Categories
ଆଜିର ଖବର ଜାତୀୟ ଖବର

ଆଜି “ଏକ ତାରିଖ, ଏକ ଘଣ୍ଟା, ଏକ ସାଥ” ପାଳନ କରିବେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସ୍ବଚ୍ଛ ଭାରତ ମିଶନର ନବମ ବାର୍ଷିକୀ ପାଳନ ଅବସରରେ ସ୍ବଚ୍ଛତା ହିଁ ସେବା ଅଭିଯାନର ଏକ ଅଂଶ ଭାବରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ସକ୍ରିୟ ଭାବରେ “ଏକ ତାରିଖ, ଏକ ଘଣ୍ଟା, ଏକ ସାଥ” ର ପଦକ୍ଷେପରେ ଅଂଶଗ୍ରହଣ କରୁଛି। ଏହି ଅଭିଯାନ 1 ଅକ୍ଟୋବର 2023 ର ସକାଳ 10 ଟାରେ ଏକ ଘଣ୍ଟା ପାଇଁ ଧାର୍ଯ୍ୟ କରାଯାଇଛି।

ଗୃହ ଓ ସହର ବ୍ୟାପାର ମନ୍ତ୍ରଣାଳୟର ଏକ ପ୍ରମୁଖ ପଦକ୍ଷେପ ସ୍ବଚ୍ଛ ଭାରତ ମିଶନ୍ 15 ସେପ୍ଟେମ୍ବରରୁ 2 ଅକ୍ଟୋବର 2023 ପର୍ଯ୍ୟନ୍ତ ଚାଲୁଥିବା “ସ୍ବଚ୍ଛତା ହିଁ ସେବା (ଏସଏଚଏସ) – 2023” କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏସଏଚଏସ-2023 ର ବିଷୟବସ୍ତୁ ହେଉଛି ଶ୍ରମଦାନ ଏବଂ ଜନ ଭାଗିଦାରୀ ମାଧ୍ୟମରେ, ଉଚ୍ଚ ସ୍ତରୀୟ ସ୍ୱଚ୍ଛତାକୁ ସୁନିଶ୍ଚିତ କରି ଏକ “ଆବର୍ଜନାମୁକ୍ତ ମୁକ୍ତ ଭାରତ” ଦିଗରେ ଅଗ୍ରସର ହେବା। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଏହି ଅଭିଯାନର ଏକ ଅଂଶ ଭାବରେ ଗୋଷ୍ଠୀର ଅଂଶଗ୍ରହଣ ସହିତ ସଫେଇ କାର୍ଯ୍ୟକଳାପକୁ ସୁନିଶ୍ଚିତ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ଯାହାର ପ୍ରଭାବକୁ ତୃଣମୂଳ ସ୍ତରରେ ଦେଖା ଯାଇପାରିବ।

ଏହି ପଦକ୍ଷେପରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ 29000 ରୁ ଅଧିକ କାର୍ଯ୍ୟକ୍ରମର ଯୋଜନା କରିଛି ଯେଉଁଥିରେ 15 ଲକ୍ଷରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିବେ। ‘‘ଏକ ତାରିଖ, ଏକ ଘଣ୍ଟା, ଏକ ସାଥ’’ ଅଭିଯାନର ଅଂଶ ଭାବରେ, ମନ୍ତ୍ରଣାଳୟ ଅଧୀନରେ ଅଙ୍ଗନୱାଡି କେନ୍ଦ୍ର, ୱାନ ଷ୍ଟପ୍ ସେଣ୍ଟର ଏବଂ ଜାତୀୟ ଜନ ସହଯୋଗ ଓ ଶିଶୁ ବିକାଶ ସଂସ୍ଥାନ (ଏନଆଇପିସିସିଡି) ର କାର୍ଯ୍ୟାଳୟରେ ସ୍ବଚ୍ଛତା ଅଭିଯାନର ଆୟୋଜନ କରାଯାଉଛି।

ଏହି ସ୍ୱଚ୍ଛତା ଅଭିଯାନ ମୁଖ୍ୟତ ଅଙ୍ଗନବାଡି କେନ୍ଦ୍ର ନିକଟରେ ଥିବା ସର୍ବସାଧାରଣ ସ୍ଥାନ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ୍, ବେଳାଭୂମି, ପର୍ଯ୍ୟଟନ ସ୍ଥଳ, ନଦୀ କୂଳ, ଘାଟ, ଡ୍ରେନ୍ ଇତ୍ୟାଦି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଉଭୟ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ କରାଯିବ। ଏହା ବ୍ୟତୀତ, ଶିଶୁ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ମଧ୍ୟରେ ସ୍ୱଚ୍ଛତା ଏବଂ ସ୍ୱଚ୍ଛତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକରେ ମଧ୍ୟ ବିଶେଷ ଅଭିଯାନ ଆୟୋଜନ କରାଯାଉଛି । ଏହି ଅଭିଯାନରେ ଉତ୍ସାହଜନକ ଅଂଶଗ୍ରହଣ ଏକ ସ୍ବଚ୍ଛ ଏବଂ ସ୍ବାସ୍ଥ୍ୟକର ପରିବେଶ ହାସଲ ଦିଗରେ ବିଭିନ୍ନ ହିତାଧିକାରୀଙ୍କ ଉତ୍ସର୍ଗ ଏବଂ ପ୍ରତିବଦ୍ଧତାକୁ ସୂଚିତ କରେ ।

Categories
ଆଜିର ଖବର ଜାତୀୟ ଖବର

ଦିଗହରା ସ୍ବଚ୍ଛ ଭାରତ ମିଶନ : ଶୌଚାଳୟ ପାଲଟିଛି ରୋଷେଇ ଘର

ଉତ୍ତରପ୍ରଦେଶ : ସ୍ବଚ୍ଛ ଭାରତ ମିଶନର ଡିଣ୍ଡିମ ପିଟୁଥିବାବେଳେ ଖୋଦ୍‌ ବିଜେପି ସରକାରଙ୍କ ରାଜ୍ୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସ୍ବଚ୍ଛ ଭାରତକୁ ନେଇ ସରକାର ଅନେକ ପ୍ରଚାର କରୁଥିବାବେଳେ ଉତ୍ତରପ୍ରଦେଶର ଏହା କେତେଦୂର କାର୍ଯ୍ୟକାରୀ ତାହା ନିମ୍ନ ଘଟଣାରୁ ବେଶ୍‌ ସ୍ପଷ୍ଟ ହୋଇଯିବ।

ଉତ୍ତରପ୍ରଦେଶର ବାରବାଙ୍ଗି ଜିଲ୍ଲାରେ ଏକ ଅଭିନବ ଘଟଣା ଦେଖିବାକୁ ମିଳିଛି। ଏହି ଜିଲ୍ଲାର ଜଣେ ପରିବାର ଶୌଚାଳୟକୁ ନିଜ ରୋଷେଇ ଘର ରୂପେ ବ୍ୟବହାର କରୁଛନ୍ତି। ଏହି ପରିବାରର ସଦସ୍ୟ ରାମ ପ୍ରକାଶଙ୍କ କହିବାନୁସାରେ ତାଙ୍କ ପାଖରେ ଝାଟି ମାଟିର ଘର ରହିଥିବାବେଳେ ସାମାନ୍ୟ ବର୍ଷାରେ ଘର ଭିତର ଜଳମୟ ହୋଇପଡୁଛି। ଯାହା ଫଳରେ କି ସେମାନେ ଚୁଲି ଜାଳିବା ପାଇଁ ଶୁଖିଲା ସ୍ଥାନ ମଧ୍ୟ ପାଇପାରୁନଥିଲେ। ଏପରି ସମୟରେ ବର୍ଷ ତଳେ ତିଆରି ହୋଇଥିବା ଏକ ଶୌଚାଳୟକୁ ସେମାନେ ଏବେ ରୋଷେଇ ଘରେ ରୂପେ ବ୍ୟବହାର କରୁଛନ୍ତି। ଏବେ ବର୍ଷା ହେଲେ ରୋଷେଇ ବନ୍ଦ ହେବାର ଚିନ୍ତାରୁ ମୁକ୍ତି ଦେଇଛି ସ୍ବଚ୍ଛ ମିଶନ ଜରିଆରେ ମିଳିଥିବା ଶୌଚାଳୟ।

