Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମୁଳାଷ୍ଟମୀରେ ଶୟନରୁ ଉଠିଲେ ମା’ ଭଗବତୀ, ସହସ୍ର କୁମ୍ଭ ସୁବାସିତ ଜଳରେ ସ୍ନାନ ପରେ ଆରମ୍ଭ ହେଲା ଶାରଦୀୟ ଦୁର୍ଗୋତ୍ସବ

ବାଣପୁର (ସୀତାରାମ ଅଗ୍ରୱାଲ): ଧରାପୃଷ୍ଟରେ ଶରତର ଆଗମନ। ମେଘମୁକ୍ତ ନିର୍ମଳ ଆକାଶ। ସବୁଜ କେଦାର ଧାରେ ଧାରେ ଢ଼ଳଢଳ ଉଲ୍ଲସିତ କାଶତଣ୍ଡୀ। କଳକଳ ତଟିନୀର କାଚ଼ କେନ୍ଦୁ ଜଳ। ଅପେକ୍ଷା ମା’ଙ୍କ ଆଗମନୀକୁ। ଆଶ୍ଵିନ କୃଷ୍ଣ ଅଷ୍ଟମୀ। ମା’ ଆସୁଛନ୍ତି। ଦେହ ମନ … ପ୍ରାଣରେ ଅ ପୂର୍ବ ଶିହରଣ। ସଚରାଚ଼ର ଜୀବଜଗତରେ ଅପୂର୍ବ ଆନନ୍ଦ। ନୀଳ କଇଁର ପାଖୁଡ଼ାରେଶିଶିର ସରସ ବିନ୍ଦୁ ଝଲମଲ।

ଖୋର୍ଦ୍ଧା ଜିଲ୍ଲାର ପ୍ରଖ୍ୟାତ ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା ଭଗବତୀଙ୍କ ପୀଠ ଚଳଚଞ୍ଚଳ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ମୂଳାଷ୍ଟମୀ ଦେବୀ ଉତ୍ଥାପନ ସହସ୍ର କୁମ୍ଭ ଅଭିଷେକ। ଚିଲିକାରେ ନୌବିହାର ସାରି ଶୟନରେ ଥିଲେ ମା’। ଆଜି ଅମୃତଲଗ୍ନରେ ସ୍ରୋତ୍ରୀୟ ବ୍ରାହ୍ମଣ ପଣ୍ଡିତ ବାମନ ଚରଣ ଦାଶ ଓ ସନତ ରଥ ଙ୍କମନ୍ତ୍ର ଉଚ୍ଚାରଣ, ଘଣ୍ଟା ଘଣ୍ଟ କାହାଳୀ ଢୋଲ ମହୁରୀର, ନିନାଦରେ ପାଳିଆ ମାଳିଙ୍କ ଡାକ “ଉଠମା ରାଜରାଜେଶ୍ଵରୀ, ତ୍ରିଭୂବନ ମୋହିନୀ, ମହାମାଇ, କଲ୍ୟାଣମୟୀ, ଆନନ୍ଦମୟୀ ମା’। ଜଗତର କଲ୍ୟାଣ ପାଇଁ ନିଦ୍ରା ଭଙ୍ଗ ହେଉ ମା'”ରେ ମା’ ନିଦ୍ରାରୁ ଉଠିଛନ୍ତି । ସହସ୍ରକୁମ୍ଭ ସୁବାଷିତଜଳରେ ସ୍ନାନ କରାଯାଇ ରାଜାଙ୍କ ପ୍ରଦତ୍ତ ପାଟବସ୍ତ୍ର , ମନ୍ଦାର ମାଳ ପରିଧାନ ପରେ ସେ ବାୟତଙ୍କ ଗହଣରେ ମା’କାଠି ଠାକୁରାଣୀ ଥାଟ ପଟୁଆରରେ ନୃତ୍ୟ କରି ପର୍ବଗୃହକୁ ବିଜେ କରି ବେ ମା’। ନିଶାର୍ଦ୍ଧରେ ଆରମ୍ଭ ହେବ ତନ୍ତ୍ର ପୂଜା।

ପର୍ବ ଆରମ୍ଭ ପୂର୍ବରୁ ମନ୍ଦିର ପୁରୋହିତ ସାରଦା ପ୍ରସାଦସାମନ୍ତରାୟ ସେବାୟତଙ୍କ ଗହଣରେ ପାରିକୁଦ ରାଜାସାହେବ ଙ୍କ ନଅରରୁ ରାଜାଙ୍କ ଅନୁପସ୍ତିତିରେ ରାଜଗୁରୁଙ୍କ ଠାରୁ ଗୁଆ ପଇତାଗ୍ରହଣ କରିବା ପରେ ଶ୍ରୀ ଶ୍ରୀ ଦ6କ୍ଷଶ୍ଵର ଦେବଙ୍କ ପୀଠରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ମା’ କନକ ଦୁର୍ଗା କଦଳୀ ବୃକ୍ଷଆମ୍ରପତ୍ର ତୋରଣ ଆଛାଦିତ ସ୍ନାନବେଦୀରେ ସ୍ନାନ ସାରି ସିଂହାସନ କୁ ବିଜେ କରିବାପରେ ଷୋଡଷ ଉପଚାରରେ ପୂଜା କରାଯାଇଥିଲା।

ମନ୍ଦିରର ପରମ୍ପରା କ୍ରମେ ଅଷ୍ଟମୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଭଗବତାଙ୍କ ଚଳନ୍ତି ପ୍ରତିମା ମା’କାଠି ଠାକୁରାଣୀ ବନ ଦୁର୍ଗା ବେଶରେ ପ୍ରତିଦିନ ସଂଧ୍ୟାରେ ନୃତ୍ୟ କରି ନିଜ ମନ୍ଦିରର ପର୍ବଗୃହରେ ବିଜେ କରିବା ପରେ ବାହାର ପର୍ବ ଅନୁଷ୍ଠିତ ହେବ । ସବୁଠାରୁ ନିଆରା ପରମ୍ପରା ଅନୁସାରେ ନରବଳୀର ପ୍ରତୀକବଳି ଜେନା ନୃତ୍ୟ ମଧ୍ୟ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଚିଲିକାରେ ନୌବିହାର ସାରି ମନ୍ଦିରକୁ ଲେଉଟିଲେ ମା’ ଭଗବତୀ, ଲାଗି ହେଲା ଏକ ହଜାର ସରା ଖିରି କାକରା ଭୋଗ

ଚିଲିକା (ସୀତାରାମ ଅଗ୍ରୱାଲ): ଲଳିତା ସପ୍ତମୀରେ ପୂର୍ବଦିଗକୁ ଯାତ୍ରା କରି ନୀଳାମ୍ବୁ ଚିଲିକାରେ ନୌବିହାର ସହିତ ପୂର୍ବ ଦିଗ ରକ୍ଷା କାରିଣୀ ଉଉଣୀ ମା’ କାଳିଜାଇଙ୍କୁ ଶାରଦୀୟ ପର୍ବରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରି ତାଙ୍କରି ଆଜ୍ଞାମାଳ ନେଇ ଫେରିଲେ ମା’ ଭଗବତୀ। ମନ୍ଦିରର ପରମ୍ପରା ଅନୁସାରେ ଶାରଦୀୟ ଦୁର୍ଗୋତ୍ସବରେ ସପ୍ତମାତୃକା ରୂପରେ ସପ୍ତମାତୃ ଶକ୍ତି ମା’ ଭଗବତୀଙ୍କ ସହିତ ମା’ନାରାୟଣୀ, ମା’ସିଦ୍ଧେଶ୍ୱରୀ, ମା’ ବିରିଜାଇ, ମା’କାଳିଜାଇ, ମା’ କନକ ଦୁର୍ଗା, ମା’ ବୁଢି ଠାକୁରାଣୀ ସାତଭଉଣୀ ଭାବରେ ଭିତର ପର୍ବଗୃହ ସାତବଖରା ଘରେ ତନ୍ତ୍ର ବିଧି ଅନୁସାରେ ଏକତ୍ର ପୂଜା ପାଇବାର ବିଧି ବିଧାନ ପ୍ରାଚୀନ କାଳରୁ ଚଳି ଆସୁଛି।

ବିଭିନ୍ନ ଋତୁରେ ବିଭିନ୍ନ ଦିଗକୁ ଯାତ୍ରା କରି ମା’ ଭଗବତୀ ଭଉଣୀମାନଙ୍କୁ ନିମନ୍ତ୍ରଣ କରୁଥିବାବେଳେ ଶରତ ଋତୁର ଭାଦ୍ରବ ଶୁକ୍ଳ ସପ୍ତମୀରେ ମା’ କାଳିଜାଇଙ୍କୁ ନିମନ୍ତ୍ରଣ କରିବାକୁ ଯାଇ ପ୍ରଥମେ ଉଲ୍ଲସିତ ଚିଲିକା ଜଳରେ ନୌବିହାର କରନ୍ତି। ମା’ ଭଗବତୀଙ୍କୁ କୋଳରେ ଧାରଣ କରି ନୀଳାମ୍ବୁ ଚିଲିକା ଆନନ୍ଦରେ ଦୋଳାୟମାନ ହୋଇ ସତେ ଯେପରି ପାଣି ଦୋଳିରେ ଝୁଲାଇ ଝୁଲାଇ ନେଉଥିବାର ଦୃଶ୍ୟ ଅତ୍ୟନ୍ତ ଚିତାକର୍ଷକ।

ସୁସଜ୍ଜିତ ନୌକାରେ ନିଯୋଗୀ ସେବାୟତଙ୍କ ସହିତ ଘଣ୍ଟା ଘଣ୍ଟ କାହାଳୀ ହରିବୋଲ ଶବ୍ଦରେ ମା’ଙ୍କର ଜୟ ଜୟକାର ଧ୍ଵନୀ ପୁଣି ଅଗଣିତ ଶ୍ରଦ୍ଧାଳୁଙ୍କ ହୁଳହୁଳି ଶବ୍ଦ, ଚିଲିକା ତରଙ୍ଗର କଳକଳନିନାଦରାତ୍ରିର ଅନ୍ଧକାରକୁ ଝଙ୍କୃତ କରୁଥିଲା। ତେଣେ ପରିଛା ସାଆନ୍ତ ନିରଞ୍ଜନ ମହାପାତ୍ର, ପାଳିଆ ମାଳି ବସନ୍ତ ନାୟକ, କାଠି ନାହାକ ଗଣେଶ ନାୟକଙ୍କ ସହଯୋଗରେ ନୈକା ଉପରେ କଳସ, ଦୀପ, ଧୂପ, ପୁଷ୍ପ ନୈବେଦ୍ୟ ସ୍ଥାପନ କରି ପଞ୍ଚ ପୋଚାରରେ ପୂଜା ଆଳତି ବଢାଇ ମା’ କାଳିଜାଇଙ୍କୁ ଆବାହନ କରି ସାଥିରେ ନେଇଥିବା ମା’ ଭଗବତୀଙ୍କ ନିମନ୍ତ୍ରଣ ଆଜ୍ଞାମାଳକୁ ଚିଲିକା ଜଳରେ ଭସାଇ ମା’ କାଳିଜାଇଙ୍କ ଆଜ୍ଞାମାଳକୁ ଖୋଜି ବୁଲୁଥିଲେ।

ମା’କାଳିଜାଇ ଙ୍କ ମନ୍ଦିରରେ ପୂଜକ ମା’ଙ୍କ ସଂଧ୍ୟା ଆଳତୀ ଶେଷ କରି ମା’ଙ୍କ ଆଜ୍ଞାମାଳକୁ ଗୋଟିଏ ସୁସଜ୍ଜିତ ହାଣ୍ଡିରେ ଭର୍ତ୍ତି କରି ଦୀପଜାଳି ଚିଲିକା ବକ୍ଷରେ ଭସାଇ ଦେଇଥିଲେ। ଭାସି ଆସୁଥିବା ଆଜ୍ଞାମାଳକୁ ପାଣିରୁ ୬ ତାଳି ଦଣ୍ଡସେନା ସେବାୟତମାନେ କଳା ଶାଢି ଦେହରେ ତାକୁ ଗଣ୍ଠିଲି କରି ଠେଙ୍ଗାରେ ବାନ୍ଧି ଆଣିବା ପରେ ମା’ଙ୍କର ନୌବିହାର ପାଣି ତୋଳା ନୀତି ଶେଷ କରି ମା’ ସାମନ୍ତରାପୁରର ବିଭୂତି ଭୂଷଣ ସାମନ୍ତରାୟଙ୍କ ଦୁଆରେ ବିଜେ କରିଥିଲେ। ସେଠାରେ ଦୁଇ ମା’ଙ୍କୁ ଏକ ହଜାର ସରାରେ ଖିରି କାକରା, ଖେଚଡ଼ି ବଳି ପୋଡ଼ା ପରସା ଯାଇ ଷୋଡ଼ଷ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଫେରିବା ବାଟରେ ପତିତ ପାବନ ମନ୍ଦିର, ଗୁଣ୍ଡରୁପୁର, ମୋହନ ଗୋସ୍ୱାମୀ ମଠ, ଅନ୍ତରକିଆରୀ ଗ୍ରାମ ସହିତ ଜଗନ୍ନାଥ ପୁର, ପରିଛା ସାହିରେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ଦ୍ଵାର ମାନଙ୍କରେ ପଂକ୍ତି ଭୋଗ ଖାଇ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ଫେରିଥିଲେ।

ଶେଷରେ ଦୁର୍ଗାଶୟନଷ୍ଟମୀରେ ମା’ଙ୍କ ଶୟନ ନୀତିକାନ୍ତି ଶେଷ ହୋଇଥିଲା। ପୁଣି ଆଶ୍ଵିନ କୃଷ୍ଣ ସପ୍ତମୀ ପର୍ଯ୍ୟନ୍ତ ମା ଶୟନ କାଳରେ ଘଣ୍ଟା ଘଣ୍ଟକାହାଳୀ ବାଜିବ ନାହିଁ।ମୂଳାଷ୍ଟମୀରେ ସହସ୍ର କୁମ୍ଭାଭିଷେକ ଦିନ ମା’ଙ୍କୁ ଉତ୍ ଥାପନ କରାଯାଇ ମା’ଙ୍କ ଶାରଦୀୟ ଦୁର୍ଗୋତ୍ସବ ଆରମ୍ଭ ହେବ।

ମା’ଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବାଲୁଗାଁ ଏସ୍‌. ଡ଼ି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା, ବାଲୁଗାଁ ଥାନା ଅଧିକାରୀ ଜୟ ପ୍ରକାଶ ପରୀଡ଼ା ଓ ଆରକ୍ଷୀ ବାହିନୀ, ବାଣପୁର ଏନ୍‌ଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନ୍‌.ଏ .ସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ସଂଗଠକ ବିକ୍ରମ କେଶରୀ ଜେନା ଓ ମନ୍ଦିର କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ମନ୍ଦିର ସେବାୟତ ଓ କର୍ମଚାରୀମାନେ ସମସ୍ତ ପ୍ରକାର ସହଯୋଗ କରିଥିଲେ।