Categories
ଆଞ୍ଚଳିକ

ଖାଦ୍ୟ ସୁରକ୍ଷା ପକ୍ଷରୁ ବାଲୁଗାଁ ମାଛ ଗୋଦାମରେ ଅଚାନକ ଚଢ଼ାଉ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଲୁଣା ହ୍ରଦ ଚିଲିକା ତଟବର୍ତ୍ତୀ ବାଲୁଗାଁ ସହର ଚିଲିକା ମାଛ, ଚିଙ୍ଗୁଡି ଓ କଙ୍କଡା ପାଇଁ ପ୍ରସିଦ୍ଧି ଲାଭ କରିଛି। ମାତ୍ର ଦିନକୁଦିନ ବାଲୁଗାଁ ଅଞ୍ଚଳରେ ଚିଲିକା ମାଛ, ଚିଙ୍ଗୁଡି ହ୍ରାସ ପାଉଥିବା ବେଳେ ବାହାର ରାଜ୍ୟର ମାଛ, ଚିଙ୍ଗୁଡି ପ୍ରବଳ ମାତ୍ରାରେ କାରବାର ହେଉଥିବା ଦେଖିବାକୁ ମିଳୁଛି। ପ୍ରତ୍ୟହ ଚିଲିକାରୁ ଆମଦାନୀ ମାଛ, ଚିଙ୍ଗୁଡି, କଙ୍କଡା ଉଚ୍ଚା ଦରରେ ବାହାର ରାଜ୍ୟକୁ ପଠାଯାଉଛି। ଯାହାକି ଚିଲିକାରୁ ହେଉ ଅବା ବାହାରୁ ଆସୁଥିବା ମାଛ, ଚିଙ୍ଗୁଡି ସପ୍ତାହେ ଧରି ସତେଜ କିପରି ରହୁଛି ଏବଂ ନିଶ୍ଚିତ ଭାବେ କୌଣସି ରସାୟନିକ ପଦାର୍ଥ ବ୍ୟବହାର କରାଯାଉଥିବା ନେଇ ଖାଉଟି ମାନେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ସମ୍ପୃକ୍ତ ବେପାରୀମାନେ ଏହାକୁ କର୍ଣ୍ଣପାତ ନକରି ଲାଭବାନ ଆଶାରେ ବେପାର କରିଆସୁଛନ୍ତି। ଯାହାଫଳରେ ମରଣକୁ ଆମନ୍ତ୍ରିତ କରାଯାଉଥିବା ଖାଉଟିମାନେ କହିଛନ୍ତି।

ଏହିପରିପ୍ରେକ୍ଷୀରେ ଆଜି ସକାଳୁ ଖୋର୍ଦ୍ଧା ସିଡ଼ିଏମଓ ଡା ଆର୍ତ୍ତବନ୍ଧୁ ନାୟକଙ୍କ ନିର୍ଦ୍ଦେଶ ମୁତାବକ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବାଲୁଗାଁ ମାଛ ଗୋଦାମ ଅଞ୍ଚଳରେ ଅଚାନକ ଚଢ଼ାଉ ହେଇଛି। ଚଢ଼ାଉ ବେଳେ କେତେକ ମାଛ ଗୋଦାମରୁ ମାଛ ଜବତ କରି ପରୀକ୍ଷା ପାଇଁ ଲାବୋରଟାରୀକୁ ପଠାଯିବା ସହ ବେପାର କରୁଥିବା ମାଲିକଙ୍କ ଲାଇସେନ୍ସ ଏବଂ ଗ୍ରାହକଙ୍କୁ ସଚେତନତା କରିବା ନେଇ ତାଗିଦ କରାଯାଇଛି।

ଉକ୍ତ ଚଢ଼ାଉରେ ଟାଙ୍ଗୀ ଖାଦ୍ୟ ସୁରକ୍ଷା ଅଧିକାରୀ ଦେବାଶିଷ ବଳଙ୍କ ସମେତ ଚାରି ଜଣିଆ ଟିମ ସାମିଲ ଥିଲେ। ଯଦି ମାଛ, ଚିଙ୍ଗୁଡିରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିବା ସୂଚନା ମିଳେ ତେବେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଶ୍ରୀ ବଳ କହିଛନ୍ତି।