନ୍ନତି ପାଇଁ ଯଥେଷ୍ଠ ପ୍ରଚେଷ୍ଠା ଜାରୀ ରଖିଛନ୍ତି। ନିଜେ ଜଣେ ଧର୍ମପରାୟଣ ଏବଂ ସାହିତ୍ୟପ୍ରେମୀ ବ୍ୟକ୍ତି ହୋଇଥିବାରୁ ସେହି କ୍ଷେତ୍ରରେ ସେ କାର୍ଯ୍ୟ କରୁଛନ୍ତି। ଫଳରେ ଓଡିଶାର ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଫେସର ଗଣେଶୀଲାଲ ବେଶ ଲୋକପ୍ରିୟ ମଧ୍ୟ ହୋଇପାରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶା ରାଜଭବନରେ ସ୍ଥାପିତ ହେଲା ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ

ଭୁବନେଶ୍ୱର: ରାଜଭବନ ଇତିହାସରେ ଆଜି ଥିଲା ଏକ ଗୌରବମୟ କ୍ଷଣ। ଅତୀତରେ ଅନେକ ଐତିହାସିକ ଘଟଣାର ମୁଖ୍ୟକେନ୍ଦ୍ର ଏହି ରାଜଭବନ। ରାଜଭବନ ପରିସରରେ ଏକ ସୁଉଚ୍ଚ ଜାତୀୟ ପତାକାସ୍ତମ୍ଭ ସ୍ଥାପନା ଥିଲା, ଆଉ ଏକ ସ୍ମରଣୀୟା ଘଟଣା ଓ ଇତିହାସ ପୃଷ୍ଠାରେ ଯୋଡ଼ି ହୋଇଯାଇଛି ଏକ ନୂତନ ପୃଷ୍ଠା ଏବଂ ଭବିଷ୍ୟତ ପୀଢ଼ିକୁ ସ୍ମରଣ କରାଇବ ଏହାର ଗୌରବମୟ ଇତିହାସ।

ସମଗ୍ର ବାତାବରଣ ଥିଲା ନିଆରା ଓ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥିଲା ଅଫୁରନ୍ତ ଆନନ୍ଦ। ଏହିପରି ଏକ ମନୋଜ୍ଞ ପରିବେଶ ମଧ୍ୟରେ ଆଜି ପୂର୍ବାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଗରିମାମୟ ଉପସ୍ଥିତରେ ରାଜଭବନଠାରେ ଏକ ସୁଉଚ୍ଚ ଜାତୀୟ ପତାକାସ୍ତମ୍ଭର ସଂସ୍ଥାପନା ଅନୁଷ୍ଠିତ ହୋଇଯାଇଛି।

ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବଟନ୍ ଦବାଇବା ପରେ ପୋଲିସ୍ ବ୍ୟାଣ୍ଡର ଧୁନ୍‌ରେ  20′x30′ ଜାତୀୟ ପତାକା ସ୍ତମ୍ଭର ଉଚ୍ଚକୁ ଉଠିଥିଲା ଓ ଏହାର ଉତ୍ତୋଳନ ପରେ ପୋଲିସ୍ ବ୍ୟଣ୍ଡ ଜାତୀୟ ସଂଗୀତ ପରିବେଷଣ କରିଥିଲେ। ଏହାପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପତାକାସ୍ତମ୍ଭ ସ୍ଥାପନାର ଉଦ୍‌ଘାଟନ ଫଳକକୁ ଉନ୍ମୋଚନ କରିଥିଲେ।

୩୨ମିଟର ଦୀର୍ଘ ସ୍ତମ୍ଭର ଉଭୟ ପାଶ୍ୱର୍ରେ ଥିବା ଫଳକରେ ଓଡ଼ିଆ ଓ ଇଂରାଜୀ ଭାଷାରେ ଏହି ତ୍ରିରଙ୍ଗା ଧ୍ୱଜା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଅଦ୍ୟମ ସାହସ ଓ ସର୍ବୋଚ୍ଚ ବଳିଦାନର ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ ବୋଲି ଉଲ୍ଲେଖ ରହିଛି।

ଏହି ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍‌. ବାଲକ୍ରିଷ୍ଣନ, ମୁଖ୍ୟ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂଶଲ୍‌, ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ। ଏତଦ୍‌ବ୍ୟତୀତ ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ସେମାନଙ୍କ ପରିବାରର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।