ରାମ ପ୍ରକାଶ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଘର ତ ମିଳିଲା ନାହିଁ କିନ୍ତୁ ସ୍ବଚ୍ଛ ଭାରତ ମିଶନ ଜରିଆରେ ଏକ ଶୌଚାଳୟ ନିର୍ମାଣ ହୋଇପାରିଲା। ବର୍ଷା ଜୋର୍‌ରେ ହେଲେ ସେମାନେ ରୋଷେଇ କରିବା ସହିତ ସେଠାରେ ଶୋଉଛନ୍ତି। ପ୍ରକାଶ ସ୍ବୀକାର କରିଛନ୍ତି ଯେ, ସେମାନେ ଏବେ ବି  ବାହାରେ ଶୌଚ କରୁଛନ୍ତି। ଏହି ଘଟଣାଟି ବାହାରକୁ ଆସିବା ପରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ କହିଛନ୍ତି ଯେ, ଏହି ପରିବାରଙ୍କ ତରଫରୁ ଘର ନିର୍ମାଣ କରିବା ନେଇ କୌଣସି ଅନୁରୋଧ ଆସିନାହିଁ। ତେବେ ଏହି ଘଟଣାର ତଦନ୍ତ କରାଯାଇ ତାଙ୍କୁ ଉଚିତ୍‌ ନ୍ୟାୟ ପ୍ରଦାନ କରାଯିବ। ଯଦି ଏହି ଘଟଣା ପାଇଁ ଯଦି ପଞ୍ଚାୟତ କିମ୍ବା ପଞ୍ଚାୟତ ମୁଖଆ ଦାୟୀ ରହିଥିବେ, ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ଜଣେ ସାମାଜିକ କର୍ମୀଙ୍କ କହିବାନୁସାରେ ବାରବାଙ୍କି ଜିଲ୍ଲାର ଅଧିକାଂଶ ପରିବାର ଏବେବି ବାହାରେ ଶୌଚ କରୁଛନ୍ତି। ଶୌଚାଳୟ ନାମରେ ଏଠାରେ କେବଳ କାନ୍ଥର ନିର୍ମାଣ ହୋଇଛି ପାଇଖାନା ତିଆରି ହୋଇନାହିଁ। ଏଠାରେ କିଛି ଲୋକଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ନଥିବାବେଳେ ତାଙ୍କୁ ନା  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି ନା ସ୍ବଚ୍ଛ ମିଶନରେ ଶୌଚାଳୟ। ଏଠାରେ ଅଧିକାଂଶ ଲୋକ ବାହାରେ ଶୌଚ କରୁଛନ୍ତି ବୋଲି ସୂଚନା ମିଳିଛି। ଏଠାରେ ବହୁ ସଂଖ୍ୟାରେ ଶୌଚାଳୟ ନିର୍ମାଣ ନ ହୋଇ ଅଧପନ୍ତରିଆ ଭାବେ ପଡି ରହିଥିବାବେଳେ ଗ୍ରାମର ମୁଖିଆ ଏହାକୁ ସମ୍ପୂର୍ଣ୍ଣ କରିବାରେ ଚେଷ୍ଟା ମଧ୍ୟ କରୁନାହାନ୍ତି। ସେହିପରି ଏହି ସଂକ୍ରାନ୍ତରେ ଗ୍ରାମ ସଚିବଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

ସ୍ବଚ୍ଛ ଭାରତ ମିଶନ ଗ୍ରାମୀଣ ଓ୍ବେବସାଇଟ୍‌ରେ ଉପଲବ୍ଧ ଥିବା ତଥ୍ୟ ଅନୁସାରେ ହଜରତପୁର ଗ୍ରାମ ପଞ୍ଚାୟତରେ ୬୨୦ଟି ଘର ରହିଥିବାବେଳେ ୧୧୬ଜଣଙ୍କ ଘରେ ଶୌଚାଳୟ ନଥିବାବେଳେ ୮ ଜଣ ଗରିବ ସୀମାରେଖା ତଳେ ରହିଛନ୍ତି।

ସ୍ବଚ୍ଛ ଭାରତ ମିଶନକୁ କେବଳ ପ୍ରଚାର ପ୍ରସାରରେ ସୀମିତ ନରଖି ଏହାର କାର୍ଯ୍ୟକାରିତା ଉପରେ ପଦକ୍ଷେପ ନେବା ଉଚିତ୍‌। ସରକାରଙ୍କ ଦ୍ବାରା କରାଯାଇଥିବା ଜନମଙ୍ଗଳ ଯୋଜନାଗୁଡ଼ିକ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ନେଇ ଏ ଉପରେ ପଦକ୍ଷେପ ଉଠେଇବା ଅତ୍ୟନ୍ତ ଜରୁରୀ। (ଏଜେନ୍ସି)