Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଦ୍ୱିତୀୟ ଦିବସରେ କେନ୍ଦ୍ର ପୁରସ୍କାରପ୍ରାପ୍ତ ୫ ସାହିତ୍ୟିକ ସମ୍ମାନିତ

ଭୁବନେଶ୍ୱର: ପଞ୍ଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଆଜି ଦ୍ୱିତୀୟ ଦିବସ। ଆଜି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷୀକେଶ ମଲ୍ଲିକ କହିଲେ ଯେ ପାଠକ ହେଉଛି ପୁସ୍ତକର ବାସ୍ତବ ବିଚାରକ। ବର୍ତ୍ତମାନର ସାମାଜିକ ଗଣମାଧ୍ୟମ ଯୁଗରେ ବହିର ପାଠକୀୟ ଆଦରତା ଅକ୍ଷୁଣ୍ଣ ରହିଛି, ଯାହା ପୁସ୍ତକ ମହୋତ୍ସବ ଆୟୋଜନର ଉଦ୍ଦେଶ୍ୟକୁ ଯଥାର୍ଥ ପ୍ରତିପାଦନ କରୁଛି।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆୟକର ବିଭାଗ ମୁଖ୍ୟ କମିଶନର ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ କହିଲେ ଯେ ପୁସ୍ତକ ହେଉଛି ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ବନ୍ଧୁ, ଯାହା ମୃତୁ୍ୟ ପରେ ମଧ୍ୟ ବଞ୍ଚାଇ ରଖିଥାଏ। ପୁସ୍ତକ ମେଳା ହେଉଛି ସାହିତ୍ୟ, ଭାଷା ଓ ସଂସ୍କୃତିର ତି୍ରବେଣୀ ସମ୍ଭାର ଯାହା ମାନବୀୟ ଚେତନା ସୃଷ୍ଟି କରିଥାଏ ବୋଲି ସେ କହିଥିଲେ।

ଓଡ଼ିଆ ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀ ସଂଗ୍ରାମ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କନ୍ନଡ଼ ସାହିତି୍ୟକ ଡ. ମୁଦନାକୁଡ଼ୁ ଚିନ୍ନାସ୍ୱାମୀ, ମରାଠୀ ସାହିତି୍ୟକା ଅନୁରାଧା ପାଟିଲ, ମାଲାୟଲମ୍‌ ସାହିତି୍ୟକା ପି୍ରୟା ଏ. ଏସ୍‌., ବଙ୍ଗଳା ସାହିିତି୍ୟକ ସୁବୋଧ ସରକାର ଏବଂ ତାମିଲ ସାହିତି୍ୟକ ଆର୍‌.ଏନ୍‌. ଜୋଡି କୃଜ୍‌ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଓଡ଼ିଆ ଭାଷା ଓ ସାହିତ୍ୟର ବ୍ୟାପକତା ଓ ସମୃଦ୍ଧତା ଉପରେ ସେମାନେ ଆଲୋକପାତ କରିଥିଲେ।

ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା କବି ଜୟନ୍ତ ମହାପାତ୍ରଙ୍କ ପ୍ରତି ଉତ୍ସର୍ଗୀକୃତ ଅରୁଣ ଚନ୍ଦ୍ର ସାହୁଙ୍କ ଇଂରାଜୀ କବିତା ‘ଦି ବଟରଫ୍ଲାଏ ଅଫ୍‌ ଦି କେଜ୍‌’, ଭାନୁମତି ସାହୁଙ୍କ ଉପନ୍ୟାସ ‘ମୁଁ ବିକର୍ଣ୍ଣ’, ପଦ୍ମାଳୟା ପାଢ଼ୀଙ୍କ ଗଳ୍ପ ସଂକଳନ ‘ରକ୍ଷା କବଚ’, ଶିଶୁ ଲେଖିକା ଶୈଳବାଳା ରାଉତଙ୍କ ଗଳ୍ପ ସଂକଳନ ‘କେଦାରନାଥ’ ଓ ଶିଶୁ ଉପନ୍ୟାସ ‘ଗୁରବେ ନମଃ’ ପୁସ୍ତକ ଉନ୍ମୋଚିତ ହୋଇଥିଲା।

ଏହି ପୁସ୍ତକମେଳା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ କମିଟି, ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ସହଯୋଗରେ ଆୟୋଜିତ ହୋଇଛି। ଏହି ମେଳାରେ ୫୭୨ଟି ଷ୍ଟଲ ରହିଛି। ଏଥିରେ ବିଭିନ୍ନ ରାଜ୍ୟର ପ୍ରକାଶକମାନେ ସେମାନଙ୍କ ପୁସ୍ତକ ପ୍ରଦର୍ଶନ ଏବଂ ବିକ୍ରୟ କରୁଛନ୍ତି। ଏହି ମେଳା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଅପରାହ୍ନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ରହିବ।

ବିଭାଗୀୟ ଯୁଗ୍ମ ଶାସନ ସଚିବ ତଥା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ଅତସୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ମଧୁମିତା ମହାନ୍ତି ଓ ଅନୁଜା ତାରିଣୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରାଚୀ ତାରା ସଂସ୍ଥା ଦ୍ୱାରା ଫକୀର ମୋହନ ସେନାପତିଙ୍କ ଡାକ୍‌ମୁନ୍‌ସୀର ଗଳ୍ପାୟନ ପରିବେଷିତ ହୋଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟ ପୁସ୍ତକ ମହୋତ୍ସବରେ “ଓଡିଆ ଲୋକ ସାହିତ୍ୟର ସ୍ଵରୂପ” ସମ୍ପର୍କରେ ଆଲୋଚନା

ଭୁବନେଶ୍ୱର: ଯେଉଁଠି ସଭ୍ୟତା ଥାଏ, ସେଠାରେ ଲୋକ ସାହିତ୍ୟ ରହିଥାଏ। ଆମ ଦେଶର ସଭ୍ୟତା ବହୁ ପ୍ରାଚୀନ। ବିଭିନ୍ନ ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକ ସାହିତ୍ୟ ତାର ଅସ୍ତିତ୍ୱ ହରାଉଥିବା ବେଳେ ଆମ ଭାରତୀୟ ଲୋକ ସାହିତ୍ୟ ବଞ୍ଚି ରହିଛି। ଏହି ସାହିତ୍ୟକୁ ଆଦର କରିବାରେ ସମସ୍ତଙ୍କର ପ୍ରସାସ ରହିବା ଆବଶ୍ୟକ ବୋଲି ଆଜି ବକ୍ତାମାନେ ୪ର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର” ର ୫ ମ ଦିନ ସଂଧ୍ୟାରେ ” ଓଡିଆ ଲୋକ ସାହିତ୍ୟର ସ୍ଵରୂପ” ବିଷୟରେ ଆଲୋଚନା ସଭାରେ ଯୋଗଦେଇ ପ୍ରକାଶ କରିଛନ୍ତି।

ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ପ୍ରସିଦ୍ଧ କାଶ୍ମୀର ସାହିତ୍ୟିକ ସୌଫି ସୌକ୍ ଯୋଗଦେଇ କହିଲେ ଯେ, ଲୋକ ସାହିତ୍ୟ ୭୦୦ ବର୍ଷରୁ ଊର୍ଦ୍ଧ୍ୱ ପୂରୁଣା , ଯାହା ପିଢି ପରେ ପିଢି କଥିତ ଓ ଲିଖିତ ଭାବରେ ବିଭିନ୍ନ ଭାଷାରେ ଉପଲବ୍ଧ ହୋଇ ଆସିଛି। ପୂର୍ବରୁ ଇତିହାସ ଓ ଲୋକକଥା ଏକାଠି ବର୍ଣ୍ଣିତ ହେଉଥିଲା। କେନ୍ଦ୍ର ଏସିଆରୁ ବହୁ ଲୋକକଥା ଆସିଛି।

କାଶ୍ମିରୀବାସୀଙ୍କୁ ପରିଚୟ ଲୋକ କଥା ହିଁ ଦେଇଛି। ବିଭିନ୍ନ ସମୟରେ କାଶ୍ମୀର ଆକ୍ରମଣ ପରବର୍ତ୍ତୀ ଶାସକମାନଙ୍କର ରାଜ୍ୟ ଜୟ ଆଦି କଥା ବିଭିନ୍ନ ଲୋକ ସାହିତ୍ୟ ଭାବରେ ପରିଚିତି ଲାଭ କରିଥିଲା । ଗାନ୍ଧାର ସଂସ୍କୃତି, ରାଜା ମହାରାଜା ଓ ପରୀ ରାଇଜର କାହାଣୀ, ଏସୀୟ ଦେଶର ଲୋକ କଥା ତାମିଲନାଡୁ, କେରଳର ଓ ବିଭିନ୍ନ ପ୍ରଦେଶର ଲୋକେ କାଶ୍ମିର ଯିବା ଫଳରେ ଏବଂ ଅନ୍ୟ ଭାଷାକୁ ରୂପାନ୍ତରିତ ହେବା ଫଳରେ ଲୋକ ସାହିତ୍ୟର ପ୍ରଚାର ପ୍ରସାର ଘଟିଥିଲା ।

ଏହି ଲୋକ ସାହିତ୍ୟକୁ ଚିହ୍ନିବା, ଜାଣିବା ଓ ପୁନରୁଦ୍ଧାର ପାଇଁ ସମସ୍ତେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ପ୍ରସିଦ୍ଧ ସାହିତ୍ୟିକ ସୌଫି ସୌକ୍ ପ୍ରକାଶ କରିଥିଲେ।
ଆଲୋଚନା ଚକ୍ରରେ ବିଶିଷ୍ଟ ଅତିଥି ଭାବେ ଓଡିଆ ସାହିତ୍ୟିକ ଶ୍ରୀ ହରପ୍ରସାଦ ଦାସ ଯୋଗଦେଇ କହିଲେ ଯେ,ସଂସ୍କୃତ କାବ୍ୟ ସାହିତ୍ୟର ମହାକବି କାଳିଦାସ, ଶାରଳା ଦାସଙ୍କ ଆଦିରେ କେତେକ ଚରିତ୍ରରେ ଲୋକ ସାହିତ୍ୟର ବ୍ୟବହାର ରହିଥିଲା ।ସ୍ମରଣୀୟତା, ତତ୍କାଳୀକତା, ଅନ୍ତର୍ପାଠ, ମୌଳିକତା ଆଦି ଲୋକ ସାହିତ୍ୟର ଭାଷା ,ଯେଉଁଥିରେ ଆବେଦନ ଓ ସମ୍ବେଦନଶୀଳତା ରହିଛି।

ଆମ୍ଭେମାନେ ଧିରେ ଧିରେ ଲୋକ ସାହିତ୍ୟକୁ ହରାଇ ବସୁଛେ। ପୂର୍ବେ ଗ୍ରାମ୍ୟ ସଂସ୍କୃତିରେ ଜେଜେ ବାପା, ଜେଜେ ମା’ ମାନେ ଶିଶୁମାନଙ୍କୁ ଲୋକ କଥା କହୁଥିଲେ, ଯାହା ଆଜି ଆଉ ନାହିଁ। ଗାଁର ସ୍ୱପ୍ନ ସହର ହେବା ଯୋଗୁଁ ଲୋକ କଥା ଲୋପ ପାଇବାକୁ ବସିଛି । ଲୋକ ସାହିତ୍ୟକୁ ବଂଚାଇ ରଖିବାରେ ଆମର ପିଲା, ଯୁବପିଢି ଓ ବୟସ୍କ, ସମସ୍ତଙ୍କର ଆଦର ରହିବା ଉଚିତ। ଅନେକ ଲୋକ କଥା ଆମ ଓଡିଆ ଲୋକ ସାହିତ୍ୟରେ ଭରି ରହିଛି ବୋଲି ଶ୍ରୀ ଦାସ ପ୍ରକାଶ କରିବା ସହିତ ଓଡିଆ ଲୋକ ସାହିତ୍ୟର ସଂକଳନ ଓ ପ୍ରୟୋଗାତ୍ମକ ଆଲୋଚନା ଏବଂ ଲୋକ ଶ୍ରୁତିରୁ ଲୋକ ସାହିତ୍ୟକୁ ଲୋକଲୋଚନକୁ ଆଣିବାକୁ ପଡିବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।

କାର‌୍ୟ୍ୟକ୍ରମରେ ସଭାପତିତ୍ୱ କରି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ ଯୋଗଦେଇ କହିଲେ ଯେ, ଲୋକ କଥା ଲୋକ ଗୀତର ସର୍ବଦା ଆଦର ରହିଛି। ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି । ଲୋକ ସାହିତ୍ୟ ଓଡିଆ ସାହିତ୍ୟର ଅମୂଲ୍ୟ ଧନ। ଲୋକଙ୍କ ମନକୁ ଛୁଇଁବା ଭଳି ଏହି ସାହିତ୍ୟକୁ ଆଦର କରିବା ପାଇଁ ଲୋକ ସାହିତ୍ୟ ପୁସ୍ତକ ଅଧ୍ୟୟନ ସହିତ ପିଢି ପରେ ପିଢି ଏହି ଧାରାକୁ ଆଗକୁ ନେବାରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ପୁସ୍ତକ ସମସ୍ତଙ୍କ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହେବା ଉଚିତ୍ ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ। ମଂଚାସୀନ ବରେଣ୍ୟ ଅତିଥିମାନଙ୍କୁ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ପୁସ୍ତକ ଏବଂ ଉତ୍ତରୀୟ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡିଆ ଭାଷା ପ୍ରତିଷ୍ଠାନର ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଚାଟ୍ଟାର୍ଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ଅଭିନେତ୍ରୀ ତଥା ଉପସ୍ଥାପିକା ଶ୍ରୀମତୀ ମଧୁମିତା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ, ଓଡିଆ ଭାଷା ପ୍ରତିଷ୍ଠାନର ସଂପାଦକ ଶ୍ରୀ ପ୍ରବୋଧ ରାଉତ ପ୍ରମୁଖ ଉପସ୍ଥିତଥିଲେ।