Categories
ଆଜିର ଖବର ଜାତୀୟ ଖବର

ଗ୍ରାମାଞ୍ଚଳ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ଉଜ୍ଜ୍ୱଳା ଯୋଜନା ଭଳି କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଦେଶର ଗ୍ରାମାଞ୍ଚଳରେ ଗରିବ ଜନସାଧାରଣଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି । ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ରେ । ନିକଟରେ ଏହି ବ୍ଲକ୍‌ ର ବିଭିନ୍ନ ପଞ୍ଚାୟତରେ ପହଞ୍ଚିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ସ୍ଥାନୀୟ ଗରିବ ଜନସାଧାରଣ, ବିଶେଷ କରି ମହିଳାମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କିଭଳି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ସେ ବିଷୟରେ ନିଜର ଅନୁଭୂତି ପ୍ରକାଶ କରିଛନ୍ତି । ଅଧିକାଂଶ ମହିଳା ହିତାଧିକାରୀ କହିଛନ୍ତି, ପୂର୍ବରୁ ସେମାନେ କଚ୍ଚା ଘରେ ରହୁଥିଲେ ଏବେ ଆବାସ ଯୋଜନାରେ ପକ୍କା ଘର ପାଇ ସେମାନେ ସୁରକ୍ଷିତ ଜୀବନଯାପନ କରିପାରୁଛନ୍ତି ।

ଆବାସ ଯୋଜନା ସହିତ ସ୍ୱଚ୍ଛ ଭାରତ ଅଭିଯାନରେ ଏହି ମହିଳାମାନଙ୍କୁ ଘର ପାଖରେ ଶୌଚାଳୟ ନିର୍ମାଣ ପାଇଁ ଆର୍ଥିକ ସହାୟତା ମିଳିଛି । ଏହାଦ୍ୱାରା ସେମାନଙ୍କୁ ଆଉ ବାହାରକୁ ଶୌଚ ହେବା ଲାଗି ଯିବାକୁ ପଡ଼ୁନାହିଁ । ସ୍ୱଚ୍ଛ ଭାରତ ଓ ଆବାସ ଯୋଜନାର ସମନ୍ୱୟ ମହିଳାମାନଙ୍କୁ ସମ୍ମାନପୂର୍ଣ୍ଣ ଜୀବନ ବଞ୍ଚିବା ପାଇଁ ସୁବିଧା ଦେଇଛି । ଅନ୍ୟପକ୍ଷରେ ପୂର୍ବରୁ କାଠ ଚୁଲିରେ ରାନ୍ଧିବା ଫଳରେ ଧୂଆଁ ଓ ପ୍ରଦୂଷଣ ଯୋଗୁ ରୋଗାକ୍ରାନ୍ତ ହେଉଥିବା ମହିଳାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ବରଦାନ ସାବ୍ୟସ୍ତ ହୋଇଛି। ଏହାଦ୍ୱାରା ସେମାନେ ଧୂଆଁମୁକ୍ତ ରୋଷେଇ କରିପାରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ ଯୋଜନାରେ ସେମାନଙ୍କ ପରିବାରବର୍ଗ ଉପକୃତ ହୋଇଥିବାରୁ ମହିଳାମାନେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ହିତାଧିକାରୀଙ୍କ ପାଖରେ କେନ୍ଦ୍ରୀୟ ଯୋଜନାର ଶତ-ପ୍ରତିଶତ ଲାଭ ପହଞ୍ଚାଇବା ଲକ୍ଷ୍ୟ ନେଇ ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଚାଲିଛି।