Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

କଡ ଲେଉଟାଇବ ରାଉରକେଲା ରାଜନୀତି, ଶାରଦାଙ୍କୁ ପାନେ ଦେବା ପାଇଁ ମଇଦାନକୁ ଓହ୍ଲାବେ ଦିଲ୍ଲୀପ

ଭୁବନେଶ୍ବର: ରାଉରକେଲା ରାଜନୀତି ଏବେ କଡ଼ ଲେଉଟାଇଛି। ଗୁମସୁମ ଥିବା ଦିଲ୍ଲୀପ ରାୟ ହଠାତ ଚଳଚଞ୍ଚଳ ହୋଇଯାଇଛନ୍ତି। ୨୦୧୯ ଭଳି ଚବିଶରେ ବି ନିର୍ବାଚନୀ କାଦୁଅରେ ଘାଣ୍ଟି ହେବାକୁ ଦିଲ୍ଲୀପ ଚାହୁଁ ନ ଥିଲେ। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅନୁରୋଧକୁ ବି ଏଡ଼ାଇ ଦେଇଥିଲେ। ହେଲେ କେବଳ ଶାରଦା ପ୍ରସାଦ ନାୟକଙ୍କ ପାଇଁ ଏବେ ରାଉରକେଲା ଅଙ୍କ ବଦଳି ଯାଇଛି।

ଇଚ୍ଛା ନ ଥିଲେବି କର୍ମୀଙ୍କ ଚାପରେ ମଇଦାନକୁ ଓହ୍ଲାଇବା ପାଇଁ ସଜବାଜ ହେଉଛନ୍ତି ଦିଲ୍ଲୀପ। ଶାରଦା ବିରୋଧୀମାନେ ଏବେ ତାଙ୍କ ସହ ହାତ ମିଳାଇଥିବାବେଳେ ଏଥର ଜବରଦସ୍ତ ଲଢ଼େଇ ହେବା ନିଶ୍ଚିତ ହୋଇଯାଇଛି।

ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତ ହେବା ପରେ ଦିଲ୍ଲୀପଙ୍କୁ ନେଇ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟିହୋଇଛି। ସେ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ହାଇକୋର୍ଟଙ୍କୁ କହିଥିବାରୁ ସେ କେଉଁ ଦଳରୁ ଲଢ଼ିବେ ତାହାକୁ ନେଇ ବି ଅଙ୍କକଷା ଆରମ୍ଭ ହୋଇଯାଇଛି। ଦିଲ୍ଲୀପ ପୂର୍ବରୁ ବିଜେପି ଛାଡ଼ିଥିବାବେଳେ ୨୦୧୯ ନିର୍ବାଚନବେଳେ ନବୀନ ନିବାସରେ ନବୀନଙ୍କ ସହ କଥା ହୋଇଥିଲେ।

ବିଜୟ ଏବେ ପରୋକ୍ଷରେ ବିଜେଡିରେ ଥିବାରୁ ଦିଲ୍ଲୀପ ବି ସେହି ରାସ୍ତାରେ ଫେରିପାରନ୍ତି ବୋଲି କୁହାଯାଉଥିଲା। ତେବେ ଟାଣୁଆ ବିଜେପି ନେତା ଜୁଏଲ ଓରାମ୍‌ ଏନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ଦିଲ୍ଲୀପଙ୍କ ଟିକେଟ ବିଜେପି ଫାଇନାଲ କରିସାରିଛି। ସେ ରାଉରକେଲାରୁ ଲଢ଼ିବେ ବୋଲି ଜୁଏଲ କହିଛନ୍ତି।

ଏସବୁ ରାଜନୀତିକ ଚର୍ଚ୍ଚା ଭିତରେ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ନ ଥିବା ଦିଲ୍ଲୀପ କାହିଁକି ମଇଦାନକୁ ଆସିଲେ ତାହାକୁ ନେଇ ଚର୍ଚ୍ଚା ହେବା ସ୍ୱାଭାବିକ। ତେବେ ଦିଲ୍ଲୀପଙ୍କ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଦିଲ୍ଲୀପଙ୍କ ଟାର୍ଗେଟ ହେଉଛନ୍ତି ଶାରଦା।

ଯଦି ବିଜେଡି ଶାରଦାଙ୍କୁ ଟିକେଟ ଦେଇନଥାନ୍ତା ତେବେ ଦିଲ୍ଲୀପ ନିର୍ବାଚନୀ ମଇଦାନକୁ ଆଦୌ ଓହ୍ଲାଇନଥାନ୍ତେ। ଶାରଦାଙ୍କୁ ରାଉରକେଲା ରାଜନୀତିରୁ ହଟାଇବା ପାଇଁ ଦିଲ୍ଲୀପଙ୍କ ସମର୍ଥକମାନେ ସଂକଳ୍ପ ନେଇଛନ୍ତି। ସେଥିପାଇଁ ଶାରଦା ବଧ ନିମନ୍ତେ ଦିଲ୍ଲୀପ ମଇଦାନକୁ ଓହ୍ଲାଇବେ ବୋଲି ତାଙ୍କର ସମର୍ଥକମାନେ ମତବ୍ୟକ୍ତ କରିଛନ୍ତି।