Categories
ଆଜିର ଖବର ଜାତୀୟ ଖବର

ଦିଗହରା ସ୍ବଚ୍ଛ ଭାରତ ମିଶନ : ଶୌଚାଳୟ ପାଲଟିଛି ରୋଷେଇ ଘର

ଉତ୍ତରପ୍ରଦେଶ : ସ୍ବଚ୍ଛ ଭାରତ ମିଶନର ଡିଣ୍ଡିମ ପିଟୁଥିବାବେଳେ ଖୋଦ୍‌ ବିଜେପି ସରକାରଙ୍କ ରାଜ୍ୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସ୍ବଚ୍ଛ ଭାରତକୁ ନେଇ ସରକାର ଅନେକ ପ୍ରଚାର କରୁଥିବାବେଳେ ଉତ୍ତରପ୍ରଦେଶର ଏହା କେତେଦୂର କାର୍ଯ୍ୟକାରୀ ତାହା ନିମ୍ନ ଘଟଣାରୁ ବେଶ୍‌ ସ୍ପଷ୍ଟ ହୋଇଯିବ।

ଉତ୍ତରପ୍ରଦେଶର ବାରବାଙ୍ଗି ଜିଲ୍ଲାରେ ଏକ ଅଭିନବ ଘଟଣା ଦେଖିବାକୁ ମିଳିଛି। ଏହି ଜିଲ୍ଲାର ଜଣେ ପରିବାର ଶୌଚାଳୟକୁ ନିଜ ରୋଷେଇ ଘର ରୂପେ ବ୍ୟବହାର କରୁଛନ୍ତି। ଏହି ପରିବାରର ସଦସ୍ୟ ରାମ ପ୍ରକାଶଙ୍କ କହିବାନୁସାରେ ତାଙ୍କ ପାଖରେ ଝାଟି ମାଟିର ଘର ରହିଥିବାବେଳେ ସାମାନ୍ୟ ବର୍ଷାରେ ଘର ଭିତର ଜଳମୟ ହୋଇପଡୁଛି। ଯାହା ଫଳରେ କି ସେମାନେ ଚୁଲି ଜାଳିବା ପାଇଁ ଶୁଖିଲା ସ୍ଥାନ ମଧ୍ୟ ପାଇପାରୁନଥିଲେ। ଏପରି ସମୟରେ ବର୍ଷ ତଳେ ତିଆରି ହୋଇଥିବା ଏକ ଶୌଚାଳୟକୁ ସେମାନେ ଏବେ ରୋଷେଇ ଘରେ ରୂପେ ବ୍ୟବହାର କରୁଛନ୍ତି। ଏବେ ବର୍ଷା ହେଲେ ରୋଷେଇ ବନ୍ଦ ହେବାର ଚିନ୍ତାରୁ ମୁକ୍ତି ଦେଇଛି ସ୍ବଚ୍ଛ ମିଶନ ଜରିଆରେ ମିଳିଥିବା ଶୌଚାଳୟ।

ରାମ ପ୍ରକାଶ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଘର ତ ମିଳିଲା ନାହିଁ କିନ୍ତୁ ସ୍ବଚ୍ଛ ଭାରତ ମିଶନ ଜରିଆରେ ଏକ ଶୌଚାଳୟ ନିର୍ମାଣ ହୋଇପାରିଲା। ବର୍ଷା ଜୋର୍‌ରେ ହେଲେ ସେମାନେ ରୋଷେଇ କରିବା ସହିତ ସେଠାରେ ଶୋଉଛନ୍ତି। ପ୍ରକାଶ ସ୍ବୀକାର କରିଛନ୍ତି ଯେ, ସେମାନେ ଏବେ ବି  ବାହାରେ ଶୌଚ କରୁଛନ୍ତି। ଏହି ଘଟଣାଟି ବାହାରକୁ ଆସିବା ପରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ କହିଛନ୍ତି ଯେ, ଏହି ପରିବାରଙ୍କ ତରଫରୁ ଘର ନିର୍ମାଣ କରିବା ନେଇ କୌଣସି ଅନୁରୋଧ ଆସିନାହିଁ। ତେବେ ଏହି ଘଟଣାର ତଦନ୍ତ କରାଯାଇ ତାଙ୍କୁ ଉଚିତ୍‌ ନ୍ୟାୟ ପ୍ରଦାନ କରାଯିବ। ଯଦି ଏହି ଘଟଣା ପାଇଁ ଯଦି ପଞ୍ଚାୟତ କିମ୍ବା ପଞ୍ଚାୟତ ମୁଖଆ ଦାୟୀ ରହିଥିବେ, ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ଜଣେ ସାମାଜିକ କର୍ମୀଙ୍କ କହିବାନୁସାରେ ବାରବାଙ୍କି ଜିଲ୍ଲାର ଅଧିକାଂଶ ପରିବାର ଏବେବି ବାହାରେ ଶୌଚ କରୁଛନ୍ତି। ଶୌଚାଳୟ ନାମରେ ଏଠାରେ କେବଳ କାନ୍ଥର ନିର୍ମାଣ ହୋଇଛି ପାଇଖାନା ତିଆରି ହୋଇନାହିଁ। ଏଠାରେ କିଛି ଲୋକଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ନଥିବାବେଳେ ତାଙ୍କୁ ନା  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି ନା ସ୍ବଚ୍ଛ ମିଶନରେ ଶୌଚାଳୟ। ଏଠାରେ ଅଧିକାଂଶ ଲୋକ ବାହାରେ ଶୌଚ କରୁଛନ୍ତି ବୋଲି ସୂଚନା ମିଳିଛି। ଏଠାରେ ବହୁ ସଂଖ୍ୟାରେ ଶୌଚାଳୟ ନିର୍ମାଣ ନ ହୋଇ ଅଧପନ୍ତରିଆ ଭାବେ ପଡି ରହିଥିବାବେଳେ ଗ୍ରାମର ମୁଖିଆ ଏହାକୁ ସମ୍ପୂର୍ଣ୍ଣ କରିବାରେ ଚେଷ୍ଟା ମଧ୍ୟ କରୁନାହାନ୍ତି। ସେହିପରି ଏହି ସଂକ୍ରାନ୍ତରେ ଗ୍ରାମ ସଚିବଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

ସ୍ବଚ୍ଛ ଭାରତ ମିଶନ ଗ୍ରାମୀଣ ଓ୍ବେବସାଇଟ୍‌ରେ ଉପଲବ୍ଧ ଥିବା ତଥ୍ୟ ଅନୁସାରେ ହଜରତପୁର ଗ୍ରାମ ପଞ୍ଚାୟତରେ ୬୨୦ଟି ଘର ରହିଥିବାବେଳେ ୧୧୬ଜଣଙ୍କ ଘରେ ଶୌଚାଳୟ ନଥିବାବେଳେ ୮ ଜଣ ଗରିବ ସୀମାରେଖା ତଳେ ରହିଛନ୍ତି।

ସ୍ବଚ୍ଛ ଭାରତ ମିଶନକୁ କେବଳ ପ୍ରଚାର ପ୍ରସାରରେ ସୀମିତ ନରଖି ଏହାର କାର୍ଯ୍ୟକାରିତା ଉପରେ ପଦକ୍ଷେପ ନେବା ଉଚିତ୍‌। ସରକାରଙ୍କ ଦ୍ବାରା କରାଯାଇଥିବା ଜନମଙ୍ଗଳ ଯୋଜନାଗୁଡ଼ିକ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ନେଇ ଏ ଉପରେ ପଦକ୍ଷେପ ଉଠେଇବା ଅତ୍ୟନ୍ତ ଜରୁରୀ। (ଏଜେନ୍ସି)