Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ସିନିୟର ନ୍ୟାସ୍‌ନାଲ୍ ଟେବୁଲ୍ ଟେନିସ୍ ଚାମ୍ପିଅନ୍‌ସିପ୍‌ରେ ସୋଆ ଆଇନ୍ ଛାତ୍ରୀଙ୍କ ପ୍ରତିନିଧିତ୍ୱ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ର ଇନ୍‌ଟିଗ୍ରେଟେଡ୍ ଲ’ର ତୃତୀୟ ବର୍ଷ ଛାତ୍ରୀ  ପାୟଲ୍ ପାଣୀ ଜମ୍ମୁଠାରେ ସୋମବାର ଆରମ୍ଭ ହୋଇଥିବା ୮୪ତମ ସିନିୟର ନ୍ୟାସ୍‌ନାଲ୍ ଓ ଇନ୍‌ଟର ଷ୍ଟେଟ୍ ଟେବୁଲ ଟେନିସ ଚାମ୍ପିଅନ୍‌ସିପ୍‌ରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି।

ପାୟଲ ପୂର୍ବରୁ ନ୍ୟାସ୍‌ନାଲ୍ ଟେବୁଲ୍ ଟେନିସ୍ ଚାମ୍ପିଅନ୍‌ସିପ୍‌ରେ ସବ୍ ଜୁନିୟର ଓ ଜୁନିୟର ବର୍ଗରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିବା ବେଳେ ପ୍ରଥମ ଥର ପାଇଁ ସିନିୟର୍ ଟିମ୍ ନିମନ୍ତେ ମନୋନୀତ ହୋଇଛନ୍ତି। ସେ ଉଭୟ ସିଙ୍ଗଲ୍‌ସ ଏବଂ ଡବଲ୍ସରେ ଖେଳିବେ।

“ମୁଁ ସିନିୟର ଷ୍ଟେଟ୍ ଟିମ୍‌କୁ ପ୍ରତିନିଧିତ୍ୱ କରୁଥିବାରୁ ଖୁବ ଉତ୍ସାହିତ ଅଛି ଓ ଭଲ ପ୍ରଦର୍ଶନ ନିମନ୍ତେ ଖୁବ୍ ଆଶାବାଦୀ ଅଛି” ବୋଲି ସେ କହିଛନ୍ତି।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସୋଆରେ ‘ସୋଆ ସ୍ପୋର୍ଟ୍ସ ମିଟ୍ -୨୦୨୩’ ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ଆରମ୍ଭ ହୋଇଛି ‘ସୋଆ ସ୍ପୋର୍ଟ୍ସ ମିଟ୍ -୨୦୨୩’। ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ୪ ଦିନିଆ କ୍ରୀଡା କାର୍ଯ୍ୟକ୍ରମରେ ସୋଆ ବ୍ୟତୀତ ଓଡିଶା ମୋଟ୍ ୭ ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଛନ୍ତି। ଏଥିରେ ବାସ୍କେଟ୍ ବଲ୍ , ଟେନିସ୍ , ଭଲିବଲ, କ୍ରିକେଟ୍ ଓ ଇ- ସ୍ପୋର୍ଟ୍ସ ଏହି ୫ଟି ଖେଳକୁ ଉଭୟ ପୁରୁଷ ଓ ମହିଳା ବର୍ଗ ପାଇଁ ରଖାଯାଇଥିବା ବେଳେ ବିଜେତା ଟିମ୍ ପାଇଁ ପୁରସ୍କାର ରାଶିି ୩.୫ ଲକ୍ଷ ଟଙ୍କା ରଖାଯାଇଛି।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏବଂ ସୋଆ ର ପ୍ରୋ-ଭାଇସ୍ ଚାନ୍‌ସେଲର ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ଯୋଗ ଦେଇ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ କ୍ରୀଡା ର ମହତ୍ୱ ବିଷୟରେ କହିଥିଲେ।

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ(ଆଇଟିଇଆର)ର ଆସୋସିଏଟ୍ ପ୍ରଫେସର ତଥା ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର) ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣରେ ଖେଳ ପାଇଁ ଉତମ ସ୍ୱାସ୍ଥ୍ୟ ଆବଶ୍ୟକତା ଜରୁରୀ ବୋଲି କହିଥିଲେ।

ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ନିଜ ବକ୍ତବ୍ୟରେ ଶୃଙ୍ଖଳା ଏକ ଖେଳାଳି ର ପ୍ରଥମ ଗୁଣ ବୋଲି କହିଥିବା ବେଳେ ସ୍ପୋର୍ଟ୍ସ ଅଫିସର ସୁନୀତା ବର୍ମା କ୍ରୀଡ଼ା ବିବରଣୀ ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଦୁଇ ଦିନିଆ କନ୍‌କ୍ଲେଭ୍‌, ଯୋଗ ଦେବେ ୬୦ ଟି ଷ୍ଟାର୍ଟଅପ୍

ଭୁବନେଶ୍ୱର: କୃଷକମାନଙ୍କୁ ଜଳବାୟୁ ପରିବର୍ତ୍ତନ ସହିତ ତାଳ ଦେଇ କୃଷିକାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ନୂତନ ଜ୍ଞାନ କୌଶଳ ଉପରେ କାର୍ଯ୍ୟ କରୁଥିବା ୬୦ ଟି ଷ୍ଟାର୍ଟଅପ୍ ଶନିବାର ଠାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆୟୋଜିତ ହେବାକୁ ଥିବା ଏକ ଦୁଇ ଦିନିଆ କନ୍‌କ୍ଲେଭ୍‌ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି କନ୍‌କ୍ଲେଭଟି ସାମାଜିକ ଉଦ୍ୟୋଗ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରୁରାଲ ମ୍ୟାନେଜମେଂଟ ଆନନ୍ଦ (ଇର୍ମା) -ଆଇସିଡ ଫାଉଣ୍ଡେସନ୍‌, ପେସ୍ ଫାଉଣ୍ଡେସନ୍ ଏବଂ ସୋଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି।

ଏକ ଖସଡ଼ା ମାଧ୍ୟମରେ ବିଚାରଧାରା, ଜ୍ଞାନକୌଶଳ ଏବଂ ବିଭିନ୍ନ ପ୍ରକ୍ରିୟା ସମ୍ବଳିତ ସାମାଜିକ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍‌ରୁ ଉତ୍ପନ୍ନ ପଦ୍ଧତିଗୁଡ଼ିକୁ ସମ୍ମୁଖକୁ ଆଣିବା ଏହି କନ୍‌କ୍ଲେଭ୍‌ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସମ୍ବିତ ତ୍ରିପାଠୀ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହା ଦ୍ୱାରା ଓଡ଼ିଶାର କୃଷକ ଏବଂ ଗ୍ରାମାଂଚଳରେ କାର୍ଯ୍ୟରତ ବ୍ୟକ୍ତିମାନେ ବିଶ୍ୱର ନୂତନ ଚିନ୍ତାଧାରା, ଜ୍ଞାନକୌଶଳ ଏବଂ ଉଦ୍‌ଭାବନ ସମ୍ପର୍କରେ ଅବଗତ ହୋଇପାରିବେ। ଏହି କନ୍‌କ୍ଲେଭ୍‌ରେ ସମାନ୍ତରାଳ ଭାବେ ଦୁଇଟି ପ୍ଲାଟ୍‌ଫର୍ମରେ କାର୍ଯ୍ୟ କରିବ। ଗୋଟିଏ ପଟେ ଷ୍ଟାର୍ଟଅପ୍‌ଗୁଡ଼ିକ ଉପସ୍ଥିତ କୃଷକଙ୍କୁ ନିଜ ଚିନ୍ତାଧାରା ଓ ଜ୍ଞାନକୌଶଳ ସମ୍ପର୍କରେ ଅବଗତ କରାଇବେ ଏବଂ ଅନ୍ୟ ପଟେ ବିଭିନ୍ନ ଉତ୍ପାଦର ପ୍ରଦର୍ଶନୀ ମଧ୍ୟ କରାଯିବ।

ଏହି କନ୍‌କ୍ଲେଭ୍ ଦ୍ୱାରା ଷ୍ଟାର୍ଟଅପ୍‌ଗୁଡ଼ିକ ବଜାର ସହିତ ଯୋଡି ହୋଇପାରିବେ ଏବଂ ଓଡ଼ିଶାର କୃଷକମାନେ ନୂତନ ଜ୍ଞାନକୌଶଳ ଏବଂ ବ୍ୟବସାୟର ମଡେଲ୍‌କୁ ଆପଣାଇ ନିଜର ଆୟ ବଢ଼ାଇପାରିବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଓଡ଼ିଶାର ୬୫ଟି ବ୍ଲକ୍‌ରୁ ପ୍ରାୟ ୩୦୦ କୃଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିପରି ଭାରତର ବିଭିନ୍ନ ଅଂଚଳରୁ ପ୍ରାୟ ୬୦ଟି ଷ୍ଟାର୍ଟଅପ୍ ଏଥିରେ ଯୋଗ ଦେଉଥିବା ବେଳେ କେବଳ ଓଡ଼ିଶାରୁ ୧୦ଟି ଷ୍ଟାର୍ଟଅପ୍ ଏହି କନ୍‌କ୍ଲେଭ୍‌ରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ଏହି ଷ୍ଟାର୍ଟଅପ୍‌ଗୁଡ଼ିକ ମଧ୍ୟରେ ଆଇ-ହବ୍ ଗୁଜୁରାଟ, ଇର୍ମା-ଆଇସିଡ୍ ଫାଉଣ୍ଡେସନ୍ସ, କିଟ୍‌-ଟିବିଆଇ, ସୋସିଆଲ୍ ଆଲ୍‌ଫା ଏବଂ ଇନ୍‌ଷ୍ଟିୁଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍‌ସେସ୍ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଏହି ଅବସରରେ ଏକ ହାକାଥନ୍‌ର ଆୟୋଜନ କରାଯିବ ଯେଉଁଥିରେ କି ବିଭିନ୍ନ ଷ୍ଟାର୍ଟଅପ୍‌ଗୁଡ଼ିକ ବିଭିନ୍ନ ମଡେଲକୁ ନେଇ ନିଜ ଭିତରେ ପ୍ରତିଯୋଗିତା କରିବେ।

ଏହି ସାମ୍ବାଦିକ ସମ୍ମିଳନୀରେ ସୋଆର ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ଓ ଆଇସିଡ୍‌ର ଚେୟାର ଡକ୍ଟର ରାକେଶ ଆରାୱାଟିଆ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମାର୍ଚ୍ଚ ୧୬ ରୁ ୧୯ ମଧ୍ୟରେ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ଦିଗକୁ ଅପରଏୟାର ଟ୍ରଫ୍ ଲାଇନ୍‌ର ପ୍ରଚଳନ ଏବଂ ଉପକୂଳ ଅଂଚଳକୁ ବଙ୍ଗୋପ ସାଗରରୁ ଜଳୀୟ ବାଷ୍ପ ପ୍ରବାହ ଯୋଗୁଁ ଏଭଳି ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି।

ମାର୍ଚ୍ଚ ୧୬ ରୁ ୧୯ ତାରିଖ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟ ଅଳ୍ପ ପରିମାଣର ବର୍ଷା ହେବାର ସମ୍ଭାବନା ଥିବା ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଉତ୍ତର ଓ ଉପକୂଳ ଓଡ଼ିଶାରେ ମାର୍ଚ୍ଚ ୧୬ ରୁ ୧୮ ତାରିଖ ମଧ୍ୟରେ ଘଡ଼ଘଡ଼ି ଓ କୁଆପଥର ସହ ବର୍ଷା ହେବାର ସମ୍ଭାବନା ଥିବା ସେ କହିଛନ୍ତି।

ଏହାର ପ୍ରଭାବରେ ମାର୍ଚ୍ଚ ୧୫ ତାରିଖରୁ ଦିନର ତାପମାତ୍ରା କମିବ। ଏପରିକି ମାର୍ଚ୍ଚ ୧୬ ତାରିଖରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୩ ଡିଗ୍ରୀ ସେଲ୍‌ସିୟସ୍ ରହିବାର ସମ୍ଭାବନା ଥିବାବେଳେ ଏଭଳି ସ୍ଥିତି ମାର୍ଚ୍ଚ ୨୧ ତାରିଖ ଯାଏର୍ ଜାରୀ ରହିବ ବୋଲି ଡକ୍ଟର ସାହୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମହିଳାଙ୍କ ପ୍ରଗତିକୁ କାର୍ଯ୍ୟରେ ରୂପାନ୍ତରିତ କରିଛି ବିଶ୍ୱବିଦ୍ୟାଳୟ: ସୋଆ ଉପସଭାପତି

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୪୭ ପ୍ରତିଶତ ଝିଅ ଶିକ୍ଷା ଗ୍ରହଣ କରୁଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ଇଞ୍ଜିନିୟରିଂରେ ୩୯ ପ୍ରତିଶତ ଛାତ୍ରୀ ଅଛନ୍ତି। ସେହିପରି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ମହିଳା ହେଉଛନ୍ତି ୫୧ ପ୍ରତିଶତ। ତେଣୁ ମହିଳାଙ୍କ ପ୍ରଗତିକୁ ବିଶ୍ୱବିଦ୍ୟାଳୟ କାର୍ଯ୍ୟରେ ରୂପାନ୍ତରିତ କରିଛି ବୋଲି କହିଛନ୍ତି ସୋଆ ଉପସଭାପତି ଶାଶ୍ୱତି ଦାସ।

ମଙ୍ଗଳବାର ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ସୋଆରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀମତି ଦାସ। କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଇଚ୍ଛା ଶକ୍ତି ଓ ଦକ୍ଷତା ଯୋଗୁଁ ସେମାନେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ବୋଲି ସେ କହିଛନ୍ତି।

ଚଳିତ ବର୍ଷ ମହିଳା ଦିବସର ବିଷୟବସ୍ତୁ “ଡିଜିଟାଲ୍‌: ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ଫର୍ ଜେଣ୍ଡର ଇକ୍ୱାଲିଟି” ବିଷୟରେ ମତ ରଖି ଶ୍ରୀମତି ଦାସ କହିଛନ୍ତି ଯେ ବିଜ୍ଞାନ ଅନେକ ମାତ୍ରାରେ ଆଗେଇଛି ଓ ପ୍ରଯୁକ୍ତି ବିଦ୍ୟା ଓ ଡିଜିଟାଲ୍ ଜ୍ଞାନ କୌଶଳ ସବୁ କାମକୁ ସହଜ କରିଛି। ଏ ଦିଗରେ ବିଶ୍ୱରେ ନାରୀମାନେ ପଛୁଆ ନୁହଁନ୍ତି। ବିଶ୍ୱର ପ୍ରତିଟି ଗବେଷଣା ଓ ଉଦ୍‌ଭାବନର ପ୍ରଚ୍ଛଦରେ ଡିଜିଟାଲ୍ ଜ୍ଞାନ କୌଶଳର ଅବଦାନ ଯଥେଷ୍ଟ। ଏସବୁ ଉଦ୍ଭାବନରେ କେବଳ ଯେ ପୁରୁଷମାନେ ଭାଗୀଦାର ସେ କଥ।। ନୁହେଁ ବରଂ ବିଶ୍ୱର ପ୍ରତି କୋଣ ଅନୁକୋଣରୁ ନାରୀମାନେ ବି ଉଦ୍‌ଭାବନ, ଆବିଷ୍କାର ତଥା ନୂତନ ଜ୍ଞାନ କୌଶଳରେ ନିଜକୁ ସାବ୍ୟସ୍ତ ଏବଂ ପ୍ରମାଣିତ କରିପାରିଛନ୍ତି ବୋଲି ସେ କହିଛନ୍ତି।

ଏହି ଅବସରରେ ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ସ୍ୱାଗତ ଭାଷଣ ରଖିଥିବା ବେଳେ ଆଇଡିଏସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି ଏବଂ ସୋଆ ପ୍ରାଚୀନ୍‌ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ମହିଳାମାନଙ୍କର ସମାନତା ଏବଂ ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ସମାନ ଅଧିକାର ଦେବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚର ଆଡିସ୍‌ନାଲ ଡିନ୍ (ଷ୍ଟୁଡେଂଟ୍‌ସ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ଉପସଭାପତି ଶ୍ରୀମତି ଦାସ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ହାଉସ୍ କିପିଂ ବିଭାଗର ଆଟେନ୍‌ଡାଂଟ ମାମୁନି ମହାନ୍ତି, ହାଉସ୍ କିପିଂ ଆସିଷ୍ଟାଂଟ ଜୟନ୍ତୀ ବେହେରା, ଫାର୍ମାସିଷ୍ଟ କୁମାରୀ ସୁନନ୍ଦିନୀ ମହାପାତ୍ର, ଆସିଷ୍ଟାଂଟ ନର୍ସିଂ ସୁପରିଟେଣ୍ଡେଂଟ ପ୍ରଣତି ବେହେରା, ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ ମାନସୀ ଜେନା, ସୋଆ କମ୍ୟୁନିଟି ରେଡିଓ ୯୦.୪ ର ଜୁନିୟର ପ୍ରୋଗ୍ରାମ୍ କୋର୍ଡିନେଟର ଶୁଭ୍ରସୀମା ମହାନ୍ତି, ଲୋକସମ୍ପର୍କ ବିଭାଗର ଏକ୍‌ଜିକ୍ୟୁଟିଭ୍ କୁମାରୀ ସିପ୍ରା ମହାନ୍ତି, ଏକ୍‌ଜିକ୍ୟୁଟିଭ୍ ଟ୍ରେନି କୁମାରୀ ମୋନାଲିସା ବାରିକ, ପ୍ରମେୟ ଆଣ୍ଡ ନ୍ୟୁଜ୍ ୭ ଡିଜିଟାଲ୍‌ର ସିନିୟର୍ କଂଟେଂଟ ଏଡିଟର୍ ପ୍ରତିଭା ପ୍ରିୟଦର୍ଶିନୀ, ପ୍ରମେୟ ରିପୋର୍ଟର କୁମାରୀ ସସ୍ମିତା ମଲ୍ଲ ଏବଂ ନ୍ୟୁଜ୍‌୭ ସିନିୟର ରିପୋର୍ଟର ସମୀକ୍ଷା ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ ଭଳି ଆହ୍ୱାନର ସାମ୍ନା କରିବା ପାଇଁ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍‌

ଭୁବନେଶ୍ୱର: କୋଭିଡ ଭଳି ସମସ୍ୟାକୁ ମାନବ ସମାଜ ବାରମ୍ବାର ସାମ୍ନା କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଏହାକୁ ସାମ୍ନା କରିବା ସହ ମୁକାବିଲା କରିବା ନିମନ୍ତେ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍ ବୋଲି ଶୁକ୍ରବାର ଜଣେ ଗବେଷକ କହିଛନ୍ତି। କୋଭିଡ୍ ୧୯ ଭଳି ସ୍ୱାସ୍ଥ୍ୟ ସମସ୍ୟା ଆଗକୁ ମଧ୍ୟ ଆସିପାରେ। କିନ୍ତୁ ଏଭଳି ଆହ୍ୱାନର ମୁକାବିଲା କରିବା ନିମନ୍ତେ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍ ବୋଲି କହିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର (ଡକ୍ଟର) ଇ. ଭେଙ୍କଟ ରାଓ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ଏକ ଦିବସୀୟ କର୍ମଶାଳାର ଉଦ୍‌୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ପ୍ରଫେସର ରାଓ।

ପ୍ରଫେସର ରାଓ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ କୋଭିଡ୍ ଭାକ୍ସିନ୍ “କୋଭାକ୍ସିନ୍‌” ଏବଂ ନାଜାଲ୍ କୋଭିଡ୍ ଭାକ୍ସିନ୍‌ର ମାନବୀୟ ପରୀକ୍ଷଣରେ ପ୍ରମୁଖ ନିରୀକ୍ଷକ ଭାବେ କାର୍ଯ୍ୟ କରିଥିଲେ।

ଏହି କର୍ମଶାଳାଟି ସୋଆ -ଡିବିଟି-ବିଲ୍ଡର ଜାତୀୟ ଗବେଷଣାଗାର ଆନୁକୂଲ୍ୟରେ ଆୟୋଜିତ କରାଯାଇଥିଲା। ଡିପାର୍ଟମେଂଟ ଅଫ୍ ବାୟୋଟେକ୍ନୋଲୋଜି ସହାୟତାରେ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଅତ୍ୟାଧୁନିକ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ଏହି ଡିବିଟି-ବିଲ୍ଡର ଗବେଷଣାଗାର ସ୍ଥାପନ କରାଯାଉଛି। ଏସ୍‌ପିଏସ୍‌ରେ ମଧ୍ୟ ଏହି ଗବେଷଣାଗାର ସ୍ଥାପିତ ହୋଇଛି।

ଯୁବ ଗବେଷକମାନଙ୍କ ନିମନ୍ତେ ଏହି ସ୍କିମ୍ ଏକ ଉତ୍କୃଷ୍ଟ ମାଧ୍ୟମ ହୋଇଛି ବୋଲି ଉଲ୍ଲେଖ କରି ପ୍ରଫେସର ରାଓ କହିଥିଲେ ଯେ, ପ୍ରତ୍ୟେକ ମଣିଷ ଜନ୍ମରୁ ହିଁ ଗବେଷକ ହୋଇଥାଏ। ତେବେ ପ୍ରଶ୍ନ କରିବାର କ୍ଷମତା ମଣିଷ ଭିତରେ କ୍ରମେ ଲୁପ୍ତ ହୋଇଯାଏ। ତେଣୁ ଡିବିଟି-ବିଲ୍ଡର ଭଳି ପଦକ୍ଷେପ ଯୁବ ଗବେଷକଙ୍କୁ ଖୋଜି ବାହାର କରିବାରେ ସହାୟକ ହେବ।
ଗବେଷଣା ଅନୁଷ୍ଠାନଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇ ପ୍ରଫେସର ରାଓ କହିଥିଲେ ଯେ ଏକୁଟିଆ କାର୍ଯ୍ୟ କଲେ କୌଣସି ଲାଭ ହୁଏ ନାହିଁ କିମ୍ବା ସମସ୍ୟାର ସମାଧାନ ହୁଏ ନାହିଁ।

ଏସ୍‌ପିଏସ୍ ଡିନ୍ ପ୍ରଫେସର ଏସି.ସି ସିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ “ଫ୍ଲୋ ସାଇଟୋମିଟର: ୱାର୍କିଂ ପ୍ରିନ୍ସିପଲ୍ ଆଣ୍ଡ ଆପ୍ଲିକେସନ୍‌ସ” ଶୀର୍ଷକ ଆଲୋଚନା କରାଯାଇଥିବା ବେଳେ ପରେ ଏହାର କାର୍ଯ୍ୟକାରିତା ଉପରେ ତାଲିମ ଦିଆଯାଇଥିଲା।
ଏହି କର୍ମଶାଳାର ସଂଯୋଜ ପ୍ରଫେସର ଗୌତମ ରଥ ଓ ମୋଡେରେଟର ପ୍ରଫେସର ବି.ବି. ସୁବୁଦ୍ଧି ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନର୍ସମାନେ ଯତ୍ନର ସହ ରୋଗୀ ସେବା କରନ୍ତୁ: ବିଶେଷଜ୍ଞ

ଭୁବନେଶ୍ୱର: ନର୍ସମାନେ ତ୍ୟାଗ ଓ ସେବାର ପ୍ରତୀକ। ତାଙ୍କ ହାତରେ ମଣିଷର ଜୀବନ ନିର୍ଭର କରେ। ତେଣୁ ସେମାନେ ଯତ୍ନର ସହ ରୋଗୀ ସେବା କରନ୍ତୁ ବୋଲି ଗ୍ୱାଲିୟର ସ୍ଥିତ କ୍ୟାନ୍ସର ହିଲ ହସ୍ପିଟାଲ୍‌ର ଅବସରପ୍ରାପ୍ତ ଅଧ୍ୟକ୍ଷା ପ୍ରଫେସର ରେଣୁକା ଦାସ କହିଛନ୍ତି।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି) ର ନବାଗତ ତଥା ୨୦୨୨-୨୩ ବ୍ୟାଚ୍‌ର ପ୍ରଥମ ବର୍ଷ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍ ଛାତ୍ରଛାତ୍ରୀମାନଙ୍କ ପ୍ରଦୀପ୍ତ ପ୍ରଜ୍ୱଳନ, ଶପଥ ଗ୍ରହଣ ତଥା କଲେଜର ବାର୍ଷିକ ଉତ୍ସବ ଅବସରରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଶୁକ୍ରବାର ପ୍ରଫେସର ଦାସ କହିଛନ୍ତି ଯେ, କ୍ଲାସ୍ ରୁମ୍ ପାଠ ସହ କ୍ଲିନିକାଲ୍ ଶିକ୍ଷାର ମଧ୍ୟ ଅନେକ ଗୁରୁତ୍ୱ ରହିଛି। ତେଣୁ ସାବଧାନତାର ସହ ରୋଗୀ ସେବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ଲେଖିକା ଶ୍ରୀମତି ପ୍ରୀତିଛନ୍ଦା ଧଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ ଯେ ପ୍ରତ୍ୟେକ ଚିକିତ୍ସାଳୟରେ ନର୍ସମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ତେଣୁ ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ସ୍ନେହ, ଭଲ ପାଇବା ଓ ଯତ୍ନ ନେବା ଶିକ୍ଷା କରିବା ଆବଶ୍ୟକ ବୋଲି ସେ କହିଥିଲେ।
ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନେ କିଭଳି ବୟସ୍କ ବ୍ୟକ୍ତିମାନଙ୍କର ଯତ୍ନ ନେବା ସହ ହସ୍ପିଟାଲ୍‌ରେ ଉପଯୁକ୍ତ ରୋଗୀ ସେବା କରିବେ ସେ ଉପରେ ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ପ୍ରଫେସର ଦେବଜାନୀ ନାୟକ ଛାତ୍ରଛାତ୍ରୀମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ଙ୍କ ଶପଥ ପାଠ କରାଇଥିଲେ।

କାର୍ଯ୍ୟକ୍ରମରେ ଏସ୍‌ଏନ୍‌ସି ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ, ଏସ୍‌ଏନ୍‌ସିର ଆସୋସିଏଟ୍ ଡିନ୍ ପ୍ରଫେସର ସସ୍ମିତା ଦାସ ଓ ପୂର୍ବତନ ନିର୍ଦ୍ଦେଶିକା ପ୍ରଫେସର ସରୋଜନଳିନୀ ପ୍ରଧାନ ବକ୍ତବ୍ୟ ରଖିଥିଲେ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭିନ୍ନକ୍ଷମଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସୋଆ ସମ୍ମାନିତ

ଭୁବନେଶ୍ୱର: ଭିନ୍ନକ୍ଷମଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ‘ତୃତୀୟ ବିଆର୍‌ଏମ୍ ଆଶା’ ସମ୍ମାନ ପ୍ରଦାନ କରାଯାଇଛି। ସୋଆ ଏବଂ ଏହା ଦ୍ୱାରା ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌କୁ ମିଳିତ ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଛି। ସୋଆ ପକ୍ଷରୁ ଲୋକ ସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ।

ଗତ ବର୍ଷ ଏପ୍ରିଲ୍ ମାସରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କ୍ୟାମ୍ପସ୍ ୪ରେ ସ୍ପେଶାଲ ଅଲିମ୍ପିକ୍‌ସ ଭାରତ ପକ୍ଷରୁ ଦେଶର ୧୨୬ଟି ଭିନ୍ନ ଭିନ୍ନ ସ୍ଥାନରେ ଏକସଙ୍ଗେ ଏକ ମିନିଟ ପାଇଁ ପ୍ରାୟ ୭୫୦୦ ଭିନ୍ନକ୍ଷମ ଶିଶୁ ଜଗିଙ୍ଗ୍ କରି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଥିଲେ। ସୋଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ଶିଶୁ ଯୋଗ ଦେଇଥିଲେ। ସୋଆର ଏହି ସହଯୋଗ ନିମନ୍ତେ ସମ୍ମାନିତ କରିବା ସହ ଧନ୍ୟବାଦ ଜଣାଇଛନ୍ତି ଆୟୋଜକ କର୍ତୃପକ୍ଷ।

ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ଥିତିପ୍ରଜ୍ଞା ଦଳବେହେରାଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅବଦାନ ନିମନ୍ତେ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଛି।

ଏହି ଅବସରରେ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ଏବଂ ବିଏମ୍‌ସି ମେୟର ସୁଲୋଚନା ଦାସ ଉପସ୍ଥିତ ରହି ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଏଲ୍‌ଏସ୍‌ର ସିଇଓ ତଥା ବିଆରଏମ୍ ଆଶାର ସମ୍ପାଦକ ପ୍ରକାଶ ରଥ, ପ୍ରତିଷ୍ଠାତା ଡକ୍ଟର କସ୍ତୁରୀ ମହାପାତ୍ର, ସଭାପତି ଡକ୍ଟର ଅଜିତ ମହାନ୍ତି, ସମ୍ପାଦକ ଡକ୍ଟର ପ୍ରତାପ ରଥ ଏବଂ ଉପସଭାପତି ପ୍ରଦୀପ୍ତ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ବିଆରଏମ୍ ଆଶା ସମ୍ମାନର ସହିତ ଓପନ୍ ଲର୍ଣ୍ଣିଂ ସିଷ୍ଟମ୍‌ସର ବାର୍ଷିକ ଉତ୍ସବ ଅବସରରେ ଭିନ୍ନକ୍ଷମ ଶିଶୁମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆଏନ୍‌ଏସ୍‌ଏସ୍ ଦ୍ୱାରା ଆୟୋଜିତ ୩ ଦିନିଆ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ଯୁବ ସ୍ୱେଚ୍ଛାସେବୀ ଙ୍କ ନିମନ୍ତେ ଏକ ୩ ଦିନିଆ ବିଶ୍ୱବିଦ୍ୟାଳୟ ସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଆଜି ଉଦ୍‌ଘାଟିତ ହୋଇଯାଇଛି।

ସୋଆ କ୍ୟାମ୍ଫସ୍ -୪ର ଅଡିଟୋରିୟମ୍ ରେ ଆୟୋଜିତ ଏହି ୩ ଦିନିଆ ଶିବିର ରେ ପ୍ରାୟ ୨୦୦ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଓ ପ୍ରୋଗ୍ରାମ ଅଫିସର ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସଂପର୍କ ରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ଓ ନେତୃତ୍ୱ ର ବିଭିନ୍ନ ପରିଭାଷା ସଂପର୍କରେ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉଚ୍ଚ ଶିକ୍ଷା ବିଭାଗ ର ଯୁଗ୍ମ ସଚିବ ତଥା ଏନ୍‌ଏସ୍‌ଏସ୍‌ର ରାଜ୍ୟ ସଂଯୋଜକ ଡକ୍ଟର ରମେଶ ଚନ୍ଦ୍ର ବେହେରା ସ୍ୱେଚ୍ଛାସେବୀ ମାନଙ୍କୁ ଜୀବନରେ ଶୃଙ୍ଖଳିତ ହେବା ସହିତ ବିଭିନ୍ନ ସମସ୍ୟାକୁ କିପରି ଧୈର୍ଯ୍ୟର ସହିତ ସାମ୍ନା କରିବା ଆବଶ୍ୟକ ସେ ବିଷୟରେ କହିଥିଲେ।

କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଏସ୍‌ର ଆଂଚଳିକ ନିର୍ଦ୍ଦେଶିକା ସରିତା ପଟେଲ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଂଗଠନର ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିବାବେଳେ ସ୍ୱେଚ୍ଛାସେବୀ ମାନଙ୍କୁ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ତଥା ଜଣେ ଭଲ ନେତା ହେବା ପାଇଁ କେଉଁ ସବୁ ଗୁଣବତା ରହିବା ଜରୁରୀ ସେ ବିଷୟରେ କହିଥିଲେ।

ଏହି ଅବସରରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ କୋଅର୍ଡିନେଟର ତଥା ସୋଆର ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଶିବିର ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ। ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଫେସର ରାଜେନ୍ଦ୍ର ମହାନ୍ତିଙ୍କୁ ଲାଲ ବାହାଦୂର ଶାସ୍ତ୍ରୀ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁର୍ବତନ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ଗୁରୁବାର ନୂଆ ଦିଲ୍ଲୀ ଠାରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଲାଲ ବାହାଦୂର ଶାସ୍ତ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ନୂଆଦିଲ୍ଲୀ ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ ପକ୍ଷରୁ ପ୍ରତିବର୍ଷ ଅନୁଷ୍ଠାନର ସ୍ଥାପନା ଦିବସ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍‌, ମ୍ୟାନେଜମେଂଟ ବିଶାରଦ ଓ ବ୍ୟବସାୟ କ୍ଷେତ୍ରରେ ଖ୍ୟାତି ଲାଭ କରିଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ। ଲାଲ ବାହାଦୂର ଶାସ୍ତ୍ରୀ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଅନୀଲ ଶାସ୍ତ୍ରୀ ପ୍ରଫେସର ମହାନ୍ତିଙ୍କୁ ଏହି ସମ୍ମାନରେ ଭୂଷିତ କରିଥିଲେ।

ବର୍ତ୍ତମାନ ସୋଆ ବିଶ୍ୱବିଦ୍ୟାଳୟର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ପ୍ରଫେସର ମହାନ୍ତି ହ୍ୟୁମାନ୍ ରିସୋର୍ସ ମ୍ୟାନେଜମେଂଟ, କ୍ୱାଲିଟି ମ୍ୟାନେଜମେଂଟ ପ୍ରାକ୍ଟିସେସ୍‌, ସପ୍ଲାଇ ଚେନ୍ ମ୍ୟାନେଜମେଂଟ, ଆଡଭାନ୍ସଡ ଅପରେସନ୍ସ ମ୍ୟାନେଜମେଂଟ ଓ ଟୋଟାଲ୍ କ୍ୱାଲିଟି ମ୍ୟାନେଜମେଂଟ ଭଳି ବିଷୟ ଉପରେ ଅନେକ ଉପାଦେୟ ପୁସ୍ତକ ରଚନା କରିଛନ୍ତି। ବିଭିନ୍ନ ବିଷୟରେ ଜଣେ ଆନ୍ତର୍ଜାତିକ ବକ୍ତା ଭାବେ ଖ୍ୟାତି ଲାଭ କରିଥିବା ପ୍ରଫେସର ମହାନ୍ତିଙ୍କର ଉଭୟ ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ପ୍ରଭୃତ ଅଭିଜ୍ଞତା ରହିଛି। ସେ ପୂର୍ବରୁ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଂଟ ସ୍କଲାର୍‌ସ ଦ୍ୱାରା ଇଂଟରନ୍ୟାସ୍‌ନାଲ୍ ଲାଇଫ୍ ଟାଇମ୍  ଆଚିଭମେଂଟ ଆୱାର୍ଡ, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ ଦ୍ୱାରା ଲାଇଫ୍ ଟାଇମ୍ ଆଚିଭ୍‌ମେଂଟ ଆୱାର୍ଡ ଓ ଓଡ଼ିଶା ଇଞ୍ଜିନିୟର୍ସ ଫୋରମ୍ ଦ୍ୱାରା ଭାରତରତ୍ନ ସାର ବିଶେଶ୍ୱରାୟ ଆୱାର୍ଡ ଲାଭ କରିଛନ୍ତି।

ପ୍ରଫେସର ମହାନ୍ତି ଅନେକ ବୃତିଗତ ସଂସ୍ଥାର ଫେଲୋ ତଥା ଅନେକ ଅନୁଷ୍ଠାନର ବୋର୍ଡ ଅଫ୍ ଗଭର୍ଣ୍ଣରରେ ସଭ୍ୟ ରହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କ୍ୟାରିୟର ଗଠନ ନିମନ୍ତେ ସୋଆର ପୁରାତନ ଛାତ୍ରଙ୍କ ଦ୍ୱାରା ଦୁଇଟି ପୁସ୍ତକ ରଚିତ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ବୃତିଗତ ଦୁନିଆରେ ଓ ପ୍ରତିଯୋଗିତାମୂଳକ ପରିବେଶରେ ନିଜ ସ୍ଥିତିକୁ ସୁଦୃଢ଼ କରିବାର ମନ୍ତ୍ର ଦେବାର ଉଦ୍ଦେଶ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଦୁଇଜଣ ପୁରାତନ ଛାତ୍ର ଦୁଇଟି ପୁସ୍ତକ ରଚନା କରିଛନ୍ତି।

ସୋଆର ପୁରାତନ ଛାତ୍ର ଅରବିନ୍ଦ ଦାସ “କର୍ପୋରେଟ ବ୍ରହ୍ମାସ୍ତ୍ର” ନାମକ ପୁସ୍ତକ ଲେଖିଛନ୍ତି ଯାହା ଏଲିନ୍ ପବ୍ଲିସ୍‌ର୍ସଙ୍କ ଦ୍ୱାରା ଏହାର ପ୍ରକାଶିତ ହୋଇଛି। ଏହି ପୁସ୍ତକରେ ବିଶ୍ୱବିଦ୍ୟାଳୟ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଶିକ୍ଷା ସମାପ୍ତ କରି ବାହାରୁଥିବା ଛାତ୍ରଛାତ୍ରୀମାନେ କିଭଳି ନିଜକୁ ଦକ୍ଷ କରିପାରିବେ ଏବଂ ସମୟ ସହିତ ତାଳ ଦେଇ ଚାଲି ଭିଡ଼ ଭିତରେ କିଭଳି ନିଜକୁ ଛିଡ଼ା କରାଇପାରିବେ ସେ ସମ୍ପର୍କରେ ତଥ୍ୟ ରହିଛି।

ସେହିପରି ଅନ୍ୟ ଜଣେ ପୁରାତନ ଛାତ୍ର ପରାଗ ରାୟ “ୟୁ-ଦ କ୍ୟାରିୟର କ୍ରିଏଟର୍ ଭି ୨.୦” ନାମକ ପୁସ୍ତକ ଲେଖିଛନ୍ତି। କୌଣସି ବିରୋଧାତ୍ମକ ଚିନ୍ତା କିମ୍ବା ମାନସିକ ଉଦ୍‌ବିଳନର ବଶବର୍ତ୍ତୀ ନ ହୋଇ କିଭଳି ନିଜର ବୃତିଗତ କ୍ୟାରିୟର ଗଠନ କରିହେବ ସେ ସମ୍ପର୍କରେ ପୁସ୍ତକରେ ଉଲ୍ଲେଖ ରହିଛି।

ଏହି ଦୁଇ ପୁସ୍ତକର ରଚୟିତା ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ପୁରାତନ ଛାତ୍ର। ଏମାନଙ୍କ ମଧ୍ୟରୁ ଶ୍ରୀ ଦାସ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍‌ସ ଇଞ୍ଜିନିୟରିଂରେ ବିଟେକ୍ କରିଥିବା ବେଳେ ଶ୍ରୀ ରାୟ ମେକାନିକାଲ୍ ଇଞ୍ଜିନିୟରିଂରେ ବିଟେକ୍ କରିଛନ୍ତି।

ଶ୍ରୀ ଦାସ କହିଛନ୍ତି ମୋ ପୁସ୍ତକଟି ବିଶେଷ ଭାବେ କଲେଜ ଛାତ୍ରଛାତ୍ରୀ ଏବଂ କାର୍ଯ୍ୟରତ ବ୍ୟକ୍ତିମାନଙ୍କର ମାନସିକତାକୁ ସୁଦୃଢ଼ କରିବା ପାଇଁ ଉଦ୍ଦିଷ୍ଟ। ମୁଁ ଜଣେ ସଫ୍ଟ ସ୍କିଲ୍ ଟ୍ରେନର ଏବଂ ମୋଟିଭେସ୍‌ନାଲ୍ ସ୍ପିକର୍। ଯୁବବର୍ଗଙ୍କ କ୍ଷେତ୍ରରେ ପରିବର୍ତନ ଆଣିବା ମୋର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ଏହି ପୁସ୍ତକଟି ବୃତିଗତ କ୍ଷେତ୍ରରେ ଉତ୍କର୍ଷ ଆଣିବା ଦିଗରେ ସହାୟକ ହେବ। ଏକବିଂଶ ଶତାବ୍ଦୀ ନିମନ୍ତେ ୨୧ଟି ବୃତିଗତ ଦକ୍ଷତା ସମ୍ପର୍କରେ ଏହି ପୁସ୍ତକରେ ଉଲ୍ଲେଖ ଅଛି।
ସେହିପରି ଶ୍ରୀ ରାୟ ଯିଏ କି ସୂଚନା ଓ ପ୍ରଯୁକ୍ତି ଶିଳ୍ପ କ୍ଷେତ୍ରରେ ସେଲ୍ସ ଆଣ୍ଡ ମାର୍କେଟିଂ ପ୍ରଫେସ୍‌ନାଲ୍ ଭାବେ କାର୍ଯ୍ୟରତ ଅଛନ୍ତି ସେ ନିଜ ପୁସ୍ତକରେ ଛାତ୍ରଛାତ୍ରୀ ଓ ଯେଉଁମାନେ କାର୍ଯ୍ୟରତ ସେମାନଙ୍କ କ୍ୟାରିୟର କ୍ଷେତ୍ରରେ ୫ ସ୍ତରୀୟ ପ୍ରୟୋଗ ସମ୍ପର୍କରେ ଆଲୋକପାତ କରିଛନ୍ତି।

ନିକଟରେ ଉଭୟ ଶ୍ରୀ ଦାସ ଓ ଶ୍ରୀ ରାୟ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଭେଟି ପୁସ୍ତକ ଦୁଇଟି ପ୍ରଦାନ କରିଛନ୍ତି। ପ୍ରଫେସର (ଡକ୍ଟର) ନାୟକ ଦୁଇ ଜଣଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ ନେଇ କାମନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ଛତୁଚାଷ ପ୍ରଶିକ୍ଷଣ ଶିବିର ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ଚନ୍ଦକା ପଂଚାୟତ କୁଜିମହଲ ଠାରେ ଉନ୍ନତ ଭାରତ ଯୋଜନା ପରିପ୍ରେକ୍ଷୀରେ ଏକ ଛତୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରରେ ଦଶ ଜଣ ଚାଷୀ ଓ ଏନଏସ୍‌ଏସ୍‌ର ସ୍ୱେଚ୍ଛା ସେବୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏବଂ ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ଯୋଗ ଦେଇ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ଛତୁଚାଷ ବିଶାରଦ ରାକେଶ ରୋଶନ ଶତପଥି ଓ ତାଙ୍କ ସହକାରୀ ଦିବ୍ୟ ଜ୍ୟୋତି ସ୍ୱାଇଁ ଯୋଗ ଦେଇ ଛତୁଚାଷ କୁ କିପରି ବ୍ୟବସାୟ ଭିତିକ କରିହେବ ସେହି ବିଷୟରେ ଚାଷୀମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିବାବେଳେ ଛତୁଚାଷ ଜନିତ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନର ପ୍ରଣାଳୀ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ।
ଏହି କାର୍ଯ୍ୟକ୍ରମର ଶେଷରେ ସମସ୍ତ ଚାଷୀମାନଙ୍କୁ ଛତୁ ଚାଷ ପାଇଁ ଆବଶ୍ୟକ ସାମଗ୍ରୀ ବଟଂନ କରାଯାଇଥିଲା।

ଏନ୍‌ଏସ୍‌ଏସ୍‌ର କୋର୍ଡିନେଟର ପ୍ରଫେସର ନଚିକେତା ଶର୍ମା ଏବଂ ପ୍ରୋଗ୍ରାମ ଅଫିସର ରାଜୀବ କୁମାର ବେହେରାଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ କେନ୍ଦ୍ର ବଜେଟକୁ ନେଇ ଆଲୋଚନାଚକ୍ର ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଠାରେ କେନ୍ଦ୍ର ବଜେଟକୁ ନେଇ ସୋମବାର ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି।

ଦୈନିକ ଇଂରାଜୀ ସମ୍ବାଦପତ୍ର ବିଜନେସ୍ ଷ୍ଟାଣ୍ଡାର୍ଡ ଓ ଆଇବିସିଏସ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର, ନାଇଜର ଭୁବନେଶ୍ୱରର ଅର୍ଥ ବିଭାଗର ରିଡର୍ ଡକ୍ଟର ଅମରେନ୍ଦ୍ର ଦାସ ଏବଂ ଫିନ୍‌ଷ୍ଟ୍ରାଟେଜି କନ୍‌ସଲଟାନ୍ସିର ସିଇଓ ତଥା ମ୍ୟାନେଜିଂ ଡାଇରେକ୍ଟର ଓମ୍ ମହାପାତ୍ର ଯୋଗ ଦେଇ ଚଳିତ ବଜେଟର ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ।

ଚଳିତ ବଜେଟର ଗୁଣବତା, ମଧ୍ୟବର୍ଗଙ୍କ ନିମନ୍ତେ ସୁବିଧା, ବଜେଟର ଅର୍ଥ ବ୍ୟବସ୍ଥା ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଭାବକୁ ନେଇ ଏହି ବିଶେଷଜ୍ଞମାନେ ଆଲୋଚନା କରିଥିଲେ।

ଆଲୋଚନାଚକ୍ରରେ ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଅର୍ଥ ବିଭାଗର ପ୍ରଫେସର ପି.କେ. ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଜନେସ୍ ଷ୍ଟାଣ୍ଡାର୍ଡ ପକ୍ଷରୁ ମନୋଜ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିଯୁକ୍ତିର ଅନେକ ସୁଯୋଗ ଏବେ ଉନ୍ମୁକ୍ତ: ବିଶେଷଜ୍ଞ

ଭୁବନେଶ୍ୱର: ଆଇନ୍ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିଯୁକ୍ତିର ଅନେକ ସୁଯୋଗ ଏବେ ଉନ୍ମୁକ୍ତ ହେବାରେ ଲାଗିଛି। ତେବେ ଏହି ସୁଯୋଗକୁ ଛାତ୍ରଛାତ୍ରୀମାନେ କିଭଳି ହାସଲ କରିବେ ତାହା ସେମାନଙ୍କ ଉପରେ ନିର୍ଭର କରେ ଏବଂ ଏ ନେଇ ସେମାନେ ଶିକ୍ଷା ଗ୍ରହଣ କରୁଥିବା କଲେଜ ଏବଂ ବିଶ୍ୱବିଦ୍ୟାଳୟ ଦାୟିତ୍ୱବାନ ହେବା ଉଚିତ୍ ବୋଲି କହିଛନ୍ତି ଭାରତର ଆଗଧାଡିର ଆଇନ୍ ସେବା ପ୍ରଦାନ କରୁଥିବା ସଂସ୍ଥା ଅନୁଷ୍ଠାନ ୱାଡିଆ ଗାନ୍ଧି ଆଣ୍ଡ କମ୍ପାନୀର ପାର୍ଟନର ଜଶ ଅଗ୍ରୱାଲ।

ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌) ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ଲ କନ୍‌କ୍ଲେଭ୍ “ସୋଆ ଲେକ୍ସ କନ୍‌ସିଲିୟମ୍‌” ରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ଶ୍ରୀ ଅଗ୍ରୱାଲ୍।

ଶ୍ରୀ ଅଗ୍ରୱାଲ୍ କହିଛନ୍ତି ଯେ ଦେଶରେ ପ୍ରାୟ ୧୭୦୦ ଆଇନ୍ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ପ୍ରତ୍ୟେକ ବର୍ଷ ୪ ଲକ୍ଷ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିକ୍ଷା ସମାପ୍ତ କରି ବାହାରୁଛନ୍ତି। କେବଳ ଆଇନ୍ ଛାତ୍ରଛାତ୍ରୀ ଯେ କୋର୍ଟରେ ଓକିଲାତି କରିବେ କିମ୍ବା ବିଚାରପତି ହେବା ନିମନ୍ତେ ପ୍ରଚେଷ୍ଟା କରିବେ ତା ନୁହେଁ ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ଅନେକ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବାରେ ଲାଗିଛି। ତେବେ ଏତେ ସଂଖ୍ୟାରେ ଚାକିରି ପାଇବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ହାତକୁ ଆସୁଥିବା ସୁଯୋଗକୁ ବୁଦ୍ଧିମତାର ସହ ଗ୍ରହଣ କରିବା ଉଚିତ୍। ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ନିଜ ଛାତ୍ରଛାତ୍ରୀଙ୍କୁ କିଭଳି ଅନ୍ୟମାନଙ୍କ ଠାରୁ ଅଧିକ ସଫଳ କରାଇପାରିବେ ସେ ଦିଗରେ ପ୍ରଚେଷ୍ଟା କରିବା ଉଚିତ୍ ବୋଲି ଶ୍ରୀ ଅଗ୍ରୱାଲ୍ କହିଛନ୍ତି।

ଏଭଳି କନ୍‌କ୍ଲେଭ୍‌ର ଆୟୋଜନ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଅନେକ ସହାୟକ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ ଅଗ୍ରୱାଲ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତର ଦେଇଥିଲେ।

କନ୍‌କ୍ଲେଭ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହ ସୋଆରେ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୭ ପ୍ରତିଶତ ଛାତ୍ରୀ ହୋଇଥିବା ବେଳେ ଏଠାରେ ୩୫ ପ୍ରତିଶତ ମହିଳା ଅଧ୍ୟାପିକା କାର୍ଯ୍ୟରତ ବୋଲି କହିଥିଲେ। ଏହା ଦ୍ୱାରା ସୋଆ ମହିଳା ସଶକ୍ତିକରଣକୁ ଅଧିକ ପ୍ରାଧାନ୍ୟ ଦେଉଥିବା ବେଳେ ଗବେଷଣାକୁ ମଧ୍ୟ ଅଧିକ ଗୁରୁତ୍ୱ ଦେଉଛି ବୋଲି ସେ କହିଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସ୍ନିଲ୍‌ର ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ବକ୍ତବ୍ୟ ରଖିଥିବା ବେଳେ କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନ୍‌ଗେଜମେଂଟ ବିଭାଗର ମୁଖ୍ୟ ରିପ୍ତି ରଞ୍ଜନ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଶିକ୍ଷା ଏବଂ ଆଇନ ସେବା କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସହ ଛାତ୍ରଛାତ୍ରୀମାନଙ୍କର ଆଲୋଚନା ଏବଂ ଆଇନ୍ ସହ ଅତ୍ୟାଧୁନିକ ଜ୍ଞାନ କୌଶଳର କିଭଳି ସମ୍ପର୍କ ରହିଛି ସେ ଦିଗରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ହିଁ ଏହି କନ୍‌କ୍ଲେଭ୍‌ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ଦାଶ କହିଥିଲେ।

ଏହି ଅବସରରେ “ଆଇନ ବୃତିର ଭବିଷ୍ୟତ” ଏବଂ “ଆଇନ୍ କ୍ଷେତ୍ରରେ ନିଜକୁ ପ୍ରସ୍ତୁତ କରିବା” ଭଳି ଦୁଇଟି ପ୍ରସଙ୍ଗରେ କନ୍‌କ୍ଲେଭ୍‌ରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ଏହି କନ୍‌କ୍ଲେଭ୍‌ରେ ମାଇଣ୍ଡକ୍ରେଷ୍ଟର ଭାଇସ୍ ପ୍ରେସିଡେଂଟ (ଏଚ୍‌ଆର୍‌) ପ୍ରମୋଦ ଆବୁଜ, ଆକ୍ଟସ୍ ଲିଗାଲ ଆସୋସିଏଟ୍ସ ଆଣ୍ଡ ଆଡଭୋକେଟ୍ସର ଫାଉଣ୍ଡିଙ୍ଗ ପାର୍ଟନର ରଜନୀଶ କୁମାର ଝା, କଶ୍ୟପ ପାର୍ଟନର୍ସ ଆଣ୍ଡ ଆସୋସିଏଟ୍‌ସ ଏଲ୍‌ଏଲ୍‌ପିର ପ୍ରତିଷ୍ଠାତା ଓ ମ୍ୟାନେଜିଙ୍ଗ ପାର୍ଟନର୍ ଆଭା ଅଭୟ କଶ୍ୟପ, ଇଣ୍ଡସ୍ ଲ’ର ପ୍ରାକ୍ଟିସ୍ ଡେଭଲପ୍‌ମେଂଟ ଗ୍ରୁପ୍ରର ୟଭନିକା ଶାହ, ଆର୍‌କେ ଦିୱାନ ଆଣ୍ଡ କୋର୍ ଲିଗାଲ୍ ଆସୋସିଏଟ ଇନ୍ଦ୍ରଜୀତ ମିତ୍ର, ମୋରେ ଗ୍ଲୋବାଲ୍‌ର ସିନିୟର ଡାଇରେକ୍ଟର ବିକାଶ କୁମାର ଓ ଡାଇରେକ୍ଟର ସାହିଦୁଲା ଏନ୍‌, ଲେକ୍ସ କ୍ରେଡେନ୍ସର ମ୍ୟାନେଜିଙ୍ଗ ପାର୍ଟନର ଏସ୍‌.ଭି ଅଭଙ୍ଗ୍‌, ଲକ୍ଷ୍ମୀକୁମାରନ୍ ଆଣ୍ଡ ଶ୍ରୀଧରନ୍‌ର ସିନିୟର ମ୍ୟାନେଜର ଏଚ୍‌ଆର୍ ବ୍ରଜେଶ କୁମାର ମଣ୍ଡଲ ଏବଂ ଲେକ୍ସଅର୍ବିଶର ପ୍ୟାଟେଂଟ ଆସୋସିଏଟ ସନ୍ତ୍ରିପ୍ତୀ ଖଣ୍ଡାଇ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇ ବିଭିନ୍ନ ଆଇନଗତ ପ୍ରସଙ୍ଗରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ମୁଟ୍ କୋଟର ମଧ୍ୟ ଆୟୋଜନ କରାଯାଇଥିଲା।

ଏହି କାର୍ଯକ୍ରମରେ ସ୍ନିଲ୍‌ର ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ ଏବଂ ଆସୋସିଏଟ୍ ପ୍ରଫେସର ଚିନ୍ମୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

‘ସୋଆ’ର ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟଅପ୍ ୱିୱେର୍ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ-ସିଆଇଆଇ)ଅଧିନସ୍ଥ ଷ୍ଟାର୍ଟଅପ୍ ୱିୱେର୍‌କୁ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାର ପ୍ରଦାନ କରାଯାଇଛି।

ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ଆୟୋଜିତ ଷ୍ଟାର୍ଟଅପ୍ ମେଳାରେ ଏହି ୱିୱେର ଷ୍ଟାର୍ଟଅପ୍ ପ୍ରସ୍ତୁତ କରିଥିବା ସଦସ୍ୟ ତଥା ସୋଆର ଛାତ୍ରଛାତ୍ରୀଙ୍କୁ ଦୁଇଟି ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଥମ ପୁରସ୍କାରଟି ହେଉଛି “ ଷ୍ଟୁଡେଂଟ ଇନୋଭେଟିଭ୍‌ସ, ଷ୍ଟୁଡେଂଟ ଏଗ୍‌ଜିବିଟର” ଏବଂ ଦ୍ୱିତୀୟଟି ହେଉଛି “ଆୱାର୍ଡ ଅଫ୍ ରେକଗ୍‌ନାଇଜେସନ୍‌”।

ଛାତ୍ରଛାତ୍ରୀମାନଙ୍କୁ ୧୫ ହଜାର ଟଙ୍କାର ପୁରସ୍କାର ରାଶି, ସିଲ୍ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି। ରବିବାର ଏହି ମେଳାରେ ଇଣ୍ଡଷ୍ଟ୍ରୀ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟଅପ୍ ପାଇଁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ସୋମବାର ଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ, ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ଡକ୍ଟର ସୁବ୍ରତ ବାଗ୍‌ଚୀ ଓ ଷ୍ଟାର୍ଟଅପ୍ ଓଡିଶାର ଅଧ୍ୟକ୍ଷ ଡକ୍ଟର ଓମ୍‌କାର ରାୟ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ।

ଏହି ଅବସରରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ୱିୱେର୍ ଏବଂ ଏହାର ସଦସ୍ୟ ପୁରୁ ଅନିକେତ୍‌, ବିନିତ ଜନା, ଭୂମିକା ସିଂ, ପ୍ରଥମ ରାଜ, ମୋଦସିର୍ ଅନସାରୀ, ସୋହନ ରାଉତ , ଅତୁଲ ସାହୁ, ପି. ବିଶ୍ୱନାଥ ପାତ୍ର, ଅର୍ଚ୍ଚନା କୁମାର ବୋସ୍‌, ମୋହିତ କୁମାର ସରାଫ୍, ଦେବାଙ୍ଗନ୍ ଚକ୍ରବର୍ତୀଙ୍କୁ ସେମାନଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଛାତ୍ର୍ରଛାତ୍ରୀମାନେ ପୂର୍ବରୁ ଦୁବାଇରେ ଆୟୋଜିତ ଜିଆଇଟିଇଏକ୍ସ ଗ୍ଳୋବାଲ୍ କାର୍ଯ୍ୟକ୍ରମରେ ସୁପରନୋଭା ଯୁଥ୍ ଏଂଟରପ୍ରିନ୍ୟୁଅର ଆୱାର୍ଡ ପାଇଥିଲେ। ଏହାସହ ଓଡିଶା ହାକାଥନ୍ ଅର୍ଥାତ୍ କୋଡ୍‌ଫର୍ ଓଡିଶା କାର୍ଯ୍ୟକ୍ରମରେ ସେମାନେ ରନର୍ସଅପ୍ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡିଙ୍କୁ ଶିକ୍ଷାଭାରତୀ ସମ୍ମାନ

ଭୁବନେଶ୍ୱର: ସର୍ବଭାରତୀୟ ଶିକ୍ଷା ସଂସ୍ଥା, ସେଂଟର ଫର୍ ଏକ୍ସଲେନ୍ସ ଡେଭେଲପମେଂଟ (ସିଇଡି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ପ୍ରୀତମ ନାୟକଙ୍କୁ ଶିକ୍ଷା ଭାରତୀ ସମ୍ମାନ ପ୍ରଦାନ କରାଯାଇଛି। ଉତରପ୍ରଦେଶ ଗୁରୁଗ୍ରାମ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସିଇଡିର ସଂସ୍ଥାପକ – ସଭାପତି ତଥା ସେଂଟ ଜାଭିଅର୍ ଗ୍ରୁପ୍‌ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡକ୍ଟର ପ୍ରିୟଦର୍ଶୀ ନାୟକ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉତରପ୍ରଦେଶର ପରିବହନ ବିଭାଗ ମନ୍ତ୍ରୀ ଶ୍ରୀ ଦୟାଶଙ୍କର, ମହିଳା କଲ୍ୟାଣ ଓ ଶିଶୁ ବିକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତି ପ୍ରତିଭା ଶୁକ୍ଳା ପ୍ରମୁଖ ଯୋଗ ଦେଇଥିଲେ।

ସିଇଡି ଅଧିନରେ ୯୬୦ଟି ସ୍କୁଲ୍ ଓ ୧୨୦୦ ରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନ ସଦସ୍ୟ ସାମିଲ ଅଛନ୍ତି। ଏହି ଅବସରରେ ଡକ୍ଟର ପ୍ରିୟଦର୍ଶୀ ନାୟକ କହିଥିଲେ ଯେ ସିଇଡି ଜାତୀୟ ଶିକ୍ଷାନୀତିକୁ ୨୦୨୩ରେ ସଂପୂର୍ଣ୍ଣ ଲାଗୁ କରିବାକୁ ସମସ୍ତ ଉଦ୍ୟମ କରିବ। ଫଳରେ ଦେଶର ଉଚ୍ଚ ଶିକ୍ଷାର ମାନ ବୃଦ୍ଧି ପାଇବା ସହ ଶିକ୍ଷାଦାତାଙ୍କୁ ଅଧିକ ସଶକ୍ତ କରାଯାଇପାରିବ। ଦେଶର ପ୍ରଗତି ପାଇଁ ଶିକ୍ଷାର ଗୁଣବତା ବୃଦ୍ଧି ଅତ୍ୟନ୍ତ ଆବଶ୍ୟକ। ଏହା ନ ହେଲେ ଦେଶର ଭବିଷ୍ୟତ ନିର୍ମାଣ କରାଯାଇପାରିବ ନାହିଁ ବୋଲି ସେ କହିଥିଲେ।

ଡ. ପ୍ରିୟଦର୍ଶୀ ନାୟକ କହିଥିଲେ ଯେ, ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପ୍ରଗତି ନିମନ୍ତେ ବର୍ତମାନ ଯେଉଁ ସବୁ ଆହ୍ୱାନ ରହିଛି ସେ ସବୁର ଦୃଢ ମୁକାବିଲା କରିବା ଆବଶ୍ୟକ। ଏହା ଫଳରେ ଉଚ୍ଚଶିକ୍ଷାର ମାନରେ ଅଗ୍ରଗତି ଘଟିବ ଏବଂ ଦେଶ ବିଶ୍ୱ ସ୍ତରରେ ଶୀର୍ଷ ସ୍ଥାନରେ ପହଂଚିପାରିବ।

ଏହି ଅବସରରେ ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀଙ୍କ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନର କୁଳପତି ଓ ଶିକ୍ଷାବିତ୍ ଭାଗ ନେଇଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ସୋଆରେ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍: ସବ୍ ଜୁନିୟର, ଜୁନିୟରରେ ଓଡିଶା ଚାମ୍ପିଅନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଆୟୋଜିତ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍ ର ସବ୍ ଜୁନିୟର ଓ ଜୁନିୟର ବର୍ଗରେ ଓଡିଶା ଚାମ୍ପିଅନ୍ ହୋଇଛି । ସିନିୟର ବର୍ଗରେ ଓଡିଶା କୁ ରନର୍ସ ଅପ୍ ହୋଇଛି। ସୋଆ ବିଶ୍ୱବିଦ୍ୟାଳୟ ର ଛାତ୍ର କର୍ଣ୍ଣ ବାହାଦୂର ସିନିୟର ପୁରୁଷ ୬୬ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଜାତୀୟ ଚାମ୍ପିଅନ୍‌ସିପ୍ ଗତ ମାସ ୨୯ ରୁ ଆରମ୍ଭ ହୋଇ ନୂଆ ବର୍ଷରେ ଶେଷ ହୋଇଥିଲା। ୫୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ସବ୍ ଜୁନିୟର ବର୍ଗରେ ଓଡିଶା ଚାମ୍ପିଅନ୍ ଆସାମ ରନର୍ସ ଅପ୍ ଏବଂ କେରଳ ଦ୍ୱିତୀୟ ରନର୍ସ ଅପ୍ ଏବଂ ଜୁନିୟର ବର୍ଗରେ ଓଡିଶା ଚାମ୍ପିଅନ୍ , କେରଳ ରନର୍ସ ଅପ୍ ଏବଂ ଆସାମ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ।
ସେହିପରି ସିନିୟରରେ କେରଳ ଚାମ୍ପିଅନ୍‌, ଓଡିଶା ରନର୍ସ ଅପ୍ ଏବଂ ଉତରପ୍ରଦେଶ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲା। ସିନିୟର ବର୍ଗରେ ଉତର ପ୍ରଦେଶ ଶ୍ରେଷ୍ଠ ଦଳ ଏବଂ ପୁରୁଷରେ ଓଡିଶା ର ବବଲୁ ମୁଣ୍ଡା ଓ ମହିଳାରେ ଆସାମର ପ୍ରିୟଙ୍କା ପେଗୁ ଶ୍ରେଷ୍ଠ ଯୋଦ୍ଧା ଭାବେ ବିବେଚିତ ହୋଇଥିଲେ। ବବଲୁ ପ୍ରୋ-ଚାମ୍ପିଅନ ଓ ଆସାମ ର କୁଶଲ ପଚୁଙ୍ଗ ରନର୍ସ ଅପ୍ ଏବଂ ଓପନ ବର୍ଗରେ ସକୁନ ଟିକ୍କୋ ଚାମ୍ପିଅନ ଓ ଓଡିଶା ର ରାଜୁ ସିଙ୍‌କୁ ରନର୍ସ ଅପ୍‌ରେ ସନ୍ତୁଷ୍ଟ ରହିଥିଲେ।

ଉଦ୍‌ଯାପନୀ ଉତ୍ସବରେ ଲେଫ୍ଟନାଂଟ ଜେନେରାଲ ଜେ.କେ ମହାନ୍ତି ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସୋଆ କୁଳପତି ପ୍ରଫେସର ଡ. ବିଜୟ କୁମାର ସାହୁ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ଏସ୍‌.ଏସ୍‌. ହରିଚନ୍ଦନ, ପ୍ରବୋଧ ମହାନ୍ତି, ଦେବବ୍ରତ ପାଣିଗ୍ରାହୀ ଏବଂ ଶିବାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆ ପ୍ରଫେସର ଏମ୍‌ଆର୍‌ଏସ୍‌ଆଇ ବାର୍ଷିକ ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରଫେସର ତଥା ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ାଙ୍କୁ ଆଇଆଇଟି ଯୋଧପୁର ଠାରେ ନିକଟରେ ଚତୁର୍ଥ ଇଣ୍ଡିଆନ୍ କନ୍‌କ୍ଲେଭ୍ ଆଣ୍ଡ ଇଂଟରନ୍ୟାସ୍‌ନାଲ୍ ୟୁନିୟନ୍ ଅଫ୍ ମ୍ୟାଟେରିଆଲ୍ସ ରିସର୍ଚ୍ଚ ସୋସାଇଟି- ଇନ୍‌ଟରନ୍ୟାସ୍‌ନାଲ କନ୍‌ଫରେନ୍ସ ଇନ୍ ଏସିଆ କାର୍ଯ୍ୟକ୍ରମରେ ମ୍ୟାଟେରିଆଲ୍ସ ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆ (ଏମ୍‌ଆର୍‌ଏସ୍‌ଆଇ) ବାର୍ଷିକ ପୁରସ୍କାରରେ ସମ୍ମାନିତ କରାଯାଇଛି।

ସୌରଶକ୍ତିକୁ ରାସାୟନିକ ଶକ୍ତିରେ ପରିବର୍ତନ କରି ପଦାର୍ଥଗୁଡ଼ିକୁ ପ୍ରସ୍ତୁତ କରିବାରେ ପ୍ରଫେସର ପରିଡ଼ାଙ୍କ ପାରଦର୍ଶିତା ସହ ଶକ୍ତି ସଂଚୟ ଏବଂ ପରିବେଶ ଉପଚାର କ୍ଷେତ୍ରରେ ତାଙ୍କର ବିଚାରମତ ବିଶେଷ ଗୁରୁତ୍ୱ ବହନ କରେ।

ପ୍ରଫେସର ପରିଡାଙ୍କର ପଦାର୍ଥ ବିଜ୍ଞାନ କ୍ଷେତ୍ରର ବିକାଶରେ ଅନେକ ଅବଦାନ ରହିଥିବା ବେଳେ ଯୁବ ଗବେଷକମାନଙ୍କୁ ପ୍ରୋତ୍ସାହିତ କରିବାରେ ତାଙ୍କର ବେଶ ଭୂମିକା ରହିଛି। ବିଭିନ୍ନ ଗୁରୁତ୍ୱପୂର୍ଣର୍ ଜର୍ନାଲ୍‌ଗୁଡ଼ିକରେ ତାଙ୍କର ୫୦୦ ରୁ ଅଧିକ ପ୍ରବନ୍ଧ ପ୍ରକାଶିତ ହୋଇଥିବା ବେଳେ ତାଙ୍କର ୩୨ଟି ଭାରତୀୟ ପାଟେଂଟ ଗୃହୀତ ହୋଇସାରିଛି। ତାଙ୍କ ଅଧିନରେ ୫୨ ଜଣ ଗବେଷକ ପିଏଚ୍‌ଡି ଲାଭ କରିସାରିଛନ୍ତି।

ସୋଆର ସେଂଟର ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିରେ ବର୍ତମାନ ୨୦ ଜଣ ସ୍କଲାର୍ ଆର୍ଟିଫିସିଆଲ୍ ଫଟୋସିନ୍‌ଥେସିସ୍ ଏବଂ ଇଲେକ୍ଟ୍ରୋକ୍ୟାଟାଲିସିସ୍ ସମ୍ବନ୍ଧୀୟ ଆପ୍ଲିକେସନ୍‌ରେ ଗବେଷଣାରତ ଅଛନ୍ତି। ୨୦୨୦ ମସିହାରୁ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ବିଶ୍ୱର ୨ ପ୍ରତିଶତ ବିଶିଷ୍ଟ ବୈଜ୍ଞାନିକଙ୍କ ତାଲିକାରେ ଗତ ୩ ବର୍ଷ ଧରି ପ୍ରଫେସର ପରିଡ଼ାଙ୍କୁ ସ୍ଥାନିତ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ପଠାଣି ସାମନ୍ତ ପୁରସ୍କାର ଓ ବିଜ୍ଞାନରେ ଉତ୍କର୍ଷତା ନିମନ୍ତେ ବିଜୁ ପଟ୍ଟନାୟକ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଡିସେମ୍ବର ୨୯ରୁ ସୋଆରେ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍ ଆରମ୍ଭ

ଭୁବନେଶ୍ୱର: ଡିସେମ୍ବର ୨୯ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଷ୍ଟାଡିୟମ୍‌ରେ ୨୭ ତମ ସିନିୟର୍ ଆଇଏକେଓ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍ ଆୟୋଜିତ ହେବ। ଏହି ଚାମ୍ପିଅନ୍‌ସିପ୍‌ରେ ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ୫୦୦ ରୁ ଅଧିକ ପ୍ରତିଯୋଗୀ ଭାଗ ନେବାର କାର୍ଯ୍ୟକ୍ରମ ରହିଛି।

ବିଭିନ୍ନ କ୍ୟାଟେଗୋରୀରେ ଏହି ପ୍ରତିଯୋଗିତା ଆୟୋଜନ ହେବାକୁ ଥିବା ବେଳେ ଉଭୟ ପୁରୁଷ ଏବଂ ମହିଳା କ୍ୟାଟେଗୋରୀରେ ସମାନ୍ତରାଳ ଭାବେ ୨୬ ତମ ସବ୍ ଜୁନିୟର୍ ଓ ୨୬ ତମ ଜୁନିୟର ଚାମ୍ପିଅନ୍‌ସିପ୍ ମଧ୍ୟ ଆୟୋଜିତ ହେବ।

ବର୍ଷକ ତଳେ ରାଜସ୍ଥାନର ଯୋଧପୁରରେ ଆୟୋଜିତ ଜାତୀୟ କିକ୍‌ବକ୍ସିଂ ଚାମ୍ପିଅନ୍‌ସିପ୍‌ରେ ଓଡ଼ିଶା ଟିମ୍ ରନର ଅପ୍ ଟାଇଟଲ୍ ହାସଲ କରିଥିଲା। ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ କିକ୍‌ବକ୍ସିଂ ଅର୍ଗାନାଇଜେସନ୍‌ସ (ଆଇଏକେଓ) ର ସଦସ୍ୟ ଥିବା ଅଲ୍ ଓଡ଼ିଶା କିକ୍‌ବକ୍ସିଂ ଆସୋସିଏସନ୍ (ଏଓକେଏ) ଏହି ପ୍ରତିଯୋଗିତା ଆୟୋଜନ କରୁଛି।

ଭୁବନେଶ୍ୱରରେ ହେଡ୍ କ୍ୱାର୍ଟର ଥିବା ଆଇଏକେଓ ୧୯୯୩ରେ ସ୍କୁଲ୍ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ କିକ୍‌ବକ୍ସିଂକୁ ଆରମ୍ଭ କରିଥିବା ବେଳେ ଭାରତୀୟ କିକ୍‌ବକ୍ସରମାନେ ୨୦୦୭ ପର ଠାରୁ ଏସିଆନ୍ ଇଣ୍ଡୋର ଗେମ୍‌ସ୍ ଏବଂ ଏସିଆନ୍ ଇଣ୍ଡୋର ମାର୍ଶିଆଲ୍ ଆର୍ଟ୍ ଗେମ୍‌ସରେ ପଦକ ହାସଲ କରିଛନ୍ତି ବୋଲି ଏଓକେଏର ସାଧାରଣ ସମ୍ପାଦକ ତଥା ଏହି ଚାମ୍ପିଅନ୍‌ସିପ୍‌ର କାର୍ଯ୍ୟକାରୀ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଆଇଆଇଟି ଖଡଗ୍‌ପୁର ପକ୍ଷରୁ ସମ୍ମାନଜନକ ବିଶିଷ୍ଟ ପୂର୍ବତନ ଛାତ୍ର ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ୨୦୨୨ ନିମନ୍ତେ ଆଇଆଇଟି ଖଡଗପୁର ପକ୍ଷରୁ ଶନିବାର ସମ୍ମାନ ଜନକ ବିଶିଷ୍ଟ ପୂର୍ବତନ ଛାତ୍ର ସମ୍ମାନରେ ସମ୍ମାନିତ କରାଯାଇଛି।

ଡିସେମ୍ବର ୨୪ ତାରିଖ ଦିନ ଆୟୋଜିତ ହୋଇଥିବା ଆଇଆଇଟି ଖଡଗପୁରର ୬୮ ତମ ସମାବର୍ତନ ଉତ୍ସବରେ ପ୍ରଫେସର ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କ ଅନୁପସ୍ଥିତିରେ ସୋଆ ର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରଫେସର ନାୟକଙ୍କ ନିମନ୍ତେ ଏହି ସମ୍ମାନ ଗ୍ରହଣ କରିଥିଲେ।

“ଆପଣ ଶିକ୍ଷାଗ୍ରହଣ କରିଥିବା ଅନୁଷ୍ଠାନ ଆପଣଙ୍କ ବୃତିଗତ ସଫଳତା, ଶିକ୍ଷା, ଗବେଷଣା, ଶିଳ୍ପ, ସାମାଜିକ ଏବଂ ଆନୁଷ୍ଠାନିକ ସ୍ତରରେ ଆପଣଙ୍କର ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରି ନିଜକୁ ଗର୍ବିତ ଅନୁଭବ କରୁଛି” ବୋଲି ପ୍ରଫେସର ନାୟକଙ୍କୁ ଆଇଆଇଟି ଖଡଗପୁର ପକ୍ଷରୁ ଏକ ପତ୍ର ମାଧ୍ୟମରେ ଅବଗତ କରାଯାଇଛି।

ଶିକ୍ଷକରୁ ଶିକ୍ଷା ଉଦ୍ୟୋଗୀ ହୋଇଥିବା ପ୍ରଫେସର ନାୟକ ରାଉରକେଲା ସ୍ଥିତ ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ (ବର୍ତମାନ ର ଏନ୍‌ଆଇଟି)ରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ରେ ସ୍ନାତକ କରିଥିବାବେଳେ ଆଇଆଇଟି ଖଡଗପୁରରୁ କମ୍ପ୍ୟୁଟର ସାଇନ୍‌ସରେ ଏମ୍‌.ଟେକ୍ ଡିଗ୍ରୀ ହାସଲ କରିଥିଲେ। ପରେ ସେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ( ଓୟୁଏଟି)ରୁ ଡକ୍ଟରେଟ୍ ଡିଗ୍ରୀ ଲାଭ କରିଥିଲେ।

ପୂର୍ବରୁ ପ୍ରଫେସର ନାୟକଙ୍କୁ ଏନ୍‌ଆଇଟି, ରାଉରକେଲା ମଧ୍ୟ ବିଶିଷ୍ଟ ପୂର୍ବତନ ଛାତ୍ର ସମ୍ମାନ ପ୍ରଦାନ କରିଥିଲା।

ଓୟୁଏଟି ରୁ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇବା ପରେ ସେ ଶିକ୍ଷା ଓ ଅନୁସନ୍ଧାନ ପ୍ରତିଷ୍ଠା କରି ଧିରେ ଧିରେ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବୃତିଗତ ଶିକ୍ଷାନୁଷ୍ଠାନ ସ୍ଥାପନ କରିଥିଲେ। ସୋଆ ବିଶ୍ୱବିଦ୍ୟାଳୟ ଅଧିନରେ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି, ମେଡିକାଲ୍ ସାଇନ୍‌ସେସ୍‌, ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ଡେନ୍‌ଟାଲ ସାଇନ୍‌ସେସ୍‌, ମ୍ୟାନେଜମେଂଟ ସାଇନ୍‌ସେସ୍‌, ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ, ନର୍ସିଂ, ଲିଗାଲ୍ ଷ୍ଟଡିଜ୍‌, ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ ଓ ଭେଟେରୀନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ୍ ହଜ୍‌ବେନ୍‌ଡାରୀ ଭଳି ଅନୁଷ୍ଠାନ ସ୍ଥାପିତ ହୋଇ ଶିକ୍ଷା ପ୍ରଦାନ କରୁଛି।

ସୋଆରେ ବିଦେଶୀ ଛାତ୍ରଙ୍କ ସମେତ ପ୍ରାୟ ୧୫,୦୦୦ ହଜାର ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଚଳିତ ବର୍ଷ ସୋଆ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍ଗି ଫ୍ରେମ୍ ୱାର୍କ (ଏନ୍‌ଆଇଆରଏଫ୍‌) ୨୦୨୨ ରେ ସାରା ଦେଶରେ ୧୬ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନିତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ନର୍ସିଂ କଲେଜ ପକ୍ଷରୁ ନର୍ସମାନଙ୍କ ନିମନ୍ତେ କର୍ମଶାଳା

ଭୁବନେଶ୍ୱର: ରୋଗୀଙ୍କ ସେବା କରୁଥିବା ନର୍ସମାନେ ସେମାନଙ୍କର ଯତ୍ନ ନେବା ସହ ତାଙ୍କ ଚିକିତ୍ସା ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ଉଚିତ୍। ଚିକିତ୍ସା କରିବା ସମୟରେ ସମସ୍ତ ପ୍ରକାର ତ୍ରୁଟିକୁ ଏଡାଇବା ନିମନ୍ତେ ଯତ୍ନବାନ ହେବା ଉଚିତ୍। ଔଷଧ, ଏହାର ପାଶ୍ୱର୍ ପ୍ରତିକ୍ରିୟା ଏବଂ ଔଷଧ ଦେବା ବିଧି ସମ୍ପର୍କରେ ସେବିକାମାନେ ଅଧିକ ସଚେତନ ହେବା ଉଚିତ୍ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି।

ଦ ଟ୍ରେଣ୍ଡ ନର୍ସେସ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ଓଡ଼ିଶା ଶାଖା ଏବଂ ସୋଆ ପରିଚାଳିତ ସମ୍ ନର୍ସିଂ କଲେଜର ମିଳିତ ଉଦ୍ୟମରେ ବୁଧବାର ଆୟୋଜିତ ହୋଇଥିବା “ମେଡିକେସନ୍ ମ୍ୟାନେଜମେଂଟ ଆଣ୍ଡ ପ୍ରିଭେନ୍ସନ୍ ଅନ୍ ମେଡିକେସନ୍ ଏରରର୍ସ” ଶୀର୍ଷକ ଦୁଇ ଦିନିଆ କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ନନ୍ଦ ଏହା କହିଥିଲେ।

ଯେକୌଣସି ବୃତିରେ ଶିକ୍ଷା ଓ ଗବେଷଣା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ନର୍ସମାନେ ନିଜର ବିଚାର ଶକ୍ତିକୁ ବ୍ୟବହାର କରି ଉତ୍ସର୍ଗୀକୃତ ଭାବେ ରୋଗୀ ସେବା କରନ୍ତୁ ବୋଲି ପ୍ରଫେସର ନନ୍ଦ କହିଥିଲେ।

କର୍ମଶାଳାରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଟିଏନ୍‌ଏଆଇ ଓଡ଼ିଶା ଶାଖାର ଅଧ୍ୟକ୍ଷା ପ୍ରଫେସର ଫୁଲଣା କୁମାରୀ ଦେଇ ସଂଘ ସମ୍ପର୍କରେ ସୂଚନା ଦେଇ ଭାରତରେ ୫ ଲକ୍ଷ ନର୍ସ ଟିଏନ୍‌ଏଆଇର ସଦସ୍ୟତା ଗ୍ରହଣ କରିଛନ୍ତି ବୋଲି କହିବା ସହ ଏହା ସବୁଠାରୁ ପୁରାତନ ଏବଂ ବଡ଼ ସଂଘ ବୋଲି କହିଛନ୍ତି।

ଟିଏନଏଆଇ ପକ୍ଷରୁ ସଦସ୍ୟମାନଙ୍କୁ ଚିକିତ୍ସା ସୁବିଧା ଦିଆଯିବା ସହ ଗୁରୁତର ରୋଗ ନିମନ୍ତେ ୨ ଲକ୍ଷ ଟଙ୍କାର ସହାୟତା ଦିଆଯାଉଛି। ସେହିପରି ମାସିକ ୫୦୦୦ ଟଙ୍କାର ପେନ୍‌ସନ୍‌ର ବ୍ୟବସ୍ଥା ସଦସ୍ୟମାନଙ୍କ ପାଇଁ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ।
ଏହି ଅବସରରେ ଟିଏନ୍‌ଏଆଇ ଓଡ଼ିଶା ଶାଖାର ଶିକ୍ଷା ଓ ଗବେଷଣା କମିଟିର ଅଧ୍ୟକ୍ଷା ପ୍ରଫେସର ରୀତାଞ୍ଜଳି ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରୋଗୀସେବା କ୍ଷେତ୍ରରେ ନର୍ସମାନଙ୍କର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ନର୍ସମାନଙ୍କର ଅନେକ ଦାୟିତ୍ୱ ରହିଛି, ସେମାନେ କେବଳ ଶାରୀରିକ ଯତ୍ନ ସହ ରୋଗୀର ମାନସିକ ଯତ୍ନ ମଧ୍ୟ ନେଇଥାନ୍ତି। ଯଦି ନର୍ସ ଜଣକ ଠିକ୍ ଭାବେ ରୋଗୀର ଯତ୍ନ ନ ନିଅନ୍ତି ତେବେ ଖୁବ୍ ବଡ ସମସ୍ୟା ଉପୁଜିଥାଏ ବୋଲି ସେ କହିଛନ୍ତି।

ଏହି କର୍ମଶାଳାରେ ଏସ୍‌ଏନ୍‌ସିର ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜିକା ତଥା ଏସ୍‌ଏନ୍‌ସିର ଆସୋସିଏଟ୍ ପ୍ରଫେସର ଦେବଯାନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଆସୋସିଏଟ୍ ଡିନ୍ ପ୍ରଫେସର ସସ୍ମିତା ଦାସ, ସମ୍ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ମିନତୀ ମିଶ୍ର ଏବଂ ଆଡିସ୍‌ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ ଶୋଭାରାଣୀ ସାମଲ୍ ସମେତ ଟିଏନଏଆଇ ଓ ଏସ୍‌ଏନ୍‌ସିର ସଦସ୍ୟ ଓ କର୍ମକର୍ତା ଉପସ୍ଥିତ ଥିଲେ